ନୀତିରତ୍ନାବଳୀ
ନୀତିରତ୍ନାବଳୀ
ଲେଖକ / କବି : ଗିରିଜାକୁମାର ବଳିୟାରସିଂହ
ପ୍ରଥମ ହାର
ବିଦ୍ୟାଟି ନରର ରୂପ ଅତି ଗୁପ୍ତ ଧନ,
ବିଦ୍ୟାଟି ସମ୍ୱୋଗ-ଶୁଭ-ଯଶର କାରଣ ।
ବିଦ୍ୟା ଅଟେ ମହାଗୁରୁ ସଦା ସର୍ବ ଦେଶେ,
ବିଦ୍ୟାଟି ପରମବନ୍ଧୁ ରହିଲେ ବିଦେଶେ ।୧।
ବିଦ୍ୟାଟି ସଂସାରେ ଏକା ଦେବତା ରତନ,
ବିଦ୍ୟାଟି ରାଜାର ପୂଜ୍ୟ-ପୂଜ୍ୟ ନୁହେଁ ଧନ ।
ଧିକ ସେ ଯାହାର ବିଦ୍ୟା ନାହିଁ ଏ ସଂସାରେ,
ପଶୁବୋଲି ପରିଚିତ ପଣ୍ଡିତ ସଭାରେ ।୨।
ଜ୍ଞାତିମାନେ ନ ନିଅନ୍ତି ସେ ଧନ ବଣ୍ଟନେ,
ଅପହୃତ ନ ହୁଅଇ କେବେ ଚୋର ଗଣେ ।
ବହୁ ଦାନ କଲେ ପୁଣି କ୍ଷୟ ନାହିଁ ଯାର,
ବିଦ୍ୟାସମ ଧନ କାହିଁ ଅଛଇ କାହାର ?।୩।
ନିଜକୁ ଅମର ଭାବି ବୁଦ୍ଧିମାନ ଜନ
ବିଦ୍ୟା ଆଉ ଅର୍ଥ ସଦା କରେ ଉପାର୍ଜନ ।
ମୃତ୍ୟୁକୁ ନିକଟେ ଭାବି ହୋଇ ଲାଳାୟିତ
ଧର୍ମ କାର୍ଯ୍ୟେ ରତ ହେବା ଅଟଇ ଉଚିତ ।୪।
ଗୁଣ ଯାର ଥାଏ ପାଏ ପରମ ଆଦର,
ସଂସାର ଭିତରେ କାହିଁ ଆଦର ରୂପର ?
ପୁଷ୍ପ ହେଉ ପଛେ ଯେତେ ନେତ୍ର ତୃପ୍ତିକର,
ସୁଗନ୍ଧ ନ ଥିଲେ ତାକୁ କେ କରେ ଆଦର ?।୫।
ଗୁଣୀସିନା ଗୁଣୀ ଗୁଣ ବୁଝଇ ଜଗତେ,
ର୍ନିଗୁଣ ତାହାର ଗୁଣ ବୁଝିବ କେମନ୍ତେ ?
ବଳୀ ସିନା ବୁଝି ପାରେ ବଳବନ୍ତ ବଳ,
କିପରି ବୁଝିବ ବଳ ତାହାର ଦୁର୍ବଳ ?।୬।
ବସନ୍ତ ଗୁଣ ଗ୍ରହଣେ ପିକଟି ସକ୍ଷମ,
ବୁଝିବାରେ ହୁଏ ତାହା ବାୟସ ଅକ୍ଷମ ।
କରି ହରି ବଳ ସିନା ବୁଝି ନିଏ ମନେ,
ଛାର ସେ ମୂଷିକ ତାହା ବୁଝିବ କେସନେ ?।୭।
ଗୁଣୀ ଗୁଣଜ୍ଞର ପାଶେ ଗୁଣୀ ହୋଇ ରହେ,
ନିର୍ଗୁଣର ପାଶେ ସଦା ଦୋଷରାଶି ବହେ ।
ନଦୀର ନିର୍ମଳ ଜଳ ମଧୁର ସ୍ୱଭାବେ,
ସାଗର ପଡ଼ିଲେ ଘୃଣ୍ୟ ମିଷ୍ଟତା ଅଭାବେ ।୮।
ସଂସାରେ ଯଥାର୍ଥ ସାଧୁ ଅଟେ ଯେଉଁ ଜନ,
ଦୋଷମାନ ଗୁଣ ରୂପେ କରଇ ଗ୍ରହଣ ।
ପରମ ଅସାଧୁ ବୋଲି ବୋଲାଏ ସେ ଜନେ,
ଗୁଣମାନ ଦୋଷ ରୂପେ ଧରେ ଯେହୁ ମନେ ।୯।
ସାଗରରୁ ଲୁଣୀ ଜଳ ଖାଏ ଜଳଧର,
ମାତ୍ର ମିଷ୍ଟଜଳ ଦାନେ ହୁଏ କି କାତର ?
ବିଷଧର ସୁମଧୁର ଦୁଗ୍ଧ ପାନ କରେ,
ମାତ୍ର ଦେଖ ମହା କଟୁ ଗରଳ ଉଦ୍ଗାରେ ।୧୦।
ସଂସାର ଖଳର ବିଦ୍ୟା ବିବାଦ କାରଣ,
ଗର୍ବର କାରଣ ତାର ଧନ ଉପାର୍ଜନ ।
ମହାଶକ୍ତି ବହେ ସେହୁ ପରର ପୀଡ଼ନେ,
ଏହାସବୁ ବିପରିତ ମାତ୍ର ସାଧିୁଜନେ ।୧୧।
ଜ୍ଞାନ ହେତୁ ବିଦ୍ୟା ତାର, ଦାନ ହେତୁ ଧନ,
ପର ରକ୍ଷା ହେତୁ ତାର ଶକ୍ତିର ସାଧନ ।
ବଳଠାରୁ ବୁଦ୍ଧି ବଡ଼ ବିଦିତ ଭୁବନେ,
ବଳ ଅଛି ବୁଦ୍ଧି ନାହିଁ, କି ହେବ ସେ ଜନେ ?।୧୨।
ବୁଦ୍ଧି ନାହିଁ ମାତ୍ର ବଳ ଧରି ସର୍ବକ୍ଷଣ
ଭାବି ଦେଖ ହସ୍ତୀ ଦଶା ହୁଅଇ କେସନ ।
ହସ୍ତିର ଉପରେ ଚଢ଼ି ମାହୁନ୍ତ ଅଙ୍କୁଶ-
ଆଘାତେ କ୍ରମଶଃ ତାକୁ ଦିଏ କୃଶ ।୧୩।
ନିର୍ମେଘ ପୂର୍ଣିମାରାତ୍ରି ବୋଲାଏ ଯାମିନୀ,
ରୂପଯୁକ୍ତା ପତିବ୍ରତା ବୋଲାଏ କାମିନୀ ।
ହରିପ୍ରେମ ସୁଧାରସ ବୋଲାଏ ମାଧୁରୀ,
ତାରେ ଯେ ଉଭୟ ଲୋକ ଅଟେ ସେ ଚାତୁରୀ ।୧୪।
ରଖେ ନାହିଁ ଅହଁଙ୍କାର କେତେବେଳେ ମନେ,
ଭ୍ରମେ ଶୁଦ୍ଧା ପର ନିନ୍ଦା ନ ଭାଷେ ବଦନେ ।
କଦାପି ନିଷ୍ଠୁର ବାକ୍ୟ ନ ଆଣଇ ମୁଖେ,
କଟୁ କଥା ଶୁଣି ସୁଦ୍ଧା ରହେ ମହାସୁଖେ ।୧୫।
କ୍ରୋଧ ଯାର ମନେ କେବେ ନ ପାଏ ଆଶ୍ରୟ,
ବୋବା ପର ରହେ ଜାଣି ଶାସ୍ତ୍ର ସମୁଦାୟ ।
ପର ଦୋଷ ଦେଖିକରି କରଇ ଗୋପନ,
ଦେଖିଲେ ପରର ଗୁଣ କରଇ କୀର୍ତ୍ତନ ।୧୬।
ଏହି ଅଷ୍ଟ ମହାଗୁଣ ଅଛଇ ଯାହାର,
ଯଥାର୍ଥ ପାଣ୍ଡିତ୍ୟ ଲାଭ ହୋଇଛି ତାହାର ।
ଚିନ୍ତାଶୁନ୍ୟ, ବହୁଭୋଜୀ, ଅତ୍ୟନ୍ତ ବାଚଳ,
ଦିବା ନିଶି ନିଦ୍ରା ଯାଏ- ନାହିଁ କାଳାକାଳ ।୧୭।
ଥାଏ ନାହିଁ କିଛି ମାତ୍ର ହିତାହିତ ଜ୍ଞାନ,
ମାନ ଅପମାନ ତାର ଦୁଇଟି ସମାନ ।
ରୋଗ ଶୋକ ତାପ କେବେ ଭୋଗ ସେ ନ କରେ,
ଦେହ ତାର ହୃଷ୍ଟ ପୃଷ୍ଟ-ବହୁ ବଳ ଧରେ ।୧୮।
ଏକାଧାରେ ଅଷ୍ଟ ଗୁଣ କରିଣ ଧାରଣ,
ମହାସୁଖେ ବଞ୍ଚି ରହେ ମୁର୍ଖ ଯେଉଁ ଜନ ।
ଦରିଦ୍ର ଲୋକର ସଙ୍ଗ କେହି ନ ଇଚ୍ଛନ୍ତି,
ଆଦର କରିଣ ତାକୁ କେହି ନ ଡାକନ୍ତି ।୧୯।
କରେ ଯେବେ ଧନି ଗୃହେ ଉତ୍ସବେ ଗମନ,
ତୁଚ୍ଛଭାବି କେହି ତାକୁ ନ କରେ ଲୋକନ ।
ପଞ୍ଚ ମହାପାପ ଅଛି ଶାସ୍ତ୍ର ଏହା କହେ,
ଷଷ୍ଠ ମହାପାପ ନାମ ଦାରିଦ୍ର୍ୟଟି ବହେ ।୨୦।
ଧନହୀନେ ଧନ ଦାନ ଧନିର ଉଚିତ,
ଚିରଦିନ ରହେ ନାହିଁ ଧନ ସୁସଞ୍ଚିତ ।
ବିକ୍ରମଆଦିତ୍ୟ କିବା କର୍ଣ୍ଣ ମହାମତି,
ଦାନ ହେତୁ ଏହାଙ୍କର ପୃଥିବୀରେ ଖ୍ୟାତି ।୨୧।
କେତେ କଷ୍ଟ ଲଭି ମଧୁମକ୍ଷିକା ନିଚୟ,
ଲୋଭେ ପ୍ରାଣପଣେ ମଧୁ କରନ୍ତି ସଞ୍ଚୟ ।
କାହାକୁ ଦେବାକୁ ବଳେ ନାହିଁ କାବେ ମନ,
କିବା ନିଜେ ନ କରନ୍ତି କେବେହେଁ ଭୋଜନ ।୨୨।
ନିଷ୍ଠୁର ମାନବ ତାହା ଦେଖେ ଯେବେ ଥରେ,
ଅଗ୍ନିଜାଳି ଦେଇ ମଧୁ ମକ୍ଷିକା ମୁଖରେ ।
ମଧୁ ସବୁ ଆନନ୍ଦରେ କରେ ଆହରଣ,
ଦାନ ଭୋଗ ବିନା ଧନ ହୁଏ ଅକାରଣ ।୨୩।
ମନ ଦୁଃଖେ ବସି ରହି ମକ୍ଷିକା ନିଚୟ,
ହସ୍ତ ପାଦ ଘଷୁଥାନ୍ତି ପାଇଲେ ସମୟ ।
ହସ୍ତୀ ଶୋଭା ପାଏ ମଦ ହୋଇଲେ କ୍ଷରଣ,
ପଦ୍ମ ଫୁଟି କରେ ସଦା ଜଳକୁ ଶୋଭନ ।୨୪।
ପୂର୍ଣ୍ଣ ଚନ୍ଦ୍ରୋଦୟେ ଶୋଭେ ପୂର୍ଣ୍ଣିମା ରଜନୀ,
ସଚ୍ଚରିତ୍ରା ହେଲେ ସଦା ଶୋଭଇ ରମଣୀ ।
ଅଶ୍ୱଶୋଭା ପାଏ ଯେବେ ଥାଏ ଦ୍ରୁତଗତି,
ଉତ୍ସବ ଘଟିଲେ ନିତି ଗୃହ ଶୋଭେ ଅତି ।୨୫।
ବ୍ୟାକରଣ ଜାଣିଥିଲେ ବାକ୍ୟ ଶୋଭା ଧରେ,
ନଦୀ ଶୋଭା ପାଏ ଯେବେ ହଂସଯୂଥ ଚରେ ।
ପଣ୍ଡିତ ବସିଲେ ଶୋଭା ପାଏ ରାଜସଭା,
ସୁପୁତ୍ର ହୋଇଲେ ତାର ବଢ଼େ ବଂଶ ପ୍ରଭା ।୨୬।
ରାଜ୍ୟର ଶୋଭା ବିରାଜେ ଥିଲେ ସୁ ରାଜନ,
ବିଷ୍ଣୁ ଥିବା ଯୋଗେ ଶୋଭା ପାଏ ତ୍ରିଭୁବନ ।
ଚିକିତ୍ସକ ଅଟେ ମାତ୍ର ମଦ୍ୟ ପାନେ ମତି,
ନଟ ଅଟେ ମାତ୍ର ତାର ଶିକ୍ଷା ନାହିଁ ଅତି ।୨୭।
ବ୍ରାହ୍ମଣ ଅଟଇ ମାତ୍ର ନାହିଁ ବେଦଜ୍ଞାନ,
ଯୋଦ୍ଧା ଅଟେ ମାତ୍ର ପ୍ରାଣେ ଭୟ ବିଦ୍ୟମାନ ।
ଅଶ୍ୱହୋଇ ଯେବେ ତାର ନାହିଁ ଦ୍ରୁତଗତି,
ସନ୍ୟାସୀ ଅଟଇ ମାତ୍ର ଗଣ୍ଡମୂର୍ଖ ଅତି ।୨୮।
ରାଜା ହୋଇ ଥାଏ ଯେବେ କୁମନ୍ତ୍ରୀ ତାହାର,
ଦେଶ ଥାଇ ହୁଏ ଯେବେ ବିପଦ ଅଗାର ।
ଭାର୍ଯ୍ୟାହୋଇ, ଦେଖି ଯେବେ ନିଜର ଯୌବନ,
ତୁଚ୍ଛ କରି ଗଣେ ପତି, ଭଜେ ଅନ୍ୟ ଜନ ।୨୯।
ଏ ସଂସାରେ ଏହି ସର୍ବେ ବଡ଼ ଭୟଙ୍କର,
ବର୍ଜନ କରନ୍ତି ସଦା ବୁଦ୍ଧିମାନ ନର ।
କ୍ଷମା ଗୁଣ ଥିଲେ କବଚେ କି ପ୍ରୟୋଜନ ?
