ମନବୀଣା
ମନବୀଣା
ଗୀତା ହୋତା
ହଠାତ୍ ବିକଟ ଶବ୍ଦ କରି ପାସେଞ୍ଜରପୂର୍ଣ୍ଣ କଟକ-ଭୁବନେଶ୍ୱର ବସ୍ଟା ରାସ୍ତାମଝିରେ ଛିଡ଼ା ହୋଇଗଲା । ‘ମରିଗଲା’, ‘ମରିଗଲା’ କହି ଚାରିଆଡ଼ୁ ଲୋକଗୁଡ଼ାକ ରୁଣ୍ଡ ହୋଇଗଲେ । ବସ୍ରୁ କେତେଜଣ ଓହ୍ଲାଇ ଯାଇ ଘଟଣାସ୍ଥାନରେ ପହଞ୍ଚିଗଲେ । କିଛି ଲୋକ ଡ୍ରାଇଭରକୁ ମାରିବାପାଇଁ ଧାଇଁ ଆସିଲେ । କିଛି ବସ୍ଯାତ୍ରୀ ଡ୍ରାଇଭରର ଦୋଷ ନାହିଁ କହି ସମର୍ଥନ କରିବାରେ ଲାଗିଗଲେ । ଏମିତି ଅବସ୍ଥା ବେଳକୁ ବସ୍ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ମିଶି ଗୋଟିଏ ଶୁଭ୍ର ବସନ ପରିହିତା ରମଣୀକୁ ବସ୍ଭିତରକୁ ଟେକିଆଣି ପାଟିକରି ଉଠିଲେ-‘ଡ୍ରାଇଭର୍ ଚଞ୍ଚଳ ବସ୍ଚଲାଅ କ୍ୟାପିଟାଲ୍ ହସ୍ପିଟାଲ୍କୁ ।’ ଆଗ ବା ପଛକୁ ଅନାଇବାର ଅବକାଶ ନ ଥିଲା ବିଜୟ କୁମାରର । କ୍ଷିପ୍ର ଗତିରେ ଗାଡ଼ି ନେଇ ସେ ଧାଇଁବାକୁ ଲାଗିଲା ଆଗକୁ।
କ୍ୟାପିଟାଲ୍ ଡାକ୍ତରଖାନାରେ ପହଞ୍ଚି, ବସ ଛିଡ଼ା କରି ବିଜୟ ଡ଼େଇଁ ପଡ଼ିଲା ତଳକୁ । ଯାତ୍ରୀମାନେ ସେତେବେଳକୁ ସମସ୍ତେ ପ୍ରାୟ ଓହ୍ଲେଇ ପଡ଼ିଥିଲେ । ଦୁଇ ତିନି ଜଣ ଦୌଡ଼ିଗଲେ ହସ୍ପିଟାଲ୍ ଭିତରକୁ । ବିଜୟ ଡାକ୍ତରଖାନାର ଏମରଜେନ୍ସି ଦ୍ୱାର ପାଖରେ ଆସି ଛିଡ଼ାହେଲା । କାରଣ ବସ୍ଟି ହସ୍ପିଟାଲ୍ ଗେଟ୍ପାଖକୁ ନେଇ ଆସିଥିଲା ସେ । ଯେତେବେଳେ ଶୁଭ୍ର ବସନ ପରିହିତା ଆଲୁଳାୟିତକେଶା ଯୁବତୀଟିକୁ ଷ୍ଟ୍ରେଚର ଉପରେ ଶୁଆଇ ଦେଲେ । ତା’ର ମୁହଁଟିକୁ ଚାହିଁ ଦେଇ ଚମକି ଉଠିଲା ବିଜୟ । ମନରେ ଆସିଲା ପ୍ରଶ୍ନ-କିଏ ? କିଏ ଏହି ଯୁବତୀ ?
ବହୁ ଦିନ ତଳେ ଛାଡ଼ି ଆସିଥିବା ତଥା ଭୁଲି ଯାଇଥିବା ଗୋଟିଏ ମଧୁର ମୂର୍ଚ୍ଛନାର ଝଙ୍କାରରେ ଝଙ୍କୃତ ହୋଇଉଠିଲା ତା’ର ମନବୀଣାର ତନ୍ତ୍ରୀ । ବିଜୟ ମନେ ପକାଇବାକୁ ଚେଷ୍ଟା କଲା, କେବେ, କେଉଁଠି ଶୁଣିଥିଲା ସଙ୍ଗୀତଟିଏ ? କେଉଁଦିନ ସେ ନିଜ ହାତରେ ଧରି ଅଙ୍ଗୁଳି ଚାଳନା କରିବାର ସୁଯୋଗ ପାଇଥିଲା । କେବେ ତୋଳିଥିଲା ଅଭୁଲା ସଙ୍ଗୀତର ସ୍ୱର ଝଙ୍କାର ? ମନେ ପକାଇବାକୁ ତର ନ ଥିଲା ବିଜୟ କୁମାରର । ଯୁବତୀଟିର ଚେତନା ଫେରି ଆସିଛି । ମୁଣ୍ଡରେ ଅଳ୍ପ ଆଘାତ ଲାଗିଥିଲା । ତାକୁ ଏମର୍ଜେନ୍ସି ରୁମ୍ ଭିତରକୁ ନେଇଗଲା ପରେ, କିଛିକ୍ଷଣ ଛିଡ଼ାହୋଇ ରହିଲା, ତା’ ପରେ ସେ ମଧ୍ୟ ରୁମ୍ ଭିତରକୁ ଧୀରେ ଧୀରେ ପଶିଗଲା।
ଯୁବତୀଟି ଆକୁଳ କଣ୍ଠରେ କହୁଛି, ମୁଁ କେଉଁଠି ? ବାଣୀବିହାର ତ ? ମୋର ଆଜି ଫାଷ୍ଟ୍ ପିରିୟଡ଼୍ରେ କ୍ଳାସ ଅଛି । ବିଜୟ ଆସ୍ତେ ଝୁଙ୍କି ପଡ଼ିଲା ଯୁବତୀଟିର ମୁହଁ ଉପରକୁ ଏବଂ ସେ ଶୁଣିବାକୁ ପାଇଲା କ୍ଷୀଣ କଣ୍ଠରେ ସେ କହୁଛି-ବିଜୟ ! ତୁମେ । ବିଜୟ କିଛି ବୁଝିବା ଆଗରୁ ଗୋଟିଏ ନରମ କୋମଳ ହାତ ତା’ର ଡାହାଣ ହାତ ପାପୁଲିକୁ ମୁଠାଇ ଧରି ଆଖି ବନ୍ଦ କଲା । ଅନିର୍ବଚନୀୟ ଏହି ଶିହରଣ ଖେଳିଗଲା ତା’ର ସର୍ବାଙ୍ଗରେ । ସେ ଆହୁରି ଝୁଙ୍କିପଡ଼ିଲା ଯୁବତୀଟିର ମୁହଁ ପାଖକୁ । କିଛି କହିବାର ନ ଥିଲା । ଅଜଣା ପୁଲକରେ ଥରିବାକୁ ଲାଗିଲା ବିଜୟ । ତାକୁ ସ୍ୱପ୍ନ ଦେଖିଲାପରି ମନେ ହେଉଥିଲା । ଏମିତିଭାବରେ ତା’ ସହିତ ଦେଖା ହେବ ବୋଲି କେବେ କଳ୍ପନା କରି ନଥିଲା ସେ ।
-ପାଣି ପିଇବି ।
ଛୋଟ ସେଲ୍ଫ ଉପରୁ ପାଣି ଟିକିଏ ଆଣି ସେ ତରୁଣୀର ତୁଣ୍ଡରେ ଢାଳି ଦେଲା । ନିଜର ହାତ ମୁଠା ଭିତରୁ ନରମ ହାତଟି ଛଡ଼ାଇ ଆଣିଲା ନାହିଁ । ପାଖ ଟୁଲ୍ଟା ଟାଣିଆଣି ବେଡ଼୍କୁ ଲଗାଇ ବସି ପଡ଼ିଲା।
-ତୁମକୁ ଇମିତି ଭେଟିବି ବୋଲି ଭାବି ନ ଥିଲି । ପଢ଼ାପଢ଼ି କେବେଠୁଁ ଛାଡ଼ିଲ ?
-ବାପାଙ୍କର ମୃତ୍ୟୁ ପରେ ।
-ମାନେ, ମଉସା ନାହାନ୍ତି ?
-ନାଁ, ମୋର ଆଇ.ଏସ୍.ସି.ର ଶେଷ ବର୍ଷରେ ହଠାତ୍ ହାର୍ଟ ଆଟାକ୍ରେ...କଷ୍ଟ ଅନୁଭବ କଲା ବିଜୟ।
-ଥାଉ, ବିଜୟ କହିଲାବେଳେ କଷ୍ଟ ଅନୁଭବ କରୁଥିବାର ବୁଝି ପାରୁଥିଲା ମନବୀଣା । ଅଭିମାନରେ କହିଲା-କହିଲନି ଟିକିଏ ?
ଦୀର୍ଘଶ୍ୱାସ ପକାଇ ବିଜୟ କହିଲା-କ’ଣ ହୋଇଥାନ୍ତା ? ତା’ ଛଡ଼ା ସମୟ ନ ଥିଲା । ସୁବିଧା ମଧ୍ୟ ପାଇ ନି ।
-ବୁଝିଛି । ଘରେ ତ ବଡ଼ ପୁଅ ତମେ । ଆଉ ଅନ୍ୟମାନେ କ’ଣ କରୁଛନ୍ତି ? ମାଉସୀ କିପରି ଅଛନ୍ତି।
-ଭଉଣୀ ଦି’ଜଣ ବାହା ହୋଇଯାଇଛନ୍ତି । ସୁଜୟ ପଢ଼ୁଛି । ମା’ ସାଧାରଣ କୌଣସି ପ୍ରକାର ଚଳି ଯାଉଛି ।
-ତୁମେ ତୁମର ନିଜ ଘରେ ଅଛ ନା ?
ବିଜୟ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।
ଅନ୍ୟମାନେ କିଏ କୁଆଡ଼େ ଚାଲି ଯାଇଥିଲେ । ଏମର୍ଜେନ୍ସି ରୁମ୍ଟି ଗୋଟିଏ କୋଣକୁ ଥିଲା ଏବଂ ଏକୁଟିଆ ବିଜୟ ମନବୀଣା ପାଖରେ ବସି ରହିଲା ।
ମନବୀଣା ଅନେକ କଥା କହି ଯାଉଥିଲା । ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଯାଉଥିଲା । କିନ୍ତୁ ବିଜୟ ହଜି ଯାଉଥିଲା ତା’ର ଛାଡ଼ି ଆସିଥିବା ଅତୀତର ସମୁଦ୍ର ଭିତରେ । ସେ ମନେ ପକାଇବାକୁ ଚେଷ୍ଟା କରୁଥିଲା ଗତ ଦିନର ସୁଖର ସ୍ମୃତିଗୁଡ଼ିକୁ । ତା’ର ଆଖି ଆଗରେ ଝଲମଲ ହୋଇ ସେଗୁଡ଼ିକ ନାଚି ଉଠୁଥିଲା ।
ଏକା କଲୋନୀରେ ଦୁଇଟି କିଶୋର କିଶୋରୀ ରହୁଥିଲେ । ଏକାଠି ସ୍କୁଲକୁ ଯିବା ଆସିବା କରୁଥିଲେ । ଏକା କ୍ଳାସରେ ପଢ଼ୁଥିଲେ ମଧ୍ୟ । ସୁଖର ଦିନଗୁଡ଼ିକ ବହି ଯାଉଥିଲା ଝରଣାର ସ୍ରୋତପରି । ମନବୀଣା ମେହେନ୍ଦି ଲଗାଇବାକୁ ଭାରି ଭଲପାଏ । ବିଜୟ ସ୍କୁଲକୁ ଆସିଲାବେଳେ ମେଞ୍ଚାଏ ମେହେନ୍ଦି ବଟା ଗୋଟିଏ ପ୍ଳାଷ୍ଟିକ୍ଥଳିରେ ଭର୍ତ୍ତି କରି ନେଇ ଆସିଥିଲା । ବସ୍ରୁ ଓହ୍ଲାଇଲା ବେଳେ ପ୍ୟାକେଟ୍ଟା ମନବୀଣା ହାତକୁ ବଢ଼ାଇଥିଲା ।
ମନବୀଣା ଚାଲି ଯାଉ ଯାଉ କହିଲା, କ’ଣ ସେଇଟା ? କେହି ନ ଶୁଣିଲାପରି ବିଜୟ ଉତ୍ତର ଦେଲା-ମେହେନ୍ଦି।
ସେକେଣ୍ଡ ଘଣ୍ଟା ବାଜି ସାରିଥିଲା । ତରବର ହୋଇ ସମସ୍ତେ କ୍ଳାସକୁ ଧାଇଁଛନ୍ତି । ମନବୀଣା ମଧ୍ୟ ଚାଲି ଯାଉଥିଲା । ମୁହଁ ଫେରାଇ ପଚାରିଲା-କେଉଁଠୁ ଆଣିଲ ? କିଏ ବାଟିଲା ?
ବିଜୟ ସିଡ଼ିର ପାହାଚଗୁଡ଼ିକ ଅତିକ୍ରମ କରି ଉଠି ଆସିଥିଲା । କହିଲା-ଲିଲି । କଥାଟା ମନେ ପଡ଼ିବାରୁ ଆଜି ମଧ୍ୟ ବିଜୟର ଓଠକୋଣରେ ଟିକିଏ ହସ ଫୁଟି ଉଠିଲା । ସେ ବୟସରେ ଗୋଟିଏ ଝିଅର ନା ଶୁଣି ତୀର୍ଯ୍ୟକ ଦୃଷ୍ଟି ହାଣି ଛିଡ଼ାହୋଇ ପଡ଼ିଲା ମନବୀଣା-ଲିଲି ?
ମନବୀଣାର ଥରିଲା ଓଠକୁ ଦେଖି ହସି ଉଠିଲା ବିଜୟ । ପାଖକୁ ଆସି ମନବୀଣା କାନଟା ଟାଣି ଦେଇ କହିଲା-ହଁ, ଲିଲି । ମୋ ବଡ଼ ଭଉଣୀ । ସେ ନିଜପାଇଁ ବାଟୁଥିଲା । ମୁଁ ଲଗାଇବି କହି ନେଇ ଆସିଛି । ପିନ୍ଧୁନୁ ?
କାନଟା ଚଡ଼ାଇ ନେଇ, ଜିଭଟା ବାହାର କରି ଖତେଇ ହୋଇ କ୍ଳାସରୁମ୍ ଭିତରକୁ ପକାଇଗଲା ମନବୀଣା । କେତେ ଛୋଟ ଘଟଣା ମନେ ପଡ଼ୁଛି ଆଜି ଅନେକ ଦିନ ପରେ ।
-ସ୍କୁଲ କଥା ମନେ ଅଛି ତୁମର ?
ବିଜୟ ମନବୀଣାର ଆଖି ଉପରେ ଆଖି ରଖିଲା । କାରଣ ସେହି ଅଭୁଲା ସୁଖର ସ୍ମୃତିଗୁଡ଼ିକ ତା’ର ବର୍ତ୍ତମାନ ଆଖି ଆଗରେ ଖେଳି ବୁଲୁଛି । ଖେଳ ପିରିୟଡ଼ରେ ସେମାନେ ପୁଣି ଏକାଠି ହୁଅନ୍ତି । ମନବୀଣା ମେହେନ୍ଦି ହାତଟି ଧୋଇ ଆସିଛି । ତା’ର ଚମ୍ପାବରଣ ହାତ ପାପୁଲିରେ ମେହେନ୍ଦି ରଙ୍ଗ ଖୁବ୍ମାନେ । ସେ ମନବୀଣାର ହାତକୁ ଟିକିଏ ଅନେଇଲା । ଗୋଟିଏ ବିଜୟର ହାତ ମୁଠା ଭିତରେ ଓ ଅନ୍ୟଟି ଚାଦର ଭିତରେ ଢାଙ୍କି ହୋଇ ରହିଛି । ସେମାନେ ଖେଳିବାକୁ ଯାଆନ୍ତି ନାହିଁ । ବେଶ୍ ନିରୋଳା ସ୍ଥାନଟିଏ ଖୋଜି ବସନ୍ତି । ଗୋଟିଏ ଗହଳ ଆମ୍ବଗଛ ଥିଲା । ତାର ଛାଇରେ ଗଛର ଗଣ୍ଡିକୁ ଆଉଜି ବସି ପଡ଼ନ୍ତି ଦୁଇଟି କିଶୋର କିଶୋରୀ । କ’ଣ ଯେ ଗପନ୍ତି ଆଜି ଆଉ ମନେ ପଡ଼ୁନି ସେସବୁ !
ମନବୀଣା ତା’ର ମେହେନ୍ଦିରଙ୍ଗା ହାତଟି ବଢ଼ାଇ ଦିଏ । ବିଜୟ ହାତ ପାପୁଲିଟିକୁ ନାକ ପାଖକୁ ନେଇ ଆଘ୍ରାଣ କରି ପଚାରେ କେତେବେଳେ ଲଗାଇଲୁ ?
-କ୍ଳାସ ଚାଲୁଥିଲା ବେଳେ-ଭ୍ରୂ ନଚାଇ ଉତ୍ତର ଦେଲା ମନବୀଣା ।
-ଭାରି ଦୁଷ୍ଟ ହୋଇଛୁ । ପଢ଼ିନୁ ଜମା ।
-ଉଃ, ମାଷ୍ଟର ବାବୁ କହି ବିଜୟର ବାଳକୁ ଟାଣିଦିଏ ମନବୀଣା ।
-ଆଃ ! କାଟୁଛି କହି ପାଟି କରି ଉଠେ ବିଜୟ ।
-କ’ଣ ଦେଖୁଛ ?
ବିଜୟ ଭାବନାରୁ ଫେରି ଆସିଲା । ଟିକିଏ ହସିବାର ଚେଷ୍ଟା କରି କହିଲା-ତୋତେ..ନା ମାନେ ତୁମକୁ...ହଠାତ୍ ତୁ ବୋଲି କହିବାକୁ ଦ୍ୱିଧାବୋଧ କରୁଥିଲା ସେ ।
କ୍ଳାନ୍ତ କଣ୍ଠରେ ହସି ଉଠିଲା-ମନବୀଣା । କ’ଣ ପ୍ରମୋସନ୍? ତୁ ରୁ ଏକାବେଳେକେ ତୁମେ ।
ବିଜୟ ନିଜକୁ ବଡ଼ ସଙ୍କୁଚିତ ମନେ କରିବାକୁ ଲାଗିଲା । ମନବୀଣାର ହାତଟି ଏବେ ବି ତା’ ହାତ ମୁଠା ଭିତରେ ରହିଛି । କାହିଁକି ଛଡ଼ାଇ ନେଉ ନାହିଁ ମନବୀଣା ? ସେ ମଧ୍ୟ ଏତେ ସମୟ ହାତଟିକୁ ଧରି ରଖିଛି କିପରି ? ବର୍ତ୍ତମାନର ବିଜୟ ସହିତ ଅଧ୍ୟାପିକା ମନବୀଣାର ସାମଞ୍ଜସ୍ୟ କେଉଁଠି ? ବିଜୟ ଟୁଲଟା ଉପରୁ ଉଠି ଛିଡ଼ା ହୋଇପଡ଼ିଲା ।
-ଉଠିଲ ଯେ ? ମନବୀଣା କହିଲା, ଯାଉଛ ?
ବିଜୟ ଟିକିଏ ଚଞ୍ଚଳ ହୋଇ କହିଲା-ବହୁତ ଡେରି ହୋଇଗଲାଣି । ବସ୍ଟା ଗ୍ୟାରେଜ୍କୁ ନେବାକୁ ହେବ । ନିଜର କାର୍ଯ୍ୟ ସଂପର୍କରେ ସୂଚାଇ ଦେଲା ସେ ।
-ପୁଣି କେତେବେଳେ ଆସିବ ?
ସେ କଥାର ଉତ୍ତର ନ ଦେଇ ବିଜୟ କହିଲା, ତୁମ ଘରର ଠିକଣାଟା ଦେଲେ ଖବର ଦେଇଦେବି । ମନବୀଣା ଟିକିଏ ହସି କହିଲା, କେହି ନାହାନ୍ତି । ଅଟକି ଗଲା ବିଜୟ, ମାନେ !
କଥା ଛଡ଼ାଇ ମନବୀଣା କହିଲା- ମୁଁ ଏକୁଟିଆ କ୍ୱାର୍ଟର୍ରେ ଅଛି । ଆଜି କଟକରୁ ଗୋଟିଏ ମିଟିଂ ସାରି ଫେରୁଥିଲି ।
-ଓଃ, କହି ବିଜୟ ଚାଲି ଯାଉଥିବା ବେଳେ ହଠାତ୍ ମନରେ ଆସିଲା, ଏହି ସେହି ମନବୀଣା ଯାହାକୁ ଦୀର୍ଘ ଆଠ ବର୍ଷ ପରେ ଭେଟିଲା । ଆଜି ବି କ’ଣ ସେହି ମନବୀଣା ହୋଇ ରହିଛି ତ ? ମନବୀଣା ଏକୁଟିଆ ରହୁଛି କାହିଁକି ? କ୍ଷୀଣ ଆଶା ଟିକିଏ ବିଜୟର ମନ ଭିତରେ ଆସିଲା । କୁଣ୍ଠାବୋଧ କରୁଥିଲା ପଚାରିବାକୁ ମନବୀଣାର ସ୍ୱାମୀ ଓ ପିଲାପିଲିଙ୍କର କଥା । ହୁଏତ ଚାକିରି ଦୃଷ୍ଟିରୁ ଅଲଗା ରହିବାକୁ ବାଧ୍ୟ ହୋଇଥିବ କିମ୍ବା ଏସବୁ କିଛି ହୋଇନି ମନବୀଣାର ।
ପଛରୁ ତାର କର୍ଣ୍ଣ ଗହ୍ୱରକୁ ଭେଦ କରି ଦେହ ମନକୁ ଅବଶ କରି ଏକ ଆକୁଳ ଆବେଦନ ଭାସି ଆସିଲା-ପୁଣି ଆସିବ ତ ?
ବିଜୟ ଛିଡ଼ା ହୋଇଗଲା-ନା, ଏ ନିମନ୍ତ୍ରଣକୁ ଉପେକ୍ଷା କରିବାର ଶକ୍ତି ତା’ର ନାହିଁ । ସେ ପଛକୁ ଟିକିଏ ଫେରି ଚାହିଁଲା ଏବଂ ତା’ର ମନ ଭିତରେ ବାରମ୍ବାର କହିବାକୁ ଲାଗିଲା-ଆସିବି, ଆସିବି ମନବୀଣା, ନିଶ୍ଚୟ ଆସିବି ।
ହସ୍ପିଟାଲ୍ରୁ ଫେରି ନିଜର ପୋଷାକପତ୍ର ବଦଳାଇ ବିଛଣା ଉପରେ ଲମ୍ବହୋଇ ଶୋଇପଡ଼ିଲା ବିଜୟ । ଭୀଷଣ କ୍ଳାନ୍ତ ଲାଗୁଥିଲା ତାକୁ । ଦୀର୍ଘ ଆଠ ବର୍ଷପରେ ଭେଟିଲା ମନବୀଣାକୁ । ତାହା ବି ଗୋଟିଏ ଆକ୍ସିଡେଣ୍ଟ ମାଧ୍ୟମରେ । ମନବୀଣା ଏକୁଟିଆ ରହିଛି କାହିଁକି ? ପଚାରିବାକୁ ଲଜ୍ଜାବୋଧ କରିଥିଲା ସେ । ମନବୀଣାର ପିଲାପିଲି, ସ୍ୱାମୀ ? କିଏ ଜାଣେ କାହାକୁ ବାହା ହୋଇଛି ? ଏ କଥା ଭାବିବା ଅନାବଶ୍ୟକ । ଦିନକ ଭିତରେ ପୃଥିବୀର ଅନେକ କିଛି ପରିବର୍ତ୍ତନ ହୋଇଯାଏ । ଏ ତ ଦୀର୍ଘ ଆଠ ବର୍ଷର କଥା । ଦୀର୍ଘନିଃଶ୍ୱାସ ମାରି କଡ଼ ଲେଉଟାଇଲା ବିଜୟ । ନା, ମନବୀଣା ତା’ ପାଇଁ ନୁହେଁ । ସେ ଜଣେ ସାଧାରଣ ବସ୍ ଡ୍ରାଇଭର । ଜଣେ ଅଧ୍ୟାପିକା କଥା ଭାବିବା ଅନ୍ୟାୟ ।
ମା’ ଭିତରକୁ ଆସି କହିଲେ, ବିଜୁ, ଶୋଇଲୁ କାହିଁକି ବାପ ? ଦେହ କ’ଣ ଖରାପ ଲାଗୁଛି ? ବିଜୟର ମୁଣ୍ଡ ପାଖରେ ବସି ଛାତିରେ ଓ କପାଳରେ ହାତ ବୁଲାଇ ଦେଖିବାକୁ ଲାଗିଲେ । ମା’ର ସ୍ନେହ ମମତାବୋଳା ସ୍ୱର । ସ୍ନେହ କୋମଳ ହାତର ପରଶପାଇ ବିଜୟର ମନ ଅଧିକ ବିକଳ ହୋଇଉଠିଲା । ସେ ନିଜକୁ ଆହୁରି ଅସହାୟ ଓ ଦୁର୍ବଳ ଅନୁଭବ କରିବାକୁ ଲାଗିଲା ।
ମା’ ଶ୍ରୀମୟୀ ବିଜୟ ମୁଣ୍ଡକୁ କୋଳ ଉପରକୁ ଉଠାଇ ନେଇ ବାଳ ସାଉଁଳିବାକୁ ଲାଗିଲେ । କହିଲେ-ଆଜି କ’ଣ ଡବଲ୍ ଡିଉଟି କଲୁ କି ? କିଛି ଖାଇଛୁ ତ ? ତୁ ଯେଉଁ କାମପାଗଳା ପୁଅ, କାମ ଥିଲେ ଖାଇବା ଗାଧୋଇବା ସବୁ ଭୁଲିଯାଉ । ମା’ର କୋଳ ଭିତରେ ମୁହଁ ରଖି ବିଜୟ କହିଲା, ନାଇଁ ମା ! ତୁ ବ୍ୟସ୍ତ ହଅନା । ମୋର ଦେହ ଭଲ ଅଛି । ତୁ ଖାଇବାକୁ ବାଢ଼ । ପୁଣି ମା’କୁ ଖୁସି କରିବାକୁ ଯାଇ କହିଲା-ଆଜି ତୁ କ’ଣ ରାନ୍ଧିଛୁ କହିଲୁ ? ଭାରି ଭୋକ ହେଲାଣି ।
ଶ୍ରୀମୟୀ ପୁଅକୁ ଆଦର କରି କହିଲେ-ବିଜୁ, ଏଥର ଘରକୁ ବୋହୁଟିଏ ଆଣ । ମୁଁ ଏକୁଟିଆ ପାରୁନି।
ବିଜୟ ଉଠି ବସିଲା । ମା’କୁ ଭୁଲାଇବା ପାଇଁ ବେଶ୍ ମଜାଳିଆ ସ୍ୱରରେ କହିଲା-କ’ଣ ରନ୍ଧା କଥା ତ, କାହିଁ ମୋତେ ଦେଉନୁ ମୁଁ ଏମିତି ରାନ୍ଧିବି ଯେ, ତୋର ବୋହୂ ନା ଆଉ କିଏ....।
ରହ । ଶ୍ରୀମୟୀ ବିଜୟର ମୁହଁରେ ହାତ ଦେଇ ବନ୍ଦ କରିଦେଲେ । କୃତ୍ରିମ କ୍ରୋଧ ଦେଖାଇ କହିଲେ-ଆଜିକାଲି ଭାରି ଚଗଲା ହେଲୁଣି । ଇଆଡ଼ୁ ସିଆଡ଼ୁ କଥା କହି ଭୁଲାଇ ଦେଉଛୁ । ମୁଁ କିନ୍ତୁ ତୋ କଥା ଆଉ ମାନିବିନି । ତୁ ଯଦି କିଛି ନ କରୁ...
କ’ଣ ଗୋଟାଏ ଭାବିବାପରି ରହି ବିଜୟ କହିଲା-ମା’ ଆଜି ଗୋଟାଏ ଆକ୍ସିଡେଣ୍ଟ ହୋଇଗଲା ।
ଶ୍ରୀମୟୀ ଚିହିଁକି ଉଠିଲେ-କ’ଣ କହିଲୁ, ଆକ୍ସିଡେଣ୍ଟ ! କାହାକୁ ? ଜୀବନରେ ମାରି ପକାଇନୁ ତ ! ଭୟରେ ଶ୍ରୀମୟୀ ଖଟ ଉପରୁ ତଳକୁ ଓହ୍ଲାଇ ଆସିଲେ ।
ସାନ୍ତ୍ୱନା ଦେଇ ବିଜୟ କହିଲା-ଭୟର କାରଣ ନାହିଁ, ବିଶେଷ କିଛି ହୋଇ ନାହିଁ । ସେ ଭଲ ଅଛି । ‘ସେ’ ଶବ୍ଦଟି ଉଚ୍ଚାରଣ କଲାବେଳେ ତା’ର କାନମୂଳ ଲାଲ ହୋଇଉଠୁଥିଲା ?
-କିରେ କାହାକୁ ? ପୁଣି ମା’ ପଚାରିଲେ ।
ବିଜୟ ଧୀର ଗଳାରେ କହି ଉଠୁଥିଲା ମନବୀଣା, ମା’ ମନବୀଣା । କିନ୍ତୁ ଅଟକି ଗଲା । ବାଆଁରେଇ କହିଲା, ମୁଁ କ’ଣ ସାରା ଓଡ଼ିଶାବାସୀଙ୍କୁ ଚିହ୍ନିଛି ଯେ, ତୋତେ ନାଁ, ଗାଁ ସବୁ କହିବି ?
ପୁଅର ମୁହଁକୁ ଚାହିଁ ରହିଲେ ଶ୍ରୀମୟୀ-ଭଗବାନ ତା’ର ମଙ୍ଗଳ କରନ୍ତୁ ।-କିଏ ସବୁ ଅଛନ୍ତି ତା’ର ?
ବେଶ୍ଗମ୍ଭୀର ସ୍ୱରରେ ଉତ୍ତର ଦେଲା ବିଜୟ-ହଁ ସମସ୍ତେ ଅଛନ୍ତି ।
ପୁଅର ଅନ୍ୟମନସ୍କତା ଲକ୍ଷ୍ୟ କରି ଚୁପ୍ ରହିଲେ ଶ୍ରୀମୟୀ । ଖାଇବାବାଳେ ସବୁଦିନ ପରି ଆଜି ଆଉ ଗପ ଜମିଲା ନାହିଁ । ମା’, ପୁଅ ନୀରବରେ ଖାଇବା ସମାପ୍ତ କରିଥିଲେ ।
ପରଦିନଟା ସାରା ବିଛଣା ଉପରେ ଶୋଇ କଟାଇଦେଲା ବିଜୟ । ଅବଶ୍ୟ ସକାଳ ବେଳାଟା କିଛି ସମୟ ବଗିଚାରେ କାମ କରିଥିଲା । କିଛି ଫୁଲଚାରା ଲଗାଇଥିଲା । ମାଛକୁଣ୍ଡର ପାଣି ବଦଳାଇ ଥିଲା । ଆଉ ପ୍ରତିଦିନର ଅଭ୍ୟାସମତେ ମେହେନ୍ଦି ଝାଡ଼ରେ ପାଣି ଢାଳିଲା । ତା’ର ଛୋଟ ଘରଟିର କମ୍ପାଉଣ୍ଡ ଚାରିପାଖରେ ଘନ ମେହେନ୍ଦିର ଝାଡ଼ ନିଜ ହାତରେ ଲଗାଇଛି ବିଜୟ । କାରଣ ମନବୀଣା ମେହେନ୍ଦି ଲଗାଇବାକୁ ଭଲ ପାଉଥିଲା । ତାକୁ ଛାଡ଼ିଲା ଦିନୁ ସେ ଏହି ମେହେନ୍ଦି ଝାଡ଼ଗୁଡ଼ିକୁ ସ୍ପର୍ଶ କରି ମନବୀଣାର ସାହଚର୍ଯ୍ୟ ପାଉଥିଲା । ମା’ କହନ୍ତି, ବିଜୁ ! ଏହି ମେହେନ୍ଦି ବୁଦାରେ ପାଣି ଢାଳୁଛୁ କାହିଁକି ? ସେଗୁଡ଼ାକ ମନକୁ ମନ ବଢ଼ିବ ନି ? ବିଜୟ ମା’ ମୁହଁକୁ ଟିକିଏ ଅନାଏ କିଛି କୁହେ ନାହିଁ । ଆଜି ମଧ୍ୟ ସେଥିରେ ପାଣି ଦେବାରେ ହେଳା କରି ନି ସେ । ବିଛଣାରେ ପଡ଼ି ଛଟ୍ପଟ୍ ହୋଇଛି, ଧାଇଁ ଯିବାକୁ ଇଚ୍ଛା ହୋଇଛି, ମନବୀଣା ପାଖକୁ । କିନ୍ତୁ ବହୁ ଦିନର ବ୍ୟବଧାନ ପରେ ହଠାତ୍ କିମିତି ବାଧା ବାଧା ଲାଗୁଥିଲା । ବହି ପଢ଼ି ରେଡ଼ିଓ ବଜାଇ ଦିନଟା କଟିଲେ ମଧ୍ୟ ସନ୍ଧ୍ୟା ହେବା ମାତ୍ରେ କୌଣସି ଅମୋଘ ଆକର୍ଷଣ ଟାଣି ନେଲାପରି ହସ୍ପିଟାଲ୍ ଆଡ଼କୁ ଟାଣି ହୋଇଗଲା ।
ବିଜୟକୁ ଦେଖିଲା ମାତ୍ରେ ଖୁସିରେ କୁରୁଳି ଉଠିଲା ମନବୀଣା । ତା’ର ପତଳା ଭ୍ରୂ ଦୁଇଟି ନଚାଇ କହିଲା-ତୁମେ ଆସିଗଲ, ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ । ଖଟରୁ ତଳକୁ ଓହ୍ଲାଇ ପଡ଼ି କହିଲା-ଚାଲ, ଏମାନେ ମୋତେ ଅନେକ ବେଳୁ ଘରକୁ ଯିବାପାଇଁ ଅନୁମତି ଦେଲେଣି । ଚାଲ, ଚାଲ କହି ଆନନ୍ଦରେ କେବିନ୍ ଭିତରୁ ବାହାରି ଆସିଲା ମନବୀଣା । କହିଲା, ରାସ୍ତା ଉପରୁ ରିକ୍ସାଟାଏ ଡାକିନେଲେ ଚଳିବ । ମେଡିକାଲ୍ ବାରଣ୍ଡା ତଳକୁ ଓହ୍ଲାଇ ପଡ଼ିଲା ପରେ ବିଜୟ କଥା କହିବାର ସୁଯୋଗ ପାଇଲା । କହିଲା, ଗାଡ଼ି ଅଛି ।
ମନବୀଣା ମୁହଁବୁଲାଇ ଆଖିକୁ ଟିକିଏ ନଚାଇ କହିଲା, ଗାଡ଼ି ?
ଅଳ୍ପ ଟିକିଏ ହସି ବିଜୟ କହିଲା, ତୁମକୁ ଘରେ ଛାଡ଼ିବାକୁ ହେବ ତ । ତେଣୁ କାର୍ଟା ନେଇଆସିଛି ।
-ଓଃ, ତୁମେ ଖାଲି ବସ୍ର ମାଲିକ ନୁହେଁ, କାର୍ର ମାଲିକ ମଧ୍ୟ !
ବିଜୟ ଆସ୍ତେ କହିଲା-କାର୍ ଖଣ୍ଡେ ଭଡ଼ା ଲଗେଇଛି ।
-ସତରେ ବିଜୟ ତୁମେ ଖୁବ ହିସାବୀ । ତୁମର ଦୂରଦୃଷ୍ଟିକୁ ତାରିଫ୍ କରିବାର କଥା । ମୋତେ ଏଇଥିପାଇଁ ତ ତୁମକୁ ଏତେ ଭଲ ଲାଗେ ।
କାର୍ର ପଛପଟ ଦରଜା ଖୋଲି ଧରିଲା ବିଜୟ । କିନ୍ତୁ ମନବୀଣା ସେ ଆଡ଼କୁ ଦୃଷ୍ଟି ନଦେଇ ସାମନା ସିଟ୍ରେ ବସିପଡ଼ି କହିଲା, ଆସ, ହରି ଅପ୍ ବିଜୟ । ଗାଡ଼ିଟି ରାସ୍ତା ଉପରକୁ ଉଠି ଆସିଲା । ମନବୀଣା ବେଶ୍ ଆରାମରେ ଆଉଜି ବସିଛି । କଥା କହିଲା ବେଳେ ମନବୀଣାର ହାତ ଓ କାନ୍ଧ ବିଜୟର କାନ୍ଧକୁ ଛୁଇଁ ଯାଉଥିଲା । ସେ ଗପି ଚାଲିଥିବାବେଳେ ହଠାତ୍ କହିଉଠିଲା, ବିଜୟ ! ରଖ, ରଖ, ଗାଡ଼ିଟା ଟିକିଏ ଛିଡ଼ା କର ।
ସ୍ୱପ୍ନର କୁହୁଡ଼ିରେ ଭାସିଯିବା ପରି ଗାଡ଼ିଟି ଚଳାଇ ନେଉଥିଲା ବିଜୟ । କିଛି ବୁଝିନପାରି ମନବୀଣାର କଥାରେ ଗାଡ଼ିଟି ଛିଡ଼ା କରିଦେଲା ।
ମନବୀଣା କହିଲା-ବୁଝିପାରିଲନି ? ଦୁଇ ଦିନ ହେଲା ଘରେ ନ ଥିଲି । ଘରେ କିଛି ନ ଥିବ । ରାତିଟା କ’ଣ ଉପାସରେ ରଖିବ ବୋଲି ଭାବୁଛ ?
ରାସ୍ତାପାଖ ଦୋକାନଗୁଡ଼ିକୁ ଚାହିଁଲା ବିଜୟ । ମାଷ୍ଟର୍କ୍ୟାଣ୍ଟିନ୍ ପାଖରେ ଗାଡ଼ି ଛିଡ଼ା ହୋଇଛି । ମନବୀଣା ପାଖକୁ ଆସି ଟିକିଏ ଲଜ୍ଜିତ କଣ୍ଠରେ କହିଲା-ଏଇଠି କିଛି ଖାଇଯିବା ?
ହି, ହି ହୋଇ ହସିବାକୁ ଲାଗିଲା ମନବୀଣା । ହସର ଉଚ୍ଛଳତାରେ ତା’ର ସୁସ୍ପଷ୍ଟ ବକ୍ଷ ଦୋହଲି ଉଠିଲା । ଆଖି ଦୁଇଟିରୁ ଆନନ୍ଦର ଅଶ୍ରୁ ଝରିପଡ଼ିବା ପରି ମନେ ହେଉଥିଲା । ରାସ୍ତା ମଝିରେ ମନବୀଣାର ଏପରି ହସ ଦେଖି ବିବ୍ରତ ହେବାକୁ ଲାଗିଲା ବିଜୟ । କିନ୍ତୁ କୌଣସି ଆଡ଼କୁ ଦୃଷ୍ଟି ନ ଦେଇ ସେ ହସିବାକୁ ଲାଗିଥିଲା ।
କିଛି ସମୟ ପରେ କହିଲା, କ’ଣ ମୁଣ୍ଡରେ ଏହି ପଟି ବାନ୍ଧି ଦେଇ ଦି’ଜଣ ଖାଇବାକୁ ବସିବା ?
ଏତେବେଳକୁ ବିଜୟର ଆଖି ପଡ଼ିଲା ମନବୀଣାର ପଟିବନ୍ଧା ମୁଣ୍ଡରେ ଏବଂ ମନବୀଣାର ସେହି ଲମ୍ବା ସୁନ୍ଦର ପରିଷ୍କାର ସୀମାନ୍ତଟିକୁ ଦେଖିବାକୁ ଇଚ୍ଛା କରୁଥିଲା ସେ । କିନ୍ତୁ କେତେଗୁଡ଼ିଏ ଧଳା କନାର ପଟି ଗୁଡ଼ା ହୋଇଥିବା ବ୍ୟତୀତ ସବୁ ଅଦୃଶ୍ୟ ହୋଇ ରହିଛି । ଟିକିଏ ଇତଃସ୍ତତ ଅନେଇ କହିଲା, ଠିକ୍ଅଛି ଏବଂ ରାସ୍ତାର ଆରପାରିକୁ ପାରି ହୋଇଗଲା । ହାତରେ କିଛି ମିଠା, ଅଣ୍ଡା, ବ୍ରେଡ଼୍ଇତ୍ୟାଦି ନେଇ ଗାଡ଼ି ଭିତରେ ରଖି ଗାଡ଼ି ଷ୍ଟାର୍ଟ କଲା ବିଜୟ ।
ଏତେବେଳ ପରେ ପର୍ସ କଥା ମନେପଡ଼ିଲା ମନବୀଣାର । ସେ କହିଲା ବୋଧହୁଏ କାଲି କେଉଁଠି ପର୍ସଟି ପଡ଼ିଯାଇଛି । ଗାଡ଼ି ଚଳାଉଥିବା ଅବସ୍ଥାରେ ଗାଡ଼ି ଡ୍ରରୁ ପର୍ସଟି କାଢ଼ି ବଢ଼ାଇଦେଲା ବିଜୟ ।
ମନବୀଣା କହିଉଠିଲା-ଏଇଠି, ଏଇଠି, ଏହି ଡାହାଣ ପଟରେ ଗାଡ଼ି ରଖ । ଜିନିଷଗୁଡ଼ିକ ଧରି ଦ୍ୱାରପର୍ଯ୍ୟନ୍ତ ପଛରେ ଆସିଲା ବିଜୟ । ମନବୀଣା ପର୍ସରୁ ଚାବି ବାହାର କରି ଭିତରକୁ ଗଲା । ଦ୍ୱାର ପାଖରେ ଛିଡ଼ା ହୋଇ ରହିଲା ବିଜୟ ।
ସୁନ୍ଦର ଫ୍ଳାଟ୍ଟିଏ । ନେମ୍ପ୍ଳେଟରେ ଲେଖା ଅଛି ‘‘ଅଧ୍ୟାପିକା ମନବୀଣା’’ । କିଛି ସଂଜ୍ଞା ନାହିଁ ।
-ଭିତରକୁ ଆସ ।
ନେମ୍ପ୍ଳେଟ୍ ଉପରୁ ଦୃଷ୍ଟ ଫେରାଇ ହାତରେ ଜିନିଷଗୁଡ଼ିକୁ ବଢ଼ାଇଦେଇ ଶୁଷ୍କ କଣ୍ଠରେ ବିଜୟ କହିଲା-ଆଜି ଥାଉ ।
ମନବୀଣା କମ୍ପିତ କଣ୍ଠରେ କହିଲା-କାହିଁକି ବିଜୟ ? ଆଜି କାହିଁକି ନୁହେଁ ?
ବିଜୟ ତା’ର ଆଖି ଦୁଇଟି ମନବୀଣାର ଆଖି ଉପରେ ସ୍ଥିର କରି ରଖି କହିଲା, ମାନେ ଆଜି ଥାଉ । ଅଧିକ କିଛି କହିବାର ଅବକାଶ ନ ଦେଇ ବୁଲିପଡ଼ି ପାହାଚଗୁଡ଼ିକୁ ଅତିକ୍ରମ କରି ଆସିଲା ସେ ।
ବିଜୟ ନିଜକୁ ସାନ୍ତ୍ୱନା ଦେଉଥିଲା । କର୍ତ୍ତବ୍ୟ ଦୃଷ୍ଟିରୁ ଘରେ ପହଞ୍ଚାଇ ଦେଲା ସେ । ଆଉ କାହିଁକି? ଜୀବନର ଗତିଚକ୍ର ସବୁ ବଦଳାଇ ଦେଇଛି । ଏହା ଭିତରେ ପ୍ରାୟ ସପ୍ତାହେ ଖଣ୍ଡେ ହେବ ସାଂସାରିକ ଝାମେଲାରେ ଅନେକ ବ୍ୟସ୍ତ ରହିଥିଲା ବିଜୟ । ପ୍ରତିଦିନ ପରି ବସ୍ନେଇ କଟକ ଅଭିମୁଖେ ଆଜି ବି ଆଗେଇ ଚାଲିଛି ବିଜୟ । ବସ୍ ଷ୍ଟପେଜ୍ ପାରି ହୋଇ ବେଶ୍ ଦୂରକୁ ଚାଲି ଆସିଛି । ରାସ୍ତା ମଝିରେ ଛିଡ଼ାହୋଇ ବସ୍ ଛିଡ଼ା କରିବାକୁ ହାତ ଦେଖାଇଛି ମନବୀଣା ।
ବିଜୟର ସମଗ୍ର ଧମନୀକୁ ଥରାଇ ଉଷ୍ମ ପ୍ରବାହ ବହି ଆସିଲା ଏକ ଅଦ୍ଭୁତ ଉଦବେଗର ନିଃଶ୍ୱାସ ହୋଇ । ବସ୍ଟି ଛିଡ଼ା ହୋଇପଡ଼ିଲା ତାର ଅଜାଣତରେ । ଯାତ୍ରୀମାନେ ଚିତ୍କାର କରି ଉଠିଲେ । ଇଏ କଅଣ ? ବିନା ଷ୍ଟପେଜ୍ରେ ବସ୍ରଖି ନିଜ ଲୋକଙ୍କୁ ଉଠାଇ ନେଉଛ । ଅନ୍ୟାୟ, ଭୀଷଣ ଅନ୍ୟାୟ । ଏଇଟା ସରକାରୀ ବସ୍ନା, ତମର ଘରୋଇ ବସ୍ହେ ? କିଏ କହୁଛି ବାପାର ଇଜ୍ମାଲି ହୋଇଥିବ । ନାନା ପ୍ରକାର ଟିପ୍ପଣୀ ଯାତ୍ରୀମାନେ ମାରୁଥିଲା ବେଳେ ବସ୍ ଭିତରକୁ ଉଠିଆସିଲା ମନବୀଣା । କଣ୍ଡକ୍ଟର ବେଲ୍ ବଜାଇ ଦେଲା । ବସ୍ ପୁଣି ଆଗକୁ ମାଡ଼ିଚାଲିଲା । ଯାତ୍ରୀଗୁଡ଼ାକ କିନ୍ତୁ ନୀରବ ରହିନାହାନ୍ତି । ଯାହା ମନକୁ ଯାହା ଆସୁଛି କହିବାକୁ ଲାଗିଛନ୍ତି । କଅଣ ଡ୍ରାଇଭର ବାବୁ ? ବେଶ୍ ମନପୋଲି ଚଲାଇଛନ୍ତି ତ ? ଆମେ ଧାଇଁ ଦଉଡ଼ି, ଦିନେ ଅଧେ ଟିକିଏ ଡେରିରେ ଆସିଲା ବେଳକୁ ନାକ ଉପର ଦେଇ ବସ୍ଟା ସାଏଁ କରି ନେଇ ପଳାଉଛ, ଦରକାର, ଅଦରକାରରେ ପାଞ୍ଚ ମିନିଟ୍ ରହିବ ନାହିଁ । ଏତେବେଳକୁ ବିନା ଷ୍ଟପେଜ୍ରେ ରଖି ଦେଉଛ ?
-ଦେଖୁନ ହେଁ ହେଁ ହେଁ...। ଅନ୍ୟଜଣକ କହି ଉଠିଲେ ଦେଖୁ ନ ଦେଖ, ଆରେ ଯାତ୍ରୀ ନୁହେଁ ଯାତ୍ରିଣୀ ।
କଣ୍ଡକ୍ଟର କଥାଟା ବୁଲାଇ ଦେବାକୁ କହିଲା-ଜାନେ ଦୋ ବାବୁ ସାହେବ, ଦେଖତେ ନେହିଁ, ଜନାନା ହୈ ।
ଖତେଇ ଉଠିଲେ ବାବୁ ଜଣକ, ହାଁ, ଦେଖ୍ତେ ହୈ, ଜନାନା ହୈ, ଫିର୍ ଖୁବ୍ ସୁରତ୍ଭି ହୈ ।
ବିଚରା ପଞ୍ଜାବୀ କଣ୍ଡକ୍ଟରଟି ଚୁପ୍ ହୋଇଗଲା । କାରଣ ସେ ଜାଣିଛି ପାସେଞ୍ଜରଙ୍କ ସାଙ୍ଗରେ ଅଧିକ କଥା କହିବା ଅର୍ଥ ଝାମେଲା ବଢ଼ିବ ସିନା, କିଛି ଫଳ ହେବ ନାହିଁ । ତେଣୁ କଥା ନ ବଢ଼ାଇ ନିଜର ଟିକେଟ୍ କାଟିବା କାର୍ଯ୍ୟରେ ଲାଗିପଡ଼ିଲା ।
ଯାହାପାଇଁ ଏତେ କଥା, ସେ ନିର୍ବିକାର । କୌଣସି ଦିଗକୁ ଦୃଷ୍ଟି ନଦେଇ ସିଧା ଡ୍ରାଇଭର ପାଖରେ ଗ୍ରୀଲଲଗା ଲୁହାର ରଡଟାକୁ ଧରି ଛିଡ଼ା ହୋଇଛି । ମନବୀଣାର ଖୋଲା କେଶ ସମ୍ଭାର ପିଠିକୁ ଢାଙ୍କି ପକାଇଛି । ବାଳରେ ଲଗାଇ ଥିବା ଜେସ୍ମିନ୍ ହେୟାର ଅୟେଲର ମହକ ବାରି ପାରୁଥିଲା ବିଜୟ । କଣେଇ ଚାହିଁଲା ଗାଡ଼ି ସାମ୍ନାରେ ଲାଗିଥିବା ଦର୍ପଣକୁ । ଆଜି ମନବୀଣା କପାଳରେ ଲାଲି ଟୋପାଟିଏ ଲଗାଇଛି । ବାଳରେ ଗୋଲାପ ଫୁଲଟିଏ; ଦୁଷ୍ଟାମିରେ ଦାନ୍ତ ଚିପି ହସୁଛି । ବିଜୟ ମଧ୍ୟ ମନେମନେ ହସିଲା । କହିଲା ଚଣ୍ଡୀଟିଏ । କଟକ ଟାଉନ୍ ବୁଲିଆସି ବାଦାମବାଡ଼ି ବସ୍ଷ୍ଟାଣ୍ଡରେ ବସ୍ଟି ଛିଡ଼ା କରିଦେଇ ଓହ୍ଲାଇ ପଡ଼ିଲା ବିଜୟ । ଏଠି ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ବସ୍ ରହିବ । ଚା, ଇତ୍ୟାଦି ଖାଇବାର ଥିଲେ ଯିଏ ଯିମିତି ତଳକୁ ଓହ୍ଲାଇ ଯାଆନ୍ତି । ବିଜୟ ମଧ୍ୟ ‘ଚା’ ଦୋକାନ ଉଦ୍ଦେଶ୍ୟରେ ଆଗକୁ ଯାଉଥିଲା । ପଛପଟରୁ ମନବାଣୀ କହି ଉଠିଲା-‘ଆସ୍ତେ, ଟିକେ ଆସ୍ତେ ଚାଲ ବିଜୟ’ । ବିଜୟର ଗତି ମନ୍ଥର ହେଲା, କିନ୍ତୁ କିଛି କହିଲା ନାହିଁ । ଦୁଇଜଣ ଯାକ, ଆଗପଛ ହୋଇ ଗୋଟିଏ ‘ଚା’ ଷ୍ଟଲ୍ ଭିତରେ ମୁହାଁମୁହିଁ ହୋଇ ବସି ପଡ଼ିଲେ ଅନେକ ସମୟ ଧରି । ଚାରୋଟି ଆଖି ଏକାଠି ବାନ୍ଧି ହୋଇରହିଗଲା ସିନା, ମନର ଭାବକୁ ବ୍ୟକ୍ତ କରିବାର ଭାଷା ହଜି ଯାଇଥିଲା । ବୟ ଆସି ଛିଡ଼ା ହେବାରୁ ଦୁଇଟି ‘ଚା’ର ଅର୍ଡ଼ର ଦେଇ ବିଦା କରିଦେଲା ବିଜୟ । ମନବୀଣାକୁ ଲକ୍ଷ୍ୟ କରି କହିଲା ଫେରିଆସିଲ ଯେ ? ଏ ସବୁର ଅର୍ଥ କଣ ?
-ମନବୀଣାର ଓଠରେ ଦୁଷ୍ଟାମି ଲାଗି ରହିଥିଲା । କହିଲା କେଉଁସବୁ ? ବିଜୟ ସ୍ୱରରେ ବିରକ୍ତି ଜଣା ପଡ଼ୁଥିଲା । କହିଲା ଏହି ବିନା ଷ୍ଟପେଜ୍ରେ ରାସ୍ତା ମଝିରେ ବସ୍ ଛିଡ଼ା କରାଇବା, ପୁଣି ସହରଯାକ ବୁଲିଆସିଲ କେଉଁଠି ହେଲେ ଓହ୍ଲାଇଲ ନାହିଁ ।
-ଓହ୍ଲାଇଲି ନାହିଁ....ତ କଅଣ ହେଲା ? ମନବୀଣା ଧୀରେ ଧୀରେ ଚା’ରେ ଚୁମକ ଦେଉଥିଲା ।
-ମାନେ ?
-ମାନେ ଆଉ କଅଣ ? ସହରଟା ଟିକେ ବୁଲି ଆସିଲି । ମୋର ଯେଉଁଠି ଇଚ୍ଛା ହେବ ଓହ୍ଲାଇବି ।
-ଖିଆଲ୍ କରନା ।
ମନବୀଣା କପାଳରେ ହାତ ଦେଇ, ବିଚିତ୍ର କୃତ୍ରିମ ଭଙ୍ଗିକରି କହିଲା-ହାୟ.....! ଖିଆଲ ଦେଖିଲ କେଉଁଠି ?
-ମୁଁ କିଛି ବୁଝିପାରୁନି-ରୁମାଲରେ ମୁହଁ ପୋଛି କହିଲା ବିଜୟ ।
-ତୁମେ କେଉଁଦିନ ବୁଝିଥିଲ ଯେ ଆଜି ବୁଝିପାରନ୍ତ ।
-ମନବୀଣା ! ତୁମେ କଅଣ କହୁଛ ? ମାନେ ସତରେ ବିଜୟ ବଡ଼ ଅସହାୟ ବୋଧ କରୁଥିଲା ନିଜକୁ । କଅଣ ବୋଲି ଯେ ବୁଝାଇବ ନିଜର ମନର ବକ୍ତବ୍ୟଟା, ନିଜେ ମଧ୍ୟ ବୁଝାଇ କହିପାରୁନଥିଲା ।
ଗ୍ଳାସ୍ ଖାଲି କରିଦେଇ ଉଠି ପଡ଼ିଲା ମନବୀଣା । କିଛି ସମୟ ବିଜୟଆଡ଼କୁ ଏକ ଦୃଷ୍ଟିରେ ଅନାଇ ରହିଲା ପରେ କହିଲା, ଏତେଦିନ ଧରିଆସିନଥିଲ କାହିଁକି ? ହସ୍ପିଟାଲ୍ରୁ ଫେରି ମଣିଷଟା ମଲା କି ବଞ୍ଚିଲା....
ଚମକି ଉଠିଲା ବିଜୟ । ଏ କେଉଁ ସ୍ୱର, ମନବୀଣାର କଣ୍ଠରେ । ସେ ନିର୍ବୋଧ ପରି କହି ପକାଇଲା ‘‘ମୁଁ ? ମାନେ ମୋର କଅଣ ଯିବାର କଥା ଥିଲା ? ମୁଁ ବୁଝି ପାରୁନି ବୋଧେ । ତୁମର ଦେହ ପୁଣି କଅଣ ଖରାପ ହେଲା ?’’
ଅଭିମାନରେ ନାକପୁଡ଼ା ଦୁଇଟା ଫୁଲି ଉଠିଲା, ଆଖିରେ ଲୁହ ଜକେଇ ଆସିଲା । ଚେୟାର ଛାଡ଼ି ଉଠି ପଡ଼ିଲା ମନବୀଣା । ବିଜୟ ବଡ଼ ବ୍ୟସ୍ତଭାବରେ ମନବୀଣାର ପଛରେ ଆସୁ ଆସୁ କହୁଥିଲା, ଶୁଣ....ସିଏ କିନ୍ତୁ ଶୁଣିଲା ନାହିଁ । ବସ୍ଭିତରକୁ ପଶି ଯାଇ ଗୋଟିଏ କୋଣ ସିଟ୍ ଉପରେ ବସି ପଡ଼ିଲା । ବିଜୟ କିଛି କହିବାର ସୁଯୋଗ ପାଇନଥିଲା । ଗାଡ଼ି ଷ୍ଟାର୍ଟ କରି ଭାବୁଥିଲା-ହସ୍ପିଟାଲ୍ରୁ ଫେରି ମନବୀଣା ପୁଣି ଅସୁସ୍ଥ ହୋଇପଡ଼ିଥିବ । ଏକ୍ସିଡେଣ୍ଟ କରିଥିବା ହେତୁ ପୁଣି ଥରେ ଯାଇ ବିଜୟର ବୁଝି ଆସିବା ଉଚିତ ଥିଲା । ଏକୁଟିଆ ରହୁଛି । ନିଶ୍ଚୟ କିଛି ଅସୁବିଧା ହୋଇଥିବ । ବିଜୟ ବଡ଼ ଦାୟିତ୍ୱହୀନ ବୋଲି ନିଜକୁ ମନେ କରୁଥିଲା । ଗାଡ଼ି ଛିଡ଼ା କରି କ୍ଷମା ମାଗିବାର ଉପାୟ ନାହିଁ । ବୁଲି କରି ଥରେ ଦୁଇ ଥର ଦେଖିବାକୁ ଚେଷ୍ଟା କରିଛି, କିନ୍ତୁ ଭିଡ଼ ଭିତରେ ତାହା ମଧ୍ୟ ସମ୍ଭବ ହୋଇନି । କେଉଁ ଭିତରେ ନିଜକୁ ଲୁଚାଇ ରଖିଛି ମନବୀଣା, କେଜାଣି ହୁଏତ କେତେବେଳେ ଓହ୍ଲାଇ ଯାଇଥିବ । ବିଜୟ ମନେ ମନେ ସ୍ଥିର କରିଥିଲା ଡିଉଟି ସରିଲେ ଘରକୁ ଯିବା ଆଗରୁ, ମନବୀଣା ପାଖକୁ ଯାଇ ତା’ର ଭୁଲ୍ପାଇଁ କ୍ଷମା ମାଗିଦେବ ।
ନିର୍ଦ୍ଧାରିତ ଷ୍ଟପେଜ୍ରେ ପହଞ୍ଚି, ଯାତ୍ରୀମାନଙ୍କୁ ବସ୍ ଭିତରୁ ଓହ୍ଲାଇ ଦେଇ, ଖାଲି ବସ୍ଟାକୁ ସିଧା ଗ୍ୟାରେଜ୍ ଭିତରକୁ ପୁରାଇ ଦେଇ ଷ୍ଟାର୍ଟ ବନ୍ଦ କରିଦେଲା ବିଜୟ । ଖାତାପତ୍ର ଜିମା ଦେବାକୁ ଯାଉ ଯାଉ କଣ୍ଡକ୍ଟର୍କୁ ଡାକିଲା । ବସ୍ର ଦରଜାଟି ଖୋଲି ଛିଡ଼ା ହୋଇଛି ଲାଲ୍ ସିଂ । ବିଜୟ ଆଶ୍ଚର୍ଯ୍ୟ ହୋଇ କହିଲା, କ୍ୟୋଁ ରେ ଘର ନେହିଁ ଜାଏଗା ?
ଲାଲ୍ ସିଂ ମୁଣ୍ଡ ବାଳକୁ କୁଣ୍ଡାଉ କୁଣ୍ଡାଉ କହିଲା ଜୀ....।
ଜୀ, କହି ଛିଡ଼ା ହୋଇଥିବାର ଦେଖି ରାଗି ଉଠିଲା ବିଜୟ । ଜୀ, କ୍ୟା ହୈ, ଫିର୍ କୁଛ୍ ବେତ୍ତମିଜ୍ କିଆ ହେ ? ଅନ୍ୟ ଦିନ ପରି ଆଜି ମଧ୍ୟ କୁକୁଡ଼ା ଇତ୍ୟାଦି କିଛି ବାଗେଇଛି ବୋଲି ସନ୍ଦେହ କରୁଥିଲା ବିଜୟ। ପୁଣି ଧମକ ଦେଲା । ଆତା ନେହିଁ କ୍ୟୁଁ ?
