ରସିକ ହାରାବଳୀ
ରସିକ ହାରାବଳୀ
ଲେଖକ / କବି : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
ପ୍ରଥମ ଛାନ୍ଦ
ରସିକ ହାରାବଳୀର ଜନ୍ମ ଓ କୋଶଳ ଦେଶ ରାଜପୁତ୍ରର ବିବାହ କାମନା
(ରାଗ-ମଙ୍ଗଳ ଗୁଜ୍ଜରୀ)
ଜୟ ଜୟ ଜଗନ୍ନାଥ ଦାରୁ ରୂପଧାରୀ ।
ନୀଳଗିରୀଶ ଗିରୀଶ ବନ୍ଦନୀୟ ହରି ।୧।
ମହାବଳ ବଳ ଅବରଜ ଭଦ୍ରାଗ୍ରଜ ।
ଗରୁଡ଼ାସନ ସନକ ପୂଜ୍ୟ ଚତୁର୍ଭୁଜ । ୨।
ନୀରଦ ସୁନ୍ଦର ହରିହର ହରଷଦ ।
ଶମନ ମନରେ ଜାତ କର ମହାଖେଦ ।୩।
ସେ ପ୍ରଭୁ କମଳାକାନ୍ତ କାନ୍ତ ପଦ ଧ୍ୟାନେ ।
ଉପଇନ୍ଦ୍ର ବୀରବର ଅତି ତୋଷ ମନେ ।୪।
ବିଚାରଇ କରିବିଉତ୍ତମ ଛାନ୍ଦ ଗୀତ ।
ରସସାର ଶୃଙ୍ଗାର ତହିଁରେ ହେବ ବ୍ୟକ୍ତ ।୫।
ଅନୁଭବରୁ ପ୍ରଖ୍ୟାତ ମାନସ ରଚନା ।
ଶୁଣ ସୁରସିକମାନେ ହୋଇଣ ସୁମନା ।୬।
ବସନ୍ତ ଇନ୍ଦ୍ର ବିଜୟ ମଳୟ ଭୂଧରେ ।
ଅପସରୀ ଅପସରି ଅଛନ୍ତି ଛାମୁରେ ।୭।
ନାରଦ ବୀଣାବାଦ୍ୟରେ ହୋଇ ସାବଧାନ ।
ଶୁଣୁଛନ୍ତି ମନ ଦେଇ ଉର୍ବଶୀ ଗାୟନ ।୮।
କେଦାର ରାଗ ଆାଳାପ ରୁଛି ଅବଳା ।
ଏଣୁ ହୋଇଛନ୍ତି ବଳାରାତି ଅତିଭୋଳା ।୯।
ଢାଳୁଥିଲା ଚାମର ଏକହିଁ ବିଦ୍ୟାଧର ।
ପୁଷ୍ପଶର ବିକାରେ କମ୍ପିତ କଳେବର ।୧୦।
ପତନ ଶୁକ୍ର ଉପରେ ଏଣୁ ସେ କୁପିତ ।
ବୋଇଲେ ତୁ ଶାପ ଘେନି ମର୍ତ୍ତ୍ୟେ ହୁଅ ଜାତ ।୧୧।
ବଜ୍ରାଘାତ ପରାୟେ ସେ ବଚନ ମଣିଲା ।
ଶାପ ପ୍ରତିକାର କର ଯୋଡ଼ିଣ ମାଗିଲା ।୧୨।
କୃପାବଶେ ବୋଇଲେ ଉତ୍କଳେ ଜନ୍ମ ହୋଇ ।
କ୍ଷେତ୍ରରାଜେ ବହୁକାଳ ବିଷ୍ଣୁ ସେବ ତୁହି ।୧୩।
ବଂଶ ରଖି ଭୂମିରେ ଅମରପୁରେ ଆସ ।
ଏ ବଚନେ ବିଦ୍ୟାଧର ମନ୍ଦିରେ ପ୍ରବେଶ ।୧୪।
ନିଜ ବନିତାକୁ ଘେନି ମହୀରେ ଜନ୍ମିଲା ।
ଜାତିସ୍ମର ହେବାରୁ କ୍ଷେତ୍ରରେ ବାସ କଲା ।୧୫।
କେତେ କାଳ ବିଦ୍ୟାଧରୀ ସେବିଲା ବିମଳା ।
ଦିବ୍ୟସୁତା ପ୍ରାପତରେ ମନ ବଳାଇଲା ।୧୬।
ସେ ଦେବୀର ଏମନ୍ତ ପ୍ରତିଭାଧାତା ଚିତ୍ତ ।
ଉତ୍ତମ ରାମା ନିର୍ମାଣେ ହେଲା ଚଞ୍ଚଳିତ ।୧୭।
ଦର୍ବଣୁ ଝଳି କମଳୁ ବାସ ବଳେ ହରି ।
ଚନ୍ଦ୍ରରୁ ଆହ୍ଲାଦ ନେଇ ଲପନରେ ଭରି ।୧୮।
ନୀଳୋତ୍ପଳୁଁ ନୀଳ ଖଞ୍ଜନରୁ ଚଞ୍ଚଳତା ।
ବିଶିଖୁଁ ତୀକ୍ଷ୍ଣ ଆଖି ଆଖି କଲା ଧାତା ।୧୯।
କାଳିନ୍ଦୀ ଜଳ ଜଳଦ ଠାରୁ ହରି କଳା ।
ଚାମର ନୀଳ ରୁଚିରୁ କୁଟିଳ ହରିଲା ।୨୦।
କେଶ କଳା ତାହା ବେଶ ହେବା ପାଇଁ ପାଞ୍ଚି ।
ଫୁଲ କଙ୍କତିକା ପାଟସୁତ୍ର ଥାଇ ସଞ୍ଚି ।୨୧।
ଲବଣୀ ଶିରୀଷରୁ କୋମଳ ନେଇ ଦେହେ ।
ବିଦ୍ୟୁ ହେମ ଚମ୍ପା କାନ୍ତି ହରି କାନ୍ତିବହେ ।୨୨।
ଯେଉଁଅଙ୍ଗକୁ ଉପମା ଯେଉଁ ଦ୍ରବ୍ୟ ହୋଇ ।
ତହୁଁ ସାର ନେଇଟି ସେ ତନୁ କଲା ବିହି ।୨୩।
ଜନ୍ମ ଦେଇ ଆଣି ଅପସରୀର ଉଦରେ ।
ଅବନୀ ସୁନ୍ଦର ହେଲା ତାହାରି ଶୋଭାରେ ।୨୪।
କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀ ବୋଲି ନାମ ଦେଲେ ।
ଯେତେ ଲୋକ ବାଳକାଳେ ବାଳାକୁ ଦେଖିଲେ ।୨୫।
ବିଜ୍ଞେ ଯେ ବୋଇଲେ ଏ ରସିକ ହାରାବଳୀ ।
ପିତାମାତା ହିଁ ଡାକିଲେ ବେନି ନାମ ଛଳି ।୨୬।
ଜନମୁଖେ ଖ୍ୟାତ ହେଲା ମହୋଜ୍ଜ୍ୱଳ ଯଶ ।
ପାଇଲେ ନୃପନନ୍ଦନେ ଏଣେ ମନେ ତ୍ରାସ ।୨୭।
ପୂର୍ବେ କୋଶଳ ଦେଶରେ ନରେଶକୁମର ।
ଦ୍ୱିଜଙ୍କ ବଦନୁ ଶୋଭା ଶୁଣୁଥାଇ ତାର ।୨୮।
ଗୁଣୁଥାଇ ମୋର ସେ କି ହୁଅନ୍ତା ବାନ୍ଧବୀ ।
କରନ୍ତି ମୁଁ ପଦତଳେ ମହତ ପଦବୀ ।୨୯।
କେଡ଼େ ଶୋଭା କେତେ ତାକୁ ବୟସ ପଚାରେ ।
ଚାର କେ ହୋଇବ ଏହି କଥା ତ ବିଚାରେ ।୩୦।
ବିପ୍ରକାମିନୀଏ କହି ଆରମ୍ଭିଲା ତାକୁ ।
ମୁଁ ଯାଇଁ ଧାଇ ସେମନୋରମାର ପୁରକୁ ।୩୧।
କହଇ ତାହାର ରୀତି ଶୁଣ ଶୋଭା ଲେଶି ।
ବତିଶ ପଦରେ ଏହି ଛାନ୍ଦ ହେଲା ଶେଷ ।୩୨।
ଦ୍ୱିତୀୟ ଛାନ୍ଦ
ରସିକ ହାରାବଳୀର ଶୋଭା ବର୍ଣ୍ଣନା
(ରାଗ-ବସନ୍ତ)
ଶୁଣ ନୃପସୁତ ସୁନ୍ଦରୀ ଚରିତ ଆଲୋକିତ ଶୋଭା ତାହାର ।
ନଚବୟସ ନରେଶ ଅଙ୍ଗଦେଶ ଆକର୍ଷି କଲାଣି ବିହାର ।
ରସିକ ।
ଗୁରୁ ଜଘନ ଭଦ୍ରାସନ ।
କେଶ କେକୀପୁଚ୍ଛ ସ୍ୱଚ୍ଛେ ଯତ୍ନ କରି ଦେଲାଣି ଅଭିଷେକେ ମନ ।୧।
ଅତି ସଉନ୍ଦର୍ଯ୍ୟ ଯଉବନଗଜ ଅମାରୀ ଉରଜ ରୁଚିର ।
ଅଚିରରୁଚିର ପ୍ରତିଭା ବିତାନ ଛଳେ ମଣ୍ଡିଲାଣି ସୁଚୀର ।
ରସିକ ।
ଶିବଙ୍କୁ କରାଇ ସନ୍ତୋଷ ।
ମାହନ୍ତ ହୋଇ ବହୁତ ପୁଣ୍ୟ ଥିଲେ ମାର ତୀକ୍ଷ୍ଣ ନଖଅଙ୍କୁଶ ।୨।
କେଳତୀବର ଶବର ତୀକ୍ଷ୍ଣ ଶରପ୍ରବର ପ୍ରହାରୁ ଭୟରେ ।
ତରଙ୍ଗ ହେଲାଣି ସୁରଙ୍ଗ ନୟନକୁ ରଙ୍ଗ ତ ଅତିଶୟରେ।
ରସିକ ।
କଲାଣି ଧୀବର ବିଧାତା ।
ମଦନ ନଦୀରୁ ପାର କରିବାକୁ ରୋମାବଳୀ ଭେଳା ଶୋଭିତ ।୩।
ମନମଥ ରତ ଦିଗ ବିଜୟକୁ ସାଜିଲାଣି ମନେ ପରତେ ।
ରସନା ଘଣ୍ଟି ନିତମ୍ବଚକ୍ର ଚାରୁ ନ ରଖିବା ଯୁବା ଜୀବିତେ ।
ରସିକ ।
ଚଞ୍ଚଳ ଅଚଞ୍ଚଳ ପତାକା ।
ଅତି ଉଚ୍ଚ କୁଚ ସୁସଞ୍ଚ କଳସ ଲୋଚନେ ଲୋକେ କଲେ ବକା ।୪।
ଦାଶରଥି କୃପାବିନୁ ତହିଁ ରଥି ହେବାକୁ କେବା କାହିଁ ଅଛି ।
ସମରସଜ ଉଜ କରି ସରୋଜ ଆଶୁଗ ତହିଁରେ ଥୋଇ ।
ରସିକ ।
ନେତ୍ର ଭୂରୁ କାଣ୍ଡ କୋଦଣ୍ଡ ।
ହେଲାଣି ଅଞ୍ଜନ ସିଞ୍ଜନୀ ରଞ୍ଜନ ଦଣ୍ଡକେ ଜିଣିବି ବ୍ରହ୍ମାଣ୍ଡ ।୫।
ଆସି ଅତନୁ ନୂତନ ରାଜା ହେଲା ମହିଳା- ଶରୀର-ମହୀରେ ।
ଉତ୍ତମ ପାତ୍ର ଜାନୁ୍ସ୍ତନ ଶାଟୀରେ ଶୋଭିତ ହୋଇଲେ ଯହିଁରେ ।
ରସିକ ।
ଜଘନ ସ୍ବିଚ ସ୍ମରପୁର ।
ଲୁଚି ରହିଲାଣି ଅପରାଧୀ ପ୍ରାୟେ, ହେବ ଭାଗ୍ୟବନ୍ତେ ଗୋଚର ।୬।
ମନ୍ଦହାସ ସୁଧାସମୁଦ୍ରେ ମହତୀଯୋଗ ପାଇ ଓଷ୍ଠ ଅରୁଣ ।
ହେଲାଣି ମଜ୍ଜନ ରାତ୍ର ଦିବା ଅସ୍ତ ନୋହିବାକୁ ଏହି କାରଣ।
ରସିକ ।
ବନପ୍ରିୟ ଗଣେ ଡରାଇ ।
ଗୁରୁ ହୋଇ ଗୁରୁସ୍ତନୀ ଶିଶୁଶୁକ ଶିଷ୍ୟ କରି ଶ୍ଳୋକ ପଢ଼ାଇ ।୭।
ମିଶାଇଲଣି କିଛି କାମବଣିକ ଉନ୍ନତ ବିକାର ପାରସ ।
ବିରହାନଳେ ହେମତନୁ ଦହିବ କଲାଣି ଏମନ୍ତ ମାନସ ।
ରସିକ ।
ନାହିଁ କାହିଁ ମହୀମଣ୍ଡଳ ।
ଟାଙ୍ଗଣା ହୋଇ କେ ତା ସଙ୍ଗେ ଝଳିବ କାହା ଭାଗ୍ୟ ଏଡ଼େ ପ୍ରବଳ ।୮।
ଲାବଣ୍ୟସରସୀ ଶୋଭା ବହିଲାଣି ରସପୂର୍ଣ୍ଣ ପୁଣି ଗଭୀରେ ।
ଲପନ ମିଳନ ସୁଊରୁ ପୁଳିନ, ସଲୀଳ ଭଉଁରୀନାଭୀରେ ।
ରସିକ ।
ହାସ କୁମୁଦ ନେତ୍ରମୀନ ।
ଚକ୍ରବାକ ସ୍ତନ ମରାଳ ଗମନ ଦର୍ଶନେ ତାର କରେ ମନ ।୯।
ଗଙ୍ଗାରେ ବହୁବାର ଯେ ଝାସିଥିବ ସେ ପ୍ରେମଜଳରେ ମଜ୍ଜିବ ।
ସରସ ଶୀତଳେ ଅଙ୍ଗଜନିତ ମହାସନ୍ତାପକୁ ତେଜିବ ।
ରସିକ ।
ବଦନଚନ୍ଦ୍ରରେ ତାହାର ।
ଲୋଚନ ଚକୋର କରିବା ଜନର ନୁହଁଇଟି ଭାଗ୍ୟ ଇତର ।୧୦।
ଲାବଣ୍ୟସିନ୍ଧୁ ସେ ବନ୍ଧୁକଅଧରା ଦେବ ଦୟିତ ହରଷକୁ ।
ଉରଜ ମନ୍ଦର ବେଣୀ ଦର୍ବୀକର କଲାଣି ଧାତା ମନ୍ଥନକୁ ।
ରସିକ ।
ହେଲାଣି ଯହିଁରୁ ଜନ୍ମିତ ।
ଲାବଣ୍ୟ ଲକ୍ଷ୍ମୀ, ଚନ୍ଦ୍ର ହାସ କଟାକ୍ଷ ଗରଳ ଗତି ଐରାବତ ।୧୧।
ଅଙ୍ଗ ସୁବାସ ପାରିଜାତ ସୁଊରୁ ରମ୍ଭା ହେଲାଣି ମନୋହର ।
ପ୍ରେମ ଅମୃତ ଉପୁଜାଇ ତହିଁରୁ ବିଚାର ଭୋଗ କରିବାର ।
ରସିକ ।
ତନୁ କ୍ଷେତ୍ର ନଖଲାଙ୍ଗଳେ ।
ଚଷି ସ୍ନେହବୀଜ ରୁପିବାର ତହିଁ ନୁହଇ ଅଳପ ମଙ୍ଗଳେ ।୧୨।
ବାଳାନବଦୟ ବସନ୍ତ ସମୟ ଶୋଭା ଓଷ୍ଠ ନବପଲ୍ଲବେ ।
ଅତିମଧୁର ପିକବାଣୀ ରୁଚିର ନିଆଳୀ ତୀକ୍ଷ୍ଣ ପୁନର୍ଭବେ ।
ରସିକ ।
କାନ୍ତି କେତକୀ ମହୋଜ୍ଜ୍ୱଳ ।
ଅଙ୍ଗୁଳି ଝଳି ଗନ୍ଧଫଳି ଯହିଁରେ ସଘନ ଜଘନ ରସାଳ ।୧୩।
ଶୋଭାବଲ୍ଲରୀ ପୁଷ୍ପବତୀ ହେଲାଣି ତୁମେତ ରସିକ ଭ୍ରମର ।
ରସାଳତରୁ ବକୁଳିତ ହୋଇଗଲେ ଉତ୍ସବ ନୋହେ କି ପିକର।
ରସିକ ।
ସବୁଠାରୁ ମୂଳ ସାହାସ ।
ରସ-ନଦୀ-କୂଳ ଲଙ୍ଘିବାକୁ ଏବେ ହୁଅ ଜଳଧର ସଦୃଶ ।୧୪।
କୁମର ଭଣି ଶୁଣ ଦ୍ୱିଜରମଣୀ ଶ୍ରବଣେ ତରୁଣୀ ଚରିତ ।
ବିରହ ବହନ ଦହନ କଲା ମୋ ହୃଦୟମନକୁ ତ୍ୱରିତ ।
ପକାଇ ।
ମନଯୁଗ ହୋଇ ଅଧୀରା ।
ତାହା ଶୋଭାବନେ ନିବାସ କଲାଣି ତହିଁ ଏ ଭୟ ନାହିଁପରା ।୧୫।
ମନ୍ଦ ମଦନପୁଳିତ ଶିଳୀମୁଖ ଧନୁରେ ବସାଇ ଲୋଡ଼ଇ ।
ମୋହିନୀ ମୋହନ ପାଶେ ବାନ୍ଧିଲାଣି ନ ପୁଣ ତା ମୁଖେ ପଡ଼ଇ ।
ହୋଇଛି ।
ଏହି ଆଶଙ୍କା ଚିତ୍ତେ ଘେନ ।
ଅତି ଦୁଷ୍ଟ ସେହି ଭେଟ କରି ନେଇ ନଦେଉ ପରେତ ରାଜନ ।୧୬।
ବ୍ରାହ୍ମଣୀ କହେ ମାଧବମାସେ ହୋଏ ମାଧବ ଚନ୍ଦନଉତ୍ସବ ।
ମଣୁଛି ସେ ଯାତ୍ରା-ପ୍ରାବୃଟ ତୁମ୍ଭର ଆଶାଚାତକକୁ ତୋଷିବ ।
ରସିକ ।
ରାମା ଦର୍ଶନ ଦୃଷ୍ଟି ସତ ।
ତାପ ଅଗ୍ନି ନାଶ କରି ବିସ୍ତାରିବ ପ୍ରମୋଦ ମେଘନାଦ ନୃତ୍ୟ ।୧୭।
ହୃଦୟସର ହରଷସାରସକୁ ଦୁଃଖତୁଷାର ଦହୁଥିଲା ।
ଏ ବାଣୀ ଶୁଣିକରି ନବଜାତ ବହୁତ ରୂପେ ପ୍ରକାଶିଲା ।
ରସିକ ।
ସଖାସୌନ୍ୟ ସଙ୍ଗେ ଗମନେ ।
କହେ ଉପଇନ୍ଦ୍ର ବୀରବର କ୍ଷେତ୍ରେ ପ୍ରବେଶ ହେଲା କେତେ ଦିନେ ।୧୮।
ତୃତୀୟ ଛାନ୍ଦ
ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ବର୍ଣ୍ଣନା
(ରାଗ-ରାମକେରୀ)
ଯେଉଁ କ୍ଷେତ୍ରରାଜ ବିରାଜମାନ ଗରୁଡଧ୍ୱଜେ।
ଶ୍ରବଣେ ଚରିତ ତୁରିତ ଜନ ଦୁରିତ ଗଞ୍ଜେ ।୧।
ଯେବଣ କଟକେ ଛଟକେ ବରାଟକେ ମୁକତି ।
ମହାପ୍ରସାଦରେ ସାଦରେ ଲୋକମାନେ ଲଭନ୍ତି ।୨।
ଅଳପ କଳପବଟରେ ଯହିଁ ଛାୟା ଆଶ୍ରିତ ।
କଳପି କଳପି ନରକିନ୍ନର ତରିଲା ମତ ।୩।
ବିନା ତୁଷାତୁରେ ଚତୁରେ କୁଣ୍ଡପତନେ ଯହିଁ ।
କାକର ହେଲା କର ଚାରି କିସ ବିଚାର ତହିଁ ।୪।
ଦକ୍ଷିଣ ଦକ୍ଷିଣ ସମୁଦ୍ର ପାପ କ୍ଷୀଣକୁ ତହିଁ ।
ଯମଦୂତଙ୍କର ବଡ଼ଭୀ ବଡ଼ଭୀକି ଅନାଇଁ ।୫।