କ୍ରୋଧ ଥିଲେ ଅନ୍ୟ ଶତ୍ରୁ କି ଭୟ ଭାଜନ ?।୩୦।
ଜ୍ଞାତି ଯଦି ଥାଏ ତେବେ କି କରେ ଅନଳ ?
ସୁହୃଦ ଅଛଇ ଯେବେ ଔଷଧେ କି ଫଳ ?
ଦୁର୍ଜନ ସହିତ ଥିଲେ ସର୍ପେ କିବା ଡର ?
ସୁବିଦ୍ୟା ଅଛଇ ଯେବେ ଧନେ କି ଆଦର ?।୩୧।
ଲଜ୍ଜାଗୁଣ ଥାଏ ଯେବେ କି କରେ ଭୂଷଣ ?
ସୁକବି ହୋଇଲେ ରାଜ୍ୟେ କିବା ପ୍ରଯୋଜନ ?
ଜଳର ପ୍ରଭାବେ ହୁଏ ଅଗ୍ନିର ଦମନ,
ଛତ୍ର ଯୋଗେ ବୃଷ୍ଟି ରୌଦ୍ର ହୁଏ ନିବାରଣ ।୩୨।
ମତ୍ତହସ୍ତୀ ଶାନ୍ତି ହୁଏ ଅଙ୍କୁଶ ଘାତରେ,
ଗୋ ଗର୍ଦ୍ଦଭ ଶାନ୍ତ ହୋନ୍ତି ଦଣ୍ଡାଘାତ ଡରେ ।
ବୈଦ୍ୟର ଔଷଧବଳେ ରୋଗହୁଏ ଦୂର,
ମନ୍ତ୍ରବଳେ ବିଷବଳ ହୋଇଯାଏ ଚୂର ।୩୩।
ସଂସାରେ ରହିଛି, ସକଳର ପ୍ରତୀକାର,
ପ୍ରତୀକାର ନାହିଁ କିଛି କେବଳ ମୂର୍ଖର ।
ବ୍ରାହ୍ମଣ ଅଟଇ ମାତ୍ର ଶାସ୍ତ୍ରଜ୍ଞାନହୀନ,
ବୟସେ ପ୍ରାଚୀନ, ମାତ୍ର ଗୃହେ ସମାସୀନ ।୩୪।
ଲମ୍ପଟ ଅଟଇ ମାତ୍ର ହସ୍ତେ ନାହିଁ ଅର୍ଥ,
ସନ୍ୟାସି ହୋଇଣ ଯେବେ ଧନ ଲୋଭେ ମତ୍ତ ।
ବେଶ୍ୟା ଅଟେ ମାତ୍ର ଯେବେ ରୂପ ନାହିଁ ତାର,
ରାଜା ଅଟେ ମାତ୍ର ତାର କଦର୍ଯ୍ୟ ଆଚାର ।୩୫।
ସଂସାର ଭିତରେ ଭାଇ ଏହି ଷଡ଼ ଜଣ
ନିଶ୍ଚୟ ଜାଣିବ ମନେ ମହା ବିଡ଼ମ୍ୱନ ।
ଅର୍ଥଦାନ କଲେ ଯେବେ ଅର୍ଥଶୂନ୍ୟ ଜନ,
ପ୍ରଭୁ ଯଦି ହୁଏ ସଦା କ୍ଷମାପରାୟଣ ।୩୬।
ଯୁବା ଯଦି ଈଶ୍ୱରଙ୍କ ଉପାସନା କରେ,
ଜ୍ଞାନୀଜନ ମୁଖେ ସବୁବେଳେ ମୌନ ଧରେ ।
ସୁଖି ଯଦି ସୁଖଭୋଗେ ନ ହୋଇ ମଗନ
ତାପିତ ପରାଣେ କରେ ଦୟା-ବାରି ଦାନ ।୩୭।
ଏତେ ଗୁଣେ ଅନାୟାସେ ଏହି ଷଡ଼ ଜଣ
ମହାସୁଖେ ସ୍ୱର୍ଗଧାମେ କରନ୍ତି ଗମନ ।
ଯେ ରାଜାର ଦୁଷ୍ଟ ମନ୍ତ୍ରୀ ହୁଅଇ ସହାୟ,
ଦୁର୍ନୀତି ତାହାର ପାଶେ ନିଅଇ ଆଶ୍ରୟ ।୩୮।
କୁପଥ୍ୟେ ଯାହାର ରହେ ସବୁବେଳେ ମନ,
ଚିରଦିନ ରୋଗ ଭୋଗ କରେ ସେହି ଜନ ।
ଦର୍ପ ବଢ଼ୁଥାଏ ଯାର ବଢ଼ୁଥାଏ ଧନ,
ଯମ ଭ୍ରମେ କାହାକୁ କି ନ କରେ ନିଧନ ?।୩୯।
ବିଷୟ ଆଶକ୍ତ କରେ ନାହିଁଟି କାହାର
ମନ ଅନୁତାପ ନଳେ ଦଗ୍ଧ ଅନିବାର ?
ଲୋଭଠାରୁ ଅନ୍ୟ ଦୋଷ କି ଅଛି ସଂସାରେ ?
ଅନ୍ୟ କାଏ ପାପୀ ଅଛି ଖଳତା ଯାଠାରେ ?।୪୦।
ସୁଜନତା ଥିଲେ ଲାଭ କିସ ଅନ୍ୟ ଗୁଣେ ?
ନିଜର ମାହାତ୍ମ୍ୟ ଥିଲେ କି କାର୍ଯ୍ୟ ଭୂଷଣେ ?
ତପେ ଜପେ କିବା ଫଳ ସତ୍ୟ ଯାର ବଳ ?
ମନ ଯାର ଶୁଚି ତାର ତୀର୍ଥେ କିବା ଫଳ ?।୪୧।
ସୁବିଦ୍ୟା ଯାହାର ଥାଏ କି ଫଳ ତା ଧନେ ?
ଅପଯଶ ଥାଏ ଯେବେ କ୍ଷତି କି ମରଣେ ?
ବାସନା କରଇ ଯେହୁ ସାଧୁ ସହବାସ,
ପର ଗୁଣ ଦେଖି ଜନ୍ମେ ଯାହାର ଉଲ୍ଲାସ ।୪୨।
ବିଦ୍ୟା ଲାଭେ ପ୍ରାଣପଣେ ବହୁ ଯତ୍ନ କରେ,
ଗୁରୁଜନ ପ୍ରତି ଯେହୁ ନମ୍ର ଭାବ ଧରେ ।
ନିଜ ପତ୍ନୀ ପ୍ରୀତି ପ୍ରତି ଅଛଇ ଯାହାର,
ଲୋକନିନ୍ଦା ଭୟ ହୃଦେ ଯେ କରେ ବିଚାର ।୪୩।
ହରିଙ୍କ ଚରଣେ ସଦା ଥାଏ ଯାର ମନ,
ନିଜର ଦମନେ ଶକ୍ତି ଧରଇ ଯେ ଜନ ।
ଖଳସଙ୍ଗ ତ୍ୟାଗ ବ୍ରତ ଅଟଇ ଯାହାର,
ଏହିସର୍ବ ମହାତାଙ୍କ ପଦେ ନମସ୍କାର ।୪୪।
ଛେଦନ କରିଣ ଚୂତ ଚମ୍ପକ ଚନ୍ଦନ,
ନିମ୍ୱ ବୃକ୍ଷ ରଖିଥାନ୍ତି କରିଣ ଯତନ ।
ମୟୁର କୋକିଳ ଆଉ ହଂସ କରି ବଧ,
ବାୟସେ ଆଦର କରି ପାଳିବାରେ ସାଧ ।୪୫।
ହସ୍ତିର ବଦଳେ ଥାଏ ଗର୍ଦ୍ଦଭେ ଆଦର,
କର୍ପୂର କାର୍ପାସେ ଭେଦ ନ ଥାଏ ବିଚାର ।
ଯେ ଦେଶେ ଗୁଣିର ପ୍ରତି ଏପରି ଆଚାର,
ସେ ଦେଶର ଶ୍ରୀଚରଣେ ଲକ୍ଷ ନମସ୍କାର ।୪୬।
ବୃକ୍ଷ ଛାଡ଼ି ଯାଏ ପକ୍ଷୀ ଶେଷ ହେଲେ ଫଳ,
ସାରସ ସରସୀ ଛାଡ଼େ ଶୁଖିଗଲେ ଜଳ ।
ମଧୁ ସରିଗଲେ ପୁଷ୍ପ ଛାଡ଼ଇ ଭ୍ରମର,
ଦଗ୍ଧ ବନ ଛାଡ଼ି ମୃଗ ଦୂରେ କରେ ଘର ।୪୭।
ବେଶ୍ୟା ଛାଡ଼େ ଲମ୍ପଟକୁ ନ ପାଇଲେ ଧନ,
ରାଜ୍ୟଶୂନ୍ୟ ହେଲେ ରାଜା ଛାଡ଼େ ମନ୍ତ୍ରୀଗଣ ।
ସ୍ୱାର୍ଥବଶେ ବନ୍ଧୁସିନା ଅଟେ ଯେ ଯାହାର,
ସ୍ୱାର୍ଥ ତୁଟି ଗଲେ କେହି ନୁହଁନ୍ତି କାହାର ।୪୮।
ପ୍ରତିଦିନେ ଗୃହ ମଧ୍ୟେ ସମାଗତ ଧନ,
ରୋଗ ଶୋକ ପରି ଶୂନ୍ୟ ଦେହ ଆଉ ମନ ।
ପ୍ରିୟତମା ଭାର୍ଯ୍ୟା ପୁଣି ମଧୁର ଭାଷିଣୀ,
ବଶୀଭୁତ ପୁତ୍ର, ବିଦ୍ୟା ଅର୍ଥ ପ୍ରଦାୟିନୀ ।୪୯।
ଏ ଷଡ଼ ଦୁର୍ଲ୍ଲଭ ଧନ ଶୁଣ ମହାରାଜ,
ସଂସାରରେ ସୁଖ ପାଇଁ କରନ୍ତି ବିରାଜ ।
ବିହାୟସେ ବିହଙ୍ଗମେ କରନ୍ତି ବିହାର,
ତଥାପି ସେ ବ୍ୟାଧ ପାଶୁଁ ନ ପାନ୍ତି ନିସ୍ତାର ।୫୦।
ଗଭୀର ଜଳରେ ମୀନ କରି ସନ୍ତରଣ
ଧୀବର ଜାଲରେ ପୁଣି ହୁଅନ୍ତି ପତନ ।
ଯେତେ ଦୂର ଯାଅ ପଛେ ଆହେ ଜୀବଗଣ,
ହସ୍ତ ପ୍ରସାରୀଣ କାଳ କରେ ଆକର୍ଷଣ ।୫୧।
ଦୁଇ ଖଣ୍ଡ କରେ ତୃଣ ପଡ଼େ ଯେବେ କରେ,
ମାଟିରେ କାଟଇ ଗାର ବସିଣ ନଖରେ ।
ଦୁଇପାଦ ଦରଧୁଆ କରେ ଯେଉଁ ଜନ,
ଭଲ କରି ଦନ୍ତ ପନ୍ତି ନ କରେ ମାର୍ଜନ ।୫୨।
ମୁଖ ନ ଧୋଇବା ଯୋଗେ ମଳି ଯା ବଦନେ,
କେଶରାଶି ରୁକ୍ଷ ଯାର ତଇଳ ବିହୁନେ ।
ଦୁଇ ସନ୍ଧ୍ୟା ନିଦ୍ରା ଯାଏ ହୋଇ ଅଚେତନ,
ଉଲଙ୍ଗ ହୋଇଣ କରେ ଶଯ୍ୟାରେ ଶୟନ ।୫୩।
ଉଦରସର୍ବସ୍ୱ ସଦା ଉଚ୍ଚହାସ ମୁଖେ,
ନିଜାଙ୍ଗେ ଆସନେ କରେ ବାଦ୍ୟ ଯେହୁ ସୁଖେ ।
ଏ ସବୁ ବିଷୟେ ସଦା ରତ ଯେବେ ମନ,
କୁବେର ବରୁଣ କିବା ଦେବ ନାରାୟଣ ।୫୪।
ହେଲେ ସୁଦ୍ଧା ତାଙ୍କ ପ୍ରତି ପ୍ରୀତି କରି ଦୂର
ବିରକ୍ତରେ ଲକ୍ଷ୍ମୀଦେବୀ ହୁଅନ୍ତି ଅନ୍ତର ।
ଭୋଗେ ରୋଗ ଭୟ, କୁଳେ ଦୁର୍ନାମର ଭୟ,
ଧନେ ରାଜଭୟ, ମାନେ ଥାଏ ଦୈନ୍ୟ ଭୟ ।୫୫।
ବଳେ ଶତ୍ରୁ ଭୟ, ରୂପେ ଯୁବତୀର ଭୟ,
ଶାସ୍ତ୍ରେ ବାଦି ଭୟ, ଗୁଣେ ହୁଏ ଖଳ ଭୟ ।
ଦେହେ ଯମ ଭୟ, ଭିନ୍ନ କିବା ଛଡ଼ା ଭୟ,
ସଂସାରେ କେବଳ ଏକା ବୈରାଗ୍ୟ ଅଭୟ ।୫୬।
ଦିବସରେ ଚନ୍ଦ୍ର ଧରେ ଧୂସର ବରଣ,
ନାରୀର ନ ଥାଏ ରୂପ ତୁଟିଲେ ଯୌବନ ।
ଶୁଷ୍କହୋଇ ପଦ୍ମ ହୀନ ହେଲେ ସରୋବର
ହୁଏ ନାହିଁ ତାହା କେବେ ଶୋଭାର ଆଧାର ।୫୭।
ଅତି ସୁପୁରୁଷ ସ୍ୱଭାବ ସୁନ୍ଦର,
ମାତ୍ର ମୁଖ ହୁଏ ଯେବେ ତାର ନିରକ୍ଷର ।