ଲାଲ ସିଂ ମୁଣ୍ଡ କୁଣ୍ଡାଇବାରେ ବ୍ୟସ୍ତ ଥିଲା ।
ମନବୀଣା ହାତରେ ଭ୍ୟାନିଟି ବ୍ୟାଗ୍ଟା ଉଠାଇ ନେଇ ତଳକୁ ଓହ୍ଲାଇ ଆସିଲା । ବିଜୟ ମନବୀଣାକୁ ଦେଖି ସ୍ତବ୍ଧ ହୋଇ ଚାହିଁ ରହିଲା ।
ମନବୀଣା ପାଖକୁ ଆସି ବିନା ଭୂମିକାରେ, ବିଜୟର ହାତଟା ଧରି ଟାଣି ନେଇ ଆସିଲା ଗ୍ୟାରେଜ୍ ବାହାରକୁ । ରାସ୍ତା ଉପରେ ଚଳମାନ ରିକ୍ସା ଗୋଟାକୁ ଅଟକାଇ ନିଜେ ଉଠିପଡ଼ି କହିଲା....ଉଠିଆସ ।
ବାଧ୍ୟ ଶିଶୁଟି ପରି ଉଠି ବସିଲା ମନବୀଣା ପାଖରେ ବିଜୟ । ରିକ୍ସାଟି ଆଗକୁ ଚାଲିବାକୁ ଲାଗିଲା। ରିକ୍ସାର ହୁଡ଼୍ଟା ଉଠି ରହିଥିଲା । ଆକାଶର ଚନ୍ଦ୍ର, ତାରା କିଛି ଦିଶୁ ନଥିଲା । ଭିତରେ ଚତୁର୍ଦ୍ଦିଗ ସନ୍ଧ୍ୟାରେ କୁହୁଡ଼ିରେ ଭରି ଯାଇଥିଲା ଏବଂ ମନବୀଣାକୁ ଚାହିଁଲେ, ମନେ ହେଉଥିଲା ଏହି ଅଧା ଛାଇ ଓ ଅଧା ଆଲୋକ ମଧ୍ୟରେ ଗୋଟିଏ ଦେବନର୍ତ୍ତକୀପରି । ଆଉ ସେ ନିଜକୁ ମୋହିନୀ ମାୟାରେ ବନ୍ଦୀ ହୋଇ ଆସିଥିବା ଋଷ୍ୟଶୃଙ୍ଗଙ୍କ ପରି ମନେ କରୁଥିଲା ।
ଶୀତ ସନ୍ଧ୍ୟାର କୁହୁଡ଼ି ଭିତରେ ରିକ୍ସାଟି ରାସ୍ତାକୁ ସନ୍ତରଣ କରି ଯାଉଥିଲା । ମନବୀଣାର ପାଖକୁ ଲାଗି ବସି ବିଜୟ ହଜି ଯାଉଥିଲା-ଅତୀତର ସୁଖ ସ୍ମୃତିରେ ।
କଲେଜରେ ସେଦିନ ସରସ୍ୱତୀ ପୂଜା ଥିଲା ବୋଧହୁଏ । କଲେଜକୁ ଆସିଥିଲା ବିଜୟ । ପୂଜା ପରେ ଘରକୁ ଫେରୁଥିଲା-ଘରୁ ସ୍କୁଟର୍ଟା ଲୁଚାଇ ଆଣିଥିଲା-କାରଣ ସେଯାଏ ସ୍କୁଟର୍ ଚଳେଇବାର ରେଷ୍ଟ୍ରିକ୍ସନ୍ ଖାତାରୁ ନାମଟା କଟିନଥିଲା ତା’ର ।
ଗାଡ଼ିଟା ରାସ୍ତା ଉପରକୁ ବୁଲେଇବାକୁ ଯାଉଛି ହଠାତ୍ କୁଆଡ଼ୁ ମନବୀଣା ଦୌଡ଼ି ଆସି ପଛପଟ ସିଟ୍ ଉପରକୁ ଡେଇଁ ପଡ଼ିଲା ।
ଅପରିପକ୍ୱ ଚାଳକ ଓ ଆକସ୍ମିକତାର ଚାପରେ ଓଲଟି ପଡ଼ୁଥିଲା ବିଜୟ, ଡାହାଣ ପାଦଟା ମାଟିରେ ରଖି ଅଳ୍ପକେ ରକ୍ଷା ପାଇଗଲା ।
ଧାଇଁ ଆସିଥିବା ପରିଶ୍ରମ ହେତୁ ଧଇଁସଇଁ ହୋଇଯାଉଥିଲା ମନବୀଣା-ବିଜୟର କାନ ପାଖକୁ ମୁହଁ ଆଣି କହିଲା ଶୀଘ୍ର ଶୀଘ୍ର-ନୋହିଲେ....ପଛକୁ ଆଙ୍ଗୁଳି ବଢ଼ାଇ ଦେଖାଇ ଦେଲା ।
ପଛକୁ ଦେଖିବାର ଅବସର ନ ଥିଲା । ବିଜୟର ପିଠିରେ ଠେଲା ମାରିବାକୁ ଲାଗିଥିଲା ମନବୀଣା। ସହପାଠୀଗୁଡ଼ାକ ହୁରରେ ହୁର୍ରେ....କହି ଧାଇଁ ଆସୁଛନ୍ତି-ଅଗତ୍ୟା ରାସ୍ତା ଉପରକୁ ସ୍କୁଟର ଛାଡ଼ିଦେଲା । ଆଜି ବି ନାକତଳଟା ଝାଳେଇ ଗଲା ବିଜୟର । ଓଃ କି ନାସ୍ତାନାବୁଦ ନ ହୋଇଛି ସେଦିନ ?
ନୂତନ ସ୍କୁଟର ଚାଳକ ସାଙ୍ଗକୁ-ଅଣ୍ଟା ଚାରିପଟ ଗୁଡ଼ାଇ ଧରିଛି ବେପରୁଆ ମନବୀଣା । ଏଇ ସେହି ଝିଅ ଯିଏ କାହାରି ଥଟ୍ଟା ପରିହାସକୁ ଅପେକ୍ଷା ନ ରଖି ରାସ୍ତା ମଝିରେ ବସ୍ଛିଡ଼ା କରିଦିଏ । ଯିଏ ଦର୍ପରସହିତ ବିଜୟ ଭଳି ଯୁବକର ହାତ ଧରି ଟାଣି ଆଣିପାରେ ଗ୍ୟାରେଜ୍ ଭିତରୁ ରାସ୍ତା ଉପରକୁ ।
ସେହି ଯେ ଆରମ୍ଭ, ସେହିଦିନଠାରୁ ଡିଉଟି ପରେ ବାଦାମୀ ରଙ୍ଗର କାର୍ ଖଣ୍ଡିକ ଛିଡ଼ା ହୁଏ ମନବୀଣାର ଫ୍ଳାଟ୍ ତଳରେ । ଆଜି ମଧ୍ୟ ଠିକ୍ ସମୟରେ କାର୍ଟି ଛିଡ଼ାକରି ଉପରକୁ ଉଠି ଆସିଲା ବିଜୟ । ନିଜ ହାତରେ ଦ୍ୱାର ଖୋଲିଲା ମନବୀଣା । ସାମ୍ନା ବାଲ୍କୋନୀରେ ଦୁଇଟି ବେତ ଚେୟାର ରଖି ଟିକିଏ ହସିଲା, କହିଲା, ବସ ! ମନବୀଣା ଅନ୍ୟସହିତ କଥା କହିଲାବେଳେ ଗ୍ରୀବା ବଙ୍କାଇ କଥା କହେ । ସେହି ସାରସ ଭଙ୍ଗିମାକୁ ଲକ୍ଷ୍ୟ କଲା ବିଜୟ । ଲାଜେଇ ହୋଇ ଭିତରକୁ ଚାଲିଗଲା ମନବୀଣା ।
ଉନ୍ମୁକ୍ତ ଆକାଶ ତଳେ ବସି ତାରକାଗୁଡ଼ିକୁ ଗଣିବାକୁ ଚେଷ୍ଟା କରୁଥିଲା ବିଜୟ । ଜୀବନରେ ଶାନ୍ତି କ’ଣ ପ୍ରେମରେ ? ସାର୍ଥକତା ଜଣକୁ ଭଲ ପାଇବାରେ ? ଏହି ଯେ ବସି ରହିଛି, ଜଣକପାଇଁ ବସିରହିବା କେତେ ସୁଖପ୍ରଦ, କେତେ ପ୍ରଶାନ୍ତି-ଏହି ଅପେକ୍ଷାରେ ! ଦିନ ବିତିଯାଉ । ମନବୀଣା ତୁମପାଇଁ ବିଜୟ ଅନନ୍ତକାଳ ବିତାଇ ଦେବ । ଅପେକ୍ଷା କରି ରହିବାରେ କ୍ଳାନ୍ତି ଆସିବ ନାହିଁ । ପରଜନ୍ମକୁ ଅପେକ୍ଷା କରିବ । ଯାହା ଏ ଜନ୍ମରେ ଆଉ ସମ୍ଭବ ହେଲା ନାହିଁ, ତାକୁ ପାଇବାପାଇଁ । ତୁମେ ‘‘ରାଜରାଣୀ’’, ବିଜୟର ପଥ କଣ୍ଟକମୟ । ଥକି ପଡ଼ିବ ଅଧ ବାଟରେ । ତୁମର ଏହି ପିଲାଖେଳକୁ ରାତ୍ରିର ସ୍ୱପ୍ନପରି ଭୁଲିଯାଅ ମନବୀଣା । ନାକ ପାଖରେ ପରିଚିତ ସୁରଭୀ ସଙ୍କେତ ପାଇ ଆଖି ଖୋଲିଲା ବିଜୟ । ଚା’ର ଟ୍ରେ ହାତରେ ଧରି ଛିଡ଼ା ହୋଇଛି ମନବୀଣା । ଏହି ସୁଲଳିତ ସୁରଭି ମନବୀଣାର ଏକଚାଟିଆ । ବିଜୟ କେତେଥର ଭାବିଛି ପଚାରିବ, ‘ତୁମେ’ କ’ଣ ଲଗାଅ; ଯାହାର ସୁରଭି ଆଘ୍ରାଣ କଲା ମାତ୍ରେ ବିଜୟର ଶ୍ୱାସରୁଦ୍ଧ ହୋଇଯାଏ । ସେ ସ୍ଥିର ହୋଇ ରହିପାରେ ନାହିଁ । ଟ୍ରେ ଟି ହାତରେ ଧରି ଛିଡ଼ା ହୋଇଛି ମନବୀଣା । ଧୂମାୟିତ ବାଷ୍ପରେ ଚା’ର ମାଧୁର୍ଯ୍ୟ ତୃଷାକୁ ବଢ଼ାଇ ଦେଉଛି । ଟ୍ରେ ଟି ଟେବୁଲ ଉପରେ ରଖି ଅନ୍ୟ ଚେୟାର ଉପରେ ମନବୀଣା ବସିପଡ଼ିଲା । ଚନ୍ଦ୍ରାଲୋକରେ ତା’ର ହାତର କଙ୍କଣ ଦୁଇଟା ଝଲମଲ କରୁଥିଲା । ଏହା ଭିତରେ ସେ ଆଗରୁ ପରିଧାନ କରିଥିବା ଶାଢ଼ିଟା ବଦଳାଇ ଆସିଛି । ବୋଧହୁଏ ଗାଧୋଇଛି ପୁଣି । ହାଲକା ରଙ୍ଗର ସାଧାରଣ ଛିଟ ଶାଢ଼ି ଖଣ୍ଡେ ପିନ୍ଧିଛି । ମୁହଁରେ ପାଉଡ଼ର୍ ମାରିବାକୁ ଭୁଲିନି ସେ । କପାଳରେ ସକାଳର ଲାଲି ଟୋପାଟି ନାହିଁ । ତା’ ବଦଳରେ ନୀଳ ଟିକିଲିଟିଏ ଚିକ୍ମିକ୍ କରୁଛି । ବିଜୟ ନିକଟରେ ମନବୀଣା ସନ୍ଧ୍ୟା ଆକାଶର ତାରାଟିଏ ପରି ମନେ ହେଉଛି ।
ଜଳଖିଆ ଥାଳିଟି ବଢ଼ାଇ ଦେଲା ମନବୀଣା । ବିଜୟ ଚମକିଲା ପରି କହିଲା, ‘‘ଏତେଗୁଡ଼ାଏ ଜଳଖିଆ କିଏ ଖାଇବ ?’’
-ଆଗ ଖାଇଲ ! ପରେ ଓଜନ କଲେ ଚଳିବ । ନିଅ ଥଣ୍ଡା ହୋଇଯାଉଛି ।
ବିଜୟ ହାତରେ ଧରାଇ ଦେଲା ଥାଳିଆଟା । ଦୁଇଟା କଚୋଡ଼ି, ରସଗୋଲା, ବାଇଗଣି, କାବୁଲି କଦଳୀରୁ ଯୋଡ଼ାଏ । ବଡ଼ ବଡ଼ ଆଖିକରି ଗଣୁଥିଲା ବିଜୟ ।
-ଏତେ ସବୁ ବ୍ୟବସ୍ଥା କଲ କେତେବେଳେ ?
-ନିଜର ଥାଳିଆଟା ହାତକୁ ଉଠାଇ ନେଇ ଆଖି ନଚାଇ ମନବୀଣା କହିଲା-କଣ ଆଉ କଲି ? ଖାଲି ବାଇଗଣି, କଚୋଡ଼ି ଦି’ଟା ଛାଣିଲି ଯାହା ।
-ବିଜୟ କଚୋଡ଼ିରୁ ଖଣ୍ଡେ କାମୁଡ଼ି ଦେଲା । ଚୋବାଉ ଚୋବାଉ କହିଲା, ଏତେ ଶୀଘ୍ର କଲ କେମିତି?
ମନବୀଣା ଶସ୍ ଟିକିଏ ଢାଳି ଦେଲା ବିଜୟର ଥାଳିଆରେ । କଣ ? କଚୋଡ଼ି ?
-ଝିଅମାନେ ରନ୍ଧାକୌଶଳ ଜାଣିବାରେ ଏକ୍ସପାର୍ଟ । ନାହି ଶୁଖିବା ଆଗରୁ ସବୁ ଜାଣିଯାଇଥାନ୍ତି । ତେଣୁ ଅସୁବିଧା ହୁଏ ନାହିଁ । ମୋର ତ ଯେତେବେଳେ, ସେତେବେଳେ କ୍ଳାସ୍କୁ ଯିବାକୁ ହୁଏ । ତେଣୁ ଫ୍ରିଜ୍ରେ ସବୁ ଗୋଳିଗାଳି ରଖି ଦେଇଥାଏ । କେତେବେଳେ ଆବଶ୍ୟକ ହେଲେ କାମରେ ଲାଗେ । ଅସୁବିଧା ହୁଏ ନାହିଁ । ଆଉ ଗୋଟିଏ କଚୋଡ଼ି ଉଠାଇ ନେଇ ବିଜୟର ଥାଳିଆରେ ଦେଉଥିଲା ମନବୀଣା ।
ଥାଳିଆଟିକୁ ଘୁଞ୍ଚାଇ ନେଇ ଅନ୍ୟ ହାତରେ ମନବୀଣାର ହାତଟିକୁ ମୁଠାଇ ଧରି ବିଜୟ କହିଲା ‘ଉଁ ହୁଁ ମୋଟେ ନୁହେଁ-ଆଉ ଖାଇ ପାରିବିନି’ । ତୁଣ୍ଡ ଭିତରେ ଖାଦ୍ୟଗୁଡ଼ାକ ଭରି ହୋଇ ରହିଥିଲା ।
ଜଳଖିଆ ପରେ ପୁଣି ଚା’ ଢାଳିଲା ମନବୀଣା ।
ବିଜୟ ଚିନି ମିଶାଇବାକୁ ଯାଇ କହିଲା-ତୁମର କେତେ ଚାମଚ ?
ନା ବିଜୟ, ମୁଁ ଆଉ ପିଇବିନି । ଅଧିକ ଚା’ ପିଇଲେ ରାତିରେ ନିଦ ହୁଏ ନି । କହୁ କହୁ ଲାଜେଇ ଗଲା ମନବୀଣା । ସେହି ଲଜ୍ଜାରୁଣିମା ଟିକକ ଉପଭୋଗ କରୁ କରୁ ଚା’ରେ ଚୁମୁକ ଦେଇଥିଲା ବିଜୟ । ସମୟରେ କଣ୍ଟା ଟିକ୍ ଟିକ୍ ହୋଇ ବାଜି ଚାଲିଥିଲା । ପ୍ରହର ପରେ ପ୍ରହର ବିତିବାକୁ ଲାଗିଲା । ନିର୍ବାକ୍ ଜୀବନ ଦୁଇଟି ବସି ରହିଥିଲେ ପରସ୍ପରକୁ ମୁଖାମୁଖି ହୋଇ ।
ଦୁଇ ନଦୀର ସ୍ରୋତ ବହିଯାଉଥିଲା ଦୁଇ ଧାର ହୋଇ । ଜଣେ କଣ୍ଟା ଝାଟି ବନ ପାହାଡ଼ ନ ମାନି ସମୁଦ୍ରସହିତ ମିଶିବାକୁ ଅସ୍ଥିର । କଳକଳ ଝରଣା ପରି ଚଞ୍ଚଳ ତା’ର ଗତି । ଅନ୍ୟଟି ସ୍ଥିର ଗମ୍ଭୀର । ହ୍ରଦ ସଦୃଶ୍ୟ । ଯେଉଁଥିରେ କି ଉଦ୍ଦାମତା ନାହିଁ । ସ୍ଥିର ଚିତ୍ତ, ଆତ୍ମଚେତନାରେ ସଦା ଜାଗ୍ରତ ।
ଶିହରି ଉଠିଲା ବିଜୟ, ଆକାଙ୍କ୍ଷିତ ବସ୍ତୁଟି ଅତି ନିକଟରେ । ବରମ କୋପତିରି ଉଷ୍ମ ପରଷ ପାଇ ସଚେତନ ହେଲା ସେ । ହୃଦୟରେ ମିଶାଇ ଦେବାରେ ଦୁର୍ବାର କାମନା, କିନ୍ତୁ ......। ହାତଟି ଘୁଞ୍ଚାଇ ଆଣିଲା।
-ବିଜୟ ! ଅସ୍ଫୁଟିତ ଆବେଦନର କାତରତା, ମନବୀଣାର କଣ୍ଠରେ । ଦୀର୍ଘଶ୍ୱାସ ପକାଇ, ଉଠି ଛିଡ଼ା ହେଲା ବିଜୟ, ହାତଘଡ଼ିକୁ ଅନାଇଲା । ଚାଲ ସମୟ ଗଡ଼ିଯାଉଛି । ଆଜି କ’ଣ ପ୍ରୋଗ୍ରାମ ଥିଲା ପରା ତୁମର? -ପରିସ୍ଥିତିକୁ ହାଲକା କରିବାପାଇଁ କହିଲା ଏବଂ ବାଲକୋନୀରୁ ଚାଲିଆସିଲା ।
ଗାଡ଼ିରେ ବସିବା ପରେ ମଧ୍ୟ କିଛି କଥା କହିଲାନି ମନବୀଣା । ଚାଳକର ସିଟ୍ରେ ବସି ଗାଡ଼ିର ଚାବି ଖୋଲି ଦେଲା । ଏବେ ମନବୀଣାର ଗାଡ଼ି ଚଳାଇବାଟା ଗୋଟିଏ ନିଶାପରି ହୋଇଛି । ବିଜୟ ସାହାଯ୍ୟରେ ବେଶ୍ ଗାଡ଼ି ଚଳାଇବା ଆୟତ୍ତ କରିନେଇଥିଲା ମନବୀଣା ।
ଚିକ୍କଣ ରାସ୍ତା ଉପରେ ଗାଡ଼ିଟି ଯାଉଥିଲା । ଗାଡ଼ି ଚାଳକର ବାମ ପଟରେ ବସି, ଥରେ ଦୁଇଥର ଚାଳକକୁ ଅନାଇଛି, କଥା କହିବାକୁ ଚେଷ୍ଟା କରିଛି ବିଜୟ, କିନ୍ତୁ ଅଭିମାନିନୀ ନୀରବ ରହିଥିଲା ଏବଂ ସେହି ନୀରବତା ଭିତରେ ଯେ ଅଭିମାନରେ ଫାଟି ପଡ଼ୁଛି, ମନବୀଣାର ଥରିଲା ଓଠ ଦେଖି ଅନୁମାନ କରିପାରୁଥିଲା ବିଜୟ ।
ଲେଭଲ୍ କ୍ରସିଂ ପାଖରେ ଗାଡ଼ି ଅଟକିଲା, ପୁଣି ଚାଲିଲା ଆଗକୁ । ବେପରୁଆ ଗାଡ଼ି ଚଲାଉଥିଲା ମନବୀଣା । ଷ୍ଟିଅରିଂ ଉପରେ ଡାହାଣ ହାତଟି ରଖି ବ୍ରେକ୍ରେ ପାଦ ଦେଲା ବିଜୟ । କହିଲା ଗାଡ଼ି ଚଳାଇବାବେଳେ ଚାଳକ ଅନ୍ୟମନସ୍କ ହେବା ଉଚିତ ନୁହେଁ ।
-ସେହି ସାରସଗ୍ରୀବା ଟିକେ ବାଙ୍କି ଉଠିଲା । ହେଲେ?
-ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ।
-ଘଟୁ । କ୍ଷତି କ’ଣ ? କହିବାର ଢଙ୍ଗ ମଧ୍ୟ ବେପରୁଆ ।
-ଟିକିଏ ହସିଲା, ବିଜୟ । କ୍ଷତି ?
-କ୍ଷତି ତ, ଆରୋହୀଟିର । ତା’ଛଡ଼ା ଯାତ୍ରୀର ଅଭିମାନର ଉଦ୍ଦେଶ୍ୟ ବଦଳି ଯିବ ମଧ୍ୟ ।
କଣେଇ ଚାହିଁଲା ମନବୀଣା । -ବଦଳୁ, ବଦଳୁ । କିଛି ଗୋଟାଏ ଘଟିଲେ ଭଲ ।
ବିଜୟ ଗାଡ଼ିକୁ ସ୍ଳୋ କରି କହିଲା, ରାସ୍ତା ମଝିରେ ଲୋକ ରୁଣ୍ଡ ହୋଇଯିବେ ଯେ !
-ହୁଅନ୍ତୁ । ଏଟା କିଛି ନୂଆ କଥା ନୁହେଁ ତ ?
ନିଜଆଡ଼କୁ ଦେଖାଇ ବିଜୟ କହିଲା, ଏହି ଲୋକଟିପାଇଁ ଟିକିଏ ଚିନ୍ତା କର । -ମୋର ଭାସିଯାଉଛି-କହୁ କହୁ ପୁଣି ଗାଡ଼ିର ଗତି ବଢ଼ାଇ ଦେବାରେ ଲାଗିଲା ମନବୀଣା । ତା’ର କାର୍ଯ୍ୟକଳାପରେ ଦୁଷ୍ଟାମି ଭରି ରହିଥିଲା । ଗାଡ଼ିର ଯେତେ ଅଧିକ ସ୍ପିଡ଼୍ ଅଛି ସେହି ସ୍ପିଡ଼୍ରେ ଆଜି ଗାଡ଼ି ଚଳାଇବି-କହି ସତକୁ ସତ ଗତି ବଢ଼ାଇବାକୁ ଲାଗିଲା ସେ ।
ବଡ଼ ଖିଆଲି ଝିଅଟା । ଯାହା ମୁଣ୍ଡରେ ପଶିଲା ତ ସେୟା କରିବ । ବିଜୟ ଷ୍ଟିଅରିଂ ଧରି ଗାଡ଼ିକୁ ସ୍ଳୋ କରି କହିଲା-ଦେବୀ ! ଶାନ୍ତ ହୁଏ । କ୍ରୋଧ ସମ୍ବରଣ କର, ନ ହେଲେ ........ ?
-ନ ହେଲେ ? ଷ୍ଟିଅରିଂ ଛାଡ଼ି ସିଟ୍ ଉପରେ ଆଉଜି ବସିଲା ମନବୀଣା । ଗାଡ଼ିଟି ନିର୍ଜନ ରାସ୍ତାଧାରରେ ଛିଡ଼ା ହୋଇଗଲା । ବିଜୟ ମନବୀଣାର କାନ ପାଖକୁ ମୁହଁ ଆଣି କହିଲା, ନ ହେଲେ କ୍ରୋଧପୁରୁଷ ହିଁ, ଦେବୀଙ୍କର ହୃଦୟରେ ସ୍ଥାନ ପାଇବ । ବିଚରା ବିଜୟର ନିଶ୍ଚିତଭାବରେ ବହିଷ୍କାରର ନୋଟିସ୍ ଆସିଯିବ- ।
-ଦୁଷ୍ଟ । ବେଶ୍ କଥାର ଚାତୁରୀ ଜାଣିଛ, ନା ? କହି ବିଜୟକୁ ଚିମୁଟି ଦେଲା ମନବୀଣା ।
ବିଜୟ ଆଃ କହି ପାଟି କରିଉଠିଲା । ବିଜୟର ସାର୍ଟ କଲରଟି ଧରି ଗାଡ଼ିରୁ ଓହ୍ଲାଇ ପଡ଼ିଲା ମନବୀଣା।
ଖଣ୍ଡଗିରିର ନିର୍ଜନ ବନାନୀରେ ବୁଲୁ ବୁଲୁ ମନବୀଣା କହିଲା ଗୀତଟିଏ ଗାଅ । ବିଜୟ ଦୂରତ୍ୱ ବଜାୟ ରଖି ମନବୀଣା ପାଖରେ ଛିଡ଼ା ହୋଇପଡ଼ିଲା-ଗୀତ ? ବାଷ୍ପୀୟ ଶକଟ ଚାଳକ ଓ ସଙ୍ଗୀତ ? ହାଃ ହାଃ ହୋଇ ହସିଉଠିଲା ବିଜୟ ।
-ଏ ! କେଡ଼େ ପାଟିଟାଏ କରି ହସୁଛ । ଲୋକେ ଶୁଣିଲେ କ’ଣ ଭାବିବେ ?
-ଚାରିପଟକୁ ଅନାଇ, ବିଜୟ କହିଲା, ଲୋକେ ?
-ଚୁପ୍ କର ବିଜୟ । ବିଜୟର ଓଠରେ ହାତ ଦେଲା ମନବୀଣା । ଆଙ୍ଗୁଳିଟା କାମୁଡ଼ି ଦେଲା ବିଜୟ ।
-ଆଃ, ବୋଲି କହି ଚମକି ଉଠିଲା ମନବୀଣା ।
ପଛଦିନର ଢଙ୍ଗଗୁଡ଼ିକ ଫେରି ପାଉଥିଲା ବିଜୟ । ମନବୀଣାର ମୁଣ୍ଡରେ ହାତ ମାରି ସେ କହିଲା, କେଡ଼େ ପାଟିଟା କରୁଛ ? ଲୋକେ ଶୁଣିବେ । ଦୁହେଁ ଏକାଠି ହିଃ, ହିଃ, ହୋଇ ହସିଉଠିଲେ । ନିର୍ଜନ ବନାନୀର ସହକାର ଫାଙ୍କରେ ଦ୍ୱିତୀୟାର ଚାନ୍ଦ ମଧ୍ୟ ହସୁଥିଲା ସେମାନଙ୍କ ସଙ୍ଗରେ ତାଳ ମିଳାଇ ।
ପଥର ଚଟାଣ ଉପରେ ବସିଥିଲେ ବିଜୟ ଓ ତଳ ପାହାଚରେ ମନବୀଣା । ବହୁ ପ୍ରତୀକ୍ଷା ପରେ ମେଘ ଓ ମୟୂରର ସଙ୍ଗମ । ଦୁହେଁ ଆତ୍ମହରା । ଭୁଲିଯାଇଛନ୍ତି ସମ୍ବୋଧନ କରିବାର ଭାଷା । ହଜି ଯାଇଛି ସେମାନଙ୍କର କଣ୍ଠସ୍ୱର ।
ଦୁହେଁ, ଦୁହିଁଙ୍କୁ ଚାହାନ୍ତି, କିନ୍ତୁ ... ?
ଜଣେ ନିଜକୁ ସମର୍ପଣ କରିବାକୁ ଅଧୀର, ବ୍ୟାକୁଳତାର ମିନତି । ମୋତେ ଗ୍ରହଣ କର, ଗ୍ରହଣ କର । ଅନ୍ୟଜଣଙ୍କ ମନରେ ଅମୀମାଂସିତ ଦ୍ୱନ୍ଦ୍ୱ ! ଛୁଇଁବି କି ଛୁଇଁବି ନି ? ... । ବସ୍ କି ଟ୍ରକ୍ଟାଏ ହେବ ବୋଧହୁଏ । ରାସ୍ତା ଉପର ଦେଇ ଚାଲିଗଲା । ଦୁହେଁ ସମ୍ବିତ ଫେରିପାଇଲେ । ଉଠି ମୁହାଁମୁହିଁ ହୋଇ ଦୁହେଁ ଛିଡ଼ା ହେଲେ । ଉପର ପାହାଚରେ ବିଜୟ ଓ ତଳେ ମନବୀଣା।
ଅସହାୟ ହାତ ଦୁଇଟା ବଢ଼ାଇଦେଇ ମନବୀଣା କହିଲା, ବିଜୟ....! ବିଜୟ ଏକ ଦୁଇ କରି ପାହାଚଗୁଡ଼ିକ ଗଣି ଆସିବାକୁ ଲାଗିଲା ।
କ’ଣ ଯେ ହୁଏ ବିଜୟର । ମନରଗ୍ଳାନିକୁ ପୋଛି ଦେଇପାରୁନି କାହିଁକି ? ସବୁ କିଛି ପାଇବା ମୁହୂର୍ତ୍ତରେ ସେ ପଛାଇ ଯାଏ । ବୁଝିପାରେନି ଏମିତି କାହିଁକି ହୁଏ ?
ଚାଳକର ସିଟ୍ରେ ନ ବସି, ଅନ୍ୟ ପାଖରେ ବସିପଡ଼ିଲା ମନବୀଣା । ଫେରିବା ବାଟରେ ଗାଡ଼ିଟି ବିଜୟ ହିଁ ଚଳାଇ ଆଣିଲା । ମନବୀଣା କ୍ଳାନ୍ତ ଦେହଟିକୁ ଲେଉଟାଇ ଦେଇଥିଲା ସିଟ୍ ଉପରେ । ଫ୍ଳାଟ୍ତଳେ ଗାଡ଼ି ଛିଡ଼ା ହେବାକ୍ଷଣି ଦରଜା ଖୋଲି ବାହାରି ଆସି ଟିକିଏ ଛିଡ଼ାହେଲା, ବିଜୟଆଡ଼କୁ ଆଖି ତୋଳି ଚାହିଁଲା, ପରେ ନିଜର କ୍ଳାନ୍ତ ପାଦ ଦୁଇଟିକୁ ଟାଣିନେଇ ଗଲା ନିଜର ଘର ଆଡ଼କୁ ।
ବିଜୟ କିଛି କହିବାକୁ ଚାହୁଁଥିଲେ ମଧ୍ୟ କ’ଣ କହିବ କହିବ ହୋଇ ରହିଯାଇଥିଲା । ମନେ ମନେ କହୁଥିଲା, ‘ମନବୀଣା ! ତୁମେ କୁହ, କିଛି କହିଯାଅ....।’ କିନ୍ତୁ ମନବୀଣା ନିରବରେ ଅପସରି ଯାଇଥିଲା ।
ଅଭିମାନିନୀର ଗତିପଥକୁ ଚାହିଁ ବିଜୟର ଚିତ୍କାର କରି ଡାକିବାକୁ ଇଚ୍ଛା ହେଉଥିଲା....ମନବୀଣା...?
ଜୀବନର ଗତିଚିତ୍ର ବୁଲି ଯାଇଛି, ଚାହିଁ ମଧ୍ୟ ଫେରାଇ ଆଣିପାରିବନି ବିଜୟ । ନିର୍ଜନ ସର୍ପିଳ ରାସ୍ତା ଉପର ଦେଇ ଗାଡ଼ିଟି ଗଡ଼ାଇ ନେଉଥିଲାବେଳେ ଭାବୁଥିଲା, -ମନବୀଣା ବର୍ତ୍ତମାନ ଅନେକ ଦୂରରେ, ମୁହଁ ବୁଲାଇ ଚାହିଁଲେ ମଧ୍ୟ ଦିଶିବ ନାହିଁ । କ’ଣ କରୁଥିବ ? ଯେଉଁ ଅଭିମାନିନୀ ସେ ? ବିଜୟ ଚା’ ନ ପିଇ ଆସିଲା ପରେ ହୁଏତ ଡାଇନିଂ ଟେବୁଲ୍ ପାଖରେ ଛିଡ଼ା ହୋଇଥିବ । ଅଭିମାନରେ ନାକପୁଡ଼ା ଦୁଇଟି ଫୁଲି ଉଠୁଥିବ । ସ୍ୱପ୍ନିଳ ଆଖି ଦୁଇଟିରୁ ଲୋତକ ଝରିଯାଉଥିବ । ମନବୀଣାର ପଦ୍ମପାଖୁଡ଼ା ପରି ମୁହଁ ଉପରେ ଶିଶିର ବିନ୍ଦୁ ଢଳ ଢଳ ହେଲାପରି ଲୁହ ଟୋପାଗୁଡ଼ିକ ଝଲମଲ ହେଉଥିବ । ହୁଏତ ଆଜି ନ ଖାଇ ଉପାସରେ ଶୋଇପଡ଼ିବ ସେ ।
ଅଳ୍ପ ଆଗରୁ ଅସରାଏ ବର୍ଷା ହୋଇଯାଇଛି । ପିଚୁଦିଆ ରାସ୍ତାଟା ରାତ୍ରିର ଅନ୍ଧକାରରେ ଆହୁରି ଗାଢ଼ କଳାନାଗ ପରି ଚକ୍ ଚକ୍ ଦିଶୁଛି । ନିଃସଙ୍ଗ ପଦାତିକ ପରି ନିର୍ଜନ ପଥ ଦେଇ ଆଗକୁ ଆଗେଇ ଚାଲିଛି ବିଜୟ । ଲଲାଟରେ ବିନ୍ଦୁ ବିନ୍ଦୁ ଝାଳ ଜମି ଉଠିଲାଣି, ପକେଟରୁ ରୁମାଲଟା କାଢ଼ି ପୋଛି ନେବାର ଆଗ୍ରହ ନାହିଁ । ପାଖଦେଇ ଗୋଟେ ଦୁଇଟି ଖାଲି ରିକ୍ସା ଚାଲି ଯାଉଛି । ସେମାନଙ୍କୁ କଟାଇ ଆଗେଇ ଯାଉଥିଲା କାରଟି ନିଜ ଇଚ୍ଛାରେ । ମନବୀଣାର ଫଟୋଗ୍ରାଫ୍ ଖଣ୍ଡିକ ଝାଳେଇ ଯାଉଛି ହାତରେ ମୁଠା ଭିତରେ ରହି । ସେ ଖଣ୍ଡିକୁ ବହୁ ସମୟ ଲକ୍ଷ୍ୟ କଲା ପରେ ଗାଡ଼ିର ଦରଜା ଖୋଲି ବାହାରି ଆସିଲା ବିଜୟ ।
ବର୍ଷଣ ମୁଖର ଆକାଶକୁ ଚାହିଁଲା-ଚନ୍ଦ୍ର ତାରାର ଦେଖା ନାହିଁ । ଅଭିମାନିନୀ ବଧୂଟି ପରି ଭାରି ହୋଇରହିଛି ଆକାଶର ଛାତିଟା ।
ଆଜି ଟିକେ ଚଞ୍ଚଳ ଯାଇଥିଲା ମନବୀଣା ପାଖକୁ ବିଜୟ । ହୁଏତ କିଛି ଶୁଣାଇଥାଆନ୍ତା; ହିଁ, ବହୁ ଦ୍ୱିଧା ପରେ ନିଜର ପ୍ରସ୍ତୁତିକୁ ପ୍ରକାଶ କରିଥା’ନ୍ତା ଆଜି, କିନ୍ତୁ...?
-ମନବୀଣାର କିଛି ସପିଙ୍ଗ୍ କରିବାର ଥିଲା, ବାହାରେ ଖାଇ ଫେରିଥାନ୍ତେ ସେମାନେ । ବିଜୟ ଫ୍ଳାଟ୍ରେ ପହଞ୍ଚି ଦେଖିଲା ମନବୀଣା ନାହିଁ । ମନବୀଣା କୌଣସି କାମରେ କଲେଜ ଯାଇଛି ବୋଲି ଆୟାଟି କହିଲା । ଫେରି ଆସୁଥିଲା ବିଜୟ । କିନ୍ତୁ ଆୟା କପେ ଚା’ ପିଇ ଯିବାକୁ ଅନୁରୋଧ କରିବାରୁ ଡ୍ରଇଂ ରୁମ୍ ଭିତରେ ବସିପଡ଼ିଲା ସେ । ମନବୀଣାକୁ ଟିକେ ଅପେକ୍ଷା କରିବାର ଇଚ୍ଛା ମଧ୍ୟ ଥିଲା । ଆୟା ପଙ୍ଖା ବୁଲାଇ ଦେଲା । ବିଜୟ ବସି ବସି ଓ ଏପଟ ସେପଟ ହୋଇ ନାନାଦି ପତ୍ରିକା ଓଲଟାଉଥିଲାବେଳେ ଟେବୁଲ ଉପରେ କେତେଗୁଡ଼ିଏ ଖୋଲା ଚିଠି ଆଖିରେ ପଡ଼ିଲା । ଏହା ମନବୀଣାର-ପଢ଼ିସାରି ଚିଠିଗୁଡ଼ିକୁ ସେମିତି ପକାଇ ଉଠିଯାଇଛି । କାହାରି ଚିଠି ପଢ଼ିବା ନିଶ୍ଚିତଭାବରେ ଅନ୍ୟାୟ ଜାଣି ମଧ୍ୟ ହାତରେ ଉଠାଇ ନବାର ଇଚ୍ଛାକୁ ଏଡ଼ାଇ ପାରିଲାନି ବିଜୟ । ଚିଠିଗୁଡ଼ିକ ତା’ର ଭାଇ, ବାପା ପ୍ରଭୃତି ଦେଇଛନ୍ତି । ପ୍ରଥମ ଚିଠିଟି ମନବୀଣାର ବାପା ଓ ମା ଦେଇଛନ୍ତି । ବାପା ବଡ଼ ସରଳ ମଣିଷ । ଅଳ୍ପ ଲେଖି ବକ୍ତବ୍ୟ ଶେଷ କରିଛନ୍ତି-ମା’ ଲେଖିଛନ୍ତି, ମିନୁ ! ତୋର ମତାମତ ହିଁ ଆମର ମତ । କାରଣ ମୁଁ ଚାହେଁ ତୁ ସଂସାରୀ ହୁଅ । ସେ ଯିଏ ବା ଯେଉଁ ପରିସ୍ଥିତିରେ ଥାଉନା କାହିଁକି, ତୁ ରୁଚିପୂର୍ଣ୍ଣା, ଶିକ୍ଷିତା-ଆମର ସମାଜ ପରମ୍ପରାକୁ ଲକ୍ଷ୍ୟକରି ସବୁ ବୁଝିସୁଝି ନିଶ୍ଚୟ କାର୍ଯ୍ୟ କରିବୁ ଏ ବିଶ୍ୱାସ ମୋର ଅଛି । ମୁଁ ସବୁଠାରୁ ଖୁସି ହେବି ତୁ ସଂସାରୀ ହେଲେ, କାରଣ ତୋତେ ଆଉ ଇମିତି ଅବସ୍ଥାରେ ଦେଖି ହେଉନି । ପର ଚିଠିଟି ମନବୀଣାର ମଝିଆ ଭଉଣୀ ନୟନା ହାଇଦ୍ରାବାଦରୁ ଲେଖିଛି-ମିନୁ ! ତୋର ଚିଠି ପାଇଲି । ଯାହାହେଉ ଏତେ ଦିନ ପରେ ତୁ ମନ ସ୍ଥିର କଲୁ ଓ ଗୋଟିଏ ସିଦ୍ଧାନ୍ତରେ ପହଞ୍ଚିଲୁ । ତୋର ବୁଦ୍ଧିକୁ ଆମେ ସର୍ବଦା ପ୍ରଶଂସା କରୁ । ତୋର ଦୂରଦୃଷ୍ଟିକୁ ତାରିଫ୍ କରିବାର କଥା, ଆମର ତୋ ଉପରେ ଯଥେଷ୍ଟ ଆସ୍ଥା ଅଛି । ମୁଁ ଜାଣିଛି ଆମ ଘର ତଥା ପରିବାରକୁ ଆଞ୍ଚ ଆସିଲା ଭଳି ଇମିତି କାର୍ଯ୍ୟ ତୁ କରିବୁନି; ଯେଉଁଥିରେ ଆମମାନଙ୍କର ମୁଣ୍ଡ ତଳକୁ ନଇଁ ଯିବାଭଳି ହେବ । ତେବେ ତୋର ଇଚ୍ଛାରେ ଆମର କୌଣସି ବାଧା ଦେବାର ବା ଅନ୍ୟ ମତାମତ ନାହିଁ । ଜର୍ମାନୀରୁ ଭାଇ ଲେଖିଛନ୍ତି-ଯାହାହେଉ ଏତେ ଦିନ ପରେ ତୁ ମନସ୍ଥିର କଲୁ ସେଇଟା ବଡ଼ କଥା । ଆରେ ସେହି ପିଲାଦିନର ଧୂଳି-ବାଲିର ମିଛି ମିଛିକା ଭାତ ଡାଲି, ନଡ଼ିଆ ସଡ଼େଇର ହାଣ୍ଡି କଡ଼ାଇକୁ ଧରି ବସିଛୁ । ମୁଁ ଭାବିଥିଲି, ଏତେ ବଡ଼ ହେବା ପରେ ତୋର ବୁଦ୍ଧି ବଢ଼ିଥିବ ବୋଲି । ତୋର ମତ ଉପରେ ଆମର ଅନ୍ୟ ମତାମତ ଅନାବଶ୍ୟକ । ହଁ, ଆଉ ଗୋଟିଏ କଥା-ମୁଁ ଏଠାରୁ ଆସନ୍ତା ସପ୍ତାହ ଭିତରେ ଯାଇ ତୋ ପାଖରେ ପହଞ୍ଚିବି । ଏକା ନୁହେଁ, ମୋ ସାଙ୍ଗରେ ମୋର ଜଣେ ବନ୍ଧୁଙ୍କୁ ନେଇ, ତୁ ତା’କୁ ଜାଣିଛୁ । ରାଜେଶ, ଯିଏ କି ମୋର ଅତି ଘନିଷ୍ଠ ଓ ପ୍ରିୟ ସହପାଠୀ ଥିଲା । ସେ ଆମ ଘରକୁ ବହୁଥର ଆସିଛି । ତୋସହିତ ବ୍ୟାଡ଼୍ମିଣ୍ଟନ୍ ଖେଳିଛି । ସେ ଆଇ. ଏ. ଏସ୍. ଅଫିସର୍ ସୀତାଂଶୁ ବାବୁଙ୍କର ପୁଅ । ସେ ଏବେ ମଧ୍ୟ ତୋତେ ମନେ ରଖିଛି । ଗଲେ କଥାବର୍ତ୍ତା-ରହିଲି । ତା’ପରେ ଅନ୍ୟ ଚିଠିଗୁଡ଼ିକୁ ପଢ଼ିବାର ଧୈର୍ଯ୍ୟ ନ ଥିଲା ବିଜୟର ।
ଯେଉଁ ଦ୍ୱିଧାର କୀଟ ଦଂଶନରେ ସେ ନିଜେ ପୀଡ଼ିତ ହୋଇ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲା, ନିଜକୁ ସ୍ଥିର କରିପାରୁନଥିଲା-ତା’ର ସମାଧାନ ମିଳିଗଲା ବିଜୟକୁ । ନା-ସେ ଆହୁରି ଭାବିବ ନିଜର ନିଷ୍ପତ୍ତି ବିଷୟରେ ? ତାକୁ ଆହୁରି ସମୟ ଆବଶ୍ୟକ ନିଜକୁ ଦୃଢ଼ କରିବାରେ । ଯେଉଁ ସନ୍ଦେହରେ ନିଜକୁ ସ୍ଥିର କରିପାରୁନଥିଲା ଆଜି ସବୁ ସ୍ପଷ୍ଟ ହୋଇଗଲା ତା’ଆଗରେ । ବର୍ତ୍ତମାନ ଭାବିବାକୁ ଅନେକ ସମୟ ଦରକାର ।
ମନବୀଣା ! ତୁମେ ବଡ଼ ଭାବପ୍ରବଣା-ପିଲାମି ଯାଇନି ତୁମର, ଆଉ ଟିକିଏ ଭାବ ।
ତୁମେ ଜିଦ୍ କରି କହିବ-କିନ୍ତୁ କାହିଁକି ? ମୋର ପ୍ରତିବନ୍ଧକ କ’ଣ ? ମୁଁ କହିବି, ମୁଁ ନିଜେ ହିଁ ମୋର ପ୍ରତିବନ୍ଧକ ମନବୀଣା।
ସେଇଟା ତୁମର ଅହଙ୍କାର ବିଜୟ ! ଅଭିଯୋଗ କରିବ ମନବୀଣା । ହୋଇପାରେ, କିନ୍ତୁ ସେ ଅହଙ୍କାର ପୁରୁଷ ସ୍ୱଭାବର ଅହଙ୍କାର ।
ତୁମେ ପୁଣି କହିବ-ତୁମ ମୋ ଭିତରେ କିଛି ବୁଝାମଣା ବାକି ନାହିଁ ତ ?
ମୁଁ ଜୋର୍ ଗଳାରେ କହିବି ଅଛି, ଅଛି । ଅଧ୍ୟାପିକା ମନବୀଣା ଓ ବିଜୟ କୁମାର ଭିତରେ ଅନେକ ବୁଝାମଣାର ବାକି ଅଛି । ତାହାର ସମାଧାନ ଏ ଜନ୍ମରେ ବିଜୟ କରିପାରିବନି । ଆହତ କଣ୍ଠରେ ତୁମେ କହିବ-ତୁମେ ବଡ଼ ନିଷ୍ଠୁର, ଅନେକ ବଦଳି ଯାଇଛ ବିଜୟ-ଆଗର ମନ ତୁମର ନାହିଁ । ସେହି ଗୋଟାଏ ଆଳ ଦେଖାଇ ମୋତେ ଭୁଲାଇବାକୁ ଚେଷ୍ଟା କରୁଛ । ହଁ ବିଜୟ, ବଦଳିଯାଇଛି ।
ତା’ର ଜୀବନର ସବୁ ଓଲଟି ଯାଇଛି । ସମ୍ମାନ, ଆଶା, ଆକାଙ୍କ୍ଷା, ଇଚ୍ଛା-ସବୁ ପରିବର୍ତ୍ତିତ ହୋଇଯାଇଛି । ଚାହିଁଲେ କ’ଣ ଜନ୍ମଗତ କଳାଜାଇଟା ଦେହରୁ ଲିଭିଯିବ ମନବୀଣା ? ତୁମକୁ ଯେଉଁ ରାଜସିଂହାସନରେ ବସାଇବାକୁ ଚାହିଁଥିଲି ତାହା ଆଉ ସମ୍ଭବ ହୋଇପାରିଲା ନାହିଁ । ମଣିଷ ଜୀବନରେ ଏତେ ଭାବପ୍ରବଣତା ଶୋଭାପାଏନା-ବିଶେଷତଃ ତୁମ ପରି ଝିଅର । କାଲି ଜର୍ମାନୀରୁ ତୁମର ଭାଇ ଫେରିଲେ କ’ଣ କହିବେ ?
ତୁମ ଭଉଣୀମାନେ ଯିଏ କି ଜଣେ ଜଣେ ଉଚ୍ଚ ପଦରେ ଅଳଂକୃତା ହୋଇ ରହିଛନ୍ତି, ତୁମର ପିତା, ମାତା-ତୁମେ ସେମାନଙ୍କୁ କ’ଣ ଉତ୍ତର ଦେବ ? ହୃଦୟ ବା ମନର ଦୁର୍ବଳ ମୁହୂର୍ତ୍ତର ଅସାବଧାନତାବଶତଃ ଯେଉଁ ଦାଗ ଟିକକ ଲାଗି ଯାଇଛି, ତାକୁ ନେଇ କାହାକୁ ଦେଖାଇବ ? ଲୋକେ ହସିବେ । ତୁମ ଘରେ ଯେତେବେଳେ ସମସ୍ତେ ପଚାରିବେ, ଏ ତୁ କ’ଣ କଲୁ ମନବୀଣା ? ତୁମେ ଉତ୍ତର ଦେଇପାରୁନଥିବା ତୁମର ବିକଳ ଓ ଅସହାୟା ମୁଖ ଛବି....ନା, ତା’ ବିଳୟ ସହ୍ୟ କରିପାରିବ ନାହିଁ।
ମୁଁ ଜାଣେ ତୁମ ପରି ଝିଅଟିଏ ନିଜ ମନର କଥା, ସ୍ପଷ୍ଟକରି କାହାକୁ କହିବାର ଉପାୟ ନାହିଁ । ତୁମେ ନିଜକୁ ଖୋଲି ଦେଇପାରିବ ନାହିଁ । କାରଣ ତୁମେ ନାରୀ । ନାରୀର ହୃଦୟଠାରୁ ଅନେକ ଅଲଗା ବାହ୍ୟଜଗତ । ସେଠି ପ୍ରତିଷ୍ଠିତ ହେବାକୁ ହେଲେ ବହୁତ କିଛି ଦାନ ଦେବାକୁ ପଡ଼ିଥାଏ । ତୁମେ ସେଥିରୁ ବାଦ୍ ଯାଇପାରିବନି।
ଝିପିରି ଝିପିରି ବର୍ଷା ପଡ଼ୁଥିଲା । ଏବେ ଆହୁରି ଟିକିଏ ବଡ଼ ବଡ଼ ଟୋପା ପଡ଼ିଲାଣି । ବିଜୟର ସାର୍ଟରୁ ପ୍ରାୟ ଅଧେ ଭିଜିଯାଇଛି । ସେ ସେହି ଫଟୋଗ୍ରାଫ୍ ଖଣ୍ଡକ ଓଲଟ ପାଲଟ କରିବାରେ ଲାଗିଛି । ଆଜି ମନବୀଣା ପାଖକୁ ଅନ୍ୟ ଭାବ ନେଇ ଆସିଥିଲା । କିନ୍ତୁ ଚିଠିଗୁଡ଼ାକ ସବୁ ଓଲଟ ପାଲଟ କରିଦେଲା । ସେ ଚାଲି ଆସିବାକୁ ବାହାରିବା ବେଳେ ମନବୀଣା ଆସି ପହଞ୍ଚିଲା । ବିଜୟକୁ ଦେଖିଲାକ୍ଷଣି ଖୁସିରେ ଝଲସି ଉଠି କଳ କଳ କଣ୍ଠରେ କହିଲା ମନବୀଣା, ବାସ୍ ମୁଁ ରେଡ଼ି । ଆଜି ଟିକିଏ କଲେଜରେ ଅଟକି ଯାଇଥିଲି । କପେ ଚା ପିଇଦେଇ ଯିବା ।
ବିଜୟ କିନ୍ତୁ ଅସ୍ଥିର ହୋଇଉଠିଲା । ବାଥ୍ରୁମ୍ କିମ୍ବା କୌଣସି ଓ୍ୱାସ୍ ବେସିନ୍ ପାଖକୁ ଯିବା ତା’ର ନିତାନ୍ତ ଆବଶ୍ୟକ ହୋଇପଡ଼ିଥିଲା । କାରଣ ତା’ର ଆଖି ଦୁଇଟା ଭୀଷଣ ଭାବରେ ପୋଡ଼ୁଥିଲା । ଆଖିରେ ଟିକିଏ ପାଣି ମାରି ନ ଆସିଲେ ନ ଚଳେ । ଅସ୍ପଷ୍ଟ ଭାବରେ ଏ କଥା କହିଥିଲା ବୋଧହୁଏ ବିଜୟ ।
ମନବୀଣା ହାତର ନିର୍ଦ୍ଦେଶରେ ଥିବା ବାଥ୍ରୁମ୍କୁ ଯିବାର ବାଟଟା ଦେଖାଇଦେଇଥିଲା । ସେହି ଗୋଟିଏ ପଥ, ବେଡ଼୍ ରୁମ ମଧ୍ୟ ଦେଇ । ଏକୁଟିଆ କ୍ୱାର୍ଟର୍ରେ ବେଡ଼୍ରୁମକୁ ଆଟାଚ୍ ହୋଇ ଏକମାତ୍ର ବାଥ୍ରୁମ୍, ସେଇଠି ଓ୍ୱାସ୍ ବେସିନ୍ । କୁଆଡ଼କୁ ନ ଅନାଇ ପଶି ଯାଇଥିଲା ବିଜୟ । ନିଜକୁ ଟିକିଏ ସୁସ୍ଥକରି ବାହାରି ଆସିଲା ପରେ ସ୍ୱାଭାବିକ ଭାବରେ କୋଠରିର ଚାରିପାଖକୁ ଥରେ ଆଖି ପକାଇବା ବେଳେ ଏହି ଛୋଟ ଷ୍ଟିଲ୍ ଫ୍ରେମ୍ ବନ୍ଧା ଫଟୋ ଖଣ୍ଡିକ ତାର ଦୃଷ୍ଟି ଆକର୍ଷଣ କରିଥିଲା । ତାହା ମନବୀଣାର ଡ୍ରେସିଂ ଟେବୁଲ ଉପରେ ସଯତ୍ନରେ ଥୁଆ ହୋଇଥିଲା । ସେ ଧୀରେ ଧୀରେ ଡ୍ରେସିଂ ଟେବୁଲ୍ ପାଖକୁ ଆଗେଇ ଯାଇଥିଲା । ଆଖିକୁ ବିଶ୍ୱାସ ହେଉନି, ସତେ କ’ଣ ମନବୀଣାର ନିଭୃତ ପ୍ରକୋଷ୍ଠରେ ଗୋଟାଏ ଅପଦାର୍ଥ ମଣିଷର ଫଟୋଗ୍ରାଫ୍ଟି ସଯତ୍ନରେ ରହିଛି । ସତ୍ୟାସତ୍ୟ ଯାଞ୍ଚ କରିବାପାଇଁ ସେ ଖଣ୍ଡିକ ଆଣିବାକୁ ହାତଟା ବଢ଼ାଇ ଦେଲାବେଳେ ଅସାବଧାନତାବଶତଃ ଫ୍ଳାଓ୍ୱାର୍ ଭେସଲ୍ରେ ହାତଟା ବାଜି ଯାଇଥିଲା । ସଙ୍ଗେ ସଙ୍ଗେ ଝଣଝଣ ଶବ୍ଦ କରି ଛିଟିକି ପଡ଼ିଥିଲା ଫୁଲଦାନୀଟା ।
ମନବୀଣା ରୋଷାଇ ଘରେ ଥିଲା । ଚା’ କରୁଥିଲା ବୋଧହୁଏ । ହାତରେ ଚିନି ଡବାଟା ଧରି ଧାଇଁ ଆସିଲା । ଉତ୍କଣ୍ଠିତ କଣ୍ଠରେ କହି ଉଠିଲା, କ’ଣ ହେଲା ବିଜୟ ? ତଳକୁ ଚାହିଁ କହିଲା-ଓଃ ଫୁଲଦାନୀଟା ପଡ଼ିଗଲା । କିଛି ବ୍ୟସ୍ତ ହୁଅ ନାହିଁ, ଫୁଲ-ଦାନୀଟା ପିତଳର । ଭାଙ୍ଗିବାର ଭୟ ନାହିଁ । ତଥାପି ବିଜୟ ଛିଡ଼ା ହୋଇରହିଲା । ମନବୀଣା ପୁଣି କହିଲା-ଆସ ବିଜୟ ! ମୁଁ ପୁଣି ପାଣି ଭରି ସଜାଡ଼ି ଦେଉଛି । କହୁ କହୁ ଫଲଦାନୀଟା ଗୋଟାଇ ନେଇ ଚାଲିଗଲା । ଫ୍ରେମ୍ ଖଣ୍ଡିକ ହାତରେ ଧରି ବିଜୟ ମଧ୍ୟ ବାହାରି ଆସିଲା ସଦର ଦରଜା ଆଡ଼କୁ । ମନବୀଣା ଫୁଲଦାନୀଟି ହାତରେ ଧରି ଫେରି ଆସୁଥିଲାବେଳେ କହିଲା, ଏଇଠି ବସ, ମାନେ ଡାଇନିଂ ଟେବୁଲ୍ ପାଖରେ । ମୁଁ ଚା’ ନେଇ ଆସୁଛି । ବିଜୟ କହିଲା ଡେରି ହେଉଛି ।
ମନବୀଣା କିନ୍ତୁ ସଙ୍ଗେ ସଙ୍ଗେ ଚା’ ନେଇ ଫେରି ଆସିଲା । ବିଜୟ କହିଲା, ଚା’ ପିଇବିନି । ଆଜି କାହିଁ ଇଚ୍ଛା ହେଉନି । ଆଉ ଡେରି ମଧ୍ୟ ହୋଇଯାଉଛି । ମୋର ମନେ ନଥିଲା, ଆଜି ମୋର ଜଣେ ସହକର୍ମୀର ଝିଅର ବିଭାଘରକୁ ଯିବାକୁ ହେବ । ସେ ବହୁତ କରି କହିଛି । ଶୁଣିଲାକ୍ଷଣି ମନବୀଣା ଖୁସି ହୋଇଉଠିଲା । କହିଲା, ବେଶ୍ ତ, ଚାଲ ସାଙ୍ଗହୋଇ ଯିବା । ନିଜକୁ ଲକ୍ଷ୍ୟ କରି କହିଲା, ଟିକିଏ ରୁହ, ଏହି ଶାଢ଼ିଟା ବଦଳାଇ ଆସେ । ବିଭାଭୋଜି ଯିବାକୁ ମାନିବନି...କହି ଭିତରକୁ ଚାଲିଗଲା ।
ବିଜୟ ହସିବାକୁ ଚେଷ୍ଟା କଲା । ସେଠି ସବୁ ସମାନ । ଯାହାର ଯିମିତି ଅଛି, ସିମିତିରେ ସବୁ ଖାପ୍ ଖାଇଯାଏ । ସେଠି ବଡ଼ ଲୋକର ଚାକଚକ୍ୟ ନାହିଁ । ଶାଢ଼ି ଗହଣାର ପ୍ରତିଯୋଗିତା ନ ଥାଏ । କିନ୍ତୁ ପ୍ରମାଦ ଗଣିଲା ବିଜୟ, ମନବୀଣାକୁ କିପରି ଏଥିରୁ ନିବୃତ୍ତ କରାଇବ । ଯେଉଁ ଜିଦିଆ ସେ । ଭାଗ୍ୟକ୍ରମେ ଦି’ ଚାରି ଜଣ ଛାତ୍ର ଭିତରକୁ ପଶି ଆସିଲେ । ବିଜୟକୁ ଦେଖି କହିଲେ, ମ୍ୟାଡ଼ାମ୍ କାହାନ୍ତି ? ମନବୀଣା ବାହାରି ଆସିଲା । ଚମତ୍କାର ! ଅତି କଳାନିପୁଣା ମନବୀଣା । କେତେ ଶୀଘ୍ର ନିଜକୁ ସୁନ୍ଦରକରି ସଜାଇ ନେଇଛି । କିଛି ବହୁଳତା ନ ଥାଇ ମଧ୍ୟ, ଏତେ ଭଲ ଲାଗୁଛି ତା’କୁ । ମନବୀଣା ତୁମେ ଉର୍ବଶୀ କିମ୍ବା ଆହୁରି କିଛି-ସୀତା, ସାବିତ୍ରୀ ନ ହେଲେ ବି ତାଙ୍କଠାରୁ ଆହୁରି ଅଧିକା । ବିଜୟ ଇମିତି ଚାହିଁ ରହିଥିବାର ଦେଖି ସୁଖ ଟିକେ ଅନୁଭବ କଲା ମନବୀଣା । ଛାତ୍ରଙ୍କୁ ଦେଖି କହିଲା ପୁଣି କ’ଣ ହେଲା ?
-ମ୍ୟାଡାମ୍ ଆପଣଙ୍କୁ ପୁଣି ନେବାକୁ ଆସିଛୁ । ଆପଣ ନ ଗଲେ ହେବ ନି । ଆମର ପ୍ରେଷ୍ଟିଜ୍ ରହିବନି।
-କାହିଁକି ? ଅସୁବିଧା କ’ଣ ?
-ପ୍ରେସିଡେଣ୍ଟ ଆସିନାହାନ୍ତି । ଏଣେ ଚିଫ୍ଗେଷ୍ଟ, ଚିଫ୍ସ୍ପିକର୍ ସବୁ ଆସିଯାଇଛନ୍ତି । ବର୍ତ୍ତମାନ ଫଙ୍କସନ୍ରେ ପ୍ରିଜାଇଡ୍ କରିବାକୁ କେହି ନାହାନ୍ତି । ଦ୍ୱିଧାନ୍ୱିତ କଣ୍ଠରେ ମନବୀଣା କହିଲା, କିନ୍ତୁ ମୁଁ ଯେ, ମାନେ ଗୋଟେ ବାହାଘରକୁ-କହି ବିଜୟ ଆଡ଼କୁ ଅସହାୟଭାବରେ ଅନାଇଲା । କ’ଣ କରିବି ବିଜୟ ? ଏମାନେ ମୋର ଛାତ୍ର ।
ବିଜୟ ମଧ୍ୟ ରକ୍ଷା ପାଇଯାଇ ମନେମନେ ଛାତ୍ରମାନଙ୍କୁ ଧନ୍ୟବାଦ ଦେଉଥିଲା । ସେ ହିଁ ନିଶ୍ଚୟ ବା କ’ଣ ଗୋଟାଏ କହି ଦେଇ ଓହ୍ଲାଇ ଆସିଲା କାର୍ ପାଖକୁ ।
ଆଜି ଇମିତି ଗୋଟେ ବର୍ଷା, କେତେବେଳେ ଝିପିର ଝିପିର ତ ପୁଣି କେତେବେଳେ ଝରଝର ହୋଇ ଝରି ଯାଉଛି ବଡ଼ ବଡ଼ ଟୋପାରେ । ଜାତୀୟ ରାଜପଥର ବତିଖୁଣ୍ଟ ତଳେ ଛିଡ଼ା ହୋଇଛି ବିଜୟ । ଚାରିଆଡ଼େ ଅନ୍ଧକାର ଦିଶୁଥିଲା, କ୍ୟାପିଟାଲ୍ର ସବୁଆଡ଼େ ବିଜୁଳି କାଟ ହୋଇଛି ବୋଧହୁଏ । ହାତରେ ଥିବା ଫ୍ରେମ୍ ଖଣ୍ଡକୁ ଥରେ ଦୃଷ୍ଟି ପକାଇଦେଲା, ତା’ପରେ ବର୍ଷଣମୁଖର ଆକାଶ ଆଡ଼କୁ, ମେଘାଚ୍ଛନ୍ନ ଆକାଶରେ ମଧ୍ୟ ଏକ ପ୍ରକାର ନିଜସ୍ୱ ଆଲୋକ ଥାଏ । କିଛି ସମୟ ଫୋଟଟିକୁ ଏପଟ ସେପଟ ବୁଲାଇଲା । ତାପରେ ଧେତ୍ କହି ଅନିର୍ଦ୍ଦିଷ୍ଟଭାବରେ ଅଳ୍ପ ଦୂରରେ ଥିବା ରାସ୍ତାକଡ଼ର ଅମରି ବୁଦା ଆଡ଼କୁ ଲକ୍ଷ୍ୟକରି ନିକ୍ଷେପ କରିଦେଲା । ତା’ର ତୁଣ୍ଡରୁ ଅସ୍ପଷ୍ଟ ଭାବରେ ଉଚ୍ଚାରିତ ହେଲା, ଯେତେ ସବୁ ଅନାବଶ୍ୟକ ପଦାର୍ଥ ।
-ଆରେ ବିଜୟ ଭାଇ ଯେ । ଏଠି କଣ କରୁଛ । ବର୍ଷାରେ ପୂରା ତିନ୍ତି ଗଲଣି-କଥା କ’ଣ ? ରାତି ଅଧରେ ପୁଣି ରାସ୍ତା ମଝିରେ ଛିଡ଼ାହୋଇ..... ? କାନ୍ଧ ଉପରେ ବନ୍ଧୁର କର ସ୍ପର୍ଶ ପାଇ ପଛକୁ ବୁଲି ଚାହିଁଲା ବିଜୟ । ବିଜୁଳି ମଧ୍ୟ ଆସି ଯାଇଥିଲା ସେତେବେଳକୁ । କ’ଣ ଗାଡ଼ି ବିଗିଡ଼ିଲା ବୋଧହୁଏ ? ପୂରା ଓଦାହୋଇ ରାସ୍ତା ମଝିରେ ଛିଡ଼ାହୋଇ କ’ଣ କରୁଛ ?
