ପଦ୍ମକଳ୍ପ


ପଦ୍ମକଳ୍ପ

ସନ୍ଥକବି ଭୀମ ଭୋଇ
 

ପ୍ରଥମ ଅଧ୍ୟାୟ


କଳିକାଳ ରୀତି ଦେଖି ମାଡ଼େ ଭୀତି ହୃଦୟ ଛନ୍ନ କାତର,
ଥୟ ହେଉନାହିଁ ପଞ୍ଚଭୂତ ଆତ୍ମା ଶ୍ରୀଗୁରୁ କରିବେ ପାର ।
କରି ନିବେଦନ ଆହେ ଭକ୍ତଗଣ ପ୍ରଭୁଙ୍କର ପାଦତଳେ,
ହେଳେ ତରିଯିବ କଳିକାଳ ଦର୍ପୁ ତରିଯିବି ଅବହେଳେ ।
ଚାରିଲକ୍ଷ ବତିସ ସସ୍ର ଏ କଳି ଭୋଗ ହେବାର ବୃତ୍ତାନ୍ତ,
ଅଧର୍ମରୁ କଳି ନାଶଯିବ ପୁଣି ପୃଥିବୀ ନିରସା ଯୁକ୍ତ ।
ଦୁଷ୍ଟଲୋକ ଭାରା ନସହି ବସୁନ୍ଧରା ସ୍ତୁତି କଲା ବିନୀତରେ,
ତାହାର ଆକୁଳ ଶୁଣି ମହାପ୍ରଭୁ ବିଜେ କରିଲେ ଧରାରେ ।
ଦେଖିଣ ସୁମତି ପଦେହେଲା ଭକ୍ତି ନିବେଦନ କଲା ଯହୁଁ,
ତାହାର କାକୁସ୍ଥ ଜାଣି ଦୟାବହି ସାହାହେଲେ ମହାବାହୁ ।
ଚାରିଲକ୍ଷ ବତିଶ ସହସ୍ର ମଧ୍ୟରୁ ଶୁଣିଥାଅ ଶ୍ରୁତିପଥେ,
ବାର ସହସ୍ର ବରଷ କଳିଯୁଗ ଆୟୁ ତୁଟିବ କିଞ୍ଚିତେ ।
ଅଷ୍ଟ ବେନି ସହସ୍ର ବରଷେ ନୀଳାଚଳ ତେଜି ହରି,
ରାଜା ବ୍ରାହ୍ମଣର ଅନ୍ୟାୟ ଦେଖିଣ ତହୁଁ ଯିବେ ଅପସରି ।
ତେତିକି ବେଳକୁ କଳି ଆଦ୍ୟ ରାଜା ସୋମବଂଶ କରୁଥିବ,
ଅଠର ପୁରୁଷ ଏଗାରଶ ବର୍ଷ କଳିଯୁଗର ପ୍ରସ୍ତାବ ।
ଚନ୍ଦ୍ରବଂଶ ଭୋଗ ତହୁଁ ସେ କରିବ ଚଉଦ ପୁରୁଷ ଜାଣ,
ଏଗାରଶ ପଞ୍ଚ ତିରିଶ ବରଷ କଳି ଭୋଗର ପ୍ରମାଣ ।
ଚତୁର୍ଦ୍ଦଶ ପୁରେ ହୋଇବ ରାଜନ ଚନ୍ଦ୍ର ସୂର୍ଯ୍ୟ ବେନିବଂଶ,
ମଗଧ ଦେଶରେ ହେବ ସେହୁ ଜାତ ପୁରଞ୍ଜନ ନାମ ଖ୍ୟାତ ।
ଚନ୍ଦ୍ରଧ୍ୱଜ ବଂଶ ତହୁଁ ରାଜଭୋଗ ଦଶ ପୁରୁଷଟି ଜାଣ,
ତିନିଶ ଷାଠିଏ ବରଷ ରାଜୁତି କରିବେ ସେହୁ ରାଜନ ।
ତେତିକି ବେଳକୁ ନୀଳାଚଳ ତେଜି ତହୁଁ ଜଗନ୍ନାଥ ଯିବେ,
ଅଲେଖ ମହିମା ଚରଣେ ସେବିଣ ଗୁପତେ ଖେଳ କରିବେ ।
ବିଷ୍ଣୁନାମେ ରାଜା କରିବେଟି ଭୋଗ ତିରିଶ ପୁରୁଷ ମହୀ,
ଆଠଶ ଛୟାଳେଇ ବରଷ ରାଜନ ଭୋଗ କରିବାକୁ ଥାଇ ।
ତହୁଁ ଅନ୍ତେ ରାଜା ଗୋପାଳ ନାମେଣ କରିବେ ସେ ରାଜ ପଣ,
ସତର ପୁରୁଷେ ଭୋଗ ତାର ଶେଷ ଶହେ ସତୁରି ବର୍ଷେଣ ।
ଏଥୁ ଅନନ୍ତରେ ରାଜ ନନ୍ଦନର ନୃପତି ଦଶ ପୁରୁଷ,
ଚାରିଶ ଛୟାଣୋଇ ବରଷ ନୃପତି ତାରଯୋଗ ହେବ ଶେଷ ।
ଶୁଣ ଆଦିମାତା କଳିର ବୃତ୍ତାନ୍ତ ସେହି ସମୟରେ ଜାଣ,
କାଳାନଳ ଗିରି ବିମ୍ବର ମଧ୍ୟରେ ଜଗିଥିବ ହନୁମାନ ।
ସ୍ୱାମୀଙ୍କ ଦର୍ଶନେ ପାପୁଁ ହେବ ମୋକ୍ଷ ଗୁରୁ ସେବାକରି ସେହି,
ବୀରବଧୂ ବାନା ମିଳିବ ବାସନା କରୁଣା ସାଗର ଧ୍ୟାଇ ।
ମାରକଣ୍ଡ ଯତି ସ୍ୱର୍ଗ ପୁର ତେଜି ବ୍ୟାସସରୋବର କୂଳେ,
ତପସ୍ୟା କରିବେ ବ୍ରହ୍ମାଣ୍ଡ ନିମନ୍ତେ ପ୍ରଳୟ କଟାଇ ହେଳେ ।
ତେତିକି ବେଳକୁ ଟାକି ରହିଥିବୁ ବୁଦ୍ଧ ବଇଷ୍ଣବ ରୂପ,
ଫେଡ଼ିଣ କଷଣ ଗୁରୁ ଶୂନ୍ୟବ୍ରହ୍ମ ଘଟିଯିବ କଳି ଦର୍ପ ।
ତଦନ୍ତେ କଣ୍ୱୟ ବଂଶରେ ନୃପତି ପନ୍ଦରପୁରୁଷ ଜାଣ,
ପାଞ୍ଚଶ ପଞ୍ଚତିରିଶ ବର୍ଷରେ ସରିଯିବ ରାଜ ପଣ ।
ଅନନ୍ତ ନାମେଣ ରାଜା ସେହୁ ହେବେ ଅବନ୍ତୀ ନବରେ ଜାଣ,
ଅନ୍ୟାଚାର କରି ପରଜା ପାଳିବେ ଅଟେ ଦୁଷ୍ଟ ଆଚରଣ ।
ଶୋହଳ ପୁରୁଷ ଭୋଗ ହେବ ମହୀ ଛଅଶ ବରଷ ଠିକ,
ତହିଁର ଉତ୍ତାରୁ ହିନ୍ଦୁ ରାଜା ହେବ ଧର୍ମ ପଣରେ ବିବେକ ।
ବେଦବାକ୍ୟ କର୍ମ କରିବ ରାଜନ ଦଶପୁରୁଷ ଯେ ତହିଁ,
ସପତ ବରଷ ରାଜୁତି କରିବ ସୁସ୍ଥରେ ପାଳିବ ମହୀ ।
ଗୁରୁଖାଣ ଜାତି କରିବେ ରାଜୁତି ଥୋକାଏ ଆଚାର ତହିଁ,
ଆଠ ପୁରୁଷ ଯେ କରି ମହୀ ଭୋଗ ତିନିଶ ତିରିଶ ତହିଁ ।
ତହିଁ କ୍ଷିତିପରେ ହୋଇବ ତୁରୁକି ମ୍ଳେଚ୍ଛ ଆଚାରଣ ତାର,
ବହୁତ ଅନ୍ୟାୟ ଘୋଟିବ ସଂସାରେ ହିନସ୍ତା ହୋଇବ ନର ।
ସାନ ନ ମାନିବେ ବଡ଼ର ବଚନ ନ ମାନିବେ ପିତା ମାତା,
କୁଳ ବଧୂମାନେ ଲଜ୍ଜା ଛାଡ଼ି କରି ହୋଇବେ ହୀନ ଅବସ୍ଥା ।
ଚଉଦ ପୁରୁଷ କରିବେ ରାଜୁତି ପାଞ୍ଚଶ ପୁରୁଷ ମହୀ,
ଶିରି ତୁଟିଯିବ ହତଶିରି ହେବ ପୃଥ୍ୱୀ ଛିନ୍ନ ଛତ୍ର ହୋଇ ।
ଅଖିଳ ନିମନ୍ତେ ବିଜୟେ ଶ୍ରୀଗୁରୁ ଭାଷି ଯାଉଥିଲା ମହୀ,
ବ୍ରହ୍ମଅଙ୍ଗ ରୂପ ନିତ୍ୟେ କରି ଜପ ଭାଷେ ହୀନ ଭୀମ ଭୋଇ ।
 

ଦ୍ୱିତୀୟ ଅଧ୍ୟାୟ


କାହିଁ ମୁଁ ରହିବି କି ବୁଦ୍ଧି କରିବି ପଥ ଦିଶୁନାହିଁ ମୋତେ,
ଲୋକ ଅତ୍ୟାଚାର କରିବେ ଅପାର ଭୟ ମାଡ଼ୁଅଛି ମୋତେ ।
ବ୍ରାହ୍ମଣ ଅନ୍ୟାୟ କରିବେ ପ୍ରଥମେ ବେଦବିଦ୍ୟା ତେଜି ଦେବେ,
ଖାଇବେ ମଦିରା କରି ପରଦାରା ବିପ୍ରମାନେ ବଣା ହେବେ ।
ଗାୟତ୍ରୀ ଛାଡ଼ିଣ ଗାରେଡ଼ି ପଢ଼ିବେ ତ୍ରିସନ୍ଧ୍ୟା କରିବେ ଦୂର,
ହାଟ ଶୁଷ୍କମତ୍ସ୍ୟ କରିବେ ଆପ୍ୟାନ କନ୍ଧରେ ବହିବେ ଭାର ।
ଶୁଣିଲ ସୁରଭୀ ରାଜବିଧି ନ୍ୟାୟ କ୍ଷିତି ପତି ଅଧିକାର,
କରିବ ଫିରିଙ୍ଗି ରାଜପଣ ଭୋଗ ତେର ପୁରୁଷଟି ସାର ।
ଚାରିଶ ପଞ୍ଚାନବେ ବରଷ ରାଜୁତି କରବେ ସେ ଅଧିକାର,
ସତ୍ୟ କହି ତୁଣ୍ଡେ ଦଣ୍ଡିବ କୁକାଣ୍ଡେ ଯେହ୍ନେ ନାରିକେଳ ନୀର ।
ଢାଳି ବୃକ୍ଷ ମୂଳ କରିବେ କବଳ ପ୍ରାଣକୁ କରଇ ନାଶ,
ସେହି ପରକାରେ ବ୍ରିଟିଶ ରାଜୁତି ପାଳିବ ଏ ମହାଦେଶ ।
ଉଇକୀଟ ଯେହ୍ନେ ମୁଖେ ଜଳ ଥାଇ କାଷ୍ଠକୁ କରଇ ଲୀନ,
ତେମନ୍ତ ପ୍ରକାରେ ପରଜା କୁଳକୁ କରିବ ସେ ଛିନ୍ନଭିନ୍ନ ।
ପ୍ରକୃତି କରିଣ ନ ଘେନିବ ନୀର ମ୍ଳେଚ୍ଛ ଆଚରଣ କରି,
ଗୋରୁ ଛାଗଳ ଯେ ମହିଷ ମଦିରା ଆହାର ସେ ନିତ୍ୟେକରି ।
ଦେଖି ଦେବାଦେବୀ ହେବ ଅସକତ ଅନ୍ୟାୟ ଆଚାରମାନ,
ପୃଥ୍ୱୀ ଦେବୀଙ୍କର ଶିରି ତୁଟିଯିବ କାନ୍ଦୁ ଥିବେ ରାତ୍ର ଦିନ ।
କମ୍ପିବ ଧରଣୀ ଅଦଭୁତେ ପୁଣି ଫନ୍ଦାବୃତ୍ତି ଯିବ ନାଶ,
ଫାଟିବ ଧରଣୀ ଦକ୍ଷିଣର ଦେଶ ହରଗିରି କଇଳାସ ।
ବାସୁକୀର ଶିର ହେବ ଥର ହର ନେତ୍ରରୁ ପଡ଼ିବ ବାରି,
ଅନାବୃଷ୍ଟି ହେବ ଦୁର୍ଭିକ୍ଷ ପଡ଼ିବ ଲକ୍ଷ୍ମୀ ପଳାଇବେ ଡରି ।
ନପାଇଣ ଅନ୍ନ କରି କୁଳହୀନ କାନ୍ଦୁଥିବେ ଅବିରତ,
ତେତିକି ବେଳକୁ ବୁଝିଥିବୁ ଦେବୀ ରାଜକୁଳ ହେବ ହତ ।
ଦେଇଣ ଛତର ପକାଇ ପତର ବୁଡ଼ାଇବେ ଜାତିକୁଳ,
ଦିବ୍ୟସିଂହ ଦେବ ନବ ଅଙ୍କଠାରେ ଲକ୍ଷ୍ମୀ ପଶିବେ ପାତାଳ ।
ଦେବା ଦେବୀ ଗଣ ହୋଇ ରଣ ଭଣ ପ୍ରଭୁଙ୍କର ପାଦେ ସ୍ତୁତି,
ଦନ୍ତରେ ତିରଣ ପଶିବେ ଶରଣ ରକ୍ଷା କର ପ୍ରାଣପତି ।
ଶୁଣିଣ ଅନାଦି ଯୋଗଘର ବିଧି ଗୁପତରେ ବିଜେ ହେବେ,
ବାରସ୍ୱତୀ ପୁରୁ ଆଣିଣ ଭକତ ମର୍ତ୍ତ୍ୟପୁରେ ଛାଡ଼ି ଦେବେ ।
ନାନାଜାତି କୁଳେ ଜନ୍ମିଣ ଭଗତ ନିତ୍ୟକର୍ମ କରି ଠଣା,
ଦେଖିକରି କଳି ଲଗାଇବ ବାଦ ବୁଦ୍ଧି ତାର ହେବ ବଣା ।
ଦେବଋଷି ରାଜଋଷି ବ୍ରହ୍ମଋଷି ପ୍ରଭୁଙ୍କ ସ୍ୱେଚ୍ଛା ସେବକ,
ଆଣିବେ ଅନାଦି ତପସ୍ୟା ନିମନ୍ତେ ବୁଝିଥାଅ ତାର ଠିକ ।
ତେତିକି ବେଳର କଥା ଅସମ୍ଭବ ଗୋଚର କରିବ କେହୁ,
ନୋହିଲେତ ମହୀ ଭାସିଯିବ ଅବା ଯେବେ ସାହା ମହାବାହୁ ।
ଯେବେ ବ୍ରହ୍ମଧୂନି ଜାଳିବେ ମେଦିନୀ ଶୁଣିଥାଅ ଆଦିନାରୀ,
ରକ୍ଷାହେଲା ମହୀ ବୋଲି ତୁ ବୁଝିବୁ ମର୍ତ୍ତ୍ୟରେ ବିଜୟ ହରି ।
ନାହିଁ ଆରଭୟ ମିଳିବ ଅମିୟ ଆଶା କରିଥିବୁ ଜାଣ,
ଶ୍ରୀଗୁରୁ ଚରଣେ ସେବା ଅନୁକ୍ଷଣେ ଭଣେ ଭୀମ ଭୋଇ ହୀନ ।
 

ତୃତୀୟ ଅଧ୍ୟାୟ


କରୁଣା ସାଗର ଆଜ୍ଞା ଅନୁସରି ରହିଲାକ ଅନୁସରି,
କିରୂପେ କଷଣ ଫେଡ଼ିବି ଆପଣ ମର୍ତ୍ତ୍ୟରେ ବିଜୟ ହରି ।
ପଦ୍ମପାଦେ ସ୍ୱାମୀ କରୁଛି ଦଇନୀ କହିବା ନିର୍ଣ୍ଣୟ ବାଣୀ,
ଆଣିଲ ଭକତ ଜାତକଲ ମର୍ତ୍ତ୍ୟ କିକରିବେ ସେହୁ ପ୍ରାଣୀ ।
ଅଟେ ଆଗୋଚର ବଡ଼ାଇ ଦୁସ୍ତର ସାହାଆହା କେହି ନାହିଁ,
ଆପଣତ ଯୋଗୀ ଅଟମାୟା ତ୍ୟାଗୀ କିଏ ସାହା ଭାବଗ୍ରାହୀ ।
ଦୁସହ ସଂକଟ ଦେବ କଳି ଦୁଷ୍ଟ ନ ରହିବ କାର ଚେତା,
ଅନ୍ୟାୟ ହୋଇବ ଆହେ ମହାବାହୁ ଜନ୍ମକରି ହେବ ବୃଥା ।

ଶ୍ରୀ ଅଲେଖବ୍ରହ୍ମ ଉବାଚ

ଗୁରୁସ୍ୱାମୀ ଦେବ କଲେ ଅନୁଗ୍ରହ ଭକ୍ତଙ୍କ ହିତାର୍ଥ ପାଇଁ,
ବୁଝାଇ କହିଲେ ମନ ତୋଷକଲେ ଶୁଣ ମନ କର୍ଣ୍ଣ ଦେଇ ।
ବ୍ରହ୍ମବୀର୍ଯ୍ୟ ବାଣୀ ଅନମିତେ ଭଣି କହିଲେ ଯେତେ ବୁଝାଇ,
ବୀରକେଶରୀ ଦେବଙ୍କ ଏକାଦଶେ ନିତ୍ୟ ସ୍ଥଳୀ ଥୟ ହୋଇ ।
ଥୟ ନିତ୍ୟ ସ୍ଥଳୀ ରାହାସ ମଣ୍ଡଳୀ କରିବେ ଭକ୍ତଙ୍କୁ ଘେନି,
ଷୋଡ଼ଶ କଳାରେ ଅନ୍ତର କରାଇ ପକାଇ ଅଖଣ୍ଡ ଧୂନି ।
ସେହି ଧୂନୀ ତେଜେ ଭୋଳା ସଦାଶିବ ପ୍ରବେଶ ହୋଇବେ ତହିଁ,
ଦେଖି ବ୍ରହ୍ମରୂପ କଲେ ବହୁତପ ଅଷ୍ଟାଙ୍ଗ ଯୋଗରେ ଧ୍ୟାୟୀ ।
ରୁଦ୍ରକୁଳ ଯେତେ ଆସିବେ ସମସ୍ତେ ଡମ୍ବରୁ ତ୍ରୀଶୂଳ ଘେନି,
ପୁର୍ଣ୍ଣ ବ୍ରହ୍ମରୂପ ସାକ୍ଷାତେ ଦେଖିବେ ନିତ୍ୟରାସ ରଙ୍ଗେ ବାଣୀ ।
ବୁଝିଥାଅ ଚିତ୍ତେ ଏ ଖେଳ ଗୁପତେ କେହି ନ ପାଇବେ ଅନ୍ତ,
ବେଦପତି ଧ୍ୟାନ ମାର୍ଗରେ ଜାଣିବେ ଜାଣିବେ ଲକ୍ଷ୍ମୀଙ୍କ କାନ୍ତ ।
ପାତାଳେ ବାସୁକୀ ପଡ଼ିବ ଚମକି ଅଖଣ୍ଡ ଧୂନୀର ତେଜେ,
ଶିରହିଁ ତାଡ଼ିଲା ପାପହିଁ କଟିଲା କଳି ଅତ୍ୟାଚାର ହେଜେ ।
ସ୍ୱର୍ଗେ ଶଚିପତି ଆସନେ ତପତି ପଡ଼ିବଟି ଯେତେବେଳେ,
ସ୍ୱର୍ଗ ଅପସରୀ ଫୁଲମାଳ ଧରି ଦୁନ୍ଦୁଭି ବଜାଇ ଭୋଳେ ।
ସୁରପରି ରାଜଇନ୍ଦ୍ର ଯେ ଆସିବେ ସଙ୍ଗେ ଘେନି ଦେବଗଣ,
ଆଣି ପାରିଜାତ କରିବେଟି ନୃତ୍ୟ ଜୟ ସ୍ତୁତି ଉଚ୍ଚାରଣ ।
ତେତିଶ କୋଟି ଦେବଗଣ ଜାଣିବେ ଜୟ ଶଙ୍ଖଧୂନି ଗୋଳେ,
ଚଉଷଠି ଯୋଗ୍ନୀ ନବକୋଟି କାନ୍ତାନୀ ଜାଣିବେ ଦେବ ଗହଳେ ।
ନିରାକାରବ୍ରହ୍ମ ଜ୍ୟୋତି ହେ ଆସିବେ ସଙ୍ଗେ ଘେନି ବିଷ୍ଣୁ ବୃନ୍ଦ,
ଅଭୟ ଚରଣେ ମନକୁ ନିବେଶି ଜଣାଇବେ ଭଲ ମନ୍ଦ ।
ଶେଷେ ଦଶଦିଶ ପାଳେ ଯେ ଆସିବେ ପ୍ରଭୁଙ୍କ ଦର୍ଶନ ପାଇଁ,
ବ୍ରହ୍ମରୂପ ଦେଖି ଚରଣ ସେବିବେ ଆଜ୍ଞା ଥିବେ ଶିରେ ବହି ।
ସେହି ଦିଗପାଳେ ମିଳିବେ ସକଳେ ବାନପ୍ରସ୍ଥ ସଂଖ୍ୟା ସେହି,
ଶୁଣଗୁପ୍ତଭାବେ ବୁଝାଇ କହୁଛି ଯାହା ପଚାରିଲୁ ତୁହି ।
ଅନନ୍ତ କୋଟି ସାଧୁ ଜଗତେ ବ୍ୟାପିବେ କଶା କଉପୁନୀ ମାରି,
ପଦ୍ମିନୀ କନ୍ୟା ସଂସାରେ ଫେରିବେ ପ୍ରଭୁଙ୍କର ସେବା କରି ।
ଅଖିଳ ଜୀବନ ଗୃହରେ ବ୍ୟାପିବେ ଚଉଦିଗ ଚାରିଖାନି,
ମହିମା ସେବିଣ ରହିଥିବେ ଜାଣ ଗୁରୁଙ୍କର ଆଜ୍ଞାମାନି ।
ତେତେବେଳେ କଳି ଲଗାଇବ ବାଦ ଶୁଣ ହେତୁ ଚେତା ଦେଇ,
ବହୁତ କଷଣ ପାଇବେ ଭକତ ଗୁରୁଆଜ୍ଞା ଛାଡ଼ିଦେଇ ।
ଦିବ୍ୟସିଂହଦେବ ଯେତେବେଳେ ବନ୍ଦି ହୋଇବ ରାଜକୁଳରେ,
ତେଣୁ କରି କଳି ବଳିଆର ହେବ ନାଶିବ ଭକ୍ତ କୁଳରେ ।
ପୂର୍ବର ବିଶ୍ୱାସ ନ ଛାଡ଼ିବେ ଭକ୍ତ ପ୍ରଭୁଙ୍କର ଯଶ କୀର୍ତ୍ତି,
ଗୁପତେ ଖେଳିବୁ ଭକ୍ତଙ୍କର ସଙ୍ଗେ ବୁଝି ଥାଅ ଏ ଭାରତୀ ।
ଖଣ୍ଡଗିରି ଗୁମ୍ଫା ଭିତରେ ଭକତ ରହିଥିବେ ବାର ଲକ୍ଷ,
ଉଦୟ ବଟର ପାରୁଶରେ ସଭା ହୋଇବାକୁ ଶୁଣ ଠିକ ।
ମୁକୁନ୍ଦ ଦେବଙ୍କ ବତିଶ ଅଙ୍କରେ ଚୌତ୍ରିଂଶ ପରିଯନ୍ତେ,
ହେବ ମୀନଶନି ଶୁଣ ସ୍ଥିରବାଣୀ ଚେତିବେ କଳ୍‌ଙ୍କୀ ଭକ୍ତେ ।
ଷୋଳ କଳାରୁ ଯେ ଦ୍ୱାଦଶ କଳାରେ ପରିପୂର୍ଣ୍ଣ ହୋଇଥିବ,
ଭାଷେ ଭୀମ ଭୋଇ ପଚିଶ ପଦରେ ରକ୍ଷା କର ଗୁରୁଦେବ ।
 

ଚତୁର୍ଥ ଅଧ୍ୟାୟ


ଶିରେ କର ଯୋଡ଼ି ପଦ୍ମପାଦେ ପଡ଼ି ବିନୟ ଭାବେ ପୃଚ୍ଛିଲା,
ଗୁପତ ରାହାସ ଶୁଣି ହେଲି ତୋଷ କଥାଏ ମନେ ପଡ଼ିଲା ।
ଶୁଣିଥିଲି ଦିନେ ଶ୍ରୀମୁଖ ବଚନେ ରାସରଙ୍ଗ କ୍ରୀଡ଼ାରସ,
ସତ୍ୟ ତ୍ରେତୟା ଦ୍ୱାପର ଯେ କଳି ଚାରିଯୁଗର ରାହାସ ।
ଏକାଣୋଇ ମୂର୍ତ୍ତି ଆଣିକଲ ସ୍ଥିତି ଚଉବର୍ଗ ଚାରି ଖାନୀ,
ଚଉଷଠି ସିଦ୍ଧଙ୍କୁ ବାରି ଦେଲ ପ୍ରଭୁ ସନ୍ଦେହ ଲାଗିଲା ପୁଣି ।
କେତେ ତପ କଲେ ସିଦ୍ଧ ବୋଲାଇଲେ ଆଉ ସପ୍ତବିଂଶ କଥା,
କେଉଁ ନାମ ଦେଲ କିପରି ରଖିଲ ଆହେଚଉବର୍ଗ ଦାତା ।
 
ଶ୍ରୀଗୁରୁ ଦେବ ଉବାଚ

ଶୁଣ ଯୋଗ ମାୟା ପଚାରିଲ ଯାହା ସିଦ୍ଧମାନଙ୍କ ବୃତ୍ତାନ୍ତ,
ଚଉଷଠି ସିଦ୍ଧଙ୍କୁ ଅତିଥି କରାଇ ଦେଲୁ ବ୍ରହ୍ମଚର୍ଯ୍ୟ ବ୍ରତ ।
ବ୍ରହ୍ମଚର୍ଯ୍ୟ ବ୍ରତ ପାଳିଣ ଭକତ ଛଡ଼ଭାଗେ ପରିପୂର୍ଣ୍ଣ,
ହେତୁ କରିଥାଅ ଯୋଗ ମାୟା ତୁହି ତିନିପୁରୁ ତିନିଜଣ ।
ବାରି ଚେତିଥିବୁ ସାକ୍ଷାତେ ଦେଖିବୁ ତେତେବେଳକୁ ତୁ ଜାଣ,
ତେତିକି ବେଳକୁ ଆଉ ସତାଇଶ ଥିବେ ଖଣ୍ଡଗିରି ସ୍ଥାନ ।
ଚାରିଦିଗେ ଧ୍ୱନି ଦେବେ ମାରକଣ୍ଡ ଲକ୍ଷ୍ମୀ ତାଙ୍କ କରେ ଥିବେ,
ସରସ୍ୱତୀ ପାଦ ମଞ୍ଚାଳି ଗୁପତେ ସେବା କରୁଥିବେ ଭାବେ ।
ତପ ପରିପୂର୍ଣ୍ଣ ହୋଇବଟି ଜାଣ ରାମଚନ୍ଦ୍ର ରାଜତ୍ୱରେ,
ମଧୁବନେ ଧୂନି ପକାଇବେ ପୁଣି କୁଞ୍ଜବନ ଦକ୍ଷିଣରେ ।
ସେହିଠାରେ ସୈନ୍ୟ ଅଛନ୍ତି ଅପାର ଚେତିଥିବୁ ମହାମାୟୀ ।
ବିମଳା ଦୁଆରୀ ତହିଁରେ ଅଛନ୍ତି ଏହା ନ କହିବୁ କାହିଁ ।
ବାହାରିବେ ସୈନ୍ୟ ବିରାଟ କଟକେ ଜଗି ଚାହିଁଥିବୁ ବାଟ,
ଉଠିବ ଧବଳ ଲାଗିବ କନ୍ଦଳ ବେନିକୁଳ ସୈନ୍ୟ ଭେଟ ।
ବେନିକୁଳ କଥା ସନ୍ଦେହ ଲାଗିଲା ପଚାରୁଛି ମୂଢ଼ମତି,
କ୍ଷମାକର ଦୋଷ ମୋର ପ୍ରାଣଈଶ ଆଜ୍ଞାକର ପ୍ରାଣପତି ।
ତ୍ରେତୟା ଯୁଗରେ ସୀତାଙ୍କୁ ଯେ ବନ୍ଦି କରିଥିଲା ଲଙ୍କେଶ୍ୱର,
ତାଙ୍କରି ଚରଣେ ସେବା କରୁଥିଲା ତ୍ରିଜଟା ନାମ ଯାହାର ।
ତେରମାସ ସେବା କରିବା ନିକର ସତୀ ପାଦେ ଭକ୍ତି କଲା,
ସେହି କାରଣରେ ଏକଳି ଯୁଗରେ ପୃଥ୍ୱୀଭୋଗ ତାରେ ହେଲା ।
ତେର ପୁରୁଷ ସେ କଲା ରାଜ ଭୋଗ ତେରମାସ ସେବା କରି ।
ତୁଟିଲା ଆୟୁଷ କଳି ହେଲା ଶେଷ ଶୁଣ ଶୁଣ ଶାକାମ୍ବରୀ ।
ତାଙ୍କ ସୈନ୍ୟବଳ ହୋଇବେ ପ୍ରବଳ ଅନ୍ୟାୟ କରିବେ ଜାଣ,
ସହି ନ ପାରିଣ ଦେବଙ୍କର ସୈନ୍ୟ ହେବ ମହା ଘୋର ରଣ ।
ସେ ପଞ୍ଚପାଣ୍ତବେ ଗୁପତରେ ଥିବେ ଶୁଣିଥା ଅହେତୁ ମନେ,
ବେନି କୁଳଙ୍କର ସମର ହୋଇବ ବିରାଟ ରାଜ ଭୁବନେ ।
ତହିଁ ବେନିଲକ୍ଷ ହୋଇବେଟି ହତ ବେନି କୁଳଙ୍କର ଦୂତ,
ଜିହ୍ୱା ଲହ ଲହ କରିଣ ଧାଇଁବେ ଦୁର୍ଗା ଦେବୀଙ୍କର ଶିଷ୍ୟ ।
ଏକଥା ନିଶ୍ଚୟ ହୋଇବଟି ଜାଣ ମାରକଣ୍ତ ଚତୁର୍ଦ୍ଦଶେ,
ଥୟ କରିଥିବୁ ଗୁପତେ ବୁଝିବୁ ତତେ ନହିଲୁଁ ବିଶ୍ୱାସେ ।
ଲିଙ୍ଗରାଜଙ୍କର କ୍ଷେତ୍ରର ମଧ୍ୟରେ ଘୋର ସମର ହୋଇବ,
ଏ ଖେଳ ହୋଇବ ବୁଝ ସ୍ଥିତି ଠାବ ନାଗରାୟେ ବେନିଯୁଗ ।
କଳଙ୍କି ଖେଳକୁ ବାହାରିବେ ସୈନ୍ୟ ଦିଲ୍ଲୀ ଅଣ ଚାଳିଶରେ,
ଉତ୍ତର ଦୁଆର ଜଗିଥିବେ ସୈନ୍ୟ ଚନ୍ଦ୍ର ଭାଗା ତୀର୍ଥଠାରେ ।
ଶୂନ୍ୟ ଗୁରୁଙ୍କର କରୁଣା ସାଗରେ ଅଖିଳ ରହିବେ ଜାଣ,
ଭଣେ ଭୀମ ଇ ବାଇଶ ପଦରେ କୀଟହୁଁ ମୁଁ କୀଟହୀନ ।
 