ରକ୍ଷାକର୍ତ୍ତା ପ୍ରଭୁ ହେଲେ ଧନ ପରାୟଣ,
ସୁଜନ ହୋଇଣ ହେଲେ ପରମ ନିର୍ଧନ ।୫୮।
ଖଲଜନ ବାସକଲେ ରାଜାର ଭବନେ,
ଏହି ସାତ ଶଳ୍ପ ସମ ବୋଧ ହୁଏ ମନେ ।
ଶତ ମୁଦ୍ରା ଇଚ୍ଛା କରେ ଯେ ଜନ ନିର୍ଦ୍ଧନ,
ପାଇଲେ ଶତେକ ମୁଦ୍ରା ସହସ୍ରେ ମନନ ।୫୯।
ସହସ୍ର ପାଇଲେ ଭାବେ ହେବ ଲକ୍ଷପତି,
ଲକ୍ଷପତି ହେଲେ ଭାବେ ହେବାକୁ ଭୂପତି ।
ଭୂପତି ଇଚ୍ଛଇ ପୁଣି ହେବେ ଚକ୍ରେଶ୍ୱର,
ଚକ୍ରେଶ୍ୱର ହେଲେ ଭାବେ ହେବି ପୁରନ୍ଦର ।୬୦।
ପୁରନ୍ଦର ବ୍ରହ୍ମପଦ, ବ୍ରହ୍ମା ବିଷ୍ଣୁ ପଦ,
ବିଷ୍ଣୁ ଇଚ୍ଛା କରୁଥାନ୍ତି ଶିବଙ୍କ ସମ୍ପଦ ।
ଯେତେ ଚାହେଁ ତେତେ ପାଏ ତେବେ ଇଚ୍ଛାକରେ,
ପାମର ଦୁରାଶା ତାର ପେଟ କାହିଁ ଭରେ ?।୬୧।
ମିତ୍ରକୁ କରିବ ବଶ ସାଧୁ ଆଚରଣେ,
ଶତ୍ରୁକୁ କରିବ ବଶ ନୀତି-ବଳଦାନେ ।
ଲୋଭିକୁ କରିବ ବଶ ଧନ ବିତରଣେ,
ପ୍ରଭୁକୁ କରିବ ବଶ କାର୍ଯ୍ୟ ସମାପନେ ।୬୨।
ସମ୍ମାନେ କରିବ ବସ ଯେତେକ ବ୍ରାହ୍ମଣ,
ବିଦ୍ୟାକୁ କରିବ ବଶ ହୋଇ ଏକମନ ।
ମନର ସଂଯମେ ରଖ ବଶେ ବନ୍ଧୁଗଣେ,
ସ୍ତବ କରି ବଶେ ରଖ ଅତିକ୍ରୁଦ୍ଧ ଜନେ ।୬୩।
ଗୁରୁଙ୍କୁ ରଖିବ ବଶେ ସର୍ବଦା ବିନୟେ,
ମୁର୍ଖକୁ ରଖିବ ବଶେ ମିଷ୍ଟ କଥା ବ୍ୟୟେ ।
ପଣ୍ଡିତଙ୍କୁ ରଖ ବଶେ ଶାସ୍ତ୍ର ଆଳାପନେ,
ରସିକକୁ ରଖ ବଶେ ରସର କଥନେ ।୬୪।
ଅନ୍ୟ ମାନେ ବଶ ହେବେ ସଦା ଶିଷ୍ଟାଚାରେ,
ଏତେ ଗୁଣେ ସର୍ବେ ବଶ ହୋଇବେ ସଂସାରେ ।
ଲଘୁ ହୋଇ ଯାଏ ଲୋକ କରେ ଯେ ପ୍ରାର୍ଥନା,
ଲମ୍ପଟ ହୋଇଲେ ଲୋକ ପାଇବ ଲାଞ୍ଛନା ।୬୫।
ଅତି ବଢ଼ି ଗଲେ ଶିଘ୍ର ଛିଡ଼ିବ ନିଶ୍ଚୟ,
ଲୋଭ ଥାଏ ଯାର ତାର ଦୁର୍ନାମର ଭୟ ।
ଯୁଦ୍ଧ ନ ଜାଣିବା ଲେକ ହୁଏ ପରାଜିତ
ଦେଖି ପର ଦୋଷ ଦୁଷ୍ଟ ତୋଷେ ନିଜ ଚିତ୍ତ ।୬୬।
ସନ୍ଦେହ ଜନ୍ମଇ ଯେ କରଇ ଦୋଷ,
ଯେ କହେ କୁବାକ୍ୟ ତାର ପ୍ରତି ସର୍ବେ ରୋଷ ।
ପଶାଖେଳେ ମତ୍ତ ହୁଏ ଅନୁକ୍ଷଣ,
ଅନନ୍ତ ଦୁଃଖର ଭାଗୀ ହୁଏ ସେହି ଜନ ।୬୭।
ରାଜାର ଉଚିତ ଧର୍ମେ ଦେବା ସଦା ମତି,
ବୁଝିବା ସର୍ବଦା ଅମାତ୍ୟଙ୍କ ମତି ଗତି ।
ଭାବିଣ ଦେଖିବା ଅନ୍ୟ ଲୋକର ପ୍ରକୃତି,
ଦେଖିବା ଚରର ନେତ୍ରେ ରାଜ୍ୟ ରୀତି ନୀତି ।୬୮।
କିବା କ୍ରୋଧ କିବା ସ୍ନେହ ରଖିବା ଚାପିଣ,
ସମୟ ବୁଝିଣ ହେବା ମୃଦ ବା କଠିଣ ।
ଯତନେ ରଖିବା ସଦା ନିଜର ଜୀବନ,
ମାତ୍ର ଯୁଦ୍ଧେ ତାର ମାୟା କରିବା ଛେଦନ ।୬୯।
କୃପଣ ହୋଇଲେ ଲୋକ ଯଶ କାହିଁ ପାଏ ?
କ୍ରୋଧ ଥିଲେ ସବୁ ଗୁଣ ନଷ୍ଟ ହୋଇଯାଏ ।
ସତ୍ୟକଥା ନାହଁ ଯାର ଦମ୍ଭ ନାହିଁ ତାର ?
ପେଟର ଜାଳାରେ କାହିଁ ମାନ ଲଭେ ନର ?।୭୦।
କାମ ପାନାଦିର ଦୋଷେ ଧନ କ୍ଷୟ ପାଏ,
ବିପଦ ଘଟିଲେ ପୁଣି ଧୈର୍ଯ୍ୟ କାର ଥାଏ ?
ପ୍ରମାଦ ଘଟିଲେ ନଷ୍ଟ ହୋନ୍ତି ଦ୍ୱିଜଗଣ,
ବଂଶ ନଷ୍ଟ ହୁଏ ଯଦି ଥାଏ ଖଳଜନ ।୭୧।
ବିନୟ ବିନଷ୍ଟ ହୁଏ ମତ୍ତତା ରହିଲେ,
ପୌରୁଷ ବିନିଷ୍ଟ ହୁଏ କୁ କାର୍ଯ୍ୟେ ମାତିଲେ ।
ଦାରିଦ୍ର ବଶରୁ ହୁଏ ଆଦର ବିନାଶ,
ମମତାରେ ନଷ୍ଟ ହୁଏ ଆଣ୍ଟର ବିକାଶ ।୭୨।
ଉତ୍ଖାତ ଦେଖିଲେ ପୁଣି କରଇ ରୋପଣ,
ପୁଷ୍ପିତ ଦେଖିଲେ ପୁଣି କରଇ ଚୟନ ।
ବଳଶୂନ୍ୟ ଶିଶୁ ଗଡ଼ି ବର୍ଦ୍ଧନ ନିୟତ,
ଅନୁନ୍ନତ ଦେଖି କରି ଶୀଘ୍ର କରେ ନତ ।୭୩।
ଅବନତ ଦେଖି ପୁଣି କରଇ ଉନ୍ନତ,
ସଂହତି ଦେଖିଲେ ପୁଣି କରଇ ବିଯୁତ ।
ତୀକ୍ଷ୍ଣ କଣ୍ଟକିତ ହେଲେ ତାହା କରେ ଦୂର,
ମାନ ଦେଖି ତାହା ପୁଣି ସେଚନେ ତତ୍ପର ।୭୪।
ପ୍ରୟୋଗେ ପରମ ପଟୁ ମାଳାକାର ବତ
ରହିବା ଉଚିତ ସୁଖେ ରାଜା ଅବିରତ ।
କିବା ଗୁରୁ କିବା ଲଘୁ ନ କରେ ବିଚାର,
ଅଣୁମାତ୍ର ଶଙ୍କା କେବେ ନ ଥାଏ ତାହାର ।୭୫।
ରୂପ ବୃତ୍ତ ପୁରୁଷ ପରୀକ୍ଷା ନ କରଇ,
ଆପଣା ଅଭିଷ୍ଟ ପଥେ ଅବାଧେ ଧାମଇ ।
ଅପଯଶେ ହୁଏ ନାହିଁ କଷ୍ଟର ସଞ୍ଚାର,
ଅପଶବ୍ଦେ କ୍ଷୁବ୍ଧ ନୋହେ ଅନ୍ତର ତାହାର ।୭୬।
ମୃତ୍ୟୁ, ମୂର୍ଖ-କବି, ଖଳ, କୁନୃପ ତସ୍କର,
ଏହାଙ୍କର କାର୍ଯ୍ୟ ଏକାରୂପ ନିରନ୍ତର ।
ବିଡାଳେ ଥାଏଟି ଯେବେ ଗର୍ତ୍ତର ବାହାରେ,
ସର୍ପ ଏକ ଥାଏ ପୁଣି ଗର୍ତ୍ତର ଭିତରେ ।୭୭।
ସେମାନଙ୍କ ମଧ୍ୟେ ଯେବେ ପ୍ରବେଶେ ଇନ୍ଦୂର,
ଯେରୂପ ଦୁର୍ଗତି ସେହି କାଳେ ହୁଏ ତାର ।
ସେରୂପ ଦୁର୍ଗତି ଲାଭେ ପୁରୁଷ ନିୟତ,
ଦୁଇଟି ଗୃହିଣୀ ଥାଏ ଘରେ ଯାର ନିତ୍ୟ ।୭୮।
ମକ୍ଷିକାର ଶିରେ ବିଷ ତକ୍ଷକର ଦାନ୍ତେ,
ବୃଶ୍ଚିକର ପୁଚ୍ଛେ ବିଷ ଅଛଇ ଜଗତେ ।
ମାତ୍ର କି ଆଶ୍ଚର୍ଯ୍ୟ ଦେଖ ଦୁଷ୍ଟ ଯେଉଁ ଜନ,
ତାହାର ସର୍ବାଙ୍ଗେ ବିଷଥାଏ ଅନୁକ୍ଷଣ ।୭୯।
ଶ୍ଳେଷ୍ମା ଆଉ ଦୁର୍ଜନର ସମାନ ପ୍ରକୃତି,
କି ଆଶ୍ଚର୍ଯ୍ୟ ! ତାହାଙ୍କର ନ ହୁଏ ବିକୃତି ।
ମିଷ୍ଟ ରସେ ତାହାଙ୍କର ପ୍ରକୋପ ବର୍ଦ୍ଧନ,
କଟୁ ରସେ ମାତ୍ର ହୁଏ ଦର୍ପ ନିବାରଣ ।୮୦।
ଖଳ ଆଉ କଣ୍ଟକର ଦୁଇ ପ୍ରତୀକାର,
ପାଦୁକାରେ ମୁଖଭଙ୍ଗ ଦୂରେ ପରିହାର ।
ଦୁର୍ଜନ ଇନ୍ଦୂର ସଙ୍ଗେ ଅଟଇ ସମାନ,
ପରର ଅନିଷ୍ଟ କରିବାରେ ସଦା ମନ ।୮୧।
ଅକାରଣେ ବସ୍ତ୍ର କାଟି କରେ ଖଣ୍ଡ ଖଣ୍ଡ,
ନ ଖାଏ ଅପଣା ପେଟେ ପରେ ଦିଏ ଦଣ୍ଡ ।
ଉନ୍ନତି ସମୟେ ଯେଉଁ ଦୁର୍ମତି ସଂସାରେ,
ଅତିଶୟ ମନ ପୀଡ଼ା ଦିଅଇ ଅପରେ ।୮୨।
ମୁଖେ କାଳି ଦେଇ ତାର ବିଧାତା ସଘନେ
ନିଶ୍ଚୟ ପତନ ଆହା ଘଟାନ୍ତି ଆପଣେ ।
ସାଧୁ ଲୋକ ପଖା ତୁଲ୍ୟ ଗୁଣ ସଦା ଧରେ,
ଦୁହିଙ୍କ ଜନମ ସିନା ମହତ ବଂଶରେ ।୮୩।
ପ୍ରତ୍ୟେକ ଘୁରନ୍ତି ସଦା ସହି ତାପ ପ୍ରାଣେ
ଅପରର ତାପରାଶି ବିନାଶ କାରଣେ ।
ଲବଣୀଠାରୁ ଅଧିକ କୋମଳ ଅନ୍ତର
ସାଧୁର ଅଟଇ ଦେଖ ଥରେ ଭାବି ନର ।୮୪।
ପର ମନସ୍ତାପେ ସଦା ସାଧୁହୃଦ ଗଳେ,
ସେ ତାପରେ ନବନୀତ କେବେ କି ତରଳେ ?
ଉଚ୍ଚଠାରୁ ଉଚ୍ଚତର ହୁଏ ଯେଉଁ ଜନ,
ସେହି ସିନା ତାର ଦୁଃଖ କରଇ ମୋଚନ ।୮୫।
ମାତ୍ର ଯେତେ ନୀଚେ ଲୋକ ରହେ ଏ ସଂସାରେ,
ତାହା ମନ ଦୁଃଖ କି ସେ ନାଶି କେବେ ପାରେ ?