-ନିଜକୁ ଲକ୍ଷ୍ୟ କଲା ବିଜୟ, ସତରେ ପୂରା ଓଦା ହୋଇଯାଇଛି, ସାର୍ଟ ଓ ମୁଣ୍ଡରୁ ଟୋପା ଟୋପା ହୋଇ ପାଣି ନିଗିଡ଼ି ପଡ଼ୁଛି । ନିଜକୁ ଦେଖିଦେଇ ଟିକିଏ ହସିଲା ।
ଅଳ୍ପଦୂରରେ ଜଣେ ମହିଳା ଛିଡ଼ା ହୋଇଥିବାର ଲକ୍ଷ୍ୟ କଲା ବିଜୟ । କିରଣର ସ୍ତ୍ରୀ ମଣିମାଳା, ହସିହସି ପାଖକୁ ଆଗେଇ ଆସିଲା । ତା’ର ହାତରେ ପାଣିକାଚ ରୁଣୁଝୁଣୁ ହୋଇ ବାଜିଉଠିଲା । ବାହୁ ଦୁଇଟା ହଲାଇ କହିଲା-ଦେଖୁନ-ରିକ୍ସାଟିଏ ମିଳୁନି, ୟାଙ୍କର ସ୍କୁଟରଟା ଟିକିଏ ଚାଲିଲେ ଟିକିଏ ଷ୍ଟାର୍ଟ ବନ୍ଦ ହୋଇଯାଏ । ବୁଝିଲ....। କଥାର ଢଙ୍ଗ ଇମିତି ମଣିମାଳାର । ସେ ହସୁଥିଲା । ବର୍ଷାର ଝରଣା ଭିତରେ ତା’ର ନିଖୁଣ ଦାନ୍ତଗୁଡ଼ିକ ଝଟକୁଥିଲା । ସେ ଆହୁରି ଟିକିଏ ପାଖକୁ ଲାଗିଆସି ଧୀର ସ୍ୱରରେ କହିଲା, ହଇ ହୋ ଏହି ବର୍ଷା ଆକାଶ ତଳେ ଠିଆହୋଇ କ’ଣ କବିତା ଲେଖୁଥିଲ ? ଏଁ.....କ’ଣ ସେ କବିତାର ପଙ୍କ୍ତି ଆମକୁ ଟିକିଏ ଶୁଣାନ୍ତ ନି ?-ହେଲେ ବିଜୟ ଭାଇ ମୁଁ ନିଶ୍ଚୟ ଜାଣେ ତୁମେ ଏହା ଭାବୁଥିବ-ଶ୍ରାବଣ ଗଗନେ, ଘୋର ଘନଘଟା-ନା କ’ଣ କହୁଛ ? କିଛି କହୁନ ଯେ ? କିହୋ, ହାଁ କରି ମତେ ଅନେଇଛ କ’ଣ ? କହିବନି ତ-? ଅତି ଗୋପନ କଥା ସେ ଗୋ କହିବାର ନୁହେଁ, ହଉ-ନ ହେଲା ନାହିଁ, ଯାହା କୁହ ପଛେ ବେଶ୍ ପ୍ରେମିକ ସାଜିଛି କିନ୍ତୁ...। ଇମିତି ପରିହାସ କରି କଥା କହିବାର ଅଭ୍ୟାସ ମଣିମାଳାର । ସେ ବିନା ଭୂମିକାରେ ପୁଣି କହିଲା-ଯାନେ ଦୋ ଭାଇ-ଆପେ ବଞ୍ଚିଲେ ବାପାର ନାମ-ଖୋଲ ତୁମ ଗାଡ଼ିର ଦରଜାଟା, ଶୀଘ୍ର ଟିକେ ଖୋଲି ଦିଅ ବାବା । ପୂରା ତିନ୍ତି ଗଲିଣି । ଓଃ...ୟାଙ୍କ ବୁଦ୍ଧିରେ ଆଉ ଦିନେ ଯଦି ବାହାରିଛି’ କହି ରୁମାଲରେ ମୁହଁ ପୋଛିବାକୁ ଲାଗିଲା ମଣିମାଳା । ଟିକିଏ ଦୂରରେ ନିଜ ରୁମାଲରୁ ପାଣି ନିଗାଡ଼ୁଥିଲା କିରଣ-ମୁଣ୍ଡଟେକି ସ୍ତ୍ରୀକୁ ଚାହିଁ କହିଲା, ମୋର ଦୋଷ କ’ଣ ? ତୁମେ ତ ଗପିଲ ବସି ବସି... । ପତଳା ଚିବୁକ ନାଚି ଉଠିଲା ମଣିମାଳାର..ଉଁ ହୁଁ ଗପୁଥିଲି ନା...ସୁନ୍ଦରୀ ବନ୍ଧୁପତ୍ନୀର ସୁନ୍ଦର ଆଖିନଚା, ମନ ମତାଣିଆ କଥା ସାଙ୍ଗକୁ ଚପ୍, ଗରମ ସିଙ୍ଗଡ଼ା, ପକୁଡ଼ିରେ ଭୋଳ ହୋଇଗଲେ ମହାପୁରୁଷ । ମୋ ଆଡ଼କୁ ଥରଟିଏ ଅନାଇଲେ ନାହିଁ ମଧ୍ୟ । ମିଛ କୁହ ନାହିଁ । ମୁଁ ପୂରାପୂରି ତୁମ ପଟକୁ ମୁହଁ କରି ବସିଥିଲି...। -ଆହା...ମୁହଁଟା ସିଧାକରି ରଖିଥିଲ ବୋଲି କ’ଣ ତୁମ ମନଟାକୁ ମୋଠି ଲେସି ରଖିଥିଲ କି ? ତୁମ ଆଖି ଦୁଇଟା କେଉଁଠି ଥିଲା ? ନିଜ ଆଖି ମାରିଲା ମଣିମାଳା ।-ଏ ମିଛ କୁହ ନାହିଁ । ବିଚରା କିରଣ ସ୍ତ୍ରୀର ଅଭିଯୋଗରେ କାତର ହୋଇପଡ଼ୁଥିଲା । ମଣିମାଳା ଦବିବାର ପାତ୍ରୀ ନୁହେଁ । ପୁଣି କହିଲା ସେ, ମିଛ ନାଁ...ତୁମ ପୁରୁଷଗୁଡ଼ାକୁ ମୋର ବିଶ୍ୱାସ ନାହିଁ । ଖୋଲ ହେ ବିଜୟ ଭାଇ ଗାଡ଼ିର ଦରଜାଟା...। ଦାମ୍ପତ୍ୟର ମଧୁର କଳହ ଭିତରେ ବିସ୍ମିତ ହୋଇପଡ଼ିଥିଲା ବିଜୟ । ମଣିମାଳାର କଥା ଶୁଣି ଦରଜା ଖୋଲିଦେଲା । ମଣିମାଳା କିରଣକୁ ଉଦ୍ଦେଶ୍ୟ କରି କହିଲା, ଆସ ପୂରା ତିନ୍ତିଗଲଣି ଯେ ।
ଗାଡ଼ି ଚଳାଇବା ମଧ୍ୟରେ ନବଦମ୍ପତିଙ୍କର ମିଠା ମିଠା ମାନ ଅଭିମାନର କଥାଗୁଡ଼ିକ ଶୁଣିପାରୁଥିଲା ବିଜୟ । କିରଣର ଘରପାଖରେ ନନ୍ଦ ଡ୍ରାଇଭରର ଘର । ବିଜୟକୁ ଦେଖିଲା ମାତ୍ରେ ପିଲାଗୁଡ଼ିକ ଧାଇଁ ଆସିବେ ଦୁଇ ଚାରିଟା ଲଜେନସ୍ପାଇଁ । ବିଜୟର ସାର୍ଟପକେଟ୍ ଦରାଣ୍ଡି ପକାଇବେ । ଅଭ୍ୟାସମତେ ଗାଡ଼ିର ଗତି ମନ୍ଥର ହେଲା । ଆଜି କିନ୍ତୁ ପକେଟ୍ଖାଲି । ପିଲା ବଦଳରେ କାଖରେ ସାନ ପିଲାଟିକୁ ଜାକି ଛୋଟ ବାଉଁଶ ଗେଟ୍ଟା ଖୋଲି ରାସ୍ତା ଉପରକୁ ବାହାରି ଆସିଲା ନନ୍ଦର ସ୍ତ୍ରୀ ନିରଜା । ବାହାରକୁ ଯିବାର ବେଶ ଅତି ସାଧାରଣ । କିନ୍ତୁ ତା’ର ପରିସ୍ଥିତିକୁ ଚାହିଁ ଗୋଟେ ଟେରେଲିନ୍ ଶାଢ଼ୀ-ରଙ୍ଗିନ୍ ମିଶୁଥିବା ସାୟା ସାଙ୍ଗକୁ ବ୍ଳାଉଜ । ମଥାରେ ବେଶ୍ ଭାଙ୍ଗକରି ବେଣୀ ପକାଇଛି । ଗଭାରେ ଶୀତହାର ଫୁଲର ବେଣୀ । କିନ୍ତୁ ମୁହଁଟା ମେଘ ଆକାଶପରି ଥମଥମ କରୁଛି ଅଭିମାନରେ । କ’ଣ ହେଲା ? ଗାଡ଼ିରୁ ଓହ୍ଳାଇ ପଡ଼ିଲା ବିଜୟ, ନିରଜା ପ୍ରଥମେ କିନ୍ତୁ କିଛି କହିଲାନି । ଗେଟ୍ର ବାଉଁଶକୁ ଆଉଜି ଛିଡ଼ା ହୋଇରହିଲା । ବୋଧହୁଏ କିରଣକୁ ଦେଖି ଅଟକି ଗଲା-ଗେଟ୍ଖୋଲି ଭିତରକୁ ପଶି ଆସିଲା ବିଜୟ-କଥା କ’ଣ ? କୁଆଡ଼େ ବାହାରିଛ କି ? ଗାଡ଼ି ଦରକାର ? ଏକାଥରକେ ପ୍ରଶ୍ନଗୁଡ଼ାକ କରି ବସିଲା ବିଜୟ ।
ନାଇଁ ମ-କାଖର ପିଲାଟାକୁ ତଳେ ବସେଇ ଦେଇ ନିରଜା କହିଲା, ତୁମ ନନ୍ଦ ଭାଇ ହେଇଆସୁଛି ଯେ କହି ସଞ୍ଜପ୍ରହରୁ ଯାଇଛନ୍ତି ତ ଯାଇଛନ୍ତି- ଏ ଯାଏ ଫେରିବାକୁ ନାହାନ୍ତି-ଛିଡ଼ା ହୋଇ ହୋଇ ଗୋଡ଼ ବିନ୍ଧିଲାଣି । ପିଲାଗୁଡ଼ାକ ଅସ୍ଥିର ହୋଇ କାନ୍ଦିଲେଣି, କ’ଣ କରିବି କହିଲ ? ରୋଷେଇ ମଧ୍ୟ ଏଯାଏ ବସାଇପାରୁନାହିଁ । କାଳେ ଆସି ପହଞ୍ଚିଯିବେ । ଯେଉଁ ତରବରିଆ ମଣିଷ... । ପିଲାଟା ତଳେ ଛିଡ଼ାହୋଇ ରଡ଼ି ଛାଡ଼ୁଥିଲା । ତା’କୁ କୋଳ ଉପରକୁ ଉଠାଇ ନେଲା ବିଜୟ । ନନ୍ଦ ରୁମ୍ଆଡ଼କୁ ଅନେଇଲା । ଦରଜାରେ ତାଲା ଝୁଲୁଛି । ଛେଳି ଦୁଇଟା ବନ୍ଧା ହୋଇଛନ୍ତି ପିଣ୍ଡା ଉପରେ । କଥା କ’ଣ ?-ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ନିରଜାର ମୁହଁକୁ । ନିରଜା କାନ୍ଦି ପକାଇଲା । କ’ଣ କହୁନ ? ନନ୍ଦ ଭାଇ କୁଆଡ଼େ ଯାଇଛି ?-ଆଉ କୁଆଡ଼େ ? ବଜାର ଯାଇଛନ୍ତି ତ କହିଲେ । ମୋ ପାଖରୁ କୋଡ଼ିଏ ଟଙ୍କା ନେଲେ, କଣ ଉପହାର ଜିନିଷ ଆଣିବାକୁ । ମତେ କହିଲେ ଶ୍ରୀନିବାସର ଝିଅ ବିବାହ ଭୋଜିକୁ ଯିବା । ତମେ, ପିଲା ସମସ୍ତେ ତିଆର ହୋଇଯାଅ-ମୁଁ ଶୀଘ୍ର କ’ଣଗୋଟେ ଧରିଆସୁଛି...ହଁ-ସିଧା ରିକ୍ସା ଧରି ଆସୁଛି । ସମସ୍ତେ ତିଆର ଥିବ-ଆମେ ସେହି ସଞ୍ଜପ୍ରହରୁ ସଜବାଜ ହୋଇ ଅପେକ୍ଷା କରିକରି ଥକିଲୁଣି, ତାଙ୍କର ଦେଖା ନାହିଁ । କୁଆଡ଼େ ଯେ ଗଲେ କ’ଣ ହେଲା କେଜାଣି...।
ଓଃ ଏହି କଥା । ବାପରେ ତୁ ଥା...ତୋ’ପାଇଁ ଲଜେନ୍ସ ଆଣିବି କହି ପିଲାଟାକୁ ଓହ୍ଳାଇ ଦେଇ ବାହାରି ଗଲା ବିଜୟ । କାରଣ ବିଜୟ ଜାଣେ ନନ୍ଦ ଭାଇ ଟିକିଏ ନିଶା ପାନ କରେ । ସାଧାରଣତଃ ଡ୍ରାଇଭରମାନେ ଏହା କରିଥା’ନ୍ତି । ତା’ ବୋଲି ନନ୍ଦ ଭାଇ...ସ୍ତ୍ରୀ ପାଖରୁ ଉପହାରପାଇଁ ପଇସା ନେଇ ବିବାହଭୋଜିକୁ ପିଲାଙ୍କୁ ନେବାକୁ କହି...। ଇମିତି ଅନ୍ୟାୟ ଅଶୋଭନୀୟ କାର୍ଯ୍ୟଗୁଡ଼ିକ ଦେଖିଲେ ବିଜୟର ମନରେ ତଥା ଦେହରେ କିମିତ ଗୋଟାଏ ଉତ୍ତାପ ଜାଗ୍ରତ ହୁଏ । ସେ କ୍ଷିପ୍ର ହୋଇ ଉଠେ ।
ବେଶ୍ ଦ୍ରୁତ ବେଗରେ ମାର୍କେଟ୍ ଆଡ଼କୁ ଆଗେଇ ଆସୁଥିଲା ବିଜୟ । ହଠାତ୍ ଗାଡ଼ିର ବ୍ରେକ୍ମାରି ଛିଡ଼ା କରିଦେଲା । ଆଗରେ ଚା’ ଦୋକାନଟିଏ । ତା’ ସାଙ୍ଗକୁ ଲାଗି ଖଣ୍ଡେ ଚାଳିଆରେ ଦୁଇ ଚାରିଟା ବେଞ୍ଚ୍ ଓ ଟେବୁଲ ପଡ଼ିଛି । ତା’ରି ଭିତରେ ଗୋଟିଏ ଟେବୁଲ ଦଖଲ କରି ବସିଛି ନନ୍ଦ ଡ୍ରାଇଭର ଦୁଇ ଚାରିଟା ନିଶାଖୋର୍ଙ୍କୁ ଧରି ।
ଶବ୍ଦ କରି ଗାଡ଼ି ଗୋଟେ ରହିବାକ୍ଷଣି ସମସ୍ତେ ସଜାଗ ହୋଇଉଠିଲେ । ବିଶେଷତଃ ଦୋକାନର ମାଲିକ ପୋଲିସ୍ ଗାଡ଼ିଟେ ଭାବି ବାହାରକୁ ବାହାରି ଆସିଲା । ବିଜୟ ମାଲିକ ଟୋକାକୁ ପେଲି ଦେଇ ସିଧା ନନ୍ଦ ପାଖରେ ହାଜର । ବିଜୟକୁ ଦେଖିଲା ମାତ୍ରେ ନନ୍ଦ ଚେୟାର ଛାଡ଼ି ଉଠିପଡ଼ିଲା....।
ଟେବୁଲ୍ ଉପରେ ବୋତଲ, ଗ୍ଳାସ୍, କିଛି ଚାଟ୍ କ’ଣ ସବୁ ଥୁଆ ହୋଇଥିଲା । ସେଗୁଡ଼ିକ ବିଜୟ ଗୋଟିଏ ହାତରେ ଛିଞ୍ଚାଡ଼ି ଦେଲା ତଳକୁ ଏବଂ ନନ୍ଦ ଡ୍ରାଇଭରର ଦୁଇ ବାହାକୁ ଧରି ଭିଡ଼ି ଆଣି ଗାଡ଼ି ଭିତରେ କଚାଡ଼ି ଦେଇ ଗାଡ଼ି ଷ୍ଟାର୍ଟ କରିଦେଲା।
ନିରଜା ଗାଡ଼ି ଶବ୍ଦ ଶୁଣି ବାହାରକୁ ବାହାରି ଆସିଲା । ବିଭାଭୋଜି ଯିବା ପୋଷାକ ବଦଳାଇ ଘର ପିନ୍ଧା ତନ୍ତବୁଣା ଶାଢ଼ି ଖଣ୍ଡେ ପିନ୍ଧିସାରିଥିଲା ବିଚାରି । ସ୍ୱାମୀଙ୍କର ଅବସ୍ଥା ଦେଖି ସେ ଅପ୍ରସ୍ତୁତ ହୋଇପଡ଼ିଥିଲା । ଯଦି ବା ଏହା ତା’ ପରି ସ୍ତ୍ରୀ ଜୀବନରେ କିଛି ନୂଆ ନୁହେଁ..........ବିଜୟ ନନ୍ଦକୁ କାର୍ ଭିତରୁ ବାହାରକୁ ନେଇ ଆସିଲା । ନିରଜାକୁ ଦେଖିଲାକ୍ଷଣି-ରାଗରେ ମୁଣ୍ଡ ଉଠାଇ କ’ଣ ଚିତ୍କାର କରି ଉଠିବାକୁ ଯାଉଥିଲା ନନ୍ଦ ଡ୍ରାଇଭର । କିନ୍ତୁ ଭାରା ସମ୍ଭାଳି ନପାରି ଟଳି ପଡ଼ିଲା ତଳେ । ନିରଜା ବିଜୟ ସାହାଯ୍ୟରେ ତା’କୁ ଘର ଭିତରକୁ ଆଣି ଖଟରେ ଶୁଆଇ ଦେଲା ।
ନନ୍ଦ ଶୋଇ ଯାଉଯାଉ କହୁଥାଏ-ମୋ ନାମରେ ବିଜୟକୁ କହି ମାଡ଼ ଖୋଇଛୁ-ରହ, ତୋ ସିଆଣି ପଣିଆ ଛଡ଼ାଇ ଦେଉଛି, ତୋ’ ମଜା ବାହାର କରି ଦେଉଛି, ତତେ ଠିକ୍କରି ଦେବି ବେ ।
ନିରଜା ଓ ତା’ ପିଲାଏ ଭେଁ ଭେଁ ରଡ଼ି କରି କାନ୍ଦି ଉଠିଲେ ।
ବିଜୟ ଦୀର୍ଘନିଃଶ୍ୱାସଟାଏ ପକାଇଲା । ଆଉ ସେଠାରେ ଛିଡ଼ା ହେଲା ନାହିଁ, କୋଠରି ଭିତରୁ ବାହାରି ଆସିଲା ।
ଏହି ହେଲା ବିଜୟର ପରିସର । ଏହିମାନେ ତାର ସହକର୍ମୀ । ଲଙ୍କାକୁ ଯାଇ ଗୋଟିଏ ବାନରର ମୁହଁ ପୋଡ଼ିଥିଲା, କିନ୍ତୁ ପୃଥିବୀସାରା ବାନରଙ୍କ ମୁହଁରେ ପୋଡ଼ା ଦାଗ ଲେସି ହୋଇରହିଛି । ଆଶ୍ଚର୍ଯ୍ୟ ଦୁନିଆର ଗତି, ବ୍ୟକ୍ତିର ପରମ୍ପରାକୁ ଶିକ୍ଷା, ଚରିତ୍ରକୁ ନେଇ ମପାଯାଏ ନାହିଁ, ପ୍ରତିପତ୍ତି ପଦପଦବୀକୁ ନେଇ ମାପକାଠିରେ ନିୟନ୍ତ୍ରଣ କରାଯାଇଥାଏ । ବିଜୟ ଏମାନଙ୍କ ଠାରୁ ଅଲଗା ହୋଇ ପରିଚିତ ହୋଇପାରିବନି । ବିତିଯାଇଥିବା ଘଟଣାର ଦାଗ ଟିକକ ତା’ର ଜୀବନ ପ୍ରବାହରୁ ଲୁଚିଯାଇନପାରେ । ‘‘ଯେଉଁ ମହାର୍ଘ ଉପହାର ମନବୀଣାକୁ ଦେବାପାଇଁ ଚାହିଁଥିଲା ବିଜୟ, ତାହା ଆଉ ଦେବା ସମ୍ଭବ ହେଲା ନାହିଁ, ସେ କେଉଁଠି ହଜିଯାଇଛି।
ଆଜି ତୁମେ ନ ଆସି ଭଲ କରିଛି, ଏହି ଘଟଣାଗୁଡ଼ିକ ଯଦି ତୁମ ଆଖିରେ ପଡ଼ିଥାନ୍ତା ତେବେ ଭୁଲ୍ରେ ମଧ୍ୟ ଜୀବନରେ କେବେ ସୁଖୀ ହୁଅନ୍ତ ନାହିଁ ମନବୀଣା ।
ଭଲ ହୋଇଛି ନ ଆସି, ବିଜୟ ନିଃସଙ୍ଗ ରାସ୍ତା ଉପର ଦେଇ ଆସୁଥିବାବେଳେ ହଠାତ୍ ଶବ୍ଦ କରି ଗାଡ଼ିଟା ଛିଡ଼ା କରିଦେଲା-‘ସେଇଠି’, ଯେଉଁଠାରୁ ଏହି ଅଳ୍ପ ସମୟ ଆଗରୁ ନନ୍ଦ ଡ୍ରାଇଭରକୁ ଭିଡ଼ିନେଇ ଯାଇଥିଲା, ସେହି ସହରତଳି ‘‘ଚା ଜଳଖିଆ’’ ଦୋକାନଟା ଆଗରେ, ଯେଉଁଠି କି ସୁରା ଓ ସାକୀର ପିଆସିମାନଙ୍କର ଭିଡ଼ ଜମି ଉଠିଛି ।
ପରିଚିତ ଗାଡ଼ିର ଶବ୍ଦ ଶୁଣି ଚମକି ଉଠିଲା ଫଣିନାଗ । କାରଣ ବିଜୟ ସହିତ ପରିଚୟ ସଙ୍ଗେ ସଙ୍ଗେ ତା’ର କାର୍ଟି ମଧ୍ୟ ଏ ଅଞ୍ଚଳରେ ବେଶ୍ ପରିଚିତ ହୋଇଯାଇଛି । ଗାଡ଼ିର ନମ୍ବର ନଦେଖି ମଧ୍ୟ ଯେ କେହି ଲୋକ କହିଦେବ ଯେ, ଏହା ହେଉଛି ବିଜୟର ଗାଡ଼ି ।
ହଠାତ୍ ଇମିତି ସ୍ଥାନକୁ ବିଜୟର ଆସିବାଟା ହିଁ ଆଶ୍ଚର୍ଯ୍ୟ କରୁଛି ନାଇଟ୍ ଟିଷ୍ଟଲ୍’ର ପରିବାରବର୍ଗଙ୍କୁ । କାରଣ ବିନା ଆବଶ୍ୟକରେ ବିଜୟ ଏହିସବୁ ସ୍ଥାନରେ ପାଦ ପକାଏ ନାହିଁ । ଏମାନେ ବିଜୟକୁ ସମ୍ମାନ କରିବା ସଙ୍ଗେ ସଙ୍ଗେ ଭୟ ମଧ୍ୟ କରନ୍ତି । ବିଜୟ ଏହି ରାତ୍ରି ସଉଦାଗୁଡ଼ାକ ନିହାତି ଅସାମାଜିକ ବୋଲି ମନେକରେ, ଅନାଚାର ବୋଲି ଭାବେ ଏବଂ ଘୃଣା ମଧ୍ୟ କରିଥାଏ । ବିଜୟକୁ ଦେଖିଲେ ଏମାନେ ଭୟ କରନ୍ତି । ପାଖକୁ ଆସିଲେ ପ୍ରମାଦ ଗଣନ୍ତି ମନେ ମନେ । ବିଶେଷକରି ସାହୁକାର, ଦୋକାନଦାର, କାବୁଲିବାଲା ଇତ୍ୟାଦି ସ୍ଥଳକୁ କଦବା କିମିତି ସେ ଆସିଥାଏ । ଏହି ଯେମିତି ତା’ର ସହକର୍ମୀ କେହି ଡିଉଟି ନକରି ଏଠାକୁ ପଳାଇ ଆସିଲେ, ଦରମା ପାଇଥିବା ଦିନ ଘରକୁ ନଯାଇ ଏହି ସ୍ଥାନରେ ଆସି ନିଶା ଖାଇ ପଡ଼ିରହିଲେ, ସେମାନଙ୍କୁ ଏଠାରୁ ଝିଙ୍କି ନେବାପାଇଁ କେତେବେଳେ କେମିତି ଆସିବାକୁ ପଡ଼ିଥାଏ ।
ଯେମିତି ପରିସ୍ଥିତି ହେଲେ ଦୋକାନଦାର କିମ୍ବା କାବୁଲିବାଲା ଆଉ ରକ୍ଷା ପାଆନ୍ତି ନାହିଁ, ସେ ଦିନ ଦୋକାନପତ୍ର ସବୁ ବନ୍ଦ କରିବାକୁ ପଡ଼େ । ସାଧାରଣତଃ ମାସର ଏକ ଦୁଇ ତାରିଖ ମଧ୍ୟରେ ଏହିପରି ଘଟଣା ଘଟିଥାଏ, କାରଣ ଦରମା ଧରି ସିଧା ଖରିଦ୍ଦାର ଏହି ନାଇଟ୍ ଟିଷ୍ଟଲ୍’କୁ ପଳାଇ ଆସନ୍ତି । କିନ୍ତୁ ଆଜି ଏତେ ରାତିରେ ଝକ୍ମକ୍ କରୁଥିବା ପରିଚିତ କାରଟି ଛିଡ଼ା ହୋଇଥିବାର ଦେଖି ପ୍ରମାଦ ଗଣିଲା ଫଣିନାଗ । ଆପଣାଛାଏଁ କାନ୍ଥରେ ଝୁଲୁଥିବା କ୍ୟାଲେଣ୍ଡର ଆଡ଼କୁ ଦୃଷ୍ଟି ଚାଲିଗଲା-ତାରିଖଟା ପୁଣି ଥରେ ଜାଣି ନେବାପାଇଁ ।
ଗାଡ଼ି ଭିତରୁ କେହି ଓହ୍ଳାଇଲେ ନାହିଁ । କିନ୍ତୁ ଗାଡ଼ି ଭିତରେ ଯେ ମହାବଳ ଜନ୍ତୁ ଅପେକ୍ଷା କରୁଛି ଏହା ଜାଣି ପାରୁଥିଲା ଫଣିନାଗ-ସେ କ’ଣ କରିବ ବା ନ କରିବ ସ୍ଥିର କରିପାରିଲା ନାହିଁ । କାରଣ, ବିଜୟ ଏସବୁ ନିଷିଦ୍ଧ ପଦାର୍ଥ ଛୁଏ ନାହିଁ । ମଦ ପିଇବା ତ ଦୂରର କଥା-ଏ ଦୋକାନରେ ଚା’ କପେ ମଧ୍ୟ ସ୍ପର୍ଶ କରେ ନାହିଁ ସେ । ଆଜି ଏପରି ସମୟରେ କାହିଁକି ? ସନ୍ତ୍ରସ୍ତ ଚିତ୍ତରେ ଥରେ ଦୋକାନର କାଉଜ୍ ଭିତରେ ଆଖି ବୁଲାଇ ଆଣିଲା ଏବଂ କେହି ଗରାଖ ଅଛନ୍ତି କି ନାହିଁ ଭଲକରି ଦେଖିନେଲା ଫଣିନାଗ । କିଏ ବା ନାହାନ୍ତି, ଫଣିନାଗର ଏହି ନାଇଟ୍ ଟି ଷ୍ଟଲ୍’ ନାମକ ଛୋଟ ଦୋକାନଟିରେ ?
ବଡ଼ ସାନ, ବାବୁ, ପୋଲିସ୍, ହାକିମ, ଓକିଲ, ଛାତ୍ର-କିଏ ନାହାନ୍ତି ? ସମସ୍ତେ, ସବୁ ଶ୍ରେଣୀର ଖରିଦଦାରଙ୍କର ସମାବେଶ ଏହି ସମୟରେ । ବିଶେଷତଃ ଯେଉଁମାନେ ଲୋକଲୋଚନକୁ ଯିବାକୁ ଭୟ କରନ୍ତି ସେହିମାନେ ହିଁ ବେଶି ରାତ୍ରିର ବହଳତାର ସଙ୍ଗେ ସଙ୍ଗେ ଏହି ଟି ଷ୍ଟଲ୍ର ଆତିଥ୍ୟ ଗ୍ରହଣ କରିବାକୁ ଆସିଥାନ୍ତି ।
ବର୍ତ୍ତମାନ ଅତିଥିମାନଙ୍କର ପାନ ଭୋଜନରେ ସରଗରମ ହୋଇଉଠିଛି ହଲ୍ଟି । ଫଣିନାଗ ମଧ୍ୟ ଅଡ଼ରଲିମାନଙ୍କୁ କାର୍ଯ୍ୟ ବିଷୟରେ ସବୁ ବୁଝାଇ ଦେଇ ନିଜର ଚେୟାରଟି ଉପରେ ଚକା ପକାଇ ଟିକିଏ ଢୁଳାଇବାର ଆୟୋଜନ କରଥିଲା- ଇମିତି ସମୟରେ ବିଜୟ କାର୍ ଛିଡ଼ା କଲା କାହିଁକି ?
ଆଉ କିଛି ନ ଭାବି ଚେୟାର ଉପରୁ ତଳକୁ କୁଦି ପଡ଼ିଲା ଫଣିନାଗ-ହାତରେ ଟର୍ଚ୍ଚଟାଧରି ଦ୍ରୁତ ପାଦରେ ଧାଇଁ ଆସିଲା କାର୍ପାଖକୁ । ଟିକିଏ ଆଗପଛ ହୋଇ ଝରକା ଫାଙ୍କରେ ମୁହଁଟା ବଢ଼ାଇ ଦେଇ କହିଲା-ବିଜୟ ଭାଇ ତୁମେ ? କିଛି ଉତ୍ତର ମିଳିଲା ନାହିଁ । ଆଉ ଟିକିଏ ସ୍ପଷ୍ଟ ସ୍ୱରରେ ପୁଣି କହିଲା ଫଣିନାଗ-ବିଜୟ ଭାଇ ?
ବିଜୟ ଷ୍ଟିଅରିଂ ଛାଡ଼ି କ୍ଳାନ୍ତ ଦେହଟା ସିଟ୍ ଉପରେ ନ୍ୟସ୍ତ କରି ଦେଲା । ରାତ୍ରି ବୃଦ୍ଧି ହେବା ସଙ୍ଗେ ସଙ୍ଗେ ନିଜକୁ ମତୁଆଲା କରି ସମସ୍ତ ଭୁଲିଯିବାର ଆୟୋଜନର ଯୋଗାଡ଼ ଚାଲିଛି । ବିଭିନ୍ନ ପୋଷାକଧାରୀ ବିଭିନ୍ନ ଶ୍ରେଣୀର ବ୍ୟକ୍ତି ଆସିବାକୁ ଲାଗିଛନ୍ତି- ସାନ ବଡ଼ର କୌଣସି ପ୍ରଭେଦ ନାହିଁ । ଖରିଦ୍ଦାରଙ୍କ ଭିତରେ- ଏଠି ସମସ୍ତେ ସମାନ, ସବୁ ଏକାକାର ।
ଉଚ୍ଚ ସ୍ୱରରେ ସିନେମା ସଙ୍ଗୀତ ବାଜୁଛି । ସୁନ୍ଦରୀ ନିଶିହେନା ଷ୍ଟଲ୍ଗାର୍ଲ ନୃତ୍ୟ ଭଙ୍ଗିମାରେ କଟି ଦୋହାଲାଇ ସୁରା ଓ ସାକୀର ସ୍ୱାଦ ପରିବେଷଣ କରିବାରେ ବ୍ୟସ୍ତ । ବିଜୟ ଏତେ ରାତିରେ ଏଠାକୁ କ’ଣପାଇଁ ଆସିଥିଲା-ସବୁ ଭୁଲି ଯାଉଛି-ତା’ର ଦେହ, ମନ ସବୁ ଅବଶ କ୍ଳାନ୍ତ ହୋଇପଡ଼ୁଛି ଧୀରେ ଧୀରେ ।
ବହୁ ସମୟ ଧରି ମୁଣ୍ଡଟା ଝୁଙ୍କାଇ ରଖିଥିବାରୁ, ମୁଣ୍ଡଟା ବିନ୍ଧିବାକୁ ଆରମ୍ଭ କରିଥିଲା । ଫଣିନାଗ ଧୀର କଣ୍ଠରେ ପୁଣି କହିଲା-କିଛି ଆଣିବି ?
-ତମକୁ କାରରୁ ଓହ୍ଳାଇବା ଦରକାର ପଡ଼ିବ ନାହିଁ । ମୁଁ ନିଜେ ନେଇ ଆସିବି ବିଜୟ ଭାଇ ।
-ଆଜି ବଢ଼ିଆ ସିକ କବାବ ହୋଇଛି । ମୁଁ ନିଜେ ତଦାରଖ କରି କରେଇଛି-କିମ୍ବା ଚାଇନିଜ୍?
-ସିଟ୍ଉପରେ ସିଧା ହୋଇ ବସିଲା ବିଜୟ । ଭାବହୀନ ଭଙ୍ଗିମା ।
-ଫଣିନାଗ ସାହସ କରି- ମୁଣ୍ଡଟା ବାହାରକୁ କାଢ଼ିଦେଇ ପାଦ ଆଗକୁ ବଢ଼ାଇ କରିଲା-ଆଣୁଛି ତେବେ...
ଡୋର୍ଖୋଲି ଡାହାଣ ଗୋଡ଼ଟା ତଳକୁ ଓହଳାଇ ଦେଲା ବିଜୟ ।
ଫଣିନାଗ ଟିକିଏ ଘୁଞ୍ଚିଗଲା । ଶଙ୍କିତ କଣ୍ଠରେ କହିଲା-ନେଇ ଆସୁଛି.........
ଖିଙ୍କାରୀ ଉଠିଲା ବିଜୟ-ଶୁଅର୍ ହଠ୍ କହୁଛି । ନଚେତ୍... । ଘୁଞ୍ଚିଲା ନାହିଁ ଫଣିନାଗ, ଟିକିଏ ବଙ୍କେଇ ହସିଲା । ଫଣିନାଗ ପୋଖତ କେଳୁଆ-ପ୍ରଥମରେ ସବୁ ନାଗ ଇମିତି ଟିକେ ଫଁ ଫଁ ହୁଅନ୍ତି-ଗଦ ପାଇଲେ ସବୁ ବଶ ହୋଇଯାଆନ୍ତି । ସେ ବିଜୟ ଆଡ଼କୁ ଭଲ କରି ଦୃଷ୍ଟି ପକାଇଲା-ଅନ୍ୟ ଦିନ ଓ ଆଜି ଭିତରେ ବିଜୟର ଚେହେରାରେ ଅନେକ ତଫାତ୍ ଦିଶୁଥିଲା-ଏ ବିଜୟ ସେ ବିଜୟ ନୁହେଁ । ମାଛ ବେପାରୀ ଆଇଁଷ ଗନ୍ଧ ବାରିପାରେ । ଗନ୍ଧରୁ ହିଁ ମାଛର ତଟକା ବାସି ବାଛିପାରନ୍ତି ସେମାନେ।
ଏମିତି ଅବସ୍ଥାରେ ମଣିଷମାନେ ହିଁ ତା’ର ଦୋକାନର ଖରିଦ୍ଦାର ହୋଇଥାନ୍ତି-ଫଣିନାଗ ବେଶ୍ ପରଖିପାରେ ତା’ର ଗରାଖମାନଙ୍କୁ-ସେ ଭୟ ନ କରି ପୁଣି ପାଖକୁ ଘୁଞ୍ଚି ଆସି କହିଲା-ବିଜୟ ଭାଇ ! ମୁଁ ନିଜେ, ନିଜ ହାତରେ ନେଇ ଆସୁଛି ।
ବିଜୟର କାନ ପାଖରେ ଫିସ୍ଫିସ୍ କରି କହି ଉଠିଲା ସେ-ତୁମେ କିଛି ଭାବ ନାହିଁ-ଯିବି ଆଉ ଆସିବି ।
ବିଜୟ ମୁଣ୍ଡ ଉଠାଇ ଚାହିଁଲା ଫଣିନାଗ ମୁହଁକୁ । ଦୋକାନର ଗେଟ୍ପାଖର ବତିଖୁଣ୍ଟରୁ ଆଲୋକ ପ୍ରତିଫଳିତ ହେଉଥିଲା ଫଣିନାଗର ତେଲୁଆ ଫୁଲ୍କା ଗାଲ ଉପରେ । ଘୃଣା ଓ ବିରକ୍ତିରେ କହି ଉଠିଲା-ରାକ୍ଷସ......।
ଫଣିନାଗ ଚମକି ଉଠିଲା । ବିଜୟ ଆଡ଼କୁ ଥରେ ଚାହିଁ ଦେଇ ପଛେଇ ଆସିଲା ଦୁଇ ପାହୁଣ୍ଡ ପଛକୁ । ବିଜୟର ରକ୍ତାକ୍ତ ଆଖି ଦୁଇଟିରୁ ଅଗ୍ନି ଉଦ୍ଗୀରଣ ହେଉଥିଲା ଯେମିତି ଏବଂ ତା’ର କଥାର ସ୍ୱର ମଧ୍ୟ ଅସ୍ୱାଭାବିକ ଶୁଭୁଥିଲା କାନକୁ । ମାଟି ଉପରେ ଥିବା ଗୋଡ଼ଟା ଭିତରକୁ ଉଠାଇ ନେଇ ସିଟ୍ ଉପରେ ସିଧାହୋଇ ବସି ପଡ଼ିଲା ବିଜୟ ।
-ସିଧା ସିଟ୍ପାଖକୁ ପଳା, ନ ହେଲେ...। କହି ଜୋର୍ରେ କବାଟଟା ବନ୍ଦ କରି ଦେଲା ବିଜୟ ।
ଫଣିନାଗ ଭୟ ପାଇଗଲା-କୁଆଡ଼କୁ ନ ଚାହିଁ ନିଜ ସିଟ୍ପାଖକୁ ପଳାଇ ଆସିଲା-କାରଣ ସେ ଜାଣେ, ଆଉ ବେଶୀ ହେଲେ ବିଜୟ ହାତରୁ ରକ୍ଷା ପାଇବା ମୁସ୍କିଲ୍ ହେବ ।
ଶୃଗାଳ ଭଙ୍ଗୀରେ ଫଣିନାଗ ଧାଇଁ ପଳାଇବାର ଦେଖି ବିଜୟ ମୁହଁରୁ ବାହାରି ପଡ଼ିଲା-ଧୂର୍ତ୍ତ ଭାଟିଦାର...। ସମସ୍ତଙ୍କୁ ମାତାଲ କରୁଛି, କିନ୍ତୁ ନିଜେ ମାତାଲ ହୁଏ ନାହିଁ । ବଡ଼ ଚତୁର ଅଛି ।
ଫଣିନାଗ ଅନେକ ବେଳୁ ପଳେଇଲାଣି । ନିଜ ଚେୟାର ଉପରେ ରାସ୍ତାପଟକୁ ମୁହଁକରି ବସିଛି । ଚତୁର ଆଖିର ଡୋଳା ଦୁଇଟି ରାସ୍ତା ଉପରେ ଘୂରିବୁଲୁଛି । ସନ୍ଦେହଜନକ ଜିପ୍ କି ଭ୍ୟାନ୍ ଦେଖିଲାକ୍ଷଣି ମେନ୍ସୁଇଚ ଅଫ୍ କରିଦେବ-ଯଥାଶୀଘ୍ର ନିବାରଣ ପଦାର୍ଥଗୁଡ଼ିକୁ ଅପସାରିତ କରି ରଖିବ । ବିଜୟ ଆଖି ବନ୍ଦ କରିବାକୁ ଚେଷ୍ଟା କରୁଥିଲା-କାନରେ ବାଜୁଥିଲା ବେଞ୍ଚ ଉପରେ ଲମ୍ବା ହୋଇ ଶୋଇ ରହିଥିବା ମାତାଲଟିର ମାତାଲାମି । ଅଶ୍ରାବ୍ୟ ଭାଷାରେ ଗାଉଁ ଗାଉଁ ହୋଇ ଚିତ୍କାର କରୁଛି କିମ୍ବା କିଛି ଗୋଟେ ଗୀତ ଗାଇବାକୁ ଚେଷ୍ଟା କରୁଛି ବୋଧହୁଏ ।
ବହୁଦିନ ତଳେ ଥରେ ଏହି ନିଶିହେନା କଥା ପଚାରି ଥିଲା ବିଜୟ । ନାଗ, ଏ ଝିଅଟି କେଉଁଠୁ ପାଇଲୁ ? କାରଣ ନିଶିହେନା ନିହାତି ସାଧାରଣ ଝିଅଙ୍କପରି ନ ଥିଲା ।
ନାଗ ହସିଲା-ଲାଜୁଆ ଢ଼ଙ୍ଗରେ କହିଲା-ଏ-ମାନେ ମୋର-କହି କଥା ଅଧାରେ ରହିଗଲା ।-ତା’କୁ ଏମିତି ଦୋକାନ ଭିତରେ ରଖିଛୁ କାହିଁକି ?
-ଏହା ନ ହୋଇ ଆଉ କ’ଣ ହୁଅନ୍ତା ବିଜୟ ଭାଇ ! ସବୁ ଭାଗ୍ୟ ।-ବିରକ୍ତ ହୋଇ କହିଲା ବିଜୟ-ମାନେ ?
-ମାନେ ଆଉ କ’ଣ, ଯେଉଁ ଝିଅ ବିବାହ ପୂର୍ବରୁ ପଦାକୁ ଗୋଡ଼ କାଢ଼ି ଅନ୍ୟ ପୁରୁଷ ସହିତ ବାହାରି ଆସେ, ମା’ ହେବାକୁ ଦ୍ୱିଧା ବା ସଙ୍କୋଚ କରେ ନାହିଁ, ସେ...।
ଆଶ୍ଚର୍ଯ୍ୟ ହୋଇ ବିଜୟ କହିଥିଲା-କ’ଣ କହୁଛୁ, ନିଶିହେନା ମା’ ହୋଇ ସାରିଛି ।
-ହଁ । ନିଶିହେନା ମା’ ହୋବାକୁ ଯାଉଥିଲା । କିନ୍ତୁ...ଉଷ୍ମ ସ୍ୱରରେ ବିଜୟ କହିଲା-ସେଥିପାଇଁ ତ ଦାୟୀ ତୁ । ତୁ ତା’କୁ ପଦାକୁ କାଢ଼ି ଆଣିଛୁ ।
ଦୀର୍ଘଶ୍ୱାସ ପକାଇଲା ନାଗ । -ହଁ, ଲୋକେ ସେହି କଥା ହିଁ କହିବେ । ପୁରୁଷକୁ ହିଁ ସମସ୍ତେ ଦୋଷୀ ସାବ୍ୟସ୍ତ କରିଥାଆନ୍ତି । କିନ୍ତୁ କିଏ ଯେ କାହାକୁ ପଦାକୁ ଟାଣି ଆଣେ ତାହା ଏବେ ମଧ୍ୟ ମୁଁ ବୁଝିପାରୁ ନାହିଁ । ହୁଏତ ପୁରୁଷର ଅନେକ ଦୋଷ ଦୁର୍ଗୁଣ ଭରି ରହିଛି । ମାନୁଛି ସେ କଥା । ତଥାପି, ଜଣେ ନାରୀ ହିସାବରେ କ’ଣ କିଛି ହେଲେ କର୍ତ୍ତବ୍ୟ ନ ଥିଲା ତା’ର ? ସାମାଜିକ ନିୟମ, ଧର୍ମ, ବିବେକ, ଭୟ କିଛି...?
-ନିଶିହେନାର ସନ୍ତାନ ?
-ନା, ସେ ଝାମେଲା ତୁଟି ଯାଇଛି ।
-ତା’କୁ ବିଭା ହେଲୁ ନାହିଁ କାହିଁକି ?
କେଜାଣି, କହି ଗମ୍ଭୀର ହୋଇଗଲା ନାଗ । ତାପରେ ଆସ୍ତେ କହିଲା, ସେହି ତ ମୁସ୍କିଲ ।
-ଏଥିରେ ପୁଣି ମୁସ୍କିଲ କ’ଣ ହେଲା ?
-ଏଇ, ଯେଉଁ ଝିଅ କୁଆଁରୀ ଦିନରୁ ମା’ ହୋଇ ସାରିଛି ତା’କୁ ନେଇ ଘରକରି ପାରିବି କି ନାହିଁ, ଭାବି ଠିକ୍ କରିପାରିଲିନି।
-ତୁମେ ତ ଦୁହେଁ ଦୁହିଁଙ୍କୁ ଭଲପାଉଥିଲ ?
ହାତର ଲିଭିଯାଇଥିବା ବିଡ଼ିଟା ତଳକୁ ଫୋପାଡ଼ି ଦେଲା ନାଗ । ଉଦାସ ସ୍ୱରରେ କହିଲା-ଏବେ ମଧ୍ୟ ଭଲ ପାଏ ନିଶିହେନାକୁ । କିନ୍ତୁ ଛାଡ଼, ସେ ବିରାଟ ଇତିହାସ । କଥାର ପୂର୍ଣ୍ଣଛେଦ ଟାଣି ନେଇଗଲା ଫଣିନାଗ।
ଦୋକାନର ମେନ୍ଗେଟ୍ ତାଲା ପଡ଼ିଗଲାଣି । ଭିତରର କୋଳାହଳ ଗାନା ବାଜଣା ମଧ୍ୟ ସୀମିତ । ଜାଫ୍ରିର ଫାଙ୍କ ନେଇ ଅଳ୍ପ କିଛି ଦୃଷ୍ଟିକୁ ଆସୁଥିଲା । ବାର୍ପାଖ ସୁଉଚ୍ଚ ଚେୟାର ପାଖରେ ଥାଇ ଫଣିନାଗର ସଂଧାନୀ ଚତୁର ଆଖି ଦୁଇଟି ଜୁଳୁଜୁଳିଆ ପୋକପରି ଦପ୍ଦପ୍ ହୋଇ ଜଳିଉଠୁଛି ।
-ନା, ବିଜୟ ଏ ପରିବେଶକୁ ଗ୍ରହଣ କରିପାରିବ ନାହିଁ । ଏଥିରେ ନିଜକୁ ଖାପ୍ ଖୁଆଇବା ମୁସ୍କିଲ୍ ତା’ ପକ୍ଷରେ ।
ବର୍ଷା ଟିକିଏ ବନ୍ଦଥିଲା । ପୁଣି ଥଣ୍ଡା ପବନ ସହିତ ବର୍ଷାଟା ଆରମ୍ଭ ହୋଇଗଲାଣି । ଟପ୍ଟପ୍ ହୋଇ ଛିଟିକାଗୁଡ଼ାକ ଦେହ ମୁଣ୍ଡକୁ ତିନ୍ତାଇ ଦେବାକୁ ଲାଗିଛି । ସନ୍ଧ୍ୟାଠାରୁ ଏଥରକ ମିଶାଇ ଭିଜିବା ତିନିଥର ହୋଇଗଲାଣି ବୋଧହୁଏ । ବର୍ତ୍ତମାନ ବେଶ୍ ଶୀତ ଅନୁଭବ କରୁଥିଲା ବିଜୟ ଏବଂ ଏହି ଶୀତ ଲାଗିବାକ୍ଷଣି କଲ୍ୟାଣମୟୀ ମା’ଙ୍କର କଥାଟା ମନେ ପଡ଼ିଗଲା । ଝରକାର କାଚଟା ଉଠାଇ ଦେବାକୁ ଯାଇ ଦେଖିଲା, ଡ. ଅବିନାଶ ଚାଟାର୍ଜୀ ନିଜର ଗାଡ଼ିଟି ଥୟ କରିନପାରି ତା’ର କାର୍ଆଡ଼କୁ ମାଡ଼ି ଆସୁଛନ୍ତି । ତାଙ୍କର ଚାଲିରୁ ଜଣାପଡ଼ୁଛି ସେ ନିଜ ଆୟତ୍ତରେ ନାହାନ୍ତି । ନ ଧରିଲେ ନିଶ୍ଚୟ କଚାଡ଼ି ହୋଇପଡ଼ିବେ । କ୍ଷିପ୍ର ଗତିରେ ବାହାରକୁ ବାହାରି ଆସି ଢଳିପଡ଼ୁଥିବା ଅର୍ଦ୍ଧଚେତନ ଅବିନାଶ ଚାଟାର୍ଜୀଙ୍କ ଦେହଟାକୁ ଧରିପକାଇଲା ବିଜୟ । ତାଙ୍କୁ ସିଟ୍ଉପରେ ଭଲକରି ଶୁଆଇ ଦେଲା ଏବଂ ସିଧା ଅବିନାଶ ଚାଟାର୍ଜୀଙ୍କ ଘର ଆଡ଼କୁ ଗାଡ଼ିଟି ବୁଲାଇ ନେଲା ।
କଲିଂବେଲ ଶୁଣି ଯେ ବାହାରି ଆସିଲେ ସେ ହେଉଛନ୍ତି ଅବିନାଶ ଚାଟାର୍ଜୀଙ୍କର ସ୍ତ୍ରୀ ଚାରୁଶୀଳା ଦେବୀ । ସୁନ୍ଦରୀ, ଶିକ୍ଷିତା, ବେଶ୍ ଲମ୍ବା, ରୁଚିପୂର୍ଣ୍ଣା ଆଭିଜାତ୍ୟର ଚିତ୍ରକଳାରେ ବିଭୂଷିତା । ବୟସ ଅନୁପାତରେ ଅନେକ କମ୍ ମନେ ହେଉଛନ୍ତି । ନିଦ୍ରା ଜଡ଼ିତ ଆଖି ଦୁଇଟି । ବିଛଣାରୁ ଉଠି ଆସିଲେ ବୋଧହୁଏ । ତାଙ୍କ ପଛରେ ଦୁଇ ଝିଅ, ପ୍ରାପ୍ତ ବୟସର । ପାହାଚ ଉପରୁ ସିଧା ଓହ୍ଲାଇ ଆସିଲେ ଗାଡ଼ି ପାଖକୁ । ତାଙ୍କର ଅବଲୀଳା ଭଙ୍ଗୀରେ ଚାଲି ଆସୁଥିବା ଦେଖି ବିଜୟର ମନେହେଲା ଏହା ଯେପରି ନୂଆ ନୁହେଁ । ଏଥିରେ ସେମାନେ ବହୁଦିନରୁ ଅଭ୍ୟସ୍ତା ।
ଗଦି ଉପରେ ଅଚେତନ ଅବସ୍ଥାରେ ପଡ଼ିରହିଛନ୍ତି ପ୍ରଫେସର ଅବିନାଶ ଚାଟାର୍ଜୀ ଏଫ.ଆର.ଏସ୍., ହାର୍ଟ ସ୍ପେଶାଲିଷ୍ଟ । ଅଦ୍ୱିତୀୟ ନାମକରା ଡାକ୍ତର, ଯିଏ କି ସଫଳଭାବରେ ଓପନ୍ହାର୍ଟ ଅପରେସନ୍ କରିପାରନ୍ତି । ସେହି ଅପରେସନ୍ ଥିଏଟର ଭିତରର ପ୍ରଫେସର ଚାଟାର୍ଜୀ ଓ ବର୍ତ୍ତମାନର ଅବିନାଶଙ୍କ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ବିଜୟ ସାହାଯ୍ୟରେ ବେଡ଼୍ରୁମ୍ ଭିତରକୁ ତାଙ୍କୁ ନେଇଆସିଲେ ସମସ୍ତେ । ମୋଟା ଗଦି ଉପରେ ଅବିନାଶଙ୍କୁ ଲୋଟାଇଦେଲା ପରେ ଅଳ୍ପ ସମୟପାଇଁ ଛିଡ଼ା ହୋଇପଡ଼ିଥିଲା ବିଜୟ । ସେହି ଅବସରରେ କୋଠରି ଭିତରେ ଅଳ୍ପ ସମୟପାଇଁ ଆଖି ବୁଲାଇ ଆଣିଥିଲା ।
ବୁଝିପାରେନା ବିଜୟ । ଏହି ମଣିଷ, ସୁନ୍ଦରୀ ସ୍ତ୍ରୀ, ପୁତ୍ର, କନ୍ୟା, କୋଠାବାଡ଼ି, ଗାଡ଼ି, ପ୍ରତିପତ୍ତି ପାଇ ମଧ୍ୟ ଇମିତି ମାତାଲ ହୁଅନ୍ତି କାହିଁକି ?
ଘରକୁ ଫେରିବା ବାଟରେ ଏହି କଥା ବାରମ୍ବାର ଭାବୁଥିଲା ସେ । ସେ ଗେଟ୍ଖୋଲି ଭିତରକୁ ପଶିବା ଆଗରୁ ରାସ୍ତା ଉପରେ ଥାଇ ମା’ର ସଫେଦ ଥାନ ପରିହିତା ତପସ୍ୱିନୀ ମୂର୍ତ୍ତି ଦେଖିପାରୁଥିଲା । ଭୋର୍ର ଚଢ଼େଇଗୁଡ଼ିକ ଡାକି ସାରିଥିଲେ । ଚାରିଆଡ଼ ଫର୍ଚ୍ଚା ହୋଇଆସୁଥିଲା । ସେ ସ୍କୁଲ ନ ଯାଇ ଦିନ ତମାମ ବୁଲିଥିବା ଅପରାଧୀ ଛାତ୍ରଟିପରି କଲ୍ୟାଣମୟୀ ଶ୍ରୀମୟୀଙ୍କ କୋଳ ପାଖରେ ଆଣ୍ଠେଇ ପଡ଼ିଲା ।
-ମା ! ରାତିରେ ଶୋଇନୁ ? ବାରଣ୍ଡାରେ ଜଗି ବସିଛୁ ?
ଆରାମ ଚେୟାରରେ ଆଉଜି ବସିଲେ ଶ୍ରୀମୟୀ; ସେମିତି ବସି ରହି କହିଲେ-ଉପାୟ କ’ଣ ନ ବସି ! ସନ୍ତାନବତ୍ସଳା ଜନନୀଙ୍କର କଣ୍ଠରେ ଅଭିମାନ ଭରିରହିଥିଲା । ଲୋତକପୂର୍ଣ୍ଣ ଚକ୍ଷୁ ଦୁଇଟି ଫେରାଇ ନେଲେ-କହିଲେ ଏତେ ସମୟ ଧରି ସାରା ରାତି କେଉଁଠି ଥିଲୁ ?
ମା’ କୋଳରେ ମୁଣ୍ଡ ରଖି ବିଜୟ କହିଲା-ମୁଁ କ’ଣ ପିଲା ହୋଇଛି, ତୁ ନ ଶୋଇ ଦରଜା ଖୋଲି ଚାହିଁ ବସିଛୁ ? ଇମିତି ହେଲେ ତୋର ଦେହ ଖରାପ ହେବ ନି......?
-ମୋର ଆଉ ଦେହ...., ଉଠି ଛିଡ଼ାହେଲେ ଶ୍ରୀମୟୀ । ବିନିଦ୍ର ଶାନ୍ତ ଆଖି ପତା ତଳେ କଳା ପଡ଼ି ମ୍ଳାନ ଦିଶୁଛି ତାଙ୍କର ମୁହଁ । ଭିତରକୁ ଚାଲି ଯାଉ ଯାଉ କହିଲେ-ଏ ପୋଡ଼ା ଶରୀରର ସେ ସୌଭାଗ୍ୟ କାହିଁ ? ଯମ ଦେବତା ଭୁଲିଛନ୍ତି, ରୋଗବୈରାଗ ଛୁଇଁବ ନାହିଁ ଏ ଦେହକୁ ।
ମା’ଙ୍କର ପଛେ ପଛେ ବିଜୟ ମଧ୍ୟ ଭିତରକୁ ଆସିଲା । ମା’ ବାରଣ୍ଡାରେ ଥିବା ହିଟର ଲଗାଇଲେ । ବିଜୟ ଗତ ଦିନର ଓଦା ପେଣ୍ଟ ସାର୍ଟ ଓହ୍ଲାଇ ପକାଇଲା । ଶ୍ରୀମୟୀ ଗରମ ଚା’ କପେ ବିଜୟ ହାତକୁ ଧରାଇ ଦେଇ ବାଥ୍ରୁମ୍ ଭିତରକୁ ପଶିଗଲେ ନିତ୍ୟକର୍ମ ଶେଷ କରିବାକୁ ।
ଚା’ପାନ ଶେଷକରି ବିଜୟ ମଧ୍ୟ କୋଡ଼ି ଓ ହେଜିଂକଟା କଇଁଚିଟା ଧରି ବଗିଚାକୁ ବାହାରିଗଲା । ମା’ ଓ ପୁଅର ସଂସାର । ଆଉ ତ କେହି ନାହାନ୍ତି । ସାନଭାଇଟାକୁ ମଧ୍ୟ ପଢ଼ାର ସୁବିଧାପାଇଁ ବାହାରକୁ ପଠାଇ ଦେଉଛି । ସେ ଥିଲେ ସ୍କୁଲ କଲେଜର ଯେ ଝମେଲା ଥିଲା-ଏବେ ତା’ ମଧ୍ୟ ନାହିଁ । ସବୁ ନିରବ, ଶୂନ୍ଶାନ୍। ସବୁ ବ୍ୟବସ୍ଥା ବିଜୟ କରିସାରିଥିଲା । ଭାଇର ପଢ଼ାର ଖର୍ଚ୍ଚ ମଧ୍ୟ ବ୍ୟାଙ୍କରେ ଫିକ୍ସଡ଼୍ ଡିପୋଜିଟ୍ କରିଦେଇଛି । ପଛକୁ କିଛି ଅଡ଼ୁଆ ରଖି ନ ଥିଲା ବିଜୟ । ମନବୀଣା ଏ ଘରକୁ ଆସିଲେ ଯିମିତି କିଛି ଅସୁବିଧା ନ ହୁଏ ! ନୂଆ ହୋଇ ବସାଇଥିବା ଟିଉବ୍ୱେଲ୍ ଆଡ଼କୁ ଚାହିଁ ଦୀର୍ଘନିଶ୍ୱାସ ପକାଇଲା ବିଜୟ ।
ମେହେନ୍ଦି ବାଡ଼ଆଡ଼କୁ ଯାଇ ଦେଖିଲା ସେଗୁଡ଼ିକ ବେଶ୍ ବଢ଼ିଯାଇଛି । ଲମ୍ବା ଲମ୍ବା କଅଁଳିଁଆ ଡାଳରେ ପେନ୍ଥା ପେନ୍ଥା ଫୁଲଫଳରେ ଲେସି ହୋଇରହିଛି । ଏ କେଇଦିନ ନାନା ପ୍ରକାର ଝାମେଲାରେ ଏ ପଟକୁ ଆସି ପାରିନଥିଲା । ବଗିଚାରେ କିଛି କାମ କରିବାକୁ ସମୟ ମୋଟେ ପାଇନି, ଘାସ ଅନାବନା ଗଛରେ ଜଙ୍ଗଲ ହୋଇଯାଇଛି ବଗିଚା ଭିତରଟା । କଇଁଚିଟାରେ ଡାଳଗୁଡ଼ିକୁ ସମାନ କରୁ କରୁ ଫୁଲଗୁଡ଼ିକୁ ଆଉଁସିଦେଲା, ଭାବିଲା ଏହି ଡାଳ, ଗଛର ସେବାରେ ତା’ର ଜୀବନ ବିତିଯିବ ବୋଧହୁଏ । ଯାଉ, କ୍ଷତି କ’ଣ ?