ଅବିଦ୍ୟା ଚକ୍ର ଚକ୍ର ପ୍ରାୟେ ଚକ୍ର ନିଶି ବିଯୋଗ ।
ପ୍ରସନ୍ନ ଦର୍ଶନେ କରାଇ ଅନ୍ତେ ସେ ସ୍ୱର୍ଗ ଭୋଗ ।୬।
ପତାକାଅଞ୍ଚଳ ଚଞ୍ଚଳ ଡାକେ ପାପୀଙ୍କୁ ଅବା ।
ଏ ନାଳନଗ-ନଗରକୁ ଆସ ଭଲ କରବା ।୭।
ଯେତେ ଦୂର ଘଣ୍ଟନିନାଦ ଶୁଭେ ନଦରେ ନେଇ ।
ପକାଏ ଅନୃତ ଦୁଷ୍କୃତଗଳେ ଗଳଥା ଦେଇ ।୮।
ସୁମନା ମନରେ ଇଚ୍ଛନ୍ତି ତହିଁ ବେତ୍ରାଘାତକୁ ।
ଗମନରେ ନରେ ତେଜନ୍ତି ଶମନର ଭୟକୁ ।୯।
ଶିରୀଷ ଆଜ୍ଞାରେ ଗିରୀଶ ଅଷ୍ଟ କ୍ଷେତ୍ରରକ୍ଷକ ।
ଚଣ୍ଡୀ ରୂଢ଼ୀଭୂତ ଖଣ୍ଡିତ କରେ ଭୟ ଯେତକ ।୧୦।
ଦୀନବାନ୍ଧବ ମାଧବର ତହିଁ ମାଧବମାସେ ।
ନୃପତିନନ୍ଦନ ଚନ୍ଦନଯାତ୍ରା ଦେଖେ ହରଷେ ।୧୧।
ନରେନ୍ଦ୍ର ତଡ଼ାଗେ କରୀନ୍ଦ୍ରେ ସୁରେନ୍ଦ୍ର ପରିହରି ।
ନାବରେ ଭାବରେ ବିଜୟ କରି ସୁଖେ ବିହରି ।୧୨।
ପଛେ ରହି ସ୍ୱଚ୍ଛେ ବରହୀପୁଚ୍ଛେ ଦ୍ୱିଜ ସେବନ୍ତି ।
ରଞ୍ଜନ ବ୍ୟଜନ ସଜ୍ଜନ କରେ ଧରି ବିଞ୍ଚନ୍ତି ।୧୩।
ସଂସାରସାରା ଘନସାରପିଚିକା କେ ମାରଇ ।
କ୍ଷୀରନିଧି ଧୀର ଲହରୀ ପରି ଚାମର ଶୋହି ।୧୪।
ତରାସେ ତରାସେ ଦୁଷ୍ଟଙ୍କୁ ନାନା ପାପ ସ୍ଫରଶି।
ଚନ୍ଦ୍ରେ ନିର୍ମିତ ଚଣ୍ଡୁ ସୂର୍ଯ୍ୟତାରେ ତାର ପ୍ରକାଶି ।୧୫।
ପ୍ରବଳ ଶୋଭନ ଧବଳ ଛତ୍ର ବର୍ଣ୍ଣ ନୁହଇ ।
ବଳରେ କବଳ ଧବଳକର ଶୋଭା କରଇ ।୧୬।
ଆଡ଼ମ୍ବର ମେଘାଡ଼ମ୍ବର କେତେ ଦେଖି ଅମ୍ବର ।
ଅମରପୁରେ ସମ୍ବରବି ନାନା ବାଦ୍ୟ ନାଦର ।୧୭।
ନୀରଜମୁଖୀଙ୍କ ଉରଜ ହିମରଜରେ ଭୂଷି ।
ଦର୍ଶନ ଲୋଭରେ ନିର୍ଭର ହେଲେ ଯୋଗୀ ସନ୍ୟାସୀ ।୧୮।
ଏହାଙ୍କ ବିଭୂତି ତାହାଙ୍କ ଅଙ୍ଗେ ଅଙ୍କିତ ହୋଇ ।
ତନୁ ପୁଲକିତ ଶଙ୍କିତନୋହେ କୈତବ୍ୟ ନାହିଁ ।୧୯।
ଭେଟେ ଭେଟେ ମାର ଉଚ୍ଚାଟେ ସ୍ନେହେ ନାରୀପୁରୁଷ ।
ଈକ୍ଷଣେ କଲେ ସେ କ୍ଷଣେକ୍ଷଣେ ବିଳାସ ।୨୦।
କପଟ ଦଶନ ଲମ୍ପଟ ବୀଟରୀତିକି ଚାହିଁ ।
ଯେ ସୁଧୀ ସୁଧୀରେ ବୋଲନ୍ତି କ୍ଷେତ୍ରବରଟି ଏହି ।୨୧।
ବିଧୁର ଚରିତ ମଧୁର କରି ଗାଆନ୍ତି ସାଧୁ ।
ଆଗତ ହୋଇଣନାଚନ୍ତି ଯହିଁ ଗଣିକାବଧୂ ।୨୨।
ମୁରୁଜଘାତକୁ ଉରଜ ଯେ ଚମକେ ।
ତ୍ରିପୁର ମୋହିବୁଁ ବୋଲନ୍ତି ସେ କି ନୃତ୍ୟଝମକେ ।୨୩।
ଗୋପୀଗୋପୀନାଥ ସୁବେଶ ସବୁ ଆବେଶ ନୃତ୍ୟେ ।
ଅତି ବିଦଗ୍ଧମାଗଧ ତୋଷେ ଚିତ୍ତ କବିତ୍ୱ ।୨୪।
ହରି ହରି ଧ୍ୱନି ତ୍ୱରିତେ ଶୁଭେ ଅନବରତେ ।
ଦଣ୍ଡଧର ଦଣ୍ଡ ଖଣ୍ଡନ କରେ ଦଣ୍ଡିଦ ମାତ୍ରେ ।୨୫।
ଛଦନ ସଦନମାନଙ୍କୁ କେହି କରିଅଛନ୍ତି ।
ବାସବା ସରେ ସାମନ୍ତଙ୍କ କାମିନୀଏ ଦେଖନ୍ତି ।୨୬।
ବାତାୟନପାଶେ ନୟନଦେଇ ନିକଟେ ଚାହିଁ ।
ସଲିଳ-ସଲୀଳଭ୍ରମଣ ଜଗବନ୍ଧୁର ତହିଁ ।୨୭।
ହରି କି ତରୀକି ଆରୋହି ଖେଳେ ଏମନ୍ତ ଭାବି ।
ଏହିମତି ଘେନ ମତିରେ ଭବଜଳୁ ତାରିବି ।୨୮।
ଅତି ସୁକୁମାର କୁମାର ମାଗେ ଏକାଳେ ବର ।
ସୁତାମରସାକ୍ଷୀ ଗନ୍ଧର୍ବୀ ମୋତେ ପ୍ରାପତ କର ।୨୯।
ସେହି ଉତ୍ସବ ଦରଶନେ ମନ ଉଚ୍ଛନ୍ନ ହୋଇ ।
ଏ ରସେ ଉପଇନ୍ଦ୍ର ଭଞ୍ଜ ବୀରବର କହଇ ।୩୦।
ଚତୁର୍ଥ ଛାନ୍ଦ
ରାଜପୁତ୍ର ରସିକ ହାରାବଳୀର ଭେଟ
(ରାଗ- କେଦାର ଚକ୍ରକେଳିବାଣୀ)
ବିଜେ ପ୍ରାସାଦେ ଜଗତ ବନ୍ଦନ। ବାହୁଡ଼ିବା ବେଳେ ରାଜନନ୍ଦନ ।
କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ସୁଗତି। ମଣ୍ଡିଥିଲା ନିଜପୁର ଜଗତୀ ।୧।
ଦ୍ୱାରବନ୍ଧପରେ କର ନିବେଶି । ଶୋଭା ଉଭା ହୋଇବାରୁ ସୁକେଶୀ ।
ଆର କରେ ଘେନି ବାସଅଞ୍ଚଳ । ଘର୍ମଶାନ୍ତିକି କରଇ ଚଞ୍ଚଳ ।୨।
ସେ ଯେ ଯାଚିଲା ପରାୟ ଶରଣ । କମ୍ପାଇଲା କର କଞ୍ଜ ଚରଣ ।
ଶ୍ରୁତି ଦେଖିବା ଇଚ୍ଛାରେ ଈକ୍ଷଣ । ସ୍ଥିର ହୋଇ ନ ରହେ ଏକକ୍ଷଣ ।୩।
ଭାଗ୍ୟବଶେ ପୁଂସନେତ୍ର ପଡ଼ିଲା । ଲୌହ ଚୁମ୍ବକ ପରାୟ ଜଡ଼ିଲା ।
ଦ୍ରବୀଭୂତ ହୋଇଗଲା ହୃଦୟ । ଯଥା ଚନ୍ଦ୍ରମଣି ଚନ୍ଦ୍ର ଉଦୟ ।୪।
ଅଶ୍ୱଗତି କରାଇଲା ମନ୍ଥର । ଦେହେ ଆସି ଆକର୍ଷିଗଲା ଥର ।
ଭାଳେ ସ୍ୱର୍ଗସୋପାନରେ ଓହ୍ଲାଇ । ରମ୍ଭା ଆସେ କି ଯୁବାଙ୍କୁ ଭୁଲାଇ ।୫।
ଅପୂରୁବ ରମଣୀୟ ମନ୍ଦିରେ । କିମ୍ପା ମନ ନ ପଡ଼ିବ ବନ୍ଦୀରେ ।
ଏତ ସ୍ୱଭାବେ ଲାବଣ୍ୟସରସୀ । ନେତ୍ରମୀନ ସଦନ କରେ ରସି ।୬।
ଅଳଙ୍କାର ମିଳିଲା ମେଦିନୀକି । ଯାହା ବହିଲା ଚନ୍ଦ୍ର ବଦନୀକି ।
ବାଳା ରତିରୂପେ ଶୋଭା ଦୁଷଣ । ପୁଣି ଭୂଷଣକୁ ଏକ ଭୂଷଣ ।୭।
ନିର୍ମାଣିବା କାଳେ ରସନିଧିକି । କେଡ଼େ ଶ୍ରମ ହୋଇଥିବ ବିଧିକି ।
ମୁଖ ଅକଳଙ୍କ ଚନ୍ଦ୍ର ଅଧିକ । କରେ ସାରସ ଆଦରଶ ଧିକ ।୮।
ଶୋଭାହୀନ କରି ସୁରନଗରୀ । ମୋ ଭାଗ୍ୟକୁ ମହୀଜାତ ନାଗରୀ ।
ନାହିଁ ଅଙ୍ଗେ ଗଣ୍ଠିଶିରା ଦର୍ଶନ । ଆଗପଛକୁ ସମାନ ପ୍ରଚ୍ଛନ୍ନ । ୯।
ଜଙ୍ଘଜାନୁ ଉଚ କୁଚ ବର୍ତ୍ତୁଳ । କେଉଁ କୁନ୍ଦେ କୁନ୍ଦିତ ନାହିଁ ତୁଳ ।
ଉରେ ଅଙ୍କୁରିଲା ଦିନୁ ଉରଜ । ମହୀ ଦେଖିନାହିଁ ନେତ୍ରନୀରଜ ।୧୦।
ମେରୁବୋଲି ଦେଖାଇ ଏ ବଡ଼ାଇ । କର ପଦ୍ମେ ପାରିବି କି ଘୋଡ଼ାଇ ।
ପାଞ୍ଚି ଏମନ୍ତ କୁମରରତନ । ରାମା ନେତ୍ର ପୁଂସପରେ ପତନ।୧୧।
ଅଠାକାଠି ପ୍ରାୟ ତାର ରଞ୍ଜନ । ଲାଗି ରହିଲା ନୟନ ଖଞ୍ଜନ ।
ପୁଣି ତାହା ଅଙ୍ଗଦେଶ ଉଚିତ । କଲା ପ୍ରବାସ ରାମାମଣି ଚିତ୍ତ ।୧୨।
ଛନ୍ନେ ଥିଲା ଯେତେ ସଖୀ ଆଗୁଳି । କେ ସେ ବୋଲି ଦେଖାଇଲା ଅଙ୍ଗୁଳି ।
ବ୍ୟାଜେ କହେ କି ମୀନଲାଞ୍ଛନକୁ । କରେ ଏହି ପୁରୁଷ ଉଚ୍ଛନ୍ନକୁ ।୧୩।
ପ୍ରାଣପରି ଯେତେ ସଖୀ ଚତୁରୀ । ଜାଣିଗଲେ ବାଳାମଣି ଚାତୁରୀ ।
ପୁଂସ ଅନାଇଥିଲା ଯେ ଭାଳିଲା । ଭାଗ୍ୟ ଦିଶିଲା କି ହୃଦ ମିଳିଲା ।୧୪।
ଭାଗ୍ୟ ନ ଥିଲେ ନିକି ଦେଖିବାର । ହେଲା କିରୂପେ ଆସିବ ସେବାର ।
ମୁଁ କି ଭାଜନ ସେବିବାରେ ତାକୁ । ବଳିଆରତ ନାହିଁ ବିଧାତାକୁ ।୧୫।
ହରି ଅରି ହେଲେ ସୁଧାଅଶନ । ତମ କରିଅଛି ତାହା ପ୍ରସନ୍ନ ।
ବେନି ମନ କ୍ଷୀର ନୀର ପ୍ରକାର । ଦେଲା ମିଶାଇ ମଦନବିକାର ।୧୬।
ପ୍ରୀତିଜୀବ ହୃଦକ୍ଷେତ୍ରେ ବୁଣିତ । ହେଲେ ପୁଲକାଙ୍କୁର ଅଗଣିତ ।
ବିଧିଠାରୁ ବଡ଼ ନାହିଁ ଲୋକରେ । ପରେ ପରେ ପରଚେ ନେଇ କରେ ।୧୭।
ପ୍ରୀତିକରି କରାଏ ଉପୁଜାଇ । ଜୀବ ଥିବାଯାଏ ମନୁ ନ ଯାଇ ।
ଚିତ୍ତ ଆଉ ବିଷୟରେ ନ ଥାଇ । ଏହି ବିଚାର ସଦା ହେଉଥାଇ ।୧୮।
ହେଲେ ହୋଇବ ପଛେ ଶିରଚ୍ଛେଦ । କେବେ ନୋହିବ ପ୍ରୀତିର ବିଚ୍ଛେଦ ।
ଯୁବକାଳ ରାଜା ସର୍ବ ଉପରେ । ମନ ରାଜା ଯୁବକାଳ ଉପରେ ।୧୯।
ମନ ଉପରେତ ରାଜା ପୀରତି। କେହି ପାରିବ ମନୁଷ୍ୟ ବରତି ।
ନବ ଅନୁରାଗ ଦିନେ ଦିନକେ । ସୁଖ ଜାତ ହେଉଥାଇ ଅନେକେ ।୨୦।
ପ୍ରୀତି ହୋଇ ଯେବେଏଡ଼େ ମଧୁର । କ୍ଷୁଧା ତୃଷ୍ଣା ନିଦ୍ରା ହେବ ବିଧୁର ।
ପୁଣି ଦଇବେ ହୋଇଲେ ଦମ୍ପତ୍ତି । ପଦତଳେ ମିଳେ ଇନ୍ଦ୍ର ସମ୍ପତ୍ତି ।୨୧।
ପଶୁମାନେ ହେଲେ ବଶ ଏ ରସେ । ସେହି ପାଷାଣ ସେ ମଧ୍ୟ ରସେ ।
ପ୍ରୀତି ଯୋଗେ ପାଷାଣ ନ ଦ୍ରବଇ । ବିଧୁ ବିଧୁମଣିଠାରୁ ଭାବଇ ।୨୨।
ଯେହୁ ପୀରତିରେ ବଶ ନୋହିଲା । କି ବୋଲାଇ ସେ ମନକୁ ନଇଲା ।
ଏତେ ବିଚାରି ସେଠାରେ କବିର । କାମେ ଆଦେଶ ନୃପସୁତ ବୀର ।୨୩।
ବାଳା ବିରହେ ରହିଛି ସ୍ଥକିତେ । ମୂର୍ଚ୍ଛା ନ ବାଧଇ ଲଜ୍ଜା ଚକିତେ ।
ସଖା ସଖୀମାନେ ନେଲେ ସମ୍ଭାଳି । ଦିନ ଅସର ହେଲା ଭାଳି ଭାଳି ।୨୪।
ଦରଶନେ ତ ନୟନେ ରଖିଲେ । ରୂପ ଚାରୁ ଚିତ୍ରପଟେ ଲେଖିଲେ ।
ରାଧା କୃଷ୍ଣ ନିପୁଣ ଏ ଭାବରେ । ଜାଣେ ଅନୁଭବୀ ଅନୁଭବରେ ।୨୫।
ଯେଣୁ ଚିତ୍ତକୁ ଗୋଚର ହୋଇଲା । ଉପଇନ୍ଦ୍ର ବୀରବର ବୋଇଲା ।
ରସିକ ଜନମାନଙ୍କୁ ପୀୟୂଷ । ଅରସିକଙ୍କୁ ଗରଳ ସଦୃଶ ।୨୬।
ପଞ୍ଚମ ଛାନ୍ଦ
ରସିକ ହାରାବଳୀର ବିବାହ ପ୍ରସଙ୍ଗ ବର୍ଣ୍ଣନ
(ରାଗ-ମାଳବ)
ରାଜାସୁତ ବିରହେ ବିରସ ପାଶଜନ । ଅପସର ପୁରୋହିତ ଯାଚି କିଛି ଧନ ।
ବୋଇଲେ ତୁମ୍ଭ ସାମନ୍ତ ଦୁହିତାକୁ ଆମ୍ଭ । ଯୁବରାଜ ବିଭା ହେବା କରିବା ଆରମ୍ଭ ।୧।
ସେ ସୀଉକାରେ କହିଲେ ବିଦ୍ୟାଧର ପାଶେ ।ସ ବୋଇଲେ ବନ୍ଧୁ ଅଛି ଚତୁର୍ଥପୁରୁଷେ ।
କୁଳଶୀଳ ଉଜ୍ଜ୍ୱଳ ସୁନ୍ଦର ଭାନୁବଂଶେ । ସେ କୁମାର ବିବାହ କରିବ ଏହି ମାସେ ।୨।
ନୃପସୁତ କୋଷଅଧିକାରୀ ଗଲା ଶୁଣି । ଜଣାଇଲାଏକାନ୍ତ କରିଣ ସବୁ ବାଣୀ ।
ଶ୍ରବଣେ ସେ ବୀରବର ହୋଇଲା ଏମନ୍ତ । ଚାତକ ପାଇଲା ମେଘଜଳକୁ ଯେମନ୍ତ ।୩।
ମାଳତୀ ମକରନ୍ଦ କି ପାଇଲା ଭ୍ରମର । ପିକ କି ଦେଖିଲା ବକୁଳିତ ସହକାର ।
ମାନସର ବିହାର କି ପାଇଲେ କାଦମ୍ଭେ ।ବିଷ୍ଣୁ ପ୍ରସନ୍ନ ହେଲେ ବି ସୁଜ୍ଞାନୀ କଦମ୍ବେ ।୪।
ବୋଇଲା ଭଲା ଭାଗ୍ୟରେ ଶେଷ ଆଜ ନିଶି । ଆକାଶରେ ଶଶୀ ତ ହେଉଚଛି କରେ ଆସି ।
ଅଲଙ୍ଘିତ ପାରାବାର ପୋତେ ତରିବାର। ବିନା ନାଚେ ସେ ଆଜ ତ ହେଉଛି ମୋହର ।୫।
ପବନ କି ବନ୍ଦୀ ହେଲା ପାତିବାରୁ ଫାଶ । ଦେହାନ୍ତର ନୋହୁଁ ହେଲା ବଇକୁଣ୍ଠେ ବାସ ।
ପ୍ରାଣ ଯହିଁକି ଋଣୀ ହୋଇଲା ତହିଁ ମୁହିଁ ।କି ପଉରୁଷ କରିବି କେଉଁଧନ ଦେଇ ।୬।
ତେଣେ ଗନ୍ଧର୍ବ ମନ୍ଦିରେ ସମ୍ଭାର ଭିଆଣ । ଶୁଣି ସଖୀଏ ବୋଇଲେ ଜେମା ତୁ ଗୋ ଶୁଣ ।
ଯେଉଁ ଯୁବା ଦେଖିଲଇଁ ଜଗତୀରେ ଥାଇଁ । ତାତ ତୋତେ ତାକୁ ବିଭା କରାଇବେ ନେଇ ।୭।
ମୃତ ପ୍ରାୟ ହୋଇଥିଲା ରସିକ ସିହାଣୀ । ସଞ୍ଜବନୀ ମନ୍ତ୍ର ହେଲା ସହଚରୀ ବାଣୀ ।
ବିଚାରିଲା ଜଗନ୍ନାଥ କୃପା କଲେ ମୋତେ ।କେତେ କେତେ ପୁଣ୍ୟ କରିଥିଲି ମୁଁ ଜନ୍ମାନ୍ତେ ।୮।
