ସାରଥି


 ସାରଥି

ଲେଖକ / କବି : କାଳୀଚରଣ ପଟ୍ଟନାୟକ

‘‘ପଞ୍ଚ ପଡ଼ା ମାତ୍ର ମାଗେ
      ନୁହେ ପଞ୍ଚ ରାଜ୍ୟ,
ଦିଅ ରାଜା ଦୁର୍ଯ୍ୟୋଧନ
      ପାଣ୍ଡବର ନ୍ୟାଯ୍ୟ ।’’
      
ଶକୁନିର ପରାମର୍ଶେ
      ରାଜା ଦୁର୍ଯ୍ୟୋଧନ,
ସୂଚ୍ୟଗ୍ର ମେଦିନୀ ଦାନେ
      କରିଲା ବାରଣ ।
 
କ୍ଷୁର୍ଣ୍ଣ ମନେ ବାହୁଡ଼ିଲେ
      ସଭାରୁ ଗୋବିନ୍ଦ,
ଝାଉଁଳି ପଡ଼ିଛି ଶିରୀ,-
      ମୁଖ-ଅରବିନ୍ଦ ।
      
ପୁଚ୍ଛିଲେ ପାଣ୍ଡବ ମାତା
      ପାଣ୍ଡୁ ପଞ୍ଚଭାଇ,
‘‘କି ହେଲା ଗୋବିନ୍ଦ ! କିପାଁ
      ମନେ ସୁଖ ନାହିଁ ?’’
 
କହିଲେ ଶ୍ରୀକୃଷ୍ଣ,
      ‘‘ଗଲି ପଞ୍ଚପଡ଼ା ମାଗି,
ମନା କଲା ଦୁର୍ଯ୍ୟୋଧନ,
      ଭିକ୍ଷା ଦାନ ଲାଗି ।’’
 
ଭୀମ କହେ, ‘‘ଜାଣେ ମୁହିଁ
      ପୂର୍ବେ ତ କହିଛି,
ଉପରୋଧ ଅନୁରୋଧେ-
      ଫଳ ନାହିଁ କିଛି ।
 
ତୁଟିଲା ତ ମୋହ ଏବେ
      ଭାଙ୍ଗିଲା ତ ନିଦ,
ଅପମାନେ ଫେରିଲେ ତ
      ଆପଣେ ଗୋବିନ୍ଦ ?
 
ଅର୍ଥ ବଳେ, ଅନ୍ନ ବଳେ
      ରାଜ୍ୟ ଦେଇ ଅବା,
କିଣି ଅଛି ଦୁର୍ଯ୍ୟୋଧନ
      ଦ୍ରୋଣ କର୍ଣ୍ଣ ଗଭା ।
 
ଗର୍ବ-ପର୍ବତେ ହୋଇଛି
      ପକ୍ଷର ସୃଜନ,
ସେ କିପାଁ ଘେନିବ
      କହ ଗୋବିନ୍ଦ ବଚନ ?’’
 
ସବୁଥିରେ ଜ୍ୟେଷ୍ଠ ଖାଲି
      ଦୋଳାଇବେ ମଥା,
ନତୁ କେତେ କାଳୁ କଥା
      ହୁଅନ୍ତା ଅନ୍ୟଥା ।’’
 
କହିଲେ ଗୋବିନ୍ଦ,
      ‘‘ଆଉ କଥାରେ କି କାର୍ଯ୍ୟ ?
ମନେ ହୁଏ-କୁରୁକ୍ଷେତ୍ର
      ଯୁଦ୍ଧ ଅନିବାର୍ଯ୍ୟ ।’’
 
ଧର୍ମ୍ମରାଜ ମନ ଦୁଃଖେ
      କହିଲେ, ‘‘ହେ ହରି,
ବିଧି ବିଧିକି ଅସିଦ୍ଧି
      କେ ପାରିବ କରି ?
 
ପିତାମହ ଭୀଷ୍ମ, ପୁଣି
      ଦ୍ରୋଣ ଅସ୍ତ୍ରଗୁରୁ,
ଏମାନେ କି ଅସ୍ତ୍ରଧାରୀ
      ହେବେ ସେ ପକ୍ଷରୁ ?’’
 
