ଦିଗ୍ବିଜୟ
ଦିଗ୍ବିଜୟ
ଲେଖକ / କବି : କାଳୀଚରଣ ପଟ୍ଟନାୟକ
ଆଜିକାଲି ନୁହେ ଅତୀତ ଗୌରବ
ସାତଶ ବରଷ ତଳେ,
ଗଙ୍ଗ କୁଳର ଅମଳ କୀରତି
ଝଟକୁ ଥିଲା ଉତ୍କଳେ ।
ସୁଦୂର ବିଦର କୁଳବର୍ଗ ଜେତା ।
ଅମର ପୁରୁଷ ସିଂହ,
ଚକ୍ରବର୍ତ୍ତୀ ପଣେ ଛତ୍ର ଟେକିଥିଲେ
ଲାଙ୍ଗୁଳା ନରସିଂହ ।
ଗୁରୁଗମ୍ଭୀରେ ଗଙ୍ଗ-ଗରିମା
ଘୋଷଇ ଦିଗ ଦିଗନ୍ତ,
ବନପ୍ରିୟ ବୋଲେ ବୁଲି ମନେ ଯାର
ବିଜୟ ଚିର ବସନ୍ତ ।
ପୁଆରୀ ପୁଆରେ ବିନ୍ଧାଣି ପୁଅଟି
କଳା ରଖୁଥିଲା ଛନ୍ଦି,
ଲେଖନୀ ମୁନରେ କାବ୍ୟ ରାଣୀକି
କବି କରୁଥିଲା ବନ୍ଦୀ ।
ଜୟ ଡିଣ୍ଡିମ ବଜାଇ ପାଇକେ
ନାଚୁଥିଲେ ରଚି ମେଳ,
ତୀର, ଧନୁ, ଢାଲ, ତରବାରି ପରା
ଥିଲା ବାଳକର ଖେଳ ।
ଯାଜ ନଗରରେ କଟକାଇ ରଚି
ଗଙ୍ଗ-କୁଳ ତିଳକ,
ନହର ଚୂଡ଼ାରେ ନେତେ ଚିତ୍ରିଥିଲେ
ସ୍ୱାଧୀନ ରାଜ-ଫଳକ ।
ସାମ-ଭେଦ-ଦଣ୍ଡ-ଜ୍ଞାନବନ୍ତେ
ମଣ୍ଡିଥିଲେ ରାଜସଭା,
ସଚିବ ଗୋବିନ୍ଦ, ସାମନ୍ତରାୟ ସେ
ଉତ୍କଳ ବାହିନୀ ଗଭା ।
ଏହି ସେ ଗୋବିନ୍ଦ ଅନଙ୍ଗ ଅମଳେ
ତୁହାନ ନରେଶ ଯମ,
ବିନ୍ଧ୍ୟ ମୂଳରେ ଯବନ ବିଜୟୀ
ଇତିହାସେ ଘୋଷେ ନାମ ।
ପ୍ରଜା ପାତ୍ର ମନ୍ତ୍ରୀ ଘେନି ନରେଶ୍ୱର
ଦିନେ ବିଜେ ସିଂହାସନେ,
ଗଗନ ମଣ୍ଡଳ କମ୍ପି ଉଠୁଥାଏ
ବୈତାଳିକ ଯଶୋଗାନେ ।
ଏକାଳେ ନୃପତି ପାଦ ବନ୍ଦେ ଆସି
ଅନନ୍ତ ନାମରେ ଚାର,
କହେ ଜଣାଇବି ଛାମୁ ଆଜ୍ଞା ହେଲେ
ଏକାନ୍ତରେ ସମାଚାର ।
ହସି ମହାରାଜ ଭାଷିଲେ ଚାରକୁ
‘‘ନାହିଁ କେ ଏଠାରେ ପର,
ପ୍ରଜା ତ ସନ୍ତାନ, ପର ବିଚାରିଲେ
କିଏ ଆଉ ଆପଣାର ?