ଏହା ହିଁ ଯଦି ନିୟତିର ଇଚ୍ଛା ତେବେ ଏତେ ଅନ୍ତର୍ଦାହ କାହିଁକି ତା’ ହୃଦୟରେ । କାହିଁକି ତେବେ ନିଶୂନ୍ ରାତ୍ରିରେ କିଛି ଗୋଟାଏ ପାଇବାର ଦୁର୍ବାର କାମନା ଜାଗ୍ରତ ହୁଏ ? କାହିଁକି ଏ ମହାଶୂନ୍ୟ ତାର ହାହାକାର ତାକୁ ଗ୍ରାସ କରିପକାଉଛି ? ବେଶ୍ ତ ଥିଲି, ତୁମର ସ୍ମୃତିର ପୂଜାରେ ଦିନ ବିତିଯାଉଥିଲା, ପୁଣି କ’ଣପାଇଁ ଆସି ଦେଖାଦେଲ ମନବୀଣା ? ତୁମେ ପରଶମଣି । ବାନର ଗଳାରେ ଶୋଭା ପାଇବନି, ଏକଥା ଜାଣି ମଧ୍ୟ.... । ମନବୀଣା ! ତୁମେ ବହୁତ ସରଳ-ଏ ସଂସାର ବଡ଼ ଜଟିଳ । ତୁମେ ବୁଝିବନି ବାଟବଣା ହୋଇଯିବ, ବିଜୟର କ୍ଷମତା ନାହିଁ ତୁମକୁ ଆଲୋକମୟ ସିଧା ସଡ଼କ ଉପରକୁ ଆଣି ଛିଡ଼ା କରାଇବ ।
ଗୋଲାପର ବୁଦାଗୁଡ଼ିକ କୋଡ଼ୁଥିଲା ବିଜୟ । ଧଇଁସଇଁ ହୋଇଯାଉଥିଲା । ସୂର୍ଯ୍ୟର ତାପମାତ୍ରା ମଧ୍ୟ ବଢ଼ିଗଲାଣି । ଲଲାଟରୁ ଗମ୍ଗମ୍ହୋଇ ଝାଳ ନିଗିଡ଼ି ପଡ଼ୁଛି । ହେଲେ ବିଜୟ ଶ୍ରମକୁ କେବେ ପରବାୟ କରେନା, ସିଂହର ଶକ୍ତି ତା’ର ବାହୁ ଦୁଇଟିରେ । ଅସୀମ ସାହସ ତା’ର ବକ୍ଷର ଅଭ୍ୟନ୍ତରରେ । ସେ କାମ ପାଗଳ; କାମ ଥିଲେ ସେ ଆନନ୍ଦରେ ନାଚିବୁଲେ । ଗୋଟାଏ ବଡ଼ ମାଟି ହୁଡ଼ା ଭାଙ୍ଗିବାକୁ କୋଡ଼ିଟା ଦୁଇ ହାତରେ ଉଠାଇ ଧରିଲା ବିଜୟ, କିନ୍ତୁ ହଠାତ୍କ’ଣ ହେଲା କୋଡ଼ିଟା ଖଣ୍ଡେ ଦୂରକୁ ହାତରୁ ଖସି ଛିଟିକି ପଡ଼ିଲା । ବିଜୟ ମଧ୍ୟ ମା’ଗୋ କହି ଚିହିଁକି ଉଠିଲା । ଓଃ କହି ଶଙ୍ଖନଳୀଟାକୁ ଦୁଇ ହାତରେ ଚିପିଧରି ବସିପଡ଼ିଲା ହୁଡ଼ାଟା ଉପରେ । ତଣ୍ଟି ଭିତରେ ବିଷର ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲା ସେ । କ’ଣ ହେଲା ପୁଣି ? ଆଉ କେବେ ଇମିତି କଷ୍ଟ ହୋଇଥିଲା କି ? ମନେପକାଇବାକୁ ଚେଷ୍ଟା କଲା ସେ । ଆଉ କାମ କରି ହେଲା ନାହିଁ । ଭିତରକୁ ଚାଲିଆସିଲା । ମା’ ଠାକୁରଘରେ ପୋଥି ପଢ଼ୁଛନ୍ତି । ଆଜି ଶୁକ୍ରବାର । ମା’ ସନ୍ତୋଷୀଙ୍କ ବ୍ରତ କରୁଛନ୍ତି ମା’ । କେଜାଣି କ’ଣ ମନାସି ଘଟ ଉପରେ ଗୁଆ ବସାଇଛନ୍ତି । ଝୁଣାଧୂପର ବାସନା ଭରପୂର ପୂଜାମଣ୍ଡପ, ଘିଅଦୀପ ଶିଖାକାଟି ଜଳୁଛି, ମା’ ଏକାଗ୍ର ମନରେ ପୋଥି ଗାଉଛନ୍ତି, ତାଙ୍କର ଆଖିରୁ ଝର ଝର ଲୁହ ବୋହିଯାଉଛି । ସତେ କ’ଣ ମା’ ସନ୍ତୋଷୀ ଶୁଣୁଛନ୍ତି ଭକ୍ତଗଣଙ୍କର ପ୍ରାର୍ଥନା ? ମା’ଙ୍କର ମନସ୍କାମ କ’ଣ ସତରେ ପୂର୍ଣ୍ଣ କରିବେ ଦେବୀ ସନ୍ତୋଷୀ ? ମା’ ଗାଉଛନ୍ତି-ମନବାଞ୍ଛା ମା’ ସନ୍ତୋଷୀ ପୂର୍ଣ୍ଣ କରନ୍ତି-କଲେ ତାଙ୍କ ଶ୍ରୀଚରଣରେ ଭକତି..........।
ବିଜୟ ଶୁଣୁ ଶୁଣୁ କ୍ଳାନ୍ତ ହୋଇ କାନ୍ଥକୁ ଆଉଜି ବସିପଡ଼ିଲା । ଗଳା ଭିତରର ଯନ୍ତ୍ରଣାରେ ଆଖି ବୁଜିଲା । ମନେ ମନେ କହିଲା ମା’ଗୋ-ବିଜୟ ତୋର ବଡ଼ ଅଯୋଗ୍ୟ ସନ୍ତାନ । ତୋର କିଛି କରିପାରିଲା ନି, ତୁ ତା’କୁ କ୍ଷମା କର ।
-ବିଜୁ ବିଜୁରେ....।
ଡାକ ଶୁଣି ଧଡ଼୍ପଡ଼୍ହୋଇ ଉଠି ବସିଲା ବିଜୟ...
-ଏଯାଏ ଗାଧୋଇନୁ ?
-ମା’ଙ୍କ ହାତରେ ଚରଣାମୃତ, ବିଜୟ ଛିଡ଼ା ହୋଇପଡ଼ିଲା ।
-କହିଲା ଏଇ ଯେ ଯାଉଛି କହି ଗାଧୋଇବାକୁ ଚାଲଗଲା । ମା’ କେତେବେଳେ ପୂଜା ଶେଷକରି ସାରିଲେଣି ଜାଣି ପାରିନଥିଲା ବିଜୟ । ବସୁ ବସୁ ଆଖିପତା ଲାଗି ଯାଇଥିଲା ତା’ର । ଯଥା ଶୀଘ୍ର ଦୁଇ ଢାଳ ପାଣି ଦେହମୁଣ୍ଡରେ ଅଜାଡ଼ି ହୋଇ ବାହାରି ଆସିଲା । ଜଳଖିଆ ଟେବୁଲ୍ରେ ଅନେକ ପ୍ରକାର ସୁଖାଦ୍ୟ ପରିବେଷଣକରି ମା’ ବିଜୟକୁ ଅପେକ୍ଷାକରି ଛିଡ଼ା ହୋଇଛନ୍ତି । ରାତିରୁ ପୁଅ କିଛି ଖାଇ ନାହିଁ । ବିଜୟ ଟେବୁଲକୁ ଚାହିଁଦେଇ ଚମକି ଉଠିଲା । ବିଭିନ୍ନ ପ୍ରକାର ଖାଦ୍ୟର ସମ୍ଭାର ଦେଖି ହଲକ ଶୁଖିଗଲା ତା’ର । ହାତଟା ଆପେ ଗଳାର ଦରଜ ଉପରେ ବୁଲିଆସିଲା ।
କ’ଣରେ ! ବସି ଖାଉନୁ କାହିଁକି ? ମା’ ଗିନାରେ ପାୟସ ଢାଳିବାକୁ ଆରମ୍ଭ କଲେ ।
ଉପାୟ ନାହିଁ, ଦରଜ କଥା କହିଲାକ୍ଷଣି ବ୍ୟସ୍ତ ହୋଇଉଠିବ ମା’ । ନାନାପ୍ରକାର ପ୍ରଶ୍ନ-କ’ଣ ହେଲା? କେବେଠୁ ହେଲାଣି ? ଡାକ୍ତର ଦେଖାଇନୁ କାହିଁକି ? ଆ ଟିକେ ସେକ ଦିଏ-ଗରମ ଲୁଣ ଦେଇ । ନା, ଅଯଥାରେ ଶ୍ରୀମୟୀଙ୍କୁ କଷ୍ଟ ଦେବାକୁ ଚାହିଁଲା ନାହିଁ ବିଜୟ । ବହୁ କଷ୍ଟ ସ୍ୱୀକାରକରି ଖାଦ୍ୟଗୁଡ଼ିକୁ କିଛି କିଛି ଉଦରସ୍ଥ କରିବାକୁ ଲାଗିଲା । ଶ୍ରୀମୟୀ ଆଜି ଟିକିଏ ବ୍ୟସ୍ତ ଅଛନ୍ତି ଠାକୁରଙ୍କର ପୂଜା ଇତ୍ୟାଦି ନେଇ, ତେଣୁ ବିଜୟର ଖାଇବା ପାଖରେ ବେଶି ସମୟ ରହିପାରୁ ନାହାନ୍ତି । ନହେଲେ ଖାଇବା ଢଙ୍ଗ ଦେଖି ପଚାରନ୍ତେ ଇମିତି ଖାଉଛୁ କାହିଁକି ? କିଛି ଭଲ ହୋଇନି କି ? କୌଣସି ପ୍ରକାର ସବୁ ଶେଷକରି ବାହାରକୁ ଯିବାକୁ ପ୍ରସ୍ତୁତ ହୋଇ ମା’ଙ୍କୁ କହିଲା-ମୋର ଆଜି ଫେରିବାକୁ ଡେରି ହେବ ମା’ ତୁ ଚିନ୍ତା କରିବୁ ନାହିଁ । ଶ୍ରୀମୟୀ ଟିକିଏ ବ୍ୟସ୍ତ ହେବାପରି କହିଲେ, କ’ଣ ତୁ ଦି’ ପହରରେ ଘରେ ଖାଇବୁନି ?
-କୁଣ୍ଠିତ କଣ୍ଠରେ ବିଜୟ ଉତ୍ତର ଦେଲା ନା, ମାନେ ମୁଁ ଆଜି ଟିକିଏ କାମରେ ବାହାରକୁ ଯାଉଛି ।
-ଖାଇବୁ କେଉଁଠି ?
-ମୁଁ ଖାଇ ନେବିନି ? ତୋ ପୁଅକୁ କ’ଣ ଖାଇବାକୁ ଅଭାବ ଅଛି ? ବିଜୟ ହାଲୁକା ହେବାକୁ କହିଲା।
-ଆସୁଛି ତେବେ ।
-ହେଉ, ଶ୍ରୀମୟୀଙ୍କର ନିରାଭରଣ ହାତ ଦୁଇଟି ଉପରକୁ ଉଠିଗଲା । ମା’ ଭଗବତୀ ତୋର ମଙ୍ଗଳ କରନ୍ତୁ ।
ରାସ୍ତା ଉପରକୁ ଚାଲି ଆସିଲା ପରେ ବିଜୟ ଭାବୁଥିଲା ଆଜି ଗୋଟିଏ ଦିନ ଯାହାକି ମା’ଙ୍କୁ ମିଥ୍ୟା କଥା କହି ଘରୁ ପଦାକୁ ଗୋଡ଼ କାଢ଼ିଲା । ପଛକୁ ବୁଲି ଚାହିଁଲା, ଗେଟ୍ର ବାଡ଼ ଉପରେ ହାତରଖି ମା’ ଛିଡ଼ା ହୋଇଛନ୍ତି । ଚାହିଁ ରହିବେ ବିଜୟର ଯିବା ପଥକୁ । ବିଜୟର ଶରୀରଟି ଲୁଚିବା ପର୍ଯ୍ୟନ୍ତ ସେମିତି ଚାହିଁ ରହିଥିବେ, ଯେତେବେଳେ ଆଉ ଦିଶିବ ନାହିଁ । ବିଜୟ ଅଦୃଶ୍ୟ ହୋଇଯିବ, ତାଙ୍କର ଦୃଷ୍ଟି ପଥରୁ, ଗେଟ୍ବନ୍ଦ କରି ଭିତରକୁ ଆସିବେ । ଘରର ସାନବଡ଼ କାମ ସାରିବେ, ବିଜୟର ସାର୍ଟ, ଲୁଗା ନିଜେ ଧୋଇବେ, ତା’ପରେ ଅଳ୍ପ କିଛି ଆହାର କରିବେ । ସବୁ ନିଜ ହାତରେ କରିବେ ମା’ । ବିଜୟ କେତେଥର କହିଛି, ଗୋଟେ ସାହାଯ୍ୟ କରିବାକୁ ପିଲା ରଖିବାକୁ । ସେ ମଙ୍ଗନ୍ତି ନାହିଁ, କୁହନ୍ତି ଦୁଇଜଣର ସଂସାର, ଯେଉଁ ତ କାମ, ସେଥିରେ ପୁଣି ଲୋକ ରଖିଲେ ବସି ବସି ପଙ୍ଗୁ ହୋଇଯିବି ଯେ ! ଆଉ ଦରକାର ନାହିଁ ।
ମା’ ଏବେ ଗୃହକାର୍ଯ୍ୟ ସମାପନକରି ଅଳ୍ପ କିଛି ଖାଇଥିବେ । ତା’ ପରେ ହାତରେ ରାମାୟଣଟି ନେଇ ଚୌକି ଉପରେ ବସିସାରିବେଣି । ଆଖିରେ ସେହି କଳା ଚଷମାଟି ଲୁଚାଇଥିବେ । ଏତେ ଦୂରରେ ରାସ୍ତା ଉପରେ ଥାଇ ସୁଦ୍ଧା ବିଜୟ ଦେଖିପାରୁଛି ଯେପରି । ମା’ ତାର କେତେ ଭଲ, କେତେ ଉଦାର ତାଙ୍କ ହୃଦୟ ।
ଏବେ ଯେଉଁ ପ୍ଳଟ୍ଖଣ୍ଡିକ ନେଇଛି ମୋଟର ମେକାନିକ୍ ୱାର୍କସପ୍ କରିବାକୁ ସେଇଠି କିଛି ସମୟ ରହି କାର୍ଯ୍ୟ ତଦାରଖ କଲା । ସେଡ୍ଟି ପୂରା ହୋଇସାରିଛି । ଗେରେଜରୁ ବେଶି ଦୂର ନୁହେଁ, ଅର୍ଡର ପାଇବାକୁ ଅସୁବିଧା ମଧ୍ୟ ହେବନାହିଁ । ଛୋଟ ହେଲେ ମଧ୍ୟ ଲୋକେସନ୍ଟି ଭଲ । ମେକାନିକ୍ ଓ ହେଲ୍ପର୍ ଦୁଇ ତିନି ଜଣ ରହିବେ । ବର୍ତ୍ତମାନ ଇଲେକ୍ଟ୍ରିକ୍ କାମ ଚାଲିଛି । ଆଉ ପାଞ୍ଚ ସାତ ଦିନ ଭିତରେ ସବୁ ଶେଷ ହୋଇଯିବ । ତା’ ପରେ କାମ ଚାଲୁ ହେବା କଥା-କିଛି କିଛି ସାମଗ୍ରୀ ମଧ୍ୟ ଆସିଯାଇଛି । ହେଲେ ବିଜୟ ମନରେ ଉଦ୍ଦୀପନା ନାହିଁ, ଆଗ୍ରହ ନାହିଁ । ସବୁ କିମିତି ଶିଥିଳ ସ୍ପୃହାହୀନ ମନେ ହେଉଛି । ବିଜୟ ସ୍ୱଗତୋକ୍ତି କଲା-ମନବୀଣା ତୁମେ କହିପାରିବ-ବିଜୟର ସବୁ ପ୍ରସ୍ତୁତି ପରେ ଏମିତି ହୋଇଯାଇଛି କାହିଁକି ? ୱାର୍କସପ୍ରୁ ବାହାରି ଅଫିସ ଗେରେଜକୁ ଆସିଲା, ଅନେକ ଦିନ ପରେ-ଚାକିରିରୁ ଇସ୍ତଫା ଦେବାର ପ୍ରାୟ ଚାରି ମାସ ପରେ ଆଜି ଆସୁଛି ପୁଣି ।
ବିଜୟ ଦେଖିଲା ମାତ୍ରକେ ସହକର୍ମୀଗଣ ଆନନ୍ଦରେ ଚିତ୍କାର କରି ଉଠିଲେ । ବିଜୟ ଭାଇ କହି କେହି କେହି କୁଣ୍ଢାଇ ପକାଇଲେ ମଧ୍ୟ । ନନ୍ଦ ଡ୍ରାଇଭର ଟୁଲ ଛାଡ଼ି ଉଠି କହିଲେ-ବସ ବିଜୟ ଭାଇ, ଅନେକ ଦିନରୁ ଦେଖା ନାହିଁ, ଆମକୁ ଭୁଲିଗଲ ଏକାବେଳକେ । ଲାଲ ସିଂ କାନ୍ଦି ପକାଇଲେ-ବିଜୟ ଭାଇ ! ତୁମେ ନାହଁ, ଆମ କଥା ବୁଝିବାକୁ କେହି ନାହାନ୍ତି-ସତରେ ତୁମେ ଚାକିରି ଛାଡ଼ିଦେଲ ?
ବିଜୟ ଲାଲ ସିଂର ପିଠିରେ ହାତ ବୁଲାଇଲା, କହିଲା-ଭଲ ଅଛ ତ ?
-ଆଉ ଭଲ କ’ଣ ? ଦି ଦିନ ବସୁଛି ତ ଦିନେ କାମ ।
-କାହିଁକି ?
ଦାସ କହିଲା-ଆଉ ଆମ କଥା ପଚାରୁଛି କିଏ ? ବିଜୟ ଭାଇ ବର୍ତ୍ତମାନ ୱାର୍କ୍ସ୍ ମେନେଜର-ଚା’ ଆସି ଯାଇଥିଲା, ବିଜୟ ଗ୍ଳାସ୍ଗୋଟେ ଉଠାଇ ନେଲା । ନନ୍ଦ କହିଲା-ତୁମେ ପରା ଭଲ ପାଅ ବୋଲି ଆଣିଲି।
ବିଜୟ ଦୀର୍ଘନିଃଶ୍ୱାସ ଛାଡ଼ିଲା, କେତେ ଭଲ ପାଆନ୍ତି ଏମାନେ । ସବୁ ଯେମିତି ଦୂରେଇ ଯାଉଛି ବିଜୟ ପାଖରୁ କିମ୍ବା ସେ ନିଜେ ସବୁ ଛାଡ଼ି ହଜିଯିବାକୁ ଚାହୁଁଛି । ଥରକୁ ଥର କହି ହେଉଛି-ମନବୀଣା ଏସବୁ ତୁମପାଇଁ କେବଳ ତୁମରିପାଇଁ ।
କିରଣ ଘରେ ପହଞ୍ଚିଲାବେଳକୁ ଅନେକ ବେଳ ହୋଇଯାଇଛି, କିରଣ ଅଫିସ୍ ଯିବାକୁ ତିଆରି ହେଉଛି । ବିଜୟକୁ ଦେଖି ସ୍ୱାମୀ ସ୍ତ୍ରୀ ଦି‘ଜଣଯାକ ଖୁସି ହୋଇଉଠିଲେ ।
ମଣିମାଳା କହିଲା, ଆଜି କି ପରମ ଭାଗ୍ୟ ବିଜୟ ଭାଇ ତୁମେ ଆସିଛ । କିରଣ ସାର୍ଟଖଣ୍ଡିକ ଚେଆର ଉପରେ ଥୋଇଦେଇ କହିଲା-ବସ ।
ବିଜୟ ବସିଲା ।
-କିଛି ନୂଆ ଖବର ନିଶ୍ଚୟ, ନୋହିଲେ ଏ ଅସମୟରେ ଆସନ୍ତନି-କୁହ କୁଆଡ଼େ ଆସିଲ ? ମଣିମାଳା ଝଙ୍କାରି ଉଠିଲା, ଥାଉ ତୁମର ବକର ବକର, ଘରକୁ ଅତିଥି ଆସିବାକ୍ଷଣି ୟାଙ୍କର ଜେରା ଆରମ୍ଭ ହୋଇଗଲା । ଚା’ ନାହିଁ, ପାନ ନାହିଁ ଆଗ କାରଣ କୁହ । ବିଜୟ ଭାଇ ମୁଁ ଭାତ ବାଢ଼ୁଛି, ତୁମେ ଦୁହେଁ ହାତ ମୁହଁ ଧୋଇ ଖଞ୍ଜାକୁ ଆସ । ଚଞ୍ଚଳା ମଣିମାଳା ରୋଷେଇ ଖଞ୍ଜାକୁ ଚାଲିଗଲା । ବିଜୟ ଚେୟାର ଉପରେ ବସିପଡ଼ିଲା ।
ବିଜୟ ବସିସାରିଲା ପରେ କିରଣ ନିଜର ଡାହାଣ ହାତଟା ନେଇ ବିଜୟର ଗୋଟିଏ ହାତ ଉପରେ ରଖିଲା । ବେଶ୍ ଖୁସି ମେଜାଜ ନେଇ କହିଲା-ତାହାହେଲେ କୁହ ତୁମ ହୁହିଁଙ୍କର ଏନ୍ଗେଜମେଣ୍ଟର ସୁଖବରଟା?
ହସିବାକୁ ଚେଷ୍ଟା କଲା ନାହିଁ ବିଜୟ । ଉଦାସ ଆଖି ତୋଳି ଚାହିଁଲା କିରଣର ମୁହଁକୁ, ଧୀର କଣ୍ଠରେ କହିଲା-ଆଉ ହେଲା କାହିଁ ?
-ମାନେ ? ଆଶ୍ଚର୍ଯ୍ୟରେ ଭ୍ରୂକୁଞ୍ଚିତ କଲା କିରଣ । ସେଦିନ ସବୁ ସିଦ୍ଧାନ୍ତ କଲା ପରେ କ’ଣ ଅଧା ବାଟରୁ ଫେରି ଆସିଲ ? ଯାଇନ ମନବୀଣାଙ୍କ ବସାକୁ ?
-ଯାଇଥିଲି !
ଖତେଇ ଉଠିଲା କିରଣ-ଯାଇଥିଲି ! କହିପାରିଲନି ? ଏଇଆ ତ ?
-ହଁ, କିରଣ ! ଗମ୍ଭୀର ଗଳାରେ ବିଜୟ ଉତ୍ତର ଦେଲା-ସେମିତି ଫେରି ଆସିବାକୁ ପଡ଼ିଥିଲା ।
-କାରଣଟା ଜାଣି ପାରେ କି ? ପୂର୍ବର ସ୍ୱର ବଜାୟ ରଖି କହିଲା କିରଣ ।
-ଥଟ୍ଟା କରୁଛୁ ? ତୁ ହୋଇଥିଲେ ମଧ୍ୟ....
-ତୁଣ୍ଡରୁ କଥା ଛଡ଼ାଇ ନେଇ କହିଲା କିରଣ-ଫେରିଆସିଥାନ୍ତି ? ଏଇଆ ତ ? କିନ୍ତୁ କାହିଁକି ? କ’ଣ ପାଇଁ ?
-ସବୁ ନିୟତିର ଇଚ୍ଛା । ନୋହିଲେ ସବୁ ପ୍ରସ୍ତୁତି ପରେ.........?
ରୁହ ବିଜୟ ଭାଇ । ଉତ୍ତ୍ୟକ୍ତ ଶୁଭୁଥିଲା କଣ୍ଠସ୍ୱର, କିରଣ ଝୁଙ୍କି ଆସିଲା ପାଖକୁ-ତୁମର ଏହି କୁହୁଡ଼ି ଘେରା ଜାଲଜାଲୁଆ କଥା ମୋ ମୁଣ୍ଡଭିତରେ ପଶୁନାହିଁ । ଦୟାକରି ଟିକିଏ ପରିଷ୍କାର ହୋଇଯାଅ । ମାନେ ସଫା ସଫା କହିଲ-ସେ ଦିନ ଆମ ଘରୁ ଚା’ପାନ ପରେ ସ୍ଥିର ନିଶ୍ଚିତ ମନରେ ତାଙ୍କର ଫ୍ଳାଟକୁ ଯାଇଥିଲ ତୁମର ମତାମତ କହିବାପାଇଁ । ହଠାତ୍ କ’ଣ ଏମିତି ପରିସ୍ଥିତି ହୋଇଗଲା ଯାହାଦ୍ୱାରା କି ତୁମ ଜୀବନର ସବୁଠାରୁ ସିରିୟସ୍ କଥାଟା ବି କହିପାରିଲ ନାହିଁ ?
-ସେଇ ତ । ସିରିୟସ୍ ବୋଲି ହିଁ........।
ଧେତ୍.....ବାଜେ କଥା ଶୁଣିବାର ସମୟ ନାହିଁ ମୋର । ମୁଁ ପଚାରୁଛି ଏତେ ଦିନର ପ୍ରସ୍ତୁତିକୁ ତୁମେ ଏଡ଼ିଦେଇ ଫେରି ଆସିଲ କିପରି ? କେଉଁ ପ୍ରତିବନ୍ଧକ ଆସି ତୁମର କଣ୍ଠ ଦ୍ୱାରଦେଶରେ ତାଲା ପକାଇଦେଲା ? କେଉଁଥିପାଇଁ ତୁମର ସ୍ୱର ଫିଟିଲା ନାହିଁ ? ଆଶ୍ଚର୍ଯ୍ୟ !
-ରାଗୁଛୁ କାହିଁକି ? କରୁଣତା ଫୁଟି ଉଠୁଥିଲା ବିଜୟର କଣ୍ଠରେ ।
ରାଗିବି ନାହିଁ, ନାଚିବି ? ହେ ବନ୍ଧୁ ! ‘ତୁମପରି ବୀର ନାହିଁ କେହି ଏ ଜଗତେ କହି ହାତ ଉଠାଇ ଇନ୍କିଲାବ ଜିନ୍ଦାବାଦ୍ କରିବି ?’ ଗୋଟିଏ ନିରୀହ ଜୀବନକୁ ନେଇ ତୁମେ ଖେଳ ଖେଳିବ ! ମୁଁ ବସି ବସି ତୁମକୁ ବାହାବା ଦେବି । ବୁଝିପାରୁନି କ’ଣ ଇମିତି ତୁମେ ଗୋଟାଏ ଯେ ?
- ନା ନା କିରଣ, ସେ କଥା ନୁହେଁ, ଅସ୍ଥିର କଣ୍ଠରେ କହିଲା ବିଜୟ ।
ଠିକ୍ବୁଝିଛି, ବିଚାରୀ ଝିଅଟା ଭୁଲ୍ କରିଛି । ତୁମଭଳି ଗୋଟାଏ ପାଷାଣ୍ଢକୁ ଭଲପାଇ, ତୁମକୁ ଭରସା କରି । ନ ହେଲେ ତା’ପରି ଝିଅକୁ......କଥାର ଗୁରୁତ୍ୱ ଅନୁସାରେ କିରଣର କଣ୍ଠ ସ୍ୱର ମଧ୍ୟ ବଢ଼ିଯାଉଥିଲା ।
ନିମ୍ନ କଣ୍ଠରେ ବିଜୟ କହିଲା ଚୁପ୍ହ, ଅଯଥା କିଛି ନ ବୁଝି ନ ଶୁଣି ମତେ ଦୋଷ ଦେଉଛୁ, କଥାଟା ଆଗ ଶୁଣ।
ବେଶ୍ ଉତ୍ତେଜିତ ହୋଇ ଟେବୁଲ୍ ବାଡ଼େଇଲା କିରଣ, କହିଲା-ଶୁଣେ ତୁମର ସେ କଥାଟା କ’ଣ ?
ବିଜୟ କ’ଣ କହିବାକୁ ଯାଉଥିଲା ଅଟକିଗଲା । ଦୃଷ୍ଟି ତା’ର ଖଞ୍ଜାଆଡ଼କୁ ମେଲିଗଲା ଦେଖି କିରଣ ମଧ୍ୟ ଚାହିଁଲା ମଣିମାଳା ଏପଟକୁ ଆସୁଛି । ଦୁହେଁ ନିରବ ହୋଇଗଲେ । ମଣିମାଳା ଅଧାବାଟରୁ କହିଲା ଏତେ ପାଟିତୁଣ୍ଡ କାହିଁକି ? ଉଏଷ୍ଟ ଜର୍ମାନ ନା ଇଣ୍ଡିଆ, କିଏ ? ଆଜି ତ କାହାରି ଖେଳ ନାହିଁ, ହାରଜିତ୍ର ସମସ୍ୟା ନ ଥାଇ ମଧ୍ୟ ତୁମେ ଦି’ଜଣ ଭାରି କଳିହୁଡ଼ା । ଏକାଠି ବସିଲ ତ ଚାଲିଲା ଧସ୍ତାଧସ୍ତି ! ହଇ ହେ ! କିରଣକୁ ଲକ୍ଷ୍ୟକରି, ସମୟ ଜ୍ଞାନ ଅଛିଟି ? ଆଜି ଆଉ କ’ଣ ଅଫିସ୍କୁ ଯିବନି କି ? ସକାଳ ଅଫିସ୍ପରେ ଲଞ୍ଚ ଖାଇବାକୁ କିରଣ ଆସିଥିଲା ଘରକୁ । ସେ ଉଠିପଡ଼ି ଅନ୍ୟମନସ୍କ ଭାବରେ ହଁ ଯିବି...ନା ମାନେ...ଏଇ... । କହିଲା-ଉଠ ବିଜୟ ଭାଇ ଖାଇନେବା... ।
ପୁଣି ବିପଦ-କିରଣର ହାତଟା ଧରିପକାଇଲା ବିଜୟ । ମାଫ୍କର ଭାଇ, ବର୍ତ୍ତମାନ ମୋଟେ ଖାଇପାରିବିନି । ମଣିକୁ ଚାହିଁ କହିଲା । ଭଉଣୀ ମଣି ପ୍ଳିଜ୍ ଅଭିମାନ କରିବୁନି, ବର୍ତ୍ତମାନ ଜମା ଭୋକ ନାହିଁ । ଘରେ ମା’ ସନ୍ତୋଷୀ ପୂଜା କରିଥିଲା ଅନେକ ପ୍ରକାର ଖାଇ ଆସିଛି, ମୋ ସୁନା ଭଉଣୀଟା ରାଗିବୁନି ।
ମଣିମାଳା କ’ଣ କହି ଉଠୁଥିଲା । କିରଣ ବିଜୟ ଆଡ଼କୁ ଦୃଷ୍ଟି ଦେଇ କହିଲା-ଥାଉ ମଣି ବ୍ୟସ୍ତ କରନି, ବିଜୟ ଭାଇ ତ ଆମ ଘର ଲୋକ ବରଂ ତାଙ୍କୁ ଭଲକରି ଗରମ ଦୁଧ କପେ ଦିଅ ।
ଖାଇବା ଟେବୁଲ୍ରେ ବସି ମଣି କିନ୍ତୁ ନାକ ଫୁଲେଇଲା । କହିଲା-ଦେଖିଲ, କେତେ କଷ୍ଟ କରି ଫୁଲକୋବି ଦେଇ ଅଣ୍ଡାରେ ଗ୍ରାମଲିଂ କଲି ଅଥଚ ବିଜୟ ଭାଇ....
ହସିଲା ଟିକିଏ ବିଜୟ-ହେବ, ହେବ, ଏଇଟା ବେଶ୍ ବଡ଼ କରି ହେବାର ଦିନଟିପାଇଁ ରହିଲା ।
ମଣିମାଳା ପ୍ଳେଟ୍ରେ କ’ଣ ଆଚାର କି ଆମ୍ବୁଲ ଚକଟି ହାପୁରୁ ଥିଲା । ଜିଭରେ ଟାକୁରା ପକାଇ ସୁଆଦ ଚାଖୁଛି । ତା’ର ରସାଳ ଚିବୁକରୁ ଲାଳ ଝରିପଡ଼ୁଥିଲା । ସେପଟକୁ ଚାହିଁ କିରଣ କହିଲା କିଛି ବୁଝି ପାରୁଛ ବିଜୟ ଭାଇ ? ସ୍ତ୍ରୀ ଲୋକଙ୍କର ଏହି ଖଟାଖିଆ ଡିଜିଜ୍ଟାର କାରଣ ? ମଣିମାଳା ଲାଜେଇ ହୋଇ ତଳକୁ ମୁଣ୍ଡ ପୋତି କହିଲା-ଅତି ଅଲାଜୁକ ।
ହାତ ଧୋଇ ବସିବା ଘରକୁ ଆସିଲା କିରଣ । ବିଜୟ ମଧ୍ୟ । ଘରେ ଖୋଲା ଖୋଲି କଥା ସମ୍ଭବ ହେବ ନାହିଁ, ଅଫିସ ଯିବନି ବୋଲି ପୁଣି କହିଦେଇଛି କିରଣ । କ’ଣ କହିବ ଭାବୁଥିଲା । ଅଫିସ୍ ବନ୍ଦ ଶୁଣି ତାଳିମାରି କହିଉଠିଲା, ମଣି ବାଃ, ବେଶ୍ ମଜା ହେବ । ଖୁସିରେ ଆଖି ଦୁଇଟି ନାଚି ଉଠିଲା ତା’ର । ପାନ ଖଣ୍ଡିକୁ ଖୁବ୍ ରସାଳକରି ଚୋବାଇ ରସରୁ ଢୋକେ ତଣ୍ଟି ଭିତରକୁ ଢୋକି ପକାଇଲା ସେ । ତା’ର ସରୁ ରସଝରା ପତଳା ଚିବୁକ ଚିକ୍ଚିକ୍ ଦିଶୁଥିଲା । କହିଲା ବାଃ ମଜା, ବହୁତ ଦିନପରେ ଆଜି ଏକାଠି ବସି ବସି ଚା’ ପିଇବା । ଦିନ ତମାମ ଖାଲି ଗପ, କଥା ।
ଟିକିଏ ରୁହ, ରୋଷେଇ ଘରେ ଶିକୁଳିଟା ଲଗାଇ ଦେଇ ଆସେ । ନ ହେଲେ କାଳୀ ବିରାଡ଼ିଟା......କହୁ କହୁ ଚଞ୍ଚଳ ପାଦରେ ପୁଣି ଚାଲିଗଲା ଖଞ୍ଜାଆଡ଼କୁ ।
ଦି’ ବନ୍ଧୁ ମୁହାଁମୁହିଁ ହେଲେ, ଉପାୟ ? ମଣିମାଳା ଆଗରେ ଏହି ସବୁ କଥା ତ କହିହେବନି... ।
ମଣିମାଳା ଫେରି ଆସିବା ଦେଖି କିରଣ ସାର୍ଟ ଖଣ୍ଡିକ ଦେହରେ ଗଳାଇ ଦେଲା । କୁଣ୍ଠିତ ସ୍ୱରରେ କହିଲା-ମଣି ! ଆମେ ଅଳ୍ପ ସମୟପାଇଁ ବାହାରକୁ ଯାଉଛୁ । ତୁମେ କିଛି ସମୟ ବିଶ୍ରାମକର, ତା’ପରେ ଗପିବା।
ମଣିମାଳା କ୍ଷୁର୍ଣ୍ଣ ହେଲା ଅବଶ୍ୟ ମନରେ, କାରଣ ଏହି ଅଳ୍ପ ସମୟ ଯେ କେତେ ତାକୁ ଅଜଣା ନାହିଁ । ଦୁଆର ପାଖରେ ଛିଡ଼ା ହୋଇ ଦୁଇ ବନ୍ଧୁଙ୍କର ଯିବା ପଥକୁ ଚାହିଁ ଭାବୁଥିଲା ସ୍ତ୍ରୀ ଓ ପୁରୁଷ ଭିତରେ ଅନେକ ପ୍ରଭେଦ ରହିଛି ଓ ରହିଥିବ । ପୁରୁଷ ପାଖରେ ନାରୀଟିଏ ବଡ଼ ଦୁର୍ବଳ, ବହୁତ ଅସହାୟ ।
ଛଳନାର ଅବତାର, କେବଳ କଥାରେ କଅଁଳ ସିନା, କାର୍ଯ୍ୟରେ ଅନେକ ପ୍ରକାର, ସବୁ ଅଲଗା । ସେହି କଥା ବିଜୟ ମଧ୍ୟ କହୁଥିଲା-କିରଣକୁ, ତା’ର ସ୍କୁଟର୍ ପଛରେ ବସି ।
-ଏଇଟା କିନ୍ତୁ ଭଲ ହେଲା ନାହିଁ କିରଣ !
-ବୁଲି ଚାହିଁଲା କିରଣ, ମଣିମାଳାର ଛିଟ ଶାଢ଼ିର ଚେନାଏଁ ଦୃଷ୍ଟିପଥକୁ ଆସୁଥିଲା । କହିଲା-ଉପାୟ କଣ ? ଘରେ ତ କିଛି ଆଲୋଚନା କରି ହୁଅନ୍ତା ନାହିଁ ? ତୁମର ସିକ୍ରେଟ୍କଥା ଶୁଣିବାକୁ ହେଲେ ନିରୋଳା ସ୍ଥାନ ଲୋଡ଼ା ।
-କ’ଣ ଆଉ ସିକ୍ରେଟ୍ କଥା ? ମୁଁ କିନ୍ତୁ ଅନ୍ୟ କାମ ପାଇଁ ତୋ ପାଖକୁ ଆସିଥିଲି ବହୁତ ଦରକାରୀ ।
ଫରେଷ୍ଟ ପାର୍କରେ ପହଞ୍ଚି ସାରିଥିଲେ ସେମାନେ । ସ୍କୁଟର୍ ବନ୍ଦକରି କିରଣ କହିଲା ଥାଉ ଆଜି ତୁମର ସେ ଦରକାରୀ କାମ । ଆଗ ମନବୀଣାର କଥା କୁହ ।
ଟିକିଏ ନିଘଞ୍ଚ ସ୍ଥାନ ବାଛି ଗୋଟିଏ ନଡ଼ିଆ ଗଛକୁ ଆଉଜି ବସିଲେ ଦୁଇ ବନ୍ଧୁ ।
-ତା’ପରେ ବିଜୟ ଭାଇ ! ସେଦିନ ମନବୀଣାକୁ କହିବାକୁ ଯାଇ କହିନପାରି ଫେରିଆସିଲ କାହିଁକି?
ତଳୁ ଘାସ ଖଣ୍ଡେ ଉଠାଇଲା ବିଜୟ, ସେ ଖଣ୍ଡିକୁ ଖଣ୍ଡ ଖଣ୍ଡ କରିବାକୁ ଲାଗିଲା ନଖ ସାହାଯ୍ୟରେ ।
କିରଣ ଅସ୍ଥିର ଗଳାରେ କହିଲା-ପାଗଳାମି କରନା ବିଜୟ ଭାଇ । ଦୟାକରି କୁହ ଟିକେ ।
ବିଜୟ ଧୀରେ ଧୀରେ ବର୍ଣ୍ଣନା କରିବାକୁ ଲାଗିଲା ସେ ଦିନର ମନବୀଣା ଘରକୁ ଯିବାଠାରୁ ଆରମ୍ଭ କରି ସେହି ଚିଠି ପଢ଼ା, ତା’ପରେ ତାକୁ କଲେଜ ଫକ୍ସନ୍ପଠାଇ ଦେବା ଓ ବର୍ଷାରେ ଭିଜି ଭିଜି ବତିଖୁଣ୍ଟ ତଳେ ଛିଡ଼ା ହେବା, ଫଟୋଗ୍ରାଫ୍ ଏବଂ କିରଣ ସହିତ ଭେଟହେବା-କ’ଣ ନ ହୋଇଛି ସେଦିନ ପୁଣି ସେହି ନାଗରଟି ଷ୍ଟଲକୁ ଯିବା, ସବୁ କହି ଚାଲିଥିଲା ବିଜୟ । ଏକାଗ୍ର ମନରେ ଶୁଣି ଯାଉଥିଲା କିରଣ ।
ଅନେକବେଳୁ କଥା ଶେଷ ହୋଇଯାଇଛି, ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ରହିଛନ୍ତି । କାହାରି ମୁହଁରେ କଥା ନାହିଁ । ଅଜଣା ଚଢ଼େଇ କେଇଟା କଳରବକରି ଉଡ଼ିଗଲେ ମୁଣ୍ଡ ଉପରକୁ । ଏହାପରେ କିରଣ ଉପରକୁ ଚାହିଁ କହିଲା, ଭାବନାରେ ପକାଇଲ ବିଜୟ ଭାଇ । ବୁଝିପାରୁନି ଏହାପରେ ପୁଣି କ’ଣ ? ସେ ତୁମକୁ ଚାହୁଁଛି ଅଥବା ତୁମେ ? ଆକଣ୍ଠ ପାଣିକୁ ଯାଇ ମଧ୍ୟ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି... । ମୁଁ କିନ୍ତୁ ତୁମକୁ ଭୁଲ୍ ବୋଲି କହିବି ବିଜୟ ଭାଇ ।
ତୁ କ’ଣ ମନବୀଣାର ସେ ଚିଠିଗୁଡ଼ିକ କଥା ଭୁଲିଗଲୁ ? ଜାଣିପାରୁନୁ ସେଗୁଡ଼ିକ ତା’ର ଭାଇ, ପଦସ୍ଥ ଭଉଣୀ ଓ ସମ୍ଭ୍ରାନ୍ତ ପିତା ମାତାଙ୍କର ? ସେମାନଙ୍କୁ ବାଦ୍ ଦେଇ ତ ମନବୀଣା ଅଲଗା ନୁହେଁ । ମନବୀଣାକୁ ପାଇଲେ ସେମାନଙ୍କୁ ହରାଇବାକୁ ପଡ଼ିବ, ମାନେ ମନବୀଣା ସେମାନଙ୍କୁ ହରାଇବ । ସମସ୍ତଙ୍କୁ ବାଦ୍ଦେଇ ତାକୁ ଟାଣି ଆଣିଲେ କ’ଣ ଆମେ ସୁଖୀ ହୋଇପାରିବା ? ମନବୀଣା ଏଥିରେ ସୁଖୀ ହେବ ନାହିଁ ନିଶ୍ଚୟ, ମୁଁ ଜାଣିଛି ତାଙ୍କ ପରିବାରରେ ସେ କ’ଣ !
ସେମାନେ ମନବୀଣାର ମତରେ ରାଜି ବୋଲି କହିଲ ପରା ? ସେ ମନବୀଣାକୁ ସୁଖୀ ଓ ସଂସାରୀ ଦେଖିବାକୁ ଚାହାନ୍ତି।
-ରାଜି ! ମର୍ଯ୍ୟାଦାକୁ କ୍ଷୁଣ୍ଣ ନ କରି ସେମାନେ ମନବୀଣା ଉପରେ ଅନେକ ଭରସା ରଖନ୍ତି, ଏକଥା ଭୁଲିଲେ ଚଳିବ କିପରି ? ଏ ସବୁକୁ ନିଶ୍ଚୟ ଦୃଷ୍ଟି ଦେବ ମନବୀଣା !
କିରଣ ଅନ୍ୟମନସ୍କ ଭାବରେ ଗଛ ହଣାଳିକୁ ଚାହିଁ ରହିଥିଲା । ମୁହଁରେ କଥା ଆସୁ ନ ଥିଲା ତା’ର । କେତେଗୁଡ଼ିଏ ଯୁବକ ପାଖଦେଇ ଚାଲିଗଲେ । ପାର୍କଟି ସନ୍ଧ୍ୟାର କୁଆଶାରେ ଭରି ହୋଇଗଲାଣି । ବେଶ୍ ନିଛାଟିଆ ମନେହେଉଛି ବର୍ତ୍ତମାନ।
ବିଜୟ ପ୍ୟାଣ୍ଟ ଝାଡ଼ି ଉଠିପଡ଼ିଲା । କିରଣ ମଧ୍ୟ । ଦୁହେଁ ନିରବ । କାହାରି ମୁହଁରେ କଥା ନାହିଁ । ରାସ୍ତା ଉପରେ ଆସୁ ଆସୁ ଭାବୁଥିଲା କିରଣ, ସବୁ ତା’ ପକ୍ଷରେ ବଡ଼ ଅବୋଧ୍ୟ ମନେ ହେଉଥିଲା । କେଜାଣି ପ୍ରେମିକମାନେ କିପରି ହୁଅନ୍ତି ? ଜଣେ ଅନ୍ୟ ଜଣକୁ ଚାହୁଁଛି ଅଥଚ ଅନ୍ୟ ଜଣକ ଗ୍ରହଣ କରିବାକୁ ଏତେ ଦ୍ୱିଧା କାହିଁକି କରୁଛି ? ପ୍ରେମର ରୀତି ତାକୁ ଜଣା ନାହିଁ । କିରଣକୁ ପଚିଶି ପୂରି ଛବିଶ ହେଲାବେଳକୁ ବାପା ତା’ ହାତରେ ଛନ୍ଦି ଦେଇଥିଲେ ଏହି ମଣିମାଳାକୁ । ସେହି ତା’ର ପ୍ରେମିକା, ସ୍ତ୍ରୀ ସବୁ କିଛି । ଆଉ ଅଲଗାକରି ପ୍ରେମ କରିବାକୁ ସମୟ କାହିଁ ? କେମିତି ଜାଣିବ ସେ ପ୍ରେମର ରୀତି ନୀତି ?
ପଛକୁ ବୁଲି ବିଜୟ ଭାଇର ମୁହଁଟାକୁ ଦେଖିବାକୁ ଇଚ୍ଛା ହେଉଥିଲା କିରଣର । ପ୍ରେମ କଲେ ସେମାନଙ୍କର ମୁଖମଣ୍ଡଳ କିପରି ଦିଶେ ଏବଂ ପୁଣି ବିରହରେ କିପରି ଦିଶନ୍ତି ? ସାଧାରଣ ବ୍ୟକ୍ତିଙ୍କଠାରୁ କ’ଣ ଅଲଗା କିଛି ?
ଅନେକ କଥା ବିଚାରିବାକୁ ଇଚ୍ଛା ହେଉଛି କିରଣର । ଆଗରେ ଔଷଧ ଦୋକାନ ଦେଖି ବିଜୟ କହିଲା-ଟିକିଏ ଛିଡ଼ାକର କିରଣ, ଟାବ୍ଲେଟ୍ ଦୁଇଟା ନେଇଯିବି ।
କିରଣ ଛିଡ଼ା ହୋଇ ପଡ଼ିଲା । ଔଷଧ ଦୋକାନଆଡ଼କୁ ଯିବାର ଦେଖି ଭାବିଲା, କାହାପାଇଁ ? ମାଉସୀଙ୍କପାଇଁ କି ? ପଚାରିବା ଆଗରୁ ଷ୍ଟଲ୍ଭିତରେ ପଶିଯାଇଥିଲା ବିଜୟ । କୋସାଭିଲ୍ ଚାରିଟା ପକେଟସ୍ଥ କରିଦେଇ ସ୍କୁଟର ପଛରେ ପୁଣି ବସିପଡ଼ିଲା ବିଜୟ ।
ଧୀର କଣ୍ଠରେ କିରଣ ପଚାରିଲା ଔଷଧ କାହାର ? ମାଉସୀଙ୍କପାଇଁ ? ପୁଣି ପ୍ରେସର୍ଟା ବଢ଼ିଛି କି ?
-ନାଁ, ମୋର ।
-ତୁମର ?
-ହଁ ଟିକିଏ ଜ୍ୱର ଜ୍ୱର ଲାଗୁଛି-ତଣ୍ଟି ବ୍ୟଥା କଥାଟା କହିଲାନି ବିଜୟ ।
-କହିନ ?
ବିଜୟ କହିଲାନି, ଆଜି ସେହି କଥା କହିବାକୁ ଯାଇଥିଲା ବୋଲି । କିରଣର କୌଣସି ପରିଚିତ ଡାକ୍ତରକୁ ଦେଖାଇଥାଆନ୍ତା । ବର୍ତ୍ତମାନ ମଧ୍ୟ ସେ ଗଳାର ବ୍ୟଥା କଥାଟାକୁ ଚାପି ରଖିଲା, ପରେ କହିଲେ ଚଳିବ ଭାବି ।
ସ୍କୁଟର ବୁଲାଇ ନେଉଥିଲା କିରଣ । ବିଜୟ କହିଲା-ମତେ ଘର ପାଖରେ ଛାଡ଼ି ଦେ । ସମୟକରି ଯାଇ ସାଇକେଲଟା ନେଇ ଆସିବି । ବହୁତ ରାତି ହେଲାଣି ।
କିରଣ ବଳାଇଲା ନାହିଁ, ବିଜୟକୁ ତା’ର ଗେଟ୍ପାଖରେ ଓହ୍ଲାଇଦେଇ, ସ୍କୁଟର ବୁଲାଇନେଲା ।
ନା’ ଭିତରକୁ ଯିବାକୁ କିରଣକୁ ଡାକି ନାହିଁ ବିଜୟ । ବେଲ୍ଟି ଟିପିବା ପୂର୍ବରୁ ଶ୍ରୀମୟୀ ଦ୍ୱାର ଖୋଲିଲେ । ସବୁଦିନପରି ଆଜି ଆଉ ପଚାରିଲା ନାହିଁ ବିଜୟ-ମା’ ଶୋଇନୁ କାହିଁକି ? ବରଂ ଶ୍ରୀମୟୀଙ୍କର ପାଖଦେଇ ସିଧା ନିଜ ରୁମ୍ଆଡ଼କୁ ଆଗେଇଗଲା । ଲୁଗାପଟା ବଦଳାଇ ଖାଇବା ଟେବୁଲ ପାଖରେ ବସିଲା, କାରଣ ମା’ ଖାଇନାହିଁ ଯେ....।
ଶୀତ ଦିନ ହେତୁ, ବେକରେ ମଫ୍ଲର୍ଗୁଡ଼ାଇ ଦେଇଛି । ତଣ୍ଟି ପାଖର ଫୁଲାଟା ଦେଖିପାରୁନାହାନ୍ତି ଶ୍ରୀମୟୀ । କିନ୍ତୁ ବର୍ତ୍ତମାନ ଏହି ଖାଇବାଟା... ? ମା’ ନିଜର ଥାଳି ପାଖରେ ବସିଲେ । ବିଜୟ ଅଳ୍ପ କାଶିବାର ଢଙ୍ଗ କରି କହିଲା, ମା’ ! ମୁଁ କେବଳ ଦୁଧତକ ପିଇବି । କିରଣ ତା’ ଘରେ ବହୁତ କରି ଖୁଆଇଦେଇଛି । ମଣିମାଳା ମୋଟେ ଛାଡ଼ିଲାନି ।
ଶ୍ରୀମୟୀ ପୁଅକୁ ଚାହିଁଲେ, ସନ୍ଦେହର କାରଣ ନାହିଁ । କିରଣ ବିଜୟର ଘନିଷ୍ଠ ବନ୍ଧୁ । କହିଲେ, କ’ଣ ଏତେ ଖୁଆଇଲେ ତୋତେ ?
ଆଖି ମୁହଁରେ ପରିତୃପ୍ତିର ଭଙ୍ଗିକରି ବିଜୟ କହିଲା, ସେ ଅନେକ, ଅନେକ ପ୍ରକାର ମା’ । ଏତିକି କହି ବିଜୟ ଦୁଧ ପିଇ ଶୋଇବାକୁ ଚାଲିଗଲା ।
ତା’ପର ଦିନ ସକାଳୁ ନିତ୍ୟକର୍ମ ଶେଷ କରି ବିଜୟ ତାର, ଗେରେଜ୍ ଅଭିମୁଖେ ଚାଲିଗଲା । ଦିନସାରା ଗେରେଜ୍ର ଅସଂପୂର୍ଣ୍ଣ କାମ ତୁଟାଇବାରେ ଲାଗିଥିଲା । ହଠାତ୍ ହାତଘଡ଼ିକୁ ଚାହିଁ ସମୟ ଦେଖି ଚମକି ଉଠିଲା ବିଜୟ । ମା’ଙ୍କ କଥା ଭାବି ବ୍ୟସ୍ତ ହୋଇ ଘରକୁ ଫେରିଲା ସେ ।
ଦୁଆର ଖୋଲାଥିଲା । ଏତେ ରାତି ପର୍ଯ୍ୟନ୍ତ ମା’ ଦ୍ୱାର ଖୋଲି ରଖିଛନ୍ତି କାହିଁକି ? ଭିତରକୁ ପଶିଗଲା ବିଜୟ ।
ଆଖିରୁ ଚଷମାଟାକୁ ଓହ୍ଲାଇଦେଇ ଟେବୁଲ ପାଖରୁ ଉଠି ଆସିଲେ ଶ୍ରୀମୟୀ । -ଏତେ ବେଳଯାଏ କୁଆଡ଼େ ବୁଲୁଛୁ ? ଦେଖିଲୁ ଦେହ ମୁଣ୍ଡ କେମିତି ଦିଶିଲାଣି । ବିଚାରୀ ମନବୀଣା ତତେ ଅପେକ୍ଷା କରି କରି ଏହି ଟିକକ ଆଗରୁ ଚାଲିଗଲା ।
ଆଃ, କି ଆଶ୍ୱସ୍ତି । ତାକୁ ଯେ ଜଣେ ଅପେକ୍ଷା କରି ରହୁଛି-ଏହା କ’ଣ କମ୍ ସୌଭାଗ୍ୟର କଥା ? ବିଜୟ ମଧ୍ୟ କୋଠରି ଭିତରକୁ ପଶି ପ୍ରାଣପ୍ରିୟାର ଉପସ୍ଥିତି ଅନୁଭବ କରିପାରିଥିଲା । କବି ରବୀନ୍ଦ୍ରନାଥ ଲେଖିଥିଲେ ‘‘ପ୍ରିୟାର କେଶ ଧୂପବାସ, ସର୍ବାଙ୍ଗେ ଫେଲିଲ ମୋର ଉତ୍ତଲା ନିଃଶ୍ୱାସ ।’’ ବିଜୟ ମଧ୍ୟ ଶ୍ୱାସରୁଦ୍ଧଭାବରେ ମନବୀଣାର ଏକଚାଟିଆ ସୁରଭିକୁ ଅନୁଭବ କରୁଥିଲା । ସେ ତା’ର ପବିତ୍ର ସୁଲଳିତ ସୁରଭିରେ ବିଜୟର ସାରା ସଂସାରକୁ ଭରିଦେଇଯାଇଛି । ଖାଲି ବିଜୟ ନୁହେଁ, ମନବୀଣା ସର୍ବୋପରି ତା’ର ସଂସାରକୁ ଆପଣାର କରିନେଇଛି ।
-କ’ଣରେ ଛିଡ଼ାହୋଇ ରହିଲୁ-ପୋଷାକପତ୍ର ବଦଳେଇ ପକା । ହଁ ରେ ବିଜୁ ତୁ କ’ଣ ମନବୀଣା ପାଖକୁ ଦେଖା କରିବାକୁ ଯାଇନୁ ?
ବିଜୟ ଚମକି ଉଠି କହିଲା-କିଏ କହିଲା ? ଏଇ ତ ମୁଁ ଏତେ ସମୟ ଧରି ତାକୁ ଅପେକ୍ଷା କରି ତା’ରି ଫ୍ଳାଟ୍ରେ ବସି ରହିଥିଲି ।
-ବିଚାରୀ କେତେ ଦୁଃଖ କରୁଥିଲା । କହିଲି ଜାଣୁ ତ ମା, ବିଜୁଟା କିମିତି କାର୍ଯ୍ୟବ୍ୟସ୍ତ । କ’ଣ ଗୋଟେ ନୂଆ ଓ୍ୱାର୍କସପ୍ କରିଛି ଯେ ମୋଟେ ସମୟ ପାଉନି ।
-ଠିକ୍ କହିଛୁ ମା’ ଦେଖୁନୁ-ଯଦିବା ସମୟ କରି ଗଲି ଦେଖା ହେଲାନି । କେମିତି ହେବ ? ସେ ଏଠାରେ ତ’ ମୁଁ ତା’ ଫ୍ଳାଟ୍ରେ....
-ଚିଠି ଖଣ୍ଡେ ଲେଖି ଆସିଲୁନି ? ଅନ୍ତତଃ ସେ ବୁଝି ପାରିଥାନ୍ତା...?
ବିଜୟ ସେହି ଆଗର କଣ୍ଠସ୍ୱର ବଜାୟ ରଖି କହିଲା ସେ କଥା କ’ଣ କରିନି ? ସବୁ ଲେଖି ଆସିଲି । ସାରା ମିଛଟାଏ କହି ପକାଇଲା ବିଜୟ ।
-ଭଲ କଲୁ ବାପ, ଅତି ସୁଧାର ଝିଅଟି, ତତେ କେତେ ଭଲପାଏ ।ଏହି ଦେଖୁନୁ ଘରର ସବୁଆଡ଼କୁ, କିମିତି ସବୁ ସଜାଡ଼ି ଦେଇ ଯାଇଛି ।
ସେ କଥା କ’ଣ ବିଜୟ ବୁଝିପାରୁନି ? ନା ଦେଖିପାରୁନି ? ତା’ର ଅବିନ୍ୟସ୍ତ ବିଶୃଙ୍ଖଳ ବିଛଣାପତ୍ର, ମଇଳା ଅସଂଯତ ପୋଷାକ ପରିଚ୍ଛଦ, ଧୂଳି ଧୂସରିତ ଟେବୁଲ ଚେୟାର...ସବୁ ଦେଖି ପାରୁଛି ସେ ଏବଂ ଏହା କେବଳ ଯେ ଜଣକର ହାତ ସ୍ପର୍ଶରେ ପରିମାର୍ଜିତ ହୋଇ ଯଥା ସ୍ଥାନରେ ଚକ୍ମକ୍ କରୁଛି, ଶୋଭା ପାଉଛି, ଏ କାର୍ଯ୍ୟ କାହାର ସେ କଥା ବିଜୟଠାରୁ ଅଧିକ ଆଉ କିଏ ବୁଝି ପାରିବ ? ଏଇ ଯେଉଁ ଶୁଖିଲା ବୁଢ଼ିଆଣୀ ଜାଲ ଭର୍ତ୍ତି ଫୁଲଦାନିଟି ପଡ଼ିଥିଲା କେଉଁ କାଳରୁ ଆଜି ପୁଣି ସେ କିପରି ରଜନୀଗନ୍ଧାର ଗୁଚ୍ଛରେ ଜୀବନ୍ତ ହୋଇଉଠିଛି । ଏହା କାହା ହାତର ସ୍ପର୍ଶରେ ? ମନବୀଣା ବ୍ୟତୀତ ଆଉ କିଏ ଏ ଘରକୁ ଜୀବନ୍ୟାସ ଦେବ ?
ବିଜୟର ମନକଥା ଜାଣିପାରେ, କେବଳ ମନବୀଣା । ବିଜୟ ପୋଷାକ ବଦଳାଇଲା । ଦେଖିଲା, ମା’ ଖାଇବା ଟେବୁଲରେ ଅନେକ କ’ଣ ସଜାଡ଼ିବାରେ ବ୍ୟସ୍ତ । ବିଜୟ ଖାଇବନି ବୋଲି କହିବାକୁ ଯାଇ ଅଟକି ଗଲା । ମା’ଙ୍କ ମନରେ ଦୁଃଖ ଦେବାକୁ ଇଚ୍ଛା କଲା ନାହିଁ ।
-ଦେଖିଲୁ, କେତେ ପ୍ରକାର ତିଆରି କରିଛି ମନବୀଣା । ଦିନ ତମାମ କେତେ ପରିଶ୍ରମ କରିଛି । ନିଜ ହାତରେ ତୋତେ ଖୁଆଇବ ବୋଲି ଅନେକ ଇଚ୍ଛା କରିଥିଲା ବିଚାରୀ ।
ମନବୀଣା କରିଛି ? ବିଜୟର ଦେହର କ୍ଷୁଧାଠାରୁ ମନର କ୍ଷୁଧା ପ୍ରବଳ ହୋଇଉଠିଲା । ଟେବୁଲ୍ପାଖକୁ ଆଗେଇ ଆସି ଦେଖିଲା ଖାଦ୍ୟ ସମ୍ଭାରରେ ଟେବୁଲ ଭର୍ତ୍ତି । ଶ୍ରୀମୟୀ ସବୁଗୁଡ଼ିକ ପୁନର୍ବାର ଗରମକରି ଆଣି ଥୋଉଛନ୍ତି ।
ଦେଖିଲୁ ହେଙ୍ଗୁ ମିଶା କଚୋଡ଼ି....ବିଜୟ ବହୁତ ଭଲପାଏ କଚୋଡ଼ି, ଛେନାର ପାଏସ୍, ଜାଇ ମୁଗର ପାନତୁଆ । ଅବଶ୍ୟ ଏଗୁଡ଼ିକ ଆଗଦିନରୁ ଆସି ଭିଜାଇଯାଇଥିଲା...ଶ୍ରୀମୟୀଙ୍କର ଆନନ୍ଦ ଡଗମଗ ମୁହଁକୁ ଚାହିଁଲା ବିଜୟ ଏବଂ ଏକଥା ମଧ୍ୟ ଜାଣିଲା, ମନବୀଣା ମଝିରେ ମଝିରେ ଏ ଘରକୁ ଆସୁଛି ବିଜୟର ଅନୁପସ୍ଥିତିରେ ।
ଅଭିମାନ କଣ୍ଠରେ ବିଜୟ କହିଲା । କାହିଁ ତୁ ମତେ କେବେ ଏକଥା କହିନୁ ?
ଶ୍ରୀମୟୀ ହସି ହସି କହିଲେ-ତୁ ତ ଲୁଚି ଲୁଚି ପାଣି ପିଉଛୁ ଏକଥା ଯେ ତୁ ଜାଣିନୁ, ମୁଁ କେମିତି ଜାଣିବି?
ବିଜୟ ବିସ୍ଫାରିତ ନୟନରେ ଖାଦ୍ୟ ସାମଗ୍ରୀଗୁଡ଼ିକୁ ଚାହିଁ ଦେଖୁଥିଲା । ମା’ ପ୍ରବଳ ଭୋକ-ହି, ଟେବୁଲ ପାଖକୁ ଚେୟାରଟି ଟାଣି ବସିଲା । ସେଗୁଡ଼ିକର ଲୋଭଦାୟକ ସୁମିଷ୍ଟ ବାସ୍ନା ନାକରୁ ପେଟ ଭିତରକୁ ପଶିଯାଉଛି । ଜିଭରେ ଲାଳସା, କିନ୍ତୁ...। ଅଭ୍ୟାସ ପଡ଼ିଯାଇଥିବା ବାମ ହସ୍ତଟି ଶଙ୍ଖନଳୀ ଉପରକୁ ଉଠି ଆସିଲା ବିଜୟର । ଅନେକ କ୍ଷୁଧା ଖାଲି ଉଦରରେ ନୁହେଁ ମନରେ । ଦେହର ସର୍ବାଙ୍ଗରେ କ୍ଷୁଧାର ପ୍ରବଳ ଦହନକୁ ଆୟତ୍ତ କରିପାରୁନି ସେ । କ୍ଷୁଧାଗ୍ନି ସ୍ଫୁଲିଙ୍ଗଗୁଡ଼ାକ ବାଧାହୀନ ହୋଇ ପ୍ରବଳଭାବରେ ଦୁଇ ଆଖିରୁ ଦୁଇଧାର ଦେଇ ଗରମ ଲାଭା ସ୍ରୋତପରି ବହି ଆସିବାକୁ ଲାଗିଲା । ମୁଣ୍ଡତଳକୁ ପୋତିଲା ବିଜୟ ।
-କିରେ, ଖାଉନୁ ?
