ଅନ୍ଧକାରର ଆତ୍ମପ୍ରସାଦ


ଅନ୍ଧକାରର ଆତ୍ମପ୍ରସାଦ

ଲେଖକ / କବି : ଗଙ୍ଗାଧର ମେହେର
ପୁସ୍ତକ / କାବ୍ୟ : ଅର୍ଘ୍ୟଥାଳୀ

ମନେ ମନେ ହସି ଭାବି ବୋଲେ ଅନ୍ଧକାର,
ବିଚିତ୍ର ଅଟଇ ସିନା ଲୋକବ୍ୟବହାର ।
ଦେଖ ମୋତେ କରିଥାନ୍ତି ଦୁଃଖର ଉପମ,
କରନ୍ତି ଅଜ୍ଞାନ-ବିଷ ବିପଦରେ ସମ ।
 
ଆଲୋକରେ ଭ୍ରମି ଭ୍ରମି ପ୍ରାଣୀ ହୁଏ ଶ୍ରାନ୍ତ,
ବଳେ ତାକୁ କୋଳେ ଧରି କରଇ ମୁଁ ଶାନ୍ତ ।
ଅଜ୍ଞାନର ସମତାରେ ନାହିଁ ମୋର କ୍ଷୋଭ,
ଅଜ୍ଞାନର ସନ୍ତୋଷରେ ବରଞ୍ଚ ମୋ ଲୋଭ ।
 
କେଉଁ ଶ୍ରେୟ ଅଛି ଭବେ ଜ୍ଞାନୀ ନାମ ବହି,
କେତେ ଜ୍ଞାନବାନ ଶାନ୍ତି ଦେଇଥାନ୍ତି ଦହି ।
ସନ୍ନିପାତେ ହୋଇଥାଏ ବିଷ ପ୍ରୟୋଜନ,
ସୁଖୀ ମୁହିଁ ହୋଇ ତାର ଉପମାଭାଜନ ।
 
ବିପଥଗାମୀକି କରେ ବିପଦବାରଣ,
ଇଚ୍ଛୁକ ମୁଁ ସଦା ତାର ମିତ୍ରତା କାରଣ ।
କେହି ମୋତେ ବୋଲିଥାନ୍ତି ଚୋରର ସହାୟ
ମାନବର କି ଅଦ୍ଭୁତ ବିବେଚନା ହାୟ!
ଆଲୋକରେ ଦେଖେ ଚୋର ଧନିକର ଧନ,
ଆଲୋକରେ ତଡ଼ି ମୋତେ କରେ ତା’ ହରଣ ।
 
କେହି ଅବା ବୋଲେ ମୋତେ ଲମ୍ପଟର ବନ୍ଧୁ
ମୋ ଯୋଗେ କୁପଥେ ପରା ଯାଏ କୁଳବଧୂ ।
କୁଳବଧୂ ମୁଖ କିଏ କରେ ପ୍ରଦର୍ଶନ,
କିଏ ବା କରାଏ ତାର ଚିତ୍ତ ଆକର୍ଷଣ ।
 
ନ ଧରନ୍ତି କେହି କେବେ ତେଜସ୍ୱୀର ଦୋଷ,
ସ୍ୱଭାବେ ଶୀତଳ ମୁହିଁ, ସ୍ୱଭାବେ ମୋ ତୋଷ ।
ଗୁଣ ଘେନିବାକୁ ଲୋକେ ନ ଥିଲେହେଁ ଅନ୍ୟ,
ମୋ ଗୁଣ ବିଚାରି ନିଜେ ବୋଲେ ମୁହିଁ ଧନ୍ୟ ।