କହିବାର ଯାହା ନ ରଖି ଗୁପତ
ସଭାରେ ବ୍ୟକତ କର,
ଶୁଣନ୍ତୁ ଦେଶର ପାତ୍ର ଅମନାତ୍ୟ
ଶୁଣନ୍ତୁ ପ୍ରଜା ସକଳ ।
ଏ ରାଜ ମୁକୁଟ, ଏ କୁଳ ମହତ୍ତ୍ୱ
ମୂଳେ ତାଙ୍କ ବାହୁବଳ’’
ବାଣୀ ଶୁଣି ଜୟ ଜୟ କାର ନାଦେ
ସଭାରୁ ଉଠେ ଚହଳ ।
ଚାର ଭଣେ, ‘‘ଛାମୁ ! ଶୁର ବୀର ପଣ
ଜଗତ ଯାକରେ ଜଣା,
ଯଶ-ଅସହଣି ଗଉଡ଼ ଦେଶର
ନବାବ ହେଲାଣି ବଣା ।
ଲକ୍ଷ୍ମଣାବତୀରେ ସଇନି ସାଜୁଛି
ଝସାଇ ପଶିବ ଗଡ଼େ,
ଉତ୍କଳ ନରେଶ କାବୁ ହେବେ ବୋଲି
ମନ୍ତ୍ରଣା ବସି ଗଢ଼େ ।
ପଥେ କଟାସିଂହ ଦୁର୍ଗ ଆକ୍ରମଣେ
ଯବନ ବଳାଏ ମତି,
ହେଲାଣି ଆଜକୁ ଏକ ମାସ କାଳ
ଛାଡ଼ିଲି ଲକ୍ଷ୍ମଣାବତୀ ।’’
ଶୁଣି ଚାର ବାଣୀ ଉଲ୍ଲାସେ ଭାଷିଲେ
ଗୋବିନ୍ଦ ସଚିବ ମଣି,
‘‘ଅସି ଧରା ସୁଖ ବହୁ କାଳ ପରେ
ଜଗନ୍ନାଥ ଦେଲେ ଆଣି ।
ଚାଖିଥିଲା ଭାଲି ଥରେ ତ ତୁଘାନ
ଶୁଖି ନ ଥିବ ସେ ଘାଆ,
ଏଡ଼େ ବେଗେ ପୁଣି ପ୍ରତିଶୋଧ ଚିନ୍ତି
ଝାଡ଼ି ବସିଲାଣି ବାହା ।
ଦଳ ବାନ୍ଧି ମେଳ ହୁଅନ୍ତୁ ପଛକେ
କୋଟିଏ ଜ୍ୟୋତିରିଙ୍ଗଣ,
ବଉଦ ଉହାଡ଼େ ଥିଲେ ହେଲେ ଶଶୀ
ଲୁଚେ କି ତାର କିରଣ ?’’
ସମବେତ ପ୍ରଜା ପାରିଷଦ ଗଣେ
ନୃପ କରି ସମ୍ବୋଧନ,
କହିଲେ, ‘‘ସଂବାଦ ଦୂତ ଦେଲା ଯାହା
କରିଲ ତ ଅବଧାନ ।
ତୁର୍କୀ ସହଜେ ଅତି କ୍ରୂରମତି
ପ୍ରତିହିଂସା ଚିନ୍ତେ ମନ,
ଯାଜପୁର ଦୁର୍ଗ ଚଢ଼ାଉ କରିବ
ହୁଅ ସର୍ବେ ସାବଧାନ ।
ସ୍ୱାଧୀନ ଦେଶର ଗରବ ବିଭବ
ରଖିବା, ମରିବା ଅବା,
ପଣ ଏକା ସିନା ପଉରୁଷ ପଣ
କି ମନ୍ତ୍ରଣା ଦିଏ ସଭା ?’’