ଲଜ୍ଜାକୁ ପ୍ରୀତି ବଳିଲା ଅନୁରାଗ ଯେଣୁ ।ଦତ୍ତକଲା ସଖୀକି ମୁକୁତାମାଳ ତେଣୁ ।
ମନେ ମନାସିଲା ଦେବି ଦେବେ କେତେ ଭୋଗ ।ହୋଇବାରୁ ପୁରୁଷ ରତନ ସଙ୍ଗେ ଯୋଗ ।୯।
ସ୍ଥିର ହେବ ବିଜୁଳି ଚନ୍ଦ୍ରମା ହେବ ଚିର । ସବୁଦିନେ ରହିବ ନଦୀରେ ସମ ନୀର ।
ସ୍ୱପ୍ନହେବ ସତ ସର୍ପ ସୁଧା ଉଦ୍ଗାରିବା ।ବଳିଆର କର୍ମ ସେ ପୁରୁଷ ଲଭିବା ।୧୦।
ଏଥୁ ଆନ ରସ ଶୁଣ ସମ୍ଭରମ ହୋଇ । କନ୍ୟା ତାତ ମଙ୍ଗଳ ଉତ୍ସବକୁ ଭିଆଇ ।
ସୁବର୍ଣ୍ଣ କଳସେ ସାତଘରୁ ତୋଳି ଜଳ ।ନାପିତୀ ହସ୍ତରେ ସର୍ପ ରୋପି ନାରିକେଳ ।୧୧।
ଦ୍ୱିଜକନ୍ୟା ସପତ ଗାୟଣୀ ଅପ୍ରମିତ । ବର ଗନ୍ଧଷିଲେ ଯାଇଁ ହୋଇ ହରଷିତ ।
ଦୁର୍ଗାଙ୍କୁ ଗନ୍ଧଷି ନୃପସୁର ପରିକରେ । କନ୍ୟା ଗନ୍ଧଷଣ କଲାପ୍ରେରିତ ସତ୍ୱରେ ।୧୨।
ଉଷାରୁ କୋକିଳସ୍ନାନ ଦଧି ଗୁଡ଼ ଭାତ । ଲବଣଚଉଁରୀ ପୂଜାକରେ ବିରଚିତ ।
ବେଳ ଦୁଇଦଣ୍ଡ ଥାଉଁ ବର ଆଣି ଗଲେ । ପଥେ ଆସୁ ପୁଷ୍ପମାଳେ ଶାଳକ ବରିଲେ ।୧୩।
ମୃଦଙ୍ଗ ମର୍ଦ୍ଦଳ ତାଳ ପଟ୍ଟହ ଝର୍ଝରା । କଂସାଳ କାହାଳ ଭେରୀ ମହୁରୀ ମାଧୁରା ।
ଶଙ୍ଖନାଦ ବିଶେଷେ ମୃଦଙ୍ଗ ଶିଙ୍ଗା ଗୀତେ । ବାଇତାଳିକ କବିତ୍ୱ ପଠନ ନିରତେ ।୧୪।
ବାଇଗଣ ଗଣନା ତ ନାହିଁ ଏତେ ତୋତେ । ଦେଖିଲା ଜନ ପ୍ରଶଂସା କରନ୍ତି ସମସ୍ତେ ।
ଭଲା ବର ସେ କନ୍ୟାକୁ ଅନୁରୂପ ସେହି । ରତି କାମ ପରାୟେ ଦିଶିବେ ଏହୁ ଦୁଇ ।୧୫।
ନାରୀଏ ବୋଲନ୍ତି ବାଞ୍ଛାବଟ ତଳେ ବସି । ଶୋଭାକଉଶଳା ଥିଲା ଏ ବର ମନାସି ।
ପୁରୁଷେ ବାଞ୍ଛାତ ଗଙ୍ଗା ସାଗରରେ ଝାସି । କି କନ୍ୟା ଲାଭିଲା ସେ ମନାଇ କାଶୀବାସୀ ।୧୬।
ଏ ସମୟେ କୁମାର ମଣ୍ଡପେ ପରବେଶ । ଦ୍ୱିଜେ କର୍ମ ଆରମ୍ଭିଲେ କରି ବେଦଘୋଷ ।
ଅନ୍ତଃପୁରଚାରୀ ନାରୀ ଗବାକ୍ଷେ ଅନାଇଁ । ଧୀର କରି କହନ୍ତି ସେ ଜେମାକର୍ଣ୍ଣେ ଯାଇ ।୧୭।
ଗଲା ତୋର ତପ ତୁ କନ୍ଦର୍ପ ପ୍ରାୟେ ବର । ପାଇଲୁ ନିର୍ଭୟେ ମନଦେଇ ଭୋଗକର ।
କନ୍ୟା ସାନଭଗିନୀ କୁମାର ଶୋଭା ଚାହିଁ । ବିଚାରନ୍ତି ଆମ୍ଭର ଏମନ୍ତ ମର୍ମ କାହିଁ ।୧୮।
ଏ ପୁରୁଷ ହୋଇଥାନ୍ତା ଯେବେ ଆମ୍ଭ ବର । ଦିବା ନିଶି ହୋଇବାର ନୁହନ୍ତା ଗୋଚର ।
ଧାତା ପରିବାରୀ ଜନ୍ମ ହେଲେ ଦେଇଥାନ୍ତା । ସେବାବେଳେ କରପଦ୍ମ ଅଙ୍ଗରେ ଲାଗନ୍ତା ।୧୯
ଏ କାଳରେ ବାସକ ମଣ୍ଡପ ପାଶେ ଧରି । ଦାସୀ ବିଜେ କରାଇଲେ କନକ ଗୁଉରୀ ।
ଲବଣ ଚୁଉଁରୀ ବ୍ୟାଜେ କିବା ମନ୍ତ୍ରଧୂଳି । ମାରି ଉଚ୍ଚାଟ କରାଇ ଗଲା ନବବାଳୀ ।୨୦।
କୁମାର ନେତ୍ର ମନରୁ ସଙ୍ଗେ ପଠିଆଇ । ବିଳମ୍ବ ନ କରି ରାମା ଆଣ ବାହୁଡ଼ାଇ ।
ଆପେ ଆଣଇବା ଅବିଧାନ ଏହି ହେଜେ । ଅଙ୍ଗ ଯଜ୍ଞୋପବୀତ ପ୍ରେଷିତ ବ୍ୟାଜେ ।୨୧।
ଭଲା ଭାଗ୍ୟ ଚାତୁରୀ ପାରିଲା ହୃଦ ଜାଣି । ଧନ୍ୟ ରସିକ କପଟେ ଆସିଛନ୍ତି ଆଣି ।
ଏ ସମୟେ ହୁଳୁହୁଳି ଦେଇ ଦାସୀମାନେ । କନ୍ୟାକୁ ପ୍ରବେଶ କଲେ ବର ସନ୍ନିଧାନେ ।୨୨।
ଯଥାବିଧି କର୍ମକୁ ସାରିଲେ ପୁରୋହିତ । କମ୍ବୁରେ ଅମ୍ବୁ ତୋଳିଣ ଦେଲେ କନ୍ୟାତାତ ।
ଶଙ୍ଖ କି କାନ୍ଦିଲା ରମା କଣ୍ଠ ଶୋଭା ଚାହିଁ । କୁନ୍ଦେ କ୍ଳେଶ ପାଇଲି ସମାନ ହେଲି ନାହିଁ । ୨୩।
ଲାଜାହୋମ ନ କଲେଟି ବହିଲେ ଲଜ୍ଜାକୁ । ମଧୁ ଶଯ୍ୟା ସଦନେ କରିବାକୁ ତେଜ୍ୟାକୁ ।
ଊରଜକୁ ତୁଲ ହେଉ ବୋଲି ଏହା ଭାଳି । ନାରିକେଳ ଫଳକୁ ଅନଳେ ଦେଲେ ଜାଳି ।୨୪।
କରପଦ୍ମ କୋକନାଦ ଶୋଭାକରେ ଚୋରୀ । କୁଶେ ବାନ୍ଧି ଦଣ୍ଡ ଦେଲେ ଭୁସୁରେ ବିଚାରି।
ଶାସ୍ତି ଅନ୍ତେ ଦୟା କରି ଦେଲେ ତା’ ଫିଟାଇ । ଅନ୍ତପରେ ନେଇ ଜୁତ ଖେଳାଇଲେ ସହୀ ।୨୫।
ଅବଳା ବୋଲନ୍ତି ବଳ ଦେଖାଇବା ପାଇଁ । ହସ୍ତେ ବରାଟକ ଦୃଢ଼ କରିସେ ଧରାଇ ।
ଏଥୁଅନ୍ତେ ଭୋଜନ ନିମନ୍ତେ ଘେନିଗଲେ । ଏକସ୍ଥାନେ ଦିବ୍ୟ ଭୋଜ୍ୟ ପାଶେ ବସାଇଲେ ।୨୬।
ପଞ୍ଚବାଣତ୍ରାସରୁ ତରିଲ ପଞ୍ଚଗ୍ରାସୀ । କର ବୋଲି କହିଲା ଦ୍ୱିଜରମଣୀ ହସି ।
ଏ ଛାନ୍ଦେ ଯେତେ ଚାତୁରୀ କବିଙ୍କି ଗୋଚର । ରସେ କହେ ଉପଇନ୍ଦ୍ର ଭଞ୍ଜ ବୀରବର ।୨୭।
ଷଷ୍ଠ ଛାନ୍ଦ
ମଧୁଶଯ୍ୟା ଓ ଏକାନ୍ତ କ୍ରୀଡ଼ା ବିଷୟ ବର୍ଣ୍ଣନ
(ରାଗ-ବରାଡ଼ୀ, କଳସାବାଣୀ)
ସଖୀ ଗଲେ ମଧୁଶଯ୍ୟାପୁର ମଣ୍ଡିବାକୁ । ମଣ୍ଡିବାକୁ ନୋହେ ରାମା ଲଜ୍ଜା ଖଣ୍ଡିବାକୁ ।
ଖଣ୍ଡିବାକୁ ଲଜ୍ଜା କି ପୁରୁଷ ଦୁଖଃକୂଳ । ଦଣ୍ଡିବାକୁ ନିଶ୍ଚୟେ ହୋଇବ ଅନୁକୂଳ ।୧।
ବେଶେ କଲେ କେତେ ସଖୀ ରମଣୀରତନ । ବେଶ ନ କଲେ ଦେଲେଟି କାମେ ଜୀବଦାନ ।
କାମେ ଜୀବଦାନଟି ଦେବାର ନୋହେ ଚିତ୍ର । ଏଥର ସମାଧିଭଙ୍ଗ ହୋଇବେ ତ୍ରିନେତ୍ର ।୨।
ତ୍ରିନେତ୍ର ସମାଧିଭଙ୍ଗ ତାକୁ କେତେକଥା । ଯୁବକାଳୁ ମଦନ ଭୟେ ଲଭି ବ୍ୟଥା ।
ଉରଜବ୍ୟାଜରେ ଉରେ ଶରଣ ପଶିଲେ । ଜନ ଉପହାସକୁ ଯେ ବସନେ ଲୁଚିଲେ ।୩।
ଏକାଳେ ତା ଶୋଭା ଚାହିଁ ସହଚରୀଗଣେ । ହାସ ବଚନକୁ ଆରମ୍ଭିଲେ ଜଣେ ଜଣେ ।
କେ ନାସା ମୋତିକୁ ଜାହିଁ ବୋଇଳା ଏମନ୍ତ ।ଏ ଦେଶକୁ ଚନ୍ଦ୍ରମୁଖୀ ହୋଇଲା ତ କାନ୍ତ ।୪।
ଶାଢ଼ି ସଜାଡ଼ି ପିନ୍ଧୁଁ କେ ପରିହାସେ କହି । ଶିଶୁକାଳ ଦିଗମ୍ବିରଭୂତି –ଶିବେ ଦେଇ ।
ଅଛୁ ପରା ପରାଣ ଆଣିବୁ ଏ ନିଶୀଥେ । ଏବେ ତ୍ରପା କିପାଁ ପାଉ ତାହିଁକି ବିଅର୍ଥେ । ୫।
କେ କହିଲା ଜୁଡ଼ା କଲ ନକଲ ତ ବେଣୀ । ଏହା ବିଚାର କାହିଁକି ଜେମା ଭାଷେ ଶୁଣି ।
ସେ ବୋଇଲା ଏ କଥାରୁ କହୁ ନାହିଁ ଆନ । ନ ଫିଟନ୍ତା ସେ ସମୟେ କରନ୍ତା ନର୍ତ୍ତନ ।୬।
ଚତୁରୀଏ କହିଲା ସୁନ୍ଦରୀ ପକ୍ଷ ହୋଇ । ତୁମ୍ଭର କଥାକୁ ଲାଜ ରଖିବି କି ସହୀ ।
ବିଚାର ନାହିଁ କି ଯେ ଯାହାର ଯେ ତାହାର । ଭେଟ ହେବାଯାଏ ସିନା ମଧ୍ୟସ୍ଥେ ଆଦର ।୭।
ସେ ସମୟେ କେଳିପୁରେ କୁମାର ବସାଇ । ବିଜେ କରାଇଲେ ପୂର୍ଣ୍ଣସୁଧାକର ମୁହିଁ ।
ପାଦେ ଅରୁଣ-ଅମ୍ବୁଜ ଉପମା ଉଚିତ । ଦେହଲୀ ଚକ୍ରବାଡ଼କୁ ନ ଲଙ୍ଘି ସ୍ଥକିତ ।୮।
ପେଲି ଦେଇ ସଖୀଏ କହିଲେ ନାଗରକୁ ।ରସ ରଖି ଭୋଗ କର ରସିକବରକୁ ।
ଚନ୍ଦ୍ରମା ଶୀତଳ ସୁଧାମୟ ହେଲେ ଏବେ । ଶେଷ ରଖି ସିନା ଭୋଗ କରୁଛନ୍ତି ଦେବେ ।୯।
ଏ ତ ଅନୁଭବୀ ନୁହେଁ ନବୀନବୟସୀ । ସୁନ୍ଦର ସୁଗନ୍ଧରସେ ମାଳତୀ ସଦୃଶୀ ।
ତୁମ୍ଭେ ପୁରୁଷ ଭ୍ରମର ନୋହିବ ଆତୁର । ତୁମ୍ଭ ସନ୍ତୋଷକୁ ସିନା ବିକାଶ ଏହାର ।୧୦।
ଏତେ କହି କବାଟ ଦେଇଣ ସେ ଅନ୍ତର । କାନ୍ତାକୁ କାନ୍ତ ଏକାନ୍ତ ଅନାଇଁ କାତର ।
ନେଲା କର ଧରି ବେଗେ ପଲ୍ୟଙ୍କ ଉପରେ । ଜାନୁରେ ବସାନ୍ତେ ଖସି ବସଇ ଶେଯରେ ।୧୧।
ଚିବୁକ ଧରି ଟେକିଲେ ବଦନ ସୁମୁଖୀ । କରଇ ତଳକୁ ଦୃଷ୍ଟିଥୟ ତା ନ ରଖି ।
ଗଜମୋତିମାଳା ବାଳା ଗଳାରେ ଲମ୍ବାଇ । ପାଲଟ ରତିରମଣ ମାଗିଲା ମଣାଇଁ ।୧୨।
ବିନୟ ଭାଷୀ ନୟନେ ସୀଉକାର ଜାଣି । ସ୍ମରଶାସ୍ତ୍ର ବିଧାନମାନଙ୍କୁ ମନେ ଶୁଣି ।
ମୁଖଚୁମ୍ବି ଭୃଙ୍ଗ ଚକୋରକୁ ନିନ୍ଦା କଲା । କି ରସ ଚନ୍ଦ୍ର ପଦ୍ମରେ ଥିବ ସେ ଭାବିଲା ୧୩।
ପୁନଃ ପୁନଃ ସୁରେ ଧିକ କଲା ଓଷ୍ଠପାନେ । ବିଚାରିଲା ସୁଧା ନିକି ସ୍ୱାଦୁ ସମାନେ ।
ଶଶୀବିହୀନ ଗିରୀଶ ଭ୍ରମ କରି ସ୍ତନେ । ଭଲା ସୁରସିକ କଲା ତୀକ୍ଷ୍ଣ ନଖମୁନେ ।୧୪।
ଉରଜଦ୍ୱୟରେ କର-ପୀଡ଼ା ପୁଣ କରି । ମଦନ ଭ୍ରମର ମୁଷ୍ଟିତାଡ଼ନ ଆଦରି ।
ଆଲିଙ୍ଗନେ ମନେ ମନେ ମହା ସୁଖ ପାଇ । ମୃଦ ଶୀତଳ ଲବଣୀ ଚନ୍ଦ୍ରମା ନିନ୍ଦଇ ।୧୫।
ଶ୍ରୁତିରେ ଜିହ୍ୱା ଚାଳନେ ଜନ୍ମାଇ ସୀତ୍କାର । ଏ ବିବେକ ଚଞ୍ଚଳା ଖେଳେ କି କୋଳେ ମୋର।
ଚନ୍ଦ୍ର ଚାଳନେ ପୁଲକ ଅନ୍ତର ମଣିଲା । ନୀବୀ ମୋକ୍ଷେ ମୋକ୍ଷକୁ ପାଇଲା ପ୍ରାୟ ହେଲା ।୧୬।
ବେଳୁଁ ବେଳୁଁ ସୁନ୍ଦରମଣି ସୁରତେ ମଜ୍ଜି । ସୁଖ କରି ଆଉ ଇନ୍ଦ୍ରପଦକୁ ନ ହେଜି ।
କାମସଦନ ଚାଳନେ ମନେ କରେ ତାର । ଚଳଦଳଙ୍କ କଂପିବା ଏଥିକି ଇତର ।୧୭।
ହଂସକଧ୍ୱନି ଶ୍ରବଣେ ହଂସକୁ ଧିକ୍କାରି । କଙ୍କଣ କ୍ୱଣନ ଜୟଡ଼ିଣ୍ଡିମ ବିଚାରି ।
ଅଙ୍ଗ ମୋଡ଼ି ଲଲାଟେ ଖୋସିବା ଡୋଳା ଜାହିଁ ।ନର୍ତ୍ତକୀମାନଙ୍କ ଗତି ପାଞ୍ଚେ କିଛି ନୋହି ।୧୮।
ଯୋଗେ ଅଯୋଗେ ଅଜ୍ଞାନବଶେ ଭିଡୁଁବାଳୀ । କାମଯମଦଣ୍ଡ ଆୁଜୁଁ ଦୂର ହେଲା ଭାଳି ।
କଟୀଚମକକୁ କିଛି ରସନାଚୈମକ । ଭାବେ ମଦନକୁ ଜିଣି ଦେଉଛି ଟମକ ।୧୯।
ଲାଜ ବାରୁଅଛି ନାହିଁ ନାହିଁ ବୋଲିବାର । ଜାନୁ ଛନ୍ଦି କଟୀରେବିଶୋଇ ରମାବର ।
ପୁରୁଷ ମନ-ଅଭୀଷ୍ଟ ଅଛି ଏତେ ମାତ୍ର । ଚଣ୍ଡୀ ବରଣ କରିବି ନ ପାହୁ ଏ ରାତ୍ର ।୨୦।
ଦନ୍ତ ନଖକ୍ଷଜକୁ ରମଣୀଚିତ୍ତେ ଭୟ । ନୋହୁ ପ୍ରାତଃ ସଖୀ ହାସ କରିବେ ଉଦୟ ।
ରତି ସାରି ମନ୍ଦ୍ରପବନରେ ଇଚ୍ଛା କରି ! ସରମେ ଦଣ୍ଡେ ଶୟନ କଲେ ପୁଂସ ନାରୀ ।୨୧।
ହାରି ପୁରହରଅରି ପଳାଇ ଯେ ଥିଲା । ଜରାସନ୍ଧ ପରା ହୋଇ ପୁଣି ବାହୁଡ଼ିଲା ।
ପୁଣି ରତି ରସେ ତହିଁ ମାତିଲେ ଦମ୍ପତ୍ତି । ମୁଖେ ମୁଖ ସଂଯୋଗ ଛାତିରେ ଦେଇଛାତି ।୨୨।
ଦ୍ୱିତୀୟାରୁ ପୌର୍ଣ୍ଣମୀ ସରିକି ଯେ ପ୍ରକାରେ। ଦିନୁ ଦିନୁ ତନୁତେଜ ଚନ୍ଦ୍ରମା ବୃଦ୍ଧିରେ ।
ବେଳୁଁ ବେଳୁଁ ସେ ରାତିରେ ରତି ପ୍ରକାଶରେ । କ୍ଷୀଣକୁ ଭଜଇ ଲାଜ ମଣେ ମାନସରେ ।୨୩।
ରତିରସେ ନୃପତି ଦମ୍ପତି ରାତି ଶେଷ । ଦେବତାଙ୍କ ମନ୍ଦିରେ ଶୁଭିଲାକମ୍ବୁଘୋଷ ।
ମଳିନ ଦିଶିଲା ତାରା ନିସ୍ତେଜ ପ୍ରଦାପ । କୁଳଟାଙ୍କ ପାଶୁଁ ଗଲେ ବିଟପକଳାପ ।୨୪।
ବେଶ୍ୟାଏ ନିଶ୍ୱାସ ବାରି ଧନଦପୁରୁଷ । ମୁଖ ଚୁମ୍ବି କହିଣ ଚଳିଲେ ନିଜ ବାସ ।