‘‘ଅନ୍ନପୁଷ୍ଟ, ଦୁର୍ଯ୍ୟୋଧନେ
      ତେଜିବେ କିପରି ?
ଗତ୍ୟନ୍ତର ଅଛି କାହିଁ ?’’
      କହିଲେ ଶ୍ରୀହରି ।
 
ଅର୍ଜୁନ କହିଲେ, ‘‘ସଖା, ।
      ନାହିଁ ମୋର ଦର
ନିଜ କଥା କହିବଟି
      ଆପଣେ ଶ୍ରୀଧର ।
 
ସଂଶପ୍ତକ ସେନା ତୁଲେ
      ତୁମ୍ଭେ ଥିଲେ ଏକା,
ବିଜୟୀ ପାଣ୍ଡବ ନିଶ୍ଚେଁ
      ସ୍ୱର୍ଣ୍ଣାକ୍ଷରେ ଲେଖା ।’’
 
ଶ୍ରୀକୃଷ୍ଣ କହିଲେ, ‘‘ଶୁଣ,
      ପାଣ୍ଡବ ମଧ୍ୟମ
ଇତି ମଧ୍ୟେ ଘଟିଲାଣି
      ଅଘଟ ଘଟନ ।
 
ଜାଣ ତୁମ୍ଭେ ହଳଧର
      ବନ୍ଧୁ କୌରବର
ନୀରବ ରହିବି ମୁହିଁ
      ଇଚ୍ଛା ତାହାଙ୍କର ।
 
ଆମନ୍ତ୍ରିଛି ନିଜ ପକ୍ଷେ
      ମୋତେ ଦୁର୍ଯ୍ୟୋଧନ,
ସଭାରେ ମୁଁ କହି ଅଛି
      ଏମନ୍ତ ବଚନ:-
 
‘‘ଏ ସମରେ ଅସ୍ତ୍ର ମୁହିଁ
      ନ କରିବି ଘେନା
ଯୁଦ୍ଧେ ଯୋଗ ଦେବେ ମୋର
      ସଂଶପ୍ତକ ସେନା ।
 
ନିରସ୍ତ୍ର ରହିବି ମୁହିଁ,
      ଯାହା ପକ୍ଷ ଧରି
ସେନାଏଁ ଯୁଝିବେ ତାର
            ବିପକ୍ଷ ଆଦରି ।’’
 
କହିଲେ କିରୀଟୀ, ‘‘ଦେବ,
      କର ସମାଧାନ,
କେଉଁ ପକ୍ଷେ ସଂଶପ୍ତକ,
      କାହାର ଆପଣ ?
 
ସତ୍ୟ ଯେବେ କରି ଅଛ
      ଆପଣେ ଶ୍ରୀଧର,
ମୀମାଂସା ଆପଣା ହାତେ,
      ପ୍ରଶ୍ନ ଗୁରୁତର ।’’
 
‘‘ଏହି ପ୍ରଶ୍ନ କରିଥିଲେ
      ମୋତେ ଦୁର୍ଯ୍ୟୋଧନ,’’
ଶ୍ରୀ କୃଷ୍ଣ କହିଲେ ‘‘ଶୁଣ,
      ଦେଇଛି ବଚନ:-
 
ଶୟନାନ୍ତେ ଆଜି ନିଶି
      ହୋଇଲେ ପ୍ରଭାତ,
ଦୁର୍ଯ୍ୟୋଧନ, ସବ୍ୟସାଚୀ
      ଥିବେ ଉପଗତ ।
 
ନିଦ୍ରା ତେଜି ମୁଖ ଯାର
      ପ୍ରଥମେ ଦେଖିବି
ନ ଧରିଣ ଅସ୍ତ୍ର ମୁହିଁ
      ତା ପକ୍ଷେ ରହିବି ।
 
ବିପକ୍ଷ କୁଳରେ ମୋର
      ସଂଶପ୍ତକ ସେନା,
ଏ କଥାକୁ ସଭାସ୍ଥଳେ
      ସର୍ବେ କଲେ ଘେନା ।’’
 