ପଞ୍ଚମ ଅଧ୍ୟାୟ


ଚନ୍ଦ୍ରଭାଗା ତୀର୍ଥ କାହିଁକି ଜଗିଲେ ଆଜ୍ଞାକର ମହାବାହୁ,
ଲଭିବି ମୁକତି ଶୁଣି କର୍ଣ୍ଣପଥ ପଦ୍ମକଳ୍ପ ବାଣୀ ଯହୁଁ ।
ନିସ୍ତରିବି ସ୍ୱାମୀ ତୁମ୍ଭ ଗୁଣ ଶୁଣି ଭବିଷ୍ୟତ ବାଣୀ ଯେତେ,
କେତେଦିନେ ଥୟ ହୋଇବ ମେଦିନୀ ଆଶାକରି ଅନୁବ୍ରତେ ।
କରିଅଛି ଆଗ ଅଟଳ ବାକ୍ୟକୁ ପାଷାଣ ଗିରା ପରାଏ,
କେମନ୍ତ ପ୍ରକାରେ ଚନ୍ଦ୍ରଭାଗା ସୈନ୍ୟ କିକାର୍ଯ୍ୟ କରିବେ ଗାଏ ।
ମୁକୁନ୍ଦ ଦେବଙ୍କ ଏକଚାଳିଶରେ ବେଦପତି ଶୁଭ ଦେବେ,
ସେହି କାରଣରୁ ସେଠାବରୁ ସୈନ୍ୟ ଅନୁକୂଳ ଆରମ୍ଭିବେ ।
ସେଠାରେ ଆସିଣ ବେଦପତି ଜାଣ ସୈନ୍ୟ କଳିବ ଗୁପତେ,
ବୁଝିଥିବୁ ସତ୍ୟ ରାମଚନ୍ଦ୍ର ଦେବ ନବଅଙ୍କେ ଅନୁମିତେ ।
ବେନିଲକ୍ଷ ସୈନ୍ୟ ଗୁପତରେ ଗୁଣ ସପନାବତୀର ସ୍ଥାନେ,
ହେତୁ କରିଥିବୁ ସାକ୍ଷାତେ ଦେଖିବୁ ଆଠଅଙ୍କେ ଅନୁଷଣେ ।
ହେବ କଳି ରାଜା ଗୁପତେ ବିଡ଼ୋଯା ଭୋଗକରି ନରକୁଳ,
ତେଣୁକରି ତୋତେ କହିଲୁ ଗୁପତେ ମତୁଆମାନଙ୍କ ଫଳ ।
ଅମରାବତୀ କଟକେ ଦେବଗଣ ଗୁପତେ ଖେଳ କରିବେ,
କ୍ଷୀରପାନ କରି ପ୍ରଭୁଙ୍କୁ ଦେଖିବା ଆଶା ପରିପୂର୍ଣ୍ଣ ଭବେ ।
ଆଠଅଙ୍କ ଶେଷ ବୃଷମାସେ ଶୁଣ ଶୁକଳ ଦ୍ୱାଦଶୀ ଦିନ
ମହନାଙ୍କ ଶୁଭ ଅନୁକୂଳ ଯୋଗ ଶୁଣିଥା ନିର୍ଣ୍ଣୟ ଜାଣ ।
ଅର୍ଜୁନ ଆସିବେ ତାଙ୍କ ଦରଶନେ ପାଞ୍ଚଲକ୍ଷ ସୈନ୍ୟ ଘେନି,
ଗୁପତେ ରହିବେ କେହି ନ ଜାଣିବେ ଶୁଣିଥା ନିର୍ଣ୍ଣୟ ବାଣୀ ।
ଭୀମସେନ ବୀର ହୋଇ କୋପଭର ଗଙ୍ଗାନଦୀ ତୀରେ ପୁଣ,
ଦର୍ଶନ ନିମନ୍ତେ ଆସିବ ଗୁପତେ ଘେନି ଗଦା ଭାରମାନ ।
ନକୁଳ ଆସିବେ ଦର୍ଶନ ନିମନ୍ତେ ସୁରଭୀ ସୈନକୁ ଘେନି,
ପଦାଘାତେ ମହୀ ଧୂଳି ପରିପୂର୍ଣ୍ଣ କରି ହମାରାବ ଧ୍ୱନି ।
ସହଦେବ ଜାଣ ଘେନି ଋଷିଗଣ ପଶ୍ଚିମ ଦିଗରୁ ଆସି,
କରିବେ ଦର୍ଶନ ଦେବଙ୍କ ଚରଣେ ବ୍ରହ୍ମଚର୍ଯ୍ୟ ବାଣୀଭାଷି ।
ନେମାଳ ମଠରୁ ବାରହାତ ଖଣ୍ତା ଘେନି ରାମଚନ୍ଦ୍ର ବୀର,
ଖଣ୍ତଗିରି ଠାରେ ପ୍ରବେଶ ହୋଇବେ ଉଦୟ ବଟ ପାଶର ।
ଆଠଅଙ୍କ ଶେଷ ସୁନିଆ କାଟରେ ଚାହିଁ ଜଗିଥିବୁ ଘାଟ,
ଫିରିଙ୍ଗି ଶିରରୁ ଖସି ପଡ଼ିବଟି ନିଶ୍ଚୟ ରାଜ ମୁକୁଟ ।
କଳିଙ୍ଗା ଅସୁର ହୋଇ କୋପଭର କଳାପାହାଡ଼ରୁ ଜାଣ,
ବିକଳାଙ୍ଗ ମୂର୍ତ୍ତି ଉଲୁସାଇ ଛାତି ରଡ଼ିଏ ଛାଡ଼ିବ ଶୁଣ ।
ସ୍ୱର୍ଗେ ସୁରପତି ଆସନ କମ୍ପିବ ପାତାଳେ ବାସୁକି ଫଣା,
ମଞ୍ଚେ ବେଦପତି ହେବ ଅଧାଧୂନ୍ଧ ନରକୁଳ ହେବ ବଣ ।
ସେଦିନ ବ୍ରହ୍ମାଣ୍ତ କମ୍ପି ନବଖଣ୍ତ କାତର ହୋଇବ ଜାଣ,
ବ୍ରହ୍ମବେତା ଯୋଗୀ ଋଷି ମାରକଣ୍ତ ଫେଡ଼ିବେ ଏ କଷ୍ଟମାନ ।
ଗୁପତ ସନ୍ଦେଶ ଫେଡ଼ି ଦେଲି ତୋତେ କାହିଁ ନ କହିବୁ ଏହା,
ଭଣେ ଭୀମ ଭୋଇ ଉଣେଇଶପଦେ ସାହା ମୋର ଚଉବାହା ।
 

ଷଷ୍ଠ ଅଧ୍ୟାୟ


ଶିରେ କରଯୋଡ଼ି ପଦ୍ମପାଦେ ପଡ଼ି ପୁଚ୍ଛିଲା ବିନୟ ହୋଇ;
କେତେଦିନେ ଶେଷ ହେବ ଅମରୀଶ ଏକଥା କହ ଗୋସାଇଁ ।
ଶୁଣ ଯୋଗମାୟା ପଚାରିଲୁ ଯାହା ଅମରୀଶର ବୃତ୍ତାନ୍ତ,
ଆମ୍ଭ ପାଦଛୁଇଁ ନିୟମ ତୁ କର କାହିଁ ନ କରିବୁ କ୍ଷାତ ।
କଳିଶେଷ ଯିବ ସତ୍ୟଯୁଗ ହେବ କେହି ନ ପାଇବେ ଅନ୍ତ,
ସିଦ୍ଧ ସାଧୁମାନେ ସେ କଥା ଜାଣିବେ ଶୁଣ ତହିଁର ତଦନ୍ତ ।
ଦ୍ୱାଦଶ ନକ୍ଷତ୍ର ସଙ୍ଗେ ବୃହସ୍ପତି ଯେଉଁଦିନ ଯୋଗ ଜାଣ,
ସେହିଦିନ ଶେଷ ହେବ ଅମରୀଶ ଏ କଥା ଅଟେ ପ୍ରମାଣ ।
କି ଅଭାଗ୍ୟ ମୋର ଅଟେ ଦୁରାଚାର ଗୁପତ କରିଲ ମୋତେ,
ବୃହସ୍ପତି ଯୋଗ ଠିକ ନ କହିଲ ମାୟା କଲ କି ନିମନ୍ତେ ।
ଗୁରୁଦେବ ସ୍ୱାମୀ ବୁଝାଇ ବହିବା ପଦ୍ମପାଦେ ସେବା ଯହୁଁ,
ଆଦି ବ୍ରହ୍ମଙ୍କର ଭକତି ଦେଖିଣ ଦୟା କଲେ ମହାବାହୁ ।
ଅଠଚାଳିଶରେ ଏ କଥା ହୋଇବ ନିର୍ଣ୍ଣୟ ବଚନ ଏହି,
କାହିଁ ନ କହିବୁ ଶ୍ରୀମୁଖ ବଚନ ପଦ୍ମପାଦ ଥାଅ ଛୁଇଁ ।
ଆହୁରି କଥାଏ ପଚାରିବି ସ୍ୱାମୀ ସନ୍ଦେହ ଲାଗିଲା ମୋତେ,
ପିତା ଥାଉଁ ପୁତ୍ର କେମନ୍ତେ ବ୍ରହ୍ମାଣ୍ତ ସମ୍ଭାଳିବ ଅନମତେ ।
ଚନ୍ଦ୍ର ଥାଉଁ ତାରା କେମନ୍ତେ ଉଜ୍ଜ୍ୱଳ ଜଳ ଥାଉଁକି ତୁଷାର,
ଆତ୍ମା ହିତକାରୀ ପରମ ପୁରୁଷ ଫେଡ଼ ସଂଶୟ ମୋହର ।
ଶୁଣ ଯୋଗମାୟା ପଚାରିଲୁ ଯାହା ହେତୁ କର ତୋର ମନେ,
ଅବିନାଶୀ ବ୍ରହ୍ମ ପରମ ପୁରୁଷ ଆଜ୍ଞା ଦେଲେ ଅନୁକ୍ଷଣେ ।
ଜାଗ୍ରତ ଘରକୁ ଜଗି ମାରକଣ୍ତ ଗୁରୁ ଆଜ୍ଞା ଶିରେ ବହି,
କେଉଁପରି ତାଙ୍କୁ ମହୀ ସମର୍ପିଲି ଶୁଣ ହେତୁ ଚେତା ଦେଇ ।
ରାମଚନ୍ଦ୍ର ଦେବ ସାତ ଅଙ୍କଠାରେ ଗୃପତେ ଚେତିଣ ଥିବୁ,
ଦେଖିବୁ ସାକ୍ଷାତେ ବ୍ରହ୍ମଚର୍ଯ୍ୟ ବ୍ରତ ତେବେ ତୁହି ପ୍ରତେ ଯିବୁ ।
ବସୁ ଅଙ୍କେ ପୁଣି ଦେଖିବୁ କରଣୀ ବେନି ନେତ୍ରୁ ବହିବାରି,
ଚେତି ରହିଥିବୁ ଚେତନା ପଥରେ ଅସ୍ତ୍ର ଶସ୍ତ୍ର କରେ ଧରି ।
ଉଠିବ ଦମନ ପୂର୍ବଦିଗେ ରଣ ମୁଣ୍ତମାଳ ଯିବ ଗଡ଼ି,
ଗୁପତରେ ଖେଳ କରିବେ ଦେଖିବୁ କରେ ଧରିଥିବେ ବାଡ଼ି ।
ଶୁଭିବ ଶବଦ ଉତ୍ତର ଦିଗରେ ମେଷ ମାସ ଆଦ୍ୟ ଭାଗେ,
କୋପାନଳ ହୋଇ ଋଷି ମାରକଣ୍ତ ଶତ୍ରୁକୁ ନାଶ କରିବେ ।
କେହି ନ ଜାଣିବେ ଏଥିର ସନ୍ଦେହ ଜାଣିବେଟି ମହାମାଈ,
ଆଜ୍ଞା ମାଗୁଥିବେ ଶିରେ କରଯୋଡ଼ି ଦୁଷ୍ଟଙ୍କୁ ଦଳିବାପାଇଁ ।
ଚେତି ଭଜୁଥିବେ ଚେତନା ଭଗତ ଚାରୁ ଚରଣକୁ ଧ୍ୟାୟି,
ଚଞ୍ଚଳ ମନକୁ ନିଶ୍ଚଳ କରିଣ ଅନାହତ ଦ୍ୱାରେ ଥୋଇ ।
ଚବିଶ ଚାରିକୁ ମିଶାଇ ପାରିଲେ ଚେତି ଦେଖିବୁ ସେ ଖେଳ,
ଅପଳା ପରାଏ ଗତି କରୁଥିବେ ଚଉଦିଗରେ ଚହଳ ।
ଚମକି ନ ପଡ଼ି ଚିଆଁ ଚଇତନେ ଚେତନାରେ କର ଠାବ,
ଭଗତଙ୍କ ସଙ୍ଗେ ଖେଳ କରୁଥିବେ ଏକାଙ୍ଗରେ ବାସୁଦେବ ।
ଖଣ୍ତଗିରି ଗୁମ୍ଫା ଭିତରେ ଭଗତ ବ୍ରହ୍ମରୂପ କରିଧ୍ୟାୟି,
ବିଜୟେ ଅନାଦି ଭକ୍ତଙ୍କ ନିମନ୍ତେ ବୈଷ୍ଣବ ବେଶକୁ ବହି ।
ଚିହ୍ନି ସିଦ୍ଧ ସାଧୁଚରଣେ ଲୋଟିବେ ଚେତନାରେ ମାରକଣ୍ତ,
ଚଉରାଳିଶରେ ବିଜୟେ ଶ୍ରୀଗୁରୁ ରକ୍ଷା ହୋଇବ ବ୍ରହ୍ମାଣ୍ତ ।
ଅନହତ ଧୂନି ସେଠାରେ ପକାଇ ହତ ହୋଇବଟି କାଳ,
ଉଦୟ ବଟର ପାରୁଶରେ ସର୍ବ ଭୁକ୍ତ ହୋଇବେଟି ମେଳ ।
ଚାରିଦିଗ ଯାକୁ ଯେତେକ ଭଗତ ଆସିଣ ହୋଇବେ ମେଳ,
ପ୍ରଭୁଙ୍କ ଚରଣେ ଖଟିବେ ସକଳ ପୃଥ୍ୱୀରେ ହେବ ଚହଳ ।
ମଞ୍ଚପୁରୁ ଋଷି ଆସିବେ ପ୍ରଭୁ ଦର୍ଶନ ପାଇ ।
ଛାୟା ସ୍ଥିତିକରି ଭଗତ ତହିଁ ଥିବେଟି ଚାହିଁ,
ଯମୁନା ନଦୀରୁ ଧାରେକ ନିଶ୍ଚେ ଆସିବ ବହି ।
ସ୍ନାନ କରୁଥିବେ ଭଗତେ ମନ ଆନନ୍ଦ ହୋଇ,
ଝାଡ଼ଗିରି ଗୁମ୍ଫା ମଧ୍ୟରେ ଲାଗିଥିବ ଭଜନ ।
ଝଲମଲ ଜନ ପ୍ରକାଶ ବିଜେ ଗୁରୁ ରାଜନ,
ନାରାୟଣ ଖେଳ କରିବେ ଭକ୍ତଗଣଙ୍କୁ ଘେନି ।
ଲୀଳା କରୁଥିବେ ଶ୍ରୀଗୁରୁ ତହିଁ ଦିବା ରଜନୀ ।
ଅମ୍ରବତୀ ସର୍ବ କୋଣରୁ ଠାବ କରିବୁ ଥାଇ,
ଠାରି ପଦ୍ମକଳ୍ପେ କହିଲେ ଭୀମ ଅରୂପ ଧ୍ୟାୟି ।
 

ସପ୍ତମ ଅଧ୍ୟାୟ


କଥାଏ ପୁଚ୍ଛିବି ଶ୍ରୀଗୁରୁ କ୍ଷମା କରିବେ ଦୋଷ,
କରୁଣା କଟାକ୍ଷେ ଚାହିଁଲେ ପାପ ହୋଇବ ଧ୍ୱଂସ ।
ମାରକଣ୍ତଙ୍କର ଅଠର ମନେ ସନ୍ଦେହ ହେଲା ।
ମହାଋଷିଙ୍କର ଏ ଅଙ୍କ ସ୍ୱାମୀକାହୁଁ ଅଇଲା,
ଆଦି ଭକ୍ତିଭାବ ଜାଣିଲେ ଯୋଗ ଭୋଗ ରାହାସ ।
ଆଦ୍ୟ ଯୋଗ ଭୋଗ କହିଲେ ତହୁଁ ଶୂନ୍ୟ ପୁରୁଷ,
ଅଖଣ୍ତ ଧ୍ୟାଇଣ ନିତି,      ଅଣାକାର ବ୍ରହ୍ମେ ଭକ୍ତି
ଅରୂପ ବ୍ରହ୍ମକୁ ସେହୁ ପରଚେ କରି ।
ଅନହତ ବ୍ରହ୍ମଧୂନୀ,       ଜାଗ୍ରତେ ପକାଇ ପୁଣି
ଅହର୍ନିଶ ଜଗି ଧୂନୀ ଜାଳନ୍ତି ବେନି ।
ଆଦ୍ୟ ଯୋଗ ଅଟଇ ଏହି ।
ଦ୍ୱାଦଶ ବରଷେ ଧୂନୀ ଶିଖା ଦିଶଇ ।
ଉଜାଣି ବହେ ମରତ,      ଧୂନୀ ବିରାଜେ ତୁରିତ,
ଚତୁର୍ବିଂଶ ଅଙ୍ଗୁଳିରେ ଉଠଇ ତେଜ ।
ହେତୁକରି ମୁଳକ୍ଷର,      ଚତୁର୍ଦିଗେ ହେତୁକର,
ଯୋଗ ଘରେ ବ୍ରହ୍ମଧୂନୀ ଦିଶଇ ତେଜ ।
ଅବନା ମନ୍ଦିରେ ବିହାର ।
ତାଙ୍କ ପାଦେ ସେବା ଭକ୍ତି କର ସତ୍ୱର ।
ସେ ଧୂନୀର ତେଜ ଆସେ            ନ ରହି ପାରନ୍ତି ପାଶେ,
ବ୍ରହ୍ମଧୂନୀ ତାହାକୁଟି ବୋଲିଣ କହି ।
ସେ ଧୂନୀ ପକାଇ ମର୍ତ୍ତ୍ୟେ            ଜାଗିଛନ୍ତି ଅନମିତେ,
ବ୍ରହ୍ମଚର୍ଯ୍ୟ ଆଜ୍ଞାଶିରେ ଅଛନ୍ତି ବହି ।
ଏ ଧୂନୀ ଯେବେ ପଡ଼ିବ ।
ମାରକଣ୍ତ ଅଷ୍ଟାଦଶ ତେବେ ହୋଇବ ।
ପରମ ପାଦ ସେବିଣ            ପଞ୍ଚତତ୍ତ୍ୱ ପକାଇଣ,
ପାପୀ ପାପ ନାଶ ଅର୍ଥେ ଜଗାଇ ଧୂନୀ ।
କଟାଇ ବ୍ରହ୍ମ ପଳୟ            ବ୍ରହ୍ମଯୋଗୀ ଯିବେ କ୍ଷୟ,
ତେତେବେଳେ ଜୟ ହେବ ସେ ବ୍ରହ୍ମଧ୍ୱନୀ ।
ପୂର୍ଣ୍ଣବ୍ରହ୍ମ ରୂପେ ମୂରତି ।
ସତ୍ୟାଦି ସାଗର ଧୂନୀ ହେବ ଉତ୍ପତ୍ତି ।
ଚେତନା ଭକତ ଗଣ            ଚିନ୍ତିବେ ପ୍ରଭୁ ଚରଣ,
ଗୁରୁ ଚରଣକୁ ଭକ୍ତେ କରିବେ ସେବା
ଚେତିଥିବେ ଚିତ୍ତେ ତୋର            ଚବିଶ ଚାରି ଅକ୍ଷର,
ସଂଯୁକ୍ତ କରାଇ ପାନ କରିବ ଯେବା ।
ଚାହିଁଥିବୁ ଯୁଗ ଶେଷରେ ।
ଚପଳା ପରାୟେ ଗତି କରି ମହୀରେ ।
ଫଣି ବକଳ ପରାୟ            ଅଙ୍ଗକୁ କରିଣ ଥୟ ।
ଆତ୍ମା ଧ୍ୟାନ କରି ଭକ୍ତେ ବଞ୍ଚିବେ ଦିନ ।
ଅଣସାଧନା ସାଧିବେ      ଅମାର୍ଗ ପଥେ ଭ୍ରମିବେ
ଅଲୌକିକ କଥାମାନ ହେବ ଘଟଣ,
ଅଣଞ୍ଚାଶ ବାରିଣ ଥିବୁ ।
ଆତ୍ମା ପରତେ ହୋଇଲେ ତେବେ ପାଇବୁ
ଆସନ ବନ୍ଧ ଯୋଗରେ      ଆଦ୍ୟ ଅକ୍ଷର ମଧ୍ୟରେ,
ଓଁ କାର ପରତେ କଲେ ମିଶିବ ତହିଁ ।
ବିନ୍ଦୁ ଅକ୍ଷର ଅଟଇ            ସତ୍ପାତ୍ମିକ ସେହୁ ହୋଇ,
ପରମ ବ୍ରହ୍ମକୁ ଯେଉଁ ଯୋଗୀଏ ଧ୍ୟାୟି ।
ସେହି ଯୋଗୀ ନେତ୍ରେ ଦେଖିବ ।
କଳି ଯୁଗରେ କଳଙ୍କି ଖେଳ କରିବ ।
ଦୁର୍ବାସା ଶୁକ ସୌନକ            ଭୁଷଣ୍ତ ଗରୁଡ଼ ଦେଖ,
ରୋମାଞ୍ଚ ଋଷି ମଚ୍ଛିନ୍ଦ୍ର ଜ୍ୟୋତି ଏତେକ,
କୁମ୍ଭ କପିଳ ଏ ମୁନି            ଭରଦ୍ୱାଜ ମିଶି ତିନି,
ଭରତ ସଙ୍ଗତେ ଥିବେ ଜାଣିଥା ଠିକ ।
ବ୍ରହ୍ମପାଦେ କରି ଭଗତି ।
ପ୍ରଳୟ ଯୋଗ କଟାଇ ହୋଇବେ ସ୍ଥିତି ।
ବଶିଷ୍ଠ ଥିବେ ସଙ୍ଗତେ      ପ୍ରେମ ରାସ କର ନିତ୍ୟେ
କଶ୍ୟପଏ ଋଷି ଆଦି ଯେତେ ଅଛନ୍ତି ।
କଳଙ୍କି ଖେଳକୁ ଯିବେ      ପ୍ରଭୁ ସଙ୍ଗତେ ଖେଳିବେ
ଚିହ୍ନିଥିବୁ ଗୁପତରେ ଶୁଣ ଭାରତୀ ।
ଗୋପପୁରେ ଯେତେକ ଗୋଈ
ଗୁପତରେ ଜନ୍ମିଛନ୍ତି ଶୁଣିଥା ତୁହି ।
ନିତ୍ୟସ୍ଥଳୀ ଯେଉଁ ରାଧା      ନାହିଁ ଜନ୍ମ ମୃତ୍ୟୁ ବାଧା
ନିଷ୍କାମ ଭଗତି ସେହି ଅଟଇ ଗୁଣ
ନିଶ୍ଚୟେ ବିଶ୍ୱ ରୂପିଣୀ      ନିରାଧାର ଅଟେ ପୁଣି
ନିତ୍ୟ ସ୍ଥଳୀର ମଧ୍ୟରେ ଅଛଇ ପୁଣ ।
ନବୀନ ସେ ରୂପ ମୂରତି,
ନିରାଧାରରେ ଚିହ୍ନିବୁ ଶୁଣରେ ସତି ।
ସୁଦାମ ଦାମ ସୁବଳ            ଆବର ମଧୁ ମଙ୍ଗଳ
ପାଞ୍ଚଜଣ ପଞ୍ଚସଖା ଚାରି ଯୁଗରେ ।
ଗୁପ୍ତରେ ଖେଳ କରିବେ      ପ୍ରଭୁଙ୍କ ପାରୁଶେ ଥିବେ
ବାଳ ଅରୁଣ ପ୍ରାୟେକ ତେଜ ସଧୀରେ ।
ବିଶ୍ୱାବସୁ କୁଳରେ ଜାତ
କଳିଯୁଗରେ ଚିହ୍ନିବୁ ଦେଲି ସଙ୍କେତ ।
କରିବେ ସଭା ସଙ୍ଗତି      ମଧ୍ୟେ ବିଜେ ଦାଶରଥି
କପିତ ସତେ ଉପରେ ବଟ ନିକର ।
କାହିଁନ କହିବୁ ତୁହି            ପାଦପଦ୍ମ ଥାଅ ଛୁଇଁ
ଗୁପତ କଳଙ୍କ ସଭା ହେବ ସତ୍ୱର ।
ଶୂନ୍ୟ ଗାଦି ପାବଚ୍ଛ ତଳେ
ନିଶ୍ଚୟ ସଭା ହୋଇବ ନବ ଅଙ୍କରେ ।
ନବ ଋଷି ଥିବେ ପାଶେ            ନବୀନ ମୂରତି ବେଶେ
ନିତ୍ୟସ୍ଥଳୀ ରାଧା ଥିବେ ନିଜ ସଦନେ ।
ଦେବ ଋଷି ରାଜ ଋଷି ବ୍ରହ୍ମ ଋଷି ଥିବେ ବସି
ଗରୁଡ଼ ଆସିଣ ଥିବ ଶୂନ୍ୟ ଭୁବନେ ।
ଗୁପତେ ତୁ ଚେତିଣ ଥିବୁ,
ଗାଢ଼ ଭଗତମାନଙ୍କୁ ତେବେ ଦେଖିବୁ ।
ଗିରି ଗୋବର୍ଦ୍ଧନ ପୁରି            ଦିଶିବ ସଭା ମଣ୍ତଳୀ
ଗୋପ ଗୋବର୍ଦ୍ଧନ ସଭା ହେବ ତିଆର ।
ତିନି ତ୍ରୟ ଲୋକ ଯେତେ            ଆସି ମିଳିଣ ସମସ୍ତେ
ପଦ୍ମ ପାଦେ ସେବା ସେ କରିବେ ନିକର ।
କରୁଣା ସାଗର ଅନାଦି,
କଳିକାଳ ପାପଭାରା ଦେବଟି ଛେଦି ।
ସକଳ କଥା ସମ୍ଭବ            ଲକ୍ଷ ଯେ କ୍ଷଉଣୀ ହେବ
ଶୂନ୍ୟ ବାସୀଙ୍କର ଖେଳ ଏପରି ଜାଣ ।
ଲକ୍ଷେ ବୀରମଣି ଥିବେ            ଚିହ୍ନିବୁ ଗୁପତଭାବେ
ମହା ନିତ୍ୟପରି ସଭା ହେବ ଘଟଣ ।
ଶୂନ୍ୟ ବାସୀଙ୍କର ଆଜ୍ଞାରେ,
ସକଳ ସମ୍ଭବ ହେବ ଲକ୍ଷ ଯୋଗରେ ।
ବାଉନ ପ୍ରସ୍ଥ ସନ୍ନ୍ୟାସୀ            ଖଟିବେ ସମସ୍ତେ ଆସି
ସ୍ୱର୍ଗ ମର୍ତ୍ତ୍ୟ ଯେ ପାତାଳ ଏ ତିନିପୁର ।
ଯେଉଁ ପୁରୁ ଯେଉଁ ଲୋକ            ସମସ୍ତେ ପ୍ରଭୁ ସେବକ
ଚରଣ ତଳେ ଶରଣ ଅଶେଷ ବାର ।
ପାପୀ ପାପ କରିବେ ନାଶ,
ବେନି ନେତ୍ରେ ଦେଖିବୁ ପରମ ପୁରୁଷ ।
ଶୂନ୍ୟ ବାସୀଙ୍କର ଖେଳ            ବ୍ରହ୍ମାଣ୍ତେ ହେବ ଚହଳ
ଏକୋଇଶପୁର ଲୋକ ଆସିବେ ସର୍ବେ ।
ଦର୍ଶନ କରି ଅରୂପ                  କଟାଇବେ ଗତ ପାପ
ଲକ୍ଷ ନିଧି ପରିପୂର୍ଣ୍ଣ ହୋଇବ ତେବେ ।
ମହାନିତ୍ୟ ଖେଳ ହୋଇବ,
ମହିମାଙ୍କ ନିତ୍ୟସ୍ଥଳୀ ଏ ରୂପେ ହେବ ।
ବ୍ରହ୍ମତତ୍ତ୍ୱ ପରିପୂର୍ଣ୍ଣ                  ବିଜୟେ ପରମ ବ୍ରହ୍ମ
ବୃନ୍ଦାବନ ରାସସ୍ଥଳୀ ଦିବ୍ୟ ସୁନ୍ଦର ।
ସ୍ୱର୍ଗପୁର ପଟାନ୍ତର                  ଯହିଁ ନୋହିବ ସୁନ୍ଦର
ଅରୂପ ବ୍ରହ୍ମ ମୂରତି ବାଳ କୁମର ।
ଚିହ୍ନିବୁ ତୁ ହେତୁ ପ୍ରସଙ୍ଗେ,
କଳଙ୍କ ନ ଥାଇ ଯେବେ ତୋହର ଅଙ୍ଗେ ।
ବେନି ନେତ୍ରରେ ଦେଖିବୁ            ପୂର୍ବ ପାପକୁ ନାଶିବୁ
ନିଶ୍ଚୟ କଥା ଏବେ ମୁଁ କହୁଛି ସତ୍ୟ ।
ମିଥ୍ୟା ନୁହଇ ଏ ଗିର            ଆପଣାମନେ ବିଚାର
ଅରୂପା ନନ୍ଦଙ୍କ ପାଦେ ଦେଇଣ ଚିତ୍ତ ।
ଅଣରୂପେ ଆଶ୍ରେ କରିଛି,
ଅବ୍ୟଗତ ବ୍ରହ୍ମବିନୁ ନ ଜାଣେ କିଛି ।
 
 
 