ଗ୍ରୀଷ୍ମକାଳେ ଦାବାନଳ କରଇ ଦହନ
ପର୍ବତର ଦେହ ଆଉ ବୃକ୍ଷଲତାଗଣ ।୮୬।
ତା ପରେ ଉପରୁ ମେଘ ଢାଳି ଦେଇ ଜଳ
ମନବେଗେ ତାର ଦେହ କରଇ ଶୀତଳ ।
ନିମ୍ନଦେଶେ ଥାଏ କେତେ ନଦୀ ଅନିବାର,
ପର୍ବତର କରେ ତାହା କେଉଁ ଉପକାର ?।୮୭।
ଧର୍ମ କର୍ମ କରିବାରେ ହୁଅଇ ତତ୍ପର,
ରଖଇ ମଧୁର ବାକ୍ୟ ମୁଖେ ନିରନ୍ତର ।
ଦାନ କରିବାର ପାଇଁ ବ୍ୟସ୍ତ ଅନୁକ୍ଷଣ,
ବନ୍ଧୁଜନେ ନ କରଇ କଦାପି ବଞ୍ଚନ ।୮୮।
ଗୁରୁଜନ ପ୍ରତି ସଦା ହୁଅଇ ବିନତ,
ଗାମ୍ଭୀର୍ଯ୍ୟ ରଖଇ ନିଜ ଚିତ୍ତେ ଅବିରତ ।
ଶାସ୍ତ୍ରର ବିହତାଚାରେ ରତ ସର୍ବକ୍ଷଣ,
ବୁଝିବାକୁ ଗୁଣୀ ଗୁଣ ଦକ୍ଷ ବିଲକ୍ଷଣ ।୮୯।
ହରିସେବା ବ୍ରତେ ସଦା ବିଶେଷ ନିପୁଣ,
ସାଧୁ ହେଲେ ଲୋକେ ଥାଏ ଏହି ସବୁ ଗୁଣ ।୯୦।
ଦ୍ୱିତୀୟହାର
କଥା, କାନ୍ତି, କୀର୍ତ୍ତି, କୁଳକାରୁଣ୍ୟ ‘କ’ କାର
ପଞ୍ଚ ‘କ’ ରେ ମାନବର ପ୍ରଧାନ୍ୟ ପ୍ରଚାର ।
ଜନକ, ଜନନୀ, ଜନ୍ମଭୂମି, ଜନାର୍ଦ୍ଦନ,
ଜାହ୍ନବୀର ଜଳ-ପଞ୍ଚ ସଦୁର୍ଲଭ ଧନ ।୧।
ଜାମାତା, ଜଠର, ଜାୟା ଆଉ ଜଳାଶୟ,
ଜାତ ବେଦା ଘେନି ଏହି ପଞ୍ଚ ମହାଶୟ ।
ଯେତେ ଦେଲେ ଏହାଙ୍କର ପେଟ ନ ପୂରଇ,
ତୃପ୍ତ କରିବାକୁ ଗଲେ ସର୍ବସ୍ୱ ସରଇ ।୨।
ମନ ମଧୁକର ମେଘ ମାନିନୀ ମଦନ,
ମର୍କଟ ମରୁତ ମତ୍ସ୍ୟ ମଦ ମା ଭୀଷଣ ।
ଏ ଦଶ ମକାର ଅତି ଚଞ୍ଚଳ ଧରାରେ,
ସ୍ଥରହୋଇ ନ ରହିନ୍ତି କୌଣସି ପ୍ରକାରେ ।୩।
ବସ୍ତୁ, ବପୁ, ବାକ୍ୟ, ବିଦ୍ୟା, ବିଭବ ଯାହାର
ସଂସାରେ ବିରାଜ କରେ ଏ ପଞ୍ଚ ‘ବ’ କାର ।
ଯେଣେ ଇଚ୍ଛା ତେଣେ ଅବା ଯାଉ ସେହି ନର,
ମିଳିବ ନିଶ୍ଚୟ ତାକୁ ଗୌରବ ଆଦର ।୪।
ସମ୍ପଦ, ସନ୍ତାନ, ସତ୍ୟ, ସଭା, ସରସ୍ୱତୀ,
ସତ୍ କୃପା, ସକୃତ ସପ୍ତ ସୁଦୁର୍ଲଭ ଅତି ।
ମଳୟ ପର୍ବତ ପାର୍ଶ୍ୱେ ଯାହାଙ୍କର ବାସ,
ଚନ୍ଦନେ ଇନ୍ଧନଭାବ ହୁଏ ବାରମାସ ।୫।
ରତ୍ନାକର ତୀରେ ବାସ ଅଟଇ ଯାହାର,
ରତନେ ପାଷାଣଭାବ ଉପୁଜେ ତାହାର ।
କାଶ୍ମୀର ପ୍ରଦେଶେ ବାସ ଅଟଇ ଯାହାର,
କୁଙ୍କୁମେ ଆଦର କେବେ ନ ଥାଏ ତାହାର ।୬।
ମହାମୂଲ୍ୟ ଦ୍ରବ୍ୟସଦା ରହିଲେ ନିକଟେ,
ଲୋକର ତାହାର ପତି ଅନାଦର ଘଟେ ।
ଚୌଷଠି କଳାର ମଧ୍ୟେ ମହାରତ୍ନ ଗାନ,
ଆକାଶର ମହାରତ୍ନ ସୂର୍ଯ୍ୟ ବିଦ୍ୟମାନ ।୭।
ସଭାର ପରମରତ୍ନ ବିଦ୍ୱାନ ଯେ ଜନ,
ଶ୍ରବଣର ରତ୍ନ ହରିନାମ ସଂକୀର୍ତ୍ତନ ।
ରଜନୀର ମହାରତ୍ନ ଦେବ ନିଶାକର,
ପୃଥିବୀର ମହାରତ୍ନ ରାମ ରାଜବର ।୮।
ପୁରୁଷ ସର୍ବଦା ଶକ୍ତ ହୋଇଲେ ସଂସାରେ,
ନାରୀର ପ୍ରାଧାନ୍ୟ କେବେ ରହିଣ କି ପାରେ ?
ଶୁକ୍ଳପକ୍ଷେ ଚନ୍ଦ୍ର ଯେବେ ହୁଏ ବଳବାନ,
ରହିଣ ପାରେ କି କେବେ ତାରକା ପ୍ରାଧାନ୍ୟ ?।୯।
ଘର୍ଷଣ, ଛେଦନ, ତାପ, ପୁଣି ବିତାଡ଼ନ,
କରେ ଯଥା ସୂବର୍ଣ୍ଣର ପରୀକ୍ଷା ଗହଣ ।
ତଥା କୁଳ, ଶୀଳ, ବିଦ୍ୟା, କର୍ମ ଚାରି ଧନେ,
ନରର ପରୀକ୍ଷା ସଦା ହୁଅଇ ଭୁବନେ ।୧୦।
ସମୁଦ୍ର କିବା ଫଳ ରଖିଣ ରତନ ?
ବନ୍ଧ୍ୟର ବା କେଉଁ ଫଳ ପାଳି ହସ୍ତିଗଣ ?
ମଳୟର କିବା ଫଳ ପୋଷିଣ ଚନ୍ଦନ ?
ପରହିତ ଲାଗି ଅଟେ ମହତଙ୍କ ଧନ ।୧୧।
ଚନ୍ଦ୍ର ସୂର୍ଯ୍ୟେ ରାହୁ ଗ୍ରହ କରଇ ପୀଡ଼ନ,
ନରଗଣେ ହସ୍ତୀ ସର୍ପ ଲଭନ୍ତ ବନ୍ଧନ ।
ଦାରିଦ୍ର ଦୁଃଖରେ ଦୁଃଖୀ ହୁଏ ବୁଦ୍ଧିମାନ,
ବିଧାତା ଅଟଇ ଏଣୁ ଏକା ବଳବାନ ।୧୨।
କରି କୁମ୍ଭ ଦେଲା ସିଂହ ବିଦୀର୍ଣ୍ଣ କରିଣ,
ରକ୍ତବୋଳା ମୁକ୍ତା ଏକ ପଡ଼ିଲା ଖସିଣ ।
କୋଳି ପରା ଭାବି ତାହା ହରଷିତ ମନେ
ତୋଳିନେବ ବୋଲି ବ୍ୟାଧପତ୍ନୀ ଗଲା ବନେ ।୧୩।
ଦୁଇ ହାତେ ଚିପି ଦେଖି ଶକ୍ତ ଅତିଶୟ ।
ଫିଙ୍ଗି ଦେଲା- ଶୁକ୍ଳରଙ୍ଗ ଦେଖିଣ ବିସ୍ମୟ ।
ଯଦି ହୁଏ ମହୀଜନ ଅସ୍ଥାନେ ପତିତ,
ଏରୂପ ଦୁର୍ଗତି ତାର ହୁଅଇ ନିୟତ ।୧୪।
ସୁରମ୍ୟ ସୁବର୍ଣ୍ଣମୟ ସୁମେରୁ ଭୂଧରେ,
ଅଥବା ରଜତ ମୟ କୈଳାସ ନଗରେ ।
ପଡ଼ିଥାଏ ଯେଉଁ ବୃକ୍ଷ ହୋଇଣ ବିଲୀନ,
ଥାଏ ତାହା ସେହି ବୃକ୍ଷ ଆହା ଚିର ଦିନ ।୧୫।
ସାଧୁ ଅଟେ ଏକମାତ୍ର ମଳୟଭୂଧର,
ଏ ଜଗତେ ସର୍ବେ ଯାହା କରନ୍ତି ଆଦର ।
ଯେହେତୁ କରିଣ ତାର ଆଶ୍ରୟ ଗ୍ରହଣ,
ସାହାଡ଼ା କୁରୁଚି ନିମ୍ୱ ହୁଅଇ ଚନ୍ଦନ ।୧୬।
ନିର୍ବାଣ ପ୍ରଦୀପେ କିବା ଫଳ ତୈଳ ଦାନେ ?
ଚୋର ପଳାଇଲେ କିବା ଫଳ ସାବଧାନେ ?
ବିଦ୍ୟାରେ କି ଫଳ ତୁଟିଗଲେ ବାଲ୍ୟକାଳ ?
ବୋହିଗଲେ ଜଳ ବନ୍ଧ ବନ୍ଧନେ କି ଫଳ ?।୧୭।
ନୂତନ ବସନ ପୁଣି ନୂତନ ଭୂଷଣ,
ନୂତନ ପଠନ ନିତ୍ୟ ନୂତନ ଭବନ ।
ସମସ୍ତ ନୂତନ ବସ୍ତୁ ପରମ ସୁନ୍ଦର,
ମାତ୍ର ପୁରାତନ ଭୃତ୍ୟ, ଅନ୍ନ ମନୋହର ।୧୮।
ଏ ସଂସାର ବିଷବୃକ୍ଷେ ଜାଣିବ ନିଶ୍ଚୟ,
ସର୍ବଦା ଦୁଇଟି ଫଳ ଅଛି ସୁଧାମୟ ।
ପ୍ରଥମଟି କାବ୍ୟ-ସୁଧା-ରସ-ଆସ୍ୱାଦନ,
ଦ୍ୱିତିୟଟି ସାଧୁଜନ ସଙ୍ଗେ ଆଳାପନ ।୧୯।
କରୁ ପଛେ ଭୀମ କରି-କୁମ୍ଭ ବିଦାରଣ,
କରୁ ପଛେ ବାୟୁବେଗେ ସର୍ବଦା ଗମନ ।
କରୁ ସିଂହ ଗିରିଶୃଙ୍ଗ ସଦା ଅଧିକାର,
ମାତ୍ର ପଶୁ ବିନା ଅନ୍ୟ କି ନାମ ତାହାର ?।୨୦।
କାକଚଞ୍ଚୁ ସୁବର୍ଣ୍ଣରେ କରିଣ ବନ୍ଧନ,
ମାଣିକ୍ୟେ ପ୍ରତ୍ୟେକ ପାଦ କଲେଟି ଭୂଷଣ ।
ପ୍ରତ୍ୟେକ ଡେଣାରେ ଗଜମୂକ୍ତା ଦେଲେ ଛାଇ,
କାକ ଛଡ଼ା ରାଜହଂସ କେ ତାକୁ କହଇ ?।୨୧।
ସୁମଧୁର ଆମ୍ୱ୍ର ଫଳ କରିଣ ଭକ୍ଷଣ ?
କୋକିଳ କି ଅହଂକାର କରଇ ଧାରଣ ?
ମାତ୍ର ବେଙ୍ଗ ଗୋଳାଜଳ ଯଦି କରେ ପାନ ?
ତାହାର କର୍କଶ ଶବ୍ଦେ ଫାଟିଯାଏ କାନ ।୨୨।
ରୋହି ମାଛ ବାସ କରେ ଅଗାଧ ଜଳରେ,
ତେବେ ତାର ଅହଙ୍କାର ନ ଥାଏ ମନରେ ।
ମାତ୍ର ଦଣ୍ଡିକିରି ଅଳ୍ପ ଜଳେ କରି ବାସ,
ଫରଫର ହୋଇ ବୁଲି ଶୀଘ୍ର ହୁଏ ନାଶ ।୨୩।
ସଦାଶୟ ବ୍ୟକ୍ତି ଯେବେ ଅତୁଳ ବିଭବେ
ଥାଏ ତେବେ ଅହଙ୍କାର ନ ବହଇ ଲବେ ।
ମାତ୍ର ନୀଚାଶୟ ବ୍ୟକ୍ତି ଅଳପ ବିଭବେ
ଅହଙ୍କାରେ ମତ୍ତ ହୋଇ ଶୀଘ୍ର ନାଶ ଲଭେ ।୨୪।
କୋକିଳ ଜଳଦାଗମେ ଦର୍ଦୁର ଶବଦ
ଶୁଣିବା ମାତ୍ରକେ ରହେ ହୋଇଣ ସ୍ତବଧ ।
ମୂର୍ଖର ପ୍ରଳାପ ବାକ୍ୟେ ଯେ ସଭା ଧ୍ୱନିତ,
ସେଠାରେ ପଣ୍ଡିତ ପକ୍ଷେ ମଉନ ଉଚିତ ।୨୫।
ମଣିକୁ ପାଦରେ ଯେବେ କରିବ ଧାରଣ,
କାଚକୁ କରିବ ଯେବେ ଶିରର ଭୂଷଣ ।
ତଥାପି ଯେ ସ୍ଥାନେ ରହୁ ଆଉ ମଣି,
ଯେ କାଚ ଅଟେ ସେ କାଚ ଯେ ମଣି, ସେମଣି !।୨୬।
ମୟୁର ନିବାସ ଅଟେ ପର୍ବତ ଶିଖରେ,
ମାତ୍ର ତାର ବନ୍ଧୁ ମେଘ ଆକାଶ ଉପରେ ।
ଦେବ ଦିବାକର ରହେ ଲକ୍ଷ ଯୋଜନରେ,
ପ୍ରେୟସୀ ପଦ୍ମିନୀ ତାର ଜଳର ଉପରେ ।୨୭।
ଦ୍ୱିଲକ୍ଷ ଯୋଜନେ ଚନ୍ଦ୍ର ଆକାଶର ତଳେ,
ପ୍ରଣୟିନୀ କୁମୁଦିନୀ ମାତ୍ର ରହେ ଜଳେ ।
ଏହି ସବୁ ପରସ୍ପର ରହି କେତେ ଦୂରେ
ବନ୍ଧା ରହିଛନ୍ତି ଦେଖ ପଣୟର ଡୋରେ ।୨୮।
ପ୍ରଗାଢ଼ ପ୍ରଣୟ ଯାର ପ୍ରତି ରହେ ଯାର,
ଯେତେ ଦୂରେ ଥିଲେ ପଥ ଦୂର ନୋହେ ତାର ।
ଭଲ ଅଟେ ସିଂହ-ବ୍ୟାଘ୍ର-ପରିପୂର୍ଣ୍ଣ ବନ,
ଭଲ ଅଟେ ତୁଣଶଯ୍ୟା ବଲଳ-ବସନ ।୨୯।
ଭଲ ଅଟେ ଫଳ-ପତ୍ରେ ଜୀବନ ଧାରଣ,
ଭଲ ଅଟେ ଝର ଜଳେ ତୃଷା ନିବାରଣ ।
ମାତ୍ର ଭଲ ନୋହେ କେବେ ହୋଇ ଧନହୀନ
ବନ୍ଧୁଗଣ ମଧ୍ୟେ ବାସ ସହି ଅପମାନ ।୩୦।
ନିନ୍ଦା କରେ ମାତା ପିତା ନକରେ ଆଦର,
ସମ୍ଭାଷଣ ନ କରଇ ନିଜ ସହୋଦର ।
ଭୃତ୍ୟ ବାକ୍ୟବାଣ ହାଣେ, ନ ମାନେ ନନ୍ଦନ,
ଗୃହିଣୀ ନ କରେ କେବେ ପ୍ରେମ ଆଳାପନ ।୩୧।
କାଳେ କିଛି ଦେବା ଭୟେ ବନ୍ଧୁ ଦୂରେ ରହେ,
ଭେଟ ହେଲେ ଚାଲିଯାଏ କଥା ସେ ନ କହେ ।
ଏଣୁ ବୁଦ୍ଧିମାନ କର ଅର୍ଥ ଉପାର୍ଜନ,
ଅର୍ଥବଳେ ବଶୀଭୂତ ହେବେ ସର୍ବଜନ ।୩୨।
ନାହିଁ ଯାର କୁଳ ତାର କୁଳ ହୁଏ ଧନେ,
ପ୍ରଧାନ ଉପାୟ ଧନ ବିପଦ ମୋଚନେ ।
ଧନଠାରୁ ଶ୍ରେଷ୍ଠ ବସ୍ତୁ କି ଅଛି ଭୁବନେ ?