ତାମ୍ବୁଳ ତିକ୍ତ ଲାଗନ୍ତେ କୁଳବଧୂମାନ । ଦର୍ଶନମାର୍ଜ୍ଜନ ପାଇଁ ଛାଡ଼ିଲେ ଶୟନ ।୨୫।
ଏ ସମୟେ ଧୀର ହୋଇଜେମା ଉଠିଗଲା । ସଜନୀମାନଙ୍କ ମଧ୍ୟେ ସଧୀରେ ଶୋଇଲା ।
ସଖୀଙ୍କ ସନ୍ନିଧିରେ ପ୍ରବେଶ ରାଜସୁତ । ପରିହାସୀ ନ ଆସୁଁ ସାରିଲା ନିତ୍ୟକୃତ୍ୟ ।୨୬।
ସଖୀମାନେ ଚେତି ଭଙ୍ଗାଇଲେ ରମା ନିଦ । ବୋଲେ ଲାଗିଅଛି ଆଜିଯାଏ ଏ ମାରମଦ ।
କେ ତହିଁ ବୋଇଲା ଏ ଯେ ଅତି ସୁକୁମାର । କି ହେଲା କିପୀଡ଼ା କରିବାରୁ କାନ୍ତ-କର ।୨୭।
କେ ବୋଇଲା ଚନ୍ଦ୍ରମା ଦର୍ପଣ ପ୍ରାୟ ମୁଖ । ଗଜ ମନ୍ଥିଲା ପଦ୍ମର ପ୍ରାୟ ଦିଶେ ଦେଖ ।
କେ ବୋଇଲା ବଡ଼ ଭୋକୀ ମଧୁକର ପୁଂସ । ଓଷ୍ଠ ବଧୁଲୀରେ ରଖିନାହିଁ କିଛି ରସ ।୨୮।
ଏତେ କହି ନୀତି ସାରି ବେଶ କଲେ ସହୀ । ଅଶନ ଅନ୍ତେ ପଲ୍ୟଙ୍କେ ଶୟନ କରାଇ ।
ବାତ୍ସାୟନ ଋଷିଙ୍କି ଯେ ରସ ଗୋଚର । ଗୀତେ କହେ ଉପଇନ୍ଦ୍ର ଭଞ୍ଜ ବୀରବର ।୨୯।
ସପ୍ତମ ଛାନ୍ଦ
ରାଜପୁତ୍ରର ବିଦେଶ ଗମନ ଓ ଇଳାବୃତ୍ତଖଣ୍ଡର
ଶୋଭା ବର୍ଣ୍ଣନା
(ରାଗ-ମଙ୍ଗଳଗୁଜ୍ଜରୀ)
ସପତମଙ୍ଗଳା ସାରି ନୃପନନ୍ଦନ ।
କନ୍ୟା ଘେନି ନିଜପୁରେ କଲେ ଗମନ ।୧।
ହିମ ଶିଶିର ବସନ୍ତ ଗ୍ରୀଷ୍ମ ବରଷା ।
ଶରଦ ବଞ୍ଚିଲେ ଘେନି ହରିଣୀଦୃଶା ।୨।
ବିଧିବଶେ କଉଣପେ କ୍ଷୋଭିତ କ୍ଷିତି ।
ଯୁବରାଜ ରାଇ ଆଜ୍ଞାଦେଲେନୃପତି ।୩।
ଚତୁରଙ୍ଗ ସେନା ସୈନ୍ୟଘେନି ବହୁତ ।
ସମର ଆରମ୍ଭୁ ପଳାଇଲେ ଦଇତ ।୪।
ରିପୁଭଗ୍ନ ମାର୍ଗେ ଯାଉଁ ଯାଉଁ କୁମର ।
ପ୍ରବେଶ ହୋଇଲା ଇଲାବୃତ୍ତ ଖଣ୍ଡର ।୫।
ଅତି ମନୋହର ଭୂମି ରତନମୟ ।
ମଧ୍ୟେ ହେମ ମହୀଧର କି କମନୀୟ ।୬।
ଅବନୀ-ଅଙ୍ଗନା ଏକ ସ୍ତନ ପରାଏ ।
ବିପୁଳ ଭାବରୁ କରି ସେ ଶୋଭା ପାଏ ।୭।
ମାରଗଶୃଙ୍ଗ କୁଚାଗ୍ର ସ୍ୱର୍ଣ୍ଣାଦୀ ହାରା ।
ଧାତୁଧାରା ଧାରଣ ହିଁ ସୁଚୋଳ ପରା ।୮।
ସେ ଖଣ୍ଡ ସରସୀମାନେ ଦ୍ୱାରକା ପରି ।
କାମ ବଳ କୃଷ୍ଣ ଉଗ୍ରସେନ ବିହାରୀ ।୯।
ଧୃତରାଷ୍ଟ୍ର ଶକୁନି ଦ୍ରୋଣରେ ପ୍ରତିଭା ।
କୁଳସ୍ଥ ଅର୍ଜୁନେ କରି କି କରୁସଭା ।୧୦।
ଚନ୍ଦ୍ର ନଗର ବିଳାସ ପ୍ରଚାର ଅଛି ।
ସୁବଳୟ ଗିରି ନଭ ଶୋଭା ବହିଛି ।୧୧।
ସୁମନା ବହୁଳେ ଯହିଁ ଲଳିତାମାନ ।
ରାଜସଭା ସ୍ୱର୍ଗ ଘନକାଳ ସମାନ ।୧୨।
ସୁରଭି ସ୍ଥାନରୁ ଭାବି ରତେ ପ୍ରକାର ।
ଚୈତ୍ର ହରି ଲଙ୍କା ମାର ମଳୟରେ ।୧୩।
ଦାନବାରି ସ୍ଥାନ ଅଟେ ଗଜଶିରୀଷ ।
ଗ୍ରୀଷମ ମୁଦିର ଚନ୍ଦ୍ରିକାର ସଦୃଶ ।୧୪।
ହରିକେତନ ମଞ୍ଜୁଳ ସେ ରମା ଉମା ।
କରାଳୀ ଅର୍ଜୁନେ ସେତ ଶଶୀ ସୁଷମା ।୧୫।
ତହିଁ ମରକତମଣି ପ୍ରତିଭା ଚାହିଁ ।
ଦୂର୍ବାମଣି ମୃଗ କରେ କବଳ ଧାଇଁ ।୧୬।
ସପ୍ତହୟ-ହୟ-ଚୟ ତୋଷ ଉଦୟ ।
ଭାଳେ ଆମ୍ଭ ଶ୍ରମକୁ ବିଧାତା ସଦୟ ।୧୭।
ନନ୍ଦିନୀ ବତ୍ସାଏ ହୀରାପ୍ରଭା ଲୋକନେ ।
କ୍ଷୀରଧାର ମନେ କରି ଧାମନ୍ତି ପାନେ ।୧୮।
ଜୀବଞ୍ଜୀବ ଶୁଚିରୋଚି ମରୀଚି ମଣି ।
ଈକ୍ଷଣେ ତୃଷାକୁ ନାଶ କରନ୍ତି ପୁଣି ।୧୯।
ମାଣିକ୍ୟ ପ୍ରଭାରେ ଭାବେ ଏମନ୍ତ ମନ ।
ମହୀକି କେତେଯୋଜନ ହେବ ଗମନ ।୨୦।
ଜାଣିବାକୁ କି ଅବା ସୁଜାଣ ବିଧାତା ।
ପାଟ ବଳି ଯୁଆଉଛି ପ୍ରମାଣ ସୂତା ।୨୧
ନାଳମଣିପ୍ରଭା କି ଧରଣ ରମଣୀ ।
କୁଟିଳ କୁନ୍ତଳ କରିଅଛି ସୁବେଣୀ ।୨୨।
କେବଣ ପ୍ରଦେଶ ମୁକୁତାରେ ଭୂଷିତ ।
ଆକାଶେ ପ୍ରକାଶମାନ କି ତାରାବ୍ରତ।୨୩।
ମରକତ ଗଜମୋତି ଅଛି ବହୁତ ।
ଗୁଞ୍ଜ ପୁଞ୍ଜ ଭ୍ରମ ତହିଁ ହୁଅଇ ଜାତ ।୨୪।
କିନ୍ନରୀ କିନ୍ନର କ୍ରୀଡ଼ା କରେ ଅନିଶି ।
କଦା ଅନ୍ଧକାର ତହିଁ ନ ପାରେ ପଶି ।୨୫।
ନିଶି ଦିନେ ସୁଖୀ ହୋଇ କୁମୁଦ ପଦ୍ମ ।
କରିଛନ୍ତି ପଦ୍ମକାରମାନଙ୍କେ ପଦ୍ମ ।୨୬।
ଗିରିରାଜ କଟୀ ହେମ ସୂତ୍ରେ ଯେସନ ।
ଆବୃତ ହେବରୁ ଇଳାବୃତ ତେସନ ।୨୭।
ଶୁକ ପିକ ଶାରୀ ପାରାବତ ସ୍ୱନରେ।
ଘନ ବନମାନ ତହିଁ ଅଗମ୍ୟ କରେ ।୨୮।
ବ୍ରହ୍ମଲୋକବାସୀ ଆସି ହସି ବିଳସେ ।
ମଳୟପବନ ବହେ ସକଳମାସେ ।୨୯।
ମେଘ ଭାନୁ ଚନ୍ଦ୍ର ତାରା ଏମାନଙ୍କର ।
ସୁମେରୁ ମଧ୍ୟଭାଗୁଁ ତଳକୁ ବିହାର ।୩୦।
ଅମରଙ୍କ ବଡ଼ଭିକି ସ୍ୱର୍ଣ୍ଣଭୂଧର ।
ସେ ଖଣ୍ଡ ଅମୀୟସ୍ଥଳ ପ୍ରାୟ ରୁଚିର ।୩୧।
କୁମର ଦେଖି ଭାବିଲା ଏ ଦେବଭୂମି ।
ବାହୁଡ଼ିଲା ପଥ ନ ଜାଣିଲା ସେ ଭ୍ରମି ।୩୨।
କରଇ ଚିନ୍ତା ବିରହେ କୃଶତା ହୋଇ ।
ଉପଇନ୍ଦ୍ର ଭଞ୍ଜ ବାରବର କହଇ ।୩୩।
ଅଷ୍ଟମ ଛାନ୍ଦ
ସ୍ତ୍ରୀ ବିଚ୍ଛେଦରେ ରାଜପୂତ୍ରର ବିଦେଶରେ ଭାବନା
(ରାଗ- ଭାଟିଆରୀ)
ଦଇବବଶେ ବିଦେଶେ ରହି । ରସିକବର ଭୃଙ୍ଗକୁ କହି ।
ଊଦ୍ଦଣ୍ଡ କୁସୁମକୋଦଣ୍ଡ କାଣ୍ଡରୁ ବଳିତ ଦଣ୍ଡ ବ୍ରହ୍ମାଣ୍ଡ ନାହିଁ ।୧।
ମହାସୁଖ ନାହିଁ ଦମ୍ପତିରୁ । କି କାର୍ଯ୍ୟ କୁବେର ସମ୍ପତ୍ତିରୁ ।
ଜୀବନ ଯିବାର ବଡ଼ ତ ନୁହଇ ଯୁବାଙ୍କୁ ଯୁବତୀ ବିଚ୍ଛେଦରୁ ।୨।
ପରମପଦାର୍ଥ ପୀରତିରୁ । ବନ ହୋଇ ସୁଖ ସୁରତିରୁ ।
ନାହିଁ ନ ଥିବ ନୋହିବ ସର୍ବମତେ ତହିଁକି ପ୍ରତି କାରଣ ଭୀରୁ ।୩।
ରତି ହୋଇ ଯେଉଁ ଦ୍ୱି ଅକ୍ଷର । ପାସୋର ଯିବାକୁ ପଞ୍ଚଶର ।
ନିଜବଲ୍ଲଭୀ ନାମ ତାହା ଦେଇଛି ଏଣୁ ସେ ନାଗରଗଣେ ସାର ।୪।
ପରାଶର ପରା ଋଷି ଯହିଁ । ଅଦୃଷ୍ଟରଜାରେ ହେଲେ ମୋହି ।
ନବଯୌବନୀ ବନିତା ଚାହିଁ ଧୈର୍ଯ୍ୟଧରୁ କେ ଅବନୀ ଜାତ ହୋଇ ।୫।
ଥିବ ଦିବ୍ୟ ରାମା ମୋହିବାକୁ । ବର ଥିବ ଦୂର ନୋହିବାକୁ ।
ଯେ ଅର୍ଜିଅଛି ଏ ଦୁର୍ଲଭ୍ୟ ସୁଲଭ ଦୁର୍ଲଭ୍ୟ ତା ପୁଣ୍ୟ କହିବାକୁ ।୬।
ବାନ୍ଧବୀ ପାଶରେ ଥାଉଁ ଥାଉଁ ତା ମୁଖପଦ୍ମକୁ ଚାହୁଁ ଚାହୁଁ ।
ଯେଉଁ ପୁରୁଷ ପ୍ରାଣତ୍ୟାଗ କରିଛି ତା ସମ ସୁକୃତି କାହିଁ ଆଉ ।୭।
ବଧାତାର ହେଲା ହଡ଼ମତି । ଅସ୍ପରଶ କଲା ଋତୁମତୀ ।
ପରତେ ମୋ ଚିତ୍ତେ ତେତେବେଳେ ସତେ ହୋଇଥିଲା ବେଦ ଜଡ଼ମତି ।୮।
ବିଧିନିଷେଧ ଦିବସ ରତି । ନଥିଲେ ପ୍ରଦୀପ ଚନ୍ଦ୍ରରାତି ।
ବାଳାର ଦିବସ ଦର୍ଶନ ନ ଥିଲେ ରସିକକୁ ଥିଲା କେଉଁ ଗତି ।୯।
ଭେଟ ଭେଟ ଦିନ ପ୍ରେମଧନ । ଦେଇ ତରୁଣୀ କିଣନ୍ତି ମନ ।
ପିଣ୍ଡପ୍ରାଣ ଘାନି ପୁଂସ ଯେଣେ ଗଲ ସେ ଆଉ ନ ଛାଡ଼େ ସନ୍ନିଧାନ ।୧୦।
ମଧୁଅଛି ବଧୂ ବିମ୍ବାଧରେ । ତାହା ନ ହେଜିଲେ ଦେବାସୁରେ ।
ସୁଧାରେ କି ସ୍ୱାଦୁ ଅଛି ବୋଲି ଦ୍ୱନ୍ଦ୍ୱ ଆରମ୍ଭିଲେ ସିନ୍ଧୁ ମନ୍ଥନରେ ।୧୧।
ଯେ ଘେନେ ଚନ୍ଦନ ଭୋଗବଶେ । ରସଦାୟିନୀର ରସେ ରସେ ।
ଆଲିଙ୍ଗନ ସୁଖ କାହୁଁ ଜାଣିବ ଯେମନ୍ତ ଚୁମ୍ବନ କିଂପୁରୁଷେ ।୧୨।
ଯେତେବେଳେ ଘେନି ପ୍ରତିଶ୍ରୁତି । ରୋଷଭର ହୋଏ ମାନବତୀ ।
ତେତେବେଳେ ହୃଷ୍ଟଠାରୁ କାହିଁ ପୃଷ୍ଟ ହେବ ଅଷ୍ଟନିଧି ପରାପତି ।୧୩।
ସ୍ମରଶାସ୍ତ୍ର ଯାର ପଢ଼ା ନାହିଁ । ଯାଗ କରୁଥାନ୍ତି ସ୍ୱର୍ଗପାଇଁ।
ତହିଁ ଭୋଗ ସକ ଚନ୍ଦନ ବନିତା ଜୀବ ଗଲେ ସେ ପ୍ରାପତ ହୋଇ ।୧୪।
ସ୍ୱର୍ଗଯାଇ କେଉଁ ଭୋଗ ହେବ । ନୀବୀରେ ମୋକ୍ଷଣ ଅଛି ଭାବ।
ସୁତନୁ ଜାନୁସିଂହାସନୁ କି ତହିଁ ମନୋରମ ହୋଇ ସ୍ଥାନଥିବ ।୧୫।
ପୂର୍ବଜନ୍ମ ହେମ-ଚମ୍ପା ଦେଇ । ଥାଇଟି ଶିବଙ୍କୁ ଯେ ମନାଇ ।
ଚମ୍ପାଗୋରୀ ଚମ୍ପା ମାଳପରି ବାହୁ ଗଳାକୁ ମାଳା କରଇ ସେହି ।୧୬।
ଯେ ରସାଇ ରାମା ବିପରୀତେ । ବେଣୀ ନାସାମଣୀ ଦ୍ୱାରା ନୃତ୍ୟେ ।
ଦୃଷ୍ଟି ଦେଇଥିବ ସୃଷ୍ଟିରେ କାହିଁ ଏତ୍ସବୁଁ ଉତ୍ସବ ତାକୁ ପ୍ରତେ ।୧୭।
କରଜରେ କ୍ଷତ ରଖିବାର । ସ୍ତନେ ପତ୍ରଲେଖ ଲେଖିବାର ।
ଭାଙ୍ଗି ଅଳସକୁ କୁଚକଳସକୁ ମହାଯୋଗ ପ୍ରାୟେ ଦେଖିବାର । ୧୮।
ବାଞ୍ଛି ବାଞ୍ଛାତରୁ ତଳେ ବସି ।। ଉଜାଗରେ ନେଇ ଅହର୍ନିଶି ।
ଯେ ଗଙ୍ଗାସାଗରେ ଝାସିଥାଇ ତାର ଉତ୍ତମ ରାମା ଅଙ୍କରେ ବସି ।୧୯।
ବିଞ୍ଚୁଥିବା ରାମା ପଣନ୍ତରେ । ଯେଉଁ ନାଗରକୁ ରତାନ୍ତର ।
ସେ କି ପ୍ରଶଂସିବ ଦକ୍ଷିଣମରୁତ ସୁଶୀତଳ ବୋଲି ବସନ୍ତର ।୨୦।
ରସିକ ମଧ୍ୟେ ନିଶ୍ଚୟେ ସାର । ଜଗତପ୍ରଭୁ ରଥାଙ୍ଗଧର ।
କାମିନୀଟି ଏଡ଼େ ବୋଲି କମଳାଙ୍କୁ କରି ନ ପାରନ୍ତି କ୍ଷଣେ ଦୂର ।୨୧।
ମହାଯୋଗୀ ଜାଣ ମହାଦେବ ।ତାକୁ କେ ବଡ଼ ସଂସାରେ ଥିବ ।
ଯୁବତୀ ଏମନ୍ତ ଅର୍ଦ୍ଧଅଙ୍ଗ କରି ଛାଡ଼ି ନ ପାରିଲେ ଏକ ଲବ ।୨୨।
ସାଗରବତ ନାଗରମଣି । ତ୍ରିପୁରେ ସମାନ ନାହିଁ ପୁଣି ।
ଗଙ୍ଗାସଙ୍ଗମେ ଅଙ୍ଗେ ଅଙ୍ଗ ମିଶାଇ ଆଲିଙ୍ଗନ ସୁଖ ସେହି ଜାଣି ।୨୩।
ଯୋଗୀଙ୍କ ଯୋଗ ହୁଅନ୍ତା ନାଶ । ସବୁ ଦିନେ ଥାନ୍ତା ମଧୁମାସ ।
ମନ ତହିଁ ଯାଏ ଦେହ ସେହି ସଙ୍ଗେ ହେଉଥାନ୍ତା ପୁଣି ପରବେଶ ।୨୪।
ରାଜାଙ୍କୁ ହେବାର ରାଜ୍ୟ ନଷ୍ଟ । ଯୁବାଙ୍କ ହେବାର ପତ୍ନୀକଷ୍ଟ ।
କହେ ଉପଇନ୍ଦ୍ର ଭଞ୍ଜ ବୀରବର ଏଥୁଁ ବଳି ଆଉ ନାହିଁ କଷ୍ଟ ।୨୫।
ନବମ ଛାନ୍ଦ
ସ୍ତ୍ରୀ ଗୁଣକୁ ଭାବିଭାବି ରାଜପୁତ୍ରର ଖେଦ
(ରାଗ-ଘଣ୍ଟାରବ)
ତୁ ବା ବାଲିବୁ ଭ୍ରମର । କାହିଁକି ଏଡ଼େ ଅଧୀର ।
ଯେମନ୍ତେ ବଲ୍ଲଭୀ ଲଭି ହରାଇଛି କିଛି ଶୋଭା ଗୁଣ ତାର ।୧।
ନିଶ୍ଚେ ବିଦ୍ୟାଧରପୁରୀ ।ଆସିଛି ଅଶୋଭା କରି ।
ନେତ୍ର ଖଞ୍ଜରୀଟପକ୍ଷୀ ବନ୍ଦୀକି ଦେ ପଞ୍ଜରୀ ହେମମଞ୍ଜରୀ ।୨।
ବନ୍ଧୁ ଶ୍ରୀମୁଖକୁ ଚାହିଁ । ଦୁଃଖ ହେଉଥାଉ ଦହି ।
ମନେ ଘେନୁଥାଇ ଆନ ନାହିଁ ଆଉ ଆନନ୍ଦସ୍ୱରୂପ ଏହି ।୩।
ହସିବାବେଳେ ସୁକେଶୀ । ଅଧର କି ଶୋଭା ଦିଶି ।
ସୁନ୍ଦରୀ ସୁନ୍ଦର ଯଶ ଅନୁରାଗ ହୋଇଲେ କି ମିଶାମଶି ।୪।
ଜୃମ୍ଭାରେ ଝଲକେ ଦନ୍ତ । ଚାହିଁପଲକ ସ୍ଥକିତ ।
ମାଣିକ୍ୟ କୁହରେ ତମ ଭୟରେ କି ଦ୍ୱିତୀୟାଶଶୀ ରୂପର ।୫।