ଜୟ ମା କଳିଙ୍ଗ, ଜୟ ନରସିଂହ
କୁହାଟେ କମ୍ପିଲା ଧରା,
ରଣଭେରୀ ନାଦ ପ୍ରତିଧ୍ୱନି ଦେଲା
ବନ ପରବତ ସାରା ।
-ଦୁଇ-
କଳିଙ୍ଗ ସୀମାର ଉତ୍ତର ପ୍ରାନ୍ତରେ
ଉଭା କଟାସିଂହ ଦୁର୍ଗ,
ମହାନଦୀ ଯହିଁ ଅର୍ଦ୍ଧଚନ୍ଦ୍ରାକାରେ
ସାଗରେ ଅରପେ ଅର୍ଘ୍ୟ ।
ତୁଙ୍ଗ ପଣେ ଗଡ଼ ଶୃଙ୍ଗ ତ ଉତ୍ତୁଙ୍ଗ-
ଶିଖରୀଙ୍କୁ ଜିଣି ଦିଶେ,
ଘେରି ଚଉପାଶେ ଗଭୀର ପରିଖା
ଜାଗ୍ରତ ପ୍ରହରୀ କି ସେ ?
ଯକ୍ଷ ନୃପତିର ମାୟା ପୁରୀ ଶିରୀ
ଜନ ମନେ ଜନମାଏ,
ଗହଳ କାନନ ଶ୍ୟାମ ଲତା ବେଣୀ
କଟି ସରି ଘେରିଥାଏ ।
ଅଭିରାମ ନାମେ କଳିଙ୍ଗ କିଶୋର
ସେ ଦୁର୍ଗର ଅଧୀଶ୍ୱର,
ବଳବୀର୍ଯ୍ୟେ ବଳୀ, ଅତିପ୍ରିୟ ତେଣୁ
ରାଜ-ସେନାପତିଙ୍କର ।
ସଇନି ଚାଳନେ ଶୃଙ୍ଖଳା ରକ୍ଷଣେ
କୂଟ ନୀତି ବିଚକ୍ଷଣ,
ଯୁବା ଅଭିରାମ ଧୁରନ୍ଧର ଅତି
ରାଜଭକ୍ତି ପରାୟଣ ।
ଅରି ଆକ୍ରମଣ ଅଶୁଭ ମୁହୂର୍ତ୍ତ
ଜଗି ସଦା ତତପର,
ସଂବାଦ ବହନେ ଜଳବକ୍ଷେ ତରୀ
ଥିଲେ ଗୁପ୍ତ ବନଚର ।
ନିଶା ଅନ୍ତେ ଦିନେ ଗୁପ୍ତଚର କହେ-
‘‘ମହାନଦୀ ପର ପାରେ,
ତୁର୍କୀ ଛାଉଣୀ ପରି ଦିଶେ ଦୂରୁ
ବହୁ ହସ୍ତୀ ଅଶ୍ୱ ଚରେ’’
ଦଇବେ ସେଦିନ ରାଜ ଦରବାରୁ
ସାବଧାନୀ ଲେଖ ପାଇ,
ବୀର ଅଭିରାମ ଦୁର୍ଗ ରକ୍ଷୀ ସେନା
ସଜାଇ ରହିଲେ ଚାହିଁ ।
ଅମା ନିଶୀଥରେ ଶତ ତରୀ ବାହି
ହୋଇ ମହାଦନୀ ପାର,
ଯବନ ବାହିନୀ ଦୁର୍ଗ ସନ୍ନିକଟ
ଅରଣ୍ୟେ କଲେ ବିଚାର ।
‘‘ଏକ ପରେ ଏକ ଗଭୀର ପରିଖା
ଲଙ୍ଘି ଯାଅ ଦୁର୍ଗ ଘେରି,
ଅଜାଣତେ କରି ଦୁର୍ଗ ଆକ୍ରମଣ
ବଜାଅ ବିଜୟ ଭେରୀ’’