ଅର୍ଜ୍ଜୁନ ବୋଇଲେ,
      ‘‘ସଖା ! ତୁମ୍ଭ କଥା ରହୁ,
ସମଦୃଷ୍ଟି ଗୋବିନ୍ଦର
      ତ୍ରିଭୁବନ ଗାଉ ।’’
-ଦୁଇ-
ଚିନ୍ତିତ ଉନ୍ନିଦ୍ର ପାର୍ଥ
      ପୁହାଇ ଶର୍ବରୀ,
କୃଷ୍ଣ ସନ୍ନିଧାନେ ଗଲେ
      ଗୋବିନ୍ଦ ସୁମରି ।
      
ଦେଖିଲେ ସେ ଭାଜିନାହିଁ
      ଶ୍ରୀହରି-ଶୟନ,
ସୀମସ୍ଥାନେ ବସିଛନ୍ତି
      ମାନୀ ଦୁର୍ଯ୍ୟୋଧନ ।
      
ପଦତଳେ ଉଭାହେଲେ
      ଅନୁଗତ ସରି,
ଦେଖି ଦୁର୍ଯ୍ୟୋଧନ ଚିତ୍ତେ
      ଘୃଣା ଗଲା ଭରି ।
 
ଡାକିଲା କଜ୍ଜଳପାତୀ
      ଶେଷେ ବିଭାବରୀ,
କମଳ-ନୟନ ମେଲି
      ଚେତିଲେ ଶ୍ରୀହରି ।
      
ପଡ଼ିଲା କରୁଣା-ନେତ୍ର
      ଅର୍ଜ୍ଜୁନର ପରେ,
ସ୍ନେହ ଭକ୍ତି ଘେନି
      ପାର୍ଥ ପ୍ରଣମେ ପୟରେ ।
 
ହସି ପାର୍ଥେ ହରି କଲେ
      ଶୁଭ ସଂଭାଷଣ,
ଅଭିମାନେ ଦୁର୍ଯ୍ୟୋଧନ
      ତେଜିଲେ ଆସନ ।
      
ଗୋବିନ୍ଦ ଦେଖିଲେ ପଛେ
      ରାଜା ଦୁର୍ଯ୍ୟୋଧନ,
ପଚାରିଲେ ‘‘କେତେବେଳେ
      ଆସିଛ ଆପଣ ?’’
 
‘‘ଆସିଲିଣି ବହୁକାଳୁଁ’’
      ଭାଷେ ଦୁର୍ଯ୍ୟୋଧନ
‘‘ମୋହୋପରେ ପ୍ରବେଶିଲେ
      ପାଣ୍ଡବ-ମଧ୍ୟମ ।’’
      
‘‘ନୟନ ମେଲାଇ କିନ୍ତୁ
      ଦେଖିଲି ପହିଲେ
କିରୀଟି ବଦନ’’, -ବୋଲି
      ଶ୍ରୀକୃଷ୍ଣ କହିଲେ ।
 
‘‘ତେଣୁ ନିଜେ ଯୋଗ ଦେବି
      ପାଣ୍ଡବ ପକ୍ଷରେ,
ବଚନ ପ୍ରମାଣେ ଅସ୍ତ୍ର
      ନ ଧରିବି କରେ ।’’
      
ଦୁର୍ଯ୍ୟୋଧନ କହେ ‘‘ମୁଁ ଯେ
      ଆସିଛି ପ୍ରଥମ,’’
ଶ୍ରୀକୃଷ୍ଣ ଭାଷିଲେ ‘‘ନିନ୍ଦ୍ରା-
      ତେଜି ମୋ ନୟନ,-
 
ଅର୍ଜୁନେ ଭେଟିଛି, ତେଣୁ
      ଦୋଷ ନ ବିଚାର
ସଂଶପ୍ତକେ ଯୋଗଦେବେ
      କୁରୁ ସ୍କନ୍ଦାବାର ।’’
      
ପାର୍ଥ କହେ ‘‘ସଖା, ବନ୍ଧୁ,
      ପ୍ରଭୁ ଚକ୍ରଧର,
ଜୀବନ ସାରଥି ! ହୁଅ
      ସାରଥି ରଥର ।’’