ଅକୁହା ଯନ୍ତ୍ରଣାରେ କଣ୍ଠ ଫାଟିଯାଉଥିଲା । ମୁହଁ ବୁଲାଇ ପୁଣି ଭିତରକୁ ଚାଲିଗଲା । ବ୍ୟସ୍ତହୋଇ ଶ୍ରୀମୟୀ କହିଲେ- କୁଆଡ଼େ ଯାଉଛୁ, ସବୁ ଥଣ୍ଡା ହୋଇଯିବ ।
ଅଳ୍ପ ସମୟରେ ଲଫାପାଟିଏ ଧରି ଫେରି ଆସିଲା ବିଜୟ । ନିଜକୁ କିଛି ସଂଯତ କରିନେଇଥିଲା । ମା’ଙ୍କ ହାତକୁ ବଢ଼ାଇ ଦେଇ କହିଲା-ଶ୍ୟାମ କକାଙ୍କ ଚିଠି ।
-କିଏ ? ଶ୍ୟାମ ! କହି, ଚେୟାର ଉପରେ ବସିପଡ଼ିଲେ ଶ୍ରୀମୟୀ ।
ବିଜୟ କହିଲା - ହଁ ମା’, ସକାଳୁ ପିଅନଟା ଦେଇଗଲାଣି । ଭୁଲିଯାଇଥିଲି ।
ଶ୍ରୀମୟୀ ଲଫାପାଟିକୁ ଏପଟ ସେପଟ ଦେଖି କହିଲେ, ପଢ଼ିନୁ ?
-ତୁ ପଢ଼ ।
ଶ୍ରୀମୟୀ ଆଗ୍ରହରେ ଖୋଲି ପଢ଼ିବାକୁ ଆରମ୍ଭ କଲେ । ସେହି ଅବସରରେ ଖାଦ୍ୟରୁ କିଛି କିଛି ପାଖରେ ବସିଥିବା ଟମ୍ ଏବଂ ମାଛ କୁଣ୍ଡରେ ଟିକିଏ ଦେଇ ଆସିବା ବାହାନାରେ ବାହାରକୁ ଯାଇ ଫୋପାଡ଼ିଦେଇ ଆସିଲା ।
କକାଙ୍କର ଚିଠି ଖଣ୍ଡିକ ପାଇ ଶ୍ରୀମୟୀ ବିଜୟର ଖାଇବା କଥା ସବୁ ଭୁଲି ଯାଇଥିଲେ ଏବଂ ବିଜୟ ମଧ୍ୟ ସେହି ଭୁଲିଯାଇଥିବା ଶ୍ୟାମ କକାଙ୍କୁ ବହୁତ ବହୁତ ପ୍ରଣାମ ମନେ ମନେ ଜଣାଉଥିଲା । କାରଣ ତା’ର ଏହି ଦୁଃସମୟ ମଧ୍ୟରେ ଚିଠିଟି ବହୁତ ସାହାଯ୍ୟ କରିଛି ।
ବହୁ ସମୟ ପରେ ଶ୍ରୀମୟୀ ମୁଣ୍ଡ ତୋଳିଲେ । ତାଙ୍କର ଆଖି ଦୁଇଟି ଲୋତକରେ ଭରି ଯାଇଥିଲା । ବାଷ୍ପରୁଦ୍ଧ କଣ୍ଠରେ କହିଲେ-କେତେ ବର୍ଷପରେ ତୋର ଶ୍ୟାମ କକାଙ୍କର ଚିଠି ପାଇଲି ।
କାହିଁକି ମା’ ? ଶ୍ୟାମ କକା ତ ଆମ ନିଜ କକା । ଏକା ମା’ ପେଟର ଦୁଇ ଭାଇ । ଆମ ପାଖରୁ କାହିଁକି ତେବେ ଅଲଗା ହୋଇ ରହିଥିଲେ ? ପଚାରିଲା ବିଜୟ ।
ଶ୍ରୀମୟୀ ଦୀର୍ଘନିଃଶ୍ୱାସଟାଏ ପକାଇଲେ । କହିଲେ ସେ ଅନେକ କଥା । ସେ ଘର ଛାଡ଼ିଲା ବେଳକୁ ତୁ ପାଞ୍ଚ ବର୍ଷର ହୋଇଥାଉ । ଶ୍ୟାମ ଇଞ୍ଜିନିୟରିଂ ପାଶ୍ କରି ବିଦେଶ ଗଲେ ଉଚ୍ଚଶିକ୍ଷା ଅର୍ଜନ କରିବାପାଇଁ । ଆହା, କି ବିକଳ କାକୁତି, କି କାନ୍ଦ ତୋ ଶ୍ୟାମ କକାଙ୍କର । ମୋ ହାତ ଦୁଇଟି ଧରି କହିଲେ-ଭାଉଜ ! ଭାଇଙ୍କୁ କହି ମୋର ବିଦେଶ ଯିବା ବନ୍ଦ କର । ମୁଁ ତୁମମାନଙ୍କୁ ଛାଡ଼ି ରହିପାରିବି ନାହିଁ । ତୁ ତ ଜାଣୁ ତୋର ବାପା କିପରି ଜିଦ୍ଖୋର ମଣିଷ ଥିଲେ ? ତାଙ୍କୁ ଏକଥା କହିବାକୁ କାହାର ସାହସ ହେବ ? ତୋ ବାପାଙ୍କ ସେହି ଗୋଟିଏ କଥା ଶ୍ୟାମ ବିଦେଶ ଯିବ । ଇଞ୍ଜିନିୟରିଂ ଶିକ୍ଷା ପରେ ଆହୁରି ଉଚ୍ଚ ଡିଗ୍ରୀଧାରୀ ହେବା ଦରକାର ତାଙ୍କ ଭାଇର । ଶ୍ୟାମ ଯିବାକୁ ବାଧ୍ୟ ହୋଇଥିଲେ । ଆନନ୍ଦରେ କେତେଗୁଡ଼ିଏ ଦିନ କଟିଯାଇଥିଲା । ପ୍ରତି ମାସ ଚିଠି, ନୂଆ ଫଟୋ, ନାନା ପ୍ରକାର ଖେଳନା ପାର୍ଶଲ କରି ପଠାଉଥିଲେ । ଆମେ ମଧ୍ୟ ତାଙ୍କ ଆସିବା ଦିନ ଗଣୁଥିଲୁ ।
-ହଁ ବିଜୟର ମଧ୍ୟ ମନେପଡ଼ୁଛି । ସେତେବେଳେ ବିଦେଶରେ ଥିବା କିଏ ଶ୍ୟାମ କକା ବୋଲି କିଛି କିଛି ଖେଳନା ପଠାଉଥିଲେ । ତାହା ପ୍ରାୟ ଭୁଲି ଯାଇଥିଲା ବିଜୟ । ତା’ପରେ କ’ଣ ହେଲା ମା ? କୋହପୂର୍ଣ୍ଣ କଣ୍ଠରେ ଶ୍ରୀମୟୀ କହିଲେ, ହଠାତ୍ ଗୋଟିଏ ଚିଠି ଆସିଲା । ଶ୍ୟାମ ଲେଖିଥିଲେ, ‘‘ଭାଉଜ ! ମୁଁ ଗୋଟିଏ ଜର୍ମାନ୍ ଝିଅକୁ ଜୀବନ ସଙ୍ଗିନୀ କରିବାକୁ ନିଷ୍ପତ୍ତି କରିଛି । ତୁମର ଓ ଭାଇଙ୍କର ଆଶୀର୍ବାଦ ଭିକ୍ଷା କରୁଛି ।’’
ଚିଠିଟି ପଢ଼ିଲାକ୍ଷଣି ଛାତି ଥରିଉଠିଲା । କି ଦୁଷ୍କର୍ମ କରି ପକାଇଲେ ଶ୍ୟାମ । ତାଙ୍କୁ କିଛି ଲେଖିପାରିଲିନି । କିମ୍ବା ବାପାଙ୍କୁ ମଧ୍ୟ ଏକଥା କହିବାର ସାହସ ନ ଥିଲା ମୋର । ଏଣେ ସେପଟରୁ ଘନ ଘନ ଚିଠି ଆସିବାକୁ ଲାଗିଲା । ଆମ୍ଭମାନଙ୍କର ଆଶୀର୍ବାଦ ପାଇଲେ ଶୀଘ୍ର ଶୁଭକାର୍ଯ୍ୟ ଶେଷକରି ଘରକୁ ଫେରି ଆସିବେ । ସାହସ କରି ଏକଥା ଦିନେ ତୋର ବାପାଙ୍କୁ କହିପକାଇଲି । ସବୁ ଶୁଣି ରାଗରେ ଗର୍ଜି ଉଠିଲେ ସେ ଏବଂ ଯଥା ଶୀଘ୍ର ଚାଲିଆସିବାକୁ ଟେଲିଗ୍ରାମ୍ କରିଦେଲେ ଶ୍ୟାମ ପାଖକୁ । ମୁଁ ମଧ୍ୟ ବୁଝାଇ ଲେଖିଲି ବିବାହ କରି ଶୀଘ୍ର ଘରକୁ ଫେରି ଆସିବାକୁ । କାରଣ ଭାବୁଥିଲି ଏବେ ସିନା ରାଗୁଛନ୍ତି, ସସ୍ତ୍ରୀକ ଭାଇକୁ ଦେଖିଲେ ନିଶ୍ଚୟ ମାନିଯିବେ । ଇମିତି ତ କେତେ ପୁଣି ହେଉଛି । କିନ୍ତୁ ସେହିଠାରେ ହିଁ ଭୁଲ କରିଥିଲି ତୋର ପିତାଙ୍କୁ ଚିହ୍ନିବାପାଇଁ । ତାଙ୍କର ଜିଦ୍ ଅତୁଟ ରହିଲା । ଶ୍ୟାମ ଘରକୁ ଫେରିବାର ଶୁଣି ଟୁର୍ ପକାଇ ଘର ଛାଡ଼ି ଗସ୍ତରେ ପଳାଇଲେ ସେ । ପ୍ରଣାମ କରିବାକୁ ମଧ୍ୟ ସମୟ ପାଇନଥିଲେ ଶ୍ୟାମ । ଘରୁ ବାହାରି ଗଲାବେଳେ ମତେ କହୁଥିଲେ ମଧ୍ୟ ସମସ୍ତେ ଶୁଣି ପାରିଲା ଭଳି କହିଲେ-କହିଦିଅ, ତୁମର ସେ ଆଦରର ଦେବରଙ୍କୁ । ସେ ଇମିତି ସୁକର୍ମ କରିଛନ୍ତି ଯାହା ଫଳରେ ମୁଁ ତା’ର ମୁଖ ଦର୍ଶନ ମଧ୍ୟ କରିବାକୁ ଚାହେଁ ନାହିଁ । ସେ ଏ ଘରୁ ଚାଲିଯିବା ପର୍ଯ୍ୟନ୍ତ ମୁଁ ଏଠାକୁ ଆସିବି ନାହିଁ କି ଜଳ ସ୍ପର୍ଶ କରିବି ନାହିଁ । ମୋ ଜାଣିବାରେ ଶ୍ୟାମ ବୋଲି ଭାଇଟିଏ ଥିଲା, ଏବେ ନାହିଁ, ମରିଯାଇଛି, କହି ସେହି ଯେ ଘରୁ ବାହାରିଗଲେ ଆଠ ଦଶ ଦିନ ମଧ୍ୟ ଆଉ କିଛି ଖବର ଦେଲେ ନାହିଁ । ସେହି ଏକମାତ୍ର କଥା-କୁଳାଙ୍ଗାରଟା ଗଲେ ଯାଇ ଘରେ ପାଦ ଦେବି ।
ବିଜୟ ଶୁଣୁଥିଲା, ଶ୍ୟାମ କକାଙ୍କର ଇତିହାସ । ଶ୍ରୀମୟୀ ଧୀରେ ଧୀରେ କହି ଚାଲିଥିଲେ । ପନ୍ଦର ଦିନ ଧରି ଶ୍ୟାମ ଅପେକ୍ଷା କଲେ, ଭାଇଙ୍କ ଗୋଡ଼ତଳେ ପଡ଼ି ସବୁ ଦୋଷ ମାଗି ନେବେ ବୋଲି । କିନ୍ତୁ ତାଙ୍କର ଜଏନିଙ୍ଗ ତାରିଖର ମିଆଦ ପୂରିଗଲେ ମଧ୍ୟ ବାପା ଫେରିଲେ ନାହିଁ । ଶ୍ୟାମ କ’ଣ କରିବେ କିଛି ବୁଝି ନ ପାରି ଥରକୁ ଥର ମୋତେ ପଚାରୁଥାଆନ୍ତି । ଏଣେ ତୋ ବାପାଙ୍କର ସେହି ଭୀଷ୍ମପଣ ଅତୁଟ ରହିଥାଏ । ମୁଁ ଯେ କ’ଣ କରିବି କିଛି ଉପାୟ ଖୋଜି ପାଇଲିନି ।
ବିଜୟ ଅପଲକ ନେତ୍ରରେ ମା’ଙ୍କର ମୁହଁକୁ ଚାହିଁ ରହିଥିଲା ଏବଂ ଶୁଣୁଥିଲା ପରିବାରର ଅତି ଆଦରର ଶ୍ୟାମ କକା ନିଜର ଟିକିଏ ସୁଖ ଖୋଜିବାକୁ ଯାଇ ଯେଉଁ ଭୁଲ କରିପକାଇଛନ୍ତି ତା’ର ଦଣ୍ଡବିଧାନର ନିୟମଗୁଡ଼ିକ ।
ବୟସ ହେଲାଣି । ଏକା ନିଃଶ୍ୱାସକେ ଏତେଗୁଡ଼ିଏ କଥା କହିଯାଇଥିବାରୁ ଟିକିଏ ଥକି ପଡ଼ିଥିଲେ ଶ୍ରୀମୟୀ । କାରଣ କେତେଦିନ ହେଲା, ଛାତିରେ ବ୍ୟଥା ଅନୁଭବ କରୁଛନ୍ତି । ଖାଇବା କଥା ଆଉ ମା’ ପୁଅଙ୍କର ମନେ ନ ଥିଲା ।
ବିଜୟ ମନେ ପକାଇ ଦେଲା-ତା’ପରେ ମା’ ?
ଶ୍ରୀମୟୀ ସଳଖି ବସିଲେ । ତା’ପରେ ଆଉ କ’ଣ ? ବାଧ୍ୟହୋଇ ସବୁ କଥା ତୋର କକାଙ୍କୁ କହିଲି । ସେ ସବୁ ଶୁଣିଲେ । କିଛି କହିଲେ ନାହିଁ । କିଛି ସମୟ ମୁଣ୍ଡପୋତି ରହିଲା ପରେ ନିଜର ଶୋଇବା ଘରକୁ ପଶିଗଲେ । ବିଚାରୀ ବିଦେଶିନୀ ଝିଅଟି କିଛି ବୁଝିପାରୁ ନ ଥାଏ । ଆମର କଥାବାର୍ତ୍ତା ଓ ଉଦାସ ଭାବଭଙ୍ଗୀ ଦେଖି ନିର୍ବୋଧଭାବରେ ସମସ୍ତଙ୍କ ମୁହଁକୁ ଚାହିଁ ରହିଥାଏ ।
ବହୁତ ଭଲ ଝିଅଟିଏ । ଅତି ସରଳ । ହିନ୍ଦୁ ନାରୀଙ୍କର ଶାଢ଼ି, ଶଙ୍ଖା, ସିନ୍ଦୂର ସବୁ ଗ୍ରହଣ କରି ନେଇଥିଲା । ମୁଁ ତୁଳସୀ ପୂଜା କରୁଥିବା ସମୟରେ ମୁଣ୍ଡିଆ ମାରେ । ଠାକୁର ଘରେ ପୂଜା ଶେଷ ପର୍ଯ୍ୟନ୍ତ ବସିରହେ । କ’ଣ ଯେ ତାକୁ କହିବି ? ମୋତେ ତ ତାର ଭାଷା ଜଣାନଥିଲା ।
ଶ୍ୟାମ ବାପାଙ୍କର ନିରୁଦ୍ଦିଷ୍ଟ ହେବା ଦେଖି ଭାରତରୁ ଚାକିରି ଛାଡ଼ି ପୁଣି ବିଦେଶକୁ ଫେରିଗଲେ । ବିଜୟ ବ୍ୟସ୍ତ ହୋଇଉଠିଲା ।
ବିଜୟ କହିଲା- ତୁ କାହିଁକି ବାପାଙ୍କୁ ଟିକିଏ ବୁଝାଇ କହିଲୁନି, ଶ୍ୟାମ କକାଙ୍କପାଇଁ ?
-ମୁଁ ?....ଶ୍ରୀମୟୀ କରୁଣଭାବରେ ହସିଲେ । ତୁ ବୁଝିପାରିବୁନି ବାପା ! ଆମ ଭାରତୀୟ ନାରୀମାନଙ୍କର ପରିବାରରେ ଭୂମିକା କ’ଣ ? ତାଙ୍କର ଅଧିକାର କେତେ ? ନିଜର ଇଚ୍ଛା, ଅନିଚ୍ଛାକୁ ସାବ୍ୟସ୍ତ କରିବାର ସାହସ ବା କେତେ ? ଏ ଦେଶର ସ୍ୱାମୀର ପରିବାରରେ ସ୍ତ୍ରୀଟି ଗୋଟିଏ ନିର୍ଜୀବ କଣ୍ଢେଇ ମାତ୍ର । ସମସ୍ତଙ୍କ ନିର୍ଦେଶରେ ହସିବ, କାନ୍ଦିବ, ନାଚିବ । ନିଜକୁ ପ୍ରକାଶ କରିବାର ସାହସ କାହିଁ ?
ଶ୍ୟାମ ଚାଲିଗଲେ । ତାଙ୍କୁ ରହିଯାଅ କହିପାରିଲି ନାହିଁ । ସେହି ଯେ ଯାଇଛନ୍ତି ଆଜିଯାଏ ଫେରି ନାହାନ୍ତି । ଇମିତିକି ତୋର ପିତାଙ୍କର ତିରୋଧାନ ଖବର ପାଇ ମଧ୍ୟ ଆସିଲେ ନାହିଁ । କେବଳ ଚିଠି ଖଣ୍ଡେ ଦେଇଥିଲେ-‘‘ଭାଇ ତ ନାହାନ୍ତି ଯାଇ ଲାଭ କ’ଣ ?’’
ଆଗ୍ରହର ସହିତ ବିଜୟ ପଚାରିଲା-କକାଙ୍କର ପିଲାମାନେ ?
ଶ୍ରୀମୟୀ ପୁଣି ଚିଠିଗୁଡ଼ିକୁ ଓଲଟ ପାଲଟ କରି ଦେଖିଲେ । ଝିନ୍ଝଟ୍ ହେବାକୁ ଦେଇ ନାହାନ୍ତି ଶ୍ୟାମ । ଖୁଡ଼ୀ ତୋର ମାତୃତ୍ୱର ସୌଭାଗ୍ୟକୁ ଚିରଦିନ ବଞ୍ଚିତ ହୋଇ ରହିଲା ।
-ଆଶ୍ଚର୍ଯ୍ୟ ! ବିଜୟ ତୁଣ୍ଡରୁ ବାହାରି ଆସିଲା ଶବ୍ଦଟି ।
-ହଁ, ତା’ ନୁହେଁ ଆଉ କ’ଣ ? ତା’ସହିତ ପାଗଳାମି ମଧ୍ୟ । ସେହି ପାଗଳ ବଂଶର କକା ତ ତୋର । ତୋ ବାପାଙ୍କର ଯେଉଁ ଜିଦ୍ଥିଲା ସେ ପୁଣି ବାଦ୍ ଯାଇଥାଆନ୍ତେ କିପରି ? ରକ୍ତର ଟାଣ ପୁଣି ରହିବ ତ ? ତୋ କକାଙ୍କର ମତ ଅନୁସାରେ ସେ ବିଜାତୀୟ ବିବାହ କରି ଯେଉଁ ଭୁଲ୍ କରିଛନ୍ତି, ନିଜର ସାମାନ୍ୟ ସୁଖପାଇଁ ଯେଉଁ କଳଙ୍କ ରଟାଇଛନ୍ତି ତାକୁ ବଢ଼ାଇ ଦୁଃଖର ଭାର ଆଗକୁ ରଖିବେ କାହିଁକି ? କିଏ ଜାଣେ ଦୁଇ ମତ ଭେଦରେ ଯେଉଁ ସନ୍ତାନ ଜନ୍ମ ହେବେ ସେମାନେ ଯେ କ’ଣ ବା କିପରି ହେବେ, ତେଣୁ ତାଙ୍କର ଜୀବନର କାହାଣୀ ତାଙ୍କଠି ଶେଷ ହୋଇଯାଉ ।
ବିଜୟ ଛେପ ଢୋକିଲା । ଖୁଡ଼ୀ କ’ଣ ସେକଥାକୁ ନିର୍ବିବାଦରେ ମାନିନେଲା ?
-କ’ଣ ଆଉ କହନ୍ତା ? ହୁଏତ ବାଧ୍ୟ ହୋଇଥିବ ନତୁବା ଶ୍ୟାମକୁ ଅତି ଭଲ ପାଉଥିବ ।
ଅଇଁଠା ହାତଟା ଶୁଖି ଯାଇଥିଲା । ଧୋଇ ଆସିବାକୁ ଉଠିପଡ଼ିଲା ବିଜୟ । ଶ୍ରୀମୟୀ ଚିଠିଗୁଡ଼ିକୁ ପୁଣି ଲଫାପା ଭିତରେ ପୁରାଇବାକୁ ଲାଗିଲେ ।
ହାତପୋଛି ଖଟ ଉପରେ ଲମ୍ବା ହୋଇ ପଡ଼ିଲାକ୍ଷଣି ବିଜୟର ମନେପଡ଼ିଲା ମନବୀଣା କଥା । ‘‘ମନବୀଣା ! କକାଙ୍କ କଥା ତ ଶୁଣିଲ । ତୁମେ ପର୍ବତ ଶିଖରର ଯକ୍ଷ କନ୍ୟା । ବିଜୟ ସାମାନ୍ୟ କିନ୍ନର ମାତ୍ର । ବୁଝିପାରୁଛ ? ସୂକ୍ଷ୍ମ ବାସୁମତି ଚାଉଳ ସହିତ ବଗଡ଼ାର ମିଶ୍ରଣ କଲେ କିପରି ହେବ ?’’ ଟେବୁଲ୍ ଉପରେ ଥିବା ଫୁଲଦାନିରୁ ମନବୀଣାର ସଜଡ଼ା ରଜନୀଗନ୍ଧାର ମହକ ବିଜୟର ସାରା ଦେହାନ୍ଦ୍ରିୟକୁ ଆଚ୍ଛନ୍ନ କରି ପକାଇଲା । କ୍ଳାନ୍ତିରେ ଆଖି ଦୁଇଟି ବୁଜି ହୋଇଗଲା ଅଜାଣତରେ ।
ବହୁଦିନ ପରେ ବଗିଚାକୁ ଆସିବାକୁ ସମୟ ପାଇଲା ବିଜୟ । ପ୍ରଥମେ ଅତି ପ୍ରିୟ, ଏକାନ୍ତ ଆପଣାର ମେହେନ୍ଦିର ଡାଳଗୁଡ଼ିକୁ ଆଉଁସି ପକାଇଲା । ଗୋଲାପ ଫୁଟି ସାରିଥିବା ଥୁଣ୍ଟା ବୃକ୍ଷଗୁଡ଼ିକୁ କଇଁଚିରେ କାଟି ସଜାଡ଼ି ଦେଲା । ପାଇପ୍ ସାହାଯ୍ୟରେ ଚାରା ଗଛମାନଙ୍କରେ ପାଣି ମଡ଼ାଇ ଦେଲା । ମନରେ କହି ହେଉଥିଲା ତୁମେ ପର୍ବତ ଶିଖରର ଯକ୍ଷ କନ୍ୟା, ଏ ବିଜୟ-ସାମାନ୍ୟ କିନ୍ନର ମାତ୍ର । ଅସବର୍ଣ୍ଣ ନ ହେଲେ ମଧ୍ୟ ଅପାତ୍ର ନିଶ୍ଚୟ । ଅସାମଞ୍ଜସ୍ୟ ମିଶ୍ରଣ କୋରା ସୁପର କ୍ଳାସ ସୁପର ଫାଇନ କପଡ଼ାର ପ୍ରଭେଦ ଭଳି । ଆମେ ସିନା ଚେଷ୍ଟା କରିବା, ବାସୁମତିସହିତ ବଗଡ଼ାକୁ ମିଶାଇ ଦେବାକୁ-ହେଲେ ଦେଖିନବାତ ଗଙ୍ଗା ଓ ଯମୁନା-? ଏକାଠି ହୋଇ ଏକ ଦିଗରେ ବହୁଥିଲେ ମଧ୍ୟ ପ୍ରତ୍ୟେକର ନିଜସ୍ୱ ରଙ୍ଗ ଅଲଗା, ଢଙ୍ଗ ମଧ୍ୟ ଅଲଗା । ବୀଣା....! ତୁମେ କ’ଣ ସତରେ କିଛି ବୁଝିପାରୁନ ? -ଭାବି ପାରୁନ....ଦୁନିଆରେ ଚଳିବାକୁ ହେଲେ....। ଜୀବନର ଅନ୍ତର୍ଜଗତ ବହିର୍ଜଗତଠାରୁ ଅନେକ ଅଲଗା । ଭିତର କେହି ଦେଖିପାରନ୍ତିନି । ତାହା ପୋଡ଼ି ପାଉଁଶ ହୋଇଗଲେ କିଛି କ୍ଷତି ହୁଏନି । କିନ୍ତୁ ବାହାରଟା ସମସ୍ତେ ଦେଖିବେ । ଆପଣା ରୁଚିରେ ଖିଆଯାଏ-କିନ୍ତୁ ଅନ୍ୟର ରୁଚିରେ ପରିଧାନ କରି ନିଜକୁ ସଜାଡ଼ି ନେବାକୁ ପଡ଼େ ।
ଅନ୍ୟମନସ୍କଭାବରେ ବଗିଚାର ଚାରି ପଟରେ କିଛି ସମୟ ଘୂରି ବୁଲିଲା ବିଜୟ । ମା’ଙ୍କର ଡାକରେ ପଛକୁ ଫେରି ଚାହିଁଲା-ବିଜୁରେ ନେ ଚା’ । ଶ୍ରୀମୟୀ ଚା’ କପ୍ ଧରି ବଗିଚା ଭିତରକୁ ଚାଲି ଆସିଛନ୍ତି ।
କପ୍ଟି ହାତକୁ ନେଲା ବିଜୟ । ଶ୍ରୀମୟୀଙ୍କର ସ୍ନାନ ସରିଛି, ବାଳଗୁଡ଼ିକ ପିଠି ଉପରେ ବିଛାଡ଼ି ହୋଇପଡ଼ୁଛି, ଲକ୍ଷ୍ୟକରି ନ ଥିଲା ଏଯାଏ ବିଜୟ ମା’ଙ୍କର ବାଳ ଧଳା ପଡ଼ି ଆସିଲାଣି ବୋଲି । ସେ ଉଡ଼ନ୍ତା ବାଳକୁ ସଜାଡ଼ୁ ସଜାଡ଼ୁ କହିଲେ-ଆଜି ତ ଯିବାର କଥା ନାଁ ? -ଚା’ ଢୋକଟା କଷ୍ଟରେ ଗିଳିନେଲା ବିଜୟ-ହଁ ମା’ ସବୁ ବ୍ୟବସ୍ଥା ହୋଇଯାଇଛି ।
-କିନ୍ତୁ-ସୁଜାଟା-ଆସିଲାନି, ତାକୁ ଦେଖିଯିବାର ବହୁତ ଇଚ୍ଛା ଥିଲା..., କେବେ ପୁଣି ଆସିବି...?
-ଆରେ ଯା, ଭୁଲି ଯାଇଥିଲି ତତେ କହିବାକୁ । ତାକୁ ଚାରିଦିନ ତଳେ ଟେଲିଗ୍ରାମ୍ କରି ଦେଇଥିଲି, ଆଜି ସେ ଆସିବାର କଥା । ଗାଡ଼ିର ଟାଇମ୍ ମଧ୍ୟ ହୋଇଗଲାଣି । ହାତଘଡ଼ିକୁ ଚାହିଁ ବିଜୟ କହିଲା-ତୁ ବ୍ୟସ୍ତ ହୁଅନା, କିରଣକୁ କହି ଦେଇଛି ସୁଜାକୁ ଯାଇ ଷ୍ଟେସନ୍ରୁ ନେଇ ଆସିବ ସେ । କକାଙ୍କର ଚିଠି ଓ ପାସ୍ପୋର୍ଟ ଅନୁସାରେ ସବୁ ବ୍ୟବସ୍ଥା ହୋଇଛି । ପ୍ଳେନ୍ରେ ରିଜର୍ଭେସନ୍ ଇତ୍ୟାଦି ଆଉ କିଛି ଅସୁବିଧା ନାହିଁ । ଏତକ କହି ସାରିଲା ବେଳକୁ ଗେଟ୍ ପାଖରେ ରିକ୍ସାଟିଏ ଛିଡ଼ା ହେବାର ଦେଖି ଆନନ୍ଦରେ କହି ଉଠିଲା ବିଜୟ-ଏହିତ ମା’ ସୁଜା ଆସିଗଲାଣି । ସୁଜୟ ମଧ୍ୟ ରିକ୍ସାରୁ ଓହ୍ଲାଇ ପଡ଼ି ଭାଇ ବେକକୁ ଦୁଇ ହାତରେ କୁଣ୍ଢାଇ ଧରିଲା ଏବଂ ସେହିକ୍ଷଣି ଶଂଖନଳୀର ବ୍ୟଥାଟା ଟଣ୍ଟଣ୍ କରି ଉଠିଲା, ବିଜୟର । ସେ ବ୍ୟସ୍ତଭାବରେ ନିଜକୁ ମୁକୁଳାଇବାକୁ ଯାଇ କହିଲା, ଚାଲ ଚାଲ ଭିତରକୁ ଚାଲ ରିକ୍ସାର ପଇସାଟା ଦେଇ ଆସେ । ସୁଜୟ ମା’କୁ ପ୍ରଣାମ କରିବାପାଇଁ ଜୋତାର ଫିତା ଖୋଲିଲା ।
ବିଜୟ ଭିତରକୁ ଆସି କହିଲା, ସୁଜା ତୁ ଖାଇପିଇ ଟିକେ ବିଶ୍ରାମ ନେ । ମୁଁ ମା’ଙ୍କର ଏହି କେତେଟା ବରାଦ ଜିନିଷ ବଜାରରୁ ନେଇ ଆସୁଛି । ମନେଅଛି ତ ? ଉପରଓଳି ପାଞ୍ଚଟା ବେଳକୁ ତୁମର ପ୍ଳେନ୍ ଛାଡ଼ିବାର ଟାଇମ୍ । ସୁଜୟ ମୁଣ୍ଡ ହଲାଇ କହିଲା ହଁ ଭାଇ । କିରଣର ସ୍କୁଟର୍ ପଛରେ ବିଜୟ ଚଢ଼ି ବସିବାର ଦେଖି ଶ୍ରୀମୟୀ କରୁଣ କଣ୍ଠରେ କହିଲେ ଆଜି ବି ଦିପହରରେ ଖାଇବାକୁ ଆସିବୁନି ? ବିଜୟର ସ୍କୁଟର ପଛରୁ ଚିତ୍କାର କରିବାକୁ ଇଚ୍ଛା ହେଉଥିଲା ନା-ମା’ ନା । ତୋ ହାତରେ ଅମୃତ ମଣୋହି ଭୋଜନ ଏ ହତଭାଗ୍ୟ ସନ୍ତାନର ନାହିଁ । ତା’ର ଗଳାର ଶଂଖନଳୀଟା ପଚି ସଢ଼ି ନଷ୍ଟ ହୋଇଯାଇଛି । ନାଁ, ନିଜକୁ ସମ୍ଭାଳି ନେଲା ବିଜୟ ଆଉ ଅଳ୍ପ ସମୟ । କେବଳ ଏତିକି କହିଲା, କ’ଣ କରିବି କହୁନୁ..........।
ଜୋତା ହଳଟା ପାଦରୁ ଓହ୍ଲାଇ ଦେଇ କିରଣର ବସିବା ଘରେ ଥିବା ଡିଭାନଟା ଉପରେ ଲମ୍ବା ହୋଇ ଶୋଇପଡ଼ିଲା ବିଜୟ । ଏହି ସୋଫା କମ୍ ବେଡ଼୍ ଖଣ୍ଡିକ ମଣିମାଳା ହିଁ ଦୁଇ ମାସ ଆଗରୁ ବ୍ୟବସ୍ଥା କରିଦେଇଥିଲା । ଦିନତମାମ ଏହି ଖଟଟା ଉପରେ କଟାଇବାକୁ ପଡ଼େ ବିଜୟକୁ । ବେଶ୍ ଟିକିଏ ରାତି ହେଲେ ଘରକୁ ଯାଏ । ମା’ ଯେପରି କୌଣସି ସନ୍ଦେହ ନକରି ପାରନ୍ତି, ସେହିପରି ଭାବରେ ଘରକୁ ଫେରେ । କେଉଁ ଦିନ ଦୁଧ ଟିକିଏ ପିଏ କିମ୍ବା ଖାଇ ଆସିଛି କହି ନିଜ ରୁମ୍କୁ ଚାଲିଯାଏ।
ନିତିଦିନର ରୁଟିନ୍ ଅନୁସାରେ ମଣିମାଳା ଗୋଟିଏ ଗ୍ଳାସ୍ ଭର୍ତ୍ତି ଦୁଧ ଏବଂ କିଛି ବିସ୍କୁଟ ଆଣି ଟେବୁଲ ଉପରେ ଥୋଇ ଦେଲା ।
-ବିଜୟ ଭାଇ ଦୁଧଟା ପିଇଦିଅ । ମୁଁ ଟିକିଏ ଆସୁଛି । କ’ଣ କାମ ଥିବ ବୋଧ ହୁଏ । ତରବର ହୋଇ ସେ କୋଠରିରୁ ବାହାରି ଗଲା ।
ଗ୍ଳାସ୍ ଭର୍ତ୍ତି ଦୁଧକୁ କିଛି ସମୟ ଚାହିଁ ରହିଲା ବିଜୟ । ଏହି ତା’ର ଏବକାର ଜୀବନ ଧାରଣପାଇଁ ପଥ୍ୟ । ଏହି ଗରମ ଦୁଧରେ ବିସ୍କୁଟ କେଇ ଖଣ୍ଡ ଭିଜାଇ ନରମ କରି ବହୁ କଷ୍ଟରେ ତଣ୍ଟି ଭିତରକୁ ପାରି କରିବାକୁ ପଡ଼େ । ଆଜିକାଲି ଭୋକ ନ ହେବାଟା ବିଶେଷଭାବରେ ଜାଣିପାରେନା ସେ । ବର୍ତ୍ତମାନ ଖାଇବାର ସ୍ପୃହା ଜମା ନାହିଁ । ପଛକୁ ବୁଲି ଆଖି ବନ୍ଦ କରିଦେଲା ବିଜୟ । କାରଣ ବର୍ତ୍ତମାନ ତାକୁ ଦୀର୍ଘ ପାଞ୍ଚ ଘଣ୍ଟା ଏଭଳି ଗୋଟିଏ ସ୍ଥାନରେ ହିଁ କଟାଇବାକୁ ପଡ଼ିବ ।
ଗାଡ଼ି ନେଇ ପହଞ୍ଚିଲା ବେଳକୁ ମା’ ଓ ସୁଜା ଯିବାକୁ ପ୍ରସ୍ତୁତ ହୋଇ ସାରିଛନ୍ତି । ସୁଜୟ ବାହାରେ ଛିଡ଼ା ହୋଇଥିଲା । ବିଜୟ ପଚାରିଲା-ସୁଜୟ ! ତୋର ସବୁ ସରିଛି ତ ? ମା’ ମଧ୍ୟ ପାଖରେ ଥିଲେ । ବିଜୟକୁ ଦେଖିଲାକ୍ଷଣି ଅଭିମାନିଆ ସ୍ୱରରେ କହିଲେ, ବିଜୁ ତୁ ଯାଉନୁ ମୋ ସାଙ୍ଗରେ । ବିଜୟ ଉତ୍ତରକୁ ଏଡ଼ିଯିବାପାଇଁ ନିଜ କୋଠରି ଭିତରକୁ ପଶିଯାଇ କ’ଣ ଖୋଜିବାର ବାହାନାରେ ଏଣେତେଣେ ଦରାଣ୍ଡିଲା ପରି ଟେବୁଲ ଚେୟାର ଇତ୍ୟାଦିରେ ହାତ ମାରିବାକୁ ଲାଗିଲା । ମା’ ପୁଣି କହିଲେ କ’ଣ ତୁ ସତରେ ଯାଉନୁ ?
ବିଜୟ ଧୀର କଣ୍ଠରେ କହିଲା ସୁଜା ତ ଯିବ । ତା’ର ବର୍ତ୍ତମାନ କିଛି କାମ ନାହିଁ । ସେ ସ୍ଥାନ ମଧ୍ୟ ଦେଖିବାର ସୁଯୋଗ ପାଇବ । କକା ମଧ୍ୟ ଯାହା ଲେଖିଛନ୍ତି ଖୁଡ଼ୀଙ୍କର ଇଚ୍ଛା ତାଙ୍କର ଜନ୍ମସ୍ଥାନରେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ । କକା ନିଶ୍ଚୟ ଖୁଡ଼ୀଙ୍କୁ ଏକା ଛାଡ଼ି ଦେବେନି । ତେଣୁ ସେ ଚାଲିଯିବା ପରେ ତାଙ୍କର ଅନୁପସ୍ଥିତିରେ ଏତେ ବଡ଼ ଇଣ୍ଡଷ୍ଟ୍ରି କିଏ ସମ୍ଭାଳିବ ?
-ନିଜର ଲୋକ ଜଣେ ଥିଲେ ସବୁ ସୁବିଧା ହେବ । ତେଣୁ ସୁଜୟ ଯିବା ନିତାନ୍ତ ଆବଶ୍ୟକ । ତା’ ବ୍ୟତୀତ ସେ ଇଣ୍ଡଷ୍ଟ୍ରି ତ........?
ମା’ ତୁଣ୍ଡରୁ କଥା ଛଡ଼ାଇ ନେଇ କହିଲେ-ସତ କହିଛୁ ବାପା । ସେ ସବୁ ତ ତୁମ୍ଭମାନଙ୍କର । ତୁମ ଦୁହିଁଙ୍କ ବ୍ୟତୀତ ଶ୍ୟାମର ଆଉ କିଏ ଅଛି ଯେ ? ତୋର ଖୁଡ଼ୀଙ୍କର ମଧ୍ୟ ବହୁତ ଇଚ୍ଛା ସୁଜୟକୁ ଦେଖିବାପାଇଁ । ସେ ତାକୁ ମନେ ମନେ ପୁଅ କରି ନେଇଛି । ବିଜୟ ହାତରେ ଧରିଥିବା ପ୍ୟାକେଟ୍ଟା ମା’ ହାତକୁ ବଢ଼ାଇ ଦେଲା । ଶ୍ରୀମୟୀ ପ୍ୟାକେଟ୍ଟି ଖୋଲି ଚୁଡ଼ି ସିନ୍ଦୂର, ଅଳତା ଓ ସମ୍ବଲପୁରୀ ପାଟ ଖଣ୍ଡିକ ଦେଖି ପୁଣି ବାନ୍ଧି ପକାଇଲେ ଏବଂ ଟିକିଏ ହସିଲେ । କହିଲେ, ଏଗୁଡ଼ିକ ତୋର ଖୁଡ଼ୀପାଇଁ । ପୁଣି ଆଖି ଛଳ ଛଳ କରି କହିଲେ ଆଗରେ ସାବିତ୍ରୀବ୍ରତ, ଖାଲି ହାତରେ ଯିବି କିପରି ! ଯେତେହେଲେ ସେ ହିନ୍ଦୁଘରର ବୋହୂ ତ ?
ବିଜୟ କହିଲା, ମା’ ଖ୍ରୀଷ୍ଟିୟାନ ହୋଇଥିଲେ ହିନ୍ଦୁ ଘରକୁ ଆସିଲେ କ’ଣ ହିନ୍ଦୁ ହୋଇଯିବେ ।
-ଆରେ ହେବନାହିଁ ? ନିଶ୍ଚୟ ହେବ । ମା’ କଥାରେ ଜୋର୍ ଦେଇ କହିଲେ । କଥାରେ କୁହନ୍ତି ପରା-ଡମର କଣ୍ଢେଇ ଧୋଇଆଣିଲେ ଶୁଦ୍ଧ । ବିଜୟ ମା’ର କୁସଂସ୍କାରମୁକ୍ତ ଉଜ୍ଜ୍ୱଳ ମୁଖଦୀପ୍ତିକୁ ଚାହିଁ ରହିଥିଲା । କେତେ ଉଦାରତାରେ ପରିପୂର୍ଣ୍ଣ ମା’ଙ୍କର ହୃଦୟ । ଅଥଚ ମା’ ତ ଡିଗ୍ରିଧାରୀ ମହିଳା ନୁହନ୍ତି କିମ୍ବା ଆଜି କାଲିକାର ନୁହନ୍ତି । ସେ ପିଲାଦିନରୁ ସେକାଳର ଢଙ୍ଗରେ ବଢ଼ିଛନ୍ତି ।
ସୁଜୟ ଜଣାଇଲା ଭାଇ- ଗାଡ଼ିରେ ସବୁ ଜିନିଷପତ୍ର ରଖା ହେଲାଣି । ଘରେ ଖାଲି ଚାବି ଦେବାଟା ବାକି । ବିଜୟ ହାତ ଘଡ଼ିକୁ ଚାହିଁଲା । ତା’ ପରେ ମା’ଙ୍କ ମୁହଁଙ୍କୁ । ମହିମାମୟୀ ମା ତା’ର ଘର ଛାଡ଼ିବା ପୂର୍ବରୁ ଠାକୁରଘର ଦ୍ୱାର ପାଖରେ ଛିଡ଼ା ହୋଇ ଆଖି ବନ୍ଦ କରି ପ୍ରାର୍ଥନା କରୁଛନ୍ତି । ପ୍ରାର୍ଥନା ସାରି ଆଖି ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କଲା ବିଜୟ । ପରେ କ୍ଷୀଣ କଣ୍ଠରେ କହିଲା ଠାକୁରଙ୍କୁ ନେଇ ଯିବୁନି ମା’......?
-ଏଁ, ଟିକେ ଚମକିଲା ପରି କହିଲେ ଶ୍ରୀମୟୀ କ’ଣ କହୁଛୁ ? ଲକ୍ଷ୍ମୀନାରାୟଣ ହେଲେ ଆମର ଇଷ୍ଟ ଦେବତା । ତାଙ୍କୁ ସ୍ଥାନାନ୍ତର କରିବ କିଏ ? ବିଜୟର ମଧ୍ୟ କହିବାକୁ ଇଚ୍ଛା ହେଉଥିଲା-କିନ୍ତୁ ମା’ ଘରର ମଣିଷ ସ୍ଥାନାନ୍ତରିତ ହୋଇଯାଆନ୍ତି, ବିଚ୍ଛିନ୍ନ ହୋଇ ଯାଆନ୍ତି ବଂଶଧରମାନେ । ତା’ହେଲେ ତୁମର ଇଷ୍ଟ ଦେବତାଙ୍କର ସେବା ପୂଜା କିପରି ହେବ ?
ଏତେଗୁଡ଼ିଏ କଥା ଭାବିଲା ସିନା, କିନ୍ତୁ କହିଲା ବେଳକୁ କେବଳ କହିଲା ପୂଜା.....?
-ଓହୋ, ତୁ ନିତି ଦିନର ପୂଜା କଥା କହୁଛୁ ? ପ୍ରତିମା ଠାକୁର ତ ! ତେଣୁ ନିୟମମତେ ପ୍ରତିଦିନ ସେବା ପୂଜା ହେବା ବିଧେୟ । ଏବେ ମୁଁ ବୁଝୁଛି ବିଜୁ, ତୋର ତ ବହୁତ କାମ କେତେବେଳେ ବାହାରକୁ ଯାଇ ରହିବାକୁ ପଡ଼େ । ଭାରି ହଇରାଣ ହୋଇଯିବୁ ଏକୁଟିଆଟା ।
ଆହା ମା’ ତା’ର କେତେ ସରଳମନା ! ବିଜୟ ତଳକୁ ମୁଣ୍ଡ ନୁଆଁଇ ଘୁଞ୍ଚି ଆସିଲା ।
ଶ୍ରୀମୟୀ ଲକ୍ଷ୍ମୀନାରାୟଣ ଓ ଶିବ ଲିଙ୍ଗକୁ ଠାକୁରରଖା ପିତଳ ଖଟୁଲିରେ ପୂରାଇ ଲାଲ୍ ଶାଲ ଖଣ୍ଡିକରେ ବାନ୍ଧି ପକାଇଲେ । ସେ ଖଣ୍ଡକ ହାତରେ ଧରିବେ । ପ୍ଳେନ୍ରେ ବସିବା ପରେ କୋଳ ଉପରେ ବସାଇ ରଖିବେ ।
ଏୟାରପୋର୍ଟରେ ଚେକିଙ୍ଗ ପରେ ମାଲପତ୍ର ଯଥାସ୍ଥାନରେ ରଖି ଦେଇ ସୋଫା ଉପରେ ବସିପଡ଼ିଲା ବିଜୟ । ବାରମ୍ବାର ଯନ୍ତ୍ରବାହି ସମ୍ବାଦ ଘୋଷିତ ଯନ୍ତ୍ର ସାହାଯ୍ୟରେ ଯାତ୍ରୀମାନଙ୍କୁ ସଜାଗ ଓ ସାବଧାନ କରିଦେଉଥିଲେ ଏୟାରପୋର୍ଟର କର୍ମକର୍ତ୍ତା ।
ଯାହାର ଯେଉଁ କାର୍ଯ୍ୟ ସେହିପରି ଭାବରେ ସମସ୍ତେ ତତ୍ପର ଓ ଚଞ୍ଚଳ ହୋଇଉଠିଲେ ନିଜର କାର୍ଯ୍ୟ ତୁଲାଇବାପାଇଁ । ବିଜୟ ସୋଫାକୁ ଆଉଜି ବସିଥିଲା । ଶ୍ରୀମୟୀ ତାଙ୍କର ଜଣେ କିଏ ଚିହ୍ନା ବାନ୍ଧବୀଙ୍କ ସହିତ ଦେଖା ହୋଇଯିବାରୁ କଥା କହୁଥିଲେ । ସେତେବେଳେ ପୁଣି ନିଉଜ୍ ଭାସି ଆସିଲା-ଆଉ ସାତ ମିନିଟ୍ ପ୍ଳେନ ଛାଡ଼ିବାକୁ ବାକି ରହିଲା । ଦୟାପୂର୍ବକ ଯାତ୍ରୀମାନେ ନିଜର ସ୍ଥାନ ଗ୍ରହଣ କରିନିଅନ୍ତୁ । ଚେକିଂ ଗେଟ୍ ପାଖରେ ଲାଇନ୍ ହୋଇ ଯାତ୍ରୀମାନେ ଗ୍ରାଉଣ୍ଡ ଭିତରକୁ ଯିବାକୁ ଆରମ୍ଭ କଲେ । ବିଜୟ ସୋଫା ଛାଡ଼ି ମା’ଙ୍କର ପାଦ ପାଖରେ ବସିପଡ଼ିଲା । ବହୁ ସମୟ ଧରି ମା’ର ପାଦ ଦୁଇଟି ଉପରେ ତା’ର ଉତ୍ତପ୍ତ ଲଲାଟକୁ ଛୁଆଇଁ ରଖି ପ୍ରଣାମ କଲା-ମା’, ଏହି ଶେଷ ଏହି ଶେଷ......।
ଲୁହାର ବାଡ଼ ଦେହରେ ଆଉଜି ପଡ଼ିଥିଲା ବିଜୟ । ଆଖି ଦୁଇଟା ଭୀଷଣଭାବରେ ପୋଡ଼ୁଛି ଯେ ! ଝାପ୍ସା ହୋଇଯାଇଛି ବାହାର ଓ ଭିତର । ସବୁ ଏକାକାରା । ନା, କିଛି ଦେଖି ପାରୁନି, କେବଳ ଅନୁଭବ ମାତ୍ର । ଏହି ଶେଷ ନିର୍ଦ୍ଦେଶନାର ସ୍ୱର ଶୁଣିପାରୁଛି । ବୋଧହୁଏ ପ୍ଳେନ୍ର ପ୍ରଥମ ପଙ୍ଖାଟି ସଚଳ ହେଲା । ଯାତ୍ରୀବାହୀ ଗାଡ଼ି ଓ ମାଲବୁହା ଟ୍ରଲିଗୁଡ଼ିକ ଗ୍ରାଉଣ୍ଡ ତିଆରି କରି ପଛାଇ ଯାଉଛନ୍ତି । ଟ୍ରଲିର ଘର୍ ଘର୍ ଶବ୍ଦ ଶୁଣିପାରୁଛି ବିଜୟ । ପ୍ଳେନର ଦ୍ୱିତୀୟ ପଙ୍ଖାଟି ମଧ୍ୟ ସଚଳ ହେଲା । ଯାନଟି ଆସ୍ତେ ଆସ୍ତେ ଜୀବନ୍ତ ହେବାକୁ ଲାଗିଲା । ଏହା କେବଳ ଅନୁଭବ ମାତ୍ର । କାରଣ ଆଖି ଦୁଇଟାରେ ଭୀଷଣଭାବରେ ଆଷାଢ଼ର ମେଘ ଢାଙ୍କି ବସିଛି ।
ଏୟାରହୋଷ୍ଟେସ୍ ଆସିବା ପୂର୍ବରୁ ସୁଜୟ ବେଲଟ୍ଟା ଭଲକରି ଯତ୍ନରେ ବାନ୍ଧି ଦେଇଥିବ ମା’ଙ୍କର ଅଣ୍ଟା ଚାରିପଟରେ । ଏହି ପ୍ରଥମ କରି ମା’ ଉଡ଼ାଜାହାଜରେ ବସୁଛନ୍ତି । ପ୍ରଥମରେ ମା’ ଭୀଷଣ ଭୟ ପାଇ ଯାଇଥିଲେ । କହୁଥିଲେ, ବିଜୁରେ ! ଉଡ଼ାଜାହାଜ ମତେ କେଉଁ ଉଚ୍ଚ ଆକାଶକୁ ଉଡ଼ାଇ ନେବ । ଯଦି କିଛି ଦୁର୍ଘଟଣା ହୋଇଯାଏ......?
ଭୀଷଣଭାବରେ ଗର୍ଜନ କରି ପ୍ଳେନଟି ଉପରକୁ ଉଠିବାପାଇଁ ଆରମ୍ଭ କରିଦେଇଥିଲା । ମନେ ମନେ ବିଜୟ କହୁଥିଲା ଡର ନାହିଁ ମା ! ତୁମର ଗନ୍ତବ୍ୟର ଯାନଟି ତୁମପାଇଁ ଏକ ପୁଷ୍ପକଯାନ । କାରଣ, ଯଦି ଦଇବାତ୍ ଖସିପଡ଼ କିଛି ଦୁଃଖ ନାହିଁ । ଜ୍ୟେଷ୍ଠ ପୁତ୍ରକୁ ଛାଡ଼ିଲେ ବି ସାଙ୍ଗରେ କନିଷ୍ଠ ରହିଛି । କିନ୍ତୁ ବିଜୟର ପଥ ଭୀଷଣ ସଂଙ୍କଟମୟ....ଭୀଷଣ....ଭୀଷଣ.....! ବର୍ତ୍ତମାନ ଏକ ଉତ୍ତପ୍ତ ଆଗ୍ନେୟଗିରିର ମଧ୍ୟଭାଗରେ ମୁଁ ଉଡ଼ୁଛି । ମୋର ଉଡ଼ନ୍ତା ଯାନରେ ହୃତପିଣ୍ଡର ସବୁ ଯନ୍ତ୍ର ବିଫଳ ହେବାକୁ ବସିଛି । ଊର୍ଦ୍ଧ୍ୱକୁ କିମ୍ବା ନିମ୍ନକୁ ଯିବାର ଉପାୟ ନାହିଁ । ଚତୁର୍ଦିଗ କେବଳ ଉତ୍ତପ୍ତ ବାଷ୍ପରେ ପରିପୂର୍ଣ୍ଣ । ମା’, ମା’, ବିଜୟକୁ ଛାଡ଼ିଯାଆନା । ତୋ ବ୍ୟତୀତ ତା’ର ଆଉ କେହିଁ ନାହିଁ, କେହି ନାହିଁ । ଦୁଇ ହାତରେ ପଛପଟର ଆଖିର ପତା ଦୁଇଟିକୁ ମାଜି ପକାଇଲା ବିଜୟ ! ଉପରକୁ ଦୃଷ୍ଟି ମେଲାଇ ଦେଖିବାକୁ ଚେଷ୍ଟାକଲା ।
ଏହି ତ ଝରକା ପାଖରେ ବସି ମା’ ହାତ ହଲାଇ ବିଦାୟ ଜଣାଉଥିବେ ଏବଂ କହୁଥିବେ ବିଜୁ ସାବଧାନରେ ଚଳିବୁ, ଶୀଘ୍ର ଘରକୁ ଫେରିବୁ । ବେଶୀ ରାତି କରିବୁନି । ଟାଇମ୍ରେ ଖାଇନେବୁ.....।
ବୋଧହୁଏ ତାଙ୍କର ଜ୍ୟେଷ୍ଠପୁତ୍ରର ମୁହଁଟା ଶେଷଥର ଦେଖିନେବାପାଇଁ ଝରକାର କାଚ ଦେହରେ ନିଜର ଗାଲଟା ଲେସି ରଖି ଚାହିଁ ରହିଥିବେ । ବିଜୟ ପୁଣି ଆଖି ମଳିଲା । ନା, କିଛି ଦୃଶ୍ୟ ହେଉ ନାହିଁ । କେବଳ ଧୂସର ଧୂଆଁର ଗାରଟିଏ ଊର୍ଦ୍ଧ୍ୱକୁ ଲମ୍ବିଯାଇଛି ମାତ୍ର ।
ମା’ ବାରମ୍ବାର କହିଛନ୍ତି- ବିଜୁ ଏଠା କାମ ଶେଷକରି ଶୀଘ୍ର ଚାଲି ଆସିବୁ । କିନ୍ତୁ ମା’ତ ଜାଣେ ନାହିଁ । ବିଜୁର କାର୍ଯ୍ୟ ଏ ଜୀବନରେ ଆଉ ଶେଷ ହେବ ନାହିଁ । କାନ୍ଧ ଉପରେ କାହାର କରସ୍ପର୍ଶ ପାଇ ପଛକୁ ଫେରି ଚାହିଁଲା ବିଜୟ । କିଏ ? କିରଣ ! ତୁ ଯାଇନୁ ଛିଡ଼ା ହୋଇରହିଛୁ ? ହଁ ବିଜୟ ଭାଇ, ଦରୱାନ ଗେଟ୍ ବନ୍ଦ କରିବାକୁ ବ୍ୟସ୍ତ ହେଲାଣି । ଚାଲ ଘରକୁ ଯିବା ।
-ଘର !
ମଣିମାଳା ବିଜୟର ହାତଟିଏ ଧରିଲା । କହିଲା-ବିଜୟ ଭାଇ, ଦେଖିଲ କେତେ ସମୟ ଛିଡ଼ା କରି ରଖିଲଣି, ମୋ ପାଦ ଦୁଇଟି ଫୁଲିଯାଇ ବିନ୍ଧିଲାଣି ।
-ସତେ ତ, ପ୍ରଥମ କରି ମା’ ହେବାକୁ ଯାଉଛି ମଣିମାଳା, ଅଙ୍ଗ ପ୍ରତ୍ୟଙ୍ଗ ଭାରୀ ହୋଇଉଠିଲାଣି ତା’ର । କିଛି ସମୟ ଉଦାସ ଦୃଷ୍ଟିରେ ଚାହିଁ ରହିଲା ବିଜୟ । ତା’ପରେ କିରଣର କାନ୍ଧ ଉପରେ ନିଜର ଦେହ ଭାରକୁ ନ୍ୟସ୍ତ କରିଦେଲା।
ରାତ୍ରିଟା କୌଣସି ପ୍ରକାର ସେ ଘରେ କଟାଇ ଥିଲା । କିରଣ ଓ ମାଣିମାଳା ମଧ୍ୟ ରହିଯାଇଥିଲେ ବିଜୟକୁ ସାନ୍ନିଧ୍ୟ ଦେବାପାଇଁ । ଫ୍ରିଜ୍ ଭର୍ତ୍ତି ଖାଦ୍ୟ ରଖି ଯାଇଥିଲେ ଶ୍ରୀମୟୀ । କିରଣ ଓ ମଣିମାଳା ସେଥିରୁ କିଛି କିଛି ତୁଣ୍ଡରେ ଦେଇଥିଲେ । ବିଜୟକୁ ବାଧ୍ୟକରି ଦୁଧ କପେ ଖୁଆଇ ଥିଲା ମଣିମାଳା । ନିଜର ରୁମ୍ଟା ସେମାନଙ୍କୁ ଛାଡ଼ିଦେଇ ବାହାର ବାରଣ୍ଡାରେ ରାତ୍ରିଟା କଟାଇ ଦେଇଥିଲା ବିଜୟ । ପରଦିନ ଏହିଠାରୁ ହିଁ କିରଣ ଅଫିସ୍ ଚାଲିଗଲା । ଏଠା ଘରର ବ୍ୟବସ୍ଥା କରି ବିଜୟକୁ ନେଇ ମଣିମାଳା ତା’ ବସାକୁ ଯିବ । ବିଛଣା ଛାଡ଼ି ପ୍ରଥମେ ହିଁ ପଞ୍ଜୁରି ଛିଟିକିଣି ଖୋଲି ଦେଇଥିଲା ବିଜୟ । ତାର ଅତି ପ୍ରିୟ ପୋଷା ପକ୍ଷୀଗୁଡ଼ିକୁ ଉନ୍ମୁକ୍ତ କରିଦେଲା । ବହୁଦିନୁ ବନ୍ଦୀ ହୋଇ ରହିଥିବା ପକ୍ଷୀଗୁଡ଼ିକ ପଞ୍ଜୁରିର ଦ୍ୱାର ଖୋଲା ହେବା ଦେଖି ମଧ୍ୟ କ’ଣ କରିବାକୁ ହେବ ବୁଝିପାରୁ ନ ଥିଲେ କିମ୍ବା ବିଜୟର ଏତେ ଦିନର ଏକାନ୍ତ ସ୍ନେହକୁ ଉପେକ୍ଷା କରି ହଠାତ୍ ଚାଲି ଯିବାକୁ ଦ୍ୱିଧା କରୁଥିଲେ । ତେଣୁ ଅଳ୍ପ ସମୟ ପଞ୍ଜୁରି ଭିତରେ ଟିକିଏ ଏପଟ ସେପଟ ଡେଇଁ ବୁଲିଲା ପରେ ସବୁଗୁଡ଼ିକ ଏକ ସାଙ୍ଗରେ ଉଡ଼ିଯାଇ ଆକାଶରେ ଅଦୃଶ୍ୟ ହୋଇଗଲେ । କିଛିଦିନ ଆଗରୁ ଟମକୁ ମଧ୍ୟ ଭେକ୍ସିନେସନ୍ପାଇଁ ହସ୍ପିଟାଲକୁ ନେଉଛି କହି କିରଣ ଘରେ ଛାଡ଼ି ଆସିଥିଲା । ବାକି ଯାହା ସବୁ ଯେମିତି ସେମିତି ପଡ଼ି ରହିଲା । କେବଳ ମେହେନ୍ଦି ଡାଳଗୁଡ଼ିକୁ ନିଃସଙ୍ଗ ହାହାକାର ମଧ୍ୟରେ ଛାଡ଼ି ଦେଇ ଚିରଦିନପାଇଁ ଦ୍ୱାରରେ ତାଲା ପକାଇ ଚାବି ପେନ୍ଥାଟା ମଣିମାଳା ହାତକୁ ବଢ଼ାଇ ଦେଲା ବିଜୟ।
ଔଷଧ ପ୍ୟାକେଟ୍ଟା ହାତରେ ଧରି ରାସ୍ତା ସେପଟକୁ କ୍ରସ୍ କରି ଯାଇଥିଲା ବିଜୟ । ଟାଉନ୍ ବସ ଗୋଟେ ଛିଡ଼ା ହୋଇଛି, ବସି ପାରିଲେ ସୁବିଧା ହେବ । ତେଣୁ ତରବରରେ ପାରି ହୋଇଯାଉଥିଲା ସେପଟକୁ । ବିପରୀତ ଦିଗରୁ ଚାଲି ଆସୁଥିଲା ମନବୀଣା । ହଠାତ୍ କରି ମୁହାଁମୁହିଁ ଭେଟ ହୋଇଯିବାରୁ ସେହି ରୋଡ଼୍ ମଝିରେ ଠିଆ ହେବାକୁ ପଡ଼ିଲା । ମନବୀଣା ଆଶ୍ଚର୍ଯ୍ୟ ହୋଇ କହିଲା- ବିଜୟ ତୁମେ ଏଠାରେ ? ବିଜୟ ମଧ୍ୟ ଅଚାନକଭାବରେ ଅଟକି ଯାଇ ଟିକିଏ ଘାବରେଇ ଯାଇଥିଲା ଏବଂ ଠିକ୍ ମନବୀଣାର ପ୍ରଶ୍ନ ହିଁ ତା’ର ଦୃଷ୍ଟିରେ । କାରଣ ସାଧାରଣତଃ ମନବୀଣାର ଏପଟକୁ ଆସିବାର ଆବଶ୍ୟକତା ନ ଥାଏ । ବୁଝିପାରିଥିଲା ମନବୀଣା, କାହିଲା-ଜଣେ ବାନ୍ଧବୀ ଘରକୁ ଆସିଥିଲି । କିନ୍ତୁ ତୁମେ....ତୁମର ତ ଘର ଏପଟେ ନୁହେଁ ।
ସେ ସବୁ ପରେ ଶୁଣିବ କହି ବିଜୟ ମନବୀଣାର ହାତଟିକୁ ଧରି ଟାଣି ଆଣିଲା ରାସ୍ତା କଡ଼କୁ । ଏମିତି ରାସ୍ତା ମଝିରେ ସ୍ତ୍ରୀ, ପୁରୁଷ ଦୁଇଟି ମୁହାଁମୁହିଁ ଛିଡ଼ା ହେବାର ଦେଖିଲେ କୌତୂହଳ ବଢ଼ିଯାଏ ଲୋକଙ୍କର-ରିକ୍ସା, ମୋଟର ଠୁଳ ହୋଇପଡ଼ିବ । ଲଫଙ୍ଗା ଟୋକାଙ୍କର ସାଇକେଲ ମଧ୍ୟ ବାଦ୍ ରହିବ ନାହିଁ ।
ସେମାନେ ରାସ୍ତାଧାରରେ ଥିବା ଗୋଟିଏ କୃଷ୍ଣଚୂଡ଼ା ଗଛର ଛାଇରେ ଛିଡ଼ାହେଲେ । ମନବୀଣା ସେହି ନାଲି ଫୁଲ ଗୁଡ଼ିକୁ ହାତ ବଢ଼ାଇ କହିଲା-ଦେଖିଲ, ଫୁଲଗୁଡ଼ିକ କେତେ ସୁନ୍ଦର ଦିଶୁଛି । କୃଷ୍ଣଚୂଡ଼ାର ଡାଳଟିଏ ଭାଙ୍ଗି ମନବୀଣାର ହାତରେ ଧରାଇ ଦେଇ କହିଲା ବିଜୟ, ତୁମଠାରୁ ଅଧିକ କି ?