ଧନ ଉପାର୍ଜନ କର ସଦା ପ୍ରାଣପଣେ ।୩୩।
ନରର ଦାସତ୍ୱ କରେ ନାହିଁ କେବେ ନର,
ଅର୍ଥର ଦାସତ୍ୱ ନର କରେ ନିରନ୍ତର ।
ପରମ ସମ୍ମାନ ଲଭେ ଧନୀ ଜନ,
ଅତି ଅପମାନ ତାର ଯେ ଜନ ନିର୍ଧନ ।୩୪।
କିବା ନୀଚ ଅତି ନୀଚ ଅଥବା ଉନ୍ନତ,
କୌଣସି ଉପାୟେ କାର୍ଯ୍ୟ କର ସମ୍ପାଦିତ ।
ବାମନ ଦେବର ଦେଖ ଏପରି ନିୟମ,
ଶୂକର ନୃସିଂହ କେବେ, କେବେ ତ୍ରିବିକ୍ରମ ।୩୫।
ଉଦ୍ୟୋଗୀ ପୁରୁଷ ପାଶେ ଲକ୍ଷ୍ମୀ ସଦା ରହେ,
ଦୈବବଳେ ସବୁମିଳେ କାପୁରୁଷ କହେ ।
ଦୈବ ନାମ ଦୂର କରି ରେ ଅବୋଧ ନର,
ଉଦ୍ୟୋଗ ସର୍ବଦା କର ହୋଇଣ ତତ୍ପର ।୩୬।
ଯେତେ ଅଛି ଅପମାନ ସମ୍ମୁଖେ ଧରିଣ,
ଯେତେ ମାନ ଅଛି ତାହା ପଶ୍ଚାତେ ରଖିଣ ।
ବୁଦ୍ଧିମାନ ଜନ କରେ ସ୍ୱକାର୍ଯ୍ୟ ସାଧନ,
କାର୍ଯ୍ୟ ନାଶହେବା ଅଟେ ମୂର୍ଖର ଲକ୍ଷଣ ।୩୭।
ଭାବିଲେ କି ହେବ ଯାହା ହୋଇଗଲା ଥରେ,
ଯେ ଲୋକ ମରିଛି ବାରେ ସେ କି ଆଉ ମରେ ।
ଗତ କଥାପାଇଁ ଚିନ୍ତା ନୁହଇ ଉଚିତ,
ଭବିଷ୍ୟତ ପାଇଁ ଚିନ୍ତା ସର୍ବଦା ବିହିତ ।୩୮।
ସମୟ ନୋହିଲେ କାହିଁ ଲୋକ ମରେ,
ବିଦ୍ଧ ହୁଏ ଯେବେ କେବେ ଶତଶତ ଶରେ ।
ଯେତେବେଳେ ସେ ଲୋକର ସମୟ ଆସିବ,
କୁଶ କଣ୍ଟକରେ ତାର ମରଣ ଘଟିବ ।୩୯।
ସମୁଦ୍ରରେ ମଗ୍ନ ଯଦି ହୁଏ କେଉଁ ଜନ,
ପର୍ବତ ଉପରୁ ତଳେ ହୁଅଇ ପତନ ।
ଦୁରନ୍ତ ତକ୍ଷକ ସର୍ପ ତାହାକୁ ଧରିଣ
ବିଷ ଦନ୍ତ ଦେଇ ଅଙ୍ଗ ଯେବେ କରେ ଛିନ୍ମ ।୪୦।
ତଥାପି ତାହାର ପ୍ରାଣ ନୁହଇ ସଂହାର,
କିଛିମାତ୍ର ପରମାୟୁ ଥାଏ ଯେବେ ତାର ।
କୃଷ୍ଣ ପଦ ଚିନ୍ତା କରେ ସର୍ବଦା ଯେ ଜନ,
ସେହି ପାଦେ ପୁଣି ଯାର ଭକ୍ତି ସର୍ବକ୍ଷଣ ।୪୧।
ନାହିଁ କିଛି ଭୟ ତାର ସୁଦୁର୍ଗମ ବନେ,
ନାହିଁ କିଛି ଭୟ ତାର ମରଣେ ବା ରଣେ ।
ଯେ କାବ୍ୟର ସୁଧାରସ ପିଇ ଅବିରଳ
ବିହ୍ୱଳ ହୁଅନ୍ତି ସଦା ପଣ୍ଡିତଙ୍କ ଦଳ ।୪୨।
ସେ କାବ୍ୟ ଦାମ୍ଭିକ ଜନ ଦେଖିଲେ ନୟନେ
ସେକ୍ଷଣି ମଜ୍ଜିବ ତାର ଦୋଷ ଅନ୍ୱେଷଣେ ।
ଖେଳେ ସଦା ରାଜହଂସ ଯେଉଁ ସରୋବରେ,
ଦୋଳଇ ପଦ୍ମୀନୀ ସଦା ଯାହାର ଉପରେ ।୪୩।
ଜଳରେ ବୁଡ଼ାଇ ଥଣ୍ଟ ବକ ତାର ତୀରେ,
ଶାମୁକ ଖୋଜଇ ବସି ନିତି ଧୀରେ ଧୀରେ ।
ଯେପରି ମକ୍ଷିକା ଦେଖି ସୁରମ୍ୟ ବଦନ,
କେବଳ ତା କ୍ଷତ ସ୍ଥାନ କରେ ଅନ୍ୱେଷଣ ।୪୪।
ସେପରି ସୁରମ୍ୟ କାବ୍ୟ ଦେଖିଲେ ନୟନେ,
ମଜ୍ଜେ ଖଳ ସଦା ତାର ଦୋଷ ଅନ୍ୱେଷଣେ ।
ସୂର୍ଯ୍ୟୋଦୟ ହୁଏ ଯେବେ ପଶ୍ଚିମ ଦିଗରେ,
ପଦ୍ମ ଫୁଟେ କେବେ ଯଦି ପର୍ବତ ଶିଖରେ ।୪୫।
ସୁମେରୁ ପର୍ବତ ଯଦି ଚଳେ ଅବିରଳ,
ପ୍ରବଳ ଅନଳ ଯଦି ହୁଏ ସୁଶୀତଳ ।
ତଥାପି ଯଥାର୍ଥ ସାଧୁ ହୁଏ ଯେଉଁ ଜନ,
ଅନ୍ୟଥା ନ ହୁଏ କେଭେଁ ତାହାର ବଚନ ।୪୬।
କୁଗ୍ରାମେ ବସତି କରେ ଯେ ଜନ ସତତ,
କୁଜନ ସେବାରେ ହୋଇଥାଏ ସଦା ରତ ।
ଯାହାର ଅଦୃଷ୍ଟେ ନିତ୍ୟ କୁଖାଦ୍ୟ ଆହାର,
କ୍ରୋଧଭରା ଭାର୍ଯ୍ୟାଘେନି ଯେ କରଇ ଘର ।୪୭।
ବିଧବାକୁମାରୀ ମୂର୍ଖପୁତ୍ର ଘରେ ଯାର,
ଅଗ୍ନିବିନା ସଦା ପୋଡ଼ୁଥାଏ ଦେହ ତାର ।
ମୌନଭାବେ ଥିବା ଭଲ ସର୍ବଦା ଉଚିତ,
ତଥାପି କହିବା ମିଥ୍ୟା ନୁହଇ ବିହିତ ।୪୮।
ପୁରୁଷ ହୋଇଣ ପଛେ କ୍ଳୀବ ସମ ଥିବ,
କେବେ ପରନାରୀ ସଙ୍ଗେ ଆସକ୍ତ ନୋହିବ ।
ଭଲ ଅଟେ ଭିକ୍ଷାଦ୍ୱାରା ଯାପିବା ଜୀବନେ,
ତଥାପି ନୋହିବ କେବେ ସୁଖୀ ପରଧନେ ।୪୯।
ଉଚିତ ସ୍ୱଚ୍ଛନ୍ଦେ ରହି ତେଜିବା ପରାଣ,
ତଥାପି ଖଳର ବାକ୍ୟେ ଦେବେ ନାହିଁ କାନ ।
ଇନ୍ଦ୍ରର ଶରୀରେ ଦୁଷ୍ଟଚିହ୍ନ ଯାଏ ଦେଖା,
ଚନ୍ଦ୍ରର ଶରୀରେ କେତେ କଳଙ୍କର ରେଖା ।୫୦।
ପାଳିତ ହୋଇଲେ କୃଷ୍ଣ ଗୋପାଳର ଘରେ,
ବଶିଷ୍ଠ ଲଭିଲେ ଜନ୍ମ ବେଶ୍ୟାର ଉଦରେ ।
ରତିପତି ହୋଇ ସୁଦ୍ଧା ଅନଙ୍ଗ ମଦନ,
ଯାହା ପାଏ ତାହା ଖାଏ ଲୋଭୀ ହୁତାଶନ ।୫୧।
ବ୍ୟାସଦେବ ମତ୍ସ୍ୟଗନ୍ଧା କୁମାରୀ ନନ୍ଦନ,
ସମୁଦ୍ରର ଲୁଣୀ ଜଳ ପାନେ ଅଭାଜନ ।
ଉପପତି-ଜାତ ପଞ୍ଚ ପାଣ୍ଡୁର ନନ୍ଦନ,
ଚିତା-ଭସ୍ମ-ଅସ୍ଥି-ଧାରୀ ଦେବ ତ୍ରିଲୋଚନ ।୫୨।
ଦେଖାଯାଏ ନାହିଁ କେବେ କାହିଁ ତ୍ରିଭୁବନେ
ଦୋଷ ନ ଥାଇଣ ଅଛି କେହି ଲୋକ ଜଣେ ।
କିବା ଲକ୍ଷ ଲକ୍ଷ ଯେତେ ସୁନ୍ଦର ତୁରଙ୍ଗ,
କିବା ଲକ୍ଷ ଲକ୍ଷ ଧେନୁ ଅଥବା ମାତଙ୍ଗ ।୫୩।
କିବା ସ୍ୱର୍ଣ୍ଣପାତ୍ର କିବା ରୌପ୍ୟପାତ୍ର ବାର,
କିବା ଏହା ସସାଗରା ଧରା ସୁବିସ୍ଥାର ।
ସୁନିର୍ମଳ-ବଂଶଜାତ କିବା ଯେତେ ସତୀ,
ତାହାଙ୍କର କୋଟି କୋଟି କନ୍ୟା ଗୁଣବତୀ ।୫୪।
ଏହି ସବୁ ଦାନେ ଯେତେ ପୂଣ୍ୟ ଏ ଭୁବନେ,
ତାଠାରୁ ଅଧିକ ପୂଣ୍ୟ ଏକ ଅନ୍ନ ଦାନେ ।
ସୁପାତ୍ରେ କଲେଟି ଦାନେ ମିଳେ ବହୁ ଧନ,
ଧନ ପ୍ରଭାବରେ ହୁଏ ପୂଣ୍ୟ ଉପାର୍ଜ୍ଜନ ।୫୫।
ପୂଣ୍ୟ ପ୍ରଭାବରେ ଲୋକ ଯାଏ ସ୍ୱର୍ଗ ପୂରେ,
ପୁନଶ୍ଚ ଧନାଢ଼୍ୟ ହୋଇ ସୁଖ ଭୋଗ କରେ ।
କୁପାତ୍ରେ କରେ ଯେ ଦାନ ହୁଏ ଧନହୀନ,
ଧନହୀନ ହେଲେ ପାପ କରେ ପ୍ରତିଦିନ ।୫୬।
ପାପରୁ ନରକେ ପଡ଼ି କଷ୍ଟେ କାଳ ହରେ,
ପୁନଶ୍ଚ ଦରିଦ୍ର ହୋଇ ପାପ କର୍ମ କରେ ।
ଯେ ବନ୍ଧୁତା ବଦ୍ଧ ଅଛି ଆଜନ୍ମ ସମୟ,
ତାଠାରେ ଭେଦ ଜନ୍ମାଏ ଚକ୍ରି ଅତିଶୟ ।୫୭।
ମନ୍ଥନ ଦଣ୍ଡର ଚକ୍ରେ ଦଧି ଯେବେ ପଡ଼େ,
ନବନୀତ ଘୋଳ ଏହି ଭେଦ କରି ଛାଡ଼େ ।
ନିଜର ଅର୍ଜିତ ଧନେ ଧନୀ ଯେଉଁ ଜନ,
‘ଉତ୍ତମ’ ବୋଲିଣ ସେହୁ ହୁଅଇ ଗଣନ ।୫୮।
ପିତାର ଅର୍ଜିତ ଧନେ ଧନି ଯେଉଁ ଜନ,
‘ମଧ୍ୟମ’ ବୋଲିଣ ସେହୁ ହୁଅଇ ଗଣନ ।
ଭ୍ରାତୃଧନେ ଧନି ଯେହୁ ସେ ଅଟେ ‘ଅଧମ’,
ସ୍ତ୍ରୀଧନେ ଯେ ଜନ ଧନୀ ସେହି ନରାଧମ ।୫୯।
କୃପଣର ଯେତେ ଧନ ସମସ୍ତ ଅସାର,
କେଉଁ ଭୋଗ ନ କରଇ, ଛଟପଟ ସାର ।
କୁକୁର ଆକଣ୍ଠ ଜଳେ ଧାଏଁ ପିପାସରେ,
ତେବେ ମୁଖ ନ ବୁଡ଼ାଇ ଚାଟିଚାଟି ମରେ ।୬୦।
ବିପଦରେ ନିପତିତ ହୋଇ ଯେଉଁ ଜନ
ସ୍ୱୀୟ ସାଧୁଭାବ କେବେ ନ କରେ ବର୍ଜନ ।
ତେଜସ୍ୱୀ ତାହାର ପରି କେ ଅଛି ଭୁବନେ ?