ରଣ ଗୁରୁ ଶିଙ୍ଘା ବାଜି ଜଣାଇଲା
ଦୁର୍ଗ ରକ୍ଷୀଏ ଜାଗ୍ରତ,
ତୁର୍କୀ ସେନାପତି ଆଦେଶେ ସେନାଏଁ
ଗଡ଼ଦ୍ୱାରେ ଉପଗତ ।
ରଣ ଉନ୍ମାଦନା ଜଗାଇଲେ ଜଗି
ପୁରୋଭାଗେ ଅଭିରାମ,
ନାଚିଲା ବରଛା, ଉଲଙ୍ଗ କୃପାଣ
ତ୍ରି ଦିବସ ଅବିରାମ ।
ଗଡ଼ ଛାଡ଼ି ଗଲେ ପରାଜୟ ମାନି
ତିନି ଦିନେ ଅଭିରାମ,
ଦୀନ୍ ଦୀନ୍ ରବେ କମ୍ପିଲା ଗଗନ
ଯବନ ସଫଳ କାମ ।
ଉଲ୍ଲାସେ ତୋଘାନ ଅର୍ଦ୍ଧଚନ୍ଦ୍ର ଧ୍ୱଜା
ବାନ୍ଧି ଦେଲେ ଦୁର୍ଗ ଶିରେ,
ଆଦେଶିଲେ ଲୁଟ ଇଚ୍ଛାମତେ ଗଡ଼
ଏଥର ତୁର୍କୀ ବୀରେ ।
ନାହିଁ ଘରଦ୍ୱାର ନାହିଁ ତରୁଲତା
ନାହିଁ ଖାଦ୍ୟ କଣିକାଏ,
ଦେଖିଲା ଯବନ ଭସ୍ମୀଭୂତ ଦୁର୍ଗ
ଉପହାସେ ସତେ ଚାହେଁ ।
ମରିଗଲା ମନ, ଯବନ ବାହିନୀ
ଶୂନ୍ୟ ଦୁର୍ଗ ତେଜି ଖରେ,
ନିମ୍ନେ ଅବତରି ପାତିଲେ ଛାଉଣୀ
ମହାନଦୀ ବାଲି ପରେ ।
ଦିନ ଦୁଇଚାରି ବିଶ୍ରାମି ସେନାଏଁ
ଆକ୍ରମିବେ ଯାଜପୁର,
ଜିଣିବେ ଉତ୍କଳ ଭାଗ୍ୟ ସୁପ୍ରସନ୍ନ
ପଥ ଶତ୍ରୁ ହେଲା ଦୂର ।
ଯବନ ବାହିନୀ ସଂଖ୍ୟାରେ ଅଧିକ
ଦେଖି ବୀର ଅଭିରାମ,
ସାର୍ଦ୍ଧ ଦୁଇଶତ ସେନା ମାତ୍ର ଘେନି
ତେଜି ଥିଲେ ଗିରି ଧାମ ।
କଟକ ଜଳାଇ ଗୁପତ ସୁଡ଼ଙ୍ଗ
ପଥେ ଯାଇ ଗିରି ତଳେ,
ଲକ୍ଷ୍ୟ କରୁଥିଲେ ଯବନ ସେନାର
ଜୟୋଲ୍ଲାସ କୁତୁହଳେ ।
ପ୍ରମୋଦ ମଗନ ତୁଘାନ ସେନାନୀ
ନାହିଁ ଲବେ ଭୟ ଆଉ,
ଦେଖି ସଜ ହେଲେ ବୀର ଅଭିରାମ
ସାଧିବାକୁ ଏବେ ଦାଉ ।
ନିଶି ଅନ୍ଧକାରେ ବେତସ ବନରୁ
ଘୋର କାଳାନ୍ତକ ସମ,
କଲେ ଆକ୍ରମଣ ଘେରି ଚଉପାଶ
କାହିଁ କେ ରକ୍ଷଣେ କ୍ଷମ ?