ଅଷ୍ଟମ ଅଧ୍ୟାୟ


ଅରୁପ ବ୍ରହ୍ମଙ୍କ ପାଦେ ଭକ୍ତି କର ଅପ୍ରମାଦେ
ଜଣାଇଲା ପାଦେ ସତୀ ବିନୀତ ହୋଇ ।
କେଉଁ ଠାରେ କେତେ ସୈନ୍ୟକହିବା ହେଉ ଅପଣ
କଳିର ଭାରତ କଥା ଶୁଣିବି ମୃହିଁ ।
କର କର କାରଣ ମୋତେ ।
କୃପା ନୟନେ ଚାହିଁଲେ ମୁକ୍ତି କିଞ୍ଚିତେ ।
କଳୁଷ ନାଶନ କର ଆହେ ବ୍ରହ୍ମାଣ୍ତ ଠାକୁର
କଳ୍ପଣା ତୁଟିବ ମୋର କର୍ଣ୍ଣେ ଶୁଣିଲେ ।
କହିବା ହେଉ ଆପଣ କିରୁପେ ହୋଇ ବାରଣ
ସଂଗ୍ରାମ ହୋଇବ କେବେ କେଉଁ ଦିନରେ ।
କହ ପ୍ରଭୁ ନିର୍ଣ୍ଣୟ କରି ।
କଳିର ଭାରତ ମୋତେ କହ ହେ ହରି ।
କୃପାଳୁ ଦୟା ସାଗର କୃପା ମୋତେ ବାରେ କର
କେତେ ଭାଗ କାହାର ଯେ କେବଣଠାରେ ।
କେ ଥିବ ସାରଥି ତହିଁ ଯୁଦ୍ଧେ ଅଗ୍ରସର ହୋଇ
ସାଜ ସାଜ ସୈନ୍ୟ ବୋଲି ଡାକି ସତ୍ୱରେ ।
କେତେ ଲୋକ ହୋଇବେ ହତ ।
କରଯୋଡ଼ି ଜଣାଉଛି କହ ଅଚ୍ୟୁତ ।
କେ ଅଦା ସାରଥି ହେବ କହ ପ୍ରଭୁ ବାସୁଦେବ
କିଞ୍ଚିତେ କରୁଣା କର ଦୟା ସାଗର ।
କମଳ ଚରଣ ଧରି       କରୁଛି ବାରେ ଗୃହାରି
ବୁଝାଇ କହିବା ମୋତେ ହେ ଅଣାକାର ।
କର କର କାରଣ ମୋତେ ।
କଟାକ୍ଷ ବଚନ କହ ଯିବି ପରତେ ।
କହିଥିଲି ଯେତେବେଳେ କଳୁଷ ନାଶିବି ହେଲେ
କହୁଥିଲ ପରା ତୁମ୍ଭେ କଟୁ ବଚନ
କଳିଙ୍କି ବେଳର କଥା କହି ତୁଟା ମନ ବ୍ୟଥା
କୃପାଳୁ ଦୟା ସାଗର ହେ ପୂର୍ଣ୍ଣ ବ୍ରହ୍ମ ।
ଶୂନ୍ୟ ପ୍ରଭୁ ପାଦେ ବିନତି ।
କୃପା ନେତ୍ରେ ଚାହିଁ ପ୍ରଭୁ କର ମୁକତି
ହେ ଦୀନବାନ୍ଧବ ହରି ହରଷେ କର ବିସ୍ଥାରି
ହାନିଲାଭ ସର୍ବ କଥା ତୁମ୍ଭଙ୍କୁ ଜଣା ।
ହରଷ ବଦନ ନାଥ      ବଚନ କଲ ବ୍ୟକତ
ହଟହଟ ନିନ୍ଦା ସୁତି ଯେବେ ଘଟଣା ।
      ହରଷରେ କୁହ ଶ୍ରୀହରି ।
ହତ ଆହତ ଯେତେକ ସିନା ତୁମ୍ଭରି ।

ଶ୍ରୀ ଅନାଦି ଉବାଚ

ଶୁଣ ଆଗୋ ଯୋଗମାୟା ସ୍ୱରୂପ ବଚନ ଯାହା
ସୈନ୍ୟମାନଙ୍କ ବୃତ୍ତାନ୍ତ କହିବା ତୋତେ ।
ସାତଶ ବାର କ୍ଷଉଣୀ ଗଙ୍ଗାକୂଳେ ଥାଅ ଜାଣି
ଜଗିଛନ୍ତି ଭଦ୍ରସେନ ତାଙ୍କୁ ଗୁପତେ ।
ଧୃତରାଷ୍ଟ୍ର ଅଟନ୍ତି ସେହି,
ଐଶାନ୍ୟ କୋଣରୁ ବଳ ଆସିବେ ବହି ।
ଶ୍ରୀକ୍ଷେତ୍ର ବର ନିକଟ ଖଣ୍ତଗିରି ଉଦେ ବଟ
ସେହିଠାରେ ସୈନ୍ୟ ତାର ରଖିବ ନେଇ ।
କହିଲି ମୁଁ ଏହା ତଥ୍ୟ କେହି ନ ପାଇଲେ ଅନ୍ତ
ମାରକଣ୍ତକୁ ତଦନ୍ତ ଜଣା ପଡ଼ଇ ।
ଶୁଣିଥାଥ ଆମ୍ଭ ମୁଖରୁ ।
ପାଞ୍ଚ କ୍ଷୌଣୀ ସୈନ୍ୟ ଆସି ଚୀନାଦେଶରୁ ।
ନକୁଳ ଥିବେ ସାରଥି କୁନ୍ତମୁନ କରେ ସ୍ଥିତି
ପ୍ରବେଶ ହୋଇବ ସେହୁ ସେହି ସ୍ଥାନରେ ।
ସୈନ୍ୟ ସେନା ଥିବେ ଗୁପତେ ।
ଗୋବର୍ଦ୍ଧନ ଗିରି ତୋଳା ପାଇବେ ପଛେ ।
ସମ୍ୱଲପୁରେ ସଇନ୍ୟ ଲକ୍ଷେ ବୀରପତି ପୁଣ
ସଭା ମଣ୍ତାଇବେ ତହିଁ ନିତ୍ୟ ରାଧିକା ।
ଲକ୍ଷ୍ମୀ ବିଜେ କରିଥିବେ ନିଯୋଗାଇ ପଡ଼ି ଦେବେ
ନିର୍ଣ୍ଣୟ ବଚନ ଏହୁ ଜାଣିଥା ଏକା
ନୁହଇ ଏ ମିଥ୍ୟା ଭାଷଣ,
ଏକାଦଶେ ଏହି ସଭା ନିଶ୍ଚୟ ଜାଣ ।
ରେଙ୍ଗୁନ ଦେଶ ସାରଥିଆସିବେଟି ତିନିମୂର୍ତ୍ତି
ପରିଚୟ ଦେଇ ଯିବେ ଆଠ ଅଙ୍କରେ,
ଶୁଣି ମାରକଣ୍ତ ତୋଷ କରନ୍ତି ଭାବ ରହସ୍ୟ
ଶୁଣିଥା ଗୁପତ କଥା କହିଲୁ ତୋରେ ।
ତାଙ୍କୁ ଜଣା ସକଳ ସୈନ୍ୟ
ତାଙ୍କ ଉପଦେଶେ ହେବ ଘୋର ସଂଗ୍ରାମ ।
ଫିରିଙ୍ଗିଙ୍କ ସୈନ୍ୟ ଯେତେ ଶୁଣିଥାଅ ଅନମିତେ
ଦ୍ୱାଦଶ କ୍ଷଉଣୀ ତାଙ୍କ ଗଣନା ସାଜେ,
ପଦାତି ଚାରି କ୍ଷଉଣୀ ସେନାପତି ବେନି ପୁଣି
ଯାନ ବିମାନରେ ଛଡ଼ କ୍ଷଉଣୀ ବିଜେ ।
ଗୋରୁମୁଖ ପ୍ରାୟେ ବଦନ,
ନତ୍ର ନାକ ପରା ଏକ ଦିଶେ ଘଟଣ ।
ଧବଳ ବର୍ଣ୍ଣ ସାରଥି ଅଟଇ ଯେଉଁ ପଦାତି
ଶୁତ୍ର ମନ୍ତ୍ରୀ ସେହି ଅଟେ ତ୍ରେତା ଯୁଗେଣ ।
ତାହାକୁ ଜାଣ ଗୁପତେ ପ୍ରଥମେ ପଶିବ କ୍ଷେତ୍ରେ
ଅତି ଅଦଭୁତେ ସେହୁ କରିବ ରଣ,
ସେହିଦିନ ବାର ହଜାର,
ହତ ହୋଇବେ ସଇନ ବୁଝ ନିକର ।
ସେହିଦିନ ବୃହସ୍ପତି       ବାଳକ କରିଣ ସ୍ଥିତି
ମକର ମାସ ଦଶମୀ ଧନୁ ଲଗ୍ନରେ ।
ଖଣ୍ତଗିରି ଠାରୁ ସୈନ୍ୟ ବାହାର ହୋଇବେ ଜାଣ
ପ୍ରବେଶ ହୋଇବେ ଯାଇ ଚଉଦ୍ୱାରରେ,
ଗୁପତରେ ଅଛନ୍ତି ରହି
କଳଙ୍କିତ ସୈନ୍ୟମାନେ ଯାଣିଥା ତୁହି ।
ହେବ ମହା ଘୋର ରଣ ହାରିବେ ଫିରଙ୍ଗି ସୈନ୍ୟ
ଚାରିଲକ୍ଷ ହତ ହେବେ ଦେଲୁଁ ବୁଝାଇ ।
ଏପରି ହୋଇବ ଗୋଳ ସଂଗ୍ରାମ ହେବ ପ୍ରବଳ
ଥରହର ହୋଇ କମ୍ପୁଥିବ ଏ ମହୀ
ବୃକୋଦର କରିବେ ହତ,
ପଳାଇବେ ରଣଛାଡ଼ି ସୈନ୍ୟ ସମସ୍ତ ।
କୃଷ୍ଣ ଅବତାର ତୁଲେ ଅର୍ଜୁନ ସୈନ୍ୟ ସକଳେ
ମିଳିବେଟି ବଟମୁଳେ ବେନି ହଜାର,
ମହାବୀର ଧନୁର୍ଦ୍ଧର କରିବେ ଘୋର ସମର
ତେରଲକ୍ଷ ସୈନ୍ୟ ସେହୁ କରିବେ ଚୂର
ସ୍ୱର୍ଗ ମର୍ତ୍ତ୍ୟ ତିନିପୁରରେ,
ନୋହିବେଟି କ୍ଷତ୍ରୀ ସମ ତାଙ୍କ ସଙ୍ଗରେ ।
ଜଗନ୍ନାଥ ଅବଧୂତ       ନକୁଳ ଘେନିଣ କୁନ୍ତ
ଆଦି ସୁରଭିଙ୍କ ସଙ୍ଗେ ଚଣ୍ତୀ ଚାମଣ୍ତା,
କାନ୍ତାନି ଗଣ ମିଶିବେ ରଣେ ସୈନ୍ୟ ବିନାଶିବେ
ଏକଲକ୍ଷ ସୈନ୍ୟ ସେହୁ କରିବେ ଗୁଣ୍ତା
ରାମ ଅବଧୂତ ସଙ୍ଗରେ,
ହିନୁ ଅବଧୂତ ଥିବେ ବାମ ପାଶରେ ।
ବାରଲକ୍ଷ ଯେ ପଦାତି କ୍ଷଣକେ ନାଶି ମାରୁତି
ପଦାଘାତେ ଟଳ ଟଳ ହେବ ମେଦିନୀ,
ସ୍ୱର୍ଗେ ଥାଇ ସୁନାଶିର ଦେଖିଣ ଘୋର ସମର
ପୁଷ୍ପବୃଷ୍ଟି କରାଇବେ ଅମର ଘେନି,
ଧନ୍ୟ ଧନ୍ୟ ତାଙ୍କ ମହିମା
କ୍ଷତ୍ରିମାନେ ପଳାଇବେ ଛାଡ଼ିଣ ସୀମା ।
ଯଦୁ ଅବଧୂତ ଘେନିସଙ୍ଗେ ସହଦେବ ବେନି
ଲକ୍ଷ ଲକ୍ଷ ସୈନ୍ୟ ଘେନି ଯୁଦ୍ଧ କରିବେ,
ସାତ ତାଳ ପରିଯନ୍ତେ ନଦୀ ବହିବ ଅଭୁତେ
କହିଣ ନୁହଇ ସେହି କଥା ପ୍ରସ୍ତାବେ ।
ବିନତା ନନ୍ଦନ ଯେ ଥିବ,
ସେକାଳର ସମରକୁ ସେହୁ ଦେଖିବ ।
(ତହିଁ) ବାଜୁଥିବ ଶଙ୍ଖଧ୍ୱନି (ସୈନ୍ୟ) ଛାଡ଼ି ପଳାଇବେ ପୁଣି
ନିରାକାର ଅବଧୂତ ସଙ୍ଗେ ଧର୍ମଙ୍କର ସୁତ
ଯୁଦ୍ଧ କ୍ଷେତ୍ରେ ପ୍ରବେଶିବେ ଚଢ଼ି ଣଯାନ
ନବଲକ୍ଷ ସୈନ୍ୟ ଘେନିକରିବେ ସମର ପୁଣି
ସବୁ ବୀରମାନେ ଦେଖି ହେବେ ନିଃସତ ।
ଶୂନ୍ୟ ମାର୍ଗେ ଚଢ଼ିଣ ଯାନ,
ଦେଖି ପଳାଇବେ ସେହି ଫିରଙ୍ଗି ସୈନ୍ୟ ।
ପାଦେ ଶରଣ ପଶିବ ରକ୍ଷାକର ଗୁରୁଦେବ
ଚରଣ ତଳେ ଶରଣ ଅଶେଷବାର,
ଦେଖି ତାହାର କାକୁସ୍ଥ ରକ୍ଷା କଲୁଟି ତୁରିତ
ଶ୍ରୀମୁଖରେ ଅଜ୍ଞା ଦେବେ ପଙ୍କଜ ନେତ୍ରେ
ଶୁଣିଥାଅ ସ୍ଥିର ବଚନ,
ଅପୂର୍ବ ରହସ୍ୟ ଲୀଳା ହେବ ଘଟନ ।
ପୂର୍ବରୁ ସୁକୃତ ଥିଲା ପାଦେ ପ୍ରଣମିତ ହେଲା
ତେଣୁ କରି ତାଙ୍କୁ ରକ୍ଷା କରିବେ ଜାଣ ।
ଗର୍ଭେ ସମ୍ଭାଳିବେ ନେଇ ଥୟରେ ତାଙ୍କୁ ରଖାଇ
ବ୍ରହ୍ମତତ୍ତ୍ୱ ପରିଚୟ ପାଇବ ପୁଣ ।
ପୂର୍ବ ଭାଗ୍ୟ ସୁକୃତ ବଳେ,
ମହୀ ଭୋଗ କରିବେ ସେ ବୀର ପ୍ରବଳେ ।
ବୀରପଣ ଯେ ତାହାର ନ ଛାଡ଼େ କେବେ ଅସୁର
କପଟରେ ଚରଣରେ ଶରଣ ଯିବ ।
କହିଲୁଁ ତୋତେ ବିଶ୍ୱାସେ ନିର୍ଣ୍ଣୟ ରଣରେ ପଶେ
ବେନି ଭାଇଙ୍କର ସୈନ୍ୟ ଭାଗ ହୋଇବ ।
ଗୁପତରେ ବୁଝିଥା ତୁହି,
ଜାତିକୁଳ ଗୋତ୍ର କାର ରହିବ ନାହିଁ ।
ହିନ୍ଦୁ ମୁସଲରେ ଜାଣ ହେବ ବନ୍ଧୁ ଭାବ ପୁଣ
ପୁଅ ଝିଅ ଯେତେବେଳେ ସାଦି ହୋଇବେ ।
ସେତିକି ବେଳକୁ ତୁହି ଗୁପତେ ବୁଝିବୁ ଯାଇ
ଅମରୀକ୍ଷ ଯୋଗ ମାନ ଆରମ୍ଭ ହେବେ ।
ଶକୁନି ଯେ କରିବ ଖେଳ,
ଦୁଇ ଭାଇଙ୍କର ସୈନ୍ୟ କରାଇ ମେଳ ।
କପଟ କରିଣ ଜାଣ ଶ୍ରେଷ୍ଠ ପଦକୁ ବହିଣ
ଖଳ ଦୁର୍ବଳକୁ ସେହୁ ପାଞ୍ଚିଣ ମନେ ।
ବଳି କରିଥିବ ଜାଣ ଅସହ ଯୋଗ ସଇନ୍ୟ
ତପସ୍ୟା କରିଣ ଥିବେ ଭକ୍ତ ସକଳେ ।
ଭାବଗ୍ରହୀ ଚରଣ ତଳେ,
ମନକୁ ନିବେଶିଥିବେ ଦେଖିବୁ ଡୋଳେ        ।
ଧର୍ମସୁତ ଯୁଧିଷ୍ଠିର       ମନେ ନାହିଁ ଅହଙ୍କାର
ଅତି ଆନନ୍ଦରେ ଥିବେ ମଉନ ପରି ।
ଷଡ଼ଚନ୍ତ୍ର ନବଦ୍ୱାର       ମିଶାଇ ଏକା ଅକ୍ଷର
ତପକରି ରହିଥିବେ ଯୋଗେ ବିହରି ।
ନବଅଙ୍କ ମଧ୍ୟ ଭାଗରେ,
ତପସ୍ୟା ଯେ ପରିପୂର୍ଣ୍ଣ ହେବ ସତ୍ତ୍ୱରେ ।
କରୁ ନ ଥିବ ବାରଣ ଜାତି କୁଳ ଗୋତ୍ର ଜାଣ
ଏକ ଜାତି କରି ସର୍ବେ ଏକ ବେଭାର ।
ସେହି ସମୟରେ ପୁଣ ବେନି ଭାଇଙ୍କର ରଣ
ଲାଗିବଟି ଜାଣିଥାଅ ଯୁଗ ଶେଷରେ ।
ପରିଚୟ ଦେଲୁ ବୁଝାଇ,
ଏମନ୍ତେଣ କେତେଦିନ ଯିବଟି ବହି ।
ବହୁତ ଯେ ଘୋଡ଼ାହାତୀ ଅନେକ ବଳ ପଦାତି
ଦୁଇ ଭାଇଙ୍କର ସୈନ୍ୟ ଆସିବେ ତହିଁ ।
ହେବ ରଣ ଗୋଳ ଧ୍ୱନି କମ୍ପିବ ଏହି ମେଦିନୀ
ସେହି କଥାମାନ ମୁଖେ କହି ନୁହଇ ।
ସୈନ୍ୟ ସେନା ଯେତେ ଆସିବେ,
ବୁଝାଇ କହୁଛି ତୋତେ ଶୁଣ ଗୋ ଏବେ ।
ଚାରିଲକ୍ଷ ଅଶ୍ୱ ଜାଣ ଦଶ ଲକ୍ଷ ହସ୍ତୀ ପୁଣ
ସତୁରୀ ଲକ୍ଷ ସୈନ୍ୟ ଦୁଇ ବଳଙ୍କର ।
ହେବ ରଣ ଗୋଳ ଧ୍ୱନି କମ୍ପିବ ଏହି ଧରଣୀ
ଟଳ ଟଳ ହେବ ନିଶ୍ଚେ ଜାଣ ସତ୍ୱର ।
ଦ୍ୱାଦଶ ବରଷ ଜାଣ ପୃଥ୍ୱୀ ହେବ ରଣ ଭଣ
ଘୋଟକଙ୍କ ପାଦଘାତେ ଧରଣୀ ନାଶ ।
ରଣ ଭଣ ହୋଇବେ ନର,
ଦେଶମାନ ନାଶଯିବ ବୁଝ ସତ୍ୱର ।
କୁଢ଼ କୁଢ଼ ଗ୍ରାମମାନ ଭାଙ୍ଗି ହୋଇଯିବ ଚୁର୍ଣ୍ଣ
ଦଶ ପାଞ୍ଚ ଗ୍ରାମ ମଧ୍ୟେ ରହିବେ ଚାରି ।
କିବା ବେନି ଜଣ ଥିବେ ମୁଖେ ଶ୍ରୀଗୁରୁ ଡ଼ାକିବେ
ପାପ ପୁଣ୍ୟ ବେନି କଥା ଚିତ୍ତେ ବିଚାରି ।
ପାପ କଥା ଦୂର କରିଣ ।
ସତ୍ୟପ୍ରକାଶ କରିବେ ଧ୍ରୁବ ବଚନ ।
ପଶ୍ଚିମ ଦେଶ ଭକତ ଥୋକେ ରହିବେଟି ସତ୍ୟ
ବିଷ୍ଣୁ ଅଙ୍ଗୁ ଯେତେ ଜାତ ହୋଇଥିବେକ ।
ସେହି ରହିବେ ମହୀରେ ଗୁରୁ ଆଜ୍ଞା ବହି ଶିରେ
ଆଉ ଯେତେ ନରକୁଳ ହୋଇବେ ହତ ।
ଗଙ୍ଗା ନଦୀ ସ୍ରୋତ ଶୁଖିବ ।
ସତ୍ୟ ସତ୍ୟ ବାଣୀ ଏହୁ ଅଟଇ ଧ୍ରୁବ ।
ଡ଼ାକି କହୁଛି ବତାଇ ଶୁଣମୋର ବାପ ଭାଇ
ରାମଚନ୍ଦ୍ର ନବଅଙ୍କ ଚେତନା କର ।
ଧର୍ମରେ ପରୀକ୍ଷା ହେବ ଧର୍ମ ଯାକୁ ଉଦ୍ଧାରିବ
ସେ ଏକା ରହିବ ସିନା ଧରଣୀ ପର ।
ନୋହିଲେ ନାହିଁ ନା ଗତିଯେବେ ସାହା ଦାଶରଥି
ରଖିଲେ ରଖି ପାରନ୍ତି କର ମୂଳର ।
ଶୂନ୍ୟବାସୀ କରତା ସିନା ।
ସତ୍ୟରେ ବନ୍ଧନ ସେହୁ ସତ୍ୟ ଘଟଣା ।
ହେ ବ୍ରହ୍ମାଣ୍ତ ନରକୁଳ ପ୍ରଭୁଙ୍କ ଭଜ ସକଳ
ତିଆରି କହୁଛି ମୁହିଁ ତୁମ୍ଭ ଶ୍ରବଣେ ।
ଛନ୍ଦ କୂଟ ମାୟା ଛାଡ଼ ନିର୍ବେଦକୁ କର ଦୃଢ଼
ନିଶ୍ଚେ ଏ ଧରଣୀ ରହିବ ହେ ସୁଜନ ।
ଶୂନ୍ୟବାସୀ ଚରଣେ ଧ୍ୟାୟୀ ।
ପଦ୍ମକଳ୍ପେ ଭୀମ କହେ କରିବେ ତ୍ରାହି ।

ନବମ ଅଧ୍ୟାୟ


ପୂର୍ଣ୍ଣାନନ୍ଦ ପୂର୍ଣ୍ଣ ବ୍ରହ୍ମ       ମର୍ତ୍ତରେ ବିଜେ ଆପଣ
ମହାନିତ୍ୟ ଖେଳକଲ ଭକ୍ତଙ୍କୁ ଘେନି ।
ବ୍ରହ୍ମଧୂନୀକି ଥାପିଲ କଳିର ପାପ ପୁଡ଼ୀଲ
ପଦ୍ମପାଦେ ସେବାକଲେ ଦିବା ରଜନୀ ।
ପ୍ରେମରାସ ଭାବ କରଇ ।
ପତିତ ତାରିବା ଅର୍ଥେ ବିଜେ ଏ ମହୀ ।
ସତ୍ୟଯୁଗେ ଭକ୍ତଗଣଧ୍ୟାନରେ ଚିନ୍ତି ଚରଣ
ତ୍ରେତୟାର ଯାଗପୂଜା କରି ଭଗତେ ।
ଦ୍ୱାପରେ ରୂପକୁ ଗଢ଼ି ପ୍ରତିମା ରୂପ ସଜାଡ଼ି
ଅବତାର ବିଷ୍ଣୁରୂପ ଆଣିଲ ମର୍ତ୍ତ୍ୟେ ।
କଳିଯୁଗେ ବିଜେ ଆପଣ ।
ଭକତ କୁଳକୁ କାହିଁ ଦେଲ କଷଣ ।
ବାରସ୍ୱତି ପୁରୁ ଆଣି ଯାତ କଲ ଏ ଧରଣୀ
ଜଳ ସ୍ରୋତରେ ଭଗତ ମେଳିକା ପାଇଁ
ପ୍ରଭୁପଣ ଏହିଠାରୁ       ସରିଯିବଟି ଶ୍ରୀଗୁରୁ
ସତେକି ଭକ୍ତ କୁଳକୁ ତେଜିଲ ନେଇ ।
ପଦ୍ମପାଦେ ଜଣାଏ ସତୀ ।
ସାଦରେ ସଫଳ କର କ୍ଷୁଦ୍ର ଭାରତୀ ।
ଶୁଣ ମୋର ପିତାମାତା ମନେପଡ଼ି ଘୁରେ ମଥା
ନିଦ୍ରାମାଡ଼ୁ ନାହିଁ ମୋତେ ଦିବା ରଜନୀ
ଭାଇ ଭଉଣୀୟେ ମୋର ମାଡ଼ୁଅଛି ମନେ ଡର
ସାଙ୍ଗସଖା ମନେ ମୋର ପଡ଼ୁଛି ପୁଣି
ସାଧୁସନ୍ଥେ ସମସ୍ତେ ଶୁଣ,
ସୁଖଦେଇ ଦୁଃଖପଥ ହେଲା ଘଟଣ ।
ସଜୀବ ମୁରତି ବ୍ରହ୍ମ ଅଜୀବ ସେବିଲ ପୁଣ
ଚଣ୍ତୀ ଚାମଣ୍ତାଙ୍କୁ ସର୍ବେ କରିଲ ସେବା,
ଚିତ୍ତରେ ନାହିଁ ବିଚାର କଳି ଅନୀତି ବେଭାର
ଚୋର ଡକାଇତ ପରି ମଣ୍ତିଲ ସଭା
ଚନ୍ଦ୍ରଥାଉ ତାରା ସେବିଲ,
ଚେତନା ହରାଇ ସର୍ବେ ବଣା ହୋଇଲ ।
ଛେଦିଲ ଛାଗଳ ମେଣ୍ଢାଦ୍ରୁମ ଶାଖା କଲ ଲଣ୍ତା
ଛନ୍ଦ କପଟ କରିଣ ବଞ୍ଚିଲ ଦିନ,
ଛନକା କରି ମନକୁ ହରି ପର ରମଣୀକୁ
ଛତରା ପଣରେ ନରେ ହେଲେ ଅଜ୍ଞାନ
ଛାଡ଼ିଗଲା ଶିରି ଦେହରୁ,
ଛନ୍ଦରେ ଧନ ହରିଲେ ପର ହସ୍ତରୁ ।
ସଭା ମଣ୍ତାଇଲେ ବସି ସତ୍ୟକୁ ତିଳେ ନ ଭାଷି
ଷଡ଼ଯନ୍ତ୍ର କରି ନରେ ଖାଇଲେ ଲାଞ୍ଚ ।
ସତ୍ୟରେ ବାସୁକି ମହୀ             ଶିରପରେ ଅଛି ବହି
ଶୂନ୍ୟବାସୀ ଶାଖା ଦେଇ ବହିଛି ସେତ ।
ଶୁଣ ଶୁଣ ସମସ୍ତ ନରେ,
ସତ୍ୟ ପ୍ରକାଶ କରିବି କଳି ଯୁଗରେ ।
ସ୍ୱୟଂ ବ୍ରହ୍ମ ଅବତାର ସାକ୍ଷାତେ ଦେଖି ନେତ୍ରର
ସପନ ଦେଖିଲା ପ୍ରାୟେ ସର୍ବେ ମଣିଲେ ।
ସାକ୍ଷାତେ ଦେଲେ ବଚନ ସତ୍ୟରେ କର ପାଳନ
ଶୂନ୍ୟବାସୀ ସତ୍ୟ ଧର୍ମ ମର୍ତ୍ତ୍ୟେ ଥାପିଲେ ।
ସର୍ବେ ଦେଖି ହୋଇଲେ ବଣା ।
ସହଜ ପଥ ହଜାଇ ଯେସନେ କଣା ।
ସାଧିଲ ସପ୍ତାଙ୍ଗ ଯୋଗ ସ୍ତିରୀ ସଙ୍ଗେ ରତି ରଙ୍ଗ
ମୈଥୁନ ବସ୍ତ୍ର ପିନ୍ଧିଣ କଲ ଅନୀତି ।
ସହଜେ ଚିତା ବିଭୂତି ଅଙ୍ଗରେ ବହିଣ ଜ୍ୟୋତି
ଶାଳଗ୍ରାମକୁ ପୂଜିଲ ଚାଣ୍ତାଳ ନୀତି ।
ସାଧି ସାଧି ସରିଲା ଦିନ,
ଶଶୀ ଦେହରେ ଯେସନେ କଳଙ୍କମାନ ।
ସାରିଲ ଧର୍ମ ମହତ୍ୱ ସତ୍ୟ ତେଜିଲ ତୁରିତ
ଅନ୍ୟାୟ ମାନ ଆଚରି ବଞ୍ଚିଲ ଦିନ
ମନରେ ଅପ୍ରତେ କରି ଗୁରୁ ଆଜ୍ଞାକୁ ନିବାରି
ନିଶ୍ଚିନ୍ତେ ଦିନ କାଟିଲ ଯତି ହୋଇଣ
ପୂର୍ବଚେତା ପାଶୋରି ଦେଇ,
ପର ଦାରାରେ ମାତିଲ ସନ୍ନ୍ୟାସୀ ହୋଇ ।
ଆଣିଲେ ବାରସ୍ୱତୀରୁ ଅଠର ପିଢ଼ ମଧ୍ୟରୁ
ଅବଧୂତ ଆଦି ଯେତେ ବାନପ୍ରସ୍ତରୁ,
ସାଧୁସିଦ୍ଧ କରାଇଲେ ସମସ୍ତ ବତାଇ ଦେଲେ
ସହଜ ପଥ ଦେଲେଟି ତର ପାପରୁ,
ଶୂନ୍ୟବାସୀଙ୍କର ଆଜ୍ଞାରେ,
ସମସ୍ତେ ଗୃହ ତେଜିଲେ ମୁକ୍ତି ଆଶାରେ ।
କଲ ଅନୀତି ଆଚାର ଆହେ ସାଧୁ ସୁଜ୍ଞାନର
ରାଗହିଂସା ପରିପୂର୍ଣ୍ଣ ଅଙ୍ଗେ ବହିଲ,
ହରାଇ ନିଜ ସମ୍ପତ୍ତି ଅନ୍ଧପ୍ରାଏ ଗଲ ମାତି
କାହାକୁ ଦୋଷ ଦେବଟି ହେ ସାଧୁଜନ
ଇଚ୍ଛା ସୁଖେ ହେଲେଟି ନାଶ,
ପାପ ସୋହୋତିରେ ସର୍ବେ ଦେଲେଟି ଝାସ
ତରିବ ଯେବେ ପାପରୁ ଏବେ ଭଜଟି ଶ୍ରୀଗୁରୁ
ସତ୍ୟଧର୍ମ ପରୀକ୍ଷା ଯେ ହେବଟି ଜାଣ
ମାରକଣ୍ତ ବ୍ରହ୍ମ ଜ୍ୟୋତି ଚାରିଦେବୀ ଚଉକତି
ପରୀକ୍ଷା କରିବେ ନିଶ୍ଚେ ବୁଝିଣ ଥାଅ ।
ସତ୍ୟ ଫଳ ଯେସନେ ଦେବେ,
କଳି ସୋହୋତିରୁ ସେହୁ ଉଦ୍ଧାର ହେବେ ।
ରାଗହିଂସା ତେଜ ଦୂରୁ ତେବେ ତରିବ ପାପରୁ
ସତ୍ୟକୁ ତତ୍ତ୍ୱ କରିଲେ ସାର ଉଧାର ।
ବୀରବାନାକୁ ପାଇବ ବୀର ବେଶକୁ ବହିବ
ବିଖ୍ୟାତ ହୋଇବ ପରା କଳି ଯୁଗରେ ।
କଳଙ୍କି ଖେଳକୁ ଯିବ କରତା ସେବା କରିବ
ବତାଉଛି ତୁମ୍ଭେ ଶୁଣ ଶ୍ରୁତିପଥରେ ।
ବଚନରେ ସତ୍ୟ ପ୍ରକାଶ,
ବିଜ୍ଞପଣ ଉଦେକଲେ ଖଣ୍ତିବ ଦୋଷ ।
ରାଜ କୁଳର କାହାଣୀ ବତାଇ କହୁଛି ପୁଣି
କଳିଯୁଗେ ଉଦେହେଲେ ବିଷ୍ଣୁ ଅଂଶରେ ।
ବହୁତ ଅନ୍ୟାୟ କଲେ ବିଷ୍ଣୁ କଳା ହରାଇଲେ
ବଣାହେଲେ ରାଜକୁଳ କଳି ଯୁଗରେ ।
ବେଦ ପୁରାଣ ନିନ୍ଦିଲେ ହୋମ ଯଜ୍ଞକୁ ଛାଡ଼ିଲେ
ହନ୍ତସନ୍ତ କଲେ ପ୍ରଜା ଖଚ କଥାରେ ।
ହେତୁ ଚେତା ନକଲେ କେହି,
ହତହେଲେ ରାଜକୁଳ ମଦିରା ଖାଇ ।
ଶୁଣି ନାହିଁକି କର୍ଣ୍ଣରେ ଲେଖିଛି ବେଦ ଶାସ୍ତ୍ରରେ
ସୋମ ସୂର୍ଯ୍ୟବଂଶେ ଥିଲେ ରଘୁ ନୃପତି ।
ସୁରପତି ସଙ୍ଗେ ବାଦ ହାରିଗଲେ ଦେବଇନ୍ଦ୍ର
ନରହୋଇ ହରାଇଲା ଦେବ ରାଜନ,
କଳିଯୁଗ ରାଜନେ ଶୁଣ
ବେଶ୍ୟା ସେବାରେ ଖଟିଲା ତୁମ୍ଭ ଜୀବନ ।
ତ୍ରେତାଯୁଗେ ହନୁମାନ ଘେନିଶ ରାମ ବଚନ
ଦଶଗ୍ରୀବ ସଙ୍ଗେ ସେହୁ ସମର କରି,
ଆଣିଲା ସୀତା ମାଈଙ୍କି ମନରେ ଚେତା ନାହିଁକି
ନିସତ ହୋଇଲେ ସିଂହ ସନ୍ତକ ଧରି
ଶୃଗାଳ ପରାୟେ ବୁଦ୍ଧି
ଶତ୍ରୁହସ୍ତେ ଦେଲେ ନେଇ ଏ ରାଜ ଗାଦି ।
କିସ ବିଚାରୁଛ ଆର ସୁବର୍ଣ୍ଣ ହେଲା ପଥର
ଦାରୀ ପୋଇଲୀଙ୍କ ସେବା ସମସ୍ତେ କରି
ଗୋଦାନ ଛାଡ଼ି ବ୍ରାହ୍ମଣ ଘେନି ବୈତରଣୀ ଦାନ
ଗୋପାଳେ ବୈଷ୍ଣବ ହେଲେ ପଢ଼ି ଗାରେଡ଼ି
ଗୋପାଙ୍ଗନା ଯେତେ ଏ ଥିଲେ
ଗାଈ ପଛରେ ଦଉଡ଼ି ଧରି ଚାଲିଲେ ।
ଗାଈ ନ ପାଇବେ ତୃଣ ନିଶିରେ ରାବ ଦେଇଣ
ନିରାଶ ହୋଇ ମନରେ ଆଦ୍ୟ କାଳରୁ,
ସେହିପରି ପ୍ରଜାକୁଳ ହେଲେ ତୁମ୍ଭର ସକଳ
ଅନ୍ନ ଜଳ ନ ପାଇଲେ ଜନ୍ମ କାଳରୁ
ଆଉ କିସ କହିବ ମୁହିଁ
ଉଣାଇଶ ପଦେ କହେ ସେ ଭୀମ ଭୋଇ ।