ଧନ୍ୟ ବୋଲି ଗୁଣ୍ୟହୁଏ ସଦା ସେହି ଜନେ ।୬୧।
ପୃଥିବୀର ନାନା ଦେଶେ ନିତ୍ୟ ପର୍ଯ୍ୟଟନ,
ପଣ୍ଡିତ ଲୋକର ସଙ୍ଗେ ସଦା ସମ୍ମିଳନ ।
ନିରନ୍ତର ରତ ବହୁଶାସ୍ତ୍ର ପଢ଼ିବାରେ,
ଅନୁକ୍ଷଣ ଗତିବିଧି ରାଜାର ସଭାରେ ।୬୨।
ଏହି ଚାରି କାର୍ଯ୍ୟେ ଯେହୁ ଥାଏ ସର୍ବକ୍ଷଣ,
ଚତୁରର ଚୂଡ଼ାମଣି ହୁଏ ସେହି ଜନ ।
ଜଳ ପୂର୍ଣ୍ଣା ନଦୀ, ନାରୀ, ନୃପର ଆଦର,
ବଣିକର ସ୍ନେହେ ଆସ୍ଥା ନ ରଖ ହେ ନର ।୬୩।
ଯେ ଜନ ମାନବ-ଜନ୍ମ କରିଣ ଧାରଣ
ଯାଚକର ଅଭିଳାଷ ନ କରେ ପୂରଣ ।
ସେହି ଜନ ପୃଥିବୀର ପକ୍ଷେ ମହାଭାର,
ସମୁଦ୍ର-ପର୍ବତ-ବୃକ୍ଷେ ଭାର କିବା ତାର ?।୬୪।
କାକ ଶୁଚି, ଦ୍ୟୁତକାର ସତ୍ୟବାଦୀ ଅତି,
ସର୍ପ କ୍ଷମାଶୀଳ, ନାରୀ କାମଶୂନ୍ୟମତି ।
କ୍ଳୀବ ଧୀର, ମଦ୍ୟପାୟୀ ତତ୍ତ୍ୱ ଚିନ୍ତାକାରୀ,
ନୃପତି ପରମ ବନ୍ଧୁ ଚିରଦିନ ଧରି ।୬୫।
ଏ ସବୁ ଆଶ୍ଚର୍ଯ୍ୟ କଥା କେ ଶୁଣିଛ କାହିଁ ?
କେଉଁଠାରେ ଶୁଣା ଅବା ଦେଖା ଏହା ନାହିଁ ।
ମହତର ନିନ୍ଦା ଯେବେ କରିବ ବାସନା,
ଗୁଣଗୁଡ଼ି ତେବେ ତାର କରିବ ଗଣନା ।୬୬।
ନୀଚର ପ୍ରଶଂସା ପାଇଁ କର ଯେବେ ଗତି,
ଦୋଷ ଗଣନାରେ ତାର ଦିଅ ସଦା ମତି ।
ଗୁଣଗ୍ରାହୀ, ଗୁଣି ଜନେ ଦେଖ ଯେବେ ଦୋଷ,
କେତେବେଳେ ତାର ପ୍ରତି ନ କରିବ ରୋଷ ।୬୭।
ଚନ୍ଦ୍ରଠାରେ ଥାଏ କେତେ କଳଙ୍କର ଦାଗ,
ତେବେ ତାର ପ୍ରତିକାର ନାହିଁ ଅନୁରାଗ ?
ନବମଲ୍ଲିକାର ଗନ୍ଧ ଛାଡ଼ିଣ ଭ୍ରମର
ଅବଶେଷେ ପଡ଼େ ଯାଇ ଯୂଥିକା ଉପର ।୬୮।
ଯୂଥିକା ଛାଡ଼ିଣ ପୁଣ ଧାମେ ଚମ୍ପାବନେ,
କିଛିକାଳ ପରେ ଯାଇଁ କମଳ କାନନେ ।
କ୍ଷଣକ ବସିଣ ତହିଁ ଚାହିଁଲା ଭ୍ରମର,
ଗଗନେ ସହସା ଦେଖା ଦେଲେ ନିଶାକାର ।୬୯।
କମଳିନୀ ଦେଖି ତାହା ମୁଦିଲା ନୟନ,
ଭ୍ରମର ପଡ଼ିଣ ଫାନ୍ଦେ କରଇ ରୋଦନ ।
ସନ୍ତୋଷ ଯାହାର ମନେ କେବେ ନାହିଁ ରହେ,
ଅଶେଷ ଦୁର୍ଗତି ଭବେ ନିଶ୍ଚୟ ସେ ସହେ ।୭୦।
ପର ସୁଖ ଦେଖି ଯାର ଛାତି ଫାଟି ଯାଏ,
ସକଳ ଲୋକର ପ୍ରତି ଘୃଣା ଯାର ଥାଏ ।
ସନ୍ତୋଷର ଲେଶ ମାତ୍ର ନାହିଁ ଯାର ମନେ,
ଯେ ଜନ ରାଗିଣ ଯାଏ ସାମାନ୍ୟ କାରଣେ ।୭୧।
ସଦା ମନେ ଯାର ଭୟ ହୁଅଇ ଜନନ,
ଖାଇ ପର ଭାତ ଯେହୁ କାଟଇ ଜୀବନ ।
ଏ ସଂସାର ଜାଣ ନିଶ୍ଚେ ଏହି ଷଡ଼ ଜଣ,
ହୁଅନ୍ତି ଅଶେଷ ଦୁଃଖ ଭୋଗୀ ସର୍ବକ୍ଷଣ ।୭୨।
ଲକ୍ଷ୍ମୀ ଲାଭ କରେ ନିତ୍ୟ କାର୍ଯ୍ୟଦକ୍ଷ ଜନ,
ମିତହାରୀ ସୁସ୍ଥ ଦେହ ରୁହେ ଅନୁକ୍ଷଣ ।
ମହାସୁଖେ ରହେ ସେହି ରୋଗ ନାହିଁ ଯାର,
ସର୍ବଦା ଉଦ୍ୟୋଗ ଯାର ବିଦ୍ୟା ହୁଏ ତାର ।୭୩।
ପରମ ବିନୀତ ଭାବେ ରହେ ଯେଉଁ ଜନ,
ଧର୍ମ ଅର୍ଥ ଯଶଃ ତାର ଭାଗ୍ୟେ ଅନୁକ୍ଷଣ ।
ବିବାହେ ବିପଦେ ଯଜ୍ଞେ ଶତ୍ରୁ ବିନାଶନେ,
କୀର୍ତ୍ତୀକର କାର୍ଯ୍ୟ ମିତ୍ର ସଂଗ୍ରହ-କରଣେ ।୭୪।
ପ୍ରିୟତମା ରମଣୀର ମାନସ ରଞ୍ଜନେ,
ଦରିଦ୍ର ବନ୍ଧୁର ଚିତ୍ତ ତୁଷ୍ଟି ସମ୍ପାଦନେ ।
ସାଧିୁଜନ ବହୁଜନ କରେ ଯେବେ ବ୍ୟୟ,
ମିଳଇ ଗୌରବ ତେବେ ଜାଣିବ ନିଶ୍ଚୟ ।୭୫।
କୁନ୍ତି ଦ୍ରୌପଦୀଙ୍କ ନାମ ଶୁଣିଛ ଭାରତେ,
ପ୍ରଣୟ ରଖିଣ ଥିଲେ ପଞ୍ଚ ସ୍ୱାମୀ ସାଥେ ।
ତେବେ ତାହାଙ୍କର ନାମ ସତୀ ଏ ସଂସାରେ,
ପୁଣ୍ୟଥିବା ଲୋକ ଭବେ ଯଶ ଲାଭ କରେ ।୭୬।
ତୃତୀୟହାର
ସମୟ
ସମୟ ଅଟଇ ସବୁଠାରୁ ମୂଲ୍ୟବାନ,
ଏପବ୍ୟୟ କରେ ଯେହୁଁ ନାହିଁ ତାର ଜ୍ଞାନ ।
ହଜିଗଲେ କାଳ ଆଉ ନ ଆସଇ କେବେ,
ସଂସାରର ସବୁଅର୍ଥ ଆଣି ଦେବ ଯେବେ ।୧।
ସମୟ, ବିଶ୍ୱାସ, ବଳ, ଏକେ ଏକେ ଧନ୍ୟ,
ସମସ୍ତ ପୃଥିବୀ ହେଳେ କରନ୍ତି ଶାସନ ।
ଯେତେବେଳେ ଯେଉଁ କାର୍ଯ୍ୟ ନ କଲେ ସେବେଳେ,
ନ ହୁଅଇ କିଛି ଭଲ ତାହା ଅନ୍ୟ ବେଳେ ।୨।
ଯେଉଁ ସମୟରେ କିଛି କାର୍ଯ୍ୟ ନ ହୁଅଇ,
ଇତିହାସେ ତାର ନାମ ଲେଖା ନ ରହଇ ।
ଉପସ୍ଥିତ ମୁହୁର୍ତ୍ତକୁ ହେଳା କର ଯେବେ,
ସମସ୍ତ ସମୟ ନିଜେ ହଜିଯାଏ ତେବେ ।୩।
ଦଶୋଟି ଆଗାମୀ କାଲି ଅପେକ୍ଷା ଆଜକ
କାର୍ଯ୍ୟ ସମ୍ପାଦନେ ଅଟେ ସୁଫଳ ଦାୟକ ।
ଗତ କାଲି ଆଜଦିନ ଶିଷ୍ୟ ବୋଲି ଗଣା,
କାଳନାଶାଠାରୁ ଭଲ ନଷ୍ଟ ଟଙ୍କାମୁଣା ।୪।
କିଛି ନ କରିଣ ବସିଥାଏ ଯେଉଁ ଜନ,
ନ ପାଏ ସମୟ କାର୍ଯ୍ୟ ପାଇଁ କଦାଚନ ।
ସମୟ ତୁମ୍ଭର ଯେବେ ନ ହୁଏ ଚାକର,
ନିଜେ ନିଜେ ତାର ଯାଇ ହୁଏ ଅନୁଚର ।୫।
ପ୍ରତିକାର୍ଯ୍ୟ ପାଇଁ ଅଛି ନିର୍ଦ୍ଦିଷ୍ଟ ସମୟ,
ଯେ କାଳେ ଯେ କାର୍ଯ୍ୟେ ଲୋଡ଼ା କଲେ ତାହା ବ୍ୟୟ ।
ଏକଦିନ ମୂଲ୍ୟ ତିନି ଦିବସେ ସମାନ,
ନିଶ୍ଚୟ ଜାଣିବ ନରେ ନୁହଇ ଏ ଆନ ।୬।
କାର୍ଯ୍ୟ ଶୂନ୍ୟଲୋକ ଦିଏ ସମୟ ଯନ୍ତ୍ରଣା, ଚା
ମୁହୁର୍ତ୍ତେ ଘଟାଏ ମହାବିପଦ ଘଟଣା ।
କାଳ ସଙ୍ଗେ ଧୈର୍ଯ୍ୟ ଯେବେ ହୁଅଇ ମିଳନ,
ହୁଅଇ କ୍ଷମତା ବଳୁଁ ଅଧିକ ସାଧନ ।୭।
ଦେଷ କଲାଲୋକ ଦିଏକାଳ ପ୍ରତିଫଳ,
ଅସମ୍ଭବ ବୋଧ ହୁଏ ଜନେ ଭାବି ଫଳ ।
ଉପାସନା କରେ ଯେହୁ ଅଟଳ ବିଶ୍ୱାସେ,
ଭବିଷ୍ୟତ କାଳ ଫଳେ ରହିବ ତା ବଶେ ।୮।
ବାଲ୍ୟ ଯୁବାକାଳ ଫଳରୂପେ ଭବିଷ୍ୟତ,
ବୃଦ୍ଧ ସମୟରେ ଆସିହୁଏ ଉପଗତ ।
ଭବିଷ୍ୟତ-ଭବିଷ୍ୟତ-ବକ୍ତା ଯେଉଁ ଜନ,
ଅତୀତେ କରିଣ ଥାଏ ସେ ଜନ୍ମଗ୍ରହଣ ।୯।
ଏଣୁ ତିନି କାଳ କାର୍ଯ୍ୟ ଶୁଣ ଏବେ ଭାଇ,
ଅତୀତ କାଳଟି ଲୋଡ଼ା ଜ୍ଞାନଲାଭ ପାଇଁ ।
ବର୍ତ୍ତମାନ କାଳ ଲୋଡ଼ା କାର୍ଯ୍ୟର ସାଧନେ,
ଭବିଷ୍ୟତ ରଖିସଦା ସୁଖର କାରଣେ ।୧୦।
ଯାଉଛି ସମୟ କ୍ରମେ ଆସୁଛି ମରଣ,
ଏହାଜାଣି ନରେ ସଦା ହେବ ସାବଧାନ ।
ଭବିଷ୍ୟତ ସୁଖ ଦାନେ ନ କରେ ଭାବନା,
ଗତ କଥା ଗାଇ କେବେ ନ କର ଶୋଚନା ।୧୧।
ହରି ବିଦ୍ୟାମାନ ଥିବା ଭାବି ହୃଦଗତେ
ଆଜୀବନ କାର୍ଯ୍ୟେ ରତ ଥାଅ ଅବିରତେ ।୧୨।
ଶୈଥିଲ୍ୟ
ସମୟର ଚୋର ଅଟେ ବିଳମ୍ୱ ଜଗତେ,
ବର୍ଷ ପରେ ବର୍ଷ ହରି ନଅଇ ଗୁପତେ ।
ନିର୍ବୋଧ ମଠୁଆ ଲୋକ ଚାହିଁ ବସିଥାଏ,
ତା ଆଗେ ସମୟ ଦ୍ରୁତ ବେଗେ ଚାଲି ଯାଏ ।୧।
ଏକ ସମୟରେ ଯାହା ହେବାକୁ ରହିବ,
କୌଣସି କାଳରେ କେଭେଁ ସେ କରା ନ ଯିବ ।
ସନ୍ଧ୍ୟା ନ ରଖ ଯାହା ହୋଇବ ସକାଳେ,
ରଖିଲେ ସେକାର୍ଯ୍ୟେ ଶେଷ ନୋହେ କେଉଁ କାଳେ ।୨।
ମୁହହୂର୍ତ୍ତେ ବିଳମ୍ୱଠାରୁ ତିନିଘଡ଼ି ଆଗେ,
ଉପସ୍ଥିତ ହେବା ଭଲ ସ୍ୱକାର୍ଯ୍ୟେ ଆବେଗେ ।
ଅଶ୍ୱ ଚୋରିଗଲା ପରେ ଶାଳେ ଚାବି ଦାନ,
ମଠୁଆ ଲୋକର କାର୍ଯ୍ୟ ଅଟଇ ଏସନ ।୩।
ମନୁଷ୍ୟଜୀବନେ ଶାପ ଅଟଇ ଅବିଳମ୍ୱ ।
ବ୍ୟବସାୟ ଆତ୍ମତୁଲ୍ୟ ଅଟେ ଅବିଳମ୍ବ ।୪।
ପରିଶ୍ରମ
ଜୟ କରି ପାରେ ସକଳଙ୍କୁ ପରିଶ୍ରମ,
ସଂସାରରେ ପୁରସ୍କାରଭାଗୀ ଏକ କର୍ମ ।
ଦାରିଦ୍ର୍ୟ-ବିରକ୍ତ-ପାପ-ରାକ୍ଷସ କବଳୁଁ,
ନର ରକ୍ଷା ପାଏ ସଦା ପରିଶ୍ରମ ବଳୁଁ ।୧।
ଆନନ୍ଦ ମଧୁରତର ହୁଏ ସଦା କର୍ମେ,
ବିଶ୍ରାମ ମଧୁର ତାର ହୁଏ ପରିଶ୍ରମେ ।
ପରିଶ୍ରମ ବିନା କେବେ ନ ମିଳଇ ଶାନ୍ତି,
ଆଳସ୍ୟ ଭୋଗ କରାଏ ସର୍ବଦା ଅଶାନ୍ତି ।୨।
ଅତିତିକ୍ତ ଅଟେ ପରିଶ୍ରମ-ବୃକ୍ଷଚେର,
ମାତ୍ର ଫଲଗୁଡ଼ି ତାର ଅତ୍ୟନ୍ତ ମଧୁର ।
ଅତୀତର ପରିଶ୍ରମ ବର୍ତ୍ତମାନ ସୁଖ,
ପରିଶ୍ରମ କେତେବେଳେ ଦିଏ ନାହିଁ ଦୁଃଖ ।୩।
ଆସକ୍ତି କରଇ ପରିଶ୍ରମକୁ ଲାଘବ,
ପରିଶ୍ରମ ପକ୍ଷେ କିଛି ନୋହେ ଅସମ୍ଭବ ।
ଆରମ୍ଭ କରିଣ ଶେଷ ନ କରେ ଯେ କର୍ମ,
ବୃଥା ହୋଇଯାଏ ତାର ସବୁ ପରିଶ୍ରମ ।୪।
ଅଟଇ କର୍ମଶୀଳତା ଧର୍ମ-ମାତା, ପାତା,
ଅଧ୍ୟବସାୟ ଅଟଇ ସୌଭାଗ୍ୟର ଦାତା ।
ଯେ ଜନ ସାଧୁ ଉଦ୍ଦେଶ୍ୟ ପୋଷି ସଦା ମନେ,
ସମୟ ଉତ୍ସର୍ଗକରେ ଅଦମ୍ୟ ଯତନେ ।୫।
ଜୀବନ ମରଣକ୍ଳେଶ ଭୋଗ ନ କରଇ,
ପ୍ରକୃତି ସାଙ୍ଗରେ ଶାନ୍ତିପଥ୍ ସେ ଗମଇ ।୬।
ଆଳସ୍ୟ
ଆଳସ୍ୟ ବୋଲାଏ ଭବେ ଦାରିଦ୍ର୍ୟର ମାତା,
ଅଳସୁଆ ଲୋକ ଅଟେ ଭିକ୍ଷାଜୀବୀ ଭ୍ରାତା ।
ସୁସାଧ୍ୟ କାର୍ଯ୍ୟ ଆଳସ୍ୟେ ହୁଅଇ ଅସାଧ୍ୟ,
ମାତ୍ର ଅସାଧ୍ୟ ହୁଅଇ ପରିଶ୍ରମ ସାଧ୍ୟ ।୧।
ସୁପ୍ତ ସିଂହଠାରୁ ଭଲ ଭୁକିବା କୁକୁର,
ଅଜଗର ମୁଖେ କାହିଁ କି ଦିଏ ଆହାର ?