-ଧେତ୍ କ’ଣ ଯେ କୁହ...। ଆଚ୍ଛା ବାବୁ ଆଜିକାଲି କୁଆଡ଼େ ବୁଲୁଛନ୍ତି, ମୋଟେ ଦେଖାଯାଉ ନାହାନ୍ତି ଯେ.... ! ଆଦର ଗଳାରେ ଏତକ କହିଦେଇ ପାଖେଇ ଆସିଲା ମନବୀଣା । ବିଜୟ ଭୟ କରୁଥିଲା, ତା’ର ଏଇ ଲୁଚି ଲୁଚି ବୁଲିବାକୁ ନେଇ ମନବୀଣା ଅଭିମାନ କରିବ । କଥା କହିବନି, କିନ୍ତୁ ନା, ଅଯଥା ଅଭିମାନ କରି ମନବୀଣା ଫେସନ ଦେଖେଇ ଜାଣେନା ।
ଖୁବ୍ ଅନ୍ତରଙ୍ଗ ସ୍ୱରରେ କହିଲା-ବିଜୟ ! ଆଜିକାଲି ତୁମେ କେମିତି ବଦଳି ଯାଉଛ ।
-ତୁମ ଘରକୁ ଯାଇ ଦେଖା ପାଉନି । ଖବର ଦେଲେ ମଧ୍ୟ ଆସୁନ କ’ଣ ପାଇଁ ? ବିଜୟ ! କଣ ତୁମର ଏତେ କାମ..ଟିକିଏ ଦେଖା କରିବାକୁ ସମୟ ହୁଏନି ? କହୁ କହୁ ମନବୀଣାର କଣ୍ଠ ଭାରୀ ହୋଇଉଠୁଥିଲା । ଖବର ଟିକିଏ ଦେବାକୁ ମଧ୍ୟ ଭୁଲି ଯାଉଛ ? କାହିଁକି ଏମିତି ଦୂରେଇ ଯାଉଛ ବିଜୟ ! କ’ଣ ହୋଇଛି ତୁମର କହିଲ...।
ବିଜୟର କାନ ଦୁଇଟା ସିଧାହୋଇ ଶୁଣୁଥିଲେ ମଧ୍ୟ ଆଖିର ଦୃଷ୍ଟି ସ୍ଥିରରଖି ପାରିନି ମନବୀଣାର ମୁହଁ ଉପରେ । ସେ ଶୁଣୁଥିଲା ସବୁ କିଛି, କିନ୍ତୁ ଉଦାସ ଦୃଷ୍ଟିରେ ହଜିଯାଇଥିଲା କେଉଁ ଧୂସର ମେଘମାଳା ଭିତରକୁ । ମନବୀଣାର ଗୋଟିଏ ବି ପ୍ରଶ୍ନର ଉତ୍ତର ଦେଇପାରିଲାନି ବିଜୟ । ମନବୀଣା ପୁଣି କହିଲା-କ’ଣ ନୂତନଭାବରେ ଗ୍ୟାରେଜ୍ ଖୋଲି କିଛି ଅସୁବିଧା ହୋଇଛି କି ତୁମର ? ମ୍ୟାନେଜ୍ କରିବାକୁ କିମ୍ବା ତୁମର ଦେହ ପା...କହୁ କହୁ ଅଟକିଗଲା । ସେ ବିଜୟର ପୂରା ଶରୀର ଓ ମୁହଁ ଉପରେ ଦୃଷ୍ଟି ନିବିଷ୍ଟକରି କହିଲା-ବିଜୟ ! ହଠାତ୍ ତୁମକୁ ଅସୁସ୍ଥ ଲାଗୁଛି ? ତୁମେ ଏମିତି ଦିଶୁଛ କାହିଁକି ? ଏହି ପୋଷାକପତ୍ର...ମଫଲର୍...ଉଁ ଏବେ ତ ସେମିତି ଥଣ୍ଡା ନାହିଁ । ତଥାପି ଏଗୁଡ଼ାକ । ତୁମେ ବହୁତ ଶୁଖିଲା ଦିଶୁଛ...କ’ଣ ହୋଇଛି ତୁମର ? କମ୍ପିତ ସ୍ୱର ତା’ର ଆହୁରି କରୁଣ ହୋଇଉଠିଲା । ସେ ଅଳି କଲାପରି କହିଲା- କିଛି କହୁନ କାହିଁକି ? ବିଜୟର ଅନ୍ତରାତ୍ମା ଭିତରୁ ଚିତ୍କାର କରି ଉଠିଲା ନାହିଁ...ନାହିଁ ମନବୀଣା । ତମକୁ ଲୁଚାଇ ରଖିବାର କଥା କିଛି ନାହିଁ....କିଛି ନାହିଁ । କିନ୍ତୁ ନାଚାର ବିଜୟ । ଏକତରଫା କହି କହି ଥକିପଡ଼ିଲା ବୋଧହୁଏ । ମନକୁ ମନ ଚୁପ୍ ହୋଇଗଲା ମନବୀଣା । ଭୀଷଣ ଅସ୍ୱସ୍ତି ଏହି ନିରବତା....। ବିଜୟ ଏତେ ହାଲୁକା ହେବାକୁ ଯାଇ ନିଷ୍ଫଳ ହେଲା । ମନବୀଣାର ଦୁଇ ଗଣ୍ଡ ଦେଇ ଝରି ଆସିଲା କେଇ ଟୋପା ଅଭିମାନିନୀର ଲୁହ ଟୋପା ।
ବିଜୟ ଆସ୍ତେ କରି କହିଲା-ତୁମେ ଅଯଥା ଭାବୁଛ । ମୋର କିଛି ହୋଇନି । ହସିବାର ଚେଷ୍ଟାକରି ମନବୀଣାର ହାତଟିକୁ ମୁଠାଇ ନେଇ ପୁଣି ଛାଡ଼ିଦେଲା । ରାସ୍ତା ଧାରରେ ଅନେକ ସମୟ ଆମେ ଛିଡ଼ା ହେଲୁଣି, ଚାଲ...ଘରକୁ ଯିବା ।
ଖୁସି ହୋଇଉଠିଲା ମନବୀଣା, ବିଜୟ ଯିବା କଥା ଶୁଣି । ମେଘ ଝରଝର ଆକାଶରୁ ଦମକାଏ ହସର ବିଜୁଳି ଚହଟି ଉଠିଲା ମନବୀଣାର ମୁହଁରେ । ସତରେ ତୁମେ ଆସିବ...। ଅଳ୍ପକେ ସବୁ ଭୁଲିଯାଏ...ପିଲାଙ୍କ ପରି ନାଚି ଉଠେ ମନବୀଣା ।
ବିଜୟ ମଧ୍ୟ ହସିଲା ମନବୀଣାକୁ ଚାହିଁ । କହିଲା-ବିଜୟ କେବେ ମିଛ କୁହେନା-କଥା ଏବଂ କାର୍ଯ୍ୟରେ.... ।
-ଇସ୍ ! ନାକଫୁଲିଟି ଚମକି ଉଠିଲା । ସେ ହାତ ବଢ଼ାଇ ଡାକ ପକାଇଲା ଏଇ ରିକ୍ସା....ଆସ । ରିକ୍ସାଟି ଛିଡାହେବାମାତ୍ରେ ସେହି ପୁରୁଣା ଢଙ୍ଗରେ ନିଜେ ଆଗ ବସପଡ଼ି ବିଜୟପାଇଁ ସ୍ଥାନ ଦେଖାଇ କହିଲା ଭଲକରି ବସ ବିଜୟ । ବିଜୟ ମଧ୍ୟ ସେହି ବାଧ୍ୟ ଛାତ୍ରଟି ପରି ମନବୀଣାର କୋଳ ପାଖରେ ବସି ପଡ଼ିବା ଆଗରୁ ଔଷଧ ପ୍ୟାକେଟ୍ଟା ପ୍ୟାଣ୍ଟ ପକେଟ୍ ଭିତରେ ରଖି ଦେଇଥିଲା । କିନ୍ତୁ ଔଷଧ ସିନା ନାହିଁ । ଏହି ଘୋଡ଼ା ହୋଇଥିବା ମଫଲର୍ ଯଦି ଆଖିରେ ପଡ଼ିଯାଏ ! କିନ୍ତୁ ମନବୀଣାର କିଛିପ୍ରତି ଧ୍ୟାନ ନାହିଁ । ସେ ବିଜୟକୁ ପାଇ ସବୁ ଭୁଲିଯାଇଛି । ଖୁସିରେ ଭରି ଉଠିଛି ତା’ର ମନ ପ୍ରାଣ । କାନର ଦୁଲ୍ର ପଥର ଦୁଇଟି ହଲାଇ କଥା କହିବାରେ ମସଗୁଲ ହୋଇପଡ଼ିଛି ସେ । ବିଜୟ ସଙ୍ଗେ ଏତେ ଦିନପରେ ଦେଖା-ବିରହ ମାନ ଅଭିମାନର କଥା-ଅସୁମାର କାହାଣୀ ପେଡ଼ି ଖୋଲି ବସିଛି ମନବୀଣା । ବିସ୍ତାରିତ ଭାବରେ ସବୁ କହି ଚାଲିଛି-ଜାଣ ବିଜୟ ! ଭାଇ ଆସିଛନ୍ତି-ସାଙ୍ଗରେ ତାଙ୍କର ସେହି ବନ୍ଧୁ । ବିଜୟର କାନ ଦୁଇଟା ସିଧା ହୋଇଗଲା । ସେ କହୁଥିଲା-ବନ୍ଧୁଟି ମାନେ ଭାରି ଭଲ । ଦେଖିବାକୁ ଯେମିତି ବ୍ୟବହାର ମଧ୍ୟ ସେମିତି । ଏବେ ଅନେକଗୁଡ଼ିଏ ପିକ୍ଚର ଦେଖାଇଲେଣି । ଦୁଇଟା ବଣଭୋଜି ଖୁଆଇ ସାରିଲେଣି-ସେଦିନ ଯାହା ମଜା ହେଲାନା.......
ଅଶ୍ୱସ୍ତିରେ କାଶି ଉଠିଲା ବିଜୟ-ବାଃ, ଖୁବ୍ ମଜାର ବନ୍ଧୁଟି ପାଇଲ । ତାହା ହେଲେ ପୁଣି ବିଜୟକୁ କାହିଁକି ଡାକି ନେଉଛ । କ’ଣ ମଜା ଦେଖାଇବାକୁ....? ପୁରୁଷଙ୍କ ମନଟା ଭାରି ହିଂସୁକ-ଛାତି ଭିତରଟା ଜଳି ଉଠୁଥିଲା ବିଜୟର-ଓହ୍ଲାଇ ଯିବି କି ? ବୋଲି ଭାବୁଥିଲା । ମନବୀଣା ପୁଣି କହିଲା, ବୁଝିଲ-ଭାଇ ତାଙ୍କୁ ତାଙ୍କର ଅଭିଳାଷ ଜଣାଇ ଦେଇଛନ୍ତି ବୋଧହୁଏ......।
-ଅଭିଳାଷ ? ସେଇଟା ପୁଣି କ’ଣ ? ମୁହଁ ବୁଲାଇ ଚାହିଁଲା ବିଜୟ । ମନବୀଣା କହିଲା-ବୁଝଲନି ? ସେହି, ମାନେ ମୋସହିତ.......।
-ବୁଝିନି ଆଉ । ବୁଝିଥିଲେ ମଧ୍ୟ ନ ବୁଝିବାର ଭାବ ଦେଖେଇ ରହିଗଲା ବିଜୟ ।
-ବୁଝିଲ । ମୋପରି ଚଣ୍ଡୀକୁ ସେ ଭଲ ମଣିଷଟି ବିଚରା...କହି ଖିଲି ଖିଲି ହୋଇ ହସିବାକୁ ଲାଗିଲା ମନବୀଣା ।
ରାଗରେ ସର୍ବାଙ୍ଗ ଜଳି ଯାଉଥିଲା ବିଜୟର । ନିଜର ଦେହ କଷ୍ଟକୁ ମନବୀଣାର ଖୁସିର ହସ । ଓଃ, ବିରକ୍ତରେ କହିଲା ଏଥିରେ ଏତେ ହସିବାର କ’ଣ ଅଛି ।
-ଅଛି ମିଷ୍ଟର, ଅଛି ବୋଲିତ ହସୁଛି । ତୁମେ କ’ଣ ସମସ୍ତଙ୍କୁ ବିଜୟକୁମାର ବୋଲି ଭାବୁଛ କି ? କଲେଜ ବେଳରୁ ସ୍କୁଟର୍ପଛରେ ଝିଅକୁ ଧରି ବୁଲିବେ ।
ବିଜୟ କଣେଇ ଚାହିଁଲା ମନବୀଣାକୁ । ଭୀଷଣ ଦୁଷ୍ଟ ଝିଅଟା-ତାକୁ ବୁଝିବା ମୁସ୍କିଲ ହୋଇଯାଏ ଥରେ ଥରେ।
ଖସିପଡ଼ିଥିବା ଅଞ୍ଚଳ ସମ୍ଭାଳି ସଜାଡ଼ି ନେଲା ଛାତି ଉପରକୁ । କହିଲା ଏତିକି ବୁଝୁନା ? ଆଜିକାଲି ଏହି ପଲିସକରା ଶିକ୍ଷିତ ଯୁବକଗୁଡ଼ିକ କୁଆଁରୀ ଝିଅଙ୍କ ସହିତ ବୁଲିବାକୁ ଭାରି ଭଲ ପାଆନ୍ତି । ସିନେମା ଦେଖି ମଜା ମାରନ୍ତି । କ୍ଳବରେ ନାଚି ପାରନ୍ତି । କିନ୍ତୁ ତାକୁ ବିଭା ହେବା ନାମ ଶୁଣିଲେ ଭୟରେ ଚିରଚିରେଇ ଉଠନ୍ତି । ମୋ ପରି ଉଦଣ୍ଡୀ ଝିଅକୁ...ହିଃ ହିଃ ହୋଇ ପୁଣି ହସି ଉଠିଲେ ମନବୀଣା । ବିଜୟ ମଧ୍ୟ ବେଶ୍ ଆଗ୍ରହରେ ଶୁଣିଯାଉଥିଲା ପ୍ରାଣପ୍ରିୟାର କାର୍ଯ୍ୟର ଢଙ୍ଗଗୁଡ଼ାକ । ପୁଣି ମନବୀଣା କହିଲା, ଅବଶ୍ୟ ମୁଁ ପ୍ରଥମରୁ ସେମିତି ଟିକିଏ ମଜା କରିଥିଲି ତାଙ୍କ ସହିତ । ବିଜୟକୁ କ’ଣ ଅଜଣା ଅଛି କି ମନବୀଣାର ମଜା ନମୁନାଗୁଡ଼ାକ । ବିଜୟ କହିଲା, ତା’ପରେ...ଚୁପ୍ହୋଇଗଲ କାହିଁକି ? ବାକିଟା କହି ପକାଅ ।
-ତାପରେ ଉକ୍ତ ଭଦ୍ର ସନ୍ତାନ ବର୍ତ୍ତମାନ କଟକରେ ମା’ଙ୍କ ହେପାଜତରେ ଅଛନ୍ତି । ବିଜୟକୁ ଆକ୍ଷେପ କରି କହିଲା-ଏଇ ତ ତମ ପୁରୁଷଗୁଡ଼ାଙ୍କର ଯେ, ପୁଳାଏ ଚିମୁଟି ପକାଇଲା ବିଜୟକୁ ।
ଓଃ ହେଃ ।-ମାନେ-ତୁମେ ଅବଶ୍ୟ...। ଫେର ଥଟ୍ଟା-ବିଜୟ ପୁଣି ପୂର୍ବ କାମ କରିବାକୁ ଉଦ୍ୟତ ହେବାର ଦେଖି ମନବୀଣା କହିଲା ମାଫ୍ବାବା ମାଫ୍ କରିଦିଅ...। ହଁ ପୁଣି ଆସନ୍ତା କାଲି-ଆସୁଛନ୍ତି...।
-ପୁଣି ଆସୁଛନ୍ତି... ? ତୁଣ୍ଡରୁ ଖସି ପଡ଼ିଲା ବିଜୟର ।
-କାହିଁକି ଡରୁଛ କି ?
-ଡରିବି କାହିଁକି । ତୁମ ଭାଇ ତୁମ ପାଖକୁ ଯାହାକୁ ନେଇ ଆସିବେ ଆସନ୍ତୁ ମୋର କ’ଣ ?...ଭାବନାର ଗଭୀରତା ସ୍ପର୍ଶ କଲା ମନକୁ । ବିଜୟ ଭାବିଲା ସତେ ତ ଯିଏ ଆସିବ ଆସୁ । ତା’ର କଣ ଅଛି । ସେ ଏମିତି ବିବ୍ରତ ହେଉଛି କ’ଣପାଇଁ ?
-କହିଲା, ଆସନ୍ତୁ ଯେତେ ଇଚ୍ଛା । ମୁହଁଟାକୁ ବାହାରକୁ ବଢ଼ାଇ ରଖିଲା ବିଜୟ ।
ମନବୀଣା ଆହୁରି ଘନିଷ୍ଠ ହୋଇଆସିଲା । ଗୋଟିଏ ହାତ ମୁଠାଇ ଧରି ଅଳ୍ପ ଚାପ ଦେଇ କହିଲା-ବିଜୟ ତୁମେ ଏତେ ଡ଼େରି କରୁଛ କାହିଁକି ?
-ଡେରି ନାହିଁ, ଆଉ ବିଶେଷ ବିଳମ୍ବ ହେବ ନାହିଁ ।
-ସତ କହୁଛ ତ ।
-ସତ, ମନବୀଣା ! କାମ ଶେଷ ହେବାକୁ ଆଉ ବିଶେଷ ବିଳମ୍ବ ନାହିଁ ।
ଘରେ ପଶିଲା ମାତ୍ରେ ମନବୀଣାର ହୁକୁମ ଆରମ୍ଭ ହୋଇଗଲା । ଶୀଘ୍ର ତୁମର ସେ ମଳିଆ ପୋଷାକଗୁଡ଼ାକ ଓହ୍ଲାଇ ଗାଧୋଇ ପଡ଼, ସୁସ୍ଥ ଲାଗିବ । କି ଅସନା ହୋଇଛ ମ-ବାଥ୍ରୁମ୍ ଖୋଲିଦେଇ କହିଲା । ଆଲମାରୀ ଖୋଲି ଦେଇ କ’ଣ କ’ଣ ସବୁ ବାହାର କରିବାକୁ ଲାଗିପଡ଼ିଲା । କୋଠରିରୁ ଚାଳିଗଲା, ପୁଣି ଫେରିଆସି ଗରମ କଫି କପେ ହାତକୁ ଧରାଇ ଦେଇ କହିଲା-କିଛି ଟିକେ ଗିଳି ଦେଇ ସେଭିଂ ସାରିନିଅ । ତଉଲିଆଟା କାନ୍ଧ ଉପରକୁ ଛାଟି ଦେଇ ପୁଣି ଚାଲିଗଲା । ଚଞ୍ଚଳା...ଥୟ ହୋଇ ରହିପାରେ ନାହିଁ । କ’ଣ ପିନ୍ଧିବ ପିନ୍ଧିବ ହୋଇ ଗାଧୁଆ ଘରକୁ ପଶିଯାଇ ଖୁସି ହୋଇଗଲା ବିଜୟ । ତାର ପଲିଷ୍ଟର ଡ଼୍ରେସଗୁଡ଼ିକ ଅଇନାରେ ସଜଡ଼ା ହୋଇ ରହିଥିବାର ଦେଖି ଦେଇ ସେ ଭୁଲି ଯାଇଥିଲା ଏ ଘରେ ତା’ ପାଇଁ କିଛି ପୋଷାକ ଗଚ୍ଛିତ ରହିଥାଏ ବୋଲି । ମନବୀଣାର ସବୁ ଦିଗକୁ ନଜର ଥାଏ ।
ବେସିନ୍ପାଖ ଦର୍ପଣରେ ନିଜର ଖୋଲା ବେକଟା ଦେଖି ଶିହରି ଉଠିଲା । ଇସ୍, ଲାଲ ହୋଇ ଫୁଲି ରହିଛି ପୂରାଟା । ସ୍ନାନ ପରେ ପାଇଜାମା, ପଞ୍ଜାବୀ ପିନ୍ଧି ବାହାରି ଆସିଲା । କିନ୍ତୁ ମନବୀଣାର ଆଖି ପଡ଼ିଲେ ଆଉ ରକ୍ଷା ନାହିଁ । ଶୀଘ୍ର କରି ଖଟ ବାଡ଼ରେ ଥିବା ମନବୀଣାର ଗରମ ସ୍କାର୍ଫଟାକୁ ଚାରିପଟେ ଗୁଡ଼ାଇ ପକାଇଲା ।
ଦି ପ୍ଳେଟ୍ କ’ଣ ଖାଇବାକୁ ନେଇ ପ୍ରବେଶ କଲା ମନବୀଣା । ଚମକି ଉଠିଲା ବିଜୟ-ଖାଇବ କିପରି ? ଉପାୟ କରି କହିଲା-ମାଡ଼ାମ୍ ! ଦି କପ୍କଫି କର ଥଣ୍ଡା ଲାଗୁଛି । ଟି’ପୟ ଉପରେ ଜଳଖିଆ ଥୋଇ ସେ ବାହାରିଗଲା କଫିପାଇଁ । କ୍ଷିପ୍ରତା ସହକାରେ ଝରକା ଫାଙ୍କରେ କିଛି ଜଳଖିଆ ଗଳାଇ ପକାଇଲା ବିଜୟ ।
-ବିଜୟ !
ମନବୀଣା କଫି ନେଇ ଫେରିଆସିଲା । ଖଟ ଉପରେ କପ୍ ଦୁଇଟି ରଖି କହିଲା-ଆସ ବିଜୟ ସାଙ୍ଗହୋଇ ଖାଉ ଖାଉ ଗପିବା । ବିଜୟ ଝରକା ପାଖରୁ ପଛାଇ ଆସିଲା ଏବଂ ଖାଇବାର ଅଭିନୟ କରି ତୁଣ୍ଡ ବୁଲାଇବାର ଦେଖି ମନବୀଣା କହିଲା-କ’ଣ ଭୋକ ହେଉଥିଲା କି ? ବିଜୟ ହସିବାର ବାହାନା କରି ଉତ୍ତର ଦେଲା-ସତରେ ଭାରି ଭୋକ ଲାଗୁଥିଲା ।
ସନ୍ଧ୍ୟା ନଇଁ ଆସୁଥିଲା । ବହୁ ସମୟ ବିଶ୍ରାମ ପରେ ବିଜୟକୁ ମଧ୍ୟ ଆରାମ ଲାଗୁଥିଲା ବିଛଣାରେ ପଡ଼ିରହିବାକୁ । ମନବୀଣା ଚା’ ନେଇ ପ୍ରବେଶ କଲା । ଖଟ ଉପରେ ରଖି ଦେଇ ଝରକାର ପରଦା ଉଠାଇ ଆସିଲା । ଆଖିରେ ପଡ଼ୁଥିଲା ଆକାଶର ଗୋଧୂଳି ବେଳାର ଧୂସର ଛାଇ । ଖଟ ବାଡ଼ରେ ଆଉଜି ବସିଲା ବିଜୟ ।
କୋଳ ପାଖରେ ମନବୀଣା-ବିଜୟର ଆଙ୍ଗୁଳି ଫୁଟାଉ ଥିଲା ମୁଟ୍ ମୁଟ୍କରି । ବିଜୟ ଘନିଷ୍ଠ ସ୍ୱରରେ କହିଲା-ଆଜି ଭାରି ସୁନ୍ଦର ଦିଶୁଛ ତୁମେ । ଆଖି ତୋଳି ଚାହିଁଲା ମନବୀଣା । ଦୃଷ୍ଟିରେ ବିସ୍ମୟ ଓ ଆନନ୍ଦ-ତଳକୁ ମୁଣ୍ଡ ପୋତିଲା ସେ ।
-ତୁମକୁ ବହୁତ ଖଟାଉଛି, ନୁହେଁ ?
-ହସିଲା, କଥା କହିଲା ନାହିଁ ।
-ଘନ ଘନ ଚା’ର ବରାଦ-ଆୟାଟା ଆସିନି-ଜାଣି ଜାଣି ତୁମକୁ ହଇରାଣ ।
-ଓଃ ଏଇ କଥା ।
-ଉହୁଁ ଅନ୍ୟ କଥା ।
-କାହିଁକି କରୁଛ ତେବେ ।
-ଇମିତି, ଠିକ୍କ’ଣ ବୁଝିପାରୁ ନାହଁ ବିଜୟ ? କ’ଣପାଇଁ ମନବୀଣାକୁ କଷ୍ଟ ଦେଉଛି, କହିବାର ସାହସ ମଧ୍ୟ ନାହିଁ ମନବୀଣାକୁ । ଏହି ଯେ ଦିନ ତମାମ ଶୋଇ ବସି କଟାଇଦେଲା ମନବୀଣା ସହିତ । ତା’ କ’ଣ କମ୍ ସାବଧାନତାର ସହିତ । ପ୍ରତି ପଦେ ପଦେ ସତର୍କ ଥାଇ ମଧ୍ୟ ଧରାପଡ଼ୁଛି ମନବୀଣାର ଆଖିରେ ବିଜୟର ଅସୁସ୍ଥତା । କିନ୍ତୁ, ସେ କିଛି ନୁହେଁ ଥଣ୍ଡା, ଅଳ୍ପ ଥଣ୍ଡା ଗଳାଟା ଟିକିଏ ଫୁଲି ଯାଇଛି ।
-ନାଁ ବିଜୟ ! ତୁମକୁ ଜ୍ୱର ହୋଇଛି । ଯୁକ୍ତି କରୁଛି ମନବୀଣା ।
ଉପେକ୍ଷା କରି ବିଜୟ କହିଛି-ସେ କିଛି ନୁହେଁ । ଥଣ୍ଡାରୁ ଦେହଟା ଗରମ ଲାଗୁଥିବ । ତୁମେ ବ୍ୟସ୍ତ ହେବାର କାରଣ ନାହିଁ ।
କପାଳ, ଛାତି, ପିଠିରେ ବହୁ ସମୟ ହାତ ବୁଲାଇଲା ମନବୀଣା । ଅମୃତାଞ୍ଜନ ଲେପିଲା ।
-ହସରେ ଉଡ଼ାଇ ଦେବାକୁ କହି ଦୁଇ ଦିନରେ ଛାଡ଼ି ଯିବ-ଉଠ, ଗରମ ଚା’ ପିଅ । ଏହି ତ ଗୋଟିଏ ବାହାନା ମନବୀଣାକୁ ପାଖରୁ ଉଠାଇ ଦେବାର ।
ସେ କିନ୍ତୁ ଶୁଣିଲା ନାହିଁ । କହିଲା ଡାକ୍ତର ଦେଖାଇଛ ?
ଆରେ ! ସର୍ଦ୍ଦି ଟିକିଏରେ ଡାକ୍ତର ? ଦି’ଟା ଏନାସିନ୍ ଦେବେ ।
-ନାଁ, ନାଁ । ସେମିତି ଅବହେଳା କରିବା ଉଚିତ ନୁହେଁ । ଅଳ୍ପରୁ ଅନେକ କିଛି ହୋଇଯାଉଛି ଆଜିକାଲି ।
-କ’ଣ ଆଉ ବାକି ଅଛି ଯେ ! ଅଧିକ କିଛି ହୋଇଯିବ, ଏଁ ! କଥା କହିଦେଇ ବାଆଁରେଇ ନେଲା । ମାନେ ଅଧିକ କ’ଣଟା ହେବ-ଉଠ, ଦେବୀ ! ଚା’ କର ।
ଉଠିଲା ନାହିଁ । ଅମୃତାଞ୍ଜନ ଛାତିରେ ଘସିବାକୁ ପାଖେଇ ଆସିଲା । ଆରେ ବାବା, ଥାଉ ଥାଉ କହି ବେକ ଉପରେ ଗୋଟିଏ ହାତ ଘୋଡ଼ାଇ ପକାଇଲା । ସର୍ବନାଶ, ଯଦି ଧରି ପକାଇବ ଫୁଲି ରହିଥିବା ସ୍ଥାନଟିକୁ, କ’ଣ ହେବ ? ଭୟରେ ଚମକି ଉଠିଲା ବିଜୟ ।
କପାଳରୁ ବେକକୁ ଓହ୍ଲାଇ ଆସୁଛି ମନବୀଣାର ସେବିକା ହାତଟି । ଧଡ଼ପଡ଼ ହୋଇଉଠିଲା ବିଜୟ । ରକ୍ଷାକର-ଉଃ, ହୁଃ-ତମ ଅମୃତାଞ୍ଜନ ଲେପା ହାତଟି ଆଖିରେ ଲାଗିଯିବାରୁ ପାଣି ଆସିଯାଉଛି କହି ହାତଟି ଆଖି ପୋଛିବା ବାହାନାରେ ବେକ ପାଖକୁ ଢାଙ୍କି ପକାଇଲା ବିଜୟ ।
ବହୁତ ନିକଟକୁ ଲାଗି ଆସିଛି ମନବୀଣା । ଛାତି ନଇଁ ଆସିଛି ଅନେକ । ନିଃଶ୍ୱାସର ଉଷ୍ମତା ଅନୁଭବ କରିପାରୁଛି ବିଜୟ । ମନବୀଣାର ସ୍ପର୍ଶରେ ବିଜୟର ସବୁ ଇନ୍ଦ୍ରିୟ ଜାଗ୍ରତ ହୋଇଉଠୁଛି । ହାତ ପାହାନ୍ତାରେ ପାରିଜାତ । ମାଗିବା ଦରକାର ନାହିଁ । ସେ ଦେବାକୁ ଥାଳ ବଢ଼ାଇ ଧରିଛି । ହାତ ବଢ଼ାଇଲେ ପାଇବ । କେବଳ ଆବଶ୍ୟକ, ଟିକିଏ ମନୋବଳ । ଆଗକୁ ପଛକୁ ଏତେ ବିଚାର କାହିଁକି ? ବିଜୟର କ’ଣ ଆଉ ସମୟ ଅଛି । ସବୁ ଶେଷ ହୋଇଯାଉଛି ଯେ । ଏହି ମୁହୂର୍ତ୍ତ ଟିକକ ଛାଡ଼ି ଦେଲେ ତା’ପାଇଁ ସେ ଶୁଭମୁହୂର୍ତ୍ତ କେବେହେଲେ ଆସିବ ନାହିଁ । କ’ଣ କରିବ... ? ସବୁ ବିଚାରକୁ ଜଳାଞ୍ଜଳି ଦେଇ...।
ମନବୀଣା ନଇଁଆସୁଛି ନିକଟରୁ ନିକଟତର ହୋଇ । ତାର ତନୁ , ତା’ର ସବୁ କିଛି । ଏହି ତ ସୁଯୋଗ-ବିଜୟର ଶିରାପ୍ରଶିରା ଉତ୍ତାଳ ତରଙ୍ଗରେ ଉଦ୍ବେଳିତ ହୋଇଉଠୁଛି । ଗୋଟିଏ ବାହୁରେ ମନବୀଣାର ପିଠି ଗୁଡ଼େଇ ହୋଇ ରହିଛି । ଏହି ତ ସୁଯୋଗ... । ଲଗ୍ନ ଗଡ଼ିଗଲେ ଆଉ ଆସିବ ନାହିଁ । କ’ଣ-ବିଜୟ ପଶୁ ପାଲଟିଯିବ ? ତାହା ଯଦି ନ କରେ ଜୀବନସାରା ଅପ୍ରାପ୍ତିର ବିଫଳତା ଦହନରେ ଜଳି ମରିବ । କ’ଣ କରିବ ବିଜୟ ? ଓଃ, ହୋଃ ତଣ୍ଟି ଭିତରଟା ଯନ୍ତ୍ରଣାରେ ଫାଟି ଯାଉଛି । ବିଜୟ ଜାଣେ ତା’ନିମନ୍ତେ ଏହି ପରୀକ୍ଷା ଥାଳି । ଖାଇବାର ସୌଭାଗ୍ୟ କେବେ ଆସିବ ନାହିଁ ତେବେ ?
ମନବୀଣାର ହୃଦ୍ସ୍ପନ୍ଦନ ଅନୁଭବ କରିପାରୁଛି ବିଜୟ । ତା’ର ଛାତି ଭିତରର ଦୁକ୍ଦୁକ୍ ଶବ୍ଦ କାନରେ ଶୁଣି ପାରୁଛି । ଅତି ନିକଟରେ ଦେହ ସାଙ୍ଗରେ ମନବୀଣା...। ସବୁ ଅନୁଭବ ମଧ୍ୟରେ ଥାଇ ବିଜୟ ଏମିତି ନିସ୍ତେଜ ହୋଇପଡ଼ୁଛି କ’ଣପାଇଁ ? ସବୁକିଛି ହାତ ମୁଠାରେ ପାଇବା ମୁହୂର୍ତ୍ତରେ ତା’ର ଅନୁଭବ ଶକ୍ତି ହଜି ଯାଉଛି କଣପାଇଁ ? ଏତେ ଦୁର୍ବଳ, ଶୀତଳ ହୋଇଗଲା ତା’ର ଚେତନା ଶକ୍ତି କିପରି ?
ଏହି ତ ମନବୀଣା- ତାର ଛାତି ଉପରେ ସର୍ବାନ୍ତ କରଣରେ ସମର୍ପି ଦେଇଛି ନିଜକୁ । ବିଜୟର ଏତେ କୁଣ୍ଠା, ଗ୍ରହଣ କରିବାକୁ ଏତେ କୁଣ୍ଠିତ....। ବିଜୟ ଯଦି କୁହେ-ମନବୀଣା ମୁଁ ଅସୁସ୍ଥ, ମତେ କ୍ୟାନସର୍ ହୋଇଛି । ମୋର ଏହି ଯେଉଁ ଛାତିକୁ ଲାଗି ବେକ ଉପରେ ତୁମେ ଢଳି ପଡ଼ିଛ ସେହି ଶଙ୍ଖନଳୀର ଭିତରଟା ଭୀଷଣ ଭାବରେ ପାଚିବା ଆରମ୍ଭ ହୋଇଯାଇଛି ।
ଯଦି ବର୍ତ୍ତମାନ ମନବୀଣା ଜାଣି ପାରିବ, ତେବେ କ’ଣ କରିବ ? ବିଜୟ ଜାଣେ ସହି ପାରିବ ନାହିଁ ମନବୀଣା । ସେ କାନରେ ହାତଦେଇ ନା ନା କହି, ବିଜୟର ଆଲିଙ୍ଗନକୁ ପରିତ୍ୟାଗ କରି ଆତଙ୍କରେ ଛିଟିକି ପଡ଼ିବ ଖଣ୍ଡେ ଦୂରକୁ । ତା’ପରେ ମୁହଁକୁ ବିକୃତ କରି କହିବ ବିଶ୍ୱାସଘାତକ, ଅଭଦ୍ର । ତାଚ୍ଛଲ୍ୟଭରା ମୁଖଭଙ୍ଗୀରେ ତିରସ୍କାର କରିବ କିମ୍ବା ଘୃଣାରେ ନାକରେ ରୁମାଲ ଛାପି ବାହାରି ଯିବ କୋଠରି ଭିତରୁ ।
ମନବୀଣାର ସେ ତାଚ୍ଛଲ୍ୟଭରା ମୁଖଭଙ୍ଗୀ, ତିରସ୍କାର ସହି ପାରିବନି ବିଜୟ । ନା, ନା-ଚିତ୍କାର କରିଉଠିଲା ସେ...।
ଅସ୍ତବ୍ୟସ୍ତଭାବରେ ବିଜୟକୁ କୁଣ୍ଡାଇ ପକାଇ ମନବୀଣା କହିଲା-କ’ଣ ହେଲା ବିଜୟ । ତୁମକୁ କିଛି କଷ୍ଟ ହେଉଛି କି ? ଏମିତି ପାଟି କରୁଛ କାହିଁକି ?
ସମଗ୍ର ଶରୀର ପ୍ରକମ୍ପିତ ହୋଇ ଯାଉଥିଲା ବିଜୟର । ଝାଳରେ ତାର ପାଇଜାମା, ପଞ୍ଜାବୀ ଓଦା ହୋଇ ଯାଉଛି । ସେ ଆସ୍ତେ କହିଲା କିଛି ନୁହେଁ...ସ୍ୱପ୍ନ ଦେଖୁଥିଲି ବୋଧହୁଏ ।
ସେକେଣ୍ଡ ଶୋ’ ଆରମ୍ଭ ହୋଇଯାଇଛି, ସନ୍ଧ୍ୟାର ଭିଡ଼ ଆଉ ନାହିଁ । ଅଧିକାଂଶ ଦୋକାନ ବଜାର ପ୍ରାୟ ବନ୍ଦ ହୋଇଯାଇଛି । ଆସ୍ତେ ଚାଲିଥିଲା ବିଜୟ । ଦେଖିଲା ଛକ ଧାରରେ ପରିଚିତ କାର୍ଟି ଛିଡ଼ା ହୋଇଛି । ଅନ୍ୟମନସ୍କତା ହେତୁ ଧକ୍କା ଖାଇ ସମ୍ଭାଳି ଗଲା ।
ଚିହ୍ନା ଚିହ୍ନା କାର୍ଟା ଦେଖି ଛିଡ଼ା ହୋଇଗଲା ସିନା-ହଠାତ୍କରି ମାଲିକଙ୍କର ନାମଟା ମନକୁ ଆସିଲା ନାହିଁ । ବିଜୟ ପାଖକୁ ତରୁଣୀଟି ଲାଗିଆସିଲା । ଓଃ ହୋ-ଯାହାହେଉ ଠିକ୍ସମୟରେ ଆପଣଙ୍କ ସହିତ ଭେଟ ହୋଇଗଲା, ନୋହିଲେ ଦେଖନ୍ତୁ ନା-କେମିତି ହଠାତ୍ କରି ଗାଡ଼ିର ଷ୍ଟାଟ୍ଟା ବନ୍ଦ ହୋଇଗଲା ।
ମାଲିକଙ୍କ ନାମଟା ମନେପଡ଼ିଗଲା-ଡ଼ାକ୍ତର ଚାଟାର୍ଜୀ ! କିନ୍ତୁ ଏତ ତାଙ୍କର ବଡ଼ ଝିଅ । ଏତେ ରାତିରେ ଗାଡ଼ି ନେଇ କୁଆଡ଼େ ଆସିଥିଲା ? ଏକୁଟିଆ ରାସ୍ତା ମଝିରେ ଅଚଳ ଅବସ୍ଥାରେ ଗାଡ଼ିଟା ଛିଡ଼ା ହୋଇରହିଛି-କଥା କ’ଣ ? ଗୁଡ଼ାଏ ପ୍ରଶ୍ନ ତା’ମନ ଭିତରକୁ ଆସିଯାଉଥିଲା ? ତରୁଣୀଟି ଆଗତୁରା ହୋଇ କହିଲା ଆପଣ ଭୁଲି ଯାଇଛନ୍ତି ବୋଧହୁଏ ? ମୋ ନା ଲିନା । କଲେଜରେ ଆଜି ଗୋଟେ ଫଙ୍କସନ୍ ଥିଲା-ଶେଷ ହେଲାବେଳକୁ ବେଶି ରାତି ହୋଇଗଲା । ପୁଣି ଘଣ୍ଟାଏ ହେଲାଣି ଏଇଠି ଛିଡ଼ା ହୋଇଛି ।
ବିଜୟ ଗାଡ଼ି ପାଖକୁ ଆଗେଇ ଆସିଲା । ପ୍ରାୟ ଅଧଘଣ୍ଟାଏ ଖଣ୍ଡେ ଲାଗି ଗାଡ଼ିଟା ସଜାଡ଼ିଲା । ବିଜୟ କହିଲା-ଯାଆନ୍ତୁ, ଆଉ ବାଟରେ ଖରାପ ହେବାର ଭୟ ନାହିଁ । ଗାଡ଼ିଟା ବହୁଦିନୁ ଗ୍ୟାରେଜ୍କୁ ଯାଇନି ବୋଧହୁଏ-ବହୁତ ମଇଳା ଜମିଛି-କିଛି କାମ ମଧ୍ୟ ଇଂଜିନ୍ରେ ଦରକାର । ପରେ କେଉଁଠି ଦେଖାଇଦେବେ, ନିଅନ୍ତୁ-କହି ଚାବିଟା ବଢ଼ାଇ ଦେଲା ବିଜୟ ।
ଚାବିଟା ନ ଧରି ଲିନା ଅଳ୍ପ ପଛେଇ ଗଲା, କହିଲା-ରକ୍ଷା କରନ୍ତୁ । ମୁଁ ଆଜି ଆଉ ଷ୍ଟିଅରିଂରେ ହାତ ଲଗାଇବି ନି । ପୁଣି ଅନୁନୟ କଲାପରି କହିଲା-ଆପଣ ଟିକିଏ କଷ୍ଟକରି ଘରେ ପହଞ୍ଚାଇ ଦିଅନ୍ତୁ ନା ବିଜୟ ବାବୁ...!
-ଏବେ ଆଉ କିଛି ହେବନି, ଆପଣ ଚଲାନ୍ତୁ । ଆରାମରେ ଘରେ ପହଞ୍ଚିଯାଇପାରିବେ ।
ଆଗ ସିଟ୍ର ଅନ୍ୟପଟେ ବସିପଡ଼ିଲା ଲିନା, ବେକକୁ ଟିକିଏ ବଢ଼ାଇ କହିଲା ପ୍ଳିଜ୍ମନା କରନ୍ତୁ ନି..।
ଇଚ୍ଛା ନଥିଲେ ମଧ୍ୟ ଗାଡ଼ିରେ ବସିପଡ଼ିଲା ବିଜୟ । ଚାବି ନେଇ ଷ୍ଟାଟ୍କରି ପଚାରିଲା-ଘରକୁ ତ ?
ସମ୍ମତିସୂଚକ ମୁଣ୍ଡ ହଲାଇଲା ଲିନା ।
ପାହାଚ ଉପରୁ ମା ! ମା ! ବୋଲି ଚହଳ ପକାଇ ଡାକ ପକାଇଲା ଲିନା । ଘର ଭିତରୁ ପଦାକୁ ବାହାରି ଆସିଲେ ଚାରୁଶୀଳା ଦେବୀ । ଏ କ’ଣ ? ଚମକି ଉଠିଲା ବିଜୟ ।
ଚାରୁଶୀଳା ଦେବୀ କହିଲେ-ଆରେ ବିଜୟ ଯେ ! ଏତେ ଦିନହେଲା କୁଆଡ଼େ ଥିଲ ? ଥରଟେ ଏପଟକୁ ଆସିବାକୁ ମନେପଡ଼େ ନାହିଁ ? ଲିଲି...ଆ-ବିଜୟ ଆସିଛନ୍ତି । ସାନ ଝିଅକୁ ଡାକିଲେ ଚାରୁଶୀଳା ଦେବୀ ।
ବିଜୟ ନିର୍ବାକ ହୋଇ ଚାହିଁ ରହିଛି ଚାରୁଶୀଳା ଦେବୀଙ୍କୁ । ବିଶ୍ୱାସ କରି ପାରୁନି ସେ । ପରିପାଟୀପୂର୍ଣ୍ଣ ସେହି ଝଲ୍ମଲ୍ ବେଶଭୂଷା ଛାଡ଼ି ଏ କେଉଁ ମିସେସ୍ ଚାଟାର୍ଜୀଙ୍କୁ ଦେଖୁଛି ସେ । ସାଦା ଧଳା ଥାନ-ଅଳଙ୍କାର ଶୂନ୍ୟ ଅଙ୍ଗ । କିନ୍ତୁ କେବେ ? କିପରି ? ହଠାତ୍ବିଜୟ ଭାବି ପାରୁନି, ଡାକ୍ତର ଚାଟାର୍ଜୀ...। ଏଇ କେଇ ମାସ ମଧ୍ୟରେ କେତେ କ’ଣ ପରିବର୍ତ୍ତନ ହୋଇଯାଇଛି-କିନ୍ତୁ କିଛି ଖବର ରଖିପାରିନି ସେ ।
କ’ଣ ଦେଖୁଛ ବିଜୟ ? ଏହି ଅଘଟଣ ସବୁ ଭାଗ୍ୟର ପରିହାସ-କିଏ କ’ଣ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିଥିଲା ? ଅପ୍ରସ୍ତୁତ ଭାବଟା କଟାଇବାକୁ ଯାଇ ଚାରୁଶୀଳା ଦେବୀଙ୍କର ପାଦକୁ ହାତ ବଢ଼ାଇ ଥିଲା ବିଜୟ ।
ସେ ଘୁଞ୍ଚି ଗଲେ ଟିକିଏ । କହିଲେ- ଥାଉ ବାପା ! ତୁମେ ପିଲାଲୋକ ଜାଣିନ, ଗୁରୁଜନଙ୍କର ଶୋକର ଛଅମାସମଧ୍ୟରେ କନିଷ୍ଠମାନଙ୍କର ଏବଂ ଅନ୍ୟ କାହାଠାରୁ ପ୍ରଣାମ ଗ୍ରହଣ କରିବା ବିଧି ନୁହେଁ । ଆସ ଭିତରକୁ ଆସି ବସ-ସବୁ ଶୁଣିବ ।
-କିନ୍ତୁ ଏହା ଭିତରେ ସାର୍....!
ହଁ ବିଜୟ ! ହଠାତ୍ସେ ଚାଲିଗଲେ । କାହାକୁ ସମ୍ବାଦ ଦେବାର ଅବସର ମଧ୍ୟ ପାଇଲି ନାହିଁ ।
ବଡ଼ ଆଶ୍ଚର୍ଯ୍ୟ ଓ ମର୍ମାହତ ହୋଇପଡ଼ିଲା ବିଜୟ । ସେ ସୋଫା ଉପରେ ଆଉଜିପଡ଼ିଲା କ୍ଳାନ୍ତ ହୋଇ । ସେ ଭାବି ପାରୁନି ସେହି ଦୀର୍ଘ ସୁସ୍ଥ ସମର୍ଥ ଆମୋଦ ପ୍ରମୋଦ ପ୍ରିୟ ଅବିନାଶ ଚାଟାର୍ଜୀ ହଠାତ୍ କିପରି ଇହଧାମ ପରିତ୍ୟାଗ କରି ଚାଲିଗଲେ ।
କଥା ଆଉ ଜମିଲା ନାହିଁ । ଏଣୁ ତେଣୁ ଦି’ଚାରି ପଦ ପରେ ସମସ୍ତେ ନିରବ ହୋଇପଡ଼ିଲେ । ବିଜୟ ଉଠି ଛିଡ଼ା ହେଲା ଯିବାକୁ ।
ଚାରୁଶୀଳା ଦେବୀ କହିଲେ-ଗାଡ଼ିଟା ନେଇ ଯାଅ ବିଜୟ ।
-ନା’..ମୁଁ ଚାଲିଯିବି । ନେବାକୁ ଦ୍ୱିଧାବୋଧ କରୁଥିଲା ବିଜୟ ।
-ତୁମେ ତ ମୋର ପୁଅପରି । ମିଷ୍ଟର ଚାଟାର୍ଜୀ ତୁମକୁ କେତେ ଭଲ ପାଉ ଥିଲେ । କିଛି ଭାବ ନାହିଁ । ନେଇଯାଅ । କାରଣ ଏପଟେ ରିକ୍ସା ବିଶେଷ ମିଳେ ନାହିଁ । ପୁଣି, ରାତି...!
ଲିନା ମଧ୍ୟ କହିଉଠିଲା- ଠିକ୍ କହିଛ ମା, ବିଜୟ ବାବୁ କାର୍ଟା ନେଇଯାଆନ୍ତୁ । ଆମେ ତ ଗାଡ଼ି ବିଷୟ କିଛି ଜାଣୁନା । ସେ ତାଙ୍କ ଗ୍ୟାରେଜ୍ରେ ଭଲକରି କାମ କରାଇ ଦେବେ-ପରେ ମୁଁ ଯାଇ ନେଇ ଆସିବି ।
ତାଙ୍କ ଗ୍ୟାରେଜ୍ ମାନେ- ଲିନା ତା ଗ୍ୟାରେଜ୍ ବିଷୟରେ ମଧ୍ୟ ଜାଣିଛି । ଆଖିତୋଳି ଥରେ ଚାହିଁଲା ଲିନାର ଉଜ୍ଜ୍ୱଳ ଆଖି ଦୁଇଟି ଢଳ ଢଳ କରୁଛି ।
ତା’ ବିଷୟରେ ଏତେ ଖବର ରଖିଛି ଲିନା ? ଚାବିଟା ହାତରେ ଧରି ପାହାଚ ତଳକୁ ପାଦ ବଢ଼ାଇଦେଲା ବେଳେ ଅନୁଭବ କଲା ତାର ସର୍ବାଙ୍ଗ ଶରୀର ଥରି ଥରି ଉଠୁଛି । ମୁଣ୍ଡ ଭୀଷଣ ଓଜନ ଲାଗୁଛି । ଏମିତିକି ସିଧା ହୋଇ ଛିଡ଼ା ହେବାକୁ କଷ୍ଟ ଲାଗୁଛି ତାକୁ । ଏବେ ମନେ ପଡ଼ୁଛି ରାତିରୁ ଜ୍ୱରଟା ରହିଛି-କମିନି ମୋଟେ । ଔଷଧ ନେବାକୁ କହି ସେ ଯେ ବାହାରି ଆସିଥିଲା...।
ଆଜିକାଲି ପ୍ରାୟ ଟେମ୍ପରେଚର୍ ରହୁଛି ଦେହରେ । ସେ ଦିନ ଡାକ୍ତର କହୁଥିଲେ-ବିଜୟ ବାବୁ ! ଆପଣଙ୍କର ବିଶ୍ରାମ ଆବଶ୍ୟକ । ପୂରାପୂରି ରେଷ୍ଟ । ଲିନା ଗାଡ଼ିର ଝରକାରେ ମୁହଁ ଲଗାଇ କହିଲା-ଗୁଡ଼୍ ନାଇଟ୍ ବିଜୟ ବାବୁ ! ଶୀଘ୍ର ପୁଣି ଆସିବେ...।
ବିଜୟ ମୁହଁ ବୁଲାଇ ଚାହିଁଲା । ଆସିବାର ସମ୍ମତି ଜଣାଇଲାବେଳେ ଭାବୁଥିଲା,‘‘ମିସ୍ ଲିନା ! ତୁମେ ବିଜୟ ବିଷୟରେ କିଛି ଜାଣିନା । ଜାଣିଲେ ତା’ର ଅବସ୍ଥା କଥା ଆଉ ଥରେ ଆସିବାକୁ ଅନୁରୋଧ କରିବାର ସାହସ କରନ୍ତ ନି ।-ବାୟ...’’...କହି ଚାଲିଆସିଲା ସେଠାରୁ । କ’ଣ ଲାଭ ଅନ୍ୟ ମନକୁ କ୍ଷୁଣ୍ଣ କରି ।
ପାଞ୍ଚ ଛଅ ଦିନ ଧରି ଜ୍ୱରଟା ରହିଥିବା ହେତୁ ବଡ଼ ଦୁର୍ବଳ ଲାଗୁଥିଲା ବିଜୟକୁ । ଗରମ ଚା’ ଓ କଫି ପିଇ ପିଇ ପାଟିଟା ଖରାପ ଲାଗୁଥାଏ । ଛାତି ଭିତରଟା ପୋଡ଼ି ଗଲାପରି ମନେ ହେଉଥାଏ । ଗ୍ୟାରେଜ୍ରେ କାମ କରିବାର ସ୍ପୃହା ନାହିଁ । ଟିକିଏ କ’ଣ ଦେଖିଛି କି ନାହିଁ ଆସି ବସିପଡ଼ିଲା ତା’ର ରୁମ୍ଟିରେ ଏବଂ ବସୁ ବସୁ ସେହି ଟେବୁଲ୍ଉପରେ ମୁଣ୍ଡ ରଖି ଶୋଇପଡ଼ିଲା ବିଜୟ ।
ହ୍ୟାଲୋ ବିଜୟ ବାବୁ !...କୋମଳ ତରୁଣୀ କଣ୍ଠ ସ୍ୱର କାନରେ ବାଜିବା କ୍ଷଣି ନିଦ ଭାଙ୍ଗିଗଲା ତା’ର ।
-ଓଃ-ଲିନା ଦେବୀ ! ସକାଳୁ ଚାଲି ଆସିଲେ... ? ମୁଁ ଗାଡ଼ିଟା ପହଞ୍ଚାଇ ଦେଇଥାଆନ୍ତି ।
ଲିନା ଭ୍ରୂ ଭଙ୍ଗି କରି ହସିଲା । କହିଲା-ଆପଣଙ୍କର ଓ୍ୱାର୍କ୍ସପ୍ଟା ଭଲକରି ଦେଖିବାକୁ ଇଚ୍ଛା ହେଲା-ସେଦିନ ବାଟରେ ଆଉ ଟ୍ରବୁଲ୍ ଦେଇନି ତ ଗାଡ଼ିଟା ?
-ନା, ବିଜୟକୁମାରକୁ ସହଜରେ କେହି କଷ୍ଟ ଦେବାକୁ ସାହାସ କରନ୍ତି ନି ।
-ଆଚ୍ଛା....!
-ଏଇ ଯେ ଆପଣଙ୍କର ଗାଡ଼ି । ଚାବି ବଢ଼ାଇ ଦେଲା ବିଜୟ ।
ବାହାରେ ଛିଡ଼ା ହୋଇଥିବା ଚକ୍ଚକିଆ କାର୍ଟିଆଡ଼କୁ ଚାହିଁଦେଇ ଖୁସିରେ କୁରୁଳି ଉଠିଲା ଲିନା । ଆଃ ! ବିଜୟ ବାବୁ ! ଆପଣ ସତରେ ଜଣେ କରିତ୍କର୍ମା ବ୍ୟକ୍ତି । କ’ଣ କହି ଆପଣଙ୍କୁ ଧନ୍ୟବାଦ ଜଣାଇବି ବୁଝିପାରୁନି । ସେଥିପାଇଁ ବାପା ସଦାବେଳେ ଆପଣଙ୍କର ପ୍ରଶଂସା କରୁଥାଆନ୍ତି ।
ଡାକ୍ତର ଚାଟାର୍ଜୀ, ତା’ କଥା ମନେ କରନ୍ତି ଶୁଣିଲାକ୍ଷଣି ଆଗ୍ରହ ହେଲା ବିଜୟର ଏବଂ କହିଲା-ସାର୍! ମୋ କଥା କହନ୍ତି ? ମୁଁ ତ ତାଙ୍କର ସେମିତି କିଛି ଉପକାର କରିନି ?
-ମାନେ କେଉଁଥିପାଇଁ ବାପା ଆପଣଙ୍କୁ ଖୁବ୍ଭଲପାଉଥିଲେ ?
ଆପଣଙ୍କର ପରିବାରସହିତ ବାପା ବେଶ୍ପରିଚିତ ଥିଲେ । ମଝିରେ କିଛି ଦିନ ଛାଡ଼ି ଯାଇଥିଲା ଏବେ ପୁଣି ଆପଣ କ’ଣ ଖୁସି ହୋଇନାହାନ୍ତି ?
ଏଁ ହଁ, ନିଶ୍ଚୟ....। ମୁଁ ମଧ୍ୟ ଖୁସି ହୋଇଛି । ଲିନାର କଥାଗୁଡ଼ାକ କିଛି ବୁଝିପାରୁ ନ ଥିଲା ବିଜୟ ।
ସେହି ଶେଷ ଅବସ୍ଥାରେ ଥାଇ ବାପା ଆପଣଙ୍କୁ ବହୁତ ଖୋଜିଛନ୍ତି । ସେ କହୁଥିଲେ ଆପଣ ନିଜର ଅଧ୍ୟବସାୟ ଓ ସଚ୍ଚୋଟତା ବଳରେ ସାଫଲ୍ୟ ପାଇ ପାରିଛନ୍ତି ଅଳ୍ପ ଦିନ ମଧ୍ୟରେ ।
-ଲିନା ଏତେସବୁ ଜାଣଛି ତା’ ବିଷୟରେ । ସେ ଅନୁଯୋଗ କରି କହିଲା- ସାର୍ଙ୍କର ଶେଷ ସମୟରେ ମୁଁ ଜାଣି ପାରିଲିନି ।
ଆପଣଙ୍କୁ ଖୋଜିଥିଲୁ, ପାଇନୁ । ଆମେ ତ ମୋଟେ ଭାବିପାରି ନଥିଲୁ ଯେ ବାପା ହଠାତ୍ଏମିତି ଚାଲିଯିବେ ବୋଲି । ଆପଣ ଜାଣନ୍ତି ସେ ଡ଼୍ରିଙ୍କ୍ କରୁଥିଲେ । ସେ ଏତେ ଡ଼୍ରିଙ୍କ୍ କରୁଥିଲେ ଯେ ତାଙ୍କୁ ଆୟତ୍ତକୁ ଆଣିବା ଅସମ୍ଭବ ହୋଇଯାଇଥିଲା । ସେଦିନ ବାହାରେ ଡ଼ିନର୍ ସାରି ରାତିରେ ଫେରୁଥିଲେ । ଆମେ ଶୋଇଯାଇଥିଲୁ । ମା’ଙ୍କ ଚିତ୍କାର ଶୁଣି ଉଠିଆସିଲୁ । ଡାକ୍ତରଙ୍କୁ ଫୋନ୍ କରି ଡାକୁ ଡାକୁ ସବୁ ଶେଷ । ସିରିୟସ୍ ହାର୍ଟ ଆଟାକ୍ ଡାକ୍ତର କହିଲେ ।
-ବର୍ତ୍ତମାନ ଘରେ କିଏ ସବୁ ଅଛନ୍ତି ବୁଝାବୁଝି କରିବାକୁ ?
-ସେମିତି କେହି ନାହାନ୍ତି ଗୋଟିଏ ବୋଲି ଭାଇ । ସେ ପୁଣି ବିଦେଶକୁ ପଢ଼ିବାକୁ ଗଲେ ଯେ ଆଉ ଫେରିଲେ ନାହିଁ ।
ସେଇଠି ଘରଦ୍ୱାର କରି ରହିଯାଇଛନ୍ତି । ବର୍ତ୍ତମାନ ଆମେ ଦୁଇ ଭଉଣୀ ଓ ମା’ ବ୍ୟତୀତ କେହି ନାହାନ୍ତି । ଲିନାର ଆଖି ଦୁଇଟିରେ ଲୋତକ ଭରି ଉଠିଥିଲା ।
ବିଜୟ ପରିସ୍ଥିତିକୁ ହାଲୁକା କରିବାପାଇଁ କହିଲା-କୁହନ୍ତୁ, କୁଆଡ଼େ ଯିବା ? ଗାଡ଼ିଟା ଟେଷ୍ଟ କରିନେବା, ଭଲ ହେବ ।
-ଆପଣ ମୋ’ ସହିତ ଯିବେ ?
-ହଁ ଆପଣଙ୍କୁ ପହଞ୍ଚାଇଦେଇ ଆସିବି ।
ମନର ଉଦାସ ଭାବ ଅପସରି ଯାଉଥିଲା ଲିନାର । ବିଜୟ ବାବୁ ନିଜ ଆଡ଼ୁ ପ୍ରସ୍ତାବ ଦେଇଛନ୍ତି ଯିବାକୁ । ଲୁହ ଝର ଝର ଆଖିରେ ଓଠ ତଳେ ଚେନାଏ ହସର ବିଜୁଳି ଖେଳିଗଲା ଲିନାର । ସେ କହିଲା-ହାଓ ଲଭ୍ଲି ! ଭାରି ଭଲ ଲାଗିବ ଆପଣ ସାଙ୍ଗରେ ଥିଲେ । ଚାଲନ୍ତୁନା ଖଣ୍ଡଗିରି, ଉଦୟଗିରି ଆଡ଼େ ବୁଲି ଆସିବା । ବହୁତ ଦିନରୁ ସେପଟକୁ ଯାଇନି ।
-ଚାଲନ୍ତୁ କହି, ଟେବୁଲ ଡ୍ରରେ ଚାବି ଦେଇ ଉଠିପଡ଼ିଲା ବିଜୟ ।
ଲିନା ଆଖି ଉପରକୁ ଝୁଲି ଆସିଥିବା ବାଳଗୁଚ୍ଛକୁ ପଛକୁ ଛାଟି ଦେଇ ବସିପଡ଼ିଲା ଆଗ ସିଟ୍ରେ ବିଜୟକୁ ଲାଗି ।
ବିଜୟର ଲକ୍ଷ୍ୟ ଏଡ଼ିଲା ନାହିଁ, ଗ୍ୟାରେଜ୍ର କର୍ମଚାରୀମାନେ ଆଶ୍ଚର୍ଯ୍ୟରେ ଚାହିଁ ରହିଛନ୍ତି ତା’ ଆଡ଼କୁ ବୋଲି । କାରଣ ମାଲିକଙ୍କ ସହିତ ଅନ୍ୟ ଜଣେ ମେମ୍ସାହେବ ଯିବାଆସିବା କରିବାର ଜାଣିଥିଲେ । କିନ୍ତୁ ଏ ପୁଣି କିଏ ? ପଛରେ ଅନେକଗୁଡ଼ିଏ ପ୍ରଶ୍ନବାଚୀ ରଖିଦେଇ ରାସ୍ତା ଉପରକୁ ଗାଡ଼ିନେଇ ବାହାରିପଡ଼ିଲା ବିଜୟ । କଣେଇ ଚାହିଁଲା ପାର୍ଶ୍ୱବର୍ତ୍ତିନୀ ଆଡ଼କୁ । ସେ କିନ୍ତୁ ସିଟ୍ଉପରେ ନିଜକୁ ବିଛାଇ ଦେଇ ଆରାମରେ ଆଖି ବୁଜି ଦେଇଛି । କଣ୍ଠରେ ଗୁଣୁ ଗୁଣୁ କୌଣସି ସଂଗୀତର ଗୁଞ୍ଜନ ।
ବିଜୟ କହିଲା-ଖାଲି ଖଣ୍ଡଗିରି, ଉଦୟଗିରି ନା, ଆଉ କେଉଁଠିକୁ ?