ଆଦରଶେ ନ ଦେଖଇ । ଭାଲେ ତିଳକ ଲେଖଇ ।
ଲୁଳିତ ଶ୍ରୁତିକୁଣ୍ଡଳ ବିମ୍ବିବାରୁ ଗଣ୍ଡମଣ୍ଡଳକୁ ଚାହିଁ ।୬।
ଭାଲେ ଢଳୁଥିଲେ ନେତ୍ର । କଳା ଧଳା ରଙ୍ଗେ ଚିତ୍ର ।
ଜଗତରଞ୍ଜନ ସାରଣି ଖେଳାଇ ଲଗାଇ ଅଞ୍ଜନ ସୂତ୍ର ।୭।
ଭୂରୁ ଯେତେବେଳେ ନାଚେ ।ଦେଖି ମୁଁଏମନ୍ତ ପାଞ୍ଚେ ।
ଯୋଗୀଧୈର୍ଯ୍ୟତରୁ ଛେଦିବା ପାଇଁକି ସୁତୀକ୍ଷ୍ଣ ପରଶୁ ଆଞ୍ଚେ ।୮।
ଫୁଲାଇବା ବେଳେ ଘୋଣା । ପ୍ରଚଳିତ ଦିବ୍ୟଗୁଣା ।
କି ଯନ୍ତ୍ର କି କଳ କାହା ବଶେ କେହୁ ଚଳେ ବୁଦ୍ଧି ହୁଏ ବଣା ।୯।
କନକ କାଗଜପତ୍ର । ଭାଲ ତା ଅତି ବିଚିତ୍ର ।
ଚୂର୍ଣ୍ଣକେଶ ଛଳେ ଧାତା କି ଲେଖିଛି ଧାଡ଼ିଏ ମୋହନ ମନ୍ତ୍ର ।୧୦।
ଭଲା ତା ଲୋଟଣୀଜୁଡ଼ା ।ଜାଲି ପାଟଡ଼ୋରେ ଭିଡ଼ା ।
ଭାବେ ସୁବେଣୀ ମନ ମୀନ ଧରିବା କୁବେଣୀ କଲାଣି ଲୋଡ଼ା ।୧୧।
ପିକ ଢୋକିବାର ବୋଳ । ବୋଳ ଫୁଟି ଦିଶେ ଗଳେ ।
କି କାଞ୍ଚନ ଆଭା କାଚନଳେ ଫଗୁ ପୂରାଇ ପିଚିକା ଚାଳେ ।୧୨।
ବାଣୀ କହିବାରେ ଧନୀ । ଥାଇ କେତେ ଘେନାଘେନି ।
କାମକୁ ହୃଦରେ ସଜୀବ କରଇ କି ସେ ମୃତ୍ୟୁସଞ୍ଜୀବନୀ ।୧୩।
ରାମା ଶିରଭୂଷାହୀରା । ଗମନେ ନ ଦେଖେ ଧରା ।
ଯଉବନ ଗଜ ଅମାରି ଉରଜ ସିନ୍ଧୁଆ ଚାନ୍ଦୁଆ ପରା ।୧୪।
ଊର୍ଦ୍ଧ୍ୱେକର ଛନ୍ଦାବେଳେ । ହାରି ନାକନାରୀ ଭାଳେ ।
ଏହିକ୍ଷଣି ସୁଲକ୍ଷଣୀ କି ହେମ ପାରିଜାତମାଳା ଦେଲେ ।୧୫।
ଝୀନବସନରେ ଗଳି । ଦିଶିବାରୁ ରୋମାବଳୀ ।
ଘେନେ ମନେ ସ୍ତନେ ମଧୁ ସଞ୍ଚିବାକୁ ସରଘାପନ୍ତି କି ଚଳି ।୧୬।
ଦୂର କରିବାରେ ବାସ । ଦେଖି ତା ଜଘନଦେଶ ।
ଭାଳେ ଏଠାରେ ସେ ବାଳା ଘୋଡ଼ାଇଛି ହେମପାତ୍ରେ ପ୍ରେମରସ ।୧୭।
ଜାନୁ ଦର୍ଶନେ ଏ ଭ୍ରମ । ଦୋଳା କରିବାକୁ କାମ ।
କେଉଁ କୁନ୍ଦେ କୁନ୍ଦି ଦନ୍ତୀଦନ୍ତସ୍ତମ୍ଭ ରୋପି ଲେପିଛି କୁଙ୍କୁମ ।୧୮।
ନିଶି ଯିବାବେଳେ ପାହି । ପାର୍ଶ୍ୱ ଉଠିଯାଉଁ ସହୀ ।
ଚରମ କରିଛି ଭରମପରଭା ଶୋଭା କୁଚ ରମ୍ୟ ଚାହିଁ ।୧୯।
ତମ୍ଭୀ ପରାୟେ ତା ସ୍ଚିଚ । ଧାତା କରିଥିଲା ପାଞ୍ଚ ।
ବୀଣା କରିବାକୁ ଗୁଣା ଦଣ୍ଡସାର ନ ମିଳିଲା ସ୍ୱର୍ଗ ମଞ୍ଚ ।୨୦।
ଜବା ଅବା ପାଦତଳ। ଅଳତା ଚିତ୍ରେ ମଞ୍ଜୁଳ ।
କାହାକୁ କେ ଶୋଭା କରାଉଛି ବୋଲି ଲୋକନେ ହୋଏ ଏ ଗୋଳ ।୨୧।
ଶ୍ରୀଅଙ୍ଗ ଅମୂଲ୍ୟ ଗୋରା । ମନ ନୟନର କାରା ।
କିଛି ଉପମେୟ ହୁଅନ୍ତା ବଜୁଳି ଚିର ହୋଇଥିଲେ ପରା ।୨୨।
କର ପଦେ ଆଳୀ ଆଳି । ଘେନି ହରିତାଳି କାଳି ।
ବାଲ୍ମୀକ ସୁବର୍ଣ୍ଣ ପିତୁଳୀ ଭାଳି କି ମନାଚିତ୍ରକଲେ ଝଳି ।୨୩।
ହଂସକେ କରନ୍ତି ସ୍ୱନ । ହଂସକେ ଗତି ସମାନ ।
ଦ୍ୱିରଦ ମନ୍ଥର ବୋଲିବା ପଦକୁ ଅନ୍ତର କରି ନ ଘେନ ।୨୪।
ଏକେ ଶୋଭା ଯୁବତୀ ସେ ।ପୁଣ ତ ଭାବବତୀ ସେ ।
କହେ ଉପଇନ୍ଦ୍ର ଭଞ୍ଜ ବୀରବର ପୁଲ ଲକ୍ଷଣବତୀ ସେ ।୨୫।
ଦଶମ ଛାନ୍ଦ
ରାଜପୁତ୍ରର ଖେଦ
(ରାଗ- ବରାଡ଼ି, ଆଷାଢ଼ ଶୁକ୍ଳବାଣୀ )
ହା ହା ସେ ଶିରୀଷମୃଦଙ୍ଗିନୀ ।
ହା ହା ସେ ଗିରୀଶଯୋଗ ଭୃଙ୍ଗିନୀ ।
ହା ହା ସେ କାମଧନୁ ଭ୍ରୂଭଙ୍ଗିନୀ ।
ହା ହା ସେ ପ୍ରେମରସ ତରଙ୍ଗିଣୀ ।
ହା ହା ସେ ରଙ୍ଗିନୀ ।
କି ଭାଗ୍ୟୁଁ ମୋହର ପ୍ରାଣ ସଙ୍ଗିନୀ ।୧।
ବୟସ ନବ ସପତ ବରଷ ।
ସମେ ଅଛି ଯହିଁ ଲାବଣ୍ୟ ରସ ।
ହରଷରେ ମିଶିଅଛି ସରସ ।
ଶ୍ରୀଅଙ୍ଗ ବାସକୁ ଦାସ ସାରସ ।
ବିନାଶେ ବିରସ ।
ଶୀତଳ ଚନ୍ଦନୁ ତନୁ ସ୍ପରଶ ।୨।
ସୁନ୍ଦରୀ ଯେଡ଼େ ସେ ତେଡ଼େ ଚତୁରୀ ।
ଚତୁରୀ ଯେଡ଼େ ତେଡ଼େ ତା ଚାତୁରୀ ।
ଚାତୁରୀ ନୋହେ ସେ କାମ କତୁରୀ ।
ବ୍ରହ୍ମଚାରୀ ଧୈର୍ଯ୍ୟ ପାରେ କତୁରୀ ।
ଯିବ କେ ଉତୁରି ।
ମନମଥ ଶରେ ନୋହି ଆତୁରୀ ।୩।
ନିବାଡ଼ି ଥାଇ ଦମ୍ଭ ଅରକ୍ଷଣେ ।
ତା ନିବିଡ଼ନୀବୀ ଚାହିଁଲାକ୍ଷଣେ ।
ମାର ଖୋଜେ ଶାଣବାଣ ତୀକ୍ଷ୍ଣେ ।
ଜଡ଼ି ଏ ତାଉ ଭାଳଇ ଈକ୍ଷଣେ ।
ମନ ଅନୁକ୍ଷଣେ ।
ଉଦ୍ବେଗ ହେଉଥାଇ ମୋକ୍ଷଣେ ।୪।
ଏଣୁ ପ୍ରଶଂସା ମୋ ପିତାବାସରେ ।
କଥନେ ତାହାର ଗୁଣ ନ ସରେ ।
ସୁନ୍ଦର ପ୍ରତିଅଙ୍ଗ ଆଶ୍ଳେଷରେ ।
ସେ ମହାସୁଖୀ ରଜନୀବାସରେ ।
ଫେଡ଼ିଲେ ରସରେ ।
ବୋଲୁଥାଇ ଥାଉ ସ୍ନେହବଶରେ ।୫।
ସେହି ଭାବ ଗୋଟି ମନୁ ନ ଯାଇ ।
ପଲ୍ୟଙ୍କ ଉପରେ ଶେଯ ଶେଯାଇ ।
ବିଞ୍ଚିଥାଇ ତହିଁ କର୍ପୂର ଜାଇ ।
ମୁଁ ପ୍ରବେଶେ ଚିତ୍ତ ଲାଜେ ମଜ୍ଜାଇ ।
ଭାବ ଉପୁଜାଇ
ପାରିବି ନାହିଁ ବୋଲି ଘୁଞ୍ଚିଯାଇ ।୬।
ଦିନେ ଯେ ଇଚ୍ଛା କରି ପ୍ରମଞ୍ଜନ ।
ଗଳାମାଳା କରି ବାସ ଖଞ୍ଜନ ।
ବିଞ୍ଚି ହୋଇ ଯାଇ ସ୍ୱେଦ ଗଞ୍ଜନ ।
ବୁଜୁଁ ପଛୁଁ ଯାଇ ନେତ୍ର ଖଞ୍ଜନ ।
ପକାଇ ବ୍ୟଜନ ।
କର ଧରିବାର କେଡ଼େ ରଞ୍ଜନ ।୭।
ଦିନେ ଯେ ଚୁଆରେ କରି ଚର୍ଚ୍ଚିତ ।
ମାଧବୀ ମାଳା ଦେଇ ମୋହି ଚିତ୍ତ ।
ବୋଇଲି ତୁ ମୋ ମାଧବୀ କୁଞ୍ଚିତ।
କେଶୀ ଶୁଣିକରି ହସି କିଞ୍ଚିତ ।
ଏ ବାଣୀ ରଚିତ ।
ପ୍ରଭୁ ସେବକୀର ଏ କି ଉଚିତ ।୮।
ଦିନେ ଯେ ଘନକୁ ଚାହିଁ ଆଶାରେ ।
ରସିଲି ରସିକା ସଙ୍ଗେ ପାଶରେ ।
ଉରଜକୁ ସମ ହେବ ହିଂସାରେ ।
କେଡ଼େ କରି ମାରେ ସାରକୁ ସାରେ ।
କାହିଁକି ସଂସାରେ ।
ଚତୁରୀ ତା ସମକୁ ପ୍ରଶଂସାରେ ।୯।
ଜାଣିଲି ମନ ବୋଲିବା ଭାଷାରେ ।
ବନ୍ଧୁ ଉଠିଯାଉଁ ଆଡ଼ରୁଷାରେ ।
କହିଲି ପୂର୍ଣ୍ଣ ନ କଲୁ ଆଶାରେ ।
ବୋଇଲା ହେବ ହୋଇଲେ ନିଶାରେ ।
ହା ହା ଦୁର୍ଦ୍ଦଶାରେ ।
ଦୁଃଖୀ ହୋଇଲୁ କେଉଁ ଦୁର୍ଦ୍ଦଶାରେ ।୧୦।
ଯୁବାଜନଙ୍କର ଜ୍ଞାନବୁଡ଼ାକୁ ।
ଦିନେ ସଜାଡ଼ୁଁ ଲୋଟଣୀଜୁଡ଼ାକୁ ।
ବେଣୀ ବିରଚ ବନ୍ଧୁ ବୋଲି ଡାକୁଁ ।
ଶୁଣି ବୋଇଲା ସେ କେଉଁ ଲୋଡ଼ାକୁ ।
ମୋ ଦମ୍ଭ ଛଡ଼ାକୁ ।
ବୋଇଲି ମୋହ ଉପରି କ୍ରୀଡ଼ାକୁ ।୧୧।
ଶରଦଲୀଳା ମନେ ଅବଚ୍ଛିନ୍ନ ।
ଅଛି ଚନ୍ଦ୍ର ଦିନେ ମେଘେ ଆଚ୍ଛନ୍ନ ।
ବାସ ହରୁଁ ଉଦେ ମୃଗଲାଞ୍ଚନ ।
ଦିଶୁଁ ସ୍ମରପୁର ହୋଇଲି ଚ୍ଛନ୍ନ ।
ହୋଇ ସେ ଉଚ୍ଛନ୍ନ ।
ନେତ୍ର ବୁଜି କଲା ସୁଖ ଭର୍ତ୍ସନ ।୧୨।
ସେକାଳେ ମୁହିଁ କହିଲି ଏମନ୍ତ ।
ବିଧୁ ଉପକାର କଲା କେମନ୍ତ ।
ଦିବସ ରତେ ଏଥିକି ମୋ ମତ ।
ନ କରୁ ହେଜି କେବେ ସନମତ ।
ମୋ ଭାଗ୍ୟ ଯେମନ୍ତ ।
ଥିଲା ପୁଣି ହେଲା ଭାବ ତେମନ୍ତ ।୧୩।
ଦିନେ ବିହାରକରୁଁ କେଳିସର ।
ଭୃଙ୍ଗ ଚୁମ୍ବନ ଦେଲା ସାରସର ।
ମାତୁଁ ଯାଇଁ ଆନ ଫୁଲ ରସର ।
ସିହାଣୀ ପାଇ ଏତେ ଅବସର ।
କହିଲା ହାସର ।
ଏହି ସେନେହ ସିନା ପୁରୁଷର ।୧୪।
ଏହ ଚିନ୍ତି ହୃଦ ହୁଏ କରଚି ।
ସୁନ୍ଦରୀରତନ ସାରି ସୁରତି ।
ଚନ୍ଦନ ବୋଲି ଚିତ୍ତକୁ ଧୂରତି ।
କରି ବିଞ୍ଚିବାର କେତେ ପୀରତି ।
ସୁନ୍ଦର ମୂରତି ।
ଛଇଳୀ ଗୁଣେ ଧିକ ହେବ ରତି ।୧୫।
ଦିନେ ଋଷିଥଲା ଜୀବଜୀବେଶ ।
ଚିନ୍ତି ମୁଁ ହୋଇଲି ସଜନୀ ବେଶ ।
ଜାଣିଲି ପାଶରେ ହେଉଁ ପ୍ରବେଶ ।
ମୁଁ ବୋଇଲି କାନ୍ତେ ହୁଅ ଆବେଶ ।
ବୋଇଲା ଜୀବେଶ ।
ତୁମ୍ଭେ ତାଙ୍କ ଠାରେ ଚିତ୍ତ ନିବେଶ ।୧୬।
ଦିନେ ପ୍ରିୟା ଆସୁଁ ଦୃଷ୍ଟି ପତନୁ ।
ଶେଯେ ମୁଁ ଶୟନ କରି ଯତନୁ ।
ଲଗାଇ ମୋର ତନୁରେ ତା ତନୁ ।
ଆସି ମୁଖେ ଦେଲା ଚୁମ୍ବ ସୁତନୁ ।
ଦହୁଛି ଅତନୁ ।
ତାହା ସୁମରି ହେଉଅଛି ତନୁ ।୧୭।
ବାସ ପାଲଟ ଦଇବ କୃତରେ ।
ଦିନେ ପାଶୁଁ ଯାଇଁ ଜାଣୁ ପ୍ରାତରେ ।
ଲେଉଟି ଆସିଣ ଲଜ୍ଜା କାତରେ ।
କ୍ରୋଡ଼ରେ ପଶି କେଡ଼େ ତରତରେ ।
ଭାବୁଛି ଚିତ୍ତରେ ।
ପାଲଟାଇ ନେଲା ବୋଧି ରତିରେ ।୧୮।
ଦିନେ ଶାଢ଼ୀ ପିନ୍ଧୁ କହୁଁ ସହୀକି ।
ମନା ନ କରିବୁ ମନ ଯହିଁକି ।
ସରାଗେ ବକ୍ରେ ଚାହିଁଲା ତହିକିଁ।
ବୋଇଲି ନୀବୀ ବାନ୍ଧିବି ମୁହିଁକି ।
ନୋହିବ କାହିଁକି ।
ବୋଲି ଯେ କଲା ଲପନ ମହୀକି ।୧୯।
ଦିନେ ନିର୍ମଳ ଉଦେ କଳାକର ।
ଚତ୍ୱରେ ଶୋଇଥିଲା ପଲଙ୍କର ।
ନ ଥିଲା ଚେଳ କୁଚକନ୍ଦୁକର ।
ସ୍ୱତରେ ଯାଇ ମୁଁ ପକାଉ କର ।
ବୋଲିଛି ନିକର ।
ଏହି କଥା ନିକି ଜୀବିକା କର ।୨୦।
ଜୀବ ଜୀବନ ମୋ ନାଗରୀବର ।
ମୃଗ କଲା ତାକୁ କାମଶର ।
ତା ଗୁଣ ଗୁଣି ଜିଇଁଛି ଜୀବର ।
ବାନ୍ଧିକି ଯାଇଁ ପୁଣି ତା କବର ।
କେ ନେବ ଏ ବର ।
କହଇ ଉପଇନ୍ଦ୍ର ବୀରବର ।୨୧।
ଏକାଦଶ ଛାନ୍ଦ
ହିମଋତୁ ଭାବନା
( ରାଗ- ବଙ୍ଗଳା ଶ୍ରୀ (ଶୃଙ୍ଖଳା )
ହିମନ୍ତେ ହେମବରନା ଭାବ ଯେତେ ଶେଷନୋହିବ ସୁମରି ।
ମରିବାର ଭଲ ନବୀନ ବିନା ଯା ବିଦେଶରେ ଦିନୁ ହରି ।୧।
ହରି କି କଲେ ଜୀବନ ଥାଉଁ ଥାଉଁ ବିଚ୍ଛେଦ ଜୀବନଧନ ।
ଧନଦଭୂତିକି ପାଦେ ପେଲିଦେଇ ମୋ ଇଚ୍ଛାରେ ହେଲି ହୀନ ।୨
ଦିନ ଦିନକର ଭାବ ତା ଯେତକ ଅଗରୁଧୂମରେ କରି ।
କରୀକୁମ୍ଭସ୍ତନା ନୟନଯୁଗଳୁ ଗଳୁଁଗଳୁଁ ଦିନେ ବାରି ।୩।
ବାରି ନପାରି ମୁଁ କିମ୍ପା ମାନ ପୁଛୁଁ ବୋଇଲା ଧରି ମୋ କର ।
କରନ୍ତି ଊଶତୁ ରୋଷ କାମିନୀ କି ଜୀଇଁଥାଉଁ ପଞ୍ଚଶର ।୪।
ଶରଣବତ୍ସଳା ଭାବମୂର୍ଚ୍ଛି ନୋହେ ଦିନେ ହୋଇରସ ବଶ ।
ବସନ ହରିବା ଉତ୍ତାରୁ ମୋ ଭାଗ୍ୟବଳେ ହସନ୍ତି ପ୍ରକାଶ ।୫।
କାଶହାସୀମୁଖ ଲଗାନ୍ତେ ମୋ ଉରେ ଲଜ୍ଜାରେ ହୋଇ କାତର ।
ତରତର ଭୁଜେ ଭିଡ଼ିବାକି ଭଙ୍ଗୀ ଭଜି ଅଛି ଶୀତିକାର ।୬।
କାରଣ ମୋହର ପ୍ରବଳ ଜାଡ଼କୁ ତା ପୟୋଧରଭୂଧର ।
ଧରଷଇ ଶୀତ ଈଷିତେ ପୁଣିତ ପଣନ୍ତ ଘୋଡ଼ାଇ ତାର ।୭।
ତାରକାଶୋଭୀର କଲାବେଳେ ମୁହିଁ ଅଧରୁ ଅମୃତପାନ।
ପାନ ଅବଶେଷ ବଦନୁ ନିଅଇ ଦିଅଇ ତହିଁ ଚୁମ୍ବନ ।୮।
ବନଜାଆନନୀ ଭଲା ରସବତୀ ମୋର ସେ ସବୁ ଭରସା ।
ରସାଇଥିଲି ଯେ ଦିନେ କାମରସେ ଯୋଗେପାହିଗଲା ନିଶା ।୯।