ଲୁଟି ଗଜ ଅଶ୍ୱ ରୁଣ୍ଡ କଲେ ମୁଣ୍ଡ
ଯା’ ଆଗେ ପଡ଼ିଲା ଯେହୁ,
ତର ନ ସହିଲା ଯବନ ବାହିନୀ
ଛତ୍ରଭଙ୍ଗ ଦେଉ ଦେଉ ।
ତୁଘାନ ମନରେ ଭାବି ଥିଲା ସିନା
ଦୁର୍ଗରକ୍ଷୀ ଛାରଖାର,
ପଥବାଧା ଗଲା ଯାଜପୁର ଯାଏ
ନିଧୋକ ହେଲା ଏଥର ।
ପଳାଉ ପଳାଉ ତୋଗ୍ରଲ କହଇ
ଦୂର ତ ଯାଜ ନଗର,
କେଡ଼େ ବେଗେ କାହୁଁ ସେନାଏଁ ଅଇଲେ
ନରସିଂହ ଯାଦୁକର ।
‘‘ଆଶ୍ୱିନର ଶେଷ ଶନିବାର ଦିନ
ତୁର୍କୀ କଲେ ଆକ୍ରମଣ,
ହାଣ ଖାଇ ଗଲେ’’ ବୋଲି ଅଭିରାମ
ଲେଖରେ କଲେ ଜଣାଣ ।
ରାଜ ଦରବାରେ ଚହଳ ପଡ଼ିଲା
ଉତ୍ସବେ ଭାସିଲା ପୁରୀ,
ବୀର ଅଭିରାମ ଯଶ ଅବିରାମ
ଭରିଲା ମୁଖେ ସବୁରି ।
-ତିନି-
ହାରି ସେ ତୋଘାନ ଦିଲ୍ଲୀ ଦରବାରେ
କାନ୍ଦି ଲେଖେ ଜାହାଁପନା,
ତୁମ୍ଭ ପରା ପ୍ରଭୁ ଥାଉଁ ସରିଗଲି
ଲବେ ଏ ନଫରେ ଅନାଁ ।
ଉତ୍କଳ ନରେଶ ଯାଜପୁରେ ଥାଏ
ନରସିଂହ ତାର ନାମ,
ହରାଇଲେ ମୋତେ ସଇନୀ ସାଜୁଛି
ଦିଲ୍ଲୀ ଆକ୍ରମଣ କାମ ।
ବହୁ ଭେଟ ନେଇ ତୁଘାନ ପକ୍ଷରୁ
ମନ୍ତ୍ରୀ କାଜୀ ଦୁଇ ଜଣ-
ଦିଲ୍ଲୀରେ କହିଲେ ‘‘ସାହାଯ୍ୟ ନ ଦେଲେ
ଶେଷ ଆମ ରାଜ ପଣ ।
ଯାଜପୁର ଗଡ଼ ଚଢ଼ାଉ କରିବା
ବାହିନୀ ହୋଇଲେ ରୁଣ୍ଡ,
ପଦତଳେ ଆଣି ଅରପିବୁଁ ନିଶ୍ଚେ
ନରସିଂହ କଟାମୁଣ୍ଡ ।
ଦିଲ୍ଲୀ ବାଦସାହ ସେ କାଳରେ ଥିଲେ
ସମ୍ରାଟ ଆଲ୍ଲାଉଦ୍ଦିନ,
ପ୍ରଧାନ ଉଜୀର ଦେଲେ ପରାମର୍ଶ
‘‘ଉଚିତ ସାହାଯ୍ୟ ଦାନ ।’’
ଚରମୁଖୁଁ ପୁଣି ସଂବାଦ ପାଇଲେ
ଉତ୍କଳର ନରରାଣ,
ବାଦସାହୀ ସେନା ତୁଘାନ ସହିତେ
ସ୍ଥିର କଲେ ଆକ୍ରମଣ ।
ପରାମର୍ଶ ଦେଲେ ସଚିବ ଗୋବିନ୍ଦ
ଦିଲ୍ଲୀ ସେନା ଆସୁ ଆସୁ,
ଆମ ସେନାଦଳ ବେଗେ ଯାଇ ଆଗେ
ତୁଘାନ ଗଡ଼ରେ ଝାସୁ ।