ଦଶମ ଅଧ୍ୟାୟ


ଭବିଷ୍ୟତ ବାଣୀ ଶୁଣ ହେ ସୁଜନେ ଭାବନା କରିଣ ଚିତ୍ତେ,
ଭଗବାନଙ୍କର ସୁକୃପା ହେବାରୁ ଲେଖିଲି ମୁଁ ପଦ୍ମ କଳ୍ପେ ।
ଏ କଳି ଯୁଗରେ ରାମଚନ୍ଦ୍ର ଦେବ ତିନିଅଙ୍କ ଠାରେ ଜାଣ,
ମହିମା ଧର୍ମର ପରୀକ୍ଷା ନିମନ୍ତେ ଲଙ୍ଗୁଳି ଆସିବେ ପୁଣ ।
ଲଗାଇବେ ବାଦ ବହି ମନେ କ୍ରୋଧ ମହିମାକୁ ନିନ୍ଦା କରି,
ତାହାଙ୍କ ବିଶ୍ୱାସ ମାନିଣ ଜଗତେ ପଡ଼ିବ ସେ ହୁରି ଜୁରୀ ।
ବୋଲିବେ ମହିମା ଅଦିମାଁ ଅଟନ୍ତି ସେହି ଧର୍ମ ଅବିବେକ,
ତାହାଙ୍କ ନିମନ୍ତେ ଲକ୍ଷେ ମୁଣ୍ତମାଳ ଗଡ଼ିବ ସଂସାର ଯାକ ।
ଶୂନ୍ୟ ପ୍ରଭୁଙ୍କର ସିଦ୍ଧ ଚାଟଲୋକେ ପରୀକ୍ଷାରେ ବଳବନ୍ତ,
ଲଙ୍ଗୁଳି ସହିତେ ଗୁପତେ ବୁଝିବେ ରକ୍ଷ ହେବେ ପ୍ରଭୁଭକ୍ତ ।
ରକ୍ଷା ହେବ ମହୀ ଗୁରୁଙ୍କ କୃପାରୁ ଲକ୍ଷେ ମୁଣ୍ତ ବନ୍ଧା ହେବେ,
ଲକ୍ଷେହାଣ୍ତି ଗଢ଼ି ନିରୁହା ହୋଇଲେ ତାହାର ଦର୍ପ ଦଳିବେ ।
ସେହି ଅଙ୍କଠାରେ ସୁବର୍ଣ୍ଣରେଖାରେ ଗଙ୍ଗାଦେବୀ ବିଜେ କଲେ,
ବୈତରଣୀ ଜଳ ଉଛୁଳିବ କୂଲ ପଶୁ ନରସ୍ରୋତେ ଗଲେ ।
ଢେଙ୍କାନାଳଠାରେ ଢାଙ୍କୁଣୀରେ ରହି ମଧୁବନେ ମାରକଣ୍ଡ,
ସିଦ୍ଧ ବାନା ବହି ସିଦ୍ଧ କରୁଥିବେ ରକ୍ଷା ହୋଇବ ବ୍ରହ୍ମାଣ୍ଡ ।
ସାତ ଅଙ୍କଠାରେ ଶୂନ୍ୟରୁ ଶବଦ ଶୁଭିବ ଉତ୍ତର ଦିଗ,
ମାଘର ଶୁକଳ ଦଶମୀ ତିଥିରେ ବାର ବୃହସ୍ପତି ଭୋଗ ।
ପୁଷ୍ୟା ନକ୍ଷତ୍ରାଦି ଉଦେ ହୋଇଥିବ ଶୁଣ ଭବିଷ୍ୟାନ୍ତ ବାଣୀ,
ଦିବ୍ୟସିଂହ ଦେବ ଅଣଚାଳିଶରେ ଅସତ୍ୟଯୁଗ କାହାଣୀ ।
ମଦନମାଲବ୍ୟ ନାମ ବୋଳିକରି ଏକ ଭକ୍ତ ଥିବ ଜନ୍ମି,
ଗାନ୍ଧି ସହିତରେ ଅହିଂସା ଧର୍ମରେ ନିରନ୍ତରେ ଥିବେ ପୁଣି ।
ଚୁଡ଼ଙ୍ଗ ବଂଶରେ ଉତପତ୍ତି ହୋଇ ମୋତିଲାଲ ଯେ ନେହେରୁ,
ମହାପ୍ରତାପୀ ଅଟଇ ସେହୁ ଭକ୍ତ ଆସିଛନ୍ତି ଶୂନ୍ୟପୁରୁ ।
ଗରୁଡ଼ ଗୁପ୍ତରେ ପ୍ରଭୁଙ୍କ ଆଜ୍ଞାରେ ଜଗିଆ ରହିବ ଜାଣ,
ଯେତେକ କପଟ କଲେ ସମରାଟ ଛେଦନ କରିବେ ପୁଣ ।
ନରେନ୍ଦ୍ରନାଥଙ୍କ କାରାଗାର ଦଣ୍ଡ ଦ୍ୱାପର ଯୁଗରେ ଥିଲା,
ସତ୍ୟଭାମା ଚୋରି କଲା ଯେ ଗୋସିଂହ ପ୍ରଥମେ ସେହି କହିଲା ।
ତାହାଙ୍କ ଆଜ୍ଞାରେ କଳି ଭୋଗଗଲା କେହି ନ ପାରିଲେ ଚେତି,
କଳିରେ କଳଙ୍କି ଖେଳକରୁଥିବେ ଅହିଂସା ଧର୍ମରେ ମାତି ।
କେତେକ ଭଗତ ସ୍ତିରୀ ଯେ ପୁରୁଷ ଯୁଦ୍ଧେ ହେବେ ଆଗୁସାର,
କରିବେ ଅମାନ୍ୟ ଋଜ ଦାନପୁଣ୍ୟ ସତ୍ୟ କରିବେ ପ୍ରଚାର ।
ରାମଚନ୍ଦ୍ର ଦେବ ସାତ ଆଠଅଙ୍କେ ବହିବ ରକତ ନଦୀ,
ଶୂନ୍ୟବାନା ଘେନି ଯୁଦ୍ଧ କରୁଥିବେ ଶୂନ୍ୟଗୁରୁ କରି ସାକ୍ଷୀ ।
ଦେବୀମାନଙ୍କର ରଡ଼ିଘାତ ପାଇ(ମୁଣ୍ଡ) ଉଡ଼ି ଯାଇଥିବ ପୁଣ,
ତେତେବେଳେ ମହୀ ରକ୍ଷା କରିବାକୁ କେହି ଥିବେଟି ପୁଣ ।
ବାଉଁଶ ଠେଙ୍ଗାରେ ମୁଣ୍ଡମାଳମାନ ଚୂର୍ଣ୍ଣିଭୂତ ହେଉଥିବ,
ଚଣ୍ଡି ଚାମଣ୍ଡାଙ୍କ ଚମକ ଘାତରେ ଚଉଦିଗ ପ୍ରକମ୍ପିବ ।
ଅଗ୍ନି ପରୀକ୍ଷାରେ ଶଙ୍କିବ ଫିରିଙ୍ଗି କଲିକତା ଜଳି ଯାଇ,
ଅଗ୍ନିକି ଶୀତଳ କରିବେ ସେ ଦେବୀ ଚନ୍ଦନ ଢାଳିବେ ତହିଁ ।
ଷୋଳଘଣ୍ଟା ଯାଏ ତହିଁରେ ପରୀକ୍ଷା କରିବେ ଯେ ଅଷ୍ଟଜଣ ।
ଅମୃତ ବଚନ ଅନନ୍ତ ଭାଷିବେ ଅଖିଳ ନିମନ୍ତେ ପୁଣ ।
ହୋଇବେ ମୁକତ ଧର୍ମଙ୍କର ସୁତ ଶୂନ୍ୟ ଗୁରୁଙ୍କ କୃପାରୁ,
କଳଙ୍କିରେ ଖେଳ ହେବ ଅନର୍ଗଳ ଶୁଣିଥିଲି ମୁଁ ପୂର୍ବରୁ ।
ଦ୍ୱାପର ଯୁଗରେ ରାଜୁସି ଜାଗରେ ସତ୍ୟ କରାଇଲେ ପ୍ରଭୁ,
କଳିରେ କଳଙ୍କି ତୁମ୍ଭ ଅଙ୍ଗେ ହେବ ବ୍ରହ୍ମାଣ୍ଡ ରକ୍ଷା କରିବୁ ।
ସେତେବେଳେ କଥା ମନରେ ପଡ଼ୁଛି କେତେ ସହିବି କଷଣ,
କପଟି ଲମ୍ପଟ ରକତର ତଣ୍ଟି ଅସଂଖ୍ୟ ସମର ପୁଣ ।
ଶୂନ୍ୟବାସୀଙ୍କର ଶ୍ରୀଚରଣ ତଳେ ଶରଣ ପଶ ହେ ନର,
ପଚିଶ ପଦରେ ବତିଶ ଅଙ୍କରେ ଭାବି କହେ ଭୀମ ଛାର ।

ଏକାଦଶ ଅଧ୍ୟାୟ


ଆଦି ଉବାଚ

କଳଙ୍କିର କଥା ମନରେ ବିଚାରି ଜଣାଇଲି ପ୍ରଭୁ ପାଦେ,
ତୁମ୍ଭରି ଭଗତ କେମନ୍ତେ ତରିବେ ଆଜ୍ଞା ହେଉ ପ୍ରଭୁ ପାଦେ ।
ତେତିକି ବେଳର କଷଣ ବିପତ୍ତି ତୁମ୍ଭେ ଯେବେ ସାହାହେବ,
ତମ ରାଗ ହିଂସା ଛାଡ଼ିଲେ ଭଗତେ ଜୟ କୀରତି ଶୁଭିବ ।
ଜୟ ଜୟ ସର୍ବ ସଂସାର ମଧ୍ୟରେ ଜଗତ ଜନ ବୋଲିବେ,
ଜନ୍ମଦିନୁ ଯେବେ ଯୋଗକୁ ସାଧିବ ଯୋଗ୍ନୀଗଣ ଡରିଥିବେ ।
ପ୍ରଭୁଙ୍କର ଆଜ୍ଞା ଶୁଣିଣ ସେ ଭୀମ ଯୋଗ ଘର ଥୟକରି,
ଜାଗି ଏକାକ୍ଷରେ ଭେଦି ଅଣାକ୍ଷର କଳିଯୁଗୁ ଯିବେ ତରି ।
ଜଗତ ନିମନ୍ତେ କଷଣ ବହୁତ ଜାଗିବେ ସେ ଶୂନ୍ୟବାସୀ,
ଜୟ ଜୟ ବାନା ସଂସାରେ ଉଡ଼ିବ ଯଜ୍ଞ କରୁଥିବେ ରସି ।
ଯାଜପୁରଠାରେ ଜମ୍ୱୁଦ୍ୱୀପ ମହୀ ଯଜ୍ଞସ୍ଥାନ ହେବ ସେହି,
ଜନ୍ମ ବ୍ରହ୍ମ ଋଷି କରିବେ ଯେ ଯଜ୍ଞ ଜାଣିଥାଅ ବାବୁ ତୁହି ।
ଚନ୍ଦ୍ର ଭାଗା ତୀର୍ଥେ ଯେଉଁ ସ୍ତମ୍ଭ ଥିବ ଜାଣିଥାଅ ତୁମ୍ଭେ ସର୍ବେ
ମୁକୁନ୍ଦ ଦେବଙ୍କ ଏକଚାଳିଶରେ କଳିଙ୍ଗା ଯୋତିବା ଭାବେ ।
ସେହି ଖମ୍ୱଠାରେ ବାରଲକ୍ଷ୍ୟ ସୈନ୍ୟ ଯୁଦ୍ଧହେଉଥିବ ତହିଁ,
କଲିକତା କାଳୀ ସଙ୍ଗତେ ଏତିକି ବୁଝୁଥାଅ ବାବୁ ତୁହି ।
ସମଲାଇ ସଙ୍ଗେ ଏ ପାଞ୍ଚହଜାର ଆସିବେ ପଶ୍ଚିମ ଦିଗୁଁ
ମହା ମହାରଥୀ ସେଠାରେ ଯେ ଥିବେ କେ କଳି ପାରିବ ବାବୁ,
ବନାରସୀ ପୁରୁ ଦେବୀଙ୍କ ସଙ୍ଗରେ ବେନିଲକ୍ଷ ଯେ କାନ୍ତାନୀ,
ସମରକୁ ଦେଖି ଆନନ୍ଦିତ ହୋଇ ହୁଳହୁଳି ଦେବେ ପୁଣି ।
ବହିବ ରୁଧିର ଚନ୍ଦ୍ରଭାଗାଠାରେବାରହାତ ଜାଣ ବାବୁ,
ବ୍ରହ୍ମଜ୍ଞାନୀ ମାନେ ବ୍ରହ୍ମଜ୍ଞାନ ସାଧି ତରିଯିବେ ଆଦି ଗର୍ଭୁ ।
ଚର୍ଚ୍ଚିକାଇ ତୁଲେ ଏକଲକ୍ଷ ଦେବୀ ଅଛନ୍ତି ଅମୋହ ଯୋଗେ,
ଗୋରେଖା ସଇନ୍ୟ କରିବେ ଆପ୍ୟାନ ଶୁଣିଥାଅ ବାବୁ ଏବେ ।
କୁମ୍ଭୀ ପଟୁଆ ଯେ ଲକ୍ଷେ ବୀରମଣି ହୋଇଥିବେ ଆଗୁସାର,
ନାଗାନ୍ତି ଯୋଗାନ୍ତି ବେଦାନ୍ତି ସହିତେ ରଚିଥିବେ ପଟୁଆର ।
ଏହିକଥାମାନ ନିଶ୍ଚୟ ହୋଇବ ଦିବ୍ୟସିଂହପୈଞ୍ଚାଳିଶ,
ଶୂନ୍ୟବାନା ଘେନି ଆସିବେ ଶ୍ରୀହରି ଧରିଣ କଳଙ୍କି ବେଶ ।
କଳିଙ୍ଗା ଅସୁର ଯୁଦ୍ଧେ ମାରୁଥିବେ କେହି ନ ପାରିବେ ଜାଣି,
ଏଗାର ଅଧ୍ୟାରେ ବାଇଶି ଶ୍ଳୋକରେ ପଦ୍ମକଳ୍ପେ ଭୀମ ଭଣି ।

ଦ୍ୱାଦଶ ଅଧ୍ୟାୟ


ଶ୍ରୀ ଆଦି ଉବାଚ

ଆଦି ପୁଚ୍ଛିଲା ଗୁରୁ ପାଏ । ଶୁଣ ହେ ପ୍ରଭୁ ଦେବ ରାଏ । ।
ଯେତେକ କହିଲ ଶ୍ରୀମୁଖେ । ଶୁଣିଲି ମୋର ପୁଣ୍ୟ ତପେ । ।
ଆହୁରି କଥାଏ ପୁଚ୍ଛିବି । ମନରୁ ସଂଶୟ ତେଜିବି । ।
କଳି ଶେଷରେ କିସ ହେବ । ମୋତେ କହିବା ଗୁରୁଦେବ । ।
କି ଧର୍ମ କରିବେ ଆଚାର । କହ ହେ ପ୍ରଭୁ ଚକ୍ରଧର । ।
ତପସ୍ୟା ପରିପୂର୍ଣ୍ଣ କରି । କହିବା ଶ୍ରୀମୁଖେ ବିସ୍ତାରି । ।

ଶ୍ରୀ ଅନାଦିବ୍ରହ୍ମ ଉବାଚ

କହନ୍ତି ପ୍ରଭୁ ଶୂନ୍ୟବାସୀ । ମୋ ଗର୍ଭେ ଆଦି ତହିଁ ପଶି । ।
ଯାହା ପୁଚ୍ଛିଲୁ ଏବେ ଶୁଣ । କହିବା କଳିଶେଷ ଜ୍ଞାନ । ।
ପ୍ରଥମେ ମାଣକରେ ଜାଣ । କରଜ ହେବ ବାରମାଣ । ।
ଦ୍ୱୀତିୟେ ନବପଣ ହେବ । ତୃତୀୟେ ଛଡ଼ପଣ ଧ୍ରୁବ । ।
ପଞ୍ଚତିରିଶ ସାଲ ଅନ୍ତେ । ଏକଥା ନିଶ୍ଚେ ହେବ ମର୍ତ୍ତେ । ।
ଗୁପତ ହେବ କଳି ରାଜା । ଗୋଡ଼ାଇ ଖାଇବେ ବିରଜା । ।
ମୋଗଲ ହେବ ରାଜା ପୁଣି । କଟକ ଗଞ୍ଜାମ କାହାଣୀ । ।
ଇନ୍ତୁଳି ଗାଦିଠାରେ ପୁଣ । ରାଜା ଗାଦିରେ ନେବେ ଦିନ       । ।
ପହ୍ଲାଦ ବଂଶୁ ଏକ ବୀର । ଧ୍ରୁବ ବଂଶରୁ ଅବତାର । ।
ଚନ୍ଦ୍ର ବଂଶରୁ ଏକ ରଥି । ଏ ପୁଣି ହୋଇଥିବେ ମନ୍ତ୍ରୀ । ।
ସୁସ୍ଥରେ ପାଳୁଥିବେ ମହୀ । ହିନ୍ଦୁ ମୋଗଲ ଏକ ହେଇ । ।
ଅନ୍ନ ଜଳରେ ସୁସ୍ଥ ଥିବ । କାନ୍ତାରେ ଆଉ ନ ପଡ଼ିବ । ।
ମହିମା ସେବିବେ ସକଳ । ମର୍ତ୍ତ୍ୟରେ ଯେତେ ନରକୁଳ । ।
ମେଦିନୀ ହୋଇବ ଉଶ୍ୱାସ । ମହିମା ଶବଦ ତ୍ରିଦଶ । ।
ଅହିଂସା ଧର୍ମ ଉଦେ କରି । ଆମ୍ଭେ ଯେ ଯିବୁ ଆମ୍ଭ ପୁରୀ       । ।
ନର ଅଙ୍ଗରେ କରି ଖେଳ । ନବୀନ ରୂପଟି ଆମ୍ଭର । ।
ମାରକଣ୍ଡକୁ ଦେବୁ ଚିହ୍ନା । ମହିମା ଧର୍ମର ବାସନା । ।
ସେ ପୁଣି ଆମ୍ଭଙ୍କୁ ଚିହ୍ନିବ । ଆମ୍ଭ ବଟକୁ ଜଗିଥିବ । ।
ସେଠାରେ ଦେଇ ଉପଦେଶ । କହିବି ପୂର୍ବର ସନ୍ଦେଶ । ।
କରୁଣା ସାଗର ଚରଣେ । କାରଣ ମାଗି ଭୀମ ଭଣେ । ।

ତ୍ରୟୋଦଶ ଅଧ୍ୟାୟ


ଶ୍ରୀ ଆଦି ଉବାଚ

ଆଦି ପୁଚ୍ଛିଲା ଗୁରୁ ପାଏ । ଶୁଣ ହେ ପ୍ରଭୁ ଦେବରାଏ । ।
ଅପ୍ରାଧ କ୍ଷମା କର ମୋର । ଜଣାଏ ଶ୍ରୀଗୁରୁ ପୟର । ।
କାରଣ ତାରଣ କରତା । କହି ତୁଟାଅ ମନ ବ୍ୟଥା । ।
କୃପା ସାଗର ଦୟାନିଧି       । କରୁଣା କର କୃପାନିଧି । ।
କାରଣ ମାଗୁଅଛି ମୁହିଁ । କୃପାସାଗର ଭାବଗ୍ରାହୀ । ।
ନିର୍ଗୁଣ ନିତ୍ୟ ନିରାକାର । ନିର୍ବେଦ ବ୍ରହ୍ମାଣ୍ଡ ଠାକୁର । ।
ନିର୍ଣ୍ଣୟ କହ ନାଥ ମୋତେ । ନିଗମ ବଚନ ତୁରିତେ । ।
ନିରାଧାରରେ ବ୍ରହ୍ମଜ୍ଞାନ । କହ ହେ ପ୍ରଭୁ ଶୂନ୍ୟ ବ୍ରହ୍ମ । ।
କଳି ନିକଟ ବେଳେ ପୁଣ । କି କାର୍ଯ୍ୟ ହୋଇବ ଘଟଣ । ।
କହ ହେ ପ୍ରଭୁ ଆଦିମୂଳ । କୃପାଳୁ ଦୟାର ସାଗର । ।

ଶ୍ରୀ ଅନାଦି ବ୍ରହ୍ମ ଉବାଚ

ଆଦି ଦେବୀର ଉକ୍ତି ବାଣୀ । କହିଲେ ପ୍ରଭୁ ଶୂନ୍ୟମଣି । ।
କୃପାସାଗର କୃପାନିଧି । କହିବୁ ଶୁଣ ଆଗୋଆଦି । ।
କୃଷ୍ଣଦାସ ଯେ ଖଗେଶ୍ୱର । କପିଳ କାନ୍ଦୁର ଖେତର । ।
କଲ୍ୟାଣ କାଠି ଦାସ ସେହି । କଷା କୌପୁନୀ ଥିବେ ବହି । ।
ଗଙ୍ଗାଧର ଯେ ଗଦାଧର । ଗୋବିନ୍ଦ ଦାସ ଯେ ଓଗେର । ।
ଘନ ଦାସ ଯେ ଆଦି ଯେତେ । ଘେନିଣ ଥିବି ମୁଁ ସଙ୍ଗତେ । ।
ଉତ୍ତର ଦିଗେ ଥିବୁ ଚାହିଁ । ଉଠିବେ ବୀର ବେଶ ହୋଇ । ।
ଓଡ଼ିଆ ଦକ୍ଷିଣ ପଶ୍ଚିମ । ଉତ୍ତର ପୂର୍ବଦ୍ୱାର ଜାଣ । ।
ଯେଦିନ ପଶ୍ଚିମ କବାଟ । ଫେଡ଼ିଣ ବିଜେ ଉଦେ ବଟ । ।
ସେଦିନ ସର୍ବ ଋଷିଗଣ । ମେଳ ହୋଇବେ ତହିଁ ପୁଣ । ।
ଚନ୍ଦ୍ରଭାଗା ଯେ ତୀର୍ଥଠାରୁ । ଚଣ୍ଡୀ ନଗର ପଶ୍ଚିମରୁ । ।
ଚହଳ ଗହଳ ହୋଇବ । ଚର୍ଚ୍ଚିକାଇ ଯେ ପାଶେ ଥିବ । ।
ଚେତନା ଭକ୍ତଗଣ ଯେତେ । ଖଣ୍ଡଗିରିର ଉଦେ ବଟେ । ।
ଗୁରୁ ଚରଣ ବ୍ରହ୍ମ ଧ୍ୟାୟୀ । ଚଉପାଶରେ ଥିବେ ରହି । ।
ଜାଜୁଲ୍ୟମୟ ଜ୍ୟୋତି ବ୍ରହ୍ମ । ଜାଣିଣ ଦେବେ ଯେଝାପୁଣ୍ୟ       । ।
ଜାଗିଣ ଯୋଗୀ ଜନ ପିଣ୍ଡ । ଯୋଗ ଘରରେ ମାରତଣ୍ଡ । ।
ଯତନେ ଯୋଗାରୂଢ ଭାବ । ଜୟ ବାନା ଯେ ଉଡ଼ାଇବ । ।
ଶୂନ୍ୟ ମାର୍ଗରେ ଥାଇ ମୁହିଁ । ସୁଷପ୍ତି ଦ୍ୱାରେ ଚେତା ଦେଇ । ।
ସାଧିବି ନୂୟାରୀ ରଚନା । ଦେବି ମୁଁ ବୀରବଧୂ ବାନା । ।
ମୋ ଭକ୍ତ ହସ୍ତରେ ଦିଆଇ । କଳଙ୍କି ରାଘବେ କରାଇ । ।
ଗୃହୀ ଭଗତ ଆଦି ଯେତେ । ସ୍ତିରୀ ଯେ ପୁରୁଷ ସହିତେ । ।
ସଭିଙ୍କୁ ଚେତନା କରାଇ । ସାଜିବି ସୈନ୍ୟବଳ ମୁହିଁ । ।
ସମ୍ୱଲପୁର ଠାରୁ ଜାଣ । ସାରଙ୍ଗଗଡ଼ ଯାଏ ପୁଣ । ।
ସାସମଲର ଗ୍ରାମ ଯାଏ । ଶ୍ରୀ ଗଙ୍ଗାଧର ସୃହୁତିଏ । ।
ଶୁଣିଲୁଟିକି ମହିମାଇ । ଶୂନ୍ୟବାସୀଙ୍କ ଆଜ୍ଞା ଏହି । ।
ଶରଣ ଶ୍ରୀଗୁରୁ ଚରଣେ । ସୁଷପ୍ତି ଦ୍ୱାରେ ଭୀମ ଭଣେ । ।

ଚତୁର୍ଦ୍ଦଶ ଅଧ୍ୟାୟ


ଆଦି ଉବାଚ

କାରୁଣ୍ୟ ହୋଇଣ ଅପାର । ପୂଚ୍ଛିଲା ଗୁରୁଙ୍କ ପୟର । ।
କରିବା ପରିତ୍ରାଣ ମୋତେ । ଜଣାଏ ତୋର ପାଦଗତେ । ।
କହ ହେ ନାଥ ପେଡ଼ିକରି । କହୁଛି ଶ୍ରୀଚରଣ ଧରି । ।
କିପରି କଳିଯୁଗ ମଧ୍ୟେ ।କରତା ଖେଳ ଭକ୍ତବୃନ୍ଦେ । ।
କହି ତୁଟାଅ ମନଭ୍ରମ । କରତା ଅଟନ୍ତି ଆପଣ । ।

ଅନାଦି ଉବାଚ

କହନ୍ତି ପ୍ରଭୁ ପଦ୍ମ ପାଣି । ଶୁଣ ଗୋ ଆଦି ମୋର ବାଣୀ       । ।
କରିବି ବ୍ରହ୍ମାଣ୍ଡେ ଭ୍ରମଣ । ସଙ୍ଗତେ ଘେନି ଭକ୍ତଗଣ । ।
କେତେକ କଳ୍ପ ଗଲା ପରେ । କରିବି ଖେଳ ଯୋରନ୍ଦାରେ । ।
କରିବି ଧୂନୀକି ସ୍ଥାପନ । ଶୂନ୍ୟ ସମାଧି ମନେ ଘେନ । ।
କଳିକି କରିବି ତଦନ୍ତେ । କଷଣ ସହିବେ ମୋ ଭକ୍ତେ । ।
କରିବେ ମନରେ ବିଚାର । କରତା କରନ୍ତେ ଉଦ୍ଧାର । ।
କେ ଅନ୍ତ କରିବି ମୋ ଖେଳ । କଳଙ୍କି ହୋଇବ ଚହଳ । ।
କୃପାସିନ୍ଧୁକୁ କୋଳେ ଧରି । କରିବି ଖେଳ ମୁଁ ନୁୟାରୀ । ।
କଦମ୍ୱ ମୂଳେ କଳ୍ପ ବଟ । କରିବି କଳଙ୍କି ପ୍ରକଟ । ।
କପଟ ବେଳକୁ ମୁଁ ଚାହିଁ । କୃପାକୁ ଉପଦେଶ ଦେଇ । ।
କରିବି ଭକ୍ତ ସଙ୍ଗେ କେଳି । କଦର୍ଯ୍ୟେ ଛାଡ଼ିବେ ବୋବାଳି । ।
କାହାରି ନ ରହିବ ଚେତା । କଳଙ୍କି ଖେଳର ବ୍ୟବସ୍ଥା । ।
କୃପା ମୂଳରେ ସର୍ବେ ଯାଇ । କାରଣ କରନ୍ତେ ଗୋସାଇଁ । ।
କରିବେ ଦଇନି ଅପାର । କର ପ୍ରସାରି ନିରନ୍ତର । ।
କାନ୍ଦି କାକୁସ୍ତେ କୃପା ଆଗେ । କହିବେ ଶୁଣିଥାଅ ଏବେ । ।
କଷଣ ବିପତ୍ତିରୁ ତାଙ୍କୁ । କୃପା ସେ କରିବେ ଭକ୍ତଙ୍କୁ । ।
କହଇ ଭୀମସେନ କନ୍ଧ । କରତା କଳଙ୍କି ସମ୍ବନ୍ଧ । ।