ସେମିତିଥାଇ ଉତ୍ତର ଦେଲା ଲିନା-ଆପଣଙ୍କର ଇଚ୍ଛା ।
ବିଜୟ ହସୁଥିଲା ମନ ଭିତରେ । ତା’ର ସାହଚର୍ଯ୍ୟ ପାଇ ଯଦି ଜଣେ ଟିକିଏ ଆନନ୍ଦ ପାଏ, ପାଉ ନା’ କ୍ଷତି କ’ଣ ?
ଅନିର୍ଦ୍ଦିଷ୍ଟଭାବରେ ଆଗକୁ କାର୍ଟି ଛୁଟାଇ ଦେଲା ବିଜୟ । ପ୍ରାୟ ଘଣ୍ଟାଏ ଧରି ସହରର ନିର୍ଜନ ରାସ୍ତାଗୁଡ଼ିକ ପରିକ୍ରମା କରି ଯଥା ସ୍ଥାନରେ ଆସି ପହଞ୍ଚିଗଲା ଗାଡ଼ିଟି । ତଳକୁ ଓହ୍ଲାଇ ଆସି ଗୋଟିଏ ପଥର ଖଣ୍ଡକୁ ଆଉଜି ବସିଲା ବିଜୟ । ତାକୁ କ୍ଳାନ୍ତ ଲାଗୁଥିଲା । ଲିନା କଳକଳନାଦିନୀ ଝରଣାଟି ପରି ଏ ଗୁମ୍ଫାରୁ ସେ ଗୁମ୍ଫା ଓ ଏ କୁଞ୍ଜରୁ ସେ କୁଞ୍ଜକୁ ଡ଼େଇଁ ବୁଲିବାକୁ ଲାଗିଥିଲା । କିଛି ସମୟ ପରେ ଅଜଣା ରଙ୍ଗ ବେରଙ୍ଗର ଚୂନା ଫୁଲ କିଛି ଅଣ୍ଟିରେ ପୂରାଇ ଆସି ଛିଡ଼ା ହୋଇଗଲା ବିଜୟର ସମ୍ମୁଖରେ । ଶ୍ରମବିନ୍ଦୁଗୁଡ଼ିକ ଗୋଲାପି କପାଳ ଓ ଗାଲ ଉପରେ ଝକ୍ ମକ୍ କରୁଥିଲା ।
ଖୁସିରେ ଅଣନିଃଶ୍ୱାସୀ ହେବା ଢଙ୍ଗରେ କହିଲା-କୁହନ୍ତୁ ବିଜୟ ବାବୁ ! ଆପଣଙ୍କୁ କେଉଁ ରଙ୍ଗଟା ଭଲ ଲାଗେ?
ଅନ୍ୟମନସ୍କଭାବରେ ବିଜୟ ଉତ୍ତର ଦେଲା ଲାଲ, ଗୋଲାପି...।
-ଆଃ, ଠିକ୍ ତ । ମତେ ମଧ୍ୟ ସେହି ରଙ୍ଗଗୁଡ଼ିକ ଭଲ ଲାଗେ । ଦୁହିଁଙ୍କର ଏକା ପସନ୍ଦ । ଅଣ୍ଟିର ଫୁଲଗୁଡ଼ିକ ବିଜୟର ପାଦ ତଳକୁ ଲକ୍ଷ୍ୟକରି ଅଜାଡ଼ି ଦେଲା । ପାଖକୁ ଲାଗି ଆଣ୍ଠୁ ଉପରେ କହୁଣି ଦୁଇଟି ଭରା ଦେଇ ନିଜର ମୁହଁଟିକୁ ହାତ ପାପୁଲିରେ ତୋଳିଧରି ବସିପଡ଼ିଲା, କହିଲା-ଗୋଟେ ଗୀତ ଗାଆନ୍ତୁନା ବିଜୟ ବାବୁ !
ଚମକି ପଡ଼ିଲା ବିଜୟ ।-କିଏ ?-ମନବୀଣା ? ତାହାରି ସ୍ୱର ପରି ମନେହେଲା ବିଜୟର । ସେ ବି ଏମିତି ଏଇଠି ଗୀତଟିଏ ଗାଇବାକୁ ଅନୁରୋଧ କରିଥିଲା । ବିଜୟର ଛିଡ଼ି ଯାଇଥିବା ବୀଣାର ତାରରେ ନୂଆ କରି ପୁଣି ହଜିଯାଇଥିବା ଛନ୍ଦରେ ଝଙ୍କାର ତୋଳି ଧରିଥିଲା ସେ-ମନବୀଣା । ସୁପ୍ତ ପ୍ରଣୟ ରାଗିଣୀକୁ ଜାଗ୍ରତ କରି ମୁଖରିତ କରିପାରିଛି ସେ-କେବଳ ମନବୀଣା।
ଏହି ଯେ ଲିନା ନାମ୍ନୀ ଝିଅଟି ଅଙ୍ଗ ଭଙ୍ଗି କରି ନାଚି ବୁଲୁଛି, ଠିକ୍ ମନବୀଣା ପରି । ବିଜୟ ଆଖିରେ ଏହି ବନ, ପାହାଡ଼, ଗଛ, ଲତା,ଫୁଲ, ଫଳ ସବୁ ସେହି ଏକଇ ପ୍ରତିବିମ୍ବ ପରି ଦୃଶ୍ୟ ହେଉଛି ।
ମନବୀଣା ଓ ତା’ମଧ୍ୟରେ ପ୍ରଭେଦ ନାହିଁ-ଏକାକାର ହୋଇଯାଇଛି ବିଜୟର ଦେହ ଓ ମନ । ହୃଦୟ ଭିତରେ କଲିଜାଠାରୁ ଆରମ୍ଭ କରି ସାରା ଶରୀର ମନବୀଣାର ମେହେନ୍ଦି କଷରେ ରଞ୍ଜିତ ହୋଇଯାଇଛି । ଅନ୍ୟ କିଛି ଦିଶୁ ନାହିଁ, ଅନୁଭବକୁ ଆସୁ ନାହିଁ । ଭୀଷଣ କ୍ଳାନ୍ତି-ବିଜୟ ଜାଣିପାରୁ ନାହିଁ କେମିତି ତା’ର ଦେହଟା ପ୍ରସ୍ତର ଖଣ୍ଡ ଉପରେ ଢୁଳାଇ ପଡ଼ିଛି । ଆଖି ଦୁଇଟି ଅନନ୍ତ ନିଦ୍ରାରେ ବୁଜି ହୋଇଯାଉଛି । ତା’ର ବୋଧଶକ୍ତିକୁ ଚେଷ୍ଟା କରି ମଧ୍ୟ ଆୟତ୍ତ କରିପାରୁ ନାହିଁ । ସେ ଶୁଣିବାକୁ ଚେଷ୍ଟା କରି ମଧ୍ୟ କିଛି ଶୁଣିପାରୁନି । ବୁଝିବାକୁ ଚାହୁଛିଁ, ବୁଝି ବି ପାରୁନି । ସେହି ଅବଚେତନ ଅବସ୍ଥା ମଧ୍ୟରେ ମା’ଙ୍କୁ ଦେଖିଲା ପରି ମନେ ହେଲା ତା’ର । ଶ୍ରୀମୟୀ ତାକୁ ଯେପରି ଡାକୁଛନ୍ତି-ବିଜୁରେ ! ବାପ ଚଞ୍ଚଳ ଆ...। ମା ଗଲାବେଳେ କହିଯାଇଥିଲେ ଦେଖ୍ବିଜୁ ! ଏକା ଆସିବୁନି, ସାଙ୍ଗରେ ବୋହୂକୁ ଧରି ଆସିବୁ, ତୋତେ ମୋ ରାଣ ।
-ମା...ମାଗୋ ! ଓଃ, କହି ଲମ୍ବା ହୋଇ ଶୋଇଯାଇଥିଲା ସେହି ପଥର ଉପରେ । ବିଜୟକୁ ସବୁ ଅନ୍ଧକାର ମନେ ହେଉଥିଲା ।
ଏମିତି ଶୋଇପଡ଼ିଥିବାର ଦେଖି ଧାଇଁ ଆସିଥିଲା ଲିନା ।-ବିଜୟ ବାବୁ !-କ’ଣ ହେଲା ବିଜୟ ବାବୁ ? ଅସ୍ତବ୍ୟସ୍ତ ହୋଇ ଧାଇଁ ବୁଲିଲା ଲିନା । ବିଚାରୀ କି ଅସୁବିଧାରେ ପଡ଼ିଲା ଆସି । ବାଧ୍ୟହୋଇ ଧାଇଁ ଯାଇଥିବ ସେହି ପାଖରେ ଥିବା ଚା’ ବିକାଳିଙ୍କ ନିକଟକୁ କିମ୍ବା କେହି ଯଦି ଯାତ୍ରୀ ଥିବ ତେବେ ତାଙ୍କୁ ଅନୁରୋଧ କରିଥିବ । କହିଥିବ ଦେଖନ୍ତୁ ନା, ଭଲଥିଲେ, ହଠାତ୍କ’ଣ ହୋଇଗଲା ?
ଏକାକିନୀ ତରୁଣୀଟିର ଆକୁଳତା ଶୁଣି ସମସ୍ତେ ଚାହିଁଥିବେ ତା’ର ମୁହଁକୁ । ତା’ପରେ ବିଜୟ ଶୋଇଥିବା ସ୍ଥାନକୁ । ଜଣେ ଯୁବତୀ ପାଖରେ ଚେତନାଶୂନ୍ୟ ହୋଇ ପଡ଼ିରହିଥିବାର ଦେଖିଲେ, କୌତୂହଳ ଆସିବ ଜାଣିବାପାଇଁ । ଅନେକ ପ୍ରଶ୍ନରେ ଜର୍ଜରିତ କରିପକାଇଥିବେ । ଉତ୍ତର ଯୋଗାଇ ନ ପାରି ବିବ୍ରତ ହୋଇ ପଡ଼ିଥିବ ବିଚାରୀ ଲିନା ।
-କିଏ ଏ ଯୁବକଟି ?-ଆପଣଙ୍କର କେହି ଆତ୍ମୀୟ କି ?-କ’ଣ ହେଲା ? ବେଶି ଡ୍ରିଙ୍କ୍କରିପକାଇଛନ୍ତି ବୋଧହୁଏ ? ନାନା ପ୍ରକାରର ପ୍ରଶ୍ନ ।
-କ’ଣ ଉତ୍ତର ଦେଇଛି କେଜାଣି ?
ବିଜୟ ତ କିଛି ଜାଣିପାରୁନି । କିଛି ଗୋଟେ କହିଥିବ ।-ମୋ ଭାଇ, ବନ୍ଧୁ କିମ୍ବା ନା କେହି ନୁହେଁ-ମୋ ଗାଡ଼ିର ଡ଼୍ରାଇଭର୍....। ଯାହା ବି ହେଉ ସମସ୍ତଙ୍କ ସାହାଯ୍ୟରେ ଗାଡ଼ିର ପଛ ସିଟ୍ରେ ଶୁଆଇ ସିଧା ଘରକୁ ନେଇ ଆସିଥିଲା ବିଜୟକୁ ଲିନା ।
କିରଣ ଅଫିସରୁ ଫେରି ପୋଷାକ ଓହ୍ଲାଉଥିଲା, ଗାଡ଼ି ଶବ୍ଦ ଶୁଣି ବାହାରି ଆସିଲା ବାହାରକୁ । ଏ କ’ଣ-ଲିନା ଦେବୀ?
ଗାଡ଼ି ଭିତରେ ଶାୟିତ ଅବସ୍ଥାରେ ବିଜୟକୁ ଦେଖି, କ’ଣ ହୋଇଛି ଭାବି ଧାଇଁ ଆସିଲା କାର୍ପାଖକୁ । କୌଣସିମତେ ଧରାଧରି କରି ଉଠାଇ ଆଣିଲା ଘର ଭିତରକୁ । ତା’ ପରେ...କିଛି ସମୟ ଲାଗିଲା-ଧାଁ ଦୌଡ଼-ଡାକ୍ତର, ଔଷଧ, ଆଇସ୍ବ୍ୟାଗ୍। ଅନ୍ୟ କିଛି ପଚାରିବାକୁ ବା ଶୁଣିବାକୁ ସମୟ ନ ଥିଲା କାହାରି । ପ୍ରାୟ ଦୁଇ ଘଣ୍ଟା ଅକ୍ଳାନ୍ତ ଚିକିତ୍ସା ପରେ ଚେତନା ଫେରି ଆସିଲା ବିଜୟର ।
ଓଃ ଏକା ସାଙ୍ଗରେ ସମସ୍ତେ ଝୁଙ୍କିପଡ଼ିଲେ ବିଜୟର ମୁହଁ ଉପରକୁ । ଆଖି ଖୋଲିଲା ବିଜୟ । ଏକା ପ୍ରଶ୍ନ ସମସ୍ତଙ୍କ ତୁଣ୍ଡରେ, କ’ଣ ହେଲା ବିଜୟ ଭାଇ ? ବର୍ତ୍ତମାନ ତୁମେ ସୁସ୍ଥ ଅନୁଭବ କରୁଛ ତ ?
ବିଜୟ ପାଣି ମାଗିଲା । ତା’ପରେ କହିଲା, ମୁଁ କେଉଁଠି କିରଣ ? କିରଣ କାହିଁ ? ଏହି ଯେ ବିଜୟ ଭାଇ ମୁଁ ତୁମ ପାଖରେ ଅଛି କହି ପାଦ ପାଖରୁ ଉଠିଆସିଲା କିରଣ । ମୁଣ୍ଡ ଝୁଙ୍କାଇ କହିଲା ତୁମକୁ କିମିତି ଲାଗୁଛି ବିଜୟ ଭାଇ ?
କ୍ଳାନ୍ତ ସ୍ୱରରେ କହିଲା ବିଜୟ, ହଁ କିରଣ କ’ଣ ଯେ ହୋଇଗଲା ଖଣ୍ଡଗିରିର ପ୍ରସ୍ତରଖଣ୍ଡ ଉପରେ ବସୁ ବସୁ....।
-ତୁମେ ବ୍ୟସ୍ତ ହୁଅନା । ସବୁ ଠିକ୍ହୋଇଯିବ । ନିଅ ପାଣି ଟିକେ ପିଇଦିଅ ।
-ବହୁତ ଦୁର୍ବଳ ଲାଗୁଛିରେ କିରଣ ।
ଲାଗିବ ନି ? ଡାକ୍ତର ତୁମକୁ ବାରମ୍ବାର ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଉଥିବା ସତ୍ତ୍ୱେ ତୁମେ ମାନୁନ ମୋଟେ ।
ହାତରେ ହର୍ଲିକ୍ସ କି ଦୁଧ- କ’ଣ ଧରି ପଶି ଆସିଲା ମଣିମାଳା । ପରିଶ୍ରାନ୍ତ ବ୍ୟାକୁଳ ମୁଖମଣ୍ଡଳ । ବିଚାରୀ-ଏହି ଭାରୀ ଶରୀର ନେଇ ବହୁତ ସେ ଖଟିଛି । ଏକୁଟିଆ ସବୁ ତ ତାକୁ ହିଁ କରିବାକୁ ପଡ଼ିଲା । ଆଇସ୍ବ୍ୟାଗ୍ଦିଅ, ଗରମ ପାଣି କର, ସ୍ପଞ୍ଜ କର କେତେ କ’ଣ । ଅଡ଼ୁଆ ତଡ଼ୁଆ କରି ଲୁଗା କାନିକୁ ଦେହରେ ଗୁଡ଼ାଇ ବସି ପଡ଼ିଲା ଚେୟାରଟା ଉପରେ । ଦୁଧ କପ୍ଟା ଟେବୁଲ ଉପରେ ଥୋଇ ଦେଇ ଘନ ଘନ ନିଃଶ୍ୱାସ ନେବାକୁ ଲାଗିଲା । ବେଶ୍ଥକି ପଡ଼ିଛି ସେ । ଭାଗ୍ୟକୁ ଲିନାଟା ଥିଲା ପାଖରେ ନୋହିଲେ କିରଣ ଡାକ୍ତର ଔଷଧକୁ ଧାଉଁଥିଲାବେଳେ ବରଫ ବ୍ୟାଗ୍ଟା କିଏ ମୁଣ୍ଡ ଉପରେ ଲଗାଇ ରଖନ୍ତା ? ସେ ତ ବ୍ୟସ୍ତ ରହୁଥିଲେ ଫାଇଫରମାସ୍ ଯୋଗାଇବାକୁ । ଗରମ ପାଣି କର, ଦୁଧ ଗରମ କର, ଇଞ୍ଜେକ୍ସନ୍ପାଇଁ ଶିରିଞ୍ଜ୍କୁ ଫୁଟାଅ-କ’ଣ କମ୍କାମ । ବର୍ତ୍ତମାନ କିନ୍ତୁ ସବୁ କାଳିମାର ଅସ୍ଥିରତା ଦୂର ହୋଇଯାଇଛି ମଣିମାଳାର... । ବିଜୟ ଭାଇ ସୁସ୍ଥ ହୋଇଯାଇଛନ୍ତି । ସେ ବର୍ତ୍ତମାନ କଥା କହି ପାରୁଛନ୍ତି । ମନର ମେଘ ଉଡ଼ି ଯାଇଛି । ସ୍ୱଭାବ ଗୁଣରେ ମଣିମାଳା ବାକ୍ପଟୁ ହୋଇ ଉଠୁଛି । ହସର ଛଟା କ୍ଳାନ୍ତ ଓଠର କୋଣରେ ଉକୁଟି ଉଠୁଛି ।
ଚେୟାର ବାଡ଼ରେ ଆଉଜିପଡ଼ି-ଓଃ ହୋ-କୁହନା, କୁହନା, ବିଜୟ ଭାଇ-କହି ଉଠିଲା ମଣିମାଳା । କେତେ ଦିଅଁ ଦେବତାଙ୍କୁ ଯେ ଗୁଡ଼ାଏ ଭୋଗ ଯାଚିଲିଣି ତୁମପାଇଁ । ବାପ୍ରେ ବାପ୍କି ଭୟ ହୋଇଯାଇଥିଲା-ତୁମ ଅଚେତ ଅବସ୍ଥା ଦେଖି...। ନଅମାସର ପୁଆତୀ ଓଜନିଆ ଅଙ୍ଗ ଭାରକୁ ଯଥା ସମ୍ଭବ ଦୋହାଲାଇ କହୁଥିଲା ମଣି । ବିଜୟ ଅଳ୍ପ ଅଳ୍ପ ହସିବାକୁ ଚେଷ୍ଟା କରୁଥିବାର ଦେଖି-ବଡ଼ ବଡ଼ ଆଖିରେ ଶାସନ କରିଉଠିଲା-ଥାଉ, ଆଉ ହସ ଦେଖାଇବା ଦରକାର ନାହିଁ । ନିଅ ହର୍ଲିକ୍ସ ଟିକକ ପିଇ ଦିଅ । ତା’ପରେ ଲିନାକୁ ଲକ୍ଷ୍ୟ କରି କହିଲା-ଯାଅ, ଲିନା ଦେବୀ ! ହାତଗୋଡ଼ ଟିକିଏ ସଳଖ କରି ନିଅ । ବିଚାରୀ, ସେହି ସେତିକି ବେଳରୁ ଏକା ସ୍ଥାନରେ ବସି ରହିଛି । ଗଲ ତୁମେ-ଯାଅ ମୋ ଖଟ ଉପରେ ଟିକିଏ ଲମ୍ବା ହୋଇପଡ଼ । ଆଉ ବୋଧହୁଏ ଆଇସ୍ ବ୍ୟାଗ୍ ଦେବାକୁ ପଡ଼ିବ ନି ।
ବିଜୟ ମଧ୍ୟ ଲିନା ଆଡ଼କୁ ଅନାଇଲା ଓ କହିଲା-ସତରେ ! ଆପଣଙ୍କୁ ବହୁତ କଷ୍ଟ ଦେଲି । ଆପଣ ଖୁସିରେ ଟିକିଏ ବୁଲି ଆସିବାକୁ ଚାହିଁଲେ-ତା’ ବଦଳରେ ରୋଗୀ ସେବା............। ଲିନା କ’ଣ କହିବାକୁ ଚାହିଁ ମଧ୍ୟ ମନ କଥା ଶୁଣାଇ ପାରିନଥିଲା ।
ବିଜୟ ପୁଣି କିରଣକୁ ଲକ୍ଷ୍ୟ କରି କହିଲା-କିରଣ ! ଯା’ ଲିନା ଦେବୀଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ଆ... । ବହୁତ କଷ୍ଟ ହେଲାଣି ତାଙ୍କୁ । କିରଣ ମଧ୍ୟ ଯିବାକୁ ଉଠୁଥିଲା । ମଣିମାଳା ଉଠିପଡ଼ି କହିଲା-ବାଃ ବେଶ୍ଲୋକ ତ-ବିଚାରୀକୁ ଖଟେଇ ହଇରାଣ ହରକତ କଲ, କାମ ସରିଲାରୁ ସେମିତି ନେଇ ଛାଡ଼ି ଦେଇ ଆସିବ । ନାଁ, ମୁଁ କିନ୍ତୁ ସେମିତି ଛାଡ଼ି ଦେଇ ପାରିବିନି ଭାଇ । ଲିନା ! ତୁମେ ମୋଠାରୁ ବୟସରେ ସାନ । ଏଣୁ ତୁମେ ମୋର ସାନ ଭଉଣୀ । ଆସ, ମୋ ସାଙ୍ଗରେ ଭିତରକୁ ଯାଇ ମୁହଁ ହାତ ଧୁଅ । ଚାହା ପାଣି ଟିକିଏ ପିଇ ସୁସ୍ଥ ହୋଇ ଯିବ....।
ଲିନାର ମୁହଁ ଖୋଲିଲା ଏତେବେଳକୁ । ମଣିମାଳାର ହାତ ଦୁଇଟି ଧରି ପକାଇ ଅଭିମାନକରି କହିଲା-ଭଉଣୀ କହିଲତ ଆଉ ତୁମେ କାହିଁକି ? ତୁ, ବୋଲି କହୁନ ? ମୋତେ ଭାରି ଖୁସି ଲାଗିବ ।
ଆଲୋ ! କହିବି କହିବି-ଉଚ୍ଛନା ହେଉଛୁ କାହିଁକି ? ସବୁ ହେବ ତୁ ବ୍ୟସ୍ତ ହଅନା...ଆ !
କହିବାର ଢ଼ଙ୍ଗ ଦେଖି ଶବ୍ଦ କରି ହସି ପକାଇଲା ଲିନା ।
ମଣିମାଳା ତା’ର ଗୋଲାକୃତ ବପୁ ଖଲାଇ ପୁଣି କହିଲା, ଠିକ୍ଅଛି ସେଇଆ ହେବ-ବର୍ତ୍ତମାନ ଚାଲ ପେଟ ପୂଜାଟା କରିପକାଇବା, ଭୋକରେ ପ୍ରାଣ ଛାଡ଼ି ଗଲାଣି । ଏ ବାଥ୍ରୁମ୍ କାମସାରି ତୁମେ ଟେବୁଲ ପାଖକୁ ଆସ । ମୁଁ ପ୍ରେସରରୁ ଡାଲମାଟା କାଢ଼ି ଛୁଙ୍କ ପକାଇ ଦିଏ । ଫ୍ରିଜ୍ରେ ସିମେଇ ପାୟସ ଅଛି । ଗରମ ରୁଟି କେଇପଟ ସେକିବାକୁ ବେଶି ଡେରି ଲାଗିବନି । ଏହି କାକୁଡ଼ି ପିଆଜ ସବୁ ରହିଲା । ଏଇଟା କାଟିବା ଭାଗ ତମର । ସ୍ୱଭାବର ଚଞ୍ଚଳତାନେଇ କାମରେ ଲାଗିପଡ଼ିଲା ମଣିମାଳା । ସେପଟରୁ କିରଣ ଓ ବିଜୟ ଦୁହେଁ ଦୁହିଁଙ୍କୁ ଚାହିଁ ରହୁଥିଲେ କେବଳ । କିରଣ ମନରେ ଅନେକ ଭାବନାର ସ୍ରୋତ ବହି ଚାଲିଥିଲା । ଏହି ଯେ ଲିନା ନାମ୍ନୀ ତରୁଣୀଟି । ସେ ପୁଣି କିଏ ଓ କାହିଁକି ? ନିଚ୍ଛକ ବନ୍ଧୁତ୍ୱ ନା ଆଉ କିଛି ।
ବିଜୟ ଭାବୁଥିଲା-ନିର୍ଝରର ଝରଣାପରି ନିର୍ମଳ ସରଳମନା ମଣିମାଳା କଥା । ଭାଇ ରଙ୍କୁଣୀଟା । ନିଜର ଭାଇ ନ ଥିବାରୁ ବିଜୟକୁ ନେଇ ଭାଇର ଶୂନ୍ୟ ସ୍ଥାନ ପୂରଣ କରିବାକୁ ଇଚ୍ଛା କରିଥିଲା କିନ୍ତୁ....।
-କିରଣ ଆସ୍ତେ କହିଲା-ବିଜୟ ଭାଇ ! ଏହି ଲିନା ଦେବୀ ? ମାନେ ତୁମେ ନିଶ୍ଚୟ ବୁଝିପାରୁଥିବ ମୁଁ କ’ଣ ପଚାରୁଛି?
କଷ୍ଟ ହେଉଛି କଥା କହିବାକୁ-ଶୁଖିଲା କରି ବିଜୟ ଟିକିଏ ହସିଲା ଏବଂ ନିରବରେ ନିଜର ହାତ ପାପୁଲିଟି କପାଳରେ ଥୋଇ ଆଖି ବୁଜି ପକାଇଲା ।
‘‘ଅର୍ଥ, ଭାଗ୍ୟ-ହଁ ତା’ ନ ହୋଇଥିଲେ ବିଜୟ ଭାଇ ଆଜି ଶଯ୍ୟାଶାୟୀ ହୁଅନ୍ତେ କାହିଁକି ? କିରଣ ଉଠିବାକୁ ଯାଉଥିଲା-କାନ୍ଧ ଉପରେ ଶାନ୍ତିନିକେତନ ବ୍ୟାଗ୍ ଓହଳେଇ ପ୍ରବେଶ କଲା ମନବୀଣା ଏବଂ ସିଧା ଖଟ ପାଖକୁ ଯାଇ ବିଜୟ ପାଖରେ ବସିପଡ଼ିଲା-କାନ୍ଧର ବ୍ୟାଗ୍ଖଣ୍ଡିକ ପାଦ ତଳକୁ ଖସି ଆସିଲା । ବ୍ୟସ୍ତଭାବରେ ବିଜୟର ମୁଣ୍ଡ ସାଉଁଳିବାକୁ ଲାଗିଲା । କେମିତି ହେଲା-ଶୁଣିଲି ଗାଡ଼ି ଏକ୍ସିଡେଣ୍ଟ ହୋଇଗଲା......। କଲେଜରେ ମୋର ଜଣେ ଷ୍ଟୁଡେଣ୍ଟ ପାଖରୁ ଖବର ପାଇଲି । ସେ ଦେଖି ଆସିଥିଲା ବୋଲି କହିଲା । କିରଣ ମଧ୍ୟ ମନବୀଣାର ବେଷଭୂଷାରୁ ଏମିତି ଅନୁମାନ କରୁଥିଲା-କ୍ଳାସ ଛାଡ଼ି ଉଠି ଆସିଛି ବୋଲି । ମନବୀଣା ପାଖକୁ ଆସି କହିଲା...ତୁମେ ବ୍ୟସ୍ତ ହୁଅନା । ସାଂଘାତିକ କିଛି ନୁହେଁ । ହଠାତ୍ଟିକେ ଅସୁସ୍ଥ ହୋଇପଡ଼ିଥିଲେ ସେ । ତୁମେ ନିଶ୍ଚୟ କ୍ଳାସ୍ରୁମ୍ରୁ ଉଠି ଆସିଛ । ଚା’ ପାଣି ପିଇ ସୁସ୍ଥ ହୁଅ-ତା’ପରେ ସବୁ ଶୁଣିବ । ମଣିମାଳାକୁ ଡାକିବାକୁ ଯାଉଥିଲା ଅଟକି ଗଲା...। ହାତରେ ଗୋଟିଏ ପାନଖିଲ ଓ ଗାଲରେ ମଧ୍ୟ ଗୋଟାକୁ ବେଶ୍ମଚମଚକରି ଚୋବାଇବାରେ ଲାଗିଛି । ସେଥିରୁ ଲିନାକୁ ମଧ ବାଦ ଦେଇନାହିଁ । କିରଣ ଲକ୍ଷ୍ୟ କଲାଣି ଏହି କେତେ ଦିନ ହେଲା ମଣିମାଳା ପାନ ଡାଲାଟିଏ ମଧ୍ୟ ସଜାଡ଼ି ବସିଛି କାରଣ ଖାଇ ସାରିଲାପରେ ମେଜିଆ ଉପରେ ଗୋଡ଼ ଲମ୍ବାଇ ପାନଡାଲା ଧରି ବସିପଡ଼ୁଛି । ସେଦିନ ବିଜୟ ଭାଇ ମଧ୍ୟ ଥଟ୍ଟା କରୁଥିଲେ-କିଲୋ, ତୁଟା କ’ଣ ପାନୋଇ ହୋଇଗଲୁଣି । ଦାନ୍ତସବୁ ପୋକଡ଼ା ହୋଇଯିବ ଜାଣିଛୁ ? ସେ କଥାକୁ କାନ ନ ଦେଇ ମଣି କହିଲା-ଆଃ ! ବଡ଼ ଅଳେଇଚ ଆଉ ଟିକିଏ ଚମନ୍ ବାହାର୍ ଦେଇ ଯେଉଁ ପାନ ଖଣ୍ଡିକ କି ଚମତ୍କାର-ଖାଇ ଦେଖ.......... । ଯେଉଁ ମଜା ଲାଗୁଛି ନା, ସେହି....ମଣିମାଳା ମଧ୍ୟ ଅଧା ବାଟରୁ ଅଟକି ଗଲା । କିଏ ? ମନବୀଣା । ମନବୀଣା ବିଜୟର ମୁଣ୍ଡ ସାଉଁଳି ଦେଉଛି, କପାଳରେ ଟିପା ମାରୁଛି । ପଛରେ ଲିନା ଦେବୀ । ସେ ଘଡ଼ିକପାଇଁ ଅଟକି ଗଲେ । ମଣିମାଳା ତା’ପରେ ଧାଇଁ ଆସି ଦୁଇ ବାହୁ ଜଡ଼ାଇ କୁଣ୍ଢାଇ ପକାଇଲା ମନବୀଣାକୁ-ଆଉ କି ଉଛୁଳା କ୍ରନ୍ଦନର ଢେଉ ତୁହାକୁ ତୁହା କୋହ ଉଛୁଳି ପଡ଼ିଲା । ପ୍ରିୟଜନଙ୍କୁ ନିକଟରେ ପାଇ ଧୈର୍ଯ୍ୟ ଧରି ରହି ପାରିଲେନି । ମଣିମାଳା କିନ୍ତୁ ନିଜର ପ୍ରିୟସଖୀକୁ ପାଇ, ବେଦନାଗୁଡ଼ାକ ଆଉ ବାଧା ମାନିଲା ନାହିଁ । ତୁହାକୁ ତୁହା ଉଛୁଳି ଉଠିଲା । ଏଣେ ଲିନା ଦେବୀ ଅଧାବାଟରେ...।
ଯେତିକି ଝାମେଲା, ବିଚରା କିରଣର । ସେ କାହାକୁ ସମ୍ଭାଳିବ ? ନିହାତି କିଛି କହିବାକୁ ଯାଇ କହି ଉଠିଲା-ଆସନ୍ତୁ ଲିନା ଦେବୀ ! ଏହି ଚେୟାରରେ ବସନ୍ତୁ । ଏ ହେଉଛନ୍ତି ଆମର ପରିଚିତ ଅଧ୍ୟାପିକା ମନବୀଣା...। ଆଉ ମନବୀଣା ତୁମେ ବୋଧହୁଏ କେବେ ଭେଟିନ ଲିନା ଦେବୀଙ୍କୁ । ଆମ ପ୍ରିୟ ଡାକ୍ତର ଅବିନାଶ ଚାଟାର୍ଜୀଙ୍କର କନ୍ୟା ଲିନା ଦେବୀ । ମନବୀଣା ମଣିକୁ ଛାଡ଼ି ମୁହଁ ବୁଲେଇବାକୁ ବାଧ୍ୟ ହେଲା । କହିଲା-ହଁ, ଜାଣିଲି ଏହି ଯେଉଁ ଚାରିମାସ ତଳେ ଯାହାଙ୍କର ହାର୍ଟ ଆଟାର୍କରେ....। ହଁ, ସେହି-କିରଣ ଉତ୍ତର ଦେଲା । ତାଙ୍କର ଜ୍ୟେଷ୍ଠା କନ୍ୟା । ବାସ୍ ଏହା ପରେ କିରଣର କଥା ଶେଷ । ପୁଣି କ’ଣ କରିବ ବା କହିବାକୁ ହେବ ଜାଣିପାରୁନି କିରଣ । ଅଭିନୟର ରଙ୍ଗମଞ୍ଚରେ ଛିଡ଼ା ହେଲା ପରି ସମସ୍ତେ ଛିଡ଼ା ହୋଇଛନ୍ତି । ଡାଇଲଗ୍ଭୁଲି ଯାଇଛନ୍ତି ସମସ୍ତେ । ସମ୍ଭାଳି ନେଲା ମଣିମାଳା-ଟିକିଏ ଚଞ୍ଚଳା ସିନା ଅଳ୍ପକେ ହାଉଁ ମାଉଁ ହୋଇଯାଏ । ମାତ୍ର ଉପସ୍ଥିତ ବୁଦ୍ଧି ଭାରି ପ୍ରଖର । ପରିସ୍ଥିତିକୁ ଚାହିଁ ସମ୍ଭାଳି ନେଲା ପରି ଉପାୟ ମଧ୍ୟ ପ୍ରସ୍ତୁତ କରିପକାଏ । ତାର କାନ୍ଦଣା ବନ୍ଦ ହୋଇଯାଇଥିଲା । ମନବୀଣାର ହାତ ଧରି ପକାଇ ଭିତରକୁ ଟାଣି ନେଇଗଲା-ଆସ, ଆସ ମନବୀଣା ! ସିଧା କଲେଜରୁ ଚାଲି ଆସିଛି ମନେ ହେଉଛି । ଭୋକ ଶୋଷରେ ମୁହଁ ଶୁଖି ଯାଇଛି । ପୁଣି କିରଣରୁ ଚାହିଁ କହିଲା-ଆମର ସରିଛି । ତୁମେ ଆଉ ଚୁପ୍ହୋଇ ଛିଡ଼ା ହୋଇରହିଛି କାହିଁକି ? ଚାଲିଆସ ଏହି ଟେବୁଲରେ ବଢ଼ା ହୋଇ ରହିଛି-ପୂରା ଦିନଟା ସବୁ ଓପାସ । ଓଃ ! ଯାହା ଅବସ୍ଥା କହନା । ପୁଣି ଲିନାକୁ ଲକ୍ଷ୍ୟ କରି କହିଲା-ଲିନା ! ବିଜୟ ଭାଇଙ୍କୁ ଦେଖିବ, ମୁଁ ଏଇ ଆସିଲି । କିରଣ ସ୍ୱସ୍ତିରେ ନିଃଶ୍ୱାସ ମାରିଲା ! ମୁହଁରେ ନ କହିଲେ ମଧ୍ୟ ମନେ ମନେ ସ୍ୱୀକାର କଲା, ପୁରୁଷ ଅପେକ୍ଷା ନାରୀମାନଙ୍କର ଉପସ୍ଥିତ ବୁଦ୍ଧି ବହୁତ ।
ଲିନା ଯିବାକୁ ବାହାରିଲା, କେବଳ ବିଜୟ ଖୁବ୍ ଘନିଷ୍ଠ ହୋଇ କହିଲା-ସେ କଥା ତାହାହେଲେ ଠିକ୍ ହେଲା ।
ବିଜୟ ବାବୁ ! ଆପଣ ପ୍ରସ୍ତୁତ ହୋଇସାରିଥିବେ । ମୁଁ ସକାଳ ନଅଟା ବେଳକୁ ଗାଡ଼ି ନେଇ ଆସିବି ଆପଣଙ୍କୁ ନେଇ ଯିବାକୁ । ଆମ ଘରେ ସବୁ ପ୍ରକାର ସୁବିଧା ହେବ । ଡାକ୍ତର ବାବୁ, ଆଜି କହିଯାଇଛନ୍ତି ଆପଣଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇ ବିଶ୍ରାମ କରିବାକୁ । ଏହି ଛୋଟ ଘରେ ଏତେ ସୁବିଧା ହେବନି । ପୁଣି....ମଣିନାନୀ ଏକୁଟିଆ କେତେ କରିବେ । ନର୍ସିଂହୋମ୍ଯିବାର ସମୟ ମଧ୍ୟ ହୋଇଗଲାଣି-ଆପଣ ସବୁଟିକୁ ସଜାଡ଼ି ଦେଇଥିବେ ।
କିନ୍ତୁ....କିରଣ କ’ଣ କହିବାକୁ ଯାଉଥିଲା । ଲିନା କହିଲା-କିନ୍ତୁ ଆଉ କାହିଁକି ? ବିଜୟ ବାବୁଙ୍କର କିଛି ଅସୁବିଧା ହେବ ନାହିଁ । ଘରେ ମା’ ଅଛନ୍ତି, ଲିଲି ଅଛି-ମୁଁ ଅଛି । ତା’ ବ୍ୟତୀତ ବାପାଙ୍କ ପାଖରେ କାମ କରୁଥିବା ଚିହ୍ନା ଭଲ ନର୍ସଟିଏ ଅଛି । ତାକୁ ଦିନ ରାତିପାଇଁ ବ୍ୟବସ୍ଥା କରିଦେଲେ ଚିନ୍ତା ରହିବନି । ସେ ବେଶ୍ଯତ୍ନ ନେଇପାରିବ ।
-ଥାଉ ଲିନା ! ତୁମେ ମିଛରେ କଷ୍ଟ କରିବ ।
ପ୍ଳିଜ୍ ବିଜୟ ବାବୁ; ଆପଣ ଅମତ ହୁଅନ୍ତି ନି, ଆପଣଙ୍କୁ ଏଠି ଛାଡ଼ି ଯାଇଛି ଶୁଣିଲେ ମା’ କେତେ ବ୍ୟସ୍ତ ହେବେ।
ଆପଣ ଚିନ୍ତା କରନ୍ତୁ ନି । ମୁଁ ବେଶ୍ଅଛି-ଏତକ କହି କଡ଼ ଲେଉଟାଇଲା ବିଜୟ ।
ଲିନା ବିଜୟ ଉପରକୁ ଝୁଙ୍କି ପଡ଼ିଲା-ବ୍ୟସ୍ତ କ’ଣ ଆମର ବିରାଟ ଘର । ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଆବଶ୍ୟକ ବଡ଼ ଘର, ଖୋଲା ମେଲା ପରିସର । ଆମ ଉପର ମହଲାରେ ବାପା ରହୁଥିଲେ ଏବେ ଖାଲି ପଡ଼ିଛି । ଆପଣଙ୍କୁ ସେହି ପୋର୍ସନ୍ଟା ପୂରା ଛାଡ଼ି ଦେବୁ । ଆପଣ ମନ ଇଚ୍ଛା ବୁଲିବେ । ଗପିଲେ ବନ୍ଧୁଙ୍କ ସହିତ ଯାହା ଖୁସି କରିପାରିବେ । ମନା କରନ୍ତୁନି । ଆପଣ ନ ଗଲେ ମୋ ମନକୁ ବହୁତ କଷ୍ଟ ଲାଗିବ....।
କେହି କିଛି କହୁ ନ ଥିବାର ଦେଖି କିରଣ କହିଲା ଠିକ୍ ତ ବିଜୟ ଭାଇ, ଲିନା ଦେବୀ ଭଲ କହୁଛନ୍ତି ।
ବିଜୟ ଆଖି ମେଲି ଚାହିଁଲା କିରଣକୁ । କହିଲା-ତଡ଼ି ଦେବାକୁ ଚାହୁଁଛ ।
ଅପ୍ରସ୍ତୁତ ହୋଇପଡ଼ିଲା କିରଣ । ଧେତ୍ ଲିନାକୁ ଟିକିଏ ସହାୟତା ଦେବାକୁ ଯାଇ କ’ଣ କହି ପକାଇଲା । ମୁଣ୍ଡ ତଳକୁ ଝିଙ୍କି ପକାଇଲା । ଦୁଇ ହାତ ପୂରାଇ ବାଳଗୁଡ଼ାକୁ ଝିଙ୍କି ପକାଇ କହିଲା ନାଇଁ ମୁଁ ତୁଚ୍ଛାରେ ଇମିତି କହୁଥିଲି ନା ।
ମଣିମାଳାର ଏ ଦିଗରେ କୌଣସି ଲକ୍ଷ୍ୟ ନାହିଁ ବା ଗୁରୁତ୍ୱ ଦେଲାପରି ମନେ ହେଉନି । ସେ ସୋଫା ଉପରେ ଚକା ପକେଇ ପାନ ଭାଙ୍ଗି, ଖଣ୍ଡକୁ ଖଣ୍ଡ ଚୋବାଇବାରେ ବ୍ୟସ୍ତ ରହିଛି । ଲିନା ମନବୀଣାକୁ କହିଲା, ଆସନ୍ତୁ ମାଡ଼ାମ୍ . ଯିବା ବାଟରେ ଆପଣଙ୍କୁ ଓହ୍ଲାଇ ଦେଇଯିବି ଆପଣଙ୍କର କ୍ୱାର୍ଟର ପାଖରେ ।
ଧନ୍ୟବାଦ ଲିନା, ମୋର ଗନ୍ତବ୍ୟ ତୁମର ବିପରୀତ ଦିଗରେ-କହି ଉଠି କାନ୍ଧ ଉପରକୁ ତାର ଶାନ୍ତିନିକେତନ ବ୍ୟାଗ ଖଣ୍ଡିକ ଉଠାଇ ନେଲା ।
କିରଣ କହିଲା ତାଙ୍କର ଗନ୍ତବ୍ୟ ପଥ ଆମ ବିପରୀତ ଦିଗରେ । ବାଃ ପ୍ରକୃତରେ ମୋର ମନେ ନ ଥିଲା-ଲିନା ଗ୍ରୀବା ବଙ୍କାଇ କହିଲା, ହେଲେ ବି....।
ମନବୀଣା ବିଜୟ ନିକଟକୁ ଆଗେଇ ଆସିଲା । କହିଲା-ଅନ୍ଧାର ହୋଇ ଆସିଲାଣି । କାଲି କଲେଜ ପରେ ଆସିବି । କୋଠରିରୁ ବାହାରି ଯାଉ ଯାଉ କହିଲା, କିରଣ ! ତୁମେ ଟିକିଏ କଷ୍ଟକରି ଫେରିବା ବାଟରେ ସ୍କୁଟରଟା ନେଇ ମୋ କଲେଜ ହୋଇ ଆସିବ । ରିକ୍ସା ବହୁତ ସମୟ ନିଏ । କାରଣ ମନବୀଣା ଜାଣେ ବିଜୟ କାହାରି ଆତିଥ୍ୟ ଗ୍ରହଣ କରିବନି । ଏହି କିରଣ ଘରେ, ମଣିମାଳା ପାଖରେ ହିଁ ରହିବ ।
ମଣିମାଳାର ପାନଖିଆ ସରିଯାଇଥିଲା । ସେ ଉଠିପଡ଼ି କହିଲା, ଆରେ ରୁହ ରୁହ ଠାକୁର ଘରେ ସଞ୍ଜବତିଟା ଲଗାଇ ଦେଇ ଆସେ । ମୁହଁ ସଞ୍ଜଟାରେ ଘରୁ ଗୋଡ଼ କାଢ଼ିବା ଉଚିତ୍ ନୁହେଁ ।
ବ୍ୟସ୍ତ ଲାଗିଲାଣି । ସେହି ସକାଳ ପ୍ରହରୁ ବସି ବସି ହଜାରେ ପରୀକ୍ଷା । ଗୁଡ଼ାଏ ରକ୍ତ ଦେଇ ଦେଇ ଥକି ପଡ଼ିଲାଣି ବିଜୟ । କ୍ଳିନିକ୍ରେ ଆଉ ଜଣେ ହେଲେ ରୋଗୀ ନାହାନ୍ତି । କିରଣଟା ଏହି ଆସୁଛି ଆସୁଛି କହି ଯାଉଛି ଯେ ଆସିବାର ନାଁ ଗନ୍ଧ ନାହିଁ । ଘଣ୍ଟାକୁ ଚାହିଁଲା ବିଜୟ-ଗୋଟାଏ ତିରିଶ । ବିରକ୍ତରେ ଅସ୍ଥିର ହୋଇଉଠୁଛି । ମନ କହୁଛି ରିକ୍ସାଟାଏ ଡାକି ପଳାଇ ଯିବି କି ?
କ୍ଳାନ୍ତରେ ଦେହଟା ଅବଶ ହୋଇଗଲାପରି ଲାଗୁଛି । ସିଷ୍ଟର୍ଟିଏ ଥାଆନ୍ତା ହେଲେ, ପାଣି ଗିଲାସେ ମାଗି ପିଅନ୍ତା । ଏଇଟା ନର୍ସିଂହୋମ୍ ନୁହେଁ-ମଳ ମୂତ୍ର ଓ ଏକ୍ସ୍ରେ ଇତ୍ୟାଦିର ପରୀକ୍ଷାଗାର । ସେ ରହୁଥିବା ନର୍ସିଂ ହୋମ୍ଟା ଏଠାରୁ ଅଳ୍ପ ବାଟ । ସେ ଦିନ ରୋଗଟା ଅଧିକ ବଢ଼ିବାର ଦେଖି କିରଣ ହିଁ ବ୍ୟବସ୍ଥା କରି କଟକ ନେଇ ଆସିଛି । କୁଆଡ଼େ ଗଲା ଏତେବେଳ ଯାଏ....? ବିଚରା କିରଣଟା ବଡ଼ ହଇରାଣ ହେଉଛି । ଏଣେ ମଣିମାଳାକୁ ମଧ୍ୟ ଆଣି ନର୍ସିଂ ହୋମରେ ଭର୍ତ୍ତି କରିବାକୁ ପଡ଼ିଛି ।
ରିକ୍ସାଟିଏ ଡାକିବ କି ଭାବି ଉଠିପଡ଼ୁଥିଲା ବିଜୟ । କିଏ ମନବୀଣା ?-ସାମ୍ନା ରାସ୍ତା ଧାରରେ କାରଟିଏ ଛିଡ଼ା ହୋଇଛି । ପାଖରେ ମନବୀଣାଗୁଡ଼ାଏ କ’ଣ ପ୍ୟାକେଟ୍ଧରି ଅପେକ୍ଷା କରିଛି, ଗାଡ଼ି ଖୋଲି ଭିତରେ ରଖିବ ବୋଲି । ପାଖରେ ତା’ର ତାଙ୍କର ସେହି ମର୍ଯ୍ୟାଦାର ବନ୍ଧୁ । ତା’ ମା’ ବାପା, ଭଉଣୀ, ଭିଣୋଇ ସମସ୍ତେ । କଥା କ’ଣ ? କାର୍ର ଡୋର୍ଖୋଲି ବାହାରି ଆସିଲା ଭାଇ । ଦିନ ଥିଲା, ଏ ସମସ୍ତେ ଥିଲେ ତା’ର ପରିଚିତ । ବର୍ତ୍ତମାନ ଥାଇ ବି ନାହିଁ ସଙ୍କୁଚିତର ପରଦା-ଦୂରତ୍ୱ ବଢ଼ାଇ ଦେଉଛି । ସେହି ଭଦ୍ର ଲୋକଟି କ’ଣ କହୁଛନ୍ତି ବୋଧହୁଏ ମନବୀଣାଙ୍କୁ । ମନବୀଣାର ବେଶ୍ପାଖକୁ ଲାଗି ଆସିଛନ୍ତି-ଖୁବ୍ ଚମତ୍କାର ? ହ୍ୟାଣ୍ଡସମ୍ ଚେହେରାର ।
ଦୁହିଁଙ୍କୁ ପାଖାପାଖି ବେଶ୍ ମାନୁଛି । ରୁଚି ଅଛି ଭଦ୍ର ବ୍ୟକ୍ତିଙ୍କର । କାରଣ ତାଙ୍କର ମାର୍ଜିତ ପୋଷାକ ପରିଚ୍ଛଦରୁ ବଂଶ ମର୍ଯାଦା ପ୍ରକାଶିତ । ଏହିତ ! ଲୋଟଣୀ ପାରାଟି ପରି ବୁଲିପଡ଼ିଲା ମନବୀଣା । କଜ୍ଜ୍ୱଳ ବେଣୀ ପିଠି ଉପରେ ଦୋହଲି ଉଠିଲା । ସର୍ବନାଶ, ବିଜୟ ପୁଣି ବସିପଡ଼ିଲା ବେଞ୍ଚ ଉପରେ । ହଠାତ୍ ଯଦି ତା’ଉପରେ ଦୃଷ୍ଟି ପଡ଼ିଯିବ ମନବୀଣାର....? ବିଜୟକୁ ଦେଖିଲା ମାତ୍ରେ ଧାଇଁ ଆସିବ । ଆଗ ପଛ ନ ବିଚାରି ବିଜୟକୁ ଟାଣି ନେଇଯିବ ନିଶ୍ଚୟ... ନା... ନା, ଏହି ରୋଗାକ୍ଳିଷ୍ଟ... ଅସନାମସନା ପୋଷାକପତ୍ର ସେମାନଙ୍କ ସାମନାରେ... ଛି-ଛି ବିଜୟ ବେଞ୍ଚର ଶେଷ ମୁଣ୍ଡକୁ ଘୁଞ୍ଚି ବସିଲା ଏବଂ ତା’ର ଅର୍ଦ୍ଧାଂଶ ଡାକ୍ତରଙ୍କର ଚେୟାର ପଛପଟକୁ ଝୁଙ୍କାଇ ଦେଇ ନିଜକୁ ଲୁଚାଇବାକୁ ଚେଷ୍ଟା କଲା । ଚେୟାର ବାଡ଼ ଦେହରେ ଡାକ୍ତରଙ୍କ ହାତ ପୋଛା ଟରକିସ୍ ତଉଲିଆଟା ବିଛାଇଲା ଭଳି ରଖା ହୋଇଥିଲା । ତା’ର ଯେଉଁ ଅବସ୍ଥା, ଏଥିରେ କ’ଣ ଏମିତି ଭଦ୍ର ବ୍ୟକ୍ତିଙ୍କସହ ଦେଖା କରିହୁଏ ? ବିଜୟ ନିଜକୁ ଯଥାସମ୍ଭବ ମନବୀଣାର ଦୃଷ୍ଟିଠାରୁ ଅପସାରିତ କରି ରଖୁଥିଲା । ଛାତିଟା ତା’ର ଧଡ଼ଧଡ଼ କରି କମ୍ପିବାରେ ଲାଗିଥାଏ । ଏମିତି ପରିସ୍ଥିତି ହେବବୋଲି କଳ୍ପନା ବି କରି ନ ଥିଲା ବିଜୟ । ଦୁର୍ଭାଗ୍ୟକୁ କିରଣଟା ନାହିଁ ।
ଏହି ଯେଉଁ ଲୋକମାନଙ୍କ ନିକଟରୁ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଛି ବିଜୟ, ଏମାନେ ଦିନେ ତ ତା’ର ଅତି ଘନିଷ୍ଠ ଓ ଆପଣାର ଥିଲେ । ଗୋଟିଏ ପରିବାରର ବୋଲି କହିଲେ କ’ଣ ଅତ୍ୟୁକ୍ତି ହେବ ? ନା, ହେବ ନାହିଁ । କିନ୍ତୁ ସେ ସୌରଭ, ସେ ଆତ୍ମିୟତା ହଜିଯାଇଛି । ସବୁ ଭୁଲି ହୋଇଯାଇଛି, ବିଜୟର ପିତାଙ୍କର ଅକସ୍ମାତ୍ ତିରୋଧାନରେ । ଆଜି ସମସ୍ତେ ପରସ୍ପରଠାରୁ ବହୁ ବ୍ୟବଧାନରେ ରହି ଯାଇଛନ୍ତି । ପଛ କଥାପାଇଁ ଅନୁଶୋଚନା ନାହିଁ ବିଜୟର । କିନ୍ତୁ ଅସାଧ୍ୟ ରୋଗଟା ବାଦ ସାଧିବାକୁ କେତେବେଳେ ଓ କିପରିଭାବରେ ଛପି ଛପି ଆକ୍ରାନ୍ତ କରି ପକାଇଲାଣି । ଧୀରେ ଧୀରେ ତା’ର ରକ୍ତ ମାଂସର ଶରୀର କ୍ଷୟ ହେବାକୁ ଲାଗିଛି । କିନ୍ତୁ ସେ ବଞ୍ଚିବାକୁ ଚାହେଁ-ଅନେକ ଦିନ, ଆହୁରି ଅନେକ ବର୍ଷ....?
ଏହି ଅସମୟରେ ଝଂଜା ବତାସ ଘୋଟି ଆସିଲା । ମନ ଖୁସିରେ ଉଡ଼ିବୁଲୁଥିବା ଭ୍ରମରଟି ମନୋରମ କାନନରେ । ଅନେକ ସୌନ୍ଦର୍ଯ୍ୟ ଓ ଅନେକ ସୁରଭି ଦେଇ ଗୋଲାପ ତା’ର ପାଖୁଡ଼ା ମେଲି ନିମନ୍ତ୍ରଣ କରି ଡାକୁଥିଲା-ନିଅ-ନିଅ-ଗ୍ରହଣ କର । ଆଉ ଠିକ୍ ସେତିକିବେଳେ କ’ଣ ଏମିତି ଝଂଜା ଆସିବାର ଥିଲା ? ମଧୁଯାମିନୀର ପ୍ରଦୀପ ଜାଳିବା ଆଗରୁ ସବୁ ଉଡ଼ାଇ ନେଇଗଲା ।
ମନବୀଣା-ତୁମର ଦାନରେ କାର୍ପଣତା ନାହିଁ.....ହତଭାଗ୍ୟ ବିଜୟ...।
ସଉଦା କିଣା ଶେଷ ହେଲା ବୋଧହୁଏ । ସମସ୍ତଙ୍କ ହାତରେ କିଛି ନା କିଛି ସାମଗ୍ରୀ । ବିଭିନ୍ନ ପୁଡ଼ିଆ ଓ ଝୁଡ଼ି ସମସ୍ତେ ଗାଡ଼ି ଭିତରେ ରଖିବାକୁ ବ୍ୟସ୍ତ । ମନବୀଣାର ଭାଇ ଗାଡ଼ିର ଡୋର୍ ଖୋଲିବାକୁ ଗାଡ଼ି ଭିତରେ ପଶିଗଲା ବୋଧହୁଏ । କିନ୍ତୁ ଏତେ ସବୁ ଫଳ, ମିଠା ପ୍ୟାକେଟ ? ଆଗରେ କିଛି ପର୍ବପର୍ବାଣି ଅଛି କି ? ବିଜୟ ତ ସବୁ ଭୁଲି ଯାଇଛି, ଦେହଟାପାଇଁ । ଟେବୁଲ ଉପରେ ଥୁଆ ହୋଇଥିବା କ୍ୟାଲେଣ୍ଡର ଉପରେ ଦୃଷ୍ଟି ପକାଇଲା ସେ । ଲାଲ ଅକ୍ଷରରେ ଲେଖା ତାରିଖଟା-ରଜ ସଂକ୍ରାନ୍ତି । ଆସନ୍ତା କାଲି-ଅସ୍ପଷ୍ଟଭାବରେ ମୁହଁରୁ ବାହାରିପଡ଼ିଲା ବିଜୟର । ଆଶ୍ଚର୍ଯ୍ୟ, କେମିତି ଦିନଗୁଡ଼ିକ ପାରି ହୋଇଯାଉଛି କିଛି ଜାଣି ପାରୁନି ସେ । କିଛି ମନେ ରହୁନି ତା’ର । ରଜ ସଂକ୍ରାନ୍ତି-ବିଶେଷ କରି ଓଡ଼ିଶାର କଟକ, ପୁରୀ ଜିଲ୍ଲାର ଝିଅ ବୋହୂମାନଙ୍କର ପ୍ରଧାନ ପର୍ବଟିଏ । ବର୍ଷର ତଥା ଏହି ମାସର ଦିନଟିରେ ମା’ ବସୁଧା ରଜସ୍ୱଳା ହୁଅନ୍ତି । ମାତ୍ର ଦୁଇଟି ଦିନ....ଯୁବତୀ, ନାରୀମାନଙ୍କର ଆନନ୍ଦର ଦିନରୂପେ ପ୍ରତିପାଳିତ ହୋଇଥାଏ । ବିଗତ ଦିନର କେତେଗୁଡ଼ିଏ ଅପାସୋରା ସମୟ ଛାଡ଼ି ଆସିଥିବା ବର୍ଷଗୁଡ଼ିକ ପାଖକୁ ଚାଲି ଯାଇଛି । କେଉଁ ବିଗତ ଦିନର ସ୍ମୃତିଚାରଣ ଭିତରେ ଦେଖୁଛି ମନବୀଣାକୁ । ସେହି ଦିନର ସେହି ଷୋଡ଼ଶୀ ଚପଳମତି ତରୁଣୀ ମନବୀଣା-ଝର ଝର ଲୁହଭରା ଆଖି ଦୁଇଟି-ଅଭିମାନିନୀର ଥରିଲା ଓଠ । ମୁହଁ ମାଡ଼ି ଶୋଇଥିଲା ଖଟ ଉପରେ ।
ବିଜୟ ତାଙ୍କ ଘରକୁ ଯାଇ ଖୋଜିଲା ମନବୀଣାକୁ । କେଉଁଠି ହେଲେ ପାଇଲାନି । ଭିତରକୁ ଗଲା । ଅଗଣାରେ ମା’ ମାଉଁସୀଙ୍କର ହସ କୌତୁକ । ପଛପଟ ବଗିଚାରେ ରଜଦୋଳି ଗୀତ । ବାନ୍ଧବୀଙ୍କ ମହଲରେ ଜିଦାଜିଦି ଦୋଳିରେ ଝୁଲିବା ପାଇଁ । ହେଲେ ମୁଖ୍ୟ ଉଦ୍ୟୋକ୍ତା ଅନୁପସ୍ଥିତ । ତା’ହେଲେ ମନବୀଣା ଗଲା କୁଆଡ଼େ...? ବିଜୟକୁ ସବୁ ଫାଙ୍କା ଫାଙ୍କା ଲାଗିଲା । ପଚାରିବାକୁ ମଧ୍ୟ ସଙ୍କୋଚ ।
ଆସ୍ତେ କରି ଉଠିଗଲା ଉପର ମହଲାକୁ, ଯେଉଁଠି ରୁହେ ମନବୀଣା । ତା’ କୋଠରି ପାଖକୁ ଯାଇ ଦେଖିଲା ଭିତରୁ ଦ୍ୱାର ବନ୍ଦ । ମାନେ ମନବୀଣା ନିଶ୍ଚୟ କୋଠରି ଭିତରେ ଅଛି । କ’ଣପାଇଁ ରୁଷିଛି ବୋଧହୁଏ-ଭାବିଲା ବିଜୟ । କାରଣ ସମସ୍ତେ ଜାଣନ୍ତି ମନବୀଣାର ଟିକକୁ ମିଛି ମିଛିକା ରୁଷା । ଝରକା ଖୋଲା ଥିଲା । ବିଜୟ ଡାକ ପକାଇଲା-ମନ, ମନବୀଣା....ମେହେନ୍ଦି ଆଣିଛି....।
ବହୁତ ରାଣ ନିୟମ ପରେ ଖଟ ଉପରେ ବସି ଚାହିଁଲା । ତଳକୁ ଓହ୍ଳାଇଲା ନାହିଁ । କାନ୍ଦି କାନ୍ଦି ଆଖି ମୁହଁ ଲାଲ କରି ପକାଇଛି । କଥା କ’ଣ ? ଖୋଲ, ଦରଜା ଖୋଲ । -ନା, ଉତ୍ତର ନାହିଁ-କାନ୍ଦ ଖାଲି କାନ୍ଦ । ଓଃ ! ବିରକ୍ତରେ ବିଜୟ ଫେରି ଆସିଥିଲା । ଝିଅଙ୍କର ବାହାନା ଢଙ୍ଗ ଜମା ପସନ୍ଦ କରେନି ବିଜୟ । ପରେ ଅବଶ୍ୟ ବୁଝାଇ ଦେଇଥିଲା ମନବୀଣା । ବିଜୟର ଅଭିମାନ ଭାଙ୍ଗିବାପାଇଁ ଗୀତଟିଏ ଗାଇଥିଲା-ତୁମେ ଜାଣନା......କାମିନୀର କାମନା...... ! ବିଜୟ ମଧ୍ୟ ଗୀତରେ ଉତ୍ତର ଦେଇଥିଲା-ଜାଣେ ଜାଣେ ସଜନୀ......କୃଷ୍ଣ ନାମେ ବିତେ ତୁମ ଦିବା ରଜନୀ.... । ସେହି ମନବୀଣା ମେହେନ୍ଦି ପୁଡ଼ିଆକୁ ଖୋଲି ହାତ ପାପୁଲିରେ ନକ୍ସା କାଟୁ କାଟୁ, ସେଦିନର କଥାଟାକୁ ବୁଝାଉଥିଲା ।
ବିଜୟ କହିଲା-ଅଯଥା ରଜଟା ନଷ୍ଟକରି ଦେଲଟି ।
-ସେ କଥା ତୁମେ ବୁଝିବନି, ସ୍ତ୍ରୀର ସମସ୍ୟା ସେଇଟା ।
-ବାଃ, ବେଶ୍ ସମସ୍ୟା, ଆମେ ବୁଝିବାନି-କଥାଟା ତା’ହେଲେ ବୁଝାଇ ଦିଅ ଦେବୀ ।
-ଆରେ........ଭାରି ଅନ୍ୟାୟ ହୋଇଗଲା ।
-ହୁଁ, ଏଥିରେ ସ୍ତ୍ରୀ ଲୋକଙ୍କର ଭାରି ଅପରାଧ ହୁଏ ।
-ଅପରାଧ, କେଉଁଥିପାଇଁ........?