କଥାମତେ କାର୍ଯ୍ୟ, ବୀର ନରସିଂହ
ବାହିନୀ ଚଳାଇ ଗଲେ,
ଉତ୍କଳ ରମଣୀ ମାଳା ଦୀପ ଘେନି
ବନ୍ଦାଇଲେ ଦଳେ ଦଳେ ।
ମଙ୍ଗଳା ଚରଣେ ଲାଜା ଦୁଗ୍ଧ ଯାଚି
ରାଜ-ଶୁଭ ମନାସିଲେ,
ବାଜି ବାଙ୍କତୁରୀ ବଡ଼-କାଠ ଭେରୀ
ପାଇକାଣ ପଲାଶିଲେ ।
ବାଦସାହୀ ଚମୂ ଲକ୍ଷ୍ମଣାବତୀରେ
ପରବେଶ ହେବା ଆଗେ,
ଉତ୍କଳ ଭେରୀ ସଘନେ ବାଜିଲା
ଦୁର୍ଗର ଚଉଭାଗେ ।
ପ୍ରମାଦ ଗଣିଲେ ନବାବ ତୁଘାନ
ମନ୍ତ୍ରୀ ତ ପାଶେ ନାହିଁ;
ବାଦସାହ ଦେବେ ସାହାଯ୍ୟ, ଶୁଣିଛି,
ସେ ଅବା ଆସିଲେ କାହିଁ ?
ଥରେ ନୁହେଁ, ଦୁଇ ଦୁଇ ଥର ଲଢ଼ି
ଚାଖିଛି ଓଡ଼ିଶୀ ମାଡ଼,
ସାଗର ପ୍ରମାଣ ଆସିଛନ୍ତି ମାଡ଼ି
ମାନିବେ ବି ଗଡ଼ ବାଡ଼ ?
ଜାଣିଛି ନବାବ ଉତ୍କଳୀ ପାଇକେ
ଲଢ଼ିବେ ମରିବା ଯାଏ,
ପଛଘୁଞ୍ଚା ତାଙ୍କ ଜନମ ଜାତକେ
ବିହିତ ଲିହି ନ ଥାଏ ।
ଜାଣିଛି ସେ, ରକ୍ଷା ନାହିଁ ଆଉ ତାର
ବିଜେ ନିଜେ ନରସିଂହ,
ଶୃଙ୍ଗ ଅଛି ବୋଲି କୁରଙ୍ଗରେ ଦେଖି
ଡରିଯିବ କାହିଁ ସିଂହ ?
ବଛା ବଛା କେତେ ତୁରକୀ ସଇନି
ଘେନି ଲଢ଼େ ପରଚଣ୍ଡ,
ଉନ୍ମଦ ପାଇକେ ରେ ରେକାର କରି
କଲେ ଅତି ଲଣ୍ଡଭଣ୍ଡ ।
ବାହିନୀ ସମ୍ମୁଖେ ବୀର ନରସିଂହ
କରୀ-ପୃଷ୍ଠେ ଅସି ଧରି,
କହନ୍ତି ‘‘ସେନାଏଁ, କି ଶୁଣୁଛ ଆଉ ?
ଗରଜି ଆସଇ ଅରି ।
ଅଗ୍ନି-ପରୀକ୍ଷାରେ ଚିହ୍ନ ପଡ଼ି ସିନା
ପିତଳ ସୁନାର ଭାଉ,
ବୀର ଜାତି ବୋଲି ଯଶ ରଖ, ଝାସ
ଥାଉ ଅବା ଜୀବ ଯାଉ ।
ଅରି ମରଦନେ ବୀର ମରି ଦିନେ
ଜୀଇବେ ଜୀଇଲା ପରି,
ଧିକ ସେ ଶତାୟୁ- ଭୀରୁ, ଜୀଇଥାଉ
ନିତି ଗତାୟୁଷ ସରି ।
ସ୍ୱାଧୀନ ଉତ୍କଳ ଗୌରବ କେତନ
ହେବ ଯେବେ ସତେ ନତ,
ଶୃଙ୍ଖଳ-ଆବଦ୍ଧ ଶ୍ୱାପଦ ସମାନ
ମଣିବ କି କୃତକୃତ୍ୟ ?