ପଞ୍ଚଦଶ ଅଧ୍ୟାୟ


ଆଦି ଉବାଚ

କଳଙ୍କି କେଉଁଠାରେ ଠିକ । କିରୂପେ କରତା ଅଲେଖ । ।
କେତେ ଦିନରେ ସଭା ଅଙ୍କ । କହ ହେ ପ୍ରାଣର ନାୟକ । ।
କର କାରଣ ନାଥ ମୋତେ । କରୁଣାକର ହୃଦଗତେ । ।

ଅନାଦିବ୍ରହ୍ମ ଉବାଚ

କହନ୍ତି ପ୍ରଭୁ ଦୀନବନ୍ଧୁ । କୃପା ସାଗର ଭକ୍ତ ଇନ୍ଦୁ । ।
କଲୁ ଯେ ପୁଚ୍ଛା ମୋର ପାଏ । କହିବି କଳଙ୍କିର ଗାଏ । ।
କରିବି ସମାଧି ଆସନ । କପଟେ ଭକ୍ତ ମେଳା ଜାଣ । ।
କରିବି ସିଦ୍ଧ ସଙ୍ଗେ ଖେଳ । କୃପା ସଙ୍ଗତେ ହେବି ମେଳ । ।
କରିବି ସଭା ଭକ୍ତ ଘେନି । କମ୍ପିବ ଏ ନବ ମେଦିନୀ । ।
କରିବି ତିନିଦିନ ପରେ । କହିଲୁଁ ତୋହର ଆଗରେ । ।
କାଶୀ ଯେ କୁରୁକ୍ଷେତ୍ର ପୁର । ଆବର ବ୍ୟାସ ସରୋବର । ।
କଇଳାସ ଯେ ଖଣ୍ଡଗିରି । ନିକଟ ନଗ୍ର ଆଦି କରି । ।
କୌସରା ରାଜ୍ୟପୁର ଯାଏ । କହିଲି ତୋର ଆଗେ ଗାଏ । ।
କରିବି ଏଥିରେ ଭ୍ରମଣ । କୃପାଳୁ ସଙ୍ଗତେ ଧରିଣ । ।
କରିବି ଖେଳ ଯେତେବେଳେ । କେ ଅନ୍ତ କରିବ ମଣ୍ଡଳେ । ।
କାନ୍ଦିବ ବସୁମତୀ ଉଚ୍ଚେ । କମ୍ପିବ ଧରିତ୍ରୀ ପ୍ରତ୍ୟେକ୍ଷେ । ।
କମ୍ପିବ ସ୍ୱର୍ଗେ ସୁନାସୀର । କଦର୍ଯ୍ୟ ବାସୁକୀ ଆବର । ।
କେ ଅନ୍ତ କରିବ ଗୋ ସତୀ । କଳଙ୍କି ପ୍ରଭାର ବିଭୂତି । ।
କରିବେ ରାଜା ଅତ୍ୟାଚାର । କର ବସାଣ ଛତିଶର । ।
କରି କର୍ପୃଣ୍ୟ ଭକ୍ତ ମୋର ।କରୁ ଯେ ଥିବେ ନିରନ୍ତର । ।
କହେ ପାମର ଭୀମ ଭୋଇ । କରତା ମୋତେ କର ତ୍ରାହି । ।

ଷୋଡ଼ଶ ଅଧ୍ୟାୟ


ଆଦି ଉବାଚ

କାନ୍ଦି ବିକଳେ ବସୁମତୀ । କରତା ପାଦେ କରି ସ୍ତୁତି । ।
କହ କେବଳ ଭକ୍ତ ସଙ୍ଗେ । କଳଙ୍କି ଖେଳ ମୋହ ଆଗେ । ।
କେତେ ଦିବସ କହି ଦିଅ । କରିଣ ଥିବି ଅବଲୟ । ।

ଶ୍ରୀ ଅନାଦିବ୍ରହ୍ମ ଉବାଚ

କଳଙ୍କି ବେଳର କାହାଣୀ । କହିବି ତୋର ଆଗେ ପୁଣି । ।
କା ଆଗେ ନ କହିବୁ ସତୀ । କଳଙ୍କି ଖେଳର ଭାରତୀ । ।
କହିଲେ ଦ୍ରୋହ ଅରଜିବୁ । କାମାକ୍ଷୀ କୁଳେ ଜନ୍ମ ହେବୁ । ।
କରିବୁ ବହୁ ସପତଣୀ । ବହୁତ କୁଟୁମ୍ବରେ ପୁଣି । ।
କହିଲେ ଆଦି ଆଗେ ପ୍ରଭୁ । କହିଲେ ଅପ୍ରାଧ ଅର୍ଜିବୁ । ।
କହିଲେ ଭକ୍ତଙ୍କର ନାମ । କମ୍ୱୁ କପିଳ ପୁରସ୍ତମ । ।
କରୁଣାକର କାଶୀନାଥ । କାନ୍ଦୁଚୁ କୁଳଧର ଏତ । ।
କାହ୍ନୁ ଯେ କଇଲାଣଆଦି । କୃପାସିନ୍ଧୁ ଯେ କାଳିରୁଧି । ।
କହିଲି ଭକ୍ତଙ୍କ ସନ୍ଦେଶ । ସ୍ୱର୍ଗପୁର ଯେ କଇଳାସ । ।
କାହାମା ସେନାପତି ମୂଳେ । କଦମ୍ୱ ବୃକ୍ଷ ଓଳିତଳେ । ।
କରୁଣାକର ନାମ ତୋର । ତା ମୂଳେ କହିଲି ଏଗାର । ।
କଟକ ଚଉଦ୍ୱାର ଜାଣ । କହିବି ଭକ୍ତଙ୍କ ନାମ । ।
ଶିବ ଶଙ୍କର ଶଶୀଧର । ଶରଧା ମନୁ ସାରଙ୍ଗର । ।
ଶରଣ ସନାତନ ଶ୍ୟାମ । ସେଠାରେ ଏତେ ଭକ୍ତ ଜାଣ । ।
ସେନାପତି ଯେ ନିତ୍ୟାନନ୍ଦ । ଶୁଣିଥା ସତୀ ଭକ୍ତବୃନ୍ଦ । ।
ସମ୍ୱଲପୁର ସହରରେ । ଷାଠିଏ ଭକ୍ତ ଯେ ସେଠାରେ       । ।
ସେନାପତି ଯେ ରଘୁନାଥ । ସମର୍ପି ଦେବୀ ପାତ୍ରଛତ୍ର । ।
ସାକ୍ଷୀ ଯେ ଥାନ୍ତୁ ଶୂନ୍ୟବାସୀ । ଶରଣ ନିତ୍ୟେ ଭୀମ ପଶି । ।

ସପ୍ତଦଶ ଅଧ୍ୟାୟ


ଅନାଦି ଉବାଚ

ସତୀ ପୁଚ୍ଛିଲେ ଗୁରୁପାଏ । ଶୁଣ ହେ ପ୍ରଭୁ ଦେବରାଏ । ।
ଶରଧା କରିଣ ମନରେ । ଶୁଣିବ ସକ୍ଷ ଅନୁସାରେ । ।
ସମ୍ୱଲପୁରର ଭକତ । ଶୁଣି ମୁଁ ହୋଇଲି କୃତାର୍ଥ । ।
ସମସ୍ତ ଭକତ ବାରତା । କହି ତୁଟାଅ ମନ ବ୍ୟଥା । ।

ଅନାଦିବ୍ରହ୍ମ ଉବାଚ

ସତ୍ୟରେ ସମସ୍ତ ବିଚାରି । କହନ୍ତି ପ୍ରଭୁ ଦଇତାରୀ । ।
ସୁନୁପୁରର ଭକ୍ତ କଥା । ସଧୀରେ ସମସ୍ତ ବାରତା । ।
ସନାତନ ଯେ ସତ୍ୟାନନ୍ଦ । ଶଶୀଭୁଷଣ ସେ ସାନନ୍ଦ । ।
ଶତ୍ରୁଘନ ଯେ ସାର୍ବସାର । ଏମନ୍ତେ ଷଡ଼ଭକ୍ତ ମୋର । ।
ଶିଶୁପାଳର ମୂଳେ ଏତେ । ଶୁଣିଥା ଦେବୀ ଶୁଦ୍ଧ ଚିତ୍ତେ । ।
ବଲାସିଂହାରେ ବାରଜଣ । ବାବାଜୀ ମଠର ମଧ୍ୟଣ । ।
ବିଶ୍ୱନାଥର ମୂଳେ ଏତେ । ବିଶ୍ୱାସେ କହିଲାଇଁ ତୋତେ । ।
ବଲାଙ୍ଗି ପାଟଣାରେ ଭକ୍ତ । ବିଶ୍ୱନାଥ ଯେ ରଘୁନାଥ । ।
ବିମ୍ୱାଧର ଯେ ବଳରାମ । ବାମନ ବୈଦ୍ୟନାଥ ଜାଣ । ।
ବାଜିଆ ବାଲୁଙ୍କି ଖଦାଳ । ବନମାଳୀର ସଙ୍ଗେ ଖେଳ । ।
ଲଇ ଲହଙ୍ଗା ପାଟଣାରେ । ଲକ୍ଷେ ଯେ ଭକତ ସେଠାରେ       । ।
ଲୀଳା ବିନୋଦ ମେଳେ ଏତେ       । ଲକ୍ଷ ସେ କହିଲଇଁ ତୋତେ । ।
ନିମ୍ୱବୃକ୍ଷ ଯେ ତା ଖୋଳିଲେ । ଲମ୍ୱ ଯେ ଥିବ ଗୁଳୁଚିରେ । ।
ଲୟ ଲଗାଇ ଗୁରୁ ପାଦେ । ଲମ୍ୱେ ମଉଳି ଅନୁବାଦେ । ।
ଲକ୍ଷଣବନ୍ତ ସେ ପୁରୁଷ । ଲକ୍ଷେ ଭକତରେ ସେ ଦାସ । ।
ଲୟ ଲଗାଇ ଭୀମ ଭୋଇ । ନମୁଛି ଗୁରୁପାଦେ ରହି । ।

ଅଷ୍ଟଦଶ ଅଧ୍ୟାୟ


ଆଦି ଉବାଚ

ଆଦି ଯେ ଆନନ୍ଦ ମନରେ । ଆସି କରିଣ ନିରନ୍ତରେ । ।
ଆପଣ ଅନ୍ତର୍ଯ୍ୟାମୀ ନାଥ । ଆଗେ କହିଲେ ସାରସ୍ୱତ । ।
ଆଶା ଯେ କରିଛି ଅପାର । ଅନନ୍ତ ମହିଁମା ଯାହାର । ।
ଆଉ ଯେ କେଉଁଠାରେ ଭକ୍ତ । ଆପେ କହନ୍ତୁ ବିଶ୍ୱନାଥ । ।

ଶ୍ରୀ ଅନାଦିବ୍ରହ୍ମ ଉବାଚ

ଆଦ୍ୟ ଯେ ମାଳ ବେହାରରେ । ଆଠଶ ପଞ୍ଚାଶ ସେଠାରେ । ।
ଆଗେ ଅନାଦି ଭକ୍ତ ମୋର । ଅନନ୍ତ ଅଚ୍ୟୁତ ଆବର । ।
ଆଦିକନ୍ଦ ଯେ ଅନ୍ତର୍ଯ୍ୟାମୀ । ଆବୁଆ ଆସାତ ଅନାଇଁ । ।
ଅନାମ ଆନନ୍ଦ ଆବର । ଏରୂପେ ଯେତେ ଭକ୍ତ ମୋର       । ।
ଅଭିନ ମୂଳେ ଯେତେ ଭକ୍ତ । ଅତି ଆନନ୍ଦ ଦୃଢ ବ୍ରତ । ।
ଅରୂପ ବ୍ରହ୍ମଙ୍କ ପୟରେ । ଆନନ୍ଦେ ଭଜେ ନିରନ୍ତରେ । ।
ଆବର ଭକ୍ତଙ୍କ କାହାଣୀ । ଆଦି କହିବି ତୋତେ ପୁଣି । ।
ଆବର ଢେଙ୍କାନାଳ ପୁର । ଅସଂଖ୍ୟ ଭକତ ମୋହର । ।
ଅନ୍ତ ଯେ କରି କହି ନୁହେ । ଆଦ୍ୟରେ ଏକାକ୍ଷର ଲଏ । ।
ଅଛନ୍ତି ଭକତ ମୋହର । ଆଦ୍ୟରେ ଯୋରନ୍ଦା ଗ୍ରାମର । ।
ଅନନ୍ତ ସାହୁ ଭଗବାନ । ଆବର ଆନନ୍ଦଟି ଜାଣ । ।
ଅଛନ୍ତି ଭକତ ଅଶୀଏ । ଅନ୍ତ କରିଣ କହି ନୁହେ । ।
ଶିବ ମୂଳରେ ଏତେ ଭକ୍ତ । ଶୁଣ ଗୋ ଦେବୀ ବାକ୍ୟ ନିତ୍ୟ       । ।
ଆହୁରି ପ୍ରକାର ଗ୍ରାମର । ଆଣ୍ଟୁଆ ଭକ୍ତ ଅଛି ମୋର । ।
ଆଦ୍ୟରେ ଚନ୍ଦ୍ରମଣି ନାମ । ଦ୍ୱିତୀୟେ ଭକ୍ତ ବଳରାମ । ।
ଅଚ୍ୟୁତାନନ୍ଦ ଯେ ଆକୁଳ । ଆମ୍ଭ ସଙ୍ଗତେ କରି ଖେଳ । ।
ଆପେ ଅନାଦି ଦେଲେ କହି । ଆଶା କରିଛି ଭୀମଭୋଇ । ।

ଊନବିଂଶ ଅଧ୍ୟାୟ


ଆଦି ଉବାଚ

ଆବର ଭକ୍ତଙ୍କର ନାମ । କହନ୍ତୁ ପ୍ରଭୁ ଭଗବାନ । ।
ଆଶା କରିଛି ମୁଁ ଅଭାଗୀ । ଅନାଦି ପ୍ରଭୁଙ୍କର ଲାଗି । ।
ଅଛନ୍ତି ଭକ୍ତ କେଉଁଠାରେ । ଆଜ୍ଞା ଯେ ହେଉ ଶ୍ରୀମୁଖରେ       । ।
ଅଭୟ ଚରଣରେ ଆସି । ଆଶା କରିଛି ତୁମ୍ଭ ଦାସୀ । ।

ଅନାଦି ବ୍ରହ୍ମ ଉବାଚ

ଅନାଦି ଅବ୍ୟକ୍ତ ଈଶ୍ୱର । ଆଜ୍ଞା ଯେ କଲେ ଆଦିଠାର       । ।
ଅନୁଗୁଳର ଭକ୍ତ କଥା । ଆଦି ଗୋ ଶ୍ରବଣ କରୁଥା । ।
ଅଙ୍ଗାର ବନ୍ଧ ହେ ଗ୍ରାମର । ଅଛନ୍ତି ଆଠଭକ୍ତ ମୋର । ।
ଗଉରାଙ୍ଗ ଯେ ଗଣେଶ୍ୱର । ଗତିଆ ଗୋବର୍ଦ୍ଧନ ଶିର । ।
ସାଧୁସୁନ୍ଦର ଭକ୍ତ ତୁଲେ । ସୁଷୁପ୍ତି ମାର୍ଗରେ ବୁଝିଲେ । ।
ବିଶ୍ୱନାଥର ସଙ୍ଗେ ମେଳ । ବୁଝୁଥା ତହିଁ ଶୂନ୍ୟ ଖେଳ । ।
ଅନନ୍ତ ପଶ୍ଚିମ ଦିଗରେ । ଅଛନ୍ତି ଏତେ ଭକ୍ତ ମୋର । ।
ଆହୁରି କହୁଅଛି ସତୀ । ଆମ୍ଭଙ୍କୁ ଯେଣୁ କରୁ ଭକ୍ତି । ।
ଆମ୍ୱପାଳର ଭକ୍ତ କଥା । ଆଦି ଗୋ ଶ୍ରବଣ କରୁଥା । ।
ଅଛନ୍ତି ତହିଁ ବେନି ଶିଷ୍ୟ । ଗୋବିନ୍ଦ ମହାରଣା ଦାସ । ।
ଗୋବର୍ଦ୍ଧନ ଯେ ମଲ ଭୋଇ । ଗାଢ ଭକତ ଯେ ଅଟଇ । ।
ଆବର ଭକ୍ତଙ୍କ ବୃତ୍ତାନ୍ତ । ଆଦି ଗୋ କର ତୁ ନିୟତ । ।
ଏ କଥା ନ କହିବୁ କାହିଁ । ମୋ ପାଦ ପଦ୍ମ ଥାଅ ଛୁଇଁ । ।
ଅନନ୍ତ ପୁରେ ଭକ୍ତ ମୋର । ଚାରି ଭକତ ଗଣନାର । ।
କୁରୁତି କୃପାନିଧି ତୁଲେ । କରୁଣା କର ସାଧୁମେଳେ । ।
ଅତି ଆନନ୍ଦେ ଜୀବେ ଧ୍ୟାୟି । ଅଧିକେ କି କହିବି ସହି । ।
ଆନନ୍ଦେ ଅଭୟ ଚରଣେ । ଅନୁସରି ଯେ ଭୀମ ଭଣେ । ।

ବିଂଶ ଅଧ୍ୟାୟ


ଆଦି ଉବାଚ

କହଇ ଆଦି ପାଦେ ପଡ଼ି । କହନ୍ତୁ ଭକ୍ତ ନାମ ଫେଡ଼ି । ।
କହନ୍ତି ପ୍ରଭୁଙ୍କ ଛାମୁରେ । କୃତାର୍ଥ ହେବି ଶୁଣିବାରେ । ।
କହି ତୁଟାଅ ମନଭ୍ରମ । କରୁଣା ନିଧି ତୁ ଉତ୍ତମ । ।
କହିଣ ଲୋଟି ଶ୍ରୀପୟରେ । କରନ୍ତୁ ପ୍ରଭୁ କୃପା ମୋରେ । ।

ଅନାଦି ଉବାଚ

କରୁଣା ସାଗର ଈଶ୍ୱର । କହିଲେ ଆଦିଙ୍କ ଛାମୁର । ।
କୁସନିକା ଯେ ତୀର୍ଥେ ମୋର । ସନାତନ ଯେ ଭକ୍ତ ମୋର । ।
ତା ମୂଳେ ଏଗାର ଭକତ । ଦ୍ୱାଦଶ ବନ୍ଧ ସାରସ୍ୱତ । ।
କୁବେର କହ୍ନାଇ ଉଗଆ । ସୁଦରଶନ ଯେ ପାଣୁଆ । ।
ପରମାନନ୍ଦ ବିଶ୍ୱନାଥ । ମୋ ନାମ ଶୁଦ୍ଧ ଅବିରତ । ।
ଅଛନ୍ତି ଭକ୍ତ ଯେ ତହିଁରେ । ଶୁଣ ଗୋ ସତୀ ଏହି ବାରେ । ।
କହିବା ଆବର ଭକତ । କୁମୁଣ୍ଡ କଳିଙ୍ଗାର ନିତ୍ୟ । ।
କହିଲି ସାରସ୍ୱତ ଫେଇ । କା ଆଗେ ନ କହିବୁ ତୁହି । ।
ସାତ ଭଗତ ତହିଁଛନ୍ତି । କିଶୋର ମୂଳେ ଗୋ ଭାରତୀ       । ।
ଦୀନବନ୍ଧୁ ଯେ ଦଇତାରୀ । କାହ୍ନୁ ଚରଣ ଆଦିକରି । ।
ମହାନିତ୍ୟର ଭକ୍ତ ମୋର । ମନ ଉନ୍ନତ ଗଙ୍ଗାଧର । ।
କୁଶା ସିଂହର ଭକ୍ତନାମ । ଆଦି ତୁ କର ଗୋ ଶ୍ରବଣ । ।
ଚକ୍ରଧରର ମୂଳେ ଭକ୍ତ । ଚୌବନ ବନ୍ଧରେ ବିଦିତ । ।
ଚିନ୍ତାମଣି ଯେ ବାମଦେବ । ଚାଇନ ଭୂତିଆ ମାଧବ । ।
ଏରୂପେ ଭକ୍ତ ଯେ ମୋହର । କହିଲି ତୋହର ଆଗର । ।
ଅର୍ଜୁନ ପୁତ୍ର ମୂଳେ ଦେଇ । ସିନ୍ଧୁକୁ ସମର୍ପିବି ମୁହିଁ । ।
ସାଧିବି କଳିଙ୍କି ରାହାସ । ସାଜି ହୋଇଣ ଦଶଦିଶ । ।
ସତର ଅଙ୍କକୁ ଚାହିଁଣ । ସଜ ହୋଇ ଯେ ଥିବୁ ଜାଣ । ।
ଶରଣ ଅଭୟ ପୟରେ । ଶିର ମୋ ଲୋଟୁ ତା ପୟରେ       । ।

ଆଦି ଉବାଚ

ପୁଚ୍ଛିଲେ ଜଗତ ଜନନୀ । ପ୍ରଭୁଙ୍କ ପାରୁଶରେ ପୁଣି । ।
ପୁଚ୍ଛିଲେ ଭଗତ ସନ୍ଦେଶ । ପଚାରି ଜ୍ଞାନ ଉପଦେଶ । ।
ପ୍ରଭୁ ମୋ ପ୍ରାଣର ଈଶ୍ୱର । ପରମ ପୁରୁଷ ମୋହର । ।
ପ୍ରାଣକୁ ମୋର ଭୟ କରି । ପଚାରେ ଶ୍ରୀ ପୟର ଧରି । ।
ପ୍ରାଣ ଈଶ୍ୱର ଭଗବାନ । ସିନ୍ଧୁ କୋଳରେ ସମର୍ପିଣ । ।
ପ୍ରଭୁ ମୋ ପ୍ରାଣର କରତା । ପଚାରେ ବ୍ରହ୍ମଜ୍ଞାନ ଚେତା । ।
ସିନ୍ଧୁ ଯେ କି କରିବ ତହିଁ । ସମସ୍ତ ଭଗତଙ୍କୁ ନେଇ । ।
ସଂକ୍ଷେପ କରି ମୋତେ କହ । ଶୁଣିଲେ ତୁଟିବ ସନ୍ଦେହ । ।

ଶ୍ରୀ ଅନାଦିବ୍ରହ୍ମ ଉବାଚ

ଶ୍ରୀ ଛାମୁ ଆଜ୍ଞା ଯେ କରିଲେ । ଶୁଣ ଗୋ ଆଦି ନାରୀ ଭଲେ       । ।
ସୁନ କାଟରେ ମୁଣ୍ଡମାଳ । ଶୂନ୍ୟରୁ ଉଛୁଳିବ ଜଳ । ।
ମତୁରୀ କୋଶ ପରିଯନ୍ତେ । ସୋହିଡ଼ ସାଜିବ ଜଗତେ । ।
ଶୂନ୍ୟ ଘଡ଼ଘଡ଼ି କରି ଜାତ । ସହିବ ମୁକୁନ୍ଦର ସୁତ । ।
ସଜୀବ ଦେହେ ଭକ୍ତ ମୋର । ସୋହତି ସାରିବ ସଂସାର । ।
ଚୌବନ ପ୍ରସ୍ଥ ଯେ ଭଗତେ । ଚେତାଇ ଉଠିବେ ତୁରିତେ । ।
ଚାରିଦିଗରେ ଭକ୍ତ ଏବେ । ଚମକି ପଡୁଥିବେ ଭାବେ । ।
ଚଣ୍ଡୀ ନଗର ଭକ୍ତ ମୋର । ଚେତନା କରାଇ ଆବର । ।
ଚାରିଦିଗର ନାମ ଧ୍ୱନୀ । ଚମକି ପଡ଼ିବଟି ଗୁଣି । ।
ଚେତି ଯେ ଥିବୁ ମହାମାୟୀ । ଚହଳ ନ କରିବୁ କାହିଁ । ।
ଚନ୍ଦନ ଅର୍ଗଳୀ କବାଟ । ଚାରିଦିଗରେ ଯେତେ ମଠ । ।
ଚରଚା ବୁଝିବେ ସମସ୍ତେ । ଗୁରୁଯେ ମୁଖ ସିନ୍ଧୁ ଭୃତ୍ୟେ । ।
ଚେତନା ଦେଇ ସମସ୍ତଙ୍କୁ ।ସିଦ୍ଧ ମଧ୍ୟରୁ ସିନ୍ଧୁ ରଖୁ । ।
ଶରଣ ଅଭୟ ଚରଣେ । ଶ୍ରୀଗୁରୁ ପାଦେ ଭୀମ ଭଣେ । ।

ଏକବିଂଶ ଅଧ୍ୟାୟ


ଆଦି ଉବାଚ

ପ୍ରମାଣକରି ସସ୍ରେବାର । ଜଣାଏଁ ଶ୍ରୀଗୁରୁ ପୟର । ।
ଚୌବନ ପ୍ରସ୍ଥ ଭକ୍ତ ନାମ । ଶୁଣିଲି ଶ୍ରୀମୁଖରୁ ପୁଣ । ।
ଆବର ଉକ୍ତଙ୍କର ନାମ । ମୋତେ ବୁଝାଅ ପରଂବ୍ରହ୍ମ । ।
କହି କାର୍ପୁଣ୍ୟେ କରଯୋଡ଼ି । ଶ୍ରୀଗୁରୁ ପାଦତଳେ ପଡ଼ି । ।
କମଳ ଚରଣେ ଲୋଟିଲା । କାର୍ପୁଣ୍ୟ ଭାବେ ପୁଚ୍ଛା କଲା । ।

ଅନାଦିବ୍ରହ୍ମ ଉବାଚ

ସତୀ ଶରଧା ଭକ୍ତ ଜାଣି । କହିଲେ ପ୍ରଭୁ ଚକ୍ରପାଣି । ।
ନୀଳ ଧବଳ ବେନି ମୋର । ଅଛନ୍ତି ଲୁହା ସିଂଘା ଠାର । ।
ଲକ୍ଷେ ଭକ୍ତରେ ସେନାପତି । ଗୋସିଂହ ରାଜ୍ୟେ ବୁଝ ସତୀ       । ।
କେଶବ ନିତ୍ୟାନନ୍ଦ ନାମ । ନବୀନ ରୂପଟି ଉତ୍ତମ । ।
ସେ ଭକ୍ତ ଶିରେ ଶାଢୀ ଦେବୀ       । ପଶ୍ଚିମ ଦ୍ୱାର ଜଗାଇବି । ।
ତଦନ୍ତେ ଶୁଣ ମୋର ବାଣୀ । ଶାରଦା କୁଳର କାହାଣୀ । ।
ସସମଲ ଯେ ଭକ୍ତ ମୋର । ସତୀ ଗର୍ଭରେ ଅବତାର । ।
ନାରାୟଣ ଯେ ପିତା ନାମ । ନିତ୍ୟେ ସେ କରେ ଧର୍ମାଧର୍ମ       । ।
ତା ମୂଳେ ପନ୍ଦର ହଜାର । ନାଗାନ୍ତି ଅଛନ୍ତି ମୋହର । ।
କଳାହାଣ୍ଡି ଯେ ପାଟଣାରେ । କହିଲି ସତୀ ତୋ ଆଗରେ । ।
ବ୍ରହ୍ମ ଦେଶର ଭକ୍ତ ଯେତେ । କହୁଛି ତୋହର ଅଗ୍ରତେ । ।
ବିରଜା କୁଳରେ ଉତ୍ପତ୍ତି । ନାମ ତାହାର ଭାଗୀରଥି । ।
ତା ମୂଳେ ବାସ୍ତରି ଭଗତ । ବିଦୁର ବିମ୍ୱାଧର ଦତ୍ତ । ।
ଗିରିଜାପତି ଗୋବର୍ଦ୍ଧନ । ଗାଢ ଭକତ ମୋର ଜାଣ । ।
ମଧୁ ଯେ ସୁଦର୍ଶନ ତୁଲେ । ମାଳତୀ ମୁଷୁମାତ ମେଳେ । ।
ମଲ୍ଲୀ ଯେ କୁନ୍ଦଳତୀ ସାରୀ । ଯୁବକ ରୂପେ ଅବତରି । ।
ଏରୂପେ ଭଗତ ଅଛନ୍ତି । ସୁଚିତ୍ତେ ଶୁଣିଥାଅ ସତୀ । ।
ଶରଣ ପଞ୍ଜର ପୟରେ । ଭୀମ ମାଗଇ ନିରନ୍ତରେ । ।

ଦ୍ୱାବିଂଶ ଅଧ୍ୟାୟ


ଆଦି ଉବାଚ

ଶୂନ୍ୟବାସୀଙ୍କ ପାଦତଳେ । ଶରଣ ଗଲା ଆଦି ବାରେ । ।
ଶରଣ ପଞ୍ଜର ତୋ ବାନା । ଶରଣ ମାଗୁଅଛି ସିନା । ।
ଭୋସ୍ୱାମୀ ବ୍ରହ୍ମାଣ୍ଡ ଠାକୁର । ଜଣାଏଁ ତୋହର ପୟର । ।
କଳି ଯୁଗର ଶେଷ କଥା । କହି ତୁଟାଅ ମନ ବ୍ୟଥା । ।