ନିଶାର ଆଚ୍ଛାଦି ସୁରତି ଦେବାର ଭଙ୍ଗୀକି କେବା ସମାନ ମାନସ
ମାନସରୋବରେ ସେ ହଂସ ହୋଇ କ୍ରୀଡ଼େ ଅବଚ୍ଛିନ୍ନ ।୧୦।
ଛନ୍ନ କରିବା ମୋ ଚିତ୍ତ ଭାବି ଦିନେ ନୂପୁର ତେଜି ଆଦର ।
ଦରହାସୀ ଗୋପ୍ୟପୁରେ ଲୁଚିଥିଲା ମୁଁ ଖୋଜିକହିଲା କୀର ।୧୧।
କିରଣ ଚନ୍ଦ୍ରରୁ ଖସିଲା ପରାୟେ ହସିଲାଜବାଅଧରୀ ।
ଧରି କର ମୁଁ ଯେ ଆଣିଲା ବେଳକୁ ତାହା ପାସୋରି ନ ପାରି ୧୨।
ପାରୀନ୍ଦ୍ରମଧ୍ୟା ଶୋଭା କିଛି ଦେଖାଇ ଥାଇ ଆଲୋକ ତାମସ ।
ମଶହରିର ଉଦରେ ମୋର ହିତ ବିରଚୁଁ କେଳିରହସ ।୧୩।
ହସ ହସ ହୋଇ ବୋଲି ଏ ପୁଣି କିସ ହେଲାଣି ଦିବସ ।
ବସନ୍ତବସନାର ସେହି ଭାଷାଟି କରିଛି ମୋ ହୃଦେ ବାସ ।୧୪।
ବାସବ ପୁଣି ନେତ୍ରେ ଋଣ ଦଅନ୍ତା ଦିନେ ହେଲା ଏ ସମ୍ମତ ।
ମତ୍ତପିକଭାଷୀ ସ୍ମରପୁର ବନ୍ଧୁ ଆରମ୍ଭେ କରି ଲୋକିତ ।୧୫।
କିତବ କି ବେନି ପାଶେ ନଖ ଚାଳୁଁ ଚମକିଲା କରି ତନୁ।
ତନୁ ଉଦରୀ ମୋହ କଟୀ ସହୀରେ କି ରଙ୍ଗେ ଜାକିଲୁ ଜାନୁ ।୧୬।
ଯା ନୂତନ ବୟସୀର ଏହି ସ୍ନେହ ଚିତୋଇ ଜୀବିତ କ୍ଷଣ ।
କ୍ଷଣକାରେ ଦିନେ ସ୍ୱପ୍ନେ ଭିନ୍ନ ହୋଇ ଦୁହେଁ କରିଛୁ ପ୍ରମାଣ ।୧୭।
ମାଣବିକ ମୃଗନୟନୀ ନୋହିବ ମାନୀ ମୁଁ ନୋହିବ ଦୂର ।
ଦୂରନ୍ତ ଦଇବ ଯୋଗେ ମୁଁ ହୁଡ଼ିଲି କଥା ରହିଲା ତାହାର ।୧୮।
ହାର କୁଟିଲା ଦିନେ ସ୍ତନେ ମୁଁ କର ପକାଉଁ ହାସ୍ୟ ଉଚିତ ।
ଚିତ୍ତମୋହିନୀ ଗୁନ୍ଥି ଦିଅ ବୋଲନ୍ତେ ମାଗିଲି ପୁରୁଷାୟିତ ।୧୯।
ଇତରଭାଗ୍ୟରୁ ବଚନେ ଆଣିଲା ଅସମ୍ମତି ସମ୍ମତ ।
ମତ୍ତଗଜଗତି ନୋହିବ କାହିଁକି ବୋଲିବା କେଡ଼େ ଇଙ୍ଗିତ ।୨୦।
ଗୀତ ଗାଉଥିଲା ଦିନେ ହଂସକର ପଛେ କରି ସେ ତା ଗୁଣୀ ।
ଗୁଣୀହେଲି ଶୁଣି ଘଡ଼ିଏଯାଏ ମୁଁ ବାଜିଇ କେ ବୀଣାଜାଣି ।୨୧।
ବାଣୀ ପ୍ରିୟାର ପୁଣି ବୋଲି ହେଜିଲି ମିଳୁ ଯାଇଁ ଚରମର ।
ମତଇଁ କିନା କି କରି ଜାଣେ ବେଗେ ପଳାଇ ପଶିଲା ପୁର ।୨୨।
ପୁରତେ ପ୍ରସୂନକାଳେ ଯାଉଁ ଦିନେ ଚାହିଁ ପାଦ ଅଳତାକୁ ।
ତାକୁ ଚତୁରୀ ନାହିଁ ମୋତେ ଅନାଇଁ କିଳୁଁ କବାଟ ପୁଡ଼ାକୁ ।୨୩।
ଡାକୁଁ ନିରାଶ କାହିଁ ପାଇଁ ବୋଲିମୁଁ ଦୟାରେ ହୋଇ ଅଧୀରା ।
ଧୀରା ବୋଲିଛି ବେଶହୀନ ହେଇଛି ଜାଣି ନ ଜାଣନ୍ତି ପରା ।୨୪।
ପରଣାବନ୍ଧୁ ଦର୍ପଣ ଥୋଇ ଆଗେ ଦିନେ ଘେନୁ ଚିତ୍ରସାର ।
ସାରମଣୀ ଜାଣିଲା ପ୍ରତିବିମ୍ବେ ପଛରୁ ମୋହ ଯିବାର ।୨୫।
ବାରଣ ନ ଦେଇ ଧଇଲା ମୋ କର ବଢ଼ାଉଁ ଚାରୁ ନୀବୀକି ।
ବିକି ହେଲି ଚୋର ଧରିଲି ବୋଲିବା ବେଳୁ ଘନଜଘନୀକି ।୨୬।
ନିକି ମୁର୍ଚ୍ଛି ହେବ ନିଶାନ୍ତେ କରଜଘାତକୁ ଚାହିଁ ସଜନୀ ।
ଜନିତ ଭୟେ ବୋଇଲି କାମେ କରାଯିବ ଏହି ଦୋଷ ଘେନି । ୨୭।
ଘେନି କହିଲା ଯେ ଶତ୍ରୁକୁ ନ ହେଉ ମନ ଜାଣି କି ବେଗର ।
ଗରଳଗଳ ସେବାଫଳୁ ମୁଁ ଦାସ ହୋଇଛି ସେ ଭାବିନୀର ।୨୮।
ନିରନ୍ତର ନୋହେ ଅନ୍ତର ମନରୁ ରତାନ୍ତେ ରାତ୍ରି ଶେଷରୁ ।
ସରୁଦଶନୀ ଉଠି ଯାଉଁମୁଁ ଧରୁ ଅଞ୍ଚଳ ଛଡ଼ାଇ କରୁ ।୨୯।
କରୁଣା କଟାକ୍ଷେ ଭାଷିଲା କାହିଁକି ବୋଧ ନୋହେ ତୁମ୍ଭ ମନ ।
ମନମଥରସ ଅଶେଷ ପ୍ରକାରେ ଚିତ୍ତ ଜାଣି କରେ ଦାନ ।୩୦।
ଦାନବ ମାନବ ଦେବନାରୀ ନବ ନାଗରୀକି କାହିଁ ସରି ।
ଶରୀର କିଞ୍ଚିତ ପୁଲକିତ ହେଲେ ତନୁ ଅନ୍ତର ବିଚାରି ।୩୧।
ଚାରିମୁଖ ଏହା କଲା ଗିରିବନାନ୍ତରେ ରହିଲା ସେ ସହୀ ।
ସହିଲି କଷ୍ଟ ଅଧିକ ହେବ କିନା ଜିଇଁଥିବାର ବିରହୀ ।୩୨।
ରହିଥାଇଁ ଜୀବ କି ସୁଖଭୁଞ୍ଜିବ ଯାଉ ସେ ବାଳାର ନାମେ ।
କାମେ ଦଗ୍ଧ ହୋଇ ବିହରିଲି ନାହିଁ କାମିନୀ ସଙ୍ଗେ ଆରାମେ ।୩୩।
ରାମେ ଜଣାଅଛି ପ୍ରିୟାର ବିଚ୍ଛେଦ ବେଦନା ତାଙ୍କୁ ଗୋଚର ।
ଚରଣ ସେବା ତାର କେବେ କରିବି ଏହି ମୋ ମୂଳ ବିଚାର ।୩୪।
ଚାର ବେଗବନ୍ତେ ଏମନ୍ତ ମିଳନ୍ତା ନ ସରୁ ଏହି ବାସର ।
ସରସ ସନ୍ଦେଶ ଆଣନ୍ତା ବାନ୍ଧବୀ ପିନ୍ଧିବା ଚୀର ।୩୫।
ଚିରଦୁଃଖ ନାଶି ମାର ନାରାଚକୁ ହୁଅନ୍ତା କବଚ ପରି ।
ପରିଜନ ପାଇଁ ଅସହନ ଦୁଃଖ ସହିଛି ଯାହା ସୁନ୍ଦରୀ ।୩୬।
ଦରିଦ୍ର ଧ୍ୱଂସୀକି ପୂର୍ବପ୍ରାୟେ କରି କରିଣ ସୁରତି ସଜ।
ସଜନୀ ମଧ୍ୟେ ଯେ ଚତୁରୀତରିବେକ ରଜ ତୀକ୍ଷଣ ଉରଜ ।୩୭।
ଊଜ୍ଜ୍ୱଳ କଜ୍ଜଳକାଶୀ କି ଭାଷିଣ ପରିହାସୀ ବେଢ଼ି ପାଶେ ।
ପେଶେ ପ୍ରବେଶ ମୋ କରିବେ ଆଣି କି ଗୁଣି ହେଉଛି ଅନିଶେ ।୩୮।
ନିଶେ କର ଦେବା ଗୁମାନ ଛାଡ଼ିବା ସେହିଦିନ ହରପର ।
ପରମ ସୁଖେ ମଜ୍ଜି ମୁଁ ନ ଜାଣିବି ଉଦେ ଚନ୍ଦ୍ରମା ରବିର ।୩୯।
ବିରହେ କଷ୍ଟ ପାଉଚି ଯେତେ ଏକା ହରି ଏକ ଚୁମ୍ବନରେ ।
ନରେନ୍ଦ୍ର ପଦବୀ ପ୍ରଦାନ କରିବ ବାନ୍ଧବୀ ମୁହୁର୍ତ୍ତକରେ ।୪୦।
କରେ ଏହି ରୁପେ ଭାବନା ପୁରୁଷ ବାଳା ଦିଶେ ସର୍ବଦିଶ ।
ଦିଶଇ ନାହିଁ ଉପାୟ ଶମ୍ବରାରି ଭୟେ ଚିନ୍ତା କରେ ଈଶ ।୪୧।
ଈଶ ଅଯୋଧ୍ୟାର ଯୋଦ୍ଧାଙ୍କ ଭୂଷଣ ଦୂଷଣ ତୃଣକୁ ଶିଶୀ ।
ଶିଖୀ କୁଳୋଦ୍ଭବ ଭଞ୍ଜ କହେ ତାଙ୍କ ଚରଣରେ ଚିତ୍ତ ରଖି ।୪୨।
ଦ୍ୱାଦଶ ଛାନ୍ଦ
ବସନ୍ତ ଋତୁ ଭାବନା
(ରାଗ-ଚୋଖି)
ବସନ୍ତେ ଭ୍ରମୁ କାନନ ବିରସ ଦିଶେ ଆନନ
ଭାଳିଲି ମୁଁ ମାନ ଧନ ମଲା କି ମୋତେ ।
ଯାଇ ପଦକୁ ତାହାର ଶିରଚ୍ଛାଇ କଲି ମୋର
ପ୍ରକାଶ ହୋଇ କାତର ଭିଡ଼ି ତୁରିତେ ।
ବୋଇଲା ମଲା କି ମଦନ ।
ଏହା ଜାଣି ପ୍ରକାଶ କରୁଛ ଏମାନ ।୧।
ଆହୋ ରସବତୀ ପର ଅନ୍ତର ଦିନରେ ଉର
ଉପରେ ପଙ୍କଜଫୁଲ ଦରି ଯେ ଥାଇ ।
ମୋ ପ୍ରିୟା ଯେତେବେଳେ ଆସି ଦରଶନ ଦେଲେ
ମଲ୍ଲୀ କୁସୁମ ମୁଁ କରେ ଧରି ଦେଖାଇ ।
ଜାରି ଭାଷେ କାହା ଆୟତ୍ତ ।
ନାରୀ ପୁରୁଷକୁ ଦଣ୍ଡ ଦଇବ କୃତ ।୨।
ଚାହିଁ ଚାନ୍ଦିନୀ ରଜନୀ ଦିନେଟି ଚାନ୍ଦବଦନୀ
ଚାନ୍ଦନୀ ଉପରେ ନେଇ ଶେଯାଇ ଶେଯ ।
ଭଲା ଚାତୁରୀ ଚାତୁରୀ କୁଚେ ଚେଳ ଢାଙ୍କିକରି
ଅଞ୍ଚଳେ ଯେ ବାନ୍ଧିଥାଇ କର୍ପୁରରଜ
କି ରୀତି ଏ କୋମଳାଙ୍ଗୀର ।
ବୋଇଲେ ଲଗାଇ ଉରେ ଉରଜ ତାର ।୩।
ଧନ୍ୟ ସେ ପ୍ରେମମଞ୍ଜରୀ ଶୁକ ସରିକା ପଞ୍ଜରୀ
ଥିବା ପୁରେ ଏକାନ୍ତ ଯେ ନୋହେ ମୋ ତୁଲେ ।
ସଖୀଙ୍କି ଦେବା ସ୍ନେହରେ ରଖିଥାଇ ହାର ଉରେ
ଅଙ୍ଗହାର କରେ କେଳିପୁରେ ମିଳିଲେ ।
ପକାଇ ମୋହର ଶପଥ ।
କି ହୃଦେ ବରବର୍ଣ୍ଣିନୀ ଘେନଇ ନିତ୍ୟ ।୪।
ପିକ ଡାକିବା ସମୟେ ବଲ୍ଲଭୀ ବୀଣା ବଜାଏ
ବଡ଼ାଇ ଦେଖାଇ ଗାଏ ଗୀତ ମାଧୁରେ ।
ଶୁଣି ମୁଁ ଜାଣି ହୃଦୟ ଯାଇ କହଇ ବିନୟ
କବି ମୂର୍ଖପଣ ଦୋଷ ଲଗାଉ ମୋରେ।
ଦାସୀ ଦୋଷ ଘେନି କି ହେବ ।
ଏମନ୍ତ କହିବା ତାର କେମନ୍ତ ଭାବ ।୫।
ମାଧବୀମଣ୍ଡପେ ଦିନେ ବାନ୍ଧବୀକି ତୋଷମନେ
ହୃଦୟ ଉପରେ ନେଇ ବଳେ ଶୁଆଇ ।
ପ୍ରଶଂସୁ ନାସାମୋତିକି ଜାଣିପାରି ମୋ ଗତିକି
ଖସି ଶେଯେ ବସିଲା ଯେ ସେ ରସମୟୀ ।
ହସିଲା ଏମନ୍ତ ଭାଷିଲା ।
ପଡ଼ିଥିଲି ପ୍ରମାଦେ ଦଇବ ରଖିଲା ।୬।
କରି ମୁଁ ଚମ୍ପାଚଉଁରୀ ଦେଲି ସେ ଶମ୍ପାଗଉରୀ
ମୋ ସ୍ନହବଶରୁ ଘେନି ନ ଘେନେ ଶିରେ ।
ମୁଁ କହେ ଏମନ୍ତ ଶଙ୍କାମାନଙ୍କୁ ପଛକୁ ପକା
ନବୀନା ବିନା ଦୋଷର କେ ମୋ ସଂସାରେ ।
ଶୁଣି କହେ ପ୍ରତି ଉତ୍ତର ।
ଏହି ଅବଧାନ ଥିବା ଲୋଡ଼ା ମୋହର ।୭।
ଦିନେ ଯେ ନବମାଳିକା ଛରା ସଜାଡ଼ି ବାଳିକା
ଶ୍ରୀକରେ ଦେଇ କହିଲି ଚିବୁକ ଧରି ।
ମଦନ ମଦୋହାରୀରେ ତୋଷ କରିବୁ ଦାସରେ
ଶ୍ରବଣେ ଚଞ୍ଚଳ କଲା ନେତ୍ରଶଫରୀ ।
ବୋଧିଲା ମୋହରି ମନକୁ ।
ପଛ କରି ତରୁଣୀ ତରଣି ଆଡ଼କୁ ।୮।
ବକୁଳ ମୂଳ କୁଟୀରେ ଦିନେ ଯେ କେଳି-
ଆରାମେ ପକ୍ୱଚୂତ କରିଦେଲି ଧନକୁ ।
ପ୍ରାଶଂସା କରନ୍ତେ ସହୀ ହସ୍ତବାଳା ବୋଲି
ସ୍ତନ ଚାହିଁବା ମାତ୍ରକେ ଆଣି ମନକୁ ।
ସେ ଲାଜ ପାଇଲା ।
ହୋଇଲା କାହିଁ କଥା କାହିଁରେ ଲଗାଇ ବୋଇଲା ।୯।
ଦିନେ ଯେ ଘେନି ବନିତା ଲଲାଟେ ଚନ୍ଦନଚିତା
ମଧ୍ୟରେ ଦେଲା ସୁନ୍ଦରୀ ସିନ୍ଦୁର ବିନ୍ଦୁ ।
ମୁଁ ବୋଇଲି ଉତପାତ ଦେଖିଲି ପରାଣମିତ
ତହିଁ କି ସେ ବକ୍ର କରି ବନ୍ଦନଇନ୍ଦୁ ।
କହିଲା କାହାର କି ଯିବ ।
ଅନଙ୍ଗରାଜାକୁ ସିନା ଅଶୁଭ ହେବ ।୧୦।
ରତି ପିଚିକା ଚନ୍ଦନେ ଲୁଚାଇ ମୁଁ ଏକଦନେ ।
ଡାକନ୍ତି ପାଶତୁ ଆସଆରେ ଅବଳା ।
ସଙ୍ଗୀତ ପଠନୀ ବାଳା ଇଙ୍ଗିତ ଘେନିଣ
ବଳା ଭୀମକାଇ ଆସି ହୃଦେ ଭିଡ଼ିଲା ଗଳା ।
ଆହୁରି ପୀଡ଼ିଲା ରଦନେ ।
ଗଣ୍ଡକୁ କାତର ମୁଁ ଯେ ହେଲି ମଦନେ ।୧୧।
ଦିନେ ମୁଁ ଅଧର ପାନକରି କହିଲି ଜୀବନ
କାମଯମ ଭୟ ଭିନ୍ନ ହେଲା ମୋ ମନୁ ।
ଚନ୍ଦର ନୁହଇ ମୁହିଁ ମୋତେ ସେ ମିଳିବ ନାହିଁ
ଏମନ୍ତ ପ୍ରତିବଚନ କଲା ସୁତନୁ ।
ମୁଁ କହିଲି ଶ୍ରୀମୁଖ ପରା ।
ଘେନାଘେନି କଥା ଏହା ବୋଲିଛି ଧୀରା ।୧୨।
ଅଶୋକ କୁସୁମ ଡାଳେ ଦିନେ ଥିଲା କରତଳେ
ପ୍ରବେଶ ମୁଁ ବେଶ ବେଳେ ଦେଲି ତା ଶିରେ ।
ସବୁଦିନେ କି କରିବ କହିଲା ଏମନ୍ତ ଭାବ
ବୋଇଲି ପ୍ରତିପାଳିବ ଜୀବ ଥିବାରେ ।
ଭଲା ସେ ରସିକା ସୁମନା ।
ସରିବ କି ତାହା ଭାବ କଲେ ଭବନା ।୧୩।
ଏବେ ଯେବେ ଚିତ୍ତୋଇବ ଏ କଥା ଶ୍ୱାସ
ତେଜିବ ମନେ ଏହା ବିଚାରିବ ଅନୁକ୍ଷଣରେ ।
ମୋ ଉରଜ ସଙ୍ଗଗଣ କାନ୍ତ ହୃଦୟ
ପ୍ରମାଣ କଲା କି ଉଦୟ ଆଣି ଏତେ କାଳରେ।
ଫୁଲଶର ଉପୁଡ଼ିଥିବ ।
ଆଉ କିପାଇଁ ମୋ କଥା ମନେ ପଡ଼ିବ ।୧୪।
ଚନ୍ଦ୍ରମା ସୁଦରଶନେ ନିନ୍ଦା ସେ ସୁଦରଶନେ
କରୁଥିବ ମନେ ମନେଚନ୍ଦ୍ର ଗଉରୀ ।
କି ଭୋଗୀ କୁମ୍ଭସମ୍ଭବ ବେଳେ ବେଳେ
ବୋଲୁଥିବ ନ ମରି ଅଛି ମୁଁ ପୁଣି ଏହା ସୁମରି ।
ନେତ୍ର-ନଦୀ-ନୀରେ ବୁଡ଼ାଇ ।