ଶତ୍ରୁ ଶିଙ୍ଘା ରବେ ଦିଅ ପ୍ରତିଧ୍ୱନି
ଗଡ଼ରେ ପଶ ଝସାଇ,
ଜୟ ବିରଜାଈ ଜୟ ଜଗନ୍ନାଥ
ସାହା ସେ ଉତ୍କଳ-ସାଇଁ ।
ଅବନତ କର ଯବନ କେତନ;
ଅର୍ଦ୍ଧଚନ୍ଦ୍ର ବକ୍ଷେ ଧରେ,
ସାମ୍ୟ, ମୈତ୍ରୀ ଜଗନ୍ନାଥ ବାନା
ଉଡ଼ାଅ ବାୟୁ ଲହରେ ।
ଗରଜି ଉଠିଲା ବିରାଟ ବାହିନୀ
କମ୍ପେ ‘ବିରଜାଈ’ ନାଦ,
ଟଳମଳ ହେଲା ଦୁର୍ଗ ପ୍ରାଚୀର
ଯବନ ଗଣେ ପ୍ରମାଦ ।
ମରଣ-କାମୁଡ଼ା ଦିଏ ହିଂସ୍ର ଜୀବ
ଯନ୍ତାରେ ବାଜିଲେ ଭାଲି,
ରୁନ୍ଧି ହୋଇ ଦୁର୍ଗେ ତୁଘାନ ତେସନ
ଗର୍ଜ୍ଜନ ଛାଡ଼େ ଖାଲି ।
ଦିନେ ସଂଧ୍ୟାର ସ୍ତିମିତ ଆଲୋକେ
ଘୋଡ଼ାରେ ଚଢ଼ି ତୁଘାନ,
ସ୍ୱଳ୍ପ ସୈନିକ ଘେନି ଝାମ୍ପ ଦେଲା
ବଞ୍ଚାଇବା ପାଇଁ ମାନ ।
ବିପୁଳ ଉତ୍କଳ- ବାହିନୀ ମଧ୍ୟରେ
ବୀର ଦର୍ପରେ ଲଢ଼ି,
ଅନ୍ଧାରେ କାହିଁ ଗଡ଼ ଛାଡ଼ିଗଲା
ପଳାଇ ଅଶ୍ୱ ଚଢ଼ି ।
ଅର୍ଗଳ ହୀନ- ଗଡ଼ରେ ପଶିଲେ
ଉତ୍କଳ ବୀର ସେନା,
ଲକ୍ଷ୍ମଣାବତୀ- ରାଜଲକ୍ଷ୍ମୀର
ଆରତି କଲେ ସେ ଘେନା ।
ପ୍ରାସାଦ ଚୂଡ଼ାରେ ଗରବେ ଉଡ଼ିଲା
ଗଙ୍ଗ ବିଜୟ ଧ୍ୱଜା,
ଜୟ ନରସିଂହ ଗୌଡ଼ ବିଜୟୀ
ଚଉଦିଗେ ବାଜେ ବାଜା ।
ବାହୁଡ଼ିଲେ ବୁକୁ ଫୁଲାଇ ପାଇକେ
ଅରି ମୁଖେ ବୋଳି କାଳି,
ହୁଳହୁଳି ଦେଇ କୁସୁମ ଚନ୍ଦନେ
ବନ୍ଧାଇଲେ ପୁର ବାଳୀ ।
‘ଜୟ ଜଗନ୍ନାଥ !’ ‘ଜୟ ବିରଜାଈ !’
ଶବଦେ କମ୍ପିଲା ଧରା,
ବନ୍ଦୀ ଗାଇଲା ‘ଜୟ ନରସିଂହ’-
ଉତ୍କଳ ଶିର-ଝରା ।


Post a Comment