ଅନାଦି ଉବାଚ

ଆଦି ଦେବୀର ଭକ୍ତି କଥା । ଜାଣିଲେ ବ୍ରହ୍ମାଣ୍ଡ କରତା । ।
ଅନେକ ଶପଥ କରାଇ । କହିଲେ ବ୍ରହ୍ମାଣ୍ଡ ଗୋସାଇଁ । ।
କରିବେ ଭକ୍ତେ ଅନ୍ୟାଚାର । କଷଣ ପଡ଼ିବ ଅପାର । ।
କେହି କାହାକୁ ନ ମାନିବେ । କପଟ ବୁଦ୍ଧି ଆଚରିବେ । ।
କଷା ବସନ ଆପେ ଦେଇ । କରତା ପଣ ଥିବେ ବହି । ।
କାହାରି ନ ରହିବ ଚେତା । କରିବେ ନାନା ଧର୍ମ ପନ୍ଥା । ।
କପି କେତନ ବାନା ବହି । ପର ଦାରାରେ ମନଦେଇ । ।
ପରମ ବଇଷ୍ଣବ ଧର୍ମ । ପ୍ରକାଶ କରୁଥିବ ନାମ । ।
ପାପେ ସକଳ ନାଶ ଯିବେ । କାହାକୁ ଦୋଷ ସେହି ଦେବେ       । ।
ନିଜ ଇଚ୍ଛାରେ ଯିବେ ନାଶ । ନ ଲାଗେ ଆମ୍ଭ ଅଙ୍ଗେ ଦୋଷ       । ।
ନୂୟରୀ କରିବି ମୁଁ ଧର୍ମ । ନବୀନ ରୂପ ମୋର ଜାଣ । ।
ନିତ୍ୟ ରାହାସ କରାଇବି । ସତ୍ୟେ ମୁଁ ସିନ୍ଧୁ ସଙ୍ଗେ ଥିବି । ।
ସିନ୍ଧୁ ଯେ ସେନାପତି ମୋର । ସେ ଅବା ଥିବ ସଙ୍ଗତର । ।
ସମସ୍ତ ଭକ୍ତଙ୍କ ବାରତା । ସିନ୍ଧୁକୁ ଦେବି ସର୍ବ ଚିନ୍ତା । ।
ଥିବି ମୁଁ ବ୍ୟାସ ସରୋବରେ । ଖଣ୍ଡଗିରି ଯେ ଯାଜପୁରେ । ।
କପିଳାସର କନ୍ଦରରେ । ଥିବି ମୁଁ ଏକାମ୍ୱରଠାରେ । ।
କୌସର ରାଜ୍ୟେ ଭକ୍ତ ମୋର । ଅଛି ଅର୍ଜୁନ ମହାବୀର । ।
ତାହା ସଙ୍ଗରେ ଖେଳକରି । ସୈନ୍ୟକୁ ସାଜିବି ନୁୟାରୀ । ।
ସମ୍ୱଲପୁର ଠାରୁ ଜାଣ । ନବ ପ୍ରସ୍ତରେ ମୋର ସୈନ୍ୟ       । ।
ନବୀନ ରୂପଟି ମୋହର । କଳଙ୍କି ଲୀଳା ଅବତାର । ।
ଶୂନ୍ୟ ସମାଧି ବିନୁ ମୁହିଁ । ଷାଠିଏ ବରଷରେ ଯାଇ । ।
ସାଜିବି ମୋର ଭକ୍ତ କୁଳ । ସିଦ୍ଧ ସଙ୍ଗତେ କରି ମେଳ । ।
ସଭା ମଣ୍ଡପ ପରେ ବିଜେ । ସୁନ୍ଦର ଶ୍ରୀମୁଖ ବିରାଜେ । ।
ଶୁଣ ଗୋ ଦେବୀ ସ୍ୱାରସ୍ୱତ । ଶ୍ରୀମୁଖ ବଚନ ନିୟତ । ।
ହେବି କଳଙ୍କି ଅବତାର । ଶ୍ରୀରାମଚନ୍ଦ୍ର ରାଜୁତିର । ।
ସନ ଊଣିଶ ଏକଚାଳିଶ । ଦେଖିବ କଳଙ୍କିର ବେଶ । ।
ଅନ୍ୟ ମାର୍ଗରେ ନାହିଁ ଳୀଳା । ନିୟତ ବଚନଟି ଭଲା । ।
ଦିଲ୍ଲୀ ଶକାବ୍ଦ ବୟାଳିଶ । ଆମ୍ଭର କଳଙ୍କି ରାହାସ । ।
କଳଙ୍କି ଖେଳର କାହାଣୀ । ଅର୍କ୍ଷିତ ଭୀମଭୋଇ ଭଣି । ।

ତ୍ରୟବିଂଶ ଅଧ୍ୟାୟ


ଆଦି ଉବାଚ

ପୟରେ ପୂଚ୍ଛା କଲା ସତୀ । ଅନେକ ବାର କଲା ସ୍ତୁତି । ।
ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ଫେଡ଼ିବା ଅପରାଧ ମୋର । ।
ଆଶା କରିଛି ଅନମିତ୍ତେ । ଭୋ ପ୍ରଭୁ ଆଜ୍ଞା ହେଉ ମୋତେ       । ।
ପ୍ରଣାମ କରିବ ଅପାର । ପୁଚ୍ଛଇ ଶ୍ରୀଗୁରୁ ପୟର । ।
ପରମ ବ୍ରହ୍ମ ନାମ ତୋର । କହ କିପାଇଁ ଅବତାର । ।
କହି କାକୁସ୍ତେ କରଯୋଡ଼ି । ଶ୍ରୀଗୁରୁ ପାଦତଳେ ପଡ଼ି । ।

ଅନାଦି ଉବାଚ

ଶୁଣ ଲୋ ଯୋଗମାୟା ତୁହି । ସୁଷୁପ୍ତି ମାର୍ଗେ ଚିତ୍ତ ଦେଇ । ।
ସତ ରଜ ଯେ ତମ ଗୁଣ । ତମକୁ କରି ନିବାରଣ । ।
ରଜକୁ ଅତି ଶୀଘ୍ରେ ଧରି । ସତ୍ୟକୁ ଉଦୟ ମୁଁ କରି । ।
ହରିବି ପୃଥିବୀର ଭାର । ସାକ୍ଷୀ ଯେ ଚନ୍ଦ୍ର ଦିବାକର । ।
ସନ୍ଥକୁ କରିବି ପାଳନ । ଦୃଷ୍ଟଙ୍କୁ କରି ସଂହାରଣ । ।
ଦନୁଜ କୁଳକୁ ନିବାରି । ଭକ୍ତଙ୍କୁ ପାଳନ ମୁଁ କରି । ।
କରିବି ଖେଳ ଭକ୍ତ ସଙ୍ଗେ । ରାସ ଉତ୍ସବ ଭୂମି ଭାଗେ । ।
ସ୍ୱର୍ଗ ଯେ ମର୍ତ୍ତ୍ୟ ପାତାଳର । କରିବି ଖେଳ ମୁଁ ଆବର । ।
ସାକ୍ଷୀ ଯେ ଦଶଦିଗ ପାଳ । ନିଶ୍ଚୟେ କରିବି ମୁଁ ଖେଳ । ।
କେ ଅନ୍ତ କରିବ ମୋ ଭକ୍ତ । ପୃଥିବୀରେ କରିବି ଉଦିତ । ।
ପ୍ରଳୟ ଜଳର ସୋହତି । ଯେପରି କରି ନୁହେ ସ୍ଥିତି । ।
ତେମନ୍ତ ବ୍ରହ୍ମାଣ୍ଡେ ଭ୍ରମଣ । ଆଦି ଗୋ ତୁହି ଏହା ଜାଣ । ।
ଅରୂପ ବ୍ରହ୍ମଙ୍କର ଖେଳ । କଳିରେ କଳଙ୍କ ପ୍ରବଳ । ।
କଟାକ୍ଷ ବଚନଟି ଏହି । କହେ ଅର୍କ୍ଷିତ ଭୀମ ଭୋଇ । ।

ଚର୍ତୁବିଂଶ ଅଧ୍ୟାୟ


ଆଦି ଉବାଚ

ନମସ୍ତେ ଅରୂପ ଗୋସାଇଁ । ନମସ୍ତେ ପ୍ରଭୁ ଭାବଗ୍ରାହୀ । ।
ଅଧୀନ ଦାସୀ ମୁଁ ଛାମୁରେ । ଅପ୍ରାଧ କ୍ଷମାକର ବାରେ । ।
ଦୋଷ ମୋ ନ ଘେନିବ ସ୍ୱାମୀ       । ନିର୍ଗୁଣ ସ୍ୱାମୀ ଅନ୍ତର୍ଯ୍ୟାମୀ । ।
ନିତ୍ୟ ରାହାସ କଳିଯୁଗେ । ଆଜ୍ଞା ଯେ କଲ ଭୂମିଭାଗେ । ।
ଲୀଳା ବିନୋଦେ ଭାବଗ୍ରାହୀ । ନିଅତ ବଚନ କରାଇ । ।
ପୁଛିବି ସନ୍ଦେଶ ମୋହର । ପଚିଶ ପ୍ରକୃତି ଆବର । ।
ପଞ୍ଚ ମନ ଯେ ଛଡ଼ ଐରୀ । ଏକାଦଶ ଯେ ଇନ୍ଦ୍ରି କରି । ।
ଛାୟା ଯେ ଚଞ୍ଚଳ ପବନ । ପାପ ଆତ୍ମା ଯେ ଏଥିଜାଣ । ।
ତ୍ରିଗୁଣ ବେଡ଼ି ନିରନ୍ତର । ଆବର ହିଂସା ଅହଙ୍କାର । ।
ଏମାନେ ବେଷ୍ଟିତ ଅଙ୍ଗରେ । ସଦା ସର୍ବଦା ନିରନ୍ତରେ । ।
ମାନବ ଅଙ୍ଗେ ଅଛି ରହି । ମାରୁଛି ମାୟାରେ ମଜାଇ । ।
ଅରୂପ ବ୍ରହ୍ମ ତୁ ନିକର । ପରମ ବ୍ରହ୍ମ ଅଣାକାର । ।
କରିବ ଭକ୍ତ ସଙ୍ଗେ ଖେଳ । ଆପେ ତ ଆପଣେ ନିର୍ମଳ । ।
ବାଉନ ପାଟକରେ ଜନ୍ମ । ମାନବ କୁଳଟି ପ୍ରମାଣ । ।
ଭକ୍ତ ଯେ ରହିଛନ୍ତି ତହିଁ । କିପରି ବାରି ଆଣିବଇଁ । ।
ସନ୍ଦେହ ହେବାରୁ ମୋହର । ପୁଚ୍ଛଇ ଶ୍ରୀଗୁରୁ ଛାମୁର । ।
ଦୟା କରନ୍ତୁ ଭାବଗ୍ରାହୀ । ଆଶା ମୁଁ କରିଅଛି ରହି । ।
ଆଜ୍ଞା ଯେ କଲେ ଅଣାକାର । ଅଜପା ନାମଟି ମୋହର । ।

ଆଦି ଉବାଚ

ଭକ୍ତ ମୋହର ଅନବ୍ରତେ । ମୋ ନାମ ଜପୁଥିବେ ନିତ୍ୟେ       । ।
ଅର୍ଣ୍ଣବ ଏକାକ୍ଷରୀ ଜଳ । ନିତ୍ୟେ ସେ କରିବେ କବଳ । ।
ତାହାଙ୍କ ଅଙ୍ଗେ ପାପ ନାହିଁ । ଶୁଣ ଗୋ ସତୀ ମନଦେଇ । ।
ଏକଥା ତେବେ ଅଗୋଚର । କାହିଁ ଜାଣିବେ ନରଛାର । ।
ପଢ଼ି ଯେ ଅପଢା ଅକ୍ଷର । ପରମ ବ୍ରହ୍ମ ମୁଁ ଓଁକାର । ।
ମୁଁ ନିତ୍ୟେ ଭକତ ଅଙ୍ଗରେ । ପୂରିଛି ଭିତର ବାହାରେ । ।
ପଚିଶ ପ୍ରକୃତି ନିବାରି । ଇନ୍ଦ୍ରିକି ନିଗ୍ରହଣ କରି । ।
ତ୍ରିଗୁଣ ଆୟତ୍ତ କରାଇ । ତ୍ରିକୂଟେ ଅନାହତ ବାଇ । ।
ଅର୍ଦ୍ଧମାତ୍ରା ଯେ ବିନ୍ଦୁଉଦ । ଯେ ଯୋଗୀ କରିପାରେ ସାଧ୍ୟ       । ।
ହିଂସା ଯେ ଅହଂକାର ମାନ । ଆମ୍ଭର ଆଜ୍ଞାରେଟି ପୁଣ । ।
ତେଜିବେ ଭକତ ଅଙ୍ଗରୁ । ଆବର ପ୍ରେମ ଭକ୍ତିଠାରୁ । ।
ପଞ୍ଚମନକୁ ତିଆରିଣ । ଆମ୍ଭର ଆଜ୍ଞାକୁ ମାନିଣ । ।
ପର ଦ୍ରବ୍ୟକୁ ଲୋଭ ନାହିଁ । ଯେ ଭକ୍ତ ଏମାନ ଜାଣଇଁ । ।
ପର ରମଣୀ ମାତା ପରି । ଅନ୍ତରେ ପାଳନ ଯେ କରି । ।
ପୃଥିବୀ ଆପ ତେଜ ବାଇ । ଆକାଶ ଅମନରେ ଥୋଇ । ।
ଅବନ୍ଧା ବନ୍ଧକୁ ବାନ୍ଧିଣ । ଉଜାଣି ଜଳ ତେଣ୍ଡି ପୁଣ । ।
ମୋର ଚରଣ ପଖାଳିବେ । ଅମୃତ ପାନ କରୁଥିବେ । ।
ଏକ୍ୱୈଶ ହଜାର ଛଅଶ । ଘଟରେ ପରମ ପୁରୁଷ । ।
ବାରି ବାରଣ କରୁଥିବେ । ଜାଗ୍ରତ ଦୁଅରୀ ଜାଣିବେ । ।
ବହୁଛି ରାତ୍ର ଦିବସରେ । ଏହାକୁ ଯେଉଁ ଯୋଗୀ ଧରେ       । ।
ବାର ଆଙ୍ଗୁଳ ବାହାରକୁ । ବହୁଛି ବାର ଭିତରକୁ । ।
ତ୍ରିକୁଟ ଅନାହତ ବାଇ । ତୋଳିବେ ବ୍ରହ୍ମରନ୍ଧ୍ରେ ନେଇ । ।
ଉଜାଣି ବହିବ ମରୁତ । ଅଙ୍ଗ ଯେ ନୋହିବଟି ହତ । ।
ପାଲଟି ବହିବ ପବନ । ଓଁ କାର ବ୍ରହ୍ମରନ୍ଧ୍ରେ ଜାଣ । ।
ଆଦ୍ୟ ଅକ୍ଷର ମଧ୍ୟ କଳା । ଅବନା ଏକାକ୍ଷର ଖେଳା । ।
ଏରୂପେ ଥିବେ ମୋର ଭକ୍ତ । ତୋ ଆଗେ କହିଲି ନିୟତ । ।
ଛାୟାକୁ ସ୍ଥିର କରିଥିବେ । ମୋହର ପାଦରେ ସେବିବେ । ।
ଉଦେ ଅସ୍ତରେ ଦରଶନ । କରୁ ଯେ ଥିବେ ଭକ୍ତଗଣ । ।
ଏକୌଶ ହଜାର ଛଅଶ । ଯେ ଭକ୍ତ ବାରିବ ଅବଶ୍ୟ । ।
ଦଣ୍ଡକୁ ତିନିଶ ଷାଠିଏ । ଶରୀରେ ପରମ ଯେ ବହେ । ।
ତ୍ରିବେଣୀ ତ୍ରିକୁଟ ସନ୍ଧିରେ । ତିନି ତିହୁଡ଼ି ତହିଁ ଭରେ । ।
ଏହାକୁ ବାରି ଭକ୍ତ ମୋର । ଦର୍ଶନ କର ନିରନ୍ତର । ।
କରିବେ ଭକ୍ତ ଦରଶନ । ଚୌଷଠି ବନ୍ଧରେଟି ଜାଣ । ।
ବନ୍ଧକେ ଶଏ ବାରଥର । ପବନ ବହଇ ଶରୀର । ।
ଅରୂପ ବ୍ରହ୍ମଦ୍ୱାର ଏହି । ତୋ ଆଗେ କହିଲୁ ବୁଝାଇ । ।
ଆବର ଅସ୍ତ ଦରଶନ । ଭକ୍ତ ଯେ କରିବେ ନିପୁଣ । ।
ବାସ୍ତରି ଥର ଗତି କରେ । ଶୁଣିଥା ଆଗେ ସତୀ ବାରେ । ।
ମୋ ଭକ୍ତେ ରହିଥିବେ ଚେତି । ସୁଚିତେ ଶୁଣ ଗୋ ଭାରତୀ । ।
ଆଦିଙ୍କ ଦରଶନ ଏହି । ତୋ ଆଗେ କହିଲୁ ବୁଝାଇ । ।
ମୋ ରୂପ ସେ ଭକ୍ତ ଚିହ୍ନଇ । ମୁଁ ତାକୁ ଦରଶନ ଦେଇ । ।
ପିତା ମାତାଙ୍କ ଦରଶନ । ମୋ ଭକ୍ତେ କରୁଥିବେ ଜାଣ । ।
ଆସନ ଦୃଢ ବନ୍ଧୁଠାରେ । ଦେଖ ଯେ ଅନ୍ତର ବାହାରେ । ।
ତାଠାରେ ମୋର ଶ୍ରଦ୍ଧାଭାବ । ସେ ଭକ୍ତ ମୋ ସଙ୍ଗେ ଖେଳିବ       । ।
ଆବର କହୁଅଛି ଶୁଣ । ମୋ ଭକ୍ତ ନାମଟି ନିପୁଣ । ।
ଅନନ୍ତ ସିଦ୍ଧ ପାଟଣାରେ । ମୋ ଭକ୍ତ ଥିବେ ଯେ ସେଠାରେ       । ।
ବହିଣ ବୀରବଧୂ ବାନା । ବିଶ୍ୱାସେ ତୋତେ ଦେଲି ଚିହ୍ନା       । ।
ନାମ ତୋ କୃପାସିନ୍ଧୁ ଦାସ । କଳଙ୍କି ଖେଳ ପରବେଶ । ।
ତା ସଙ୍ଗେ ଖେଳ ମୁଁ କରିବି । ପୃଥ୍ୱୀର ଭାରା ଉଶ୍ୱାସିବି । ।
ଶଙ୍କର ତହିଁ ଯ ପ୍ରବେଶ । ସୈନ୍ୟ କେ ଘେନିଣ ଅଶେଷ       । ।
ସିନ୍ଧୁ ସଙ୍ଗତେ ମେଳ ହୋଇ । ମୋ କଣ୍ଟବେଳ ଥିବେ ଚାହିଁ । ।
ଆସି ମୁଁ ଦେବି ଦରଶନ । ଶୂନ୍ୟ ସମାଧିଠାରୁ ଜାଣ । ।
ଉଦ୍ୟରୁ ଅସ୍ତ ଯାଏ ଦିନେ । ଦେବି ମୁଁ ବାନା ଭକ୍ତଗଣେ । ।
ଆଶା କରିଛି ଅନୁଷଣ । କହଇ ଭୀମଭୋଇ ହୀନ । ।

ପଞ୍ଚବିଂଶ ଅଧ୍ୟାୟ


ଆଦି ଉବାଚ

ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ସନ୍ଦେହ ଫେଡ଼ିବା ମୋହର । ।
ଅବନା ଅଣରୂପ ସ୍ୱାମୀ । ଆପେ ଆପଣ ଅନ୍ତର୍ଯ୍ୟାମୀ । ।
ଅଭୟ ପାଦେ କଲି ପୁଚ୍ଛା । ଆପଣ ଦେଲେ ଧର୍ମ ଦୀକ୍ଷା । ।
ବାନା ଯେ ଭକ୍ତଙ୍କୁ ଦେଇଣ । କି କାର୍ଯ୍ୟେ କହନ୍ତୁ ଆପଣ । ।
ନିବେଦନ ଯେ କରି ସତୀ । ଶ୍ରୀଗୁରୁପାଦେ କରି ଭକ୍ତି । ।

ଶ୍ରୀ ଅନାଦି ବ୍ରହ୍ମ ଉବାଚ

କହନ୍ତି ପ୍ରଭୁ ଚକ୍ରପାଣି । ସକଳ ଆଦି ଆଗେ ଭଣି । ।
ସାଧନା ବିଧି କରାଇବି । ସିଦ୍ଧ ପଥକୁ ତାରି ନେବି । ।
ଯେତେ ଏ ଭଗତ ମୋହର । କରିବି ନିରୋଳା ଆବର । ।
ନିତ୍ୟେ ରାହସ କରାଇବି । ନୀଳ ଧବଳ ରୂପ ହେବି । ।
ଲକ୍ଷେ ନିଧିରେ ପରିପୂର୍ଣ୍ଣ । ନିଜେ ମୁଁ ଅଙ୍ଗରେ ବହିଣ । ।
ଆବର ଚନ୍ଦ୍ର ଦିବାକର । ପୃଥିରେ ଯେତେ ଭକ୍ତ ମୋର       । ।
ସମସ୍ତେ ତହିଁ ଯେ ମିଳିବେ । ମୋ ନାମ ବଦନେ ଗୁଣିବେ । ।
ଏରୂପେ କରିବଇଁ ଖେଳ । ମୋ ଭକ୍ତ ଘେନିଣ ସକଳ । ।
ସାକ୍ଷାତେ ଦେଖିବୁ ତୁ ସତୀ । ଚାରି ବେଦ ଯେ ଚଉକତି । ।
ପୂର୍ବ ପଶ୍ଚିମ ଯେ ଉତ୍ତର । ଦକ୍ଷିଣ ଦୁଆର ଆବର । ।
ରହିବେ ଆମ୍ଭ ଆଜ୍ଞା ପାଇ । ଶୁଣ ଗୋ ଦେବୀ ଆଦି ତୁହି । ।
ପଶ୍ଚିମ ଦିଗରୁ ନାଗନ୍ତି । ଆସିବେ ଚଢି ଅଶ୍ୱ ହସ୍ତୀ । ।
ପରୀକ୍ଷା କରାଇ ସମସ୍ତ । ଦେବି ମୁଁ ବ୍ରହ୍ମଚର୍ଯ୍ୟ ବ୍ରତ । ।
ପୂର୍ବରୁ ଯୋଗାନ୍ତି ଆସିବେ । ଯୋଗ ମାର୍ଗରେ ଦେଖାଇବେ       । ।
ହୁଗୁଳୀ ନଦୀ ତୀରୁ ଜାଣ । ଆସିବ ଗାନ୍ଧି ଶଙ୍କର୍ଷଣ । ।
ଉତ୍ତର ଦିଗୁ ଭୀଷ୍ମଦ୍ରୋଣ । ଆସିବେ ଘେନି ସୈନ୍ୟମାନ । ।
ତା ମୂଳେ ସୈନ୍ୟ ଏକଲକ୍ଷ । ଏକଥା ବୁଝିଥା ପ୍ରତ୍ୟକ୍ଷ । ।
ଦକ୍ଷିଣ ଦିଗରେ ପାଣ୍ଡବେ । ବୀର ବେଶରେ ଉଭା ହେବେ       । ।
ହାରିବେ ଫିରିଙ୍ଗିର ସୈନ୍ୟ । ଜିଣିବ ଗାନ୍ଧି ଶକର୍ଷଣ । ।
ଏରୂପେ ସୈନ୍ୟ ଯେ ଅପାର । ମିଳିବେ ଆମ୍ଭ ନିକଟର । ।
ତ୍ରିଜଟା ନନ୍ଦନ ସହିତେ । ଯୁଦ୍ଧ ଯେ ହେବ ଅପ୍ରମିତେ । ।
ଲକ୍ଷ ହେ ବୀରମଣି ମୋର । ବୀର ପଣରେ ଅଗ୍ରସର । ।
ଦାମ ହୋଇବ ସେନାପତି । ତା ଶିରେ ଦେବି ମୁଁ ପାଟ ଛତି       । ।
ସକଳ ବୀରମଣି ଦେବି । ବ୍ୟାସ ଯେ ସରୋବର ନେବି       । ।
ନାଗାନ୍ତି ଅର୍ଜୁନର ମୂଳେ । ସମର୍ପି ଦେବି ଅବହେଳେ । ।
ପଦ୍ମ ପୋଖରୀ ନିକଟକୁ । ପଠାଇ ଦେବି ମୁଁ ତାହାକୁ । ।
ଯୋଗାନ୍ତି ବ୍ରହ୍ମା କରେ ଦେଇ । ଉଦୟ ବଟ ମୂଳେ ନେଇ । ।
ଭୀଷ୍ମ ଦ୍ରୋଣ ଯେ ଥିବ ମୋର । ରଖାଇ ବିରାଟ ରାଜ୍ୟର । ।
କୁଣ୍ଡଳୀ ପର୍ବତ ଉପରେ । ବିରୂପା ନଦୀର କୂଳରେ । ।
ଅର୍ଜୁନ ଧନୁ ତୂଣ ତହିଁ । ଦ୍ୱାପରଯୁଗୁ ଅଛି ଥୋଇ । ।
ସେ ଧନୁ ଘେନିଣ ବହନ । ମିଳିବ ଆମ୍ଭ ସନ୍ନିଧାନ । ।
ନେମ୍ୱାଳ ମଠରେ ଯେ ଖଣ୍ଡା । ଦ୍ୱାଦଶ ହାତ ପରଚଣ୍ଡା । ।
ଘେନିଣ ରାମଚନ୍ଦ୍ର ବୀର । ପ୍ରବେଶ ଆମ୍ଭ ନିକଟର । ।
କଳିଙ୍ଗା ସେନର ସ୍ତମ୍ଭରେ । ଗଦା ଯେ ଅଛଇ ତହିଁରେ । ।
ତାହାକୁ ଘେନି ଭୀମସେନ । ପ୍ରବେଶ ଆମ୍ଭ ନିକଟେଣ । ।
ଲିଙ୍ଗରାଜଙ୍କ କ୍ଷେତ୍ରଠାରେ । ଭୈରବୀ ଅଛି ଯେ ତହିଁରେ । ।
ରଡ଼ି ଯେ ଛାଡ଼ିବ ବୋବାଳି । ବ୍ରହ୍ମାଣ୍ଡେ ପଡ଼ିବ ଉଛୁଳି । ।
ଆସି କରିବ ଦରଶନ । ସଙ୍ଗତେ ମହେଶ୍ୱରୀ ପୁଣ । ।
ପରୀକ୍ଷାକରି ନନ୍ଦଚାଟ । ଦେବୀ ଯେ କରିବ ଆକଟ । ।
ତାହାଙ୍କୁ ସିଦ୍ଧ ବଳୀ ଦେଇ । ସିନ୍ଧୁ ନିକଟେ ଥିବି ମୁହିଁ । ।
କଳା ଧଳା ଯେ ଅଶ୍ୱ ବେନି । କଳଙ୍କି ବିଷ୍ଣୁ ଥିବେ ଘେନି । ।
ତହୁଁ ଯେ ହୋଇବ ବାହାର । ମିଳିବେ ଯାଇ ବିରାଟର । ।
ସମସ୍ତ ରଥୀ ଅଣାଇବି । ଏକଠାବ ଯେ କରାଇବି । ।
କଳି ଭାରତ କରାଇବି । ଗୁପତ ଭାବେ ମୁହିଁ ଥିବି । ।
ଏ କଥା ଶୁଣ ଗୋ ନିୟତ । ଦୃଷ୍ଟଙ୍କୁ କରି ସମାପତ । ।
ଅଭୟ ଚରଣରେ ଆସ । କରିଛି ରାତ୍ର ଯେ ଦିବସ । ।
କହେ ଅର୍କ୍ଷିତ ଭୀମ ଭୋଇ । ଭାରତ ଦେଖିବାର ପାଇଁ । ।
 

ଷଡ଼ବିଂଶ ଅଧ୍ୟାୟ


ଆଦି ଉବାଚ

ଅନାଦି ପ୍ରଭୁ ଭାବଗ୍ରାହୀ । କହନ୍ତୁ ସଂଶୟ ଫିଟାଇ । ।
ଝରୁଛି ନୟନରୁ ଜଳ । ଶୁଣିଣ ଭାରତର ଖେଳ । ।
ଥରୁଛି ମୋର ପିଣ୍ଡ ପ୍ରାଣ । ଶ୍ରୀମୁଖ ବାକ୍ୟକୁ ଶୁଣିଣ । ।
ଟିକସ ଲେଖି ଦେଲା ପରି । କଳଙ୍କି ଖେଳ ଯେ ନୁୟାରୀ । ।
ଜଣାଏ ତୁମ୍ଭ ପାଦଗତ । ଆଜ୍ଞା ଯେ ହେଉ ପଦ୍ମ ନେତ୍ର       । ।
ଚରଣେ ବିନତି ହୋଇଣ । ଆଦି ପୁଚ୍ଛଇ ଅନୁଷଣ । ।
ଠିକଣା କରି କହ ନାଥ । ଟାକି ମୁଁ ରହିଥିବି ପଥ । ।

ଅନାଦି ବ୍ରହ୍ମ ଉବାଚ

ଆଦିର ଭକ୍ତି ଭାବ କଥା । ଜାଣିଲେ ବ୍ରହ୍ମାଣ୍ଡ କରତା । ।
କହିଲେ ଠିକଣା ବତାଇ । ଅନାଦି ପ୍ରଭୁ ଭାବଗ୍ରାହୀ । ।
ବ୍ରହ୍ମା ବିଷ୍ଣୁ ଯେ ଶିବ ନଦୀ । ଏ ଯେବେ ବହିବ ଆଚ୍ଛାଦି । ।
ଉଛୁଳି ବଢ଼ିଯିବ ଜଳ । ମୋହିତ ହୋଇଣ ପ୍ରବଳ । ।
ନକ୍ଷତ୍ର ଉଲ୍‌କାପାତ ହୋଇ । ଉତ୍ତର ଦିଗୁ ଖସିବଇଁ । ।
କଟକ କୁଞ୍ଜଘାଇ ଯୋଡ଼ି । ଜଳରେ ଯେବେ ଯିବ ବୁଡ଼ି । ।
ଆବର କହୁଅଛି ଶୁଣ । ବାରିଧି ମାଡ଼ିଯିବ ପୁଣ । ।
ଓଡ଼ିଆ ଧାମକୁ ପୋତିବ ।ନିଶ୍ଚୟେ ବୁଝିଥିବୁ ଧ୍ରୁବ । ।
ଯମୁନା ନଦୀର ଧାରେକ । ପଦ୍ମ ପୋଖରୀ ଯାଏ ଠିକ । ।
ଖଣ୍ଡଗରିରୁ ଉଦେବଟ । ଅନନ୍ତ ପାଟଣା ନିକଟ । ।
ଅମାସ୍ୟା ନିଶିରେ ଯେ ଶଶୀ । ପଶ୍ଚିମ ଦିଗେ ଯେବେ ଦିଶି । ।
ନ୍ତ୍ରିଜଟା ନନ୍ଦନ ଆବର । ଗୋମାତା ଠାରୁ ନେବ କର । ।
ଏ କଥା ମାନ ଯେ ମହୀରେ । ଯେବେ ତୁ ଦେଖିବୁ ନେତ୍ରରେ       । ।
ଯେ ସାଲେ ତେର ଦିନ ପକ୍ଷ । ଏ କଥା ଘଟିବ ପ୍ରତ୍ୟକ୍ଷ । ।
ଯେବେ ତୁ ନେତ୍ରରେ ଦେଖିବୁ । ଆମ୍ଭଙ୍କୁ ଟାକି ବସିଥିବୁ । ।
ତିଆରି କହୁଅଛି ତୋତେ । ସତ୍ୟ ଗୋ ମଣିଥିବ ଚିତ୍ତେ । ।
ଅର୍କ୍ଷିତ ଭୀମ ଭୋଇ କହେ । ଏ କଥା ମିଥ୍ୟା କେବେ ନୁହେ       । ।
ରହି ମୁଁ ଆଛି ଅନୁସରି । ଅଣ ସାଧନାକୁ ଆବୋରି । ।