ସରିବନି ହରଷକୁ ସାରସମୁହିଁ ।୧୫।
ଦେଖିବାରେ ପ୍ରିୟାଶୋଭା ଆଖି ହେଉଥାଇ
ଲୋଭା ଯୋଖି ହେଉଥାଇ ଦେବତାଙ୍କ ସଙ୍ଗରେ ।
ଲଭି ସେ ବଳ୍ଲଭୀ ଶ୍ୱାସ ଶ୍ୱସନରୁ ଦିବ୍ୟ ବାସ
ଭଲା କରିଥିଲା ଇନ୍ଦ୍ର ଭାବ ଅନ୍ତରେ ।
ବାନ୍ଧବୀ ମୋ ଦୟାଳୁମଣି ।
ଶତ୍ରୁକୁ ଶରଣ ଦେଲା ବ୍ୟଜନେ ଆଣି । ।୧୬।
ଜାଣି ନ ପାରିଲ ଛନ୍ଦ ଏ କାଳକୁ ହେଲା ମନ୍ଦ
ମୃଣାଳେ ତ ପୂରିଥିବ ପୁରୀ ବାଳାର ।
ଭ୍ରମ ହେବାର ତାହାର ଆହାର ନ କରନ୍ତି ହାର
ମୋ ପରି କି ବ୍ୟାଧି ପ୍ରଚାର ।
ଜାଙ୍ଗଳିକେ ଦଅ କପର୍ଦ୍ଦୀ ।
ବୋଲିବ ବୁଲି ଆନ୍ତୁ ଆନ ସମ୍ପାଦି ।୧୭।
କେତକୀଦଳକୁ ଭୀରୁ ଦିନେ କରରୁହେ ଚିରୁ
କୁରୁଙ୍ଗ ନେତ୍ର ରଙ୍ଗରୁ ଜାଣି ମୁଁ ଧୀରେ ।
ବୋଇଲି ଯେ ଅନୁଗତ ତାକୁ ଦଣ୍ଡିବା ଉଚିତ
ଦେଖି ମୁଁ ଡରୁଛି ଶୁଣି ଘେନିଲା ଶିର ।
ଏବେ ସେହି ପୂର୍ବପ୍ରାଭବ ।
ଦର୍ଶନେ ଜାଣିଣ ଶତଗୁଣେ ଶୁଝିବ ।୧୮।
ବିଦେଶ ଗମନ କାଳେ ଦେଇଛି ମୁଁ ମୋତିମାଳେ
ମୋ ପ୍ରୀତିରୁ ଥିବ ଗଳେପ୍ରମ ବେଳରେ ।
ରସବତୀ ଭୀତିଭରେ ଖୋଜି ନପାଇ
କେଶରେ ତୋଳାଇ ଅଣାଉଥିବ ନାଗକେଶରେ ।
ଅସର ବାସର ଯାମିନୀ ।୧୯।
କି ଦିଶୁଛି ଦେଖ ସେହି ବୋଲି ଦର୍ପଣ ପୂରିଲେ ।
ଚାହିଁ ଚମକି ଶୋଚନା ରଚନା ମୃଗଲୋଚନା
କରି ଭିତ୍ତି ଗାରକୁ ଗଣିବ ଚପଳେ ।
ବିଚାରିବ ହେଲା ଅଦ୍ଭୁତ ।
ହରସ ବିରସ ସମେ ହେବ ଉଦିତ ।୨୦।
ଯୁବକାଳେ ଯାହା ପାଶେ ଏ ମଧୁ ମାଧବମାସେ
ଯୁବତୀମଣି ନ ବସେ ଧିକ ତା ଜୀବ ।
ତା ପରି ନ କରି ମାର କାହିଁକି ବୋଲଇ ବୀର
ଏ ରୂପେ ରସିକବର ଭାବଇ ଭାବ ।
ରାମଚନ୍ଦ୍ର ପଦ ଗୁଣିଲେ ।
ଉପଇନ୍ଦ୍ର ଭଞ୍ଜ ବୀରବର ଭଣିଲେ ।୨୧।
ତ୍ରୟୋଦଶ ଛାନ୍ଦ
ବର୍ଷାଋତୁରେ ରସିକ ହାରାବଳୀର ଭାବନା
(ରାଗ-କାଳୀ )
ହରିଣୀଦୃଶା କାଳସଦୃଶା ବରଷାକାଳ ଚାହିଁ ।
କରେବିଚାର ଘନକୁ ଚାର କରିବି ପରା ମୁହିଁ ।
କାନ୍ତ ବିଦେଶୀ ମୋତେ ଉଦ୍ଦଶି ବେଦନା ପାଉଥିବେ ।
ଦେବି ସନ୍ଦେଶ ତେଜି ବିଦେଶ ଆସନ୍ତୁ ସିନା ଏବେ ।୧।
ମୋହର ବିନା ପ୍ରାଣେ ନବୀନା ଅଛି ତ ଏ ବିଚାରେ ।
ଆଣ୍ଟହୃଦୟା ଜାଣି ସେ ଦୟା ଛାଡ଼ନ୍ତି ନିକି ମୋରେ ।
ଦେ ତ ନାଗର ରସସାଗର ଏବେ ତର୍କିବେ ନାହିଁ ।
ମୋର ଦର୍ଶନ ଆଶେ ନାଶନ ନୋହୁଛି ବୋଲି ସହୀ ।୨।
କେତେ ଯୁବତୀ ସୁରସବତୀ ତାଙ୍କୁ ନ ମିଳୁଥିବେ ।
ମଦନମତ୍ତେ କାହିଁକି ମତେ ଚିତ୍ତେ ସେ ସୁମରିବେ ।
ମୁଁ କି ବାତୁଳରସିକେ ତୁଳ ନାହିଁ ତାଙ୍କ ପ୍ରୀତିରେ ।
ଯେତେ ସୁମନ ମିଳିଲେ ମନ ଭୃଙ୍ଗର ମାଳତୀରେ ।୩।
ରବି ନଳିନ ହେଲେ ମଳିନ ପ୍ରାତେ କି ନ ତୋଷନ୍ତି ।
କାମୀ ଅରାତି ବିଚ୍ଛେଦ ରାତି ହୋଇଛି ସେହି ରୀତି।
ଆଉ ଏ ଜୀବ ଥାଉଁକି ଯିବ ଅନ୍ତରେ ଦୁଃଖରାଶି ।
କାନ୍ତ ସରସମୁଖ ହରଷ ଦେଖିବି ଆଗେବସି ।୪।
ନିଦ୍ରା ଅବଶେ ଦଇବବଶେ ଛାଡ଼ିଲେ ହୃଦୁଁ ହୃଦ ।
ନିଶି ଶୟନେ ପ୍ରିୟ ନୟନେ ଆସଇ ନାହିଁ ନିଦ ।
ଗଲଟି ଭାସି ବୋଲି ଦେ ଭାଷି କୋଳେ ଭରନ୍ତି ନେଇ ।
ଏବେ ସେ କାନ୍ତ ହୋଇ ଏକାନ୍ତ ନିଦ୍ରା ଯିବେଟି କେହି ।୫।
ରତି-ବଚନେ ନାହିଁ ବଚନେ ବୋଲିବା ମୋ ଶପଥ ।
ମୋର ଦୁଷ୍କୃତଫଳେ କି କୃତ୍ୟ ହେଲା ନ ଶୁଣିଲି ତ ।
ସେନେହ ସେ ଯେ ହୃଦରୁ ଶେଯେ ଶୁଆଇ ନ ଦିଅନ୍ତି ।୬।
ଛାଡ଼ି ଉନ୍ନତି କେତେ ବିନତି ହୁଅନ୍ତି ଦିନେ ଦିନେ ।
ପୁରୁଷାୟିତ ଅର୍ଥୀ ଦୟିତ ହୋଇଣ ମନେ ମନେ ।
ସେ ଘେନାଘେନି ମୁଁ ଯେ ନ ଘେନି ବୋଲେ କେ ତା ଜାଣଇ ।
ସେହି ରୋଷରେ କି ବିଦେଶରେ ରହିଲେ ନ ଚିତ୍ତୋଇ ।୭।
ଭାଲେ ତିଳକ ଚାହିଁ ତିଳକ ମୋର ଲେଖିବା ପୋଛି ।
ଲେଖନ୍ତି ଭାବେ ବିଜ୍ଞ ସ୍ୱଭାବେ ତାଙ୍କ ତହୁଁ କେ ଅଛି ।
ମୁଁ ତୋ ସେବକ ବୋଲି ଯାବକ ଦେବାକୁ ଥାନ୍ତି ହଟି ।
ତାହା ସୁମରି ଅଛି ନ ମରି ନ ଯାଇ ହୃଦ ଫାଟି । ୮।
ତାକୁ ସ୍ୱପନ ମୋର ଲପନ ବିରସ କରାଇବା ।
ଛାଇକି ସ୍ମରି ମୁଁ ଅନୁସରି କରି ଯେ ଥାଇଁ ସେବା ।
ସେ ସୁକମାରଦହିବ ମାର ବିଧାତା କି ନିଷ୍ଠୁର ।
ଗୁଣି ବିହାର ହେବ ବାହାର ସେ ନେତ୍ରୁଁ ନୀରଧାର ।୯।
ହେବନି ତନୁ ଲାବଣ୍ୟ ତନୁ ଅଶନ ଅସଙ୍ଗତେ ।
ମୋ ପରି ଚି୍ତ କାହିଁ କିଞ୍ଚିତ ଜାଣି ପାରିବେ ଭୃତ୍ୟେ ।
କ୍ରୋଟଦହନ ପ୍ରିୟ ମୋହନ ହୃଦୟ ପୋଡ଼ୁଥିବ ।
ମୋହ ପ୍ରସଙ୍ଗ ମାନସେ ସଙ୍ଗ ଘୃତ ଆହୁତି ହେବ ।୧୦।
ହେଲେ ଆଦର ବଶେ ପାଦର ସେବନ ତତପର ।
ବୋଲନ୍ତି ଧୀରେ ରସନିଧିରେ ବ୍ୟଥା କରିବ କର ।
ତୁ ଯେ କମଳାନନୀ କୋମଳା ଏତିକି ହେଉ ରଖ ।
ପାଶୁଁ ଅନ୍ତର ହେଲା ମାତର ନ ଘେନିଲେ ମୋ ଦୁଃଖ ।୧୧।
ମଦନରାଣ ଛଳେ ପରାଣ ବୋଲି ଡାକନ୍ତି ପ୍ରତେ ।
ସତ ହୋଇଲେ କିପାଁ ନଇଲେ ଭିନ୍ନ ବିହିଲେ ଏତେ ।
ଯେହୁ ଯାହାକୁ ଭଜେ ତାହାକୁ ଆରତୁଁ ନ ରଖିବା ।
ମୁଁ କି ଭରମ ଦବୁ କରମ ବଶୁଁ ହେଇଛି ଅବା ।୧୨।
କ୍ଷୀଣତପସ୍ୟା ସେ ନେଶେ ପଶାଖେଳ କି ନାହିଁ କାହିଁ ।
ପଡ଼ନ୍ତା ରତି ହୁଡ଼ପାରତି ଚିତ୍ତେ ଦେଖିଲେ ତାହିଁ ।
ତହିଁ ଦହନତାଳଗହନ କାଗଜ ନ ମିଳଇ ।
ପୂର୍ଣ୍ଣ ବରଷ ଏଣୁ ସରସ ପତ୍ରିକା ଦେଲେ ନାହିଁ ।୧୩।
ଭେକ ବରହୀଡାହୁକ ରହି ସେ ସୀମାନ୍ତେ ନଥିବେ ।
ବ୍ୟାଧ ବିଶେଷ ଥିବାରୁ ଶେଷ ଉତ୍ସୁକ କେହି ନ ମିଳିଲା ।
ବିହି ଅଦଳ ଶ୍ୟେନ କବଳ ପକ୍ଷୀଦୂତ କି କଲା ।୧୪।
ଏତେ ଭରସା ହୋଏ ବରଷା ହେଉଛି କେ ଆସିବେ ।
ମେଘ ଦମକ ବିଦ୍ୟୁଝମକ କେମନ୍ତେ ନ ତ୍ରାସିବେ ।
ମନ୍ଦ କର୍ମରୁ କେବଳ ମରୁଦେଶ ସେ ନୋହିଥାଉ।
ହେ ସ୍ମରପର ଏ ଦୁଃଖ ହର ପ୍ରବାସ ନାଶ ଯାଉ।୧୫।
ଦେବି ମଙ୍ଗଳା ଦେବୀଙ୍କି ଗଳାମାଳା ସିନ୍ଦୂର ଭୋଗ ।
ହାଇବି ବ୍ରତୀ ଥାଇ ମୁଁ ବର୍ତ୍ତି ହେଲେ ବଳ୍ଲଭେ ଯୋଗ ।
ଜାଣେ ଜାନକୀ ତହୁଁ ଆନ କି ବିଯୋଗ ଦୁଃଖମୋର ।
ହେଲେ ପ୍ରସନ୍ନ ହେବ ଦର୍ଶନ ଆନନ ସୁଧାକର ।୧୬।
ପରତେ ତନୁ ତେଜି ଅତନୁ ଏବେବି ମଚକ୍ତ ହେଲା ।
ତେଡ଼େ ସରଳ ହୃଦ ତରଳ ଏକାଳେ ସେ ନ କଲା ।
ମୋତେ କାହିଁକି ଦହେ ତହିଁକି ଆଶଙ୍କା ହୋଏ ଚିତ୍ତ ।
ମୁଖେ ଇଶ୍ୱର ବୋଲିବା ସ୍ମର ଶୁଣି କି ହେଲା ଭୀତ ।୧୭।
ତାପିତ ହରି ମଧ୍ୟମା କରି କଷ୍ଟେ ଦିବସ ନିଶି ।
ଶଶୀ ଯେସନ କୃଷ୍ଣେ ତେସନ ବିକାଶ କାଶହାସୀ ।
ଦାହ ସୁବର୍ଣ୍ଣ ସମାନ ବର୍ଣ୍ଣ ଦୁବର୍ଣ୍ଣ ପରକାର ।
କରେ କରୁଣ ଓଷ୍ଠୀ କରୁଣ କହିଲେ ବୀରବର ।୧୮।
ଚତୁର୍ଦ୍ଦଶ ଛାନ୍ଦ
ବର୍ଷା ଋତୁରେ ରାଜପୁତ୍ରର ଭାବନା
(ରାଗ-କାମୋଦୀ)
ଶ୍ରବଣେ ଘନଘନ ଗର୍ଜ୍ଜନେ ଘନଘନ ଚାହିଁ ଲୋତକ ଥନଥନ ।
କହେ ସୁମନ ମନ-ମୋହୀକୀନ ବନଜାକ୍ଷୀ ହେବନି ଛନ୍ନଛନ୍ନ ।
ହେ ଜଳଧର ।
କହି ନେବ ଦୁର୍ଦ୍ଦିନ ଦିନ । ସେ ଯେ ମୋର ନିଧନ ଧନ ।
ହୋଇ ଅନଶନଭବୁ ଭବନ ବନ ସେ କି କଷ୍ଟଭାଜନ ଜନ ।୧।
ବିଷମଶର ଶର ପ୍ରହାରି ବର ବରନୀକି କରିବ ଜରଜର ।
ଦିନ ଆହାର ହା ରମଣୀ ଆଗାର ଗାର ଗୁଣି ଗୁଣିବ ହରହର ।
ହେ ଜଳଧର ।
ଚଞ୍ଚଳା ଚଳା ତରତର । ଚାହିଁ ହୋଇବ ଥରଥର ।
ମଦନକର–କରବାଳ କି ବାରବାର ଝମକେ ଘେନି ବାରବାର ।୨।
ଫୁଲେ କବରୀ ବରିଥାଇ ମକରୀକରି ଗଣ୍ଡେକି ଅପସରୀ ସରି ।
ସେ ବିମ୍ବାଧରୀ ଧରି ତ୍ରିପୁର ଶିରୀ ଶିରୀପତି ସମାନକରି କରି ।
ହେ ଜଳଧର ।
ଧୈର୍ଯ୍ୟ ଭଙ୍ଗୀ ପ୍ରସାରି ସାରି । ଅସମ ଈଶାନାରୀ –ନାରୀ କି କରେ ହରି ହରି ।
ହେଲା ସୁନ୍ଦରୀ ହରି ଥିବ ହା ରାବେ ପୁରୀ ପୂରୀ ।୩।
ମୋର-ମୂକତି କତି ତାର ଅରାତି ରାତି ଘେନିବ ହା ସୁମତି ମତି ।
ଦେଖିବ୍ରତତୀତତି ବିବିଧଜାତିଜାତୀ ଚଳି ଭଜିବ ଭୀତି ଭିତ୍ତି ।
ହେ ଜଳଧର ।
ଛାଡ଼ିଥିବ ସେ ନିତି ନୀତି । କରିବ ଶୋଭାଭୂତି ଭୂତି ।
ମୋର ସଙ୍ଗତି ଗତି କରି ଯୁବତୀ ବତିଶାର୍ଦ୍ଧ ବୟସୀ ରତିରତି ।୪।
ସୁମରି ଭାବ ଭାବଦାୟିନୀ ଜୀବଜୀବନର କରିବେ ଶିବ ଶିବ ।
ସତେ ଏ ଜୀବ ଯିବ ଯଶ ପ୍ରଭବ ଭବହୋଇ ଦୁଃଖ ମନ୍ଥିବ ଥିବ ।
ହେ ଜଳଧର ।
ଏ ବର କେଉଁ ଦେବ ଦେବ । ପୁଣି ଓଷ୍ଠପଲ୍ଲବ ଲ୍ବ ।
ପାନରେ ଦେବଦେବ ଦମ୍ପତ୍ତି ହେବହେବ ସୁଖଦ କଳରବ ରବ ।୫।
ନାଚେ ବରହୀ ରହି ନଗ୍ରେ ଭେକହିଁ କହି କାମପ୍ରଳୟ ବିହି ବିହି ।
ଶୁଣି ନ ସହି ସହୀ ଚିରିବ ମହୀ ମହିଳାକୁ ଯେ ତ୍ରାହିନାହିଁ ନାହିଁ ।
ହେ ଜଳଧର ।
କଦମ୍ବ ଗନ୍ଧ ବହି ବହି । ବାତ ଥିବ ମୋଦହିଁ ଦହି ।
ମୋପଥ ଚାହିଁ ଚାହିଁ ଥିବ ସୁମୁହିଁ ମୁହିଁ ପାପୀ ଦହେ ଅଦେହୀ ଦେହୀ ।୬।
ଉଦ୍ଧର କାଳ କାଳଦେବ ଏ କାଳ କାଳ ଲୋକନେ ତତ୍କାଳ କାଳ ।
ବୃଷ୍ଟି ଉଜ୍ଜ୍ୱଳ ଜଳ ଡାହୁକ କଳ କଳ ଦେହ ହରଷଜାଳ ଜାଳ ।
ହେ ଜଳଧର ।
ଜପୁଥିବ ମୃଣାଳ ନାଳ । ଘେନି ବୃଦ୍ଧି ଆକୁଳକୁଳ ।
ହେବ ଦୁର୍ବଳ ବଳତ୍କାରରେ ଢଳ ଢଳସୁବର୍ଣ୍ଣ ବର୍ଣ୍ଣ ଟଳଟଳ।୭।
ମେରୁ ଶିର ସରସାଗତ ବରଷା ରସା କଲେ ନା ଭରସା ରସା ।
ଯୁଗ ମନୀଷା ନିଶା ଉଦେ ବିଦିଶା ଦଶା ସାର ମୃଗସଦୃଶା ଦୃଶା ।
ହେ ଜଳଧର ।
ବୋଲିବି ଭାବେ ରସା ରସା । ନ ଯାଏଁ ନାରୀଭୂଷା ଭୂଷା ।
ଶୋଭିତ- ଆଶା ଆଷାଢ଼କୁ ପ୍ରଶଂସା ସଂସାର କେତକ ଏଲ୍ଲାଦ –ଲସା ।୮।
ଚାହିଁଲେ ଅଳି ଅଳି ମାଳତୀ ଆଳୀ ଆଳୀ ଦମ୍ଭକୁ ନ ସମ୍ଭାଳି ଭାଳି ।
ଜ୍ଞାନ କଟାଳ ଟାଳି ପ୍ରେମକୁଶଳୀ ଶଳିମୁଖେ ଦେବ ବକାଳୀ କଳି ।
ହେ ଜଳଧର ।
ହେଲା ବିରହ ବଳି ବଳୀ । ଥିବେ ସଜନୀ ପାଳି ପାଳି ।
ସେବି ମୁ ଶୂଳୀ ଶଳୀ ଲଭି ରସାଳୀଶଳୀ ଦେଲି ଏ ଦୁଃଖ ଭଳି ଭଳି ।୯।
ନବ ପ୍ରକାଶ କାଶ କୁଟଜ ବାସ ପରକାଶ ସଦୃଶ ଦୃଶ ।