ପାପର ପୋଷଣକାରୀ କର୍ମର କଳଙ୍କ,
ଦୋଷ ରଙ୍ଗଭୂମି ଜଡ଼ଲୋକର ମସ୍ତକ ।୨।
କିଛି ନ କରିଣ ଯେହୁ ଖାଲି ବସିଥାଏ,
ନିଜ ବୁଦ୍ଧି ଯାହା ଥାଏ ତାହା ନିଜେ ଖାଏ ।
ମାଙ୍କଡ଼ସା ଜାଲ ପରି ଆଳସ୍ୟ ପ୍ରଥମେ
ଆଶ୍ରିତ ଲୋକକୁ ଫାନ୍ଦେ ରଖେ କ୍ରମେ କ୍ରମେ ।୩।
ଅବଶେଷେ ଆହା ଲୌହ ଶୃଙ୍ଖଳ ପ୍ରକାରେ,
ଶକ୍ତ ହୋଇ ବନ୍ଦ କରେ ନ ଛାଡ଼େ ବାହାରେ ।
ଯତ୍ନ କରି କାର୍ଯ୍ୟେ ଫଳ ନ ମିଳିବା ଶ୍ରେୟ,
ତଥାପି ଆଳସ୍ୟେ ବଶ ନୁହଇ ବିଧେୟ ।୪।
କର୍ମ
ଜଗତେ ଜନର ଗୁରୁ ଅଟେ ଏକା କର୍ମ,
ନ ସେବେ ତା ପାଦେ ଯେହୁ ଅଟେ ସେ ଅଧମ ।
ଅବିରତ କର୍ମେ ରତ ଥାଏ ଯେଉଁ ଜନ,
ତାହା ପାଶେ ଆସେ ନାହିଁ ପାପ-ପ୍ରଲୋଭନ ।୧।
ଭୋଗେ ନାହଁ କେବେ ସେହି ଦୁଃଖାନଳ ତାପ,
ଆଜୀବନ ଭୋଗକରେ ସେ ସୁଖ ଅମାପ ।
ଭଲ କର୍ମେ ମନ ଯେବେ ଦେବ ସଦାବେଳେ,
ମନ୍ଦ କର୍ମ ଆଶ୍ରି ପାରେ ନାହିଁ କେତେବେଳେ ।୨।
କର୍ମର ପୂର୍ବରେ ସୁଖ ଥାଏ ଅବିରତ,
କର୍ମ ନ ସାଧିଲେ ସୁଖ ନୁହଇ ଆୟତ୍ତ ।
କର୍ମ ଲୋକବଶ ଅଟେ ମାତ୍ର ନୋହେ ଫଳ,
କର୍ମ କର ନ ଭାବିଣ ହେବାକୁ ବିଫଳ ।୩।
କର୍ମୁ ହେଲେ ଅନ୍ତର ସେ କରେ କୋପ ମୁଖ,
ଅନୁସରି ଥିଲେ ସଦା ଦିଏ ହସି ସୁଖ ।
କର୍ମଲୋକ ସଙ୍ଗେ ପ୍ରାତୁଁ ଶଯ୍ୟାରୁ ଉଠଇ,
ସନ୍ଧ୍ୟାହେଲେ ତାର ସଙ୍ଗେ ବିଶ୍ରାମ କରଇ ।୪।
ଇଚ୍ଛା ଓ ଧୈର୍ଯ୍ୟ
ଇଚ୍ଛାଥିଲେ ରହିଥାଏ ଉପାୟ ସକଳ,
ଇଚ୍ଛୁକ ଲୋକର କାର୍ଯ୍ୟ ନୁହଇ ବିଫଳ ।
ଇଚ୍ଛା କଲା କାର୍ଯ୍ୟ ଯେବେ କରି ନ ପାରିବ,
ତେବେ ଯାହା କରିପାର ସେ କାର୍ଯ୍ୟ କରିବ ।୧।
ଇଚ୍ଛା ଧୈର୍ଯ୍ୟ ଧନ ଆଉ ସମୟ ମିଳନେ
ସଦା ଦକ୍ଷ ହୁଏ ଲୋକ ଅସାଧ୍ୟ ସାଧନେ ।
ଧୈର୍ଯ୍ୟଗୁଣ ରହିଥାଏ ଯେଉଁ ଲୋକଠାରେ,
ଯାହା ଇଚ୍ଛା କରେ ଭବେ ତାହା କରିପାରେ ।୨।
ଧୈର୍ଯ୍ୟ ଦୂରକରେ ଯେତେ ଭବେ ଅଛି ଦୁଃଖ,
ମୂହୂର୍ତ୍ତକ ଧୈର୍ଯ୍ୟ ଦିଏ ଦଶ-ବର୍ଷ ସୁଖ ।
ଉତ୍ତମ ଭେଷଜ ଧୈର୍ଯ୍ୟ ଦୁଃଖ-ରୋଗ ନାଶେ,
କ୍ଷତର ମଲମ ବୋଲି ବିଜ୍ଞ ବୈଦ୍ୟ ଭାଷେ ।୩।
ବାଲି ଜମା ହୋଇ ହୁଏ ମହତ ପର୍ବତ,
ମୂହୂର୍ତ୍ତ ମୂହୂର୍ତ୍ତ ହୋଇ ବର୍ଷ ହୁଏ ଗତ ।
ପାଦେ ପାଦେ ଚାଲି ଦେଶେ ଦେଶେ ଯାଏ ଜନ,
ଚୋଟେ ଚୋଟେ ହାଣୁଁ ବୃକ୍ଷହୁ ଅଇ ପତନ ।୪।
ଧୈର୍ଯ୍ୟ ଧରି କାର୍ଯ୍ୟ ଯେବେ କରିବ ସତତ,
ସୁଫଳ ନିଶ୍ଚୟେ ଶେଷେ ହେବ ଉପଗତ ।୫।
ସ୍ନେହ
ସ୍ନେହ ଆଉ ସତ୍ୟ ଭବେ ଅଟଇ ଅମଲ୍ୟ,
ପ୍ରତିବାସିଠାରେ ସ୍ନେହରଖ ନିଜ ତୁଲ୍ୟ ।
ନିଜ ଭ୍ରାତାଠାରେ ସ୍ନେହ ନ କରେ ଯେ ଜନ,
ଯା ସଙ୍ଗେ କାଟଇସଦା ଦୁଃଖେ ସୁଖେ ଦିନ ।୧।
ସେ କାହୁଁ ଜାଣିବ ସ୍ନେହ ଈଶ୍ୱରଙ୍କ ପ୍ରତି
ଯା ପାଶେ ନ ପାରେ ଗମି ତାର ଦୃଷ୍ଟିଶକ୍ତି ।
ସକଳ ଜୀବରେ ସ୍ନେହ ଯେ ଜନ ରଖଇ,
ଜାଣିବ ନିଶ୍ଚୟ ଐଶୀ ଶକ୍ତି ସେ ବହଇ ।୨।
ପିତା ମାତାଠାରେ ସ୍ନେହ ସର୍ବଧର୍ମ-ମୂଳ,
ସ୍ନେହ-ବଳଜଗତରେ ଅଟଇ ଅତୁଳ ।
ସ୍ନେହ କେବେ ନୋହେ ଭବେ କୁଫଳଦାୟକ,
କଥା ନୋହେ କାର୍ଯ୍ୟ ଅଟେ ତା ପରିଚାୟକ ।୩।
ଖଡ଼୍ଗ ବିନା କରେ ସ୍ନେହ ଜଗତ ସାଧନ,
ରଜ୍ଜୁ ବିନା କରିପାରେ ଏକା ସେ ବନ୍ଧନ ।
ଜୀବନ ପରମ-ସୁଖ ଏକା ସ୍ନେହ-ଧନ,
ତା ନୟନେ ଉଚ୍ଚ ନୀଚ ଅଟଇ ସମାନ ।୪।
ପ୍ରକୃତ ସେନେହ କେବେ ନୁହଇ ପୁରୁଣା,
ନିତି ବଢ଼ୁ ଥାଇ କ୍ରମେ ନ ଭଜଇ ଉଣା ।
ଅବିଶ୍ୱାସ ପ୍ରବେଶିଲେ ହୁଏ ବିଦୂରିତ,
ପ୍ରତାରଣାଶୂନ୍ୟ ସ୍ନେହ ଅଟଇ ଉଚିତ ।୫।
ନାରୀ ଓ ବିବାହ
ପ୍ରକୃତି ଗଠନକାରୀ ନାରୀ ଏକା ଭବେ,
ଦିଅଇ ପ୍ରଥମ ଶିକ୍ଷା ବାଲ୍ୟେ ସେ ମାନବେ ।,
ସତୀତ୍ୱ ଅଟଇ ତାର ସଦା ସାର ଧନ,
ସୌନ୍ଦର୍ଯ୍ୟ ଅଟଇ ସିନା ଗର୍ବର କାରଣ ।୧।
କୁରୂପା ଅଟଇ ମାତ୍ର ଧର୍ମଶୀଳା ଯେବେ,
ପତିର ମୁକୁଟରୂପେ ଗଣ୍ୟ ହୁଏ ତେବେ ।
ନାରୀର ପ୍ରଧାନ ଧର୍ମ ଅଟଇ ମୌନତା,
ମୂଖରା ନାରୀର ମନ ଧରେ ଅସ୍ଥିରତା ।୨।
ଗୁପ୍ତ କଥା ନ ପ୍ରକାଶ ନାରୀର ଅଗ୍ରତେ,
ଯାହା ସେ ନ ଜାଣେ ତାହା ରଖଇ ଗୁପତେ ।
ନାରୀବଶ ଜନ ଭବେ ଭୋଗଇ ଲାଞ୍ଛନା,
ସୁରା ଆଉ ନାରୀ ଯୋଗେ ମିଳଇ ଯନ୍ତ୍ରଣା ।୩।
କାଞ୍ଚନ, ରମଣୀଯୋଗେ ଜଗତ ଶାସିତ,
କାଚ ଆଉ ନାରୀ ସଦା ବିପଦଗ୍ରଥିତ ।
ଦର୍ପଣେ ଆଦର ଯେଉଁ ନାରୀ କରେ ଅତି,
ଗୃହ କର୍ମେ କେତେବେଳେ ନ ଥାଇ ତା ମତି ।୪।
ପୁରୁଷଠାରୁ ଅଧିକ ଦାୟିତ୍ୱ ସଂସାରେ
ଅର୍ପିତ ହୋଇଣ ଥାଏ ସଦା ନାରୀଠାରେ ।
ଶତେଗୁଣ ଶିକ୍ଷାହୀନ ପୁରୁଷ ଅପେକ୍ଷା
ଅଶିକ୍ଷିତ ନାରୀ ଭାର ସମାଜରେ ଲେଖା ।୫।
ବିବାହ ଅଟଇ ଗାଢ଼ ବନ୍ଧନ ସଂସାରେ,
ଲଭ ସେ ବନ୍ଧନ ସଦା ହେଜିବୁଝି ନରେ ।
ବିବାହ ଶବ୍ଦଟି ଅତି ମଧୁର ଶ୍ରବଣେ,
ମଧୁରତା ତୁଟେ ଶୀଘ୍ର ତା ସ୍ୱାଦ ଗ୍ରହଣେ ।୬।
ଲଭିବାକୁ ସେ ବନ୍ଧନ ନ ହୁଅ ତତ୍ପର,
ଛେଦନ ନ ହୁଏ ଯେଉଁ ବନ୍ଧନ ସତ୍ୱର ।
ପେଟ ପୋଷିବାକୁ ଶକ୍ତି ହୋଇ ନାହିଁ ଯାର,
ବିବାହ ଅଟଇ ତାର ପକ୍ଷେ ମହାଭାର ।୭।
କି ଉଚ୍ଚ ନୀଚ ସମାଜେ ପୁରୁଷ ବା ନାରୀ,
କା ପକ୍ଷେ ବାଲ୍ୟ ବିବାହ ନୋହେ ହିତକାରୀ ।
ଧନ ଲୋଭେ କନ୍ୟା ଧନୀ ଗୃହରୁ ଗ୍ରହଣ
କଲେ ନିଜ ସ୍ୱାଧୀନତା ହୁଅଇ ହରଣ ।୮।
ଦାମ୍ପତ୍ୟ ପ୍ରଣୟ ସୁଖ ଇଚ୍ଛେ ଯେଉଁ ଯନ,
ନିଜ ସମ ଗୃହୁଁ କନ୍ୟା କରିବ ଗ୍ରହଣ ।
ପତ୍ନୀଠାରେ ଧୈର୍ଯ୍ୟ, ପତିଠାରେ ଜ୍ଞାନ ଥିଲେ,
ଗୃହବାସେ ସୁଖଶାନ୍ତି ଅବାଧାରେ ମିଳେ ।୯।
ଛଦହୀନ ଗୃହଯଥା ପତ୍ନୀହୀନ ନର,
ପତିହୀନ ପତ୍ନୀଯଥା ଭିତ୍ତିଶୂନ୍ୟ ଘର ।
ସମନା ନାରୀ ଅଟଇ ଜୀବନର ସୁଖ,
କୁମନା ଅଟଇ ସଦା ଜୀବନର ଦୁଃଖ ।୧୦।
ଅପବ୍ୟୟୀ ନାରୀ ଯାର ଘରେ ରହିଥାଏ,
କେତେବେଳେ ତାର ଧନ ବୃଦ୍ଧି ନାହିଁ ପାଏ ।
ଗୃହର ଚାବି ପରାଏ ପତ୍ନୀକୁ ଭାବିବ,