ସପ୍ତବିଂଶ ଅଧ୍ୟାୟ


ନିଗମ ବଚନ ଶୁଣ ସୁଜ୍ଞଜନ ଭବିଷ୍ୟତ ବାଣୀକଥା
ଅତି ଅନ୍ୟାଚାରୀ କଳିଯୁଗ ନର କହୁଥିବେ ଗର୍ବକଥା ।
ଢ଼ଗଢ଼ମାଳିଆ ବସି କରୁଥିବେ ବିଷ୍ଣୁ ଭକ୍ତ ଜନେ ଚାହିଁ
କରି ଉପହାସ ହୋଇ ହସ ହସ ସର୍ବେ ମୁଖ ଚାହାଁ ଚୁହିଁ ।
ଏଥିରେ ଯେ ଦୋଷ ଘଟିବ ଅବଶ୍ୟ କେ କରିବ ତାରଅନ୍ତ
କୋଟି ଜନ୍ମଯାଏ କ୍ଷେତ୍ରବରଗଲେ ସେ ପାପ ନୁହଇ ମୁକ୍ତ ।
ଦିବ୍ୟସିଂହ ଦେବଗଣ ଚାଳିଶରେ ସଂସାରେ ଲକ୍ଷ୍ମୀବିଜୟେ
ନ ଥିବ କାନ୍ତାର ଦୁଃଖୀ ଦରିଦ୍ରର ନ ଥିବ ଅନ୍ନର ଭୟେ ।
ରାମଚନ୍ଦ୍ର ଦେବ ସାତଆଠଅଙ୍କେ ଘଟିବ ଏକଥା ମାନ
ସଇଁତ୍ରିଶ ଶେଷ କଳିଯିବ ନାଶ ଶଙ୍କିବ ଫିରିଙ୍ଗି ଦିନ ।
ଦେବା ଦେବୀଙ୍କର ବଳୀ ଭୋଗମାନ କର୍ମେ ପରିପୂର୍ଣ୍ଣ ହେବ
ଶ୍ରୀଫଳ ରୁଧିର କରିବେ ଆହାର ଜାଣିଥାଅ ବାକ୍ୟଧ୍ରୁବ ।
ମୋହନ ମୃଗଲ ସେକାଳେ ଆସିଣ ପୃଥ୍ୱୀକି କରିବେ ସଲ
ଦୁର୍ଦୁରା ଗୟଶ ନାନା ପୁଷ୍ପମାନ ଗଲେ ଲମ୍ବାଇବେ ମାଳ ।
ମୁକୁନ୍ଦ ଦେବଙ୍କ ଅଣଚାଳିଶରେ କଳଙ୍କି ଆରମ୍ଭ ହେବ
ଲାଗିବ ସମର ଅବନୀ ମଧ୍ୟରେ ଗୁପତେ ଜାଣ ସେ ଠାବ ।
ବିଶ୍ୱାବସୁ କୁଳେ ଉତପତ୍ତି ହୋଇ ଜରମାନ ରାଜଛତ୍ର
ତାର କୋଳେ ପୁତ୍ର ଜନମ ହୋଇବ ପୂର୍ବେ ଇନ୍ଦ୍ରଙ୍କର ସୁତ ।
ସୂର୍ଯ୍ୟଙ୍କ ତନୟ ତାଙ୍କ ସଙ୍ଗତରେ ତେତେବେଳେ ବୀରବେଶ
ଭାଷେ ଭୀମ ଭୋଇ ଗୁରୁ ପାଦେ ଧ୍ୟାୟି ଅବଶ୍ୟ ରଖିବେ ଯଶ ।

ଅଷ୍ଟବିଂଶ ଅଧ୍ୟାୟ


ଶୁଣ ହେ ସୁଜନେ ଭବିଷ୍ୟାତ ବାଣୀ ଯାହା ହେବ କଳିଯୁଗେ
କଳିଙ୍ଗ ଅସୁର ହୋଇ କୋପଭର ଯୁଝିବ ବିଷ୍ଣୁଙ୍କ ସଙ୍ଗେ ।
ଭୟଙ୍କର ବେଶ ହୋଇବ ରାକ୍ଷସ ସ୍ୱର୍ଗକୁ ଲାଗିବ ଶିର
ଆସିବ ଓଡ଼ିଶା ହୋଇବ ଦୁର୍ଦ୍ଦଶା ହୋଇବ ଘୋର ସମର ।
ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରବରେ ପଶି ଅନ୍ୟାୟ କରିବ ଯେଣୁ
କୋପଭର ହୋଇ ବାହାର ହୋଇବେ ନାଶିବେ ଅସୁର ତେଣୁ ।
କଳାପାହାଡ଼ରୁ ବାହାର ହୋଇଣ ରାମକୃଷ୍ଣ ବେନିଭାଇ
କୋଣାର୍କ ଦେଉଳେ ପୂର୍ବରୁ ଗୁପତେ ରବିଛଡ଼ ବେନିଭାଇ ।
ଶୂନ୍ୟଯାନ ଘେନି ଆସିବେ ଗୁପତେ କେହି ନ ପାଇବେ ଅନ୍ତ
ଦାରୁବ୍ରହ୍ମ ମୂର୍ତ୍ତି ଧରି ଘେନିଯିବେ ଗୁପତରେ ଜଗନ୍ନାଥ ।
ନେମ୍ବାଳ ମଠର ନିକଟରେ ପୁଣି ପ୍ରବେଶିବେ ହଳପାଣି
ଯାନ ନ ଚଳିବ ଫୋପଡ଼ାଇ ଦେବେ କଳଙ୍କି ଆରମ୍ଭେ ପୁଣି ।
ବାରହାତ ଖଣ୍ଡା ଧରି ବେନିଭାଇ ବାହାର ହୋଇବେ ପୁଣି
ମହାଘୋର ଯୁଦ୍ଧ ସେଠାରେ ହୋଇବ ଲୋକହେବେ ରଣଭଣ ।
ଲାଗିବ ଧନ୍ଦଳ ଉଠିବ କନ୍ଦଳ କେ ଅବା କରିବ ଅନ୍ତ
ସାକ୍ଷୀକରି ଚନ୍ଦ୍ରସୂର୍ଯ୍ୟ ବେନିଜନ ବାହାର ହୋଇବେ ଭକ୍ତ ।
ବୀରବେଶ ମାନ ସର୍ବେ ହୋଇଥିବେ ବୀରବଧୂ ବାନା ବହି
ବାଆନା ପ୍ରସ୍ତରୁ ରହିବେ ଭଗତେ ଗୁରୁଆଜ୍ଞା ଶିରେ ବହି ।
ପ୍ରଭୁଙ୍କ ଚରଣେ କରିବେ ଦଇନି ଅପ୍ରମେୟ ଯୁଦ୍ଧହେବ
ଯୋରନ୍ଦା ମଠରେ ପ୍ରବେଶିବେ ଭକ୍ତସଙ୍ଗତେ ଘେନି ରାଘବ ।
ଢାଙ୍କୁଣି ଫିଟାଇ ଜଗତ ଗୋସାଇଁ ପାପଭାରା ଉଶ୍ୱାସିବେ
ବୋଲେ ଭୀମଭୋଇ ଗୁରୁପାଦଧ୍ୟାୟି ସର୍ବେ ଭଜ ବାସୁଦେବେ ।

ଉନତ୍ରିଂଶ ଅଧ୍ୟାୟ


ଶୁଣ ସୁଜ୍ଞଜନ ନିଗମ ବଚନ ବୁଝିଥାଅ ଶୁଦ୍ଧ ଚିତ୍ତେ,
ଭବିଷ୍ୟାନ୍ତ ବାଣୀ କଳିର କାହାଣୀ କହୁଅଛି ମନଦୁଃଖେ ।
କେନ୍ଦ୍ରାପଡ଼ା ସ୍ଥାନ ଦକ୍ଷିଣ ଦିଗରେ ଚଷାପଡ଼ା ଘାଟଯେହି
ବିରାଟ ଭୁବନ ଶୁଣ ହେ ସୁଜନ ଭବିଷ୍ୟାନ୍ତ ବାଣୀ ଏହି ।
ଲକ୍ଷେ ଗୋରୁ ପଲ ସାତସମତୁଲ ଏକ ଲକ୍ଷ ଯେ ବୁଷଭ
କାହାର ଗୋଧନ ତହିଁ ରହିଛନ୍ତି କେ ଅବା କରିବ ଠାବ ।
ମାହାଳ ବଣ ଯେ ଅପ୍ରମିତ ତହିଁ ଦେଢ଼କୋଶ ପରିଯନ୍ତେ
ପୃଥନାର ଅଂଶ ତହିଁରେ ପ୍ରକାଶ ବୁଝିଥାଅ ଭବିଷ୍ୟନ୍ତେ ।
ଏକାମ୍ବର ଯାଏ ପରିପୂର୍ଣ୍ଣ ହେବ ନିଶ୍ଚୟ ବଚନ ଗାଏ
ସତୁରି ଲକ୍ଷ ଯେ ମହାରଥ ସେହୁ କଳାପାହାଡ଼ ବିମ୍ବରେ
ଅସହ ଯୋଗକୁ ବାହାର ହୋଇବେ ଦିବ୍ୟସିଂହ ସୈନ୍ତ୍ରିଂଶରେ ।
ଖଣ୍ଡଗିରିଠାରେ ଅଛନ୍ତି ସଇନୀ ଚାରିଲକ୍ଷ ଠିକଜାଣ
ନକୁଳ ଯେ ସେବା ତହିଁରେ ଅଛନ୍ତି ବାହାର ହୋଇବେ ପୁଣ ।
ଭୀମସେନ ଯାଇ କଲିକତାଠାରେ ଗୁପତେ ଅଛନ୍ତି ରହି
ମହା ପ୍ରତାପୀ ସେ ପଟେଲ ନାମରେ ଅଗ୍ରସର ସେନା ସେହି ।
ମୋଗଲ ଅଂଶରେ ଜନମ ହୋଇଛି ମହମ୍ମଦ ଅଲି ଯେହି
ନାମରେ ବିଖ୍ୟାତ ହେବ ଏକମତ ସାତଆଠ ଅଙ୍କେ ଯାଇ ।
ନୀଳାଚଳ ନାଥ ହେବେ ବଳବନ୍ତ ଶୁଣିଥାଅ ବିଜ୍ଞଜନ
ତେତିଶ ଅଙ୍କରେ ମହା ଘୋର ରଣ ନିଶ୍ଚୟେ ହୋଇବ ଜାଣ ।
କୁକୁଟ ନାମେ ଅଛଇ ଏକଭକ୍ତ ଦ୍ୱାପରରେ ରାଜନିଧି
କୋଣାର୍କ ଦେଉଳ ଚିତ୍ର କର୍ମକରି କରାଇବେ ପୂଜାବିଧି ।
ସାଳସାରୁଚିତ ବହିବ ବହୁତ ବୈଶାଖରେ ବୁଝିଥାଅ
ସେଦିନ ଜାଣିବ ଯୁଗ ଥୟ ହେବ ସାତ ଚାରି ଏକମୟ ।
ଅତ୍ୟନ୍ତ ଚହଳ ହୋଇବ ଗହଳ ନିର୍ଣ୍ଣୟ ବଚନ ଏହି
ପ୍ରଭୁଙ୍କ ଚରଣେ ଚିନ୍ତି ନିରାନ୍ତରେ ଭଣେ ଭୀମସେନ ଭୋଇ ।

ତ୍ରିଂଶ ଅଧ୍ୟାୟ


କାଳବେଳ କଥା ମନରେ ପଡ଼ିଲେ ରୋଦନ ମାଡ଼ୁଛି ଚିତ୍ତେ
କା ଆଗେ ଗୁହାରି କରିବି ହେ ଗୁରୁ ବିପତ୍ତି ଆସୁଛି ଯେତେ ।
ସମରାଷ୍ଟ୍ର ବଳ ହୋଇବେ ପ୍ରବଳ କଳିଯୁଗେ ଅନ୍ୟାଚାର
ଅନାର୍ଯ୍ୟ ଲୋକଙ୍କ ହସ୍ତରୁ ଭଷିବେ ବ୍ରାହ୍ମଣ କନ୍ଧରେ ଭାର ।
ଗୁହାରି କରିଲେ ମାଡ଼ ମାରୁଥିବେ ଗୋରୁ ମହିଷଙ୍କ ପରି
ଏତେକ କଷଣ କଳିରେ ଭୁଞ୍ଜିବେ ଭୂମି ହେବ ହତଶିରୀ ।
ପଡ଼ିବ କଷଣ ଅମର ଭୁବନ ଦେବା ଦେବୀଙ୍କର ଯେତେ
ଅପୂଜା ରହିବେ କଳିଯୁଗେ ପୁଣ ମୁକୁନ୍ଦଦେବ ରାଜୁତେ ।
ଦିଲ୍ଲୀ ଶକାବ୍ଦ ଯେ ସନ ବାରଶରେ ଛୟାନବେ ସମତୁଳ
ତେତିକି ବେଳକୁ ଦେବା ଦେବୀଙ୍କର ନିଶ୍ଚେ ହେବ ଅମଙ୍ଗଳ ।
କଳାପାହାଡ଼ର ଦମନ କୀରତି ଦିନେ ବହିଯିବ ମହୀ
ଅମର ସୁରିତ ଶୃଙ୍ଗ ଶୁଖିଯିବ ଦୁର୍ଭିକ୍ଷ କାନ୍ତାର ପାଇ । ।
ଦମନ କୀରତି ଘୋଟିବ ଅନୀତି ଓଡ଼ିଶା ମନ୍ଦିରେ ଜାଣ,
ରାଜାକୁ ବନ୍ଧନ କରିବ ଦମନ ସତ୍ୟଅଟେ ଏ ବଚନ ।
ଚୁହାଣ କୁଳରେ ଉତପତ୍ତି ହୋଇ ଅମରୀଶ ବେନି ଭାଇ,
ତାଙ୍କରି କୋଳରେ କ୍ଷତ୍ରିପଣେ ଜାତ ଏକବୀର ଥିବ ହୋଇ । ।
ଶୁଣିବ ସୁଜନେ ଅସହ ଯୁଦ୍ଧରେ ଅଗ୍ରସର ବୀରବର,
ଜୟକାର ନାମ ବିଖ୍ୟାତ ହୋଇବ ଭଣେ ଭୀମଭୋଇ ଛାର ।

ଏକତ୍ରିଂଶ ଅଧ୍ୟାୟ


ଶୁଣ ହେ ସୁଜନେ ଭବିଷ୍ୟାନ୍ତ ବାଣୀ ନିଗମ ବଚନ ଏକ,
ଏ କଳିଯୁଗରେ ପାପଭରା ହେବ ସର୍ବେ ହେବେ ଅବିବେକ ।
ରାମଚନ୍ଦ୍ର ଦେବ ଦଶମ ଅଙ୍କରେ ଧର୍ମ ପରୀକ୍ଷା ହୋଇବ ।
ଲଙ୍ଗୁଳୀ ସହିତେ ସେ ଶୂନ୍ୟପୁରୁଷ ଗୁପତେ ପରୀକ୍ଷା ଦେବ ।
ତିନି ଅଙ୍କଠାରେ ପରୀକ୍ଷାର ଫଳ ନ ହେବାରୁ ସିଦ୍ଧ ଅନ୍ତ,
ଶୂନ୍ୟବାସୀଙ୍କର ଗୁପତ ଶିଷ୍ୟରେ ଧର୍ମବଳେ ବଳବନ୍ତ ।
ଦ୍ୱାଦଶ ଅଙ୍କରେ ଏକ ଧର୍ମଘଟ ହୋଇବ ସାରା ଧରାରେ,
ମହିମା ଧର୍ମ ପରୀକ୍ଷା କରିବାକୁ ନ ଥିବେ କେହି ମହୀରେ ।
ଲଙ୍ଗୁଳୀ ସହିତେ ଯେଉଁ ସୈନ୍ୟ ଥାଟ ହୋଇଥିଲା ବଳବନ୍ତ ।
ମଉନ ମାର୍ଗକୁ ଆଶ୍ରୟ କରିଣ ଅଗ୍ନିହୋତ୍ରେ ହେବେ କ୍ଷାତ ।
ଲାଗିବ ଧନ୍ଦଳ ମହିମାଙ୍କ ଖେଳ ମନ୍ଦର ଗିରିର ପରି,
ରକ୍ଷା କରିବାକୁ କେହି ନ ରହିବେ ହୋଇଯିବେ ବକ ସରି ।
ରାଜଦ୍ରୋହ ହରଣ ଶେଷ ହୋଇବ ସନ୍ଧିରେ ରହିବ କଥା,
ଅଳ୍ପଦିନ ପରେ ଫିରିଙ୍ଗି ସମ୍ରାଟ ବଳେ ନୂଆଁଇବ ମଥା ।
କଳି ଶେଷ ହେବ ଗୁପତ ଭିଆଣ ଗୁରୁ ଆଜ୍ଞା ଶିରେ ବହି,
ଅଷ୍ଟମ ପଦରେ ପଦ୍ମକଳ୍ପ ଶାସ୍ତ୍ରେ ଅର୍କ୍ଷିତ ଭୀମ ଭାଷଇ ।

ଦ୍ୱାତ୍ରିଂଶ ଅଧ୍ୟାୟ


ଶୁଣ ସୁଜ୍ଞଜନ ନିଗମ ବଚନ ଭବିଷ୍ୟାନ୍ତ ତଥ୍ୟାମାନ ।
କେମନ୍ତେ ମହିମା ଧର୍ମ ରକ୍ଷା ହେବ ଏ କଥା ହେଉ ସନ୍ଧାନ ।
ଶୂନ୍ୟବାସୀଙ୍କର ସୁଦୟା ହେବାରୁ ଲେଖିଲି ମୁଁ ପଦ୍ମକଳ୍ପେ ।
ରାମଚନ୍ଦ୍ର ଦେବ ଦ୍ୱାଦଶ ଅଙ୍କରେ ଧର୍ମ ହେବ ସୂର୍ଯ୍ୟ ତାପେ ।
ଧର୍ମ ରହିବାକୁ ଧର୍ମ ଜନ୍ମିଥିବେ ମହାନିତ୍ୟ ଭୂମି ଗର୍ଭ,
ଦିବ୍ୟସିଂହ ଦେବ ତେତିଶ ଅଙ୍କରେ ଜନ୍ମ ହେବ ସେହି ଭାବ ।
ଜାତ ହୋଇ ଗୁପ୍ତ ଭାବରେ ଖେଳୁଛି କେହି ନ ପାଇବେ ଅନ୍ତ,
ଦେଖିବେ ଶୁଣିବେ ପୁଛିବେ ଭାଷିବେ ନ ପାଇବା ତା ଯୁଗତ ।
ଫିରିଙ୍ଗି ଅଧୀନେ ରହି ଦିନା କେତେ ଯୋଗଧ୍ୟାନେ ବଳବନ୍ତ,
ଅରଣ୍ୟ କନ୍ଦରେ କାନ୍ତାର ଲତାରେ ବାସ ଯେ କରିବ ସୁତ ।
ସଂସାରୀ ହେବାକୁ ଇଚ୍ଛା ନ କରିବେ ବଳେ ବଳେ ତାତ ମାତ,
ଗ୍ରାମବାସୀ ସର୍ବେ କୌଣସି ପରାୟେ ପ୍ରକାଶିବେ ତାର ମତ ।
ଭକ୍ତ ସୁତ ହୋଇ ଭକ୍ତ ନ ଶୁଣିବ ଆଉ ବା କିଏ ଶୁଣିବେ,
ମହିମା ଧରମ ଭଲ ନ ଲାଗିଲେ ମିଛରେ ଧର୍ମ ଜାଣିବେ ।
ଯୋଗୀ ହେବା ପାଇଁ ମନ ବଳାଇବ ବାପ ମାଆ ଠାରୁ ବୁଝି,
ବାପ ମାଆ ସୂତ୍ରେ ଆବଦ୍ଧ ରହିବା ସନ୍ନ୍ୟାସୀ ପଥକୁ ତେଜି ।
ଶୂନ୍ୟ ବାଣୀ ହେବ ଅବ୍ୟକ୍ତ ପୁରୁଷ ସମ୍ଭଗୁ ହୋଇ ବନ୍ଦିତ,
ଲେଖା ରକ୍ଷା ଯିବ ନିକଟେ ତାହାର ଜାଣ ବାବୁ ଏହା ସତ୍ୟ ।
ବଳେ ତାତ ମାତ ପଠାଇବେ ତାକୁ ପାଇଣ ସେହି ସଙ୍କେତ,
ଧର୍ମ ରଖିବାକୁ ସେହି ଉପଯୁକ୍ତ ଜାଣ ବାବୁ ଏ ଭଗତ ।
ଦୀନ ଜନ ହୀନ ନୀଚ ଲୋକ ସବୁ ଧର୍ମ ବଳେ ବଳବନ୍ତ,
ଗୁରୁଙ୍କ ଆଜ୍ଞାରେ ବତ୍ରିଂଶ ଅଧ୍ୟାରେ ଭଣେ ଭୀମ ଅରକ୍ଷିତ ।

ତେତ୍ରିଂଶ ଅଧ୍ୟାୟ


ଶ୍ରୀ ଆଦି ଉବାଚ

ପ୍ରତିନିଧିରେ ଆଦିମାତ । ସ୍ତୁତି ଯେ କରଇ ବହୁତ । ।
କାକୁସ୍ତେ ଜଣାଇଲା ସତୀ । ଗୁରୁ ପାଦରେ କରିସ୍ତୁତି । ।
ଅନନ୍ତ ଯୁଗର ବୃତ୍ତାନ୍ତ । ନ ପାଇ ସତୀ ଆଦିଅନ୍ତ । ।
ପୁଚ୍ଛଇ ଶ୍ରୀଗୁରୁ ଛାମୁରେ । ଆଦି ଯେ ଯୁଗ ଲବ୍‌ଧଠାରେ       । ।
ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ଫେଡ଼ିବା ସନ୍ଦେହ ମୋହର । ।
ପରିପୂର୍ଣ୍ଣରେ ବ୍ରହ୍ମ ଲୀଳା । ସଂଶୟ ଫେଡ଼ ପଦ୍ମଡୋଳା । ।
ଅନନ୍ତ ଯୁଗେ ଅନ୍ତନାହିଁ । ଫେଡ଼ି କହନ୍ତୁ ଭାବଗ୍ରାହୀ । ।

ଅନାଦିବ୍ରହ୍ମ ଉବାଚ

ଯୋଗ ମାୟାର ଭକ୍ତ ଦେଖି । କହିଲେ ସଂଶୟ ଉପେକ୍ଷି । ।
ଯୁଗଲବ୍‌ଧାରେ ନ ପାଇବୁ । ଆଜ୍ଞାକୁ ଟାକି ବସିଥିବୁ । ।
ଶିଶୁ ଲବ୍‌ଧାରେ ଏକାକ୍ଷର । ଅନନ୍ତ ଯୋଗେ ହେଜିଧର । ।
ଆଦି ଲବ୍‌ଧାରେ ଭଜିଥିବୁ । ଅନନ୍ତ ଯୁଗକୁ ପାଇବୁ । ।
ଦେଖିବୁ ବ୍ରହ୍ମ ଲବ୍‌ଧା ଭାବ । ଯୁଗ ଶେଷକୁ କରଠାବ । ।
କଳିର ଦମନ ଅନୀତି । ଅଦ୍ଭୁତେ କମ୍ପିବ ଧରିତ୍ରୀ । ।
ଏକଥା ବୁଝିଥିବୁ ସତୀ । ଡାକି କହିବ ଭଗବତୀ । ।
ବିରଜା ସହିତରେ ମେଳ । ସଙ୍ଗତେ ଘେନି ଯୋଗୀକୁଳ । ।
ଡଗର ହେବ ମହାମାୟୀ । ଡ଼ାକି ଗୋ କହିବ ବୁଝାଇ । ।
ରାମ ରାଜତ୍ୱ ଦଶଠାରୁ । ଶସ୍ୟ ହାନି ଯେ ପୃଥିବୀର । ।
ଆସିବେ ଏ ବ୍ରହ୍ମ ଶୋଷିନୀ । କୃଷିକି କରିଯିବେ ହାନି । ।
ବିହନ ଓଳିଆ ଅଗାଡ଼ି । ମୂଳ ବାଣିଜ୍ୟ ଯିବ ବୁଡ଼ି । ।
ଫନ୍ଦା ବୃତ୍ତିକି ଛାଡ଼ିଦେବେ । ମନ କୁଳଟି ଏହି ଭାବେ । ।
କର ଗୋ ନପାଇବେ ରଜା । ଅଦୋଷେ ଦଣ୍ଡିବେ ପରଜା । ।
ଦୁଃଖୀ ଗୋ ହୋଇବେ ଅପାର  । କଦର୍ଯ୍ୟେ କାନ୍ଦୁଥିବେ ନର । ।
ଅଦ୍ଭୁତେ ଉଠିବ ହୁତାଶ । ପୋଡ଼ିବ ଗ୍ରାମ ପୁର ଦେଶ । ।
ଅସତ୍ୟ କରିବେ ବୈଷ୍ଣବେ । ପାଦ ପାଦୁକା ଭୁଞ୍ଜାଇବେ । ।
ବାନର କର୍ଣ୍ଣ ଗୋ ପିଶାଚୀ । ସାଧବ କରିବେଟି ବସି । ।
ବସନ୍ତ ବହିବ ଅକାଳେ । ଫଳ ଫଳିବ ବୃକ୍ଷ ଡାଳେ । ।
ଅଜ୍ଞାନ ହୋଇବେଟି ଜନ । ଧର୍ମରେ ହେବ ପରାଭିନ୍ନ । ।
କୋପ ବହିବେ ବ୍ରହ୍ମଚାରୀ । ବ୍ରହ୍ମଚର୍ଯ୍ୟକୁ ତେଜ୍ୟା କରି । ।
ସଯୁଜ୍ୟ ବ୍ରହ୍ମ ଭକ୍ତ ଭାବେ । ନର ଘଟରୁ ଦୂର ହେବ । ।
କେତେ ମୁଁ କହିବି ବତାଇ । ଶୁଣିଥା ମନ କର୍ଣ୍ଣ ଦେଇ । ।
ଅନନ୍ତ ଯୁଗ ଶେଷ କାଳ । ଓଡ଼ିଶା ମାଡ଼ିବଟି ଜଳ । ।
ଦାରୁ ପ୍ରତିମା ହେବ ହତ । ପରୀକ୍ଷା କରଇ ଅନନ୍ତ । ।
ଦେବେଟି ବ୍ରହ୍ମଚର୍ଯ୍ୟ ଭକ୍ତି । ଚତୁର୍ପାଦରେ ମର୍ମ କ୍ଷିତି । ।
କହଇ ଭୀମ ଅରକ୍ଷିତ । ପଦ୍ମପାଦରେ ଦେଇ ଚିତ୍ତ । ।
ଆଶା ମୁଁ କରିଅଛି ରହି । ଶ୍ରୀଗୁରୁ ରଖିବେ ବଞ୍ଚାଇ । ।

ଚତ୍ୱାତ୍ରିଂଶ ଅଧ୍ୟାୟ


ଆଦି ଉବାଚ

ଶୁଣି ମୁଁ ଶ୍ରୀମୁଖ ବଚନ । ମୁକ୍ତି ଲଭିବି ତତକ୍ଷଣ । ।
ଏଣିକି କି କି ହେବ ନାଥ । ଶୁଣିବି ଭବିଷ୍ୟ ବୃତ୍ତାନ୍ତ । ।
ଯତନେ ପୃଚ୍ଛେ ଶ୍ରୀମୁଖରେ । ଅନାଦି ଗୁରୁଙ୍କ ପୟରେ । ।
ଯୁଗ ଲବ୍‌ଧାରେ ଯେତେ ରୀତି       । ଆଜ୍ଞା ଯେ କରିଲ ଶ୍ରୀପତି । ।
ଶୁଣି ମୁଁ ହୋଇଲି ସନ୍ତୋଷ । ଅମୃତ ବାକ୍ୟ ସୁଧାରସ । ।
ଭବିଷ୍ୟ ବୃତ୍ତାନ୍ତ କାହାଣୀ । ଶ୍ରୀମୁଖେ କହନ୍ତୁ ବଖାଣି । ।

ଅନାଦିବ୍ରହ୍ମ ଉବାଚ

କହିଲେ ବ୍ରହ୍ମାଣ୍ଡ କରତା । ଅନନ୍ତ ଯୁଗର ବ୍ୟବସ୍ଥା । ।
ଏଗାର ଅଙ୍କ ଅଟେ ସ୍ଥିତି । ସଭା ହୋଇବ ବାରସ୍ୱତୀ । ।
କମ୍ପିବ ଭୁବନ ମେଦିନୀ । ସ୍ୱର୍ଗ ମଞ୍ଚ ଯେ ପୁର ତିନି । ।
ଭକ୍ତେ ମୋ ହୋଇବେ ବାହାର       । ଶୁକ ସନକ କମ୍ୱୁଧର । ।
ଅଗସ୍ତି କଶ୍ୟପ ଆବର । ଶୁଣ ପୌଲସ୍ତି ଭକ୍ତ ମୋର । ।
ଅଛନ୍ତି ସତୀ ମହାନିତ୍ୟ । ବୁଝିବା ଏଥିର ତଦନ୍ତ । ।
ସଭା ହୋଇବ ତିନି ଦଣ୍ଡ । କମ୍ପିବ ପୃଥ୍ୱୀ ନବଖଣ୍ଡ । ।
ଉଲ୍ଲସୀ ପଡ଼ୁଥିବ ମହୀ । ପ୍ରଳୟ ଜଳ ଉଠି ବହି । ।
ଉତ୍ତର ଦିଗେ ଉଲ୍‌କାପାତ । ଶବଦ ଶୁଭିବ ନିର୍ଘତ । ।
ଥରହର ଯେ ହେବ ମହୀ । ବାସୁକୀ ନପାରିବ ସହି । ।
ଫାଟିବ ଧରତ୍ରୀ ଅଦ୍ଭୂତେ । ବାସୁକୀ ଶିରପରିଯନ୍ତେ । ।
ଉଜାଣି ଉଠିବଟି ଜଳ । ନାଶିବ ଭୁବନ ମଣ୍ଡଳ । ।
ଭାସିବ ମହୀ ସୋହତୀରେ । ଶୁଣ ଗୋ ସତୀ ଏଥୁତ୍ତାରେ । ।
ଯମୁନା ପ୍ରଖର ହୋଇଣ । ଉତ୍ତର ଦିଗେ ଯିବେ ପୁଣ । ।
ସମୁଦ୍ରୁ ଉଠିବ ଲହରୀ । କିଛି କିଛି ଗୋ ଯିବ ମାଡ଼ି । ।
ନାଶିବ ଭୁବନ ତ୍ରିଦଶ । ରହିବ ଅନନ୍ତ ରାହାସ । ।
ତ୍ରିଧାମ ଓଁ କାରର ମୂଳେ । ଜଳ ପ୍ରଳୟ ଅବହେଳେ । ।
ନିର୍ଣ୍ଣୟ ବଚନ ଏ ଗିର । ଯାହା ତୁ ପୃଛିଲୁ ଛାମୁର । ।
ଶୁଣ ଗୋ ସତୀ ସ୍ଥିର ଭାବେ । କହିବା ଅନନ୍ତ ପ୍ରସଙ୍ଗେ । ।
ମହା ନିତ୍ୟରୁ ଅନହତ । ସ୍ଥାପନା ଅବ୍ୟକ୍ତ ଅଚ୍ୟୁତ । ।
ଅବର୍ଣ୍ଣ ଏକାକ୍ଷର ଭଜି । କଳି ଦମନ ଦୂରୁ ତେଜି । ।
ବ୍ରହ୍ମ ଦର୍ଶୀରେ ପରାୟଣ । ଭକ୍ତ ମୋ ରହିଥିବ ଜାଣ । ।
ମହିମା ପ୍ରସଙ୍ଗ ପ୍ରକଟେ । ନାମ ତା କିଣୁ ଦାସ ଅଟେ । ।
ଶିଶୁ ଲବ୍‌ଧାରେ ଅନହତ । ବ୍ରହ୍ମ ଲବ୍‌ଧାରେ ଅଟେ ସ୍ଥିତ । ।
ଯୁଗ ଲବ୍‌ଧାରେ ପରଂବ୍ରହ୍ମ । ବିଶ୍ରାମୀ ଗୁପତରେ ଜାଣ । ।
ପ୍ରାଣ ଲବ୍‌ଧାରେ ପ୍ରାଣାୟେସ । ଶତ ଅଧିକ ପଞ୍ଚବିଂଶ । ।
ଏରୂପେ ସେ ଭକ୍ତ ଅଟଇ । ଗୁପତେ ସତି ଥିବୁ ଚାହିଁ । ।
ଅନନ୍ତ ଯୋଗ ଲବ୍‌ଧାଭାବ । ଯତନେ ତାକୁ କର ଠାବ । ।
ନୂତନ ଅଙ୍ଗ ନୂଆ ଯୁଗେ । ନୃସିଂହ ବାମନ ପ୍ରସଙ୍ଗେ । ।
ପଦ ପୁଷ୍ପର ପ୍ରାଏ ତନୁ । ମୁଖ ବିକାଶେ ଯେହ୍ନେ ଭାନୁ । ।
ଗୁପ୍ତେ ବୁଝିଥା ମହାସତୀ । ଜଗି ରହିବୁ ତାର କତି । ।
ତଦନ୍ତେ ଅନନ୍ତର ଖେଳ । ଦେଖିବୁ ନିତ୍ୟ ଯେ ମଣ୍ଡଳ । ।
ବେନି କାଳରେ ବେନି କର୍ଣ୍ଣ । ଦେଖିବ ତୋହର ନୟନ । ।
କହିଲି ସାର ବଚନକୁ । ଟାକି ତୁ ଥିବୁ ଏଗାରକୁ । ।
କହଇ ଭୀମ ଅରକ୍ଷିତ । ଆଶା ମୁଁ କରିଛି ବହୁତ । ।

ପଞ୍ଚତ୍ରିଂଶ ଅଧ୍ୟାୟ


ଆଦି ଉବାଚ

ଜଣାଏଁ ଜଗତ ଜନନୀ । ଶିରେ ଜଣାଇ ବେନିପାଣି । ।
ଅବ୍ୟୟ ପୁରୁଷ ଗୋସାଇଁ । କଥାଏ ପଚାରିବି ମୁହିଁ । ।
ଏକାଦଶର ଯେତେ ରିତି । ଆଜ୍ଞା କରିଲ ପ୍ରାଣପତି । ।
ଏଣିକି କି ହେବ ହେ ସ୍ୱାମୀ । ନିର୍ଗୁଣ ସ୍ୱାମୀ ଅନ୍ତର୍ଯ୍ୟାମୀ । ।
ଅବ୍ୟୟ ପୁରୁଷ ଅନାଦି । କହିବା ଦ୍ୱାଦଶ ବିଭୁତି । ।
ଆଦି ଯେ ଜଣାଏଁ ଛାମୁର । ଅନାଦି ଗୁରୁଙ୍କ ପୟରେ । ।
କହନ୍ତୁ ସଂଶୟ ଫିଟାଇ । ଅନାଦି ପ୍ରଭୁ ଭାବଗ୍ରାହୀ । ।
ଆଶା ମୁଁ କରିଛି ବହୁତ । ଅବ୍ୟକ୍ତ ବ୍ରହ୍ମ ହେ ଅଚ୍ୟୁତ । ।

ଶ୍ରୀ ଅନାଦି ଉବାଚ

ନୀଳ ଧବଳ ବେନି ବର୍ଣ୍ଣ । ବାହାର ହୋଇବେକ ପୁଣ । ।
ସଂସାରେ କରିବେ ଭ୍ରମଣ । ଅର୍ଦ୍ଧ ନିଶୀରେ ସତୀ ପୁଣ । ।
କମ୍ପିବ ଧରଣୀ ମଣ୍ଡଳ । ମହୀ ହୋଇବ ଅସମ୍ଭାଳ । ।
ଅଭୁତ ବିଷୟଟି ଜାଣ । ଉଠିବ ଦମନର ସୈନ୍ୟ । ।
ଗମନ ମଣ୍ଡଳରେ ଜାଣ । ଚଳିବେ ଚଢ଼ି ଶୂନ୍ୟ ଯାନ । ।
ମର୍ତ୍ତ୍ୟରେ ପଡ଼ିଯିବ ଛାୟା । ନୀଳ ଯେ ନ ସହିବ ଏହା । ।
ଉଠିବ କୋପାଳନ ହୋଇ । କରରେ ଅସ୍ତ୍ର ଶସ୍ତ୍ର ଲଇ । ।
ଲଙ୍କା ଅଧିପ ସେନାପତି । ଧରଣୀ ମହା ମହାରଥୀ । ।
ପ୍ରବେଶ ସୁର ଯେ ନରେନ୍ଦ୍ର । ସଙ୍ଗତେ ଘେନି ହେବ ବୃନ୍ଦ । ।
ନୀଳ ନାମରେ ଏକବୀର । ସେ ଥିବ ଜାପାନ ଦେଶର । ।
ସେଠାରେ ବାନ୍ଧବଟି ଧ୍ୱଜା । ସଙ୍ଗତେ ଚଳିବେ ବିରଜା । ।
ସମଲପୁରେ ସମଲାଇ । ସେଠାରେ ପ୍ରବେଶିବେ ଯାଇଁ       । ।
ମିଳନ ସୈନ୍ୟ ଘେନି ତାର । ଜଗିବ ପଶ୍ଚିମ ଦୁଆର । ।
ତଦନ୍ତେ ବୁଝ ଗୋ ଭାରତୀ । ସୁବର୍ଣ ରେଖା ଉପସ୍ଥିତି । ।
ମିଳିବେ ଅଷ୍ଟ ଚଣ୍ଡୀଗଣ । ସଙ୍ଗତେ ଘେନି ଯେଝା ସୈନ୍ୟ       । ।
ପ୍ରବେଶ ହେବେ ମର୍ତ୍ତ୍ୟପୁର । ଶୁଣ ଗୋ ଆଦି ମୋ ଉତ୍ତର       । ।
ଅନନ୍ତ କ୍ଷେତ୍ରର ମଧ୍ୟରେ । ପ୍ରବେଶ ଯୁଗ ଶେଷଠାରେ । ।
କଳଙ୍କ କରିବେ ଅନନ୍ତ । ଗୁପତ ବ୍ରହ୍ମଚର୍ଯ୍ୟ ବ୍ରତ । ।
ସେକାଳେ ଧରମ ପରୀକ୍ଷା । ନିଷ୍କାମ ବ୍ରହ୍ମଚର୍ଯ ଦୀକ୍ଷା । ।
ଭଜନ ଏକାକ୍ଷର ନାମ । ପରୀକ୍ଷା ଅଟଇ ନିଗମ । ।
ଗୁରୁ ଆଜ୍ଞାର ମୂଳ ବାଟ । ସଂସାରେ ବସିଥିବ ହାଟ । ।
ଯୁଗ ଶେଷକୁ ଅନ୍ତି ଖେଳ । ଆଦି ଗୋ ଯତନେ ସମ୍ଭାଳ । ।
ଅଦ୍ଭୁତ ବିଷୟ ବାରତା । ଏ ବ୍ରହ୍ମଚର୍ଯ୍ୟ ଧର୍ମ ପନ୍ଥା । ।
ଖେଳ ହୋଇବ ଢ଼େଙ୍କାନାଳ । ଅନନ୍ତ ମହିଁମା ମଣ୍ଡଳ । ।
ଆସିବେ ତିନିପୁର ଲୋକ । ସୁର ଅସୁର ନାଗଲୋକ । ।
ବେଢ଼ିବେ ଅବନା ମଣ୍ଡଳ । ଖେଳ କରିବେ ଭକ୍ତ କୁଳ । ।
ପ୍ରବେଶ ଅଷ୍ଟ ଯେ ଚଣ୍ଡୀକା । ଦେଖିବେ ଧର୍ମର ପରୀକ୍ଷା । ।
ମ୍ଳେଚ୍ଛ ଅଧମ ଦୁରାଚାର । ପଡ଼ିବେ କେତୁକା ଖପର । ।
ସାଧୁ ନିନ୍ଦିତ ଯେତେ ପ୍ରାଣୀ । ବିରଜା ଭକ୍ଷିବଟି ପୁଣି । ।
ମାତୃହରଣ ଲୋକ ଯେତେ । କାଳୀକା ଭକ୍ଷି ଅନୁମିତେ । ।
ଭକ୍ତ ବୀର୍ଯ୍ୟରେ ଯେତେ ପ୍ରାଣୀ ।ହିଙ୍ଗୁଳା ଧରିନେବ ଟାଣି । ।
ଅଜ୍ଞା ଅବଜ୍ଞା ଯେତେ ନର । ବିମଳା ଦେବୀର ଖପର । ।
ଦତ୍ତ ହରଣ ଯେତେ ପ୍ରାଣୀ । ମାହେଶ୍ୱରୀର ଭାଗେ ପୁଣି । ।
ବାଳ ଉର୍ଭିଣୀ ଶିଶୁ ବଧ । ଶାରଦା କରିବ ଏ ବଦ୍ଧ । ।
ଭେକ ନ ମାନି ମୂଢ଼ ପଣେ । ମଙ୍ଗଳା ଭକ୍ଷିବ ଯତନେ । ।
ଗୁପତେ ଦେଖୁଥିବୁ ରହି । ମୋ ଭକ୍ତ ଗଣ ଥିବେ ଯହିଁ । ।
ସେପୁରେ ପ୍ରବେଶ ହୋଇବୁ । ଅନନ୍ତ ରାହାସ ଦେଖିବୁ । ।
ଯେ ଜାଣେ ଆଦ୍ୟ ମଧ୍ୟ ପ୍ରାନ୍ତ       । ଏକା ରହିବେ ସେହି ଭକ୍ତ । ।
ବ୍ରହ୍ମରେ ଲୀନ ହେବେ ସେହୁ । ବାରି ବାରଣ କରେ ଯେହୁ । ।
ବ୍ରହ୍ମ ଓଁକାର ମନ୍ତ୍ର ସାର । ଯେ ଭକ୍ତ ଜପେ ନିର୍ବେଦର । ।
ସେ ଭକ୍ତ ନ ପଡ଼ିବ ରଣେ । ଉଜାଣି ଛନ୍ଦିବ ଯତନେ । ।
ଫେରାଇ ଆଣିବ ମରୁତ । ନିଜ ଇଚ୍ଛାରେ ପଞ୍ଚଭୁତ । ।
ରଖି ପାରିଲେ ଅଦଭୁତେ । କହିଲୁଁ ତୋହର ଅଗ୍ରତେ । ।
ତତ୍ତ୍ୱ ତାରକ ମନ୍ତ୍ର ସାର । ଜପ କରଇ ନିରାନ୍ତର । ।
ଅବନା ଏକାକ୍ଷର ଧୂନୀ । ଜପଇ ଯାହାର ମୂର୍ଦ୍ଧନୀ । ।
ଗର୍ଜି ଉଠିବ ପଞ୍ଚାନଳ । ଶରୀର ନ ପଶିବ କାଳ । ।
ଆବର ଚିଆଁ ଚଇତନ । ହେତୁ ଚେତାରେ ରହେ ପୁଣ       । ।
ବ୍ରହ୍ମରେ ଲୀନ ହେଲେ ସେହି । ଆଜ୍ଞାକୁ ଶିର ପରେ ବହି । ।
ଗୃପତେ ଲୁଚାଇଣ ଅଙ୍ଗ । ପରମ ବ୍ରହ୍ମ ବାର ସଙ୍ଗ । ।
ନିତ୍ୟ ନିର୍ମଳ ନିରାଧାର । ନର ଦେବଙ୍କୁ ଅଗୋଚର । ।
ଅଙ୍ଗରୁ ଉପାଙ୍ଗ ସହିତେ । ଏକତ୍ୱ ଭାବ ଅବିରତେ । ।
ତଦନ୍ତେ ବୁଝ ଗୋ ଭାରତୀ । ନିର୍ଗୁଣ ଉପାସନା ରୀତି । ।
ମଉନ ରୂପେ ଅବତାର । ଦେଖିବୁ ନେତ୍ରରେ ତୋହର । ।
ସେ ଅଙ୍ଗେ ବିଭୁତି ଅପାର । ବେଦ ବେଦାନ୍ତେ ଅଗୋଚର
ଖୋଜିବୁ ଯୁଗ ଶେଷ କାଳେ । ସିଦ୍ଧ ପାଟଣା ଢ଼େଙ୍କାନାଳେ । ।
ରୂପତେ ବ୍ରହ୍ମଚର୍ଯ୍ୟ ମତ । ବ୍ରହ୍ମ ପ୍ରଳୟ ପଞ୍ଚଭୂତ । ।
ଅଙ୍ଗରେ ବୀରବଧୂ ଲାଇ । ସିଦ୍ଧ ପଦରେ ଥିବ ସେହି । ।
ନଲାଗେ ଅଙ୍ଗେ କର୍ମକାଣ୍ଡ । ପ୍ରଳୟ ଯୋଗୀ ମାରକଣ୍ଡ । ।
ତା ମୂଳେ ଭକ୍ତେ ଥିବ ରହି । ଅନନ୍ତ ଖେଳ ବେଳ ଚାହିଁ । ।
ଛନ୍ଦ କପଟ ମାୟା ତମ । ନଲାଗେ ଶରୀରେଟି ଜାଣ । ।
ଏମନ୍ତ ଭକ୍ତ ଯେ ମୋହର । ତା ସଙ୍ଗେ ଦ୍ୱାପର ଯୁଗର । ।
ଆଗତ ଭବିଷାନ୍ତ ବାଣୀ । ସେ ଭକ୍ତ ମୋର ପାରେ ଜାଣି       । ।
ସ୍ନେହ ଅଧିକ ବଳାଇଲି । ମନ୍ତ୍ରୀ ଚଉର୍ଯ୍ୟ ପଣ ଦେଲି । ।
ତୋତେ ମୁଁ କହିଲି ବତାଇ । ଶିଶୁ ଅନନ୍ତ ଖେଳ ଚାହିଁ । ।
ଗୁପତ ଖେଳଇ କାହାଣୀ । ମୀନ ଶନିର ମଧ୍ୟେ ପୁଣି । ।
ଉଠିବ ପ୍ରଜ୍ୱଳିତ ଧାର । ରକ୍ତ ନଦୀ ଯେ ଜୋରନ୍ଦାର । ।
କହଇ ଭୀମ ଅରକ୍ଷିତ । ସମ୍ଭାଳି ଥାଅ ସାଧୁ ସନ୍ଥ । ।
ମୀନ ଶନିର ଆଗମରେ । ନିଶ୍ଚୟ ହୋଇବଟି ବାରେ । ।

ଷଡ଼ତ୍ରିଂଶ ଅଧ୍ୟାୟ


ଆଦି ଉବାଚ

ଭକ୍ତ ଭାବରେ ପୃଚ୍ଛେ ସତୀ । ଶୁଣ ହେ ପ୍ରଭୁ ପ୍ରାଣପତି । ।
ଅଭୟ ନମାମି ପଞ୍ଚର । କରୁଣା ସିନ୍ଧୁ ଦାମୋଦର । ।
ବନ୍ଦଇ ଚରଣାରବିନ୍ଦ । ହେ ମହାପୁରୁଷ ମୁକୁନ୍ଦ । ।
କହିଲ ଗୁପତ ବତାଇ । ଅନାଦି ପ୍ରଭୁ ଭାବଗ୍ରାହୀ । ।
ତୋହର ଶ୍ରୀମୁଖ ବଚନ । ମୁକ୍ତି ଲଭିଲି ତତକ୍ଷଣ । ।
ଆଶା ମୁଁ କରିଛି ଅପାର । ମନୁ ସଂଶୟ କର ଦୂର । ।
କହି କାକୁସ୍ତେ ଯୋଡ଼ି କର । ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ।
କହ କି ହେବ ମୀନ ଯୋଗେ । ଶନିଶ୍ଚରଙ୍କ ଆଦ୍ୟ ଭୋଗେ । ।
ଶୁଣିଲେ ନିସ୍ତରିବି ମୁହିଁ । ଦୟା କରନ୍ତୁ ଭାବଗ୍ରାହୀ । ।
ଅଭାଗୀ ଅଧୀନ ଛାମୁରେ । ଭୋ ପ୍ରଭୁ ଦୟାକର ବାରେ । ।
ନିରାଶ ନ କରିବ ଢ଼ାଳେ । କଞ୍ଜର ବାସନା ନିରୋଳେ । ।
ବେଢ଼ି ଅଛନ୍ତି ଭକ୍ତଗଣ । ବାସନା ବାସକୁ ଭେଦିଣ । ।
ସେ ବାସ କିରୁପେ ମିଳିବ । ଭଗତ ଗଣେ ବାଣ୍ଟିଦେବ । ।
କି ରୂପେ କେଉଁଠାରେ ଭେଟ । ଟାକି ମୁଁ ରହିଥିବି ବାଟ । ।
ନିର୍ଣ୍ଣୟ କରି କହ ନାଥ । ଛାମୁରେ ଜଣାଏଁ ନିୟତ । ।
ଆଶା ମୁଁ କରିଅଛି ରହି । ଗୁରୁଙ୍କ ଆଜ୍ଞା ଶିରେ ବହି । ।
ଯେତେ ମୁଁ ଶୁଣିଲି କର୍ଣ୍ଣରେ । ଆଶା କରିଛି ନିରନ୍ତରେ । ।
ତତ୍ତ୍ୱ ତାରକ ବ୍ରହ୍ମଜ୍ଞାନ । ଶ୍ରୀମୁଖେ କହିଲ ଆପଣ । ।
ଆଶା ମୁଁ କରିଛି ଅପାର । ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ।
ଦୟା କରନ୍ତୁ ଦାୟାନିଧି । ଆଶା ମୁଁ କରିଛି ଅବଧି । ।

ଅନାଦି ବ୍ରହ୍ମ ଉବାଚ

କହନ୍ତି ସକଳ ବୁଝାଇ । ଆଦିର ଭକ୍ତିଭାବ ଚାହିଁ । ।
ମୀନର ଆଦ୍ୟ ଭାଗେ ଜାଣ । ପୃଥ୍ୱୀ ହୋଇବ ରଣଭଣ । ।
ପୂର୍ବ ଦିଗରେ ମୀନ ଉଦେ । ମିଳିବ ବିରଜା ସନ୍ନିଧ୍ୟେ । ।
ସେଠାରେ ଶନିଶ୍ଚର ସଙ୍ଗେ । ମେଳ ହୋଇବେ ନିଶୀ ଭାଗେ       । ।
କମ୍ପିବ ଓଡ଼ିଶା ମଣ୍ଡଳ । ଚନ୍ଦ୍ର ଭାଗା ଯେ ତୀର୍ଥଜଳ । ।
ସୋହତି ଉଠିବ ପ୍ରଖର । ମିଳିବ ପ୍ରାଚୀର ଗର୍ଭର । ।
ନର ମାନବ ହତକରି । ଜଳ ତରଳିବ ଲହରୀ । ।
ନିଶି ଅର୍ଦ୍ଧରେ ପରବେଶ । କିଛି ଓଡ଼ିଶା ଯିବ ନାଶ । ।
ପାତାଳପୁର ନାଗଗଣ । ଫେଣ ଉଭାରି ତତକ୍ଷଣ । ।
ମିଳିବେ କୁରୁକ୍ଷେତ୍ରଠାରେ । ଅନନ୍ତ ଗୁରୁଙ୍କ ପୟରେ । ।
କମ୍ପିବ ପାତାଳ ଭୁବନ । ଲୋକେ ହୋଇବେ ହତଜ୍ଞାନ       । ।
ନାଗ ମଗଧ ପୁର ଯାଏ । ଗୋ ଖୋଜ ପ୍ରାୟ ପୃଥ୍ୱୀ ହୁଏ       । ।
ସଲିକ କଳାଶିକ ତହିଁ । ଆଦି ଗୋ ଶୁଣ ମନଦେଇ । ।
ଅନଳ ଉଠିବ ଦକ୍ଷିଣେ । କାମାକ୍ଷୀ ରଣ ଚଣ୍ଡୀଗଣେ । ।
ଉତ୍ତରେ ଗଙ୍ଗାର କୁମର । ପ୍ରବେଶ ଅନଳ ମଧ୍ୟର । ।
ପଶ୍ଚିମେ ଅଗ୍ନି ବୃଷ୍ଟି ହେବ । ସିଂହିକା ନନ୍ଦନ ନାଶିବି । ।
ନାଗାନ୍ତି ଆସିବେ ବହୁତ । ଦୁର୍ଭିକ୍ଷ ପଡ଼ିବ ଜଗତ । ।
ରଣ ଭଣ ଗୋ ହେବ ମହୀ । ପଶ୍ଚିମେ ସଦ ଶିବ ନଈ । ।
ଶୁଖିବ ଜଳ ଅବିଳମ୍ବେ । ମୀନ ଶନିର ମଧ୍ୟଭାଗେ । ।
ମୋଗଲ ପଠାଣର ଧାଡ଼ି । ମଧ୍ୟ ଓଡ଼ିଶା ଥିବ ମାଡ଼ି । ।
ସିଂହ ମଙ୍ଗଳ ଗ୍ରହବୃଷ୍ଟି । କିଛି ମେଦିନୀ ଯିବ ଫାଟି । ।
ଗିରି କନ୍ଦର ଗୁମ୍ଫାମାନ । ମୋ ଭକ୍ତେ ବହିବେଟି ପୃଣ । ।
ଆସିବେ ଚଣ୍ଡୀକାଇଗଣ । ଭକ୍ଷିବେ ନଗ୍ରରେ ପଶିଣ । ।
ସିଦ୍ଧ ଅନନ୍ତ ବଟମୂଳେ । ବସିଣ ସିନ୍ଧୁ କୁତୁହଳେ । ।
ବାମ ଭୁଜକୁ ଟେକି ଧୀରେ । ଗୃପତେ ଅନନ୍ତ ଯୁଗରେ । ।
ବାଣ୍ଟିବ ଅମୂଲ୍ୟ ପସରା । ମଧୁ ସଂଯୁକ୍ତ ଘୃତଧାରା । ।
ଭଗତ ବୃନ୍ଦ ଭାବ ଭୋଳେ । ନୃତ୍ୟ କରିବେ ବାହୁମୂଳେ । ।
କେତେ ମୁଁ କହିବି ତିଆରି । ଗୁପତେ ଦେଖି ଆଦି ନାରୀ । ।
ସେ ଭକ୍ତ ମହିମା ଅପାର । ଅନନ୍ତ ଯୁଗ ଅଗ୍ରସର । ।
ଦେଖିବୁ କଳଙ୍କି ବେଳକୁ । ଆଦି ଗୋ ଅନନ୍ତ ଯୁଗକୁ             । ।
ବାମ ଭୁଜକୁ ଟେକି ଦେଇ । ଊର୍ଦ୍ଧ୍ୱ ନୟନ ଦେଲେ ଚାହିଁ । ।
ଝଡ଼ିବେ ମ୍ଳେଚ୍ଛ ଦୁରାଚାର । ମଉନ ବ୍ରହ୍ମ ଅବତାର । ।
ଡାହାଣ ଭୁଜ ପ୍ରହାରିଲେ । ଅନଳ ଉପୁଜିବ ଭଲେ । ।
ଅଙ୍ଗରୁ ଉପୁଜିଲେ ସ୍ୱେଦ । କ୍ରୋଧ ଅନଳେ ଅଦଭୁତ । ।
ଅନଳ ପ୍ରସଙ୍ଗ ପ୍ରଖର । ଯୋଗମାୟା ଯେ ଅଗ୍ରସର । ।
ଜଗିଛି ବାମ ଡାହାଣରେ । କେବଳ ଆଜ୍ଞା ବହି ଶିରେ । ।
ନୟନ ତରାଟିଲେ କୋପେ । ବାବନା ଭୂତ ଯେ ନିଶଙ୍ଗେ । ।
ପାଦକୁ ପ୍ରହାର କରିଲେ । ପୃଥ୍ୱୀ ଗୋ ରସାତଳ ଭଲେ । ।
ମୁଖ ବଚନ ପ୍ରଜ୍ୱଳିତ । ନାଶ ହୋଇଲେ ଅକିଞ୍ଚିତ । ।
ଶୂନ୍ୟ ବ୍ରହ୍ମରେ ଦୃଷ୍ଟି ଦେଲେ । ମିଳିବେ ଅନ୍ତରିକ୍ଷୁ ଭଲେ । ।
ପରମ ବ୍ରହ୍ମ ଗୁପ୍ତଭାବେ । ବିଶ୍ରାମି ଭଗତର ଅଙ୍ଗେ । ।
ସେ ଭକ୍ତ ଧନ୍ୟ କଳିଯୁଗେ । ରାସ ଉତ୍ସବ ପ୍ରେମ ଭାବେ । ।
କରି ଗୃପତେ ଥିବ ରହି । ଅନନ୍ତ ଆସିବାର ପାଇଁ । ।
ଦିନ କଣ୍ଟକୁ ଧରି ଚିତ୍ତେ । ଆଶ୍ରୟ ଗୁରୁ ପାଦ ଗତେ । ।
କହଇ ଅରକ୍ଷିତ ଭୀମ । ଅବର୍ଣ୍ଣ୍ୟ ସ୍ୱାମୀ ପରଂବ୍ରହ୍ମ । ।
ନିଶ୍ଚେ ଆସିବେ ସ୍ୱଦେହରେ । ଦେଖିବି ଏ ପାପ ନେତ୍ରରେ । ।

ସପ୍ତତ୍ରିଂଶ ଅଧ୍ୟାୟ


ଆଦି ଉବାଚ

ଆଦି ଅନନ୍ତ ଯୁଗ ସାର । ପୃଚ୍ଛଇ ଶ୍ରୀଗୁରୁ ପୟର । ।
କହ କେବଣ ଦିନେ ସ୍ୱାମୀ । ନିର୍ଗୁଣ ପ୍ରଭୁ ଅନ୍ତର୍ଯ୍ୟାମୀ । ।
ଆସିବେ କଳଙ୍କି ଲୀଳାକୁ । ପୁଚ୍ଛେ ମୁଁ ଗୁରୁ ସଦନକୁ । ।
ଆଜ୍ଞା କରନ୍ତୁ ଭଗବାନ । ପୁଚ୍ଛଇ ଶ୍ରୀଛାମୁରେ ପୃଣ । ।
ନିରାଶ ନ କର ହେ ନାଥ । ଛାମୁରେ ଯୋଡ଼ୁଅଛି ହସ୍ତ । ।
ଚରଣ ତଳେନିଯୋଗାଇ । ଆଶ୍ରୟ କରିଅଛି ମୁହିଁ । ।
ଦୀନ ଦୁରିତ ନିବାରଣ । କିଞ୍ଚିତେ ଆଜ୍ଞା ହେଉ ପୁଣ । ।
କୋଟି ବିନତି ଶ୍ରୀଛାମୁରେ । ଆଜ୍ଞା ଅବଜ୍ଞା ନାହିଁ ବାରେ । ।
ପଦ୍ମପାଦରେ ପୁଚ୍ଛେ ସତୀ । ଅନନ୍ତ ଯୋଗର ବିଭୂତି । ।
ଅପ୍ରାଧ କ୍ଷମାକର ମୋର । ଭୋ ପ୍ରଭୁ ବ୍ରହ୍ମାଣ୍ଡ ଠାକୁର । ।

ଅନାଦି ବ୍ରହ୍ମ ଉବାଚ

ଶୁଣ ଗୋ ସତୀ ମୋ ଉତ୍ତର । ଯାହା ତୁ ପୁଚ୍ଛିଲୁ ଛାମୁର । ।
କହୁଛି ତୋହର ଅଗ୍ରତେ । ମାୟା ଗୋ ନ ରଖିଣ ଚିତ୍ତେ       । ।
ତୁ ଯେଣୁ ଜଗତ ଜନନୀ । ତେଣୁ ମୁଁ କହୁଅଛି ପୁଣି । ।
ପ୍ରଘଟ ନ କରିବୁ କାହିଁ । କହିଲେ ଦ୍ରୋହୀ ହେବୁ ତୁହି । ।
କଳଙ୍କି ବିଷ୍ଣୁ ମୋର ସଙ୍ଗେ । ଖେଳ କରୁଛି ଭୂମିଭାଗେ । ।
ସେ ପୁଣି ତନୁକୁ ତେଜିବ । ବଉଦ ବଳାସିଂହା ଠାବ । ।
ଯାଜ ନଗ୍ରରେ ଜାତ ହେବ । କଳିଙ୍କି ବିଷ୍ଣୁ ବୁଝ ଧ୍ରୁବ । ।
ନୃସିଂହ ନାମ ଅଟେ ତାର । ସେ ପୁଣି ଆସି ମୋ ଛାମୁର       । ।
ଭେଟ ହୋଇବ ମହାନିତ୍ୟ । ତୋତେ ମୁଁ କହିଲି ସଙ୍କେତ । ।
ଶେଷ କଳଙ୍କି ଅବତାର । କହିଲି ତୋହର ଛାମୁର । ।
ସମାଧି ଯୋଗକୁ ତେଜିବି । ଗୁପତେ ଏକାନ୍ତରେ ଥିବି । ।
ଅନନ୍ତ ବିଷ୍ଣୁ କୁଳେ ଜାତ । ଜାତ ହୋଇବ ଏହି ମର୍ତ୍ତ୍ୟ । ।
ଆଦି ଶକତି ମୋର ମାତ । ମୋ ପିତା ଅଟଇ ଅନନ୍ତ । ।
ଏମନ୍ତେ କହୁଛି ବତାଇ । ଆଦି ଗୋ ହେତୁ କର ତୁହି । ।
ଗୁରୁ ଶିଷ୍ୟଙ୍କର ଏକାନ୍ତ । ଅନନ୍ତ ଯୋଗ ସମାପତ । ।
ତୁ ତେଣୁ ନିଜ ମାତା ମୋର । କହିଲି ଯୋଗର ବିଚାର । ।
ଯାହା ତୁ ପଚାରିଲୁ ମୋତେ । ଫେଡ଼ିଣ କହି ଦେଲି ତୋତେ       । ।
ମେଳଚ୍ଛ ଦମନ ହୋଇଲେ । ଅନନ୍ତ ଯୋଗ ଶେଷ ଭଲେ । ।
ଶୁଣ ହେ ସାଧୁ ସନ୍ଥ ଜନ । ବାହାର ହୋଇବେ ଦମନ । ।
ଅସ୍ତ୍ର ଶସ୍ତ୍ରକୁ ଥାଅ ଧରି । ଶ୍ରୀଗୁରୁ ଆସିବେଟି ଫେରି । ।
ନିଶ୍ଚୟେ କଳଙ୍କି ହୋଇବ । ଯେ ଦିନ ମୀନ ଶନି ଭୋଗ । ।
ପଞ୍ଚଗ୍ରହ ଯେ ଯୁକ୍ତ ହେବେ । ଆଗାମୀ ଅଢ଼ାଇର ଯୋଗେ       । ।
ତଦନ୍ତେ ଷଡ଼ ଗ୍ରହ ଆସି । ଶନି କୁମ୍ଭରୁ ଯିବେ ଖସି । ।
ପ୍ରବେଶ ମୀନ ସଙ୍ଗତରେ । ଟାକି ଥାଅ ହେ ସୁଜ୍ଞ ନରେ । ।
ହୋଇବ ଅସଂଖ୍ୟ ସମର । ଦମନ ହୋଇବ ବାହାର । ।
ବିଷ୍ଣୁ ନାଶିବ ଅବହେଳେ । ଭଗତେ ରଖି ବାହୁବଳେ । ।
ମ୍ଳେଚ୍ଛଙ୍କୁ ଦମନ ନାଶିବ । ଦୁର୍ଗା ଖପର ପକାଇବ । ।
ଅସତ୍ୟ କଳି ଯେ ଦମନ । ଶୁଣ ହେ ସାଧୁ ସୁଜ୍ଞଜନ । ।
ନ ପଡ଼ ଦମନର ଭାଗେ । ଚେତାଇ ହେଉଅଛି ଆଗେ । ।
ସତ୍ୟ ନାବରେ ବସ ବାଇ । ପାର ହୋଇବ ଭବ ନଈ । ।
କହଇ ଭୀମ ଅରକ୍ଷିତ । ଶ୍ରୀଗୁରୁ ମୋର ସାମରଥ । ।