ଚାହିଁ ଜୀବେଶ ବେଶଭଙ୍ଗୀ ବିଶେଷ ଶେଷକରି ହେବ ଅବଶ ବଶ ।
ହେ ଜଳଧର ।
ନ ଦେଖି ଭ୍ରୂଉଲ୍ଲାସ ଲାସ । ତେଜି ସଖୀ ରହସ ହସ ।
ହୀନ ନିମିଷ ମିଷ ଦେଖିବେ ନାଶନାଶ କରିବେ ଅବିଶ୍ୱାସ ଶ୍ୱାସ ।୧୦।
ଗିରିଶିଖର ଖର ବାସ ନ କର କରଭୋରୁର ପୟୋଧର ଧର ।
ମୁଖ ସୋଦର ଦରହାସୀର ତାର ତାର କେଶଗ୍ରାସ ଆଦର ଦର ।
ହେ ଜଳଧର ।
କୋକିଳ ହେମାଙ୍ଗୀର ଗିର । ରୁନ୍ଧିତ କରି ବାରବାର ।
ପକା ମୋ ଶିରସିତ ବେଗେ ଭିଦୁର ଦୂର ହେବ ଦୁଃଖ ସଂସାର ସାର ।୧୧।
ସୁଜାଣ ଜାଣ ପ୍ରେମ ନିପୁଣ ଭାରତୀରୁ ଦ୍ୱିଗୁଣ ଗୁଣ ।
ଶୋଭାରେ ରଣରଣ ନାରୀ ଅତି ଦୂଷଣ ଷଣ-ପୁଷ୍ପାଙ୍ଗୀ କି ମସୃଣ ଶୁଣ ।
ହେ ଜଳଧର ।
ଯୁଧା ହେବ ରସାଣ ଶାଣ । ଦିଆ କିଫୁଲ-ବାଣ ବାଣ ।
ତଥା ଲକ୍ଷଣ କ୍ଷଣପ୍ରଭା ପ୍ରମାଣ ମାଣବିକ- ମୃଗାକ୍ଷୀ ପ୍ରାଣ ପ୍ରାଣ ।୧୨।
ଯା ନେତ୍ର ରାମରାମ ଜନରେ ଭ୍ରମ ଭ୍ରମକାନ୍ତି ରୂପ୍ୟ ସୁଷମ ସମ ।
ଯା ହୃଦ ଦମ ଦମ ଅମୃତ ଧାମ ଧାମ ରସା ହୋଇ ବିକ୍ରମ କ୍ରମ ।
ହେ ଜଳଧର ।
ଯା ଭାଲେ ନୃପରମ୍ୟ ରମ୍ୟ । ଗ୍ରାସି ଅଳକା ତମତମ ।
ଯା ଅଙ୍ଗେ ଶ୍ରମଶ୍ରମ ରୋମ ଉଦଗମ ରମ ତହିଁ ନୂପୁର କାମକାମ ।୧୩।
ଡକାଇ ଯୋଷୀ ଯୋଷିତଙ୍କୁ ପ୍ରଶଂସି ଶଶିମୁଖୀ ଳାବଣ୍ୟ ରାଶି ରାଶି ।
ମନ୍ଦ କି ଭାଷି ଭାସି ଶୋକ ସରସୀ ରସି ଯେହୁ ମୁଖେ ପ୍ରକାଶି କାଶୀ ।
ହେ ଜଳଧର ।
ତାପସର୍ପ ଷୋଡ଼ଶୀ ଦଂଶି । ଯେବଣ ମୋହ ଗ୍ରାସି ଗ୍ରାସି ।
ସେ ମୋ ପ୍ରେୟସୀ ଅସିତ କରହାସୀ ହା ସୀମନ୍ତିନୀ ମଧ୍ୟକୃଶୀ କୃଶୀ ।୧୪।
କାମୀସଂଘାତ ଘାତକର ସମ୍ପାତ ପାତନ କରି ହୋଇ ନିସ୍ତନିତ ।
ଦମ୍ପାସଂହତ ହତ ସ୍ୱନଭଦ୍ୱତ ସ୍ୱତଃ ତେଜି କରି ବିହିନ୍ତ ହିତ ।
ହେ ଜଳଧର ।
ଏକାହିଁ ଅଗମିତ ମିତ । ପାଶେ ଯାଇ ଉଦନ୍ତ ଦନ୍ତ ।
ଶୋଭିନୀ କାନ୍ତ କାନ୍ତ ଆସେ ଉସତ ସତ ଶୁଣି ହେବ ଉଚିତ ଚିତ୍ତ ।୧୫।
ମନାଇଁଦେବୀ ଦେବି ଅନଳେ ହବି ହବିଷ୍ୟାଦି ବ୍ରତେ ମଜ୍ଜିବି ଯିବି ।
ବାନ୍ଧବୀ ନୀବୀ ନିବିନକୁ ଭଜିବି ଜୀବିତେ କି ମରିଛି ଭାବି ଭାବି ।
ହେ ଜଳଧର ।
ସୁକୋକନ୍ଦ ଛବି ଛବି । ବୋଲେ ଓଷ୍ଠକୁ କବି କବି ।
ଦନ୍ତେ ଚାପିବି ପବି ଅମୀୟ ସ୍ରବିସ୍ରବି ଯିବି ଇନ୍ଦ୍ରପଦବୀ ଦବି ।୧୬।
ପିନ୍ଧାଇ ନେତ୍ର ନେତ୍ର ସହସ୍ର ପତ୍ର ପତ୍ର ଯେ ଖଣ୍ଡେ ଲକ୍ଷ୍ୟ ପାତ୍ର ପାତ୍ର ।
ଉରଜେ ଗୋତ୍ର ଗୋତ୍ର ଜିତେ ପବିତ୍ର ବିକ୍ରକେ କି ଲେଖିବି ଚିତ୍ରଚିତ୍ର ।
ହେ ଜଳଧର ।
ହୃଦସ୍ଥ ଏ ଦ୍ୱିମାତ୍ର ମାତ୍ର । ପାରି ନ କରି ରାତ୍ର ରାତ୍ର ।
ନୟନ ମିତ୍ରମିତ୍ର ହେବ ଏ ବେମାତ୍ର ମାତ୍ର ହେଲି ଦହି ଅପାତ୍ର ପାତ୍ର ।୧୭।
ଦେଖ ଲମ୍ପଟେ ପଟେ ପ୍ରତେ ଖଟେ ଦେବ କି ଧରି ଭେଟେ ଭେଟେ ।
ଯେ ସ୍ତନ ଖଟେ ଘଟେ ଧରୁ ଉଜ୍ ଝଟେ ଝଟେ ଢାଙ୍କିବ କି କପଟେ ପଟେ ।
ହେ ଜଳଧର ।
ନାହିଁ ବୋଲିବ ଦ୍ଫୁଟେ ସ୍ଫୁଟେ । ଚିନ୍ତି ମନାଇଁ କଷ୍ଟେ କଷ୍ଟେ ।
ନିନ୍ଦା କୁକ୍କୁଟେ କଟେ ପ୍ରାତେ କରଟେ ରଟେ ହେବ ଥାଉଁ ଦୁର୍ଘଟେ ଘଟେ ।୧୮।
ଦେବି ଗୟସ ଈଶ ହରିତବାସ ବାସ ଜାତି ଯାଉଁ ସ୍ୱଦେଶେ ଦେଶେ ।
ହେଉ ନରଶ ରସବତି ଆଶ୍ଲେଷ ଶ୍ଳେଷଭାଷ ହେଉ ନିଶ୍ଳେଷ ଶ୍ଳେଷ ।
ହେ ଜଳଧର ।
କଣ୍ଠଲତା ବ୍ୟାକୋଷ କୋଷ । ନୋହୁ ପୋଡୁ ପ୍ରବାସ ବାସ
ତ୍ରିପୁରଦ୍ୱିଷଦ୍ୱିଷଧରେ ଅନିଶନିଶକରି ଅପରୋକ୍ଷ ରୋଷ ।୧୯।
କୋଳେ କି ଆଶେ ଆସେ ତାହିଁ ତ ଦିଶେଦିଶେ କ୍ଷଣେ ନ ଦିଶେ ଦିଶେ ।
ତୋଷପ୍ରଦା ସେ ଦାସେ କିପାଁ ପୁରୁଷେ ରୁଷେ ।ପରିଜନସ୍ନେହାସେ ହାସେ ।
ହେ ଜଳଧର ।
ଧୈର୍ଯ୍ୟଭୂମି ଆକର୍ଷେ କର୍ଷେ ।ସୁଶୀତଳଗାତ୍ରା ସେ ତ୍ରାସେ ।
କାମୀ ବିରସେ ରସେ ଶୋକରେ ଭାସେ ଭାଷେ ଉନଇନ୍ଦ୍ର ହରଷେ ରସେ ।୨୦।
ପଞ୍ଚଦଶ ଛାନ୍ଦ
ରାଜପୁତ୍ରର ଗୃହକୁ ପ୍ରତ୍ୟାଗମନ ବୃତ୍ତାନ୍ତ
(ରାଗ-କଉଶିକ)
କୁମାର ବରହେ ଇଳାବୃତ୍ତଖଣ୍ଡେ ଭ୍ରମେ ଦନଜନ ସମାନେ ।
ଭାଗ୍ୟରୁ ତାହାଙ୍କ ନୟନ ପତନ ଆସିଥିଲେ କ୍ଷଣେ ବିମାନେ।
ଦେଖି ସେମାନେ ଭାବନ୍ତି, ସୁନ୍ଦରେଭିମାନେ !
ଚନ୍ଦ୍ର ଅଶ୍ୱିନୀକୁମାର ମାରକୁ ଏ ରଖିବ କି ଆଉ ଗୁମାନେ ।୧।
ଆମ୍ଭେ ମନୋହାରୀ ଅପସରୀ ବାରକାମୀ କାମିନୀତ ପ୍ରମାଣ ।
ଏହାରେ ଈକ୍ଷଣ କ୍ଷଣ ପତନରେ ଆମ୍ଭକୁ ତେଜନ୍ତି ନ ପୁଣ ।
ତାଙ୍କ ସ୍ୱଭାବ । ଭାବରସେ ବଶ ନୁହନ୍ତି ।
ଭ୍ରମର ପୀରତି ରତିଦା କୁମୁଦ ବିଧୁ ଦେଖିଲେ ବିକଶନ୍ତି ।୨।
ରାଜେରାଜେନ୍ଦ୍ର ନନ୍ଦନ ପ୍ରାୟ ତେଜେ ଧନ ଦନ ଅପରୂପ ନ ଥିବ ।
ମାନ୍ସ ମାନ ସରୋଭିତ ପୁଣି ତ ଏ ଗୁଣେ ଅଧିକ କରିବ ।
ବଳୀ ଜଳିବ । କେ ହେବ ନୋହୁଛି ପ୍ରତୀତ ।
ବିଧି ବିଧିରୁ ବାହାର ସୁନ୍ଦର ଏ ଥିବ ଥିବା ନୋହେ ଉଚିତ ।୩।
ପୁଚ୍ଛିଲେ କେଉଁ ଦେଶୁଁ କେଉଁ ନିମନ୍ତେ ପ୍ରବେଶ ଏ ଭୂବି ବୀର ।
ବାନ୍ଧିଲା ପରାୟେ ମନେ ଘେନୁଅଛି ତୁମ୍ଭକୁ ସୁକୁମାର ମାର ।
କହ କହତ । ଚିତ୍ତଦୁଃଖ ନିକର କର ।
ଆମ୍ଭେ ଦେବତା ବଚନ ଜାଣ ସତ୍ୟ ସତ୍ୱର ଦେବା ବରବର ।୪।
ପରମ କଷ୍ଟ ଯେତେ ପାଇଲି ନିବାରି ଆସିବାରେ ପର ।
କରକଦନ୍ତୀ ବିଚ୍ଛେଦ ସବୁଁ ବଡ଼ ହେଲା ଏ ଦୁଃଖୀ ନାଶ କର ।
ଗୁଣି ସେ ପୁଣି । ସନନ୍ତ ଦୁଃଖୀ ହେଲି ସତ ।
ମତ୍ତ ଗଜକତି ସଙ୍ଗତି ହୋଇବା ବିନୁତ ନାହିଁ ଆନ ମତ ।୫।
ଛନ୍ନ ତେଜି କ୍ଷଣେ ଶ୍ରବଣେ ପୂର୍ଣ୍ଣ ତା କରିବାରେ ମନୋରଥକୁ ।
ରଥକୁ ସାଜି ବସାଇ ଛାଡ଼ିଗଲେ ବଦ୍ରିକାରେ ଶତ୍ରୁଜିତକୁ ।
ତାକୁ ତୋଷଦ। ହେଲା ନାରାୟଣଲୋକନ ।
କନକଗୋରୀକି ଦେଖିବି ଏ ବର ମାଗିଲା ହୋଇଣ ଉଚ୍ଛନ୍ନ ।୬।
ହରତିବସନ ଦର୍ଶନ ନାଶନ କଲା ତମସକୁ ସତ୍ୱର ।
ବୈଷ୍ଣବ ସଙ୍ଗରେ ରଙ୍ଗରେ ନଗରେ ପ୍ରବେଶ ହୋଇଲା ତାହାର ।
ହୋଇ ସୁଜ୍ଜନ । ରଞ୍ଜନ ଚପଳେ ଚଳିଲା ।
କିବା ସେ ବନ୍ଦୀରମନ୍ଦିରାନୟନା ପୁରକୁ ଦେଖିଲା ।୭।
ସଖୀ ନେତ୍ରଜଳ ପୂରିତ କଜ୍ଜ୍ୱଳ ନାଶିଛି ତରଙ୍ଗ ଉଜ୍ଜ୍ୱଳ ।
ଶରୀର ଦୂର୍ବଳ ଶୋଭାକୁ କବଳ କରିଛି ଚିନ୍ତା ମହାବଳ ।
ଶୋକ ପ୍ରବଳ । ବଳହୀନ ସର୍ବ ଅବଳା ।
ତାପେ କଷତୁଳା ସ୍ୱରୂପକୁ ତୁଳା ହୋଇଛି ରଜତ ପିତୁଳା ।୮।
ନଳଦ ଅସିଦ୍ଧ ଆଦ୍ୟରେ ହୋଇଛି ହୁଅନ୍ତି କଥା ପରସ୍ପରେ ।
କାନ୍ତ ନ ଆସିଲେ ଆସିଲେ ବାଳକ ଜୀବନ ରହିବି ବଧିରେ ।
ଉପଚାର ଯେ । ଦେବବଲ୍ଲଭ ଦେବ ପରା ।
ଦେଖି ରସିକକୁ ଏହି ସମୟରେ ତେଜିଲେ ସଜନୀ ଅଧୀରେ ।୯।
କହିଲେ ପ୍ରାଣ ପାଇଁ ହେଳା କର ପ୍ରାଣହେଲା କର ଏଥର ।
ପ୍ରିୟବାଦିନୀ ନୋହିବୁ ହୋଇବୁଟି ପ୍ରିୟବାଦିନୀ ତତ୍ପର ।
ଆରେ ସଜନୀ । ଅଇଲେ ତୋର ପ୍ରାଣନାଥ ।
କାମରେ ବିରୋଧି ନୋହିବୁ କାମରେ ବିରୋଧି ଯଥାର୍ଥ ।୧୦।
ମିତ୍ର ମିତ୍ରଧ୍ୱଜ କି କଲା ଜୀବିତେ ଥାଉଁ ଶୁଭକର୍ମ ଆମ୍ଭର ।
ରସବଶେ ଈଶ ବଲ୍ଲଭୀ କରିବ ରାମସୁତ ନିଶି ବାସର ।
ବାଣ ନନ୍ଦିନୀ । ସମୟେ ନିଦ୍ରା ନ ଭାଜିବ ।
ତାହା ପତିପାତ ଗର୍ବ ଖର୍ବ ହେଲା ଏଣିକି ବିଚ୍ଛେଦ ନୋହିବ ।୧୧।
ଏ ସମୟେ ଯାଇଁ ପ୍ରବେଶ ଜୀବେଶ ସୁନ୍ଦରୀ କଲା ନିଉଛାଳି ।
ନୟନପୟରେ ପ୍ରିୟର ପୟର ଧନ୍ୟ ମାନ ବେଳେ ପଖାଳି ।
ଧବେ ଦେଲେ ଯେ । ହୃଦେ ଲଗାଇ ଆଲିଙ୍ଗନ ।
ଉତ୍କଣ୍ଠାରେ ଦଣ୍ଡେ ପରିଯନ୍ତେ ଦେଲା ଏଣୁ ତେଣୁ ଚୁମ୍ବନ ।୧୨।
ଦୂର ପଲକ ଅପଲକ ହୋଇଲେ ମିଳିଲେ ପୁରପଲଙ୍କରେ ।
ଭାବିଲେ କି ସୁଖଭୋଗବତୀପୁରେ ଅମରାବତି ଅଳକାରେ ।
ବିଧୁ ସବିତା । ଉଦୟ ହେବା ନ ଜାଣିଲେ ।
ଆମ୍ଭ ଭାଗ୍ୟର ହେଲା ବ୍ରହ୍ମନିଶି କି ଦୁର୍ଦ୍ଦିନିକୁ ମଣିଲେ ।୧୩।
ଶରଦକାଳେରେ ଦ୍ୱିଯରଦଗିକି ଘେନି ଚନ୍ଦ୍ର କରେ ବିହିର ।
ହିମରେ ସୁଷମ ମହଶରୀ ମଧ୍ୟେ ମନସିଜ ରଙ୍ଗ ପଚାରି ।
ଚାରୁ ଶିଖିର । ନିଶରେ ନିଶାଙ୍ଗୀ ସଙ୍ଗରେ ।
ନିଶାରେ ଅନାଦର କରି ବଞ୍ଚିଲେ ନା ନା କୁତୁକ ପ୍ରସଙ୍ଗରେ ।୧୪।
ବସନ୍ତରେ ବସନ୍ତବସନ ପିନ୍ଧାଇ ବସନ୍ତସୂତ ବଚନାକୁ ।
ଚର୍ଚ୍ଚରୀ ଆଚରୀ ବିପିନେ ବିକାଶୀ ଫୁଲମାଳିକା ରଚନାକୁ ।
ତପ ଋତୁରେ । ତପଧ୍ୱଂସରେ କରି ସ୍ନେହ ।
ତପ ତପନ ଦନ୍ତାପ ନାଶନକୁ କରନ୍ତି ଜଳେ ଅବଗାହ ।୧୫।
ପୁଣି ଘନମାଳେ ଘନଜଘୀକୁ ଘେନି କୋଳେ ଘେନାଘେନିଲେ ।
ବଡ଼ଭୀ ଉପରେ ଶୋଭିତ କରିଣ ଲୋକନ କରି ନୀରଧାର ।
ବେନି ଅଞ୍ଚଳେ । ଗଣ୍ଠିଦେଇ ଲବ ଅନ୍ତର ।
ନୋହିଲେ ନିର୍ଭର ହୋଇଣ ନାଗରୀ ପରୁଷ କୁଞ୍ଜର ।୧୬।
ରଦିକ ପୁରୁନ୍ଦର ଚିତ୍ତ ହୋହିବ ସୁନ୍ତର ପନ୍ଦର ଛାନ୍ଦ ଏ ।
ମକରଶ୍ରୁତି କନ୍ଦରକୁ ହୋଇବ ଦମଦ୍ତ ପ୍ରକାର ମନ୍ଦ୍ର ଏ ।
କବି ପଣ୍ଡିତ । ହୃଦୟମଣ୍ଡିତ ହେଇବ ।
ଖଣ୍ଡିତ କରିବ ସର୍ବ ଖଳଗର୍ବ ବହୁତ କାଳଯାଏ ଥିବ ।୧୭।
ହେ ରାମ ଶ୍ୟାମ କାମ ସମ ସୁଷମ କାମଯାମ ଭୀମ ବନ୍ଦନ ।
ଦାନବ ଦାନବାରି ଦାନ ବତ୍ସଳ-ଜାନକୀ ହୃଦୟ ଚନ୍ଦନ ।
ନୃପକେଶରୀ । ରାବଣ ବାରଣ କେଶରୀ ।
ପ୍ରଖର ଖର ଦୁଷଣକୁ ଭୀଷଣ ଘଟକର୍ଣ୍ଣ ଘଟ ନିବାରି ।୧୮।
କର କରୁଣାବିଜ୍ଞ ହଦ୍ତଗତ ଏ ପୁସ୍ତକ ମୋର ହୋଇବ ।
ଅଜ୍ଞ ସମୂହର କର୍ଣ୍ଣ କୁହରକୁ କେବେ ହେଁ ପ୍ରବେଶ ନୋହିବ ।
ଆଖୁ ଅନଳ । ହୀରାରେ ନ ଲଭି ବିନାଶ।
ଉତ୍ତମ ଜନରେ ନୋହିଣ ପ୍ରକାଶ ହେଇ ସର୍ବଦେଶ ।୧୯।
ଉପେନ୍ଦ୍ରଭଞ୍ଜ ବୀରବର ବିରଚିତ ଅତି ତୋଷ ଚିତ୍ତରେ ।
ରସିକ ହାରାବଳୀ ନାମ ରଚିତ ବୋଲିବାରୁ ଏହୁ ଗୀତରେ ।
ପାଦ ସଖ୍ୟାରେ । ତିନିଶହ ପଞ୍ଚଷଠି ଜାଣ ।
ରୂପକ ଯମକ ଆଶ୍ରୟ ବିରୋଧ ଶ୍ଳେଶ ଛଳେ ଗୀତ ନିପୁଣ ।୨୦।


Post a Comment