ତାର ସଙ୍ଗେ ସଦଭାବେ ସର୍ବଦା ଚଳିବ ।୧୧।
ଜୀବନ ଓ ମରଣ
ଜୀବନେ କେବଳ ଅଟେ ପରିଶ୍ରମ ସାର,
ମରଣ ଅଟଇ ମାତ୍ର ବିଶ୍ରାମ ଆଗାର ।
ଜନମ ହୋଇଲେ ଲୋକ ନିଶ୍ଚୟ ମରଇ,
ବୃକ୍ଷର ପତନ ହେଲେ ଭୂମିରେ ପଡ଼ଇ ।୧।
ସୁଚିନ୍ତା ସୁକାର୍ଯ୍ୟେ ଯେହୁ କାଟଇ ଜୀବନ,
ଧନ୍ୟ ବୋଲି ଲୋକେ ସେହୁ ହୁଅଇ ଗଣନ ।
ସୁସ୍ଥିର ଜୀବନ ଏକା ଅଚଇ ତାହାର,
ସଦାବେଳେ ଧର୍ମେ ମତି ରହଇ ଯାହାର ।୨।
ଅଦ୍ଧେର୍କ ଜୀବନ କଟିଯାଏ ଯେତେବେଳେ,
କିସ ତାହା ଲୋକ ଏହା ବୁଝେ ସେତେବେଳେ ।
ଜୀବନ ଗୋଟିଏ ପଥ ବିଧାତା ଗଢ଼ିଛି,
ହାତେ ଦୁଃଖ ହାତେ ସୁଖ ମାପି ବିଛାଇଛି ।୩।
ଜୀବନ ଆଦ୍ୟରେ ଭୋଗ କେବଳ କ୍ରନ୍ଦନ,
ମଧ୍ୟେ ଅସନ୍ତୋଷ ଭୋଗ କରୁଥାଏ ମନ ।
ଶେଷରେ ମରଣ ଆହା ହୋଇଣ ହତାଶ,
ସଂସାରେ ନୁହଇ କାର କେବେ ସୁଖ ଲେଶ ।୪।
ସୁଖରେ ବଞ୍ଚିଲେ ଧନ୍ୟ ଅଟଇ ଅଳ୍ପାୟୁ,
ଶ୍ରେୟ ନୁହେ ଦୁଃଖେ ବଞ୍ଚି ହୋଇବା ଦୀର୍ଘାୟୁ ।
ଯେତେ ଦୀର୍ଘକାଳ ଲୋକ ବଞ୍ଚଇ ଜଗତେ,
ତେତେ ଦୁଃଖ ରାଶି ଆସି ମିଳେ ତା ଅଗ୍ରତେ ।୫।
କେହି ଲୋକ ଭାବେ ନାହିଁ ଆପଣା ଜୀବନ,
ଅଳ୍ପ ଦିନ ପରେ କାଳେ ହୋଇବ ହରଣ ।
କ୍ରମେ ଶେଷ ହୁଏ ବତି କଲେ ଅଗ୍ନିଦାନ,
ମୃତୁ ଆଗମନ ଭିନ୍ନ କିଛି ନୋହେ ପ୍ରାଣ ।୬।
ଉତ୍ତମ ଲୋକର ମୃତୁ ନିଶ୍ଚୟ ଘଟଇ,
ମାତ୍ର ତାର ନାମ କାଳ ନ ପାରେ ନିଭାଇ ।
ମୃତଲୋକ ନିନ୍ଦା ଯେଉଁ ପାମର କରଇ,
ସେ ଘୋର ନରକଭାଗୀ ନିଶ୍ଚୟ ହୁଅଇ ।୭।
ବିଶ୍ୱ ଚଟି ଘର ସିନା ଜୀବନ ଭ୍ରମଣେ,
ଯେ ଭ୍ରମଣ ଶେଷ ହୁଏ କେବଳ ମରଣେ ।
କାହିଁକି ଆସିଛ ଭାଇ ଏ ବିଶ୍ୱ-ଭବନ
ଭାବି କାର୍ଯ୍ୟ କର ଚାହିଁ ଅଗ୍ରତେ ମରଣ ।୮।
ସଦାଚାର ପଥ
ଭଲ କାର୍ଯ୍ୟକଲେ ଭୟ ନ ଥାଏ କାହାକୁ,
ଭଲ ଯେ କରଇ ଭଲ ଫଳ ମିଳେ ତାକୁ ।
ଅଧିକାଂଶ ଲୋକ ଯେଉଁ ପଥରେ ଗମନ୍ତି,
ସେ ପଥ ପ୍ରତ୍ୟେକେ ଅଟେ ନିରାପଦ ଅତି ।୧।
ଲୋକଦ୍ୱାରା ଯେଉଁ କାର୍ଯ୍ୟ ହୋଇଛି ସାଧନ,
ପ୍ରତିଲୋକ କରି ପାରେ ତାହା ସମ୍ପାଦନ ।
ଯେ କାର୍ଯ୍ୟେ ଲଜ୍ଜିତ ହେବ ସେ କାର୍ଯ୍ୟ ନ କର,
ପ୍ରଶଂସିତ କାର୍ଯ୍ୟେ ସଦା ଦୃଢ଼ ଇଚ୍ଛା ଧର ।୨।
ଯେବେ କାର ଇଚ୍ଛା ହୁଏ କୁକାର୍ଯ୍ୟ କରଣେ,
ଆଗାମୀ କାଲି ପର୍ଯ୍ୟନ୍ତ ରଖ ତା ସାଧନେ ।
ସୁକାର୍ଯ୍ୟ କରଣେ ଇଚ୍ଛା ହେବ ଯେତେବେଳେ
ଆରମ୍ଭିବ ଅବାଧରେ ତାହା ସେତେବେଳେ ।୩।
ନିଜେ ଯେଉଁ କାର୍ଯ୍ୟ କରିପାର ସମ୍ପାଦନ,
ପ୍ରତିନିଧିଦ୍ୱାରା ତାହା ନ କର ସାଧନ ।
ନିଜେ ଯେଉଁ କାର୍ଯ୍ୟ କରିବାକୁ ହେବ ଭୀତ,
ଅନ୍ୟେ ତାହା କରିବାକୁ ଦେବା ଅନୁଚିତ ।୪।
ଯେ କାର୍ଯ୍ୟେ ତୁମ୍ଭର କିଛି ସମ୍ୱନ୍ଧ ନ ଥିବ,
ସେ କାର୍ଯ୍ୟେ ହାତ ଦେବାକୁ କଦାପି ନ ଯିବ ।
ଘର ପାଇଁ ଯେବେ ଶେଣି ଲମ୍ବକୁ କାଟିବ,
ନିଶ୍ଚୟ ଆଗରୁ ତିନି ଥରଟି ମାପିବ ।୫।
ସର୍ବଜନ ପ୍ରିୟ ହେବା ସର୍ବଦା ଇଚ୍ଛିବ,
କାହାର ଅପ୍ରିୟ ହେବା କେଭେଁ ନ ଭାବିବ ।
ବିକଳାଙ୍ଗ ଲୋକେ କେଭେଁ ବିଦ୍ରୁପ ନ କର,
ଅପମାନ ଦେବ ନାହିଁ ଆପନ୍ନ ଯେ ଲର ।୬।
ଯେ ଦୁର୍ବଳ ତାକୁ ଉପହାସ ନ କରିବ,
କେତେବେଳେ ନିଜ ମନେ ଗର୍ବ ନ ବହିବ ।
ଅପର ଦୋଷ ପ୍ରକାଶ ନୁହଇ ଉଚିତ,
ଆପଣା ପ୍ରଶଂସା କରା ସଦା ଅନୁଚିତ ।୭।
ଯେତେ ଉଚ୍ଚ ଆସନରେ ହେଲେ ହେଁ ଆସୀନ,
ନୀଚ ବୋଲି ନ ଭାବିବ ଯେ ଅଟେ ଅଧୀନ ।
ଆପଣାକୁ ନୀଚ ବୋଲି ଯେ ନର ଭାବଇ,
ଉନ୍ନତି ତାହାର ପନ୍ଥେ ସତତ ଧାମଇ ।୮।
ନିଜକୁ ଯେ ଜିଣି ପାରେ ଜିଣେ ସେ ଜଗତ,
ବିପଦ ତା ଆଗେ କେବେ ନୁହେ ଉପଗତ ।
କନିଷ୍ଠର ପ୍ରତି ଦୟା ଜ୍ୟେଷ୍ଠକୁ ସମ୍ମାନ
କରିବା ଅଟଇ ସୃଷ୍ଟିକର୍ତ୍ତାଙ୍କ ବିଧାନ ।୯।
ପ୍ରଥମେ ଶିକ୍ଷିଣ ନିଜେ ହେବାକୁ ଶାସିତ,
ଶାସନେ ପ୍ରୟାସ କର ତେବେ ଅନ୍ୟ ଚିତ୍ତ ।
ପାଳେ ଯେ ନିଜ ବିବେକ ଆଦେଶ ନିୟତ,
ତାହାର ଆଦେଶ ସଦା ପାଳଇ ଜଗତ ।୧୦।
ସୁନ୍ଦର ସ୍ୱଭାବ ଲୋକ ଯେ ସମାଜେ ଥାଏ,
ସେ ସମାଜେ ଜ୍ଞାନ-ବୃକ୍ଷ ବୋଲି ସେ ବୋଲାଏ ।
ଯାହା ଜାଣ ତାହା ସବୁ ନ କର ପ୍ରକାଶ,
ଯାହା ଶୁଣ ତାହା ସବୁ ନ କର ବିଶ୍ୱାସ ।୧୧।
ନ କରିବ ସବୁ କାର୍ଯ୍ୟ ଯେତେ କରି ପାର,
ବ୍ୟୟ ନ କରିବ ସବୁ ଯା ଥାଏ ଯାହାର ।
ମନସ୍ଥ କରିବ ଯାହା ଲୋକେ ପ୍ରକାଶିବ,
ବ୍ୟକ୍ତ କର ଯାହା ତାହା କାର୍ଯ୍ୟରେ କରିବ ।୧୨।
ସ୍ନେହ କର ସର୍ବେ ମାତ୍ର ବିଶ୍ୱାସ ନ କର,
ବୈଷ୍ଣବ ନୁହନ୍ତି ସର୍ବେ ମାଳାଧାରୀ ନର ।
ଅସମ୍ପୂର୍ଣ୍ଣ କରା ବହୁ କାର୍ଯ୍ୟ ଅନୁଚିତ,
ଭଲ ଅଟେ ଅଳ୍ପ କାର୍ଯ୍ୟ ହେବା ସମ୍ପାଦିତ ।୧୩।
ବାଣିଜ୍ୟ କରିବା ପାଇଁ ବୁଲି ବହୁ ସ୍ଥାନେ,
ଅନେକ ବିଷୟେ ଶିକ୍ଷା ଲଭି ଥାନ୍ତି ଜନେ ।
ପ୍ରଧାନ କର୍ତ୍ତବ୍ୟ ମନ-ଉନ୍ନତି ସାଧନ,
ଶାସନେ ରଖିବା ସଦା ନିଜ ଆଚରଣ ।୧୪।
ଦୃଷ୍ଟି-ଶ୍ରୁତି-ଜିହ୍ୱା-ସ୍ପର୍ଶ-ମନରୁ ଅନ୍ତର
କରାଇକାମଲାଳସାବୁଦ୍ଧିମାନ ନର ।
ମନ୍ଦ କଥା କେତେବେଳେ କାନେ ନ ଶୁଣିବ,
ଅଥବା ମୁଖରେ ତାହା କେଭେଁ ନ ଭାଷିବ ।୧୫।
ଦୁଃଖକୁ ଦୁଃଖ ନ ଭାବ ଦୁଃଖ ଭେଟ ଯାଏ,
ସୁଖକୁ ସୁଖ ନ ଭାବ ସୁଖ ଭେଟ ଯାଏ;
ଦିନ ଦିନ ରାତି ରାତି ଭାବେ ଯେଉଁ ନର,
ନିଶ୍ଚୟ ହୁଅଇ ସୁଖ ତାର ଅନୁଚର ।୧୬।
ପାନାସକ୍ତ ହେଲେ ଜ୍ଞାନ-ଶକ୍ତି ଚାଲିଯାଏ,
ପାନାସକ୍ତ ଲୋକ ପଶୁ ବୋଲିଣ ବୋଲାଏ ।
ଭୋଜନ କରିବା ପାଇଁ ଜୀବନ ନ ଧର,
ଜୀବନ ରକ୍ଷଣେ କର ଭୋଜନେ ଆଦର ।୧୭।
ଉପହାସେ ବହୁଦୂର ନ କର ଗମନ,
କଟୁ ଉପହାସ କରେ ବନ୍ଧୁତା ଛେଦନ ।
ଜିଜ୍ଞାସିତ ନୋହି ଦେବ ନାହିଁ ପରାମର୍ଶ,
ଗୃହଛିନ୍ଦ୍ର ନ କରିବ କା ଆଗେ ପ୍ରକାଶ ।୧୮।
ଏକତା ଯୋଗେ ଉତ୍ଥାନ ଅନୈକ୍ୟ ପତନ,
ଏକତା ଯୋଗେ ହୁଅଇ ଅସାଧ୍ୟ ସାଧନ ।୧୯।


Post a Comment