-ମାନେ, ଏହା, କହୁ କହୁ ଲାଜେଇଗଲା ମନବୀଣା ।
ବିଜୟ ସନ୍ଦେହରେ ପଡ଼ିଗଲା । ........କ’ଣ ଯେ......ଆଣ୍ଠେଇପଡ଼ିଲା ମନବୀଣାର କୋଳ ପାଖରେ । ଟିକିଏ ସ୍ପଷ୍ଟକରି କୁହ ବାବା, ତୁମର ଏ ମେଘଢଙ୍କା କଥା ବୁଝିବାର ସାମର୍ଥ୍ୟ ନାହିଁ ଏ ଅବୋଧର ।
ସେ ତୁମେ ବୁଝିବନି । ବଡ଼ବଡ଼ିଆମାନେ କୁହନ୍ତି ବର୍ଷରେ ଗୋଟିଏ ମାତ୍ର ଦିନ, ଯେଉଁଦିନ ରଜସ୍ୱଳା ହୁଅନ୍ତି ମା’ ବସୁଧା, ସେଦିନ କୌଣସି ସ୍ତ୍ରୀମାନେ ମାନବ ଜାତି ତାଙ୍କସହ ବିବାଦ କରିବା ଉଚିତ ନୁହେଁ । ମାନେ ଦୁର୍ଭାଗ୍ୟବଶତଃ ଯଦି କୌଣସି ସ୍ତ୍ରୀ ସେମିତି ହୁଏ ତାହାହେଲେ ଭାରି ଅବିଗୁଣ ହୁଏ ।
ବିଜୟ କିଛି ବୁଝିଲା କିଛି ବୁଝିଲାନି । କିନ୍ତୁ ମନବୀଣାର ଏ କଥା ଶୁଣି ହୋ...ହୋ........ହାଃ......ହାଃ ହୋଇ ହସିବାକୁ ଆରମ୍ଭ କରିଦେଲା ।
ଖାଲି ହସ ହସ.....ହସ । -ଧେତ୍.... । ରାଗରେ ଉଠି ପଳାଉଥିଲା ମନବୀଣା ।
-ଆରେ ବସ, ବସ । ରାଗୁଛ କାହିଁକି ବୁଢ଼ୀମା । ବେଣୀଟାକୁ ଧରି ଅଟକାଇ ଦେଲା ବିଜୟ ।
ଲାଜ ଲାଜ ଭଙ୍ଗିରେ ବୁଲିପଡ଼ି କହିଲା-ଫାଜିଲ୍.........।
ରାସ୍ତା ଧାରରୁ କାର୍ଟା ସାଏଁ କିନା ବାହାରିଗଲା ଆଖି ସାମ୍ନା ଦେଇ । ଚମକି ଉଠିଲା ବିଜୟ । ଆଉ ଟିକିଏ ହୋଇଥିଲେ ଖସି ପଡ଼ିଥାଆନ୍ତା ତଳକୁ । ସଳଖ ହୋଇ ବସି ନିଃଶ୍ୱାସ ମାରିଲା । କିରଣଟା ଏପର୍ଯ୍ୟନ୍ତ ଆସିନି କାହିଁକି ? ଠିକ୍ସେହି ସମୟରେ ରିକ୍ସା ଉପରୁ ଓହ୍ଲାଇ ଆସିଲା ଅସ୍ତବ୍ୟସ୍ତ ହୋଇ କିରଣ ।
-ବିଜୟ ଭାଇ.......! ଭୀଷଣ ରାଗ ହେଉଥିଲା ବିଜୟର । କିଛି ଉତ୍ତର ନ ଦେଇ ମୁହଁ ବୁଲାଇ ଦେଲା ସେ ବିପରୀତ ଦିଗକୁ ।
ଡାକ୍ତର ମଧ୍ୟ ଲାବୋରେଟରୀ ଭିତରୁ ବାହାରି ଆସି କହିଲେ-ରିପୋର୍ଟ ପ୍ରସ୍ତୁତ, ଆଗରେ ଛିଡ଼ା ହୋଇଥିବା କିରଣକୁ ଲକ୍ଷ୍ୟ କରି । ଯଦିଓ ମୋ କ୍ଳିନିକ୍ ବନ୍ଦ ହେବାର ବହୁ ସମୟ ଅତିକ୍ରାନ୍ତ ହୋଇଯାଇଛି, ନର୍ସ, କମ୍ପାଉଣ୍ଡରମାନେ ସବୁ ଚାଲି ଗଲେଣି ତଥାପି ଆପଣଙ୍କ କାମ ସ୍ପେଶାଲ କେୟାର୍ରେ କରିବାକୁ ପଡ଼ିଲା । ବୁଝିଲେନା କିରଣ ବାବୁ !
-ସେସବୁ ଆପଣ କିଛି ଚିନ୍ତା କରୁନ୍ତୁ ନା । କହୁ କହୁ ସାର୍ଟ ପକେଟରୁ ଡାକ୍ତରଙ୍କର ଫିସ୍ଭାବରେ କିଛି ଅର୍ଥ ବଢ଼ାଇ ଦେଲା କିରଣ । ପଚାରିଲା-ଡାକ୍ତର ବାବୁ, ରିପୋର୍ଟଗୁଡ଼ିକ ସବୁ ଭଲଭାବରେ ହୋଇଛି ତ ?
-ଓଃ, ୟେସ୍। ଆପଣ ସେ ବିଷୟରେ ନିଃସନ୍ଦେହ ରୁହନ୍ତୁ । ରିପୋର୍ଟ ପ୍ରସ୍ତୁତ ବିଷୟରେ ଭଟ୍ଟାଚାର୍ଯ୍ୟ କ୍ଳିନିକ୍ର ସୁନାମ ଅଛି । ତା‘ପରେ କ୍ଳିନିକ ଦୁଆର ତାଲା ପକାଇ ବାହାରିପଡ଼ିଲେ ଡାକ୍ତର, ବିଜୟ ଓ କିରଣ ।
ରିକ୍ସା ଉପରେ ବସୁ ବସୁ କିରଣ କହିଲା-ବହୁତ ଡେରି ହୋଇଗଲା ବିଜୟ ଭାଇ । ମଣିମାଳାର କ୍ଳିନିକ୍ଟା ବେଶ୍ ଦୂରରେ ।
-ଓଃ ! ସ୍ତ୍ରୀ ସହିତ ଖୁସି ଗପ କରୁଥିଲା, ସମୟ ଜଣା ପଡ଼ିଲାନି । ଅହେତୁକ ଅଭିମାନରେ ଥରି ଉଠିଥିଲା ବିଜୟ । କଥା ନ କହି ନିରବରେ ବସି ରହିଲା, ରାସ୍ତା ଉପରକୁ ଆଖିରଖି ।
ଲେମୋନ୍ର ଲଜେନ୍ସ୍ ଗୋଟେ ଖୋଲି ବିଜୟ ହାତକୁ ବଢ଼ାଇ ଦେଲା କିରଣ-ଜିଭଟା ଓଦା ରଖିବାପାଇଁ । ବିଜୟକୁ ବଢ଼ାଇ ଦେଇ ନିଜେ ମଧ୍ୟ ଗୋଟିଏ ପାଟିରେ ପକାଇ କହିଲା-କ’ଣ ବିଳମ୍ବ ହେଲା ବୋଲି ରାଗିଛ ? କିଛି ଉତ୍ତର ନ ଦେଇ ମଫଲ୍ର୍ଟା ଭଲ କରି ଗୁଡ଼େଇ ହୋଇ ବସିରହିଲା ବିଜୟ ।
-ମଣିମାଳାର ପୁଅଟିଏ ହୋଇଛି ।
ଧଡ଼୍କରି ବୁଲିପଡ଼ିଲା ବିଜୟ । କିରଣକୁ କୁଣ୍ଢାଇ ପକାଇ କହିଲା, କ’ଣ କହିଲୁ ? ମଣିମାଳାର ପୁଅ ହୋଇଛି ! ପାଜି ଏତେବେଳ ଯାଏ କହି ନ ଥିଲୁ କାହିଁକି ? ଭଲ ଅଛନ୍ତି ତ ମା’ ପୁଅ ? ଖୁସିରେ ଭରି ଉଠିଲା ବିଜୟର ମନ ।
-ସିଜରିୟାନ୍ କରି ଡେଲିଭରି କରିବାକୁ ପଡ଼ିଲା.....।
-ବିଚାରୀକୁ ବହୁତ କଷ୍ଟ ହୋଇଥିବରେ । ତୁ ତାକୁ ଛାଡ଼ି ଚାଲି ଆସିଲୁ କାହିଁକି ? ଯା ଶୀଘ୍ର ଫେରିଯା । ମୁଁ ଅନ୍ୟ ଗୋଟିଏ ରିକ୍ସା ନେଇ କ୍ଳିନିକ୍କୁ ଏକୁଟିଆ ଫେରି ଯାଇପାରିବି । ତୋ ସ୍କୁଟରଟା କ’ଣ କଲୁ ? ଏକ ନିଃଶ୍ୱାସରେ କହିଗଲା ବିଜୟ ।
-କ୍ଳିନିକ୍ରେ ରଖି ଆସିଛି । ତୁମେ ବ୍ୟସ୍ତ ହୁଅନା ବିଜୟ ଭାଇ । ସେଠି ସମସ୍ତେ ଅଛନ୍ତି, ମାଇଁ, ମାମୁ, ମଣିମାଳାର ମା.... । ସେନ୍ସ୍ ଆସି ଯାଇଛି । ସେ ଭଲ ଅଛି । ତୁମେ ଏବେ ସୁଦ୍ଧା କିଛି ଖାଇନ । ବହୁତ କଷ୍ଟ ଲାଗୁଥିବ ତୁମକୁ.... ।
ନିଜକୁ ବଡ଼ ଅପରାଧୀ ମନେ କରୁଥିଲା ବିଜୟ । କହିଲା-ଦେଖନା କି ଅସୁବିଧାରେ ପକାଇଲି ତୋତେ ? ଆଜି ଏସବୁ ନ କଲେ କ’ଣ ହୋଇ ନ ଥାଆନ୍ତା ? ମଣିଟା ଭାରି ଡରକୁଳୀ, ଅଳ୍ପକେ କାତର ହୋଇପଡ଼େ । ତୋତେ ନ ଦେଖି ବ୍ୟସ୍ତ ହେଉଥିବ । କି ଅସୁବିଧାରେ ପକାଇଲି ତୋତେ ।
କିରଣ ବ୍ୟସ୍ତଭାବରେ କହିଲା-ସେ କଥା ଛାଡ଼ । ବର୍ତ୍ତମାନ ରିପୋର୍ଟ ଅନୁସାରେ ତୁମର ଚିକିତ୍ସା ଆରମ୍ଭ ହେବ । ଏସବୁଥିରେ ଡେରି କରିବା ଭଲ ନୁହେଁ । ମୋର ବହୁତ ଡେରି ହୋଇଗଲା ଆସି ତୁମକୁ ନେଇଯିବାକୁ । ତୁମେ ନିଶ୍ଚୟ ମନଦୁଃଖ କରିଛ ।
-ନା, ନା ଘନ ଘନ ମୁଣ୍ଡ ହଲାଇ ବିଜୟ କହିଲା । ନାଁରେ ମୁଁ ନିଜେ ଲଜ୍ଜାରେ ମରି ଯାଉଛି । ଦେଖନା, ତୋର ଆଜି ଆନନ୍ଦର ଦିନଟାରେ ପ୍ରଥମ ପୁତ୍ର ସନ୍ତାନ ଲାଭର ଖୁସି ଟିକକ ତୁ ଉପଭୋଗ କରିପାରିଲୁନି । ମୋ ଭଳିଆ ଗୋଟାଏ କ୍ୟାନ୍ସର୍ ରୋଗୀ ସାଙ୍ଗରେ ତୋର ସବୁ ମାଟି ହୋଇଗଲା !
-ସେ କ’ଣ ବିଜୟ ଭାଇ ! ମଣିମାଳାର ପୁଅ କ’ଣ ତୁମର କେହି ନୁହେଁ ? ମଣିର ପୁଅ ହେବାରେ ମୁଁ ଯେତିକି ଖୁସି ହୋଇଛି, ତୁମେ ଭଲ ହୋଇଗଲେ ଆହୁରି ଅଧିକ ଆନନ୍ଦ ଅନୁଭବ କରିବି ବିଜୟ ଭାଇ । ଆହୁରି ଆନନ୍ଦିତ ହେବି... ।
-ଜାଣେ, ମୁଁ ସେ କଥା ଜାଣେ । କିରଣ, ତୁ ଆର ଜନ୍ମରେ ମୋର ନିଜର ଭାଇ ଥିଲୁରେ... ।
-ଏଜନ୍ମରେ କ’ଣ ମୁଁ ତୁମର ଭାଇ ନୁହେଁ କି ?
ବାଷ୍ପରୁଦ୍ଧ କଣ୍ଠରେ ବିଜୟ କହିଲା-ଅଧିକ, ତା’ଠାରୁ ବହୁତ ବେଶି ଅମାପ..... ।
କ୍ଳିନିକ୍ ନିକଟରେ ପହଞ୍ଚି ଯାଇଥିଲେ ସେମାନେ । ବିଜୟକୁ ତା’ବେଡ଼୍ପାଖରେ ଛାଡ଼ି ଦେଇ ରିକ୍ସାବାଲାକୁ ବିଦା କରିଦେଇ ଆସିଲା କିରଣ । ଦୁଧରେ ହରଲିକ୍ସ ମିଶାଇ ଗିଲାସଟି ଆଣି ଥୋଇଲା ବିଜୟ ପାଖରେ ।
-ନିଅ ବିଜୟ ଭାଇ ପିଇଦିଅ, ତୁମକୁ ବହୁତ ଭୋକ ହେବଣି ।
ବିଜୟ ଆଉଜି ବସିଥିଲା ନିଜର, ଖଟ ଉପରେ । ଦୁଧ ଗ୍ଳାସକୁ ଥରେ ଓ କିରଣ ମୁହଁକୁ ଥରେ ଦୃଷ୍ଟି ପକାଇ ଆଖି ବନ୍ଦ କରିଦେଲା । କିରଣର ମୁହଁଟା ମଧ୍ୟ ଶୁଖି ଯାଇଛି ।
ଖଟ ଧାରକୁ ବସିପଡ଼ିଲା କିରଣ । କହିଲା-ପିଇଦିଅ ବିଜୟ ଭାଇ, ତୁମକୁ ବହୁତ ଭୋକ ହେବଣି ।
ସେମିତି ଆଖି ବୁଜି ପଡ଼ିରହି ବିଜୟ କହିଲା-ତୁ ବି ତ ଖାଇନୁ କିଛି, ତତେ ମଧ୍ୟ ଭାରି ଭୋକ ହେଉଥିବ ।
-ମୁଁ ପରେ କିଛି ଖାଇ ନେବି ନି ?
ଗମ୍ଭୀର କଣ୍ଠ ସ୍ୱରରେ ବିଜୟ କହିଲା-ନା କିରଣ, ତୁ ମଧ୍ୟ କିଛି ଆଣ ଏକାଠି ଖାଇବା । ବାଧ୍ୟ ହୋଇ ଉଠି ଆସିଲା କିରଣ ।
ସପ୍ତାହେ ହବ ବିଜୟ ଏଠି ଆସି ରହିଲାଣି । କାରଣ ସେଦିନ ରାତିରେ ପୁଣି ଆଉ ଥରେ ବହୁତ ବେଶୀ ଅସୁସ୍ଥ ହୋଇପଡ଼ିଥିଲା ବିଜୟ । ପରଦିନ ସିଧା କଟକ ଆଣି ଡାକ୍ତରଙ୍କ ପରାମର୍ଶକ୍ରମେ ଏହି କ୍ଳିନିକ୍ରେ ରହିବାର ବ୍ୟବସ୍ଥା କରିବାକୁ ପଡ଼ିଥିଲା କିରଣକୁ । ତେଣେ ମଣିମାଳାର ବେଡ଼୍ରେ ମଧ୍ୟ ରହିବା ଦରକାର । ବିଜୟ ପାଖରେ କେତେଟା ଦରକାର ସମୟକୁ ଛାଡ଼ି ବେଶୀ ରହିବାର ଆବଶ୍ୟକତା ପଡ଼ୁ ନ ଥିଲା । ଡାକ୍ତରଙ୍କର ମତ ସାମାନ୍ୟ ଅସ୍ତ୍ରୋପଚାର ଆବଶ୍ୟକ ହେବ ବୋଲି । କିନ୍ତୁ କିରଣ କିଛି ସ୍ଥିର କରି ନାହିଁ କି ଏ ବିଷୟରେ ବିଜୟକୁ କିଛି କହି ନାହିଁ ।
ତେଣୁ ସମ୍ପୂର୍ଣ୍ଣ ନିଃସନ୍ଦେହ ହେବାକୁ ପୁଣି ଥରେ ପରୀକ୍ଷା ନିରୀକ୍ଷାପାଇଁ ରିପୋର୍ଟଗୁଡ଼ିକ ହାତରେ ଧରି ବାହାରି ଯାଉଥିଲା କିରଣ ।
ବିଜୟ କହିଲା-କିରେ, ପୁଣି ବାହାରିଲୁ ଯେ ? ହାତରେ ଧରିଥିବା ରିପୋର୍ଟ କାଗଜଗୁଡ଼ିକ ଲୁଚାଇବାକୁ ଚେଷ୍ଟାକରି ଉତ୍ତର ଦେଲା-ନାହିଁ ଏଇ ମଣିକୁ ଟିକିଏ ଦେଖିଆସେ... ।
-ଓଃ ହଁ, ଯା ଚଞ୍ଚଳ, ବିଚାରୀ ଏକୁଟିଆ ତତେ ଖୋଜୁଥିବ ।
ବୁଲିପଡ଼ି ଆଟାଚି ଭିତରେ କାଗଜଗୁଡ଼ିକୁ ରଖିନେଲା । କିରଣ କହିଲା-ରାତିରେ ଏଇଠି ଶୋଇବି । ତୁମର ଦୁଧ ଇତ୍ୟାଦି ଫ୍ଳାସ୍ରେ ରହିଲା । କିରଣ ଜାଣେ ଡାକ୍ତରଙ୍କ ଚ୍ୟାମ୍ବର୍ରେ ବେଶି ସମୟ ବସି ରହିବାକୁ ହୁଏ । ତାପରେ ମଣିମାଳାର କ୍ଳିନକ୍ ଦେଇ ଫେରିଲା ବେଳକୁ ଅନେକ ରାତି ହୋଇଯିବ ।
-ତୁ ବ୍ୟସ୍ତହଅନା-ମୁଁ ଠିକ୍ ଖାଇନେବି ।
ବାହାରି ଯିବା ବାଟରେ ଲାଲ ସିଂ ସହିତ ଅବଗୁଣ୍ଠନବତୀ ରମଣୀଟିଏ ଦେଖି ଅଟକି ଗଲା । କିରେ, ତୁ ? ଆଉ ତୋ ପଛରେ ? ହେଁ ହେଁ ହୋଇ ଦାନ୍ତ ଦେଖାଇ ହସି ପକେଇଲା ଲାଲ ସିଂ । କହିଲା-ସଲାମ୍ କିରଣ ବାବୁ-ହମାରେ ବିଜୟ ଭୟାସେ ଜରା ମୁଲକାତ୍ କର୍ନେ ଆୟେ... ।
କିରଣ ମଧ୍ୟ ଶୀଘ୍ର ଯିବାକୁ ଚାହୁଁଥିଲା-‘‘ଯାଅ ଯାଅ, ଭାଇ ସାବ୍ ଶୋଇ ନାହାନ୍ତି’’ କହି ବାହାରିଗଲା ସେ ।
ଲାଲ ସିଂ ବେଡ଼୍ପାଖକୁ ଆସି ସାଷ୍ଟାଙ୍ଗ ପ୍ରଣିପାତ କରି ଛିଡ଼ା ହୋଇଯାଇ କହିଲା ୟେ କ୍ୟା ହୋ ଗାୟ ଭାଇ ସାବ୍, ବହୁତ ଦୁଃଖକି ବାତ୍.....।
ବିଜୟ ଅଳ୍ପ ସହିଲା । ନିଜ କଥାକୁ ଏଡ଼ି ଦେଇ ଖୁସି ହୋଇଉଠିଲା-ଆରେ ଏ କ୍ୟା କର୍ରହା ହେ-ପହଲେ ତୁମାରା ବିବି କି ମୁହଁ ତୋ ଦିଖାଓ ?
-ହାଁ ହଁ । ବିଜୟ ଭାୟା-ଆରେ ଏ କ୍ୟା ? ନିଜ ସ୍ତ୍ରୀ ମୁହଁ ଢାଙ୍କି ଛିଡ଼ା ହୋଇଥିବାର ଦେଖି କହିଲା-ମୁହଁ ଖୋଲ-ଆରେ ଦେବତା ହୈ, ଇନ୍ସେ ସରମ୍କ୍ୟା ? ଲେ ପୟର ଛୁଁ, ପ୍ରଣାମ କର୍ଭାଇ ସାବ୍କୋ ।
ବିଚାରୀ ଓଢ଼ଣା ନ ଉଠାଇଲେ ମଧ୍ୟ ପାଦ ଛୁଇଁବାକୁ ଆଗେଇ ଗଲା ବିଜୟର ପାଦ ପାଖକୁ । ବିଜୟ ମଧ୍ୟ ଧଡ଼୍ କରି ଉଠି ବସି ପାଦ ଘୁଞ୍ଚାଇ ନେଇ କହିଲା-ଆରେ, ଏ କ୍ୟା କର୍ତା ? ତୁମ ତୋ ମେରା ଛୋଟୀ ବହନ ହୈ । ନେ, ବସା ବସା ତାକୁ । ଷ୍ଟୁଲ୍ଖଣ୍ଡେ ଆଗରେ ଥିବା ସ୍ଥାନକୁ ହାତ ଦେଖାଇଲା ବିଜୟ।
ଲାଲ ସିଂ ତା’ ସ୍ତ୍ରୀର ମୁହଁ ଉପରକୁ ଅଞ୍ଚଳଟା ଉଠାଇ ନେଲା, କହିଲା-ଲେ ମୁହଁ ଦେଖା ଭାଇ ସାବ୍କୋ...।
-ବାଃ ବଢ଼ିଆ ଦୁଲ୍ହନ ହୋଇଛିରେ ଲାଲ ସିଂ । ନାମ କ’ଣ ତା’ର ?
ଲାଲ ସିଂ ହସି ଦେଇ କହିଲା-ଲଛମୀ ।
ଲଛମୀ ଗୋଟିଏ ବଡ଼ ମିଠା ପ୍ୟାକେଟ୍ ବିଜୟ ଆଡ଼କୁ ବଢ଼ାଇ ଧରିଲା । ଲାଲ ସିଂ ତା’ ସ୍ତ୍ରୀ ତରଫରୁ କହିଉଠିଲା-ଓ ସରମାତୀ ହୈ, ଲୋ ଭାଇ ସାବ୍ । ଗରିବ ଭାଇକା ଥୋଡ଼ାସା ପ୍ରଣାମୀ ।
ଆରେ ଲାଓ, ଲାଓ-ବାଃ ବଢ଼ିଆ ମିଠାଇ ଆଣିଛୁ ତ । ମିଠାଇ ପ୍ୟାକେଟ୍କୁ ସେଲ୍ଫ୍ ଉପରେ ଥୋଇଲା ବିଜୟ । ହସମିଶା କଣ୍ଠରେ କହିଲା ଔର ବୋଲ୍ ତୁମାରା ବାତ୍....। ସାଥିକା ବାତ ବୋଲ୍ ।
ସେହି ପୂର୍ବ ଢଙ୍ଗରେ ମୁଣ୍ଡକୁଣ୍ଡାଇ ପକାଇଲା ଲାଲ ସିଂ । ପୂର୍ବର ମଳିଆ ଧୂଳିଆ ହୋଇ ରହି ନାହିଁ । ବାହାପାଣି ପଡ଼ିଲା ପରେ ଚମକ୍ ଉଠୁଛି ତା’ର ଅଙ୍ଗ ଭଙ୍ଗିରେ, ବେଶ ବାସରେ ।
ମନେପଡ଼ିଲା ବିଜୟର ସେ ଦିନର କଥା- ସିଧା ବସ୍ ଡିଉଟି ଶେଷ କରି ଘରକୁ ଫେରିଛି । ସେଦିନ ମନବୀଣା ଆସିଥିଲା । ରୋଷେଇ ଘରୁ ବାହାରି ତାକୁ ଦେଖି ହସି ଦେଇ ହାତରେ ଧରିଥିବା ପାଣି ଗ୍ଳାସରୁ ଅଧଟେ ପାଣି ଫୋପାଡ଼ି ଦେଲା ତା ଆଡ଼କୁ । ବିଜୟ ହାତ ବଢ଼ାଇ ଧରି ପକାଇବାକୁ ଯାଉଥିଲା ମଜାରେ । ପଛାଇ ଯାଇ କହି ଉଠିଲା-ଆରେ ରୁହ ରୁହ ଛୁଅଁ ନା ମତେ, ଆଗେ ତୁମେ ସେ ଅସନା ପୋଷାକ-ଗୁଡ଼ାକ ବଦଳେଇ ଆସ । ମା’ ମଧ୍ୟ ଅନ୍ୟ ଘରୁ ବାହାରି ଆସି କହିଲେ-ଆଲୋ କ’ଣ ହେଲା ? କହୁ କହୁ ବିଜୟକୁ ଦେଖି ଅଟକି ଗଲେ । ମନବୀଣା କହିଲା-ଦେଖନା ମା’, କେମିତି ବାବନା ଭୂତ ଭଳିଆ ଦିଶୁଛନ୍ତି ? ମା’ ହସି କହିଲେ-ଆଲୋ ରହ ହାତରେ କୁଶ ଲାଗୁ ଦେଖିବୁ ବିଜୟ ମୋର କିପରି ରାଜକୁମାର ପରି ଦିଶିବ । ମନବୀଣା ଆଖିମାରି କହିଲା-ହୁଁ, ରାଜକୁମାର ନା ଭେଣ୍ଡି....।
-କ’ଣ କହିଲୁ ? ମା’ ଶୁଣି ନ ପାରି ପଚାରିଲେ ।
-ଏହେ, ଚା’ଗୁଡ଼ାକ ସବୁ ଚୁଲିରେ ଉତୁରିପଡ଼ିଲା-କହି ପଳାଇଗଲା ମନବୀଣା ।
ନମସ୍କାର ବିଜୟ ଭାଇ ।
କିଏ ? ଓଃ,.....ନନ୍ଦ.....?.....ତୁ କୁଆଡ଼େ ?
ନନ୍ଦ ଓ ତାର ପରିବାର ସମସ୍ତେ ଆସିଛନ୍ତି । ବିଜୟର ଖଟ ପାଖରେ ନନ୍ଦ ଫଳ କେତେଗୁଡ଼ିଏ ସେଲ୍ଫ୍ ଉପରେ ଥୋଇ କହିଲା-କିରଣ ବାବୁଙ୍କ ପୁଅକୁ ଦେଖିବାକୁ ଆସିଥିଲି ? ଶୁଣିଲି ତୁମେ କ୍ଳିନିକ୍ରେ ଅଛ....।
ବିଜୟ ନନ୍ଦର ପିଲାଗୁଡ଼ିକୁ ଆଦର କରୁ କରୁ କହିଲା-ପାଗଳଟା; କିରଣ ଅଯଥାରେ ମତେ ଆଣି ଏଠି ଭର୍ତ୍ତି କରିଛି । ସେମିତି କିଛି ନୁହେଁମ । ଘରେ ମା’ ନାହାନ୍ତି ତ...!
-ଓଃ, ଆସ୍ୱସ୍ତ ହେଲା । ନନ୍ଦ କହିଲା-ଆମେ ଭାରି ବ୍ୟସ୍ତ ହୋଇପଡ଼ିଥିଲୁ ତୁମର ଅସୁସ୍ଥତା ଶୁଣି ।
ନନ୍ଦର ପିଲାଗୁଡ଼ିକ ଛିଡ଼ା ହୋଇଥିଲେ ଚୁପ୍ଚାପ୍ । ଅନ୍ୟ ଦିନ ହୋଇଥିଲେ ସାର୍ଟ ପକେଟରେ ହାତ ଭର୍ତ୍ତି କରି ବ୍ୟସ୍ତ କରି ପକାନ୍ତେଣି । ସେମାନଙ୍କୁ ଚାହିଁ ହସି ଉଠିଲା ବିଜୟ-କ’ଣରେ ଭାରି ଚୁପ୍ ଚାପ୍....? ଆରେ ଲାଲ, ଗଲୁ ପିଲାଙ୍କପାଇଁ କିଛି ଚକ୍ଲେଟ୍ ନେଇଆସିବୁ ।
ଲଜେନ୍ସ୍ ପାଇ ପିଲାଗୁଡ଼ିକ ଖେଳିବାକୁ ଆରମ୍ଭ କରିଦେଲେ । ଲାଲ ସିଂ ବିଜୟ ପାଦ ଉପରେ ଧୀରେ ଧୀରେ ହାତ ବୁଲାଇ ଦେଉଥିଲା । ସ୍ନେହର ପରଶରେ ଅବଶ ହୋଇପଡ଼ୁଥିଲା ବିଜୟ ।
କିଛି ଗୋଟାଏ ପଡ଼ିଯିବାର ଶବ୍ଦରେ ଆଖି ଖୋଲିଲା ବିଜୟ । ଅନ୍ଧକାର ଘର । କିଏ କୁଆଡ଼େ କେତେବେଳୁ ଚାଲି ଗଲେଣି । କିରଣ ବୋଧହୁଏ ଝୁଣ୍ଟି ପଡ଼ିଲା ଷ୍ଟୁଲଟା ଉପରେ । -ଓଃ ବୋଲି କାତରୋକ୍ତି କରି ଉଠିଲା ସେ । ଅଣ୍ଡାଳି ଅଣ୍ଡାଳି ସୁଇଚ୍ଟା ଟିପିଲାକ୍ଷଣି ଆଲୋକିତ ହୋଇଉଠିଲା କୋଠରିଟା । ଷ୍ଟୁଲ୍କୁ ସଜାଡ଼ି ରଖି କିରଣ କହିଲା-ଦୁଆରଟା ବନ୍ଦ କରିନ ? କିଏ ପଶିଥିଲେ.......। ଅପରାଧୀ ପରି ନିଃସହାୟ ଦୃଷ୍ଟିରେ ବିଜୟ ଚାହିଁଲା କିରଣର ମୁହଁକୁ ।
ବିଜୟର ମଶାରିଟା ସଜାଡ଼ି ଦେଉଥିଲା କିରଣ । କହିଲା-ଡାକ୍ତରଙ୍କ ମତରେ ଭଲ ଚିକିତ୍ସା ହୋଇପାରିଲେ ତୁମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ।
ଦୀର୍ଘ ନିଃଶ୍ୱାସଟିଏ ପକାଇ ବିଜୟ କହିଲା-ମୁଁ ତ ବଞ୍ଚିବାକୁ ଚାହେଁରେ, ଏହି ସୁଖ ଦୁଃଖର ଦୁନିଆକୁ ତୋର ବିଜୟ ଭାଇ କେତେ ଭଲପାଏ ଆଉ କେହି ନ ଜାଣନ୍ତୁ କିନ୍ତୁ ତୁ ଜାଣୁ ? ତୋର ବିଜୟ ଭାଇ କେବେ କେଉଁଥିରେ ପରାଜୟ ମାନି ନାହିଁ-ହାରି ଯାଇ ନାହିଁ ଦୁନିଆ ଆଗରେ, କିମ୍ବା ଆତ୍ମହତ୍ୟା କରୁ ନାହିଁ । ମୃତ୍ୟୁଟା ଆପେ ଆସି ଯାଉଛି ବୋଲି ଗ୍ରହଣ କରି ନେବାକୁ ବାଧ୍ୟ ହେଉଛି ।
-ନାହିଁ, ନାହିଁ, ସେମିତି କୁହନା । ତୁମେ ନିଶ୍ଚୟ ଭଲ ହୋଇଯିବ ।
ହସିଲା ବିଜୟ । ମଣିଷ ଅନ୍ଧ । ଆଗରେ କ’ଣ ଅଛି ନ ଅଛି ଜାଣି ଅନେକ କିଛି ଭାବି ପକାଏ, ଏଇ ଦେଖୁନୁ କେଉଁଠି ମନବୀଣା, ପୁଣି ମୋ ପରି ଜଣେ ସାଧାରଣ, ବଡ଼ ଲୋକ ହେବାର ଆକାଙ୍କ୍ଷା କେମିତି ସବୁ ଓଲଟ ପାଲଟ ହୋଇଯାଉଛି । ଶବ୍ଦ କରି ପୁଣି ହସି ଉଠିଲା ବିଜୟ । ପାଗ ବାନ୍ଧୁ ବାନ୍ଧୁ ରଥଯାତ୍ରା ଶେଷ ହୋଇଗଲା ।
ପାଖକୁ ଘୁଞ୍ଚି ଆସିଲା କିରଣ । ବିଜୟର ରାତ୍ରିର ଶେଷ ଡୋଜ୍ ଔଷଧଟା ବଢ଼ାଇ ଦେଇ କହିଲା-ନାହିଁ, କିଛି ଶେଷ ହୋଇଯାଇ ନାହିଁ, ରାତି ପାହିବାକୁ ଆହୁରି ଅନେକ ସମୟ ବାକି ରହିଛି ବିଜୟ ଭାଇ । ତୁମେ ଅଧୈର୍ଯ୍ୟ ହୁଅନା । ନିୟୁୟର୍କ ଯିବାର ସବୁ ବ୍ୟବସ୍ଥା ହୋଇସାରିଛି । କେବଳ ରିପୋର୍ଟଗୁଡ଼ିକ ହାତକୁ ଆସିଲେ ହେଲା । ଆଜି ନେଇ ଆସିବାର ଥିଲା । ଆସନ୍ତା କାଲି ଯାଇ ନେଇ ଆସିବି । ତୁମ ପ୍ଳେନ୍ର ରିଜର୍ଭେସନ୍ ତାରିଖଟା ତାଙ୍କୁ ଜଣାଇ ଦେଇଛି । ତେଣୁ ଦିନକ ପୂର୍ବରୁ ସେ ରିପୋର୍ଟଗୁଡ଼ିକ ପ୍ରସ୍ତୁତ କରିଦେବେ ବୋଲି କହିଛନ୍ତି । ହଁ, ତୁମକୁ କହି ନ ଥିଲି । ଏଠା ଡାକ୍ତରଙ୍କ ମତରେ ବିଶେଷ କିଛି ସାଂଘାତିକ ନୁହେଁ ବୋଲି ଏଠି ନିଜେ ଅପରେସନ୍ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ମୁଁ କିନ୍ତୁ ରାଜି ହୋଇନି । ଯାହା କରିବାର ହେବ ଗୋଟିଏ ଜାଗାରେ । କାକା ପୁଣି ଗୋଟେ ଟେଲିଗ୍ରାମ ପଠାଇଛନ୍ତି । ତୁମର ଯିବା ବିଷୟ ନେଇ । ଆଉ ତ ଦିନ ତିନିଟା । ଭାବିଛି ତୁମକୁ ମଧ୍ୟ କାଲି ମଣିସହିତ ଘରକୁ ନେଇଯିବି । ଏୟାରପୋର୍ଟ ଯିବାକୁ ପାଖ ଓ ସୁବିଧା ହେବ ।
ବିଜୟ କିନ୍ତୁ ପୂର୍ବ କଥାର ସୂତ୍ରଧରି ଭ୍ରୂକୁଞ୍ଚିତ କରି କହିଲା-ଅପେରସନ ପାଇଁ ରାଜି ହେଲୁନି କାହିଁକି ? ଅପରେସନ୍ ଟେବୁଲ ଉପରେ ତୋର ବିଜୟ ଭାଇର ଶେଷ ହୋଇଆସୁଥିବା ଦେହଟାକୁ ଡାକ୍ତରଙ୍କ ଭରସାରେ ଛାଡ଼ି ଦେବାକୁ ତୋର ସାହାସ ହେଲାନି ବୋଧହୁଏ ।
-ବିଜୟ ଭାଇ....!
-ହଁ କିରଣ, ସ୍ୱାଭାବିକ । ଭୟ ତ ନିଶ୍ଚୟ ଲାଗିବ । ତା’ ବ୍ୟତୀତ ମୋ ମା’ ଭାଇଙ୍କୁ ଜବାବ ଦେବାକୁ ତୁ ହିଁ ତ ଗୋଟିଏ ମଣିଷ । କ’ଣ-ଡରି ଯାଉଛୁ ?
ଲାଇଟ୍ ଅଫ୍ କଲା କିରଣ । ସେ କଥା ଥାଉ ବିଜୟ ଭାଇ । -ଆଚ୍ଛା କିରଣ ! ଆଜି ଯେଉଁ ସୁଜି ପାୟସ୍ଟା ଦେଲୁ ଭାରି ଚମତ୍କାର ଲାଗିଲା । କିଏ ବନାଇ ଥିଲା କହିଲୁ ?
ଛେପ ଢୋକିଲା କିରଣ.....ମାନେ....?
-ଠିକ୍ ମନବୀଣାର ତିଆରି ପରି ଲାଗିଲା ।
-ହଁ, ଠିକ୍ ତ, ମନବୀଣା ହିଁ ତୁମପାଇଁ ଆଣିଥିଲା । ବିଛଣା ଉପରେ ଉଠି ବସିଲା ବିଜୟ-ବତିଟା ଜାଳ ତ କିରଣ । କ’ଣ କହିଲୁ ମନବୀଣା ଆସିଥିଲା ?
-ହଁ ତୁମେ ବାଥ୍ରୁମ୍ରେ ଥିଲ । ତରବର ହୋଇ ପାୟସ୍ଟା ରଖିଦେଇ ଚାଲିଗଲା ।
-ଆଶ୍ଚର୍ଯ୍ୟ ।
-କ’ଣ ଆଶ୍ଚର୍ଯ୍ୟ ବିଜୟ ଭାଇ ?
-ଏହି...ଦେଖା ନ କରି ଚାଲିଯିବାଟା....।
-ସେମିତି କିଛି ଜରୁରୀ କାମ ଥିବ ।
-କାମ ? ମଶାରିଟା ଉଠାଇ ଦେଲୁ କିରଣ । ଗରମ ଲାଗୁଛି । ଆଚ୍ଛା ମୋ ବିଷୟରେ ସେ ତୋତେ କିଛି ପଚାରିନି ?
-ତୁମ ବିଷୟ ?
-ହଁ ମୋର ରୋଗ, ବେମାରିଟା କ’ଣ ? ଏଠି ଏତେ ଦିନ ରହିଛି କ’ଣପାଇଁ ? କେଉଁ ଡାକ୍ତର ମୋତେ ଚିକିତ୍ସା କରୁଛନ୍ତି? କିଛି ବି ଜାଣିବାକୁ ଚାହିଁନି ସେ ?
କିରଣ ଛେପ ଢୋକିଲା ପୁଣି । ଆଜିର ଦିପହର କଥଟା ମନେପଡ଼ିଲା ତାର । ଆଉ ଟିକିଏ ହେଲେ ଧରା ପଡ଼ି ଯାଇଥାନ୍ତା.....ମନବୀଣା ପାଖରେ । ରିପୋର୍ଟ ନେଇ ଆସିବାପାଇଁ ଠିକ୍ ଡାକ୍ତରଙ୍କର ଚେମ୍ବର ଆଡ଼କୁ ଯାଉଛି ଭେଟ ହୋଇଗଲା । କିରଣ କ’ଣ କରିବ ଭାବି ପାରିଲାନି । ତାର ଅପ୍ରସ୍ତୁତ ଭାବଟା ବୁଝି ପାରିଥିବ କି ମନବୀଣା ? କିନ୍ତୁ କିଛି ପ୍ରକାଶ ନ କରି କହିଲା-ଆରେ କିରଣ ! ଏପଟେ କୁଆଡ଼େ ? ଉତ୍ତରକୁ ଅପେକ୍ଷା ନ କରି ପୁଣି କହିଲା-ମୋର ଜଣେ ବନ୍ଧୁଙ୍କୁ ଦେଖିବାକୁ ଆସିଥିଲି । କିରଣ ନିରବ ରହିଯାଇଥିଲା । ପୁଣି କହିଲା, ଯିବ, ନାଁ, କ’ଣ କାମ ଅଛି ?
ହସିବାକୁ ଚେଷ୍ଟା କଲା କିରଣ । ବହୁତ ବେଶୀ ମାତ୍ରାରେ ହାତ ମୁଣ୍ଡ ହଲାଇ କହିଲା ଆରେ ନା, ନା, ମୋର ଏପଟେ କିଛି କାମ ନାହିଁ, ଏଇ ମଣିମାଳାକୁ କାଲି ଘରକୁ ନେଇଯିବି ତ ଅଥଚ ଏବେ ବି କିରଣ ବୁଝି ପାରିନି । କ୍ୟାନସର୍ କ୍ଳିନିକ୍ ପାଖରେ ମଣିକୁ ଘରକୁ ନେବାର କ’ଣ ସମ୍ପର୍କ ଥିଲା-ହଠାତ୍ କରି ଯାହା ତୁଣ୍ଡକୁ ଆସିଲା କହି ପକାଇଲା । ମନବୀଣା କଥା ଧରି ନ ଥିଲା, କହିଲା-ଚାଲ ତାହେଲେ । ବସ୍ ପର୍ଯ୍ୟନ୍ତ ସାଥିରେ ଆସିଥିଲା କିରଣ । ବସ୍ରେ ଉଠିବା ଆଗରୁ କହିଲା-ଆଜି ବିଜୟ ସାଙ୍ଗରେ ଦେଖା ହେଲାନି । ପାୟସ୍ଟା ଖୁଆଇ ଦେବ । ରିପୋର୍ଟ ନ ନେଇ ଫେରି ଆସିଥିଲା କିରଣ ।
-କିରେ ଉତ୍ତର ଦେଉନୁ ଯେ ?
-ଏଁ ହଁ । ପଚାରିବନି କାହିଁକି ?-ପଚାରୁଥିଲା ।
-କ’ଣ କ’ଣ ପଚାରୁଥିଲା ? ତୁ କ’ଣ କହିଲୁ ତାକୁ ?
-ମୁଁ ? ଆଚ୍ଛା ବିଜୟ ଭାଇ ତୁମେ ସବୁ କଥା କହି ଦେଉନ କାହିଁକି ମନବୀଣାକୁ ?
ଚିତ୍ ହୋଇ ଶୋଇପଡ଼ିଲା ବିଜୟ ବିଛଣା ଉପରେ । ବତିଟା ଲିଭାଇ ଦେ କିରଣ । ଆଖିରେ ଆଲୁଅ ପଡ଼ୁଛି ।
ବତି ଲିଭାଇ ନିଜର ବିଛଣାକୁ ଯିବାବେଳେ କିରଣ କହିଲା-କିନ୍ତୁ ତୁମେ ସବୁ କଥା କହି ଦେଉନ କାହିଁକି ?
-ଓଃ, ହଁ-ନା-ମୁଁ ପାରିବିନି । ମୋଦ୍ୱାରା ହୋଇପାରିବ ନି ।
-କିନ୍ତୁ କିଛି ନ କହି ଚାଲିଗଲେ ସେ କ’ଣ ଭାବିବ ?
-ସେ-ତୁ ପରେ କହିବୁ ! ବିଜୟ ପଛ ମୋଡ଼ି ଶୋଇବାର-କିଛି ସମୟ ପରେ ନିଜ ବିଛଣାକୁ ଚାଲିଆସିଲା କିରଣ । ପଛ ମୋଡ଼ି ଶୋଇଲା ସିନା କିରଣଠାରୁ, ନିଜକୁ ମୁକ୍ତ କରି ସବୁ ନେବାକୁ କିନ୍ତୁ ମନବୀଣା ? ତା’ର ସ୍ୱରର ଝଙ୍କାର ହୃଦୟର ଅମାପ ପ୍ରେମର ମୂର୍ଚ୍ଛନା ଅସ୍ତବ୍ୟସ୍ତ କରିବାକୁ ଲାଗିଲା । ମହକସିକ୍ତ କେଶର ଭିଜା ଭିଜା ମାଦକ । ମନବୀଣାର ଦେହ ମନ ଅବଶ କରେ ପ୍ରଶ୍ରୟ ସଂଭାଷଣରେ । ତା’ସହିତ କରକମଳର ସ୍ପର୍ଶ, ଆଃ.....ଆଃ.......ଆଃ....।-ବିଜୟ ଭାଇ, ବିଜୟ ଭାଇ କ’ଣ ହେଲା ଖରାପ ଲାଗୁଛି ? ବିଛଣା ପାଖକୁ ଉଠି ଆସିଲା କିରଣ ।-ପାଣି, ପାଣି ଦେ ତଣ୍ଟି ଭିତରଟା ଶୁଖି ଯାଉଛି ।
କିରଣ ଘରେ ଆରମ ଚେୟାରରେ ଆଉଜି ବସିଥିଲା-ମଣିର ପୁଅକୁ ଦେଖୁ ଦେଖୁ କହିଲା ତୋର ପୁଅ ଖୁବ୍ ଭାଗ୍ୟବାନ ହେବ ମଣି । ଭାରି ବୁଦ୍ଧିମାନ ମଧ୍ୟ । ଦେଖନୁ, ତା’ର ଆଖି ଦୁଇଟା କେତେ ଚଞ୍ଚଳ । ଠିକ୍ ତୋହରିପରି ଟଣା ପତଳା ନାକ....ଦେଖ ଖୁସିରେ ବିଜୟ କହିଲା ।
ପୁଅକୁ ଧରି ପାଖ ଖଟରେ ବସିଥିଲା ମଣି । ହସି ଦେଇ କହିଲା, ଭଣଜା କାହାର ?
-ଦେଖୁନୁ, ଖୁବ ଭାଗ୍ୟବାନ ହେବ ପିଲାଟା । ଅନେକ ପାଠ ପଢ଼ିବ । କ’ଣ ନାମ ଦେବୁ ପୁଅର ?
-ତୁମେ କହୁନ.....?
ଲାଲ ସିଂ ଭିତରକୁ ପଶିଆସି ସଲାମଟାଏ ମାରି ଛିଡ଼ା ହୋଇପଡ଼ିଲା । ହମ ତେ ହୈ ବିଜୟ ବାବୁ।
-କିରେ ସମୟ ହୋଇଗଲାଣି କି ? ବିଜୟ କହିଲା । -ହଁ ବାବୁ ସାବ୍ । ଟାଇମ ହୋ ଯାଏଗା । ଗାଡ଼ି ବାହାର୍ ଖଡ଼ି ହେଁ । ଆପ ତୟାର ହୋ ଯାଇଏ । ହମ ଗାଡ଼ି ମେ ବୈଠତେ ହେଁ, କହି ବାହାରି ଗଲା ଗାଡ଼ିପାଖକୁ । ପୁଣି ଫେରିପଡ଼ି କହିଲା ସମାନ କହା ହୈ.....।
ବିଜୟ ଚେୟାର ଉପରୁ ଉଠି ଛିଡ଼ା ହୋଇପଡ଼ିଲା । ମଣିକୁ ଉଦ୍ଦେଶ୍ୟ କରି କହିଲା-ମଣି, ଏଯାଏଁ କିରଣ ଫେରିଲାନି ତ ? ଘଡ଼ିକୁଚାହିଁ-ଗୋଟାଏ ତିରିଶ ହେଲାଣି....
ମଣି ମଧ୍ୟ ଚିନ୍ତିତଭାବରେ ଉତ୍ତର ଦେଲା-କେଜାଣି ବିଜୟ ଭାଇ ? ସେ କହୁଥିଲେ କାଲି କୁଆଡ଼େ ଡାକ୍ତରଙ୍କ ରିପୋର୍ଟଗୁଡ଼ାକ ପାଇଲେ ନାହିଁ । ବହୁତ ସମୟ ଅପେକ୍ଷା କରି ଫେରି ଆସିଥିଲେ ।
-ପାଇଲା ନାହିଁ ? -କ’ଣ ହଜିଗଲା ?
-ନା ନା ହଜିବ କାହିଁକି ? ଡାକ୍ତର ବାବୁ କହୁଥିଲେ ତାଙ୍କ ବେହେରାଟା କେଉଁଠି ରଖି ଦେଇଛି । ଛୁଟିରେ ଥିଲା । ଆଜି ଦେଇଦେବେ, କହିଲା ମଣିମାଳା । ସେ ମଧ୍ୟ ପୁଅକୁ ଖଟରେ ଶୁଆଇ ଛିଡ଼ା ହୋଇପଡ଼ିଲା ।
ବିଜୟ ଅଳ୍ପ ଆଗକୁ ଯାଇ ହାତ ଘଣ୍ଟାକୁ ପୁଣିଥରେ ଚାହିଁ କହିଲା, ସମୟ ତ ହୋଇଗଲା, କାହିଁ ? କିରଣ ତ ଏଯାଏଁ ଆସିଲାନି ? ଆଉ ମନବୀଣା ? ସେ କାହିଁ ? ଖବରଟା ପଠେଇଥିଲେ..........।
ଆସୁଥିବେ କହି ମଣି ବାହାରକୁ ଯାଇ ପୁଣି ଫେରି ଆସିଲା ।-ତୁମେ ପ୍ରସ୍ତୁତ ହୋଇଯାଅ । ସେ କହିଛନ୍ତି ତାଙ୍କର ବିଳମ୍ବ ଦେଖିଲେ ଆମକୁ ଏୟାରପୋର୍ଟକୁ ଚାଲି ଯିବାପାଇଁ.... ।
ବିଜୟ ରାସ୍ତା ଉପରକୁ ଚାହିଁଥିଲା ।
ତରବରର କାରଣ ନାହିଁ । ସବୁ ପ୍ରସ୍ତୁତ କରି ରଖି ଯାଇଛି କିରଣ । ନୂଆ ଭି.ଆ.ଇପି. ବାକ୍ସ, ହାତ ବ୍ୟାଗ୍ସବୁ ସଜାଡ଼ି ଆଣିଥିଲା ଆସିବା ସମୟରେ । ଏହି ସବୁ ଦେଖି ବିଜୟ ପରିହାସ କରି କହିଥିଲା-କ’ଣ ବରଯାତ୍ରୀ କିରେ ? କିରଣ ମଧ୍ୟ ହସ ହସ ମୁହଁରେ ଉତ୍ତର ଦେଇଥିଲା, ବାଃ ପ୍ଳେନ୍ରେ ଯିବା ଜଣେ ଜେଣ୍ଟଲ୍ମ୍ୟାନର କ’ଣ ଏହି ପୁରୁଣା ଧୋକଡ଼ା ଚାବି ନ ଥିବା ବାକ୍ସ ଚଳେ ? ପ୍ଳେନ୍ରେ ଉଡ଼ିବା ମଣିଷମାନେ କେମିତି ଝକମକିଆ ହୋଇ ଆସିଥାଆନ୍ତି ଦେଖିନ ?
-ତୁ କ’ଣ ତୋ ବିଜୟ ଭାଇକୁ ଜେଣ୍ଟଲ୍ମ୍ୟାନ ଭାବିଛୁ କି ?
-ତା’ ନୁହେ ତ କ’ଣ ? ଜୋର୍ଗଳାରେ କହିଥିଲା କିରଣ ।
କୁନି ପୁଅକୁ ସଜାଡ଼ୁ ଥିବାର ଦେଖି ବିଜୟ ମଣିକୁ କହିଲା-ଏହି ଦୁର୍ବଳ ଶରୀରରେ ତୁ କ’ଣ ଏୟାରପୋର୍ଟ ଯିବୁ?
ଏଇ କେତେଦିନ ହେଲା ଗୋଟିଏ ଛୋଟ ଝିଅ ପିଲା ମଣିକୁ ସାହାଯ୍ୟ କରିବାପାଇଁ ବ୍ୟବସ୍ଥା କରିଛି କିରଣ । ତା’ ହାତକୁ ପିଲାଟାକୁ ବଢ଼ାଇ ଦେଇ ମଣି କହିଲା-ନିଶ୍ଚୟ, ମୁଁ ମୋ ବିଜୟ ଭାଇଙ୍କୁ ସି ଅଫ୍ କରିବାକୁ ଯିବିନି ?
-କିନ୍ତୁ ତୋର ଦେହ....? ତତେ ବହୁତ କଷ୍ଟ ହେବନି ?
-କିଛି ହେବନି, ଗାଡ଼ିରେ ଯିବି । ଏହି ଝିଅଟାକୁ ମଧ୍ୟ ନେଇ ଯିବି । ତୁମେ ବାହାରିପଡ଼ ମୋର ସରିଲା ।
ଏୟାରପୋର୍ଟରେ ବହୁ ସମୟ ଅପେକ୍ଷା କଲାପରେ ପ୍ରାୟ ପ୍ଳେନ୍ଛାଡ଼ିବା ମୁହୂର୍ତ୍ତରେ ଝାଳନାଳ ହୋଇ ପହଞ୍ଚିଲା କିରଣ । ତା’ର ଶୁଖିଲା ମୁହଁ ଦେଖି ବିଜୟ ପଚାରିଲା-ସ୍କୁଟର୍ କ’ଣ ବାଟରେ ଟ୍ରବଲ୍ଦେଲା ? ରିପୋର୍ଟ ପାଇଲୁ?
-ନା । ବ୍ୟସ୍ତ ହୋଇ କହିଲା କିରଣ ।
-ବିଜୟ ଭାଇ କିଛି ବୁଝିପାରୁନି.........।
-କ’ଣ.... ?
-ଏଇ ରିପୋର୍ଟ ଫାଇଲଟା ଗଲା କୁଆଡ଼େ ? ଡାକ୍ତରଙ୍କ କହିବା ଅନୁସାରେ ରିପୋର୍ଟ ଫାଇଲଟା ପ୍ରସ୍ତୁତ କରି ମତେ ଦେବାପାଇଁ ଆଣି ତାଙ୍କର ନିଜ ଟେବୁଲ୍ ଉପରେ ରଖି ଅପରେସନ୍ ଥିଏଟର୍କୁ ଯାଇଥିଲେ । ତା’ପରେ ସେ ଫେରି ଆସି ଆଉ ଖୋଜି ନ ଥିଲେ । ସେ ଭାବିଥିଲେ ମୁଁ ଯାଇ ନେଇ ଆସିଛି କିମ୍ବା ପିଅନଟା ଆଲମିରାରେ ରଖି ଦେଇଛି । କିନ୍ତୁ ?
-ତୁମେ ଆଣିନ ? ଠିକ୍ମନେ ଅଛି ତ ?-ପଚାରିଲା ମଣି । ତାର ସବୁ କଥାରେ ଅଧୈର୍ଯ୍ୟ ।
-ନାଁ, ସେଦିନ ଯାଇପାରି ନ ଥିଲି-କହି ଚୁପ୍ ରହିଗଲା କିରଣ । ମନବୀଣା ସହିତ ଦେଖା ହୋଇଥିବା କଥା କହିଲାନି । ଭାବିବାକୁ ସମୟ ନାହିଁ ।-ବିଜୟ ଭାଇ ତୁମେ ଚାଲିଯାଅ । ମୁଁ ପରେ ରିପୋର୍ଟଗୁଡ଼ାକ ଖୋଜି ପଠାଇ ଦେବି । କକା ତେଣେ ଅପେକ୍ଷା କରିଥିବେ । ତୁମକୁ ନ ଦେଖିଲେ ବ୍ୟସ୍ତ ହୋଇପଡ଼ିବେ ।
-ଆରେ ତୁ ବ୍ୟସ୍ତ ହେଉଛୁ ମିଛଟାରେ । ସବୁ ଈଶ୍ୱରଙ୍କ ଇଚ୍ଛା । ତୁ ଗଲୁ ଆଗ ଟିକେଟ୍ଟା କ୍ୟାନସଲ୍କରି ଆସିବୁ । ମୁଁ ଲାଲ ସିଂହକୁ କହି ଦେଉଛି, ଲଗେଜ ରୁମ୍କୁ ଯାଇ ସେଗୁଡ଼ିକ ଫିଲ୍ଡକୁ ନେବାକୁ ମନା କରିଦେବ ।
କିନ୍ତୁ........ମୋର ତୁମକୁ ଛାଡ଼ି କୁଆଡ଼େ ଯିବାକୁ ଇଚ୍ଛା ନାହିଁ-ଟିକେଟ୍ଟା କ୍ୟାନ୍ସଲ କରିଆ-ଆରେ ଆସନା ।
କିରଣ କୁଣ୍ଠିତ ପାଦରେ ଆଗେଇ ଯାଉଥିଲା କାଉଣ୍ଟରଆଡ଼କୁ ଟିକେଟ୍ କ୍ୟାନସେଲେସନ ପାଇଁ । ହଠାତ୍ ଚେକିଂ ଅଫିସ୍ଦ୍ୱାର ଆଗରେ ଦେଖା ହୋଇଗଲା ମନବୀଣା ସହିତ । ସେ ତରତର ହୋଇ ଭିତରକୁ ପଶି ଯାଉଥିଲା । କିରଣକୁ ଦେଖି ଅଟକି ଯାଇ ହସି ଦେଇ କହିଲା-ଅପେକ୍ଷା କର । ଚେକିଂପାଇଁ ଜିନିଷଗୁଡ଼ାକ ଦେଇଆସିଛି । ସେଗୁଡ଼ିକୁ ଭଲଭାବରେ ତଦାରଖ ନ କଲେ ଜାଣିଛ ତ ଇଣ୍ଡିୟାନ୍ ଏୟାର ଲାଇନ୍ସର ତତ୍ପରତା....... ।
ସ୍ୱର ଫିଟିଲା ନାହିଁ କିରଣର । ପ୍ଳେନ୍ ଛାଡ଼ିବାର ସେକେଣ୍ଡ ଆନାଉନ୍ସମେଣ୍ଟ ଶବ୍ଦରେ ଚଞ୍ଚଳ ହୋଇଉଠିଲା ସେ । ଆଜି ବିଜୟ ଭାଇର ଯିବାଟା ବନ୍ଦ କରିବାକୁ ପଡ଼ିବ କହି କାଉଣ୍ଟର ପାଖକୁ ଚାଲିଯାଉଥିଲା । ପଛରୁ ମନବୀଣା ଦୌଡ଼ି ଆସି କିରଣକୁ ଟାଣି ଆଣିଲା ।-ଆରେ; ଟିକେଟ୍ କାହିଁକି କ୍ୟାନ୍ସଲ୍ କରିବ ? କ’ଣ ଅସୁବିଧା ହେଲା କି ?
ଅଧୈର୍ଯ୍ୟ ଭାବରେ କିରଣ କହିଲା, ବିଜୟ ଭାଇର ମେଡ଼ିକାଲ ରିପୋର୍ଟଗୁଡ଼ାକ ହଜିଯାଇଛି... ।
-ସବୁ ମୋ ପାଖରେ ଅଛି । କିଛି ହଜି ନାହିଁ । ଆସ, କହି ନିଜ ହ୍ୟାଣ୍ଡବ୍ୟାଗ ଭିତରୁ ରିପୋର୍ଟ ଫାଇଲଟାକୁ ବାହାର କରୁ କରୁ ବିଜୟ ଥିବା ସ୍ଥାନକୁ ଆଗେଇ ଆସିଲା । ତା’ ସଙ୍ଗେ ସଙ୍ଗେ କିରଣ ମଧ୍ୟ ।
-କିନ୍ତୁ, ତୁମ ପାଖରେ ରିପୋର୍ଟଗୁଡ଼ାକ... ? ପ୍ରଶ୍ନ କଲା କିରଣ । ମାନେ ରିପୋର୍ଟଗୁଡ଼ାକ ତୁମେ... ?
-ହୁଁ, ମୋ ପାଖରେ...। ସେଦିନ ବିଜୟର ନର୍ସିଂହୋମକୁ ଯାଇ ଦେଖିଲି କ୍ୟାନ୍ସର ରୋଗର ବିଶେଷଜ୍ଞଙ୍କର ସିଗ୍ନେଚର୍ ଥିବା ପ୍ରେସକ୍ରିପ୍ସନ୍ ଗୋଟେ ଥୁଆ ହୋଇଛି ଏବଂ ସେଇଟା ଦେଖି ମୋର ସନ୍ଦେହମୋଚନ ପାଇଁ ତାଙ୍କ ଚେମ୍ବରକୁ ଯାଇଥିଲି । ଚେମ୍ବରରେ ଡାକ୍ତର ନ ଥିଲେ । ବିଜୟର ନାମାଙ୍କିତ ଏହି ରିପୋର୍ଟ ଫାଇଲଟା ଟେବୁଲ ଉପରେ ଥୁଆ ହୋଇଥିଲା । ନେଇ ଆସିଲି, କିନ୍ତୁ ଦେବାକୁ ସମୟ ପାଇଲିନି । କିରଣର ସେଦିନ କଥା ମନେ ପଡ଼ୁଥିଲା । ମନବୀଣା ପାୟସ୍ ରଖି ତରତର ହୋଇ ପଳେଇବା ଶୁଣି କ୍ୟାନସର୍ କ୍ଳିନିକ୍ ପାଖରେ ଭେଟ ହେବା ଏବଂ ତା’ର ଉଦାସ ଗମ୍ଭୀର କଥାବାର୍ତ୍ତା.... । କିରଣ କ’ଣ କିଛି ବୁଝି ପାରି ନ ଥିଲା ସେଦିନ ?
ଥାର୍ଡ଼ ଆନାଉନ୍ସମେଣ୍ଟର ଶବ୍ଦ ଶୁଣାଗଲା । ଅନେକ ପ୍ରାୟ ଲାଇନରେ ଛିଡ଼ା ହୋଇଗଲେଣି ଫିଲ୍ଡ୍କୁ ଯିବାପାଇଁ । କିରଣ ଏବଂ ମନବୀଣା ମଧ୍ୟ ତରବର ହୋଇ ପଡ଼ିଲେ ।
-ଟିକିଏ ରୁହ, ମୋ ଟିକେଟ୍ଟା ନେଇ ଆସେ କହି ତରତର ହୋଇ ଚାଲି ଯାଉଥିଲା ମନବୀଣା ।
ଆଶ୍ଚର୍ଯ୍ୟ ହୋଇ କିରଣ କହି ପକାଇଲା-ଟିକେଟ୍?-ଆରେ କୁହନା, ମୁଁ ଯେଉଁ କଷ୍ଟରେ ସିଟ୍ଖଣ୍ଡେ ଯୋଗାଡ଼ କଲି ନା..., ଭାଗ୍ୟକୁ ମାମୁ ଏଠି କାମ କରୁଛନ୍ତି ବୋଲି ।
-କିନ୍ତୁ ତୁମେ... ? ଅଧା ପ୍ରଶ୍ନରେ ଚାହିଁ ରହିଲା କିରଣ ।
ବିଜୟ ଆଡ଼କୁ ଥରଟେ ଚାହିଁଦେଇ ମନବୀଣା କହିଲା, ହଠାତ୍ ସିଦ୍ଧାନ୍ତ କରି ପକାଇଲି, ମୋର ଯିବାଟା ନିତାନ୍ତ ଆବଶ୍ୟକ ମନେହେଲା । ତା’ ନ ହେଲେ ଏ ଦୀର୍ଘପଥ ଏକୁଟିଆ ଯିବାକୁ ବିଜୟକୁ ବହୁତ କଷ୍ଟ ହୋଇଥାନ୍ତା ।


